ସ୍ମୃତିର ବର୍ଷା ରାତି ମାମୁଁଘରେ
ସ୍ମୃତିର ବର୍ଷା ରାତି ମାମୁଁଘରେ
ସେଦିନ ଆକାଶ ଥିଲା ସମ୍ପୂର୍ଣ୍ଣ ମେଘୁଆ l ଆମ କଟକ-ନାଉଗାଁ ବସ୍ ଅଟକି ଥିଲା ଡିହସାହି ଷ୍ଟାଣ୍ଡ ରେ l କଲେଜ ଛୁଟିରେ ମୁଁ ଯାଉଥିଲି ମୋ ମାମୁଁ ଘର ଗାଁ ସିଧଳକୁ l ଶ୍ରାବଣ ମାସର ମଧ୍ୟଭାଗ l ସେଦିନ ସାରା ଓଡ଼ିଶା ଅଟୋ ରିକ୍ସା ଚାଳକମାନଙ୍କ ହରତାଳ l ମୁଁ ବସରୁ ଓହ୍ଲେଇ ମାମୁଁ ଘର ଗାଁ ସିଧଳକୁ ଯିବାକୁ ବାଧ୍ୟ ହେଲି ପଦବାବୁଙ୍କ ଗାଡ଼ିରେ l କଳା ବାଦଲ ଭିତରେ ବିଜୁଳିର ଚମକ ସାଙ୍ଗକୁ ମଝିରେ ମଝିରେ ଘଡଘଡ଼ିର ଆୱାଜ l ବୃଷ୍ଟିପାତ ହେଇ ନଥାଏ l ମତେ ଆହୁରି ଚାଲିବାକୁ ପଡ଼ିବ ପାଞ୍ଚ କିଲୋମିଟର ବାଟ l ଯଦି ବର୍ଷା ହୁଏ ଆଉ ମୁଁ ଆଗକୁ ମାଡ଼ି ଚାଲେ ବୋଧହୁଏ ମୋତେ ପୁରାପୁରି ପଡ଼ିପାରେ ବର୍ଷାରେ ଗାଧେଇବାକୁ l କାରଣ ମୁଁ ସେଦିନ ନେଇ ନଥିଲି ବର୍ଷାତି କୋଟ l ବାଟରେ ମୋ ମାଉସୀ ଘର ଗାଁ ଛେଳିଆଗଡ଼ l ସେ ମୋ ମଝିଆଁ ମାଉସୀ କୁନ୍ତଳା କୁମାରୀ ଆଚାର୍ଯ୍ୟ l ଯଦି ତାଙ୍କ ଘରେ ରହିଯାଏ ତେବେ କ୍ଷତି କଣ?
ଭାବନାର ଖିଅ ମନ ଭିତରେ ନଛିଣ୍ଡୁଣୁ ଆରମ୍ଭ ହେଇଗଲା ବରକୋଳିଆ ବର୍ଷା ଠୋପାର ଧୀର ମନ୍ଥର ବର୍ଷଣ l ଦେହ ମଧ୍ୟରେ ଉଦ୍ଦାମ ଯୌବନର ତରଙ୍ଗ l ମନ ଭିତରେ ଗାଁ ପରିବେଶର ଆକର୍ଷଣ l ଛାଏଁ ଛାଏଁ ମୋ ପାଦ ରୋକି ଗଲା କୁନ୍ତଳୀ ମାଉସୀଙ୍କ ଦୁଆର ବନ୍ଧ ପାଖରେ l କବାଟ ଠକ୍ ଠକ୍ କଲି l ଭିତରୁ ଶୁଭିଲା ମାଉସୀଙ୍କ କୋମଳ ସ୍ୱର, " କିଏ ଡାକୁଛ " କବାଟ ବାହାରୁ ଉତ୍ତର ଦେଲି, " ମୁଁ ସୁନା ନାନୀ ପୁଅ ଗନୁ l କବାଟ ଖୋଲ l ବର୍ଷା ଆରମ୍ଭ ହେଇ ଗଲାଣି l ଓଦା ହେଇଯିବି l " " ହଉ ଖୋଲୁଛି କବାଟ ପାଖକୁ ଲାଗିଆ l ଓଦା ହବୁନି ପୁଅ l ଦୁଇ ଦିନ ପୂର୍ବରୁ ଆମ ସାମ୍ନା କିଆ ବୁଦାରେ ଗୋଟାଏ ମର୍ଡର କେଷ୍ ହେଇଛି l ପୋଲିସ୍ ତନାଘନା କରୁଛି ରେ ପୁଅ ଆଉ କଣ କରିବା" ଏମିତି କହି କହି ମାଉସୀ ଖୋଲି ଦେଲେ କବାଟର କିଳିଣି l ମୁଁ ଭିତରେ ପଶିବା ପରେ ପୁଣି ବନ୍ଦ କରିଦେଲେ କବାଟ l ମୁଁ ଭକ୍ତିପୂର୍ଣ୍ଣ ମୁଣ୍ଡିଆଟିଏ ମାରିଲି ମାଉସୀଙ୍କୁ l
ସେତେବେଳକୁ ସନ୍ଧ୍ୟା ବେଳ l ମାଉସୀ ସନ୍ଧ୍ୟା ଆଳତୀ କରୁଥାନ୍ତି ଘଣ୍ଟି ବଜେଇ l କିଛି ସମୟପରେ ମଉସା ଆସି ପହଞ୍ଚିଲେ ଘରେ l ମଉସାଙ୍କୁ ମୁଣ୍ଡିଆ ମାରି ବସି ପଡ଼ିଲି ସୋଫାରେ l.ବହୁତ ଦିନ ପରେ ମଉସା ମତେ ଦେଖି ଘର ବିଷୟ ପଚାରି ବୁଝିଲେ l ମୁଁ ସବୁ କହିଲି ବୁଝେଇ l ମଉସା କହିଲେ, " ହଉ ପୁଅ ତୋର ତ କଲେଜ ଛୁଟି l ତୋ ମନ ମୁତାବକ ଏଠି ରହ l ଇଚ୍ଛା ହେଲେ ଯିବୁ l ଆମ ଗାଁରେ କାଲି ବୁଲାବୁଲି କରି ଦେଖେ l " ମୁଁ ମଉସାଙ୍କ କଥାରେ ହଁ ମାରିଲି l ତାପରେ ସେ ନିତ୍ୟକର୍ମ ସରିବାକୁ ପଶିଲେ ଲାଟ୍ରିନ୍ ରେ l ଏଣେ ସନ୍ଧ୍ୟା ଦେଇ ସାରି ମାଉସୀ ମୋ ସହିତ ଟିକେ ଦୁଃଖ ସୁଖ ହେଇ ଲାଗି ପଡ଼ିଲେ ରୋଷେଇ କର୍ମରେ l ଆମେ ରାତିର ମାଉସୀ ହାତ ତିଆରି ବିରି ଚକୁଳି ପିଠା ମାଂସ ତରକାରୀ ଖାଇ ଶୋଇଲୁ ଖଟ ଉପରେ l
ତହିଁଆର ଦିନ ମାଉସୀଙ୍କ ଝିଅ ସୁମି ତାର ମାମୁଁ ଘରୁ ତା ବଡ଼ ଭାଇ ସଙ୍ଗେ ଫେରିଲା ବସରେ l ବର୍ଷା କମି ଯାଇଥାଏ l ସୁମି ଓ ମୁଁ ପାଖ ପଡିଶା ଘରକୁ ଗଲୁ l ତାର ସ୍କୁଲ ସାଙ୍ଗ ମଣିକୁ ସେ ମୋ ସହିତ କରିଦେଲା ଚିହ୍ନା l ମଣିର ବାପା ବୋଉ ଭାରି ଅମାୟିକ ଲୋକ l ସେମାନେ ଘରେ ଥିଲେ ଓ ମତେ ଘର ଭିତରକୁ ପାଛୋଟି ନେଲେ l ମଣି ତାଙ୍କର ଗୋଟିଏ ଝିଅ l ଭାରି ଗେଲ୍ହା l ମଣିର ବୋଉ ଅରୁଆ ଅନ୍ନ ଡାଲି ଆଳୁ ଭରତା ଚୁଙ୍ଗୁଡ଼ି ଭଜା ପରସି ଦେଲେ ମୋ ପାଇଁ l ଭରପେଟ ଭୋଜନ ପରେ ପେଟ ଭାରି ହେଇ ଗଲା ରସl ଭିଡ଼ା ଖଟିଆ ଉପରେ ଟିକେ ଗଡ଼ି ପଡ଼ିଲି l ପ୍ରାୟ ଅଧ ଘଣ୍ଟା ଗଡ଼ି ଗଲା ପରେ ସାନ ପାସ କରିବାକୁ ମଣି ଘର ପଛ ପଟକୁ ଗଲି l ବାଡ଼ି ପଛ ପାଖ ଅରମା l ସାନ ପାସ୍ ସାରି ଆସିଲା ପରେ ହଠାତ୍ ମୋ ପାଦ ଘାସ ଉପରେ ମୋ ପାଦ ପଡ଼ିଗଲା ଶୋଇ ଥିବା ଗୋଟାଏ ଗୋଖର ସାପ ଉପରେ l ସାପଟା ମାରିଲା ଚୋଟ ମୋ ଗୋଡ ଉପରେ l ଆଣ୍ଠୁ ତଳେ ଖଣ୍ଡିଆ ହେଇଗଲା l ରକ୍ତ ବୋହିବାକୁ ଲାଗିଲା l ଛାନିଆରେ ମୋ ସାର୍ଟ ଓଦା ହେଲା ଗମ ଗମ ଝାଳରେ l ଦଉଡ଼ି ଯାଇ ଘର ଭିତରେ ପଶି ମଣି ର ବାପା ବୋଉଙ୍କୁ କହିଲି l ମଣି ସଙ୍ଗେ ସଙ୍ଗେ ଗୋଟାଏ କନା ଧଡ଼ି ମୋ ଆଣ୍ଠୁ ଉପରେ ଜୋର କରି ଭିଡ଼ି ଦେଲା ଆଉ ବ୍ଲେଡ ଆଣି କ୍ଷତଟି କୁ କେଞ୍ଚି କେଞ୍ଚି ଗୁଡ଼ାଏ ରକ୍ତ ବାହାର କରିଦେଲା l ମଣି ବାପା ବୋଉ ଦଉଡ଼ି ଆସି ମୋ ପିଠି ଆଉଁସି ଦେଲେ l ମଣି ବାପା ଅର୍ଥାତ ମଉସା ଡିହସାହି ସରକାରୀ ହସ୍ପିଟାଲର ଡାକ୍ତର l ତାଙ୍କ ମଟରସାଇକେଲରେ ମତେ ଓ ମଣିକୁ ବସେଇ ଡାକ୍ତରଖାନାକୁ ନେଇଯାଇ ଆଣ୍ଟି ଭେନମ ଇଞ୍ଜେକ୍ସନ ଫୋଡ଼ି ଦେଲା ପରେ ମତେ ଟିକେ ଆରାମ ଲାଗିଲା l ମୋର ଭାଗ୍ୟ ସେଦିନ ଭଲ ଥିଲା l କାରଣ ମୁଁ କରିପାରିଥିଲି ସାପକୁ ଚିହ୍ନଟ ଯେ ସେଇଟା ଗୋଖର ସାପ ବୋଲି l ନହେଲେ ସେଦିନ ମାଉସୀ ଘରେ ଯାଇଥାନ୍ତା ମୋର ପ୍ରାଣବାୟୁ ଉଡ଼ି l ବାପା ମତେ ସବୁବେଳେ କୁହନ୍ତି - ଯାହାକୁ ରଖିବେ ଅନନ୍ତ କେ କରିପାରେ ବଳବନ୍ତ l ଯାହାବି ହେଉ ମୋ ଦେହରୁ ବିଷ ପୁରାପୁରି ଯାଇଥିଲା ଓହ୍ଲେଇ l ତାପରେ ତାଙ୍କ ଗାଡ଼ିରେ ମତେ ଆଉ ମଣିକୁ ବସେଇ ଫେରି ଆସିଲେ ଘରକୁ l ମାଉସୀ କପେ ଉଷୁମ କ୍ଷୀର ମୋତେ ଦେଲେ ପିଇବାକୁ l ପିଇଲା ପରେ ମତେ ଆରାମ ଲାଗିବାରୁ ଟିକେ ସୋଫା ଉପରେ ବସି ପଡ଼ିଲି l ମଉସା ଓ ମାଉସୀଙ୍କ ବର୍ଷାତି ମାଗି ଆମେ ଦୁହେଁ ପିନ୍ଧି ପକାଇଲୁ l କାରଣ ଲାଗି ରହିଥାଏ ବର୍ଷା l ମୋତେ ତା ସ୍କୁଟିରେ ବସେଇ ସୁମି ମୋ କୁନ୍ତଳୀ ମାଉସୀଙ୍କ ଘରେ ପହଞ୍ଚେଇ ଦେଲା l
ଗୋଖର ସାପ କାମୁଡ଼ିବା ଖବର ପାଇଲା ପରେ ମାଉସୀ ମଉସା ଦୁଇଜଣ ଭାଙ୍ଗି ପଡ଼ିଥିଲେ l ମାତ୍ର ଆଣ୍ଟି ଭେନମ ନେଇ ସୁସ୍ଥ ହେଇ ଘରକୁ ଫେରିଲା ପରେ ସେମାନଙ୍କ ମୁଖମଣ୍ଡଳରେ ଭାସି ଉଠିଥିଲା ବାତ୍ସଲ୍ୟମମତାପୂର୍ଣ୍ଣ ସୁଖାଲୋକ ରେଖା l ମଉସା କହିଲେ, " ନେ ତୋ ପାଇଁ ଆଜି ମହାଦେବଙ୍କ ପାଖରେ ନଡ଼ିଆ ଭାଙ୍ଗି ତାଙ୍କ ଲିଙ୍ଗଉପରେ କ୍ଷୀର ଢାଳିଛି l ନେ ଏଇ ସେଉ ଭୋଗଟା ଖାଇ ଏ ବେଲପତ୍ର ଟିକେ ପାଇଦେ l ସବୁ ଠିକ୍ ହେଇଯିବ l "
ମଉସାଙ୍କ କଥା ମାନି ସେଇୟା କଲି l ମଉସା ଖୁସି ହେଇ ଥାପୁଡ଼େଇ ଦେଲେ ମୋ ପିଠି ଆଉ କହିଲେ,' ମଣିର ବାପାଙ୍କ ସର୍ବ କୁଶଳ କରନ୍ତୁ ବାବା ଘଟକେଶ୍ଵର l ତାଙ୍କ ପରି ଜଣେ ଉପକାରୀ ଲୋକ ଆମ ଏରିଆରେ ନାହାନ୍ତି l ଆଜି ସେ ନଥିଲେ ତୋ ମୁହଁ ଆଜି ମୁଁ ଓ ତୋ ମାଉସୀ ଜମା ଦେଖି ପାରି ନଥାନ୍ତୁ l ଧାରା ଶ୍ରାବଣ ବର୍ଷା ଲାଗି ରହିଛି l ଚାରି ପାଞ୍ଚ ଦିନ ଆମ ଘରେ ରହିଯା l ବର୍ଷା ଟିକେ କମିଲେ କଟକ ଫେରିଯିବୁ l " ମୁଁ କହିଲି, " ହଁ ମଉସା ଠିକ ଅଛି l " ମୋ ମୁହଁରୁ କଥା ନସରୁଣୁ ପହଞ୍ଚି ଗଲେ କୁନ୍ତଳୀ ମାଉସୀ ଦହି ମୁହିଁ ସାରି l
କିଛି ସମୟ ପରେ ମଣିଙ୍କ ବାପା ତାଙ୍କ କାରରେ କୁନ୍ତଳୀ ମାଉସୀଙ୍କ ଘରେ ପହଞ୍ଚିଲେ l ଘରର ଫାଟକ ପାଖରେ ଗାଡ଼ି ରଖି ହର୍ଣ୍ଣ ବଜେଲେ l କୁନ୍ତଳୀ ମାଉସୀ ଓ ରବି ମଉସା ଦୁହେଁ ଫାଟକ ଖୋଲି ମଣିର ବାପା ଘନ ବାବୁଙ୍କୁ ଘର ଭିତରକୁ ଡାକିଲେ l କିନ୍ତୁ ଘନ ବାବୁ କହିଲେ, " ନାହିଁ ଭାଇନା ମୋର କଟକରେ କାମ ଅଛି l ଡେରି ହେଇଯିବ l ଫେରିଲେ ଘରକୁ ଆସିବି l ତୁମ ଦେଢ଼ ଶାଶୁଙ୍କ ପୁଅକୁ ପଚାର ସେ ଯଦି କଟକ ଯିବ ମୋ ସାଙ୍ଗେ ଆସୁ l ତାକୁ ଘରେ ଛାଡ଼ି ଦେବି l " ମଉସା କହିଲେ, "ହଉ " l ସେମାନଙ୍କ କଥା ବାର୍ତ୍ତା ସବୁ ଶୁଣିଲି l ବାହାରେ ଭୀଷଣ ବର୍ଷା ଲାଗି ରହିଥାଏ l ବିରାଡ଼ି କପାଳକୁ ସିକା ଛିଣ୍ଡିଲା ପରି ମତେ ଲାଗିଲା l ଯାହା ହଉ ମୋ ଭାଗ୍ୟ ଭଲ l ବର୍ଷା ଆଉ କାଦୁଅ ରାସ୍ତା ମୋ ପାଇଁ ଆଉ କୌଣସି ଅସୁବିଧା ସୃଷ୍ଟି କରି ପାରିବନି l ମୁଁ ଆରାମରେ କଟକରେ ପହଞ୍ଚି ଯିବି l ମୁଁ ଆଉ ଡେରି ନକରି ମୋ ବେଡିଙ୍ଗ ପତ୍ର ରେଡି କରି ଆଉ ରବି ମଉସା ଓ କୁନ୍ତଳୀମାଉସୀଙ୍କୁ ମୁଣ୍ଡିଆ ମାରି ମଣି ବାପା ଘନ ମଉସାଙ୍କ କାରରେ ବସି ପଡ଼ିଲି l ଢୁ ଢୁ ବର୍ଷାରେ ଗାଡ଼ି ଆଗକୁ ଗଡ଼ି ଚାଲିଲା l ମୁଁ ଭାବିଲି ମାଉସୀ ମଉସା ମୋତେ ଆଉ ଚାରି ଦିନ ରହିବାକୁ କହୁଥିଲେ l କିନ୍ତୁ ଈଶ୍ବର ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ l ଯାହାହେଇ ଘନ ମଉସା ମୋ ପାଇଁ ଭଗବାନଙ୍କ ପ୍ରତିନିଧି l ଚାହୁଁ ଚାହୁଁ ଗାଡ଼ି ପହଞ୍ଚିଗଲା ହାଇକୋର୍ଟ ଛକ ପାଖରେ l ଆମ ଘର ସେଠୁ ଡାକେ ବାଟ l ମଉସାଙ୍କୁ ଡାକିଲି ଆମ ଘରକୁ l କିନ୍ତୁ ଜରୁରୀ କାମ ଥିବାରୁ ମଉସା ମନା କଲେ ଆଉ ଆଉଥରେ କଟକ ଆସିଲେ ଆମ ଘରକୁ ଆସିବାକୁ କହିଲେ l ତାପରେ ମୁଁ ଆମ ଘର ଦୁଆର ମୁହଁ ପାଖରେ ପହଞ୍ଚିଲି ବର୍ଷାରେ ଜୁଡ଼ୁ ବୁଡ଼ୁ ହେଇ l ଝିଞ୍ଜିର ବାଡେ଼ଇଲା ପରେ ମା କବାଟ ଖୋଲିଲା ଆଉ ମୁଁ ପଶିଲି ଘର ଭିତରେ l
