ସ୍ମୃତି ଓ ମିଛ
ସ୍ମୃତି ଓ ମିଛ
ଦେହରେ ମନରେ ମୃଦୁ ଶିହରଣ ଆଣି ଦେଉଥିଲା ଫଗୁଣ ପବନ।ହଠାତ୍ ସେତିକିବେଳେ ମୋର ମନେପଡ଼ିଲା ପ୍ରୀତି।ସେ ମନେ ପଡ଼ିବାରୁ ତା'ର ସୁନ୍ଦର କଥାକୁହା ଆଖି ଯୋଡ଼ିକ ମୋ ଆଖି ଆଗରେ ଦିଶିଗଲା।
ଦିନେ ତା'ର ସେହି ସୁନ୍ଦର କଥାକୁହା ଆଖି ମୋତେ ତା' ଆଡ଼କୁ ଟାଣିଥିଲା,ତାକୁ ଚିହ୍ନେଇଥିଲା ଓ ଜଣେଇଥିଲା।ହଁ,ଅଚିହ୍ନା, ଅପରିଚିତ ଗୋଟେ ଝିଅ ପ୍ରତି ତାହା ହିଁ ଥିଲା ମୋର ପ୍ରଥମ ଦୁର୍ବଳତା।
ଦିନ ଦିନ ଧରି ମୁଁ ତାକୁ ଅନୁଭବିଲି।ମୋ ଭିତରେ ତା' ପ୍ରତି ଆବେଗ ବୃଦ୍ଧି ପାଇଲା।ଏମିତି ଭାବନା ଓ ସମ୍ମୋହନ ମୋତେ ସେ ଦେଲା ଯେ ଆକାଶକୁ ମୁଁ ତା' ଠାରୁ ଛୋଟ ମନେ କରିବାକୁ ଲାଗିଲି।
ପ୍ରଥମେ ଟିକେ ଡର ଥିଲା।ମୁଁ ତାକୁ ମୋର ବୋଲି କହିପାରୁ ନ ଥିଲି।ପରେ ମୋର ସେ ଡର କୁଆଡ଼େ ଚାଲିଗଲା।ମୁଁ ତାକୁ ମୋର ବୋଲି କହିପାରିଲି।କହିପାରିଲି - ପ୍ରୀତି!ଆଇ ଲଭ୍ ୟୁ।
ଏହାପରେ ତା'ର ପସନ୍ଦ ହିଁ ଥିଲା ମୋର ପସନ୍ଦ।ମୁଁ ସବୁବେଳେ ତା' ପସନ୍ଦର ସମୟ ବିତେଇବାକୁ ପସନ୍ଦ କରୁଥିଲି।ଆମେ ଦୁହେଁ ସାଥି ହୋଇ ଅନେକ ପସନ୍ଦର ସମୟ ବିତାଉଥିଲୁ।
ପାଇଥିଲି ମନ,ପାଇଲି ହୃଦୟ ଏବଂ ଶେଷରେ ମୋତେ ମିଳିଲା ତା'ର ସୁନ୍ଦର ଫୁଲ ପରି ଦେହ।ମୋ ପାଇଁ ସେ ତା' ନିଜକୁ ସବୁବେଳେ ସଜାଡ଼ି ରଖୁଥିଲା।ପ୍ରତି ମୁହୂର୍ତ୍ତରେ ସେ ମୋର ହୋଇ ରହୁଥିଲା।ତା' ସହିତ ମୋର ସମୟକୁ ଆଦୌ ଅର୍ଥହୀନ କରିଦେଉ ନ ଥିଲା ସେ।
ସେ ମୋ ଜୀବନକୁ ଆସିବା ପରେ ମୁଁ ଜାଣି ପାରୁଥିଲି ଦିନର ରଙ୍ଗରେ କେତେ ଆଲୋକ ଅଛି, ରାତିର ରଙ୍ଗରେ କେତେ ଅନ୍ଧାର ଅଛି।ଦିନ ବିତୁଥିଲା ତା' ସହିତ ଓ ଦିନେ ଦିନେ ରାତିରେ ମୋ ନିଦ ତାକୁ ଖୋଜିବାକୁ ଅସ୍ତବ୍ୟସ୍ତ ହୋଇ ବାହାରି ଯାଉଥିଲା।ଆଉ ଫେରୁ ନ ଥିଲା।
ମୋ ଜୀବନ ଆଉ ମାମୁଲି ଜୀବନ ହୋଇ ନ ଥିଲା।ଦିନରେ ମୋତେ ପଲ୍ଲବିତ କରି ଦେଉଥିଲା ସେ।ରାତିରେ ତା' ପାଇଁ କାମିନୀଫୁଲର ବାସ୍ନାରେ ବାସ୍ନାୟିତ ହୋଇ ରହୁଥିଲା ମୋ ପ୍ରେମର ପୃଥିବୀ।
ମୋ ପାଇଁ ସତେ ଖୁବ୍ ଲୋଭନୀୟ ଥିଲା ସେ।ଗୋଟେ ସ୍ବର୍ଗୀୟ ସୁଖର ଭ୍ରମ!ତାକୁ ପାଇବାକୁ ମୋର ଶୋଷ ବଢ଼ିବାରେ ଲାଗିଥିଲା।ଶୋଷ ଯେତିକି ବଢୁଥିଲା ପାଦ ସେତିକି ଧାଉଁଥିଲା ତା' ଆଡ଼କୁ।
ହଠାତ୍ ଦିନେ ତାକୁ ଆଉ ଜଣକ ସହିତ ଦେଖିଲି।ସେ ଆଉ ମୋର ହୋଇ ନ ଥିଲା।ମୁଁ ଥକିପଡ଼ିଲି।ଝୁଣ୍ଟିପଡ଼ିଲି।ଭଙ୍ଗା ମନ।ଭଙ୍ଗା ଦେହ।ମୋର ମନେହେଲା ଯେମିତି ଦଲକାଏ ଝାଞ୍ଜି ମୋ ଆଶାକୁ ପୋଡ଼ି ଜାଳି ପାଉଁଶ କରିଦେଇଛି।
ଏ ଘଟଣାର ଦିନ କେତେଟା ପରେ ମୁଁ ରଞ୍ଜିତାକୁ ବିବାହ କଲି।ହେଲେ ଅନେକ ସମୟରେ ମୁଁ ବସି ବସି ତା' କଥା ହିଁ ଭାବୁଥିଲି।ତା' ସହିତ ବିତାଇଥିବା ଦିନଗୁଡ଼ିକର ସ୍ମୃତି ମୋ ପାଇଁ ଏତେ ସୁନ୍ଦର ଥିଲା ଯେ ଭାବି ଖୁସି ହେଉଥିଲି ମୁଁ।କିଛି ସମୟ ପାଇଁ ମୋ ମନ,ପ୍ରାଣ କୁଆଡ଼େ ନିଖୋଜ ହୋଇ ଯାଉଥିଲେ।
- ' କ'ଣ ଏତେ ବସି ବସି ଭାବୁଛ ଯେ?ଆସ ସାଙ୍ଗ ହୋଇ ବସି ଚା' ପିଇବା। '
ରଞ୍ଜିତାର ଏଇ ସ୍ବର ମତେ ଚମକାଇ ଦେଲା।ମୁଁ ପ୍ରକୃତିସ୍ଥ ହୋଇ ତାଙ୍କୁ ଚାହିଁଲି।ସ୍ଵପ୍ନ ଝଲମଲ ଚେନାଏ ଆକାଶ ପରି ମୋ ଆଗରେ ଠିଆ ହୋଇଥିଲେ ସେ।ତାଙ୍କୁ କହିଲି - ' ମୁଁ ତୁମରି କଥା ଇ ଭାବୁଥିଲି।ଚିହ୍ନା ଜଣା ନ ଥିଲା।ମୋ ଜୀବନକୁ ତୁମେ ଆସିଲ।ଏବେ ତ ମୁଁ ଓ ମୋ ଜୀବନ ପୂରାପୂରି ତୁମ ଦଖଲରେ।ଏତେ ଆତ୍ମୀୟତା, ଏତେ ସୌଭାଗ୍ୟ ସମସ୍ତଙ୍କ ଭାଗ୍ୟରେ ଜୁଟେନି,ରଞ୍ଜିତା। '
ମୋ କଥା ତାଙ୍କୁ ଖୁସି ଦେଲା।ସେ ଖୁସି ଦିଶିଲେ ଓ ହସିଲେ।
ସ୍ମୃତି ପରି ମିଛ ବି ଏତେ ସୁନ୍ଦର ହୋଇପାରେ!ପ୍ରଥମଥର ପାଇଁ ବୁଝିଲି।