STORYMIRROR

Aliva Lenka

Drama Tragedy Classics

3  

Aliva Lenka

Drama Tragedy Classics

ସମ୍ମାନ ଓ ସାହସ ର ଶୃଙ୍ଗାର

ସମ୍ମାନ ଓ ସାହସ ର ଶୃଙ୍ଗାର

6 mins
220

ଶ୍ରେଣୀ ଗୃହ ମଧ୍ୟ ରେ ଏତେ ଜୋରସେ ପିଲା ମାନେ ହୋ ହାଲ୍ଲା କରୁଥିଲେ ଯେ, ସ୍କୁଲ ର ଗେଟ ଯାଏଁ ଶୁଭୁଥିଲା. ପ୍ରଧାନଶିକ୍ଷକ ଆସି ପଚାରିଲେ "ଆରେ ଏତେ କଣ ପାଟି କରୁଛ କିରେ ?ଏବେ ତୁମ ମାନଙ୍କର କଣ ଅଛି?"

"ଡାନ୍ସ କ୍ଲାସ ସାର " ସମସ୍ତେ ଏକା ସ୍ୱର ତାଳ ରେ କହିଲେ. ସେଇ ସମୟ ରେ ମୁଁ ଯାଇ ପହଂଚି ଗଲି.

"ନମସ୍କାର ସାର,ଆଜି ଅଟୋ ରେ ଆସୁ ଆସୁ ଡେରି ହେଇଗଲା ଟିକେ

ସେ କହିଲେ "ହଁ ହଁ କିଛି ନାହିଁ, ୟେ ସବୁ ବିଛୁଆତି ପିଲା ଯେ ଶିକ୍ଷକ ନାହାନ୍ତି ବୋଲି ପୁରା ସ୍କୁଲ କୁ ଉଠାଉଛନ୍ତି ପକାଉଛନ୍ତି ".

ଏତିକି କହି ସେ ଚାଲିଗଲେ ନିଜ କକ୍ଷ କୁ.

ମୋତେ ଦେଖି ସବୁ ପିଲା ଭାରି ଖୁସ. ନାଚ ଶିଖିବେ ଆଉ. ଆଜି ପୁଣି ନୂଆ ଗୀତ ରେ ନାଚ ଶିଖିବେ ସେ ପାଇଁ ଟିକେ ଅଧିକା ଖୁସି।


ମୁଁ ଏଇ ସ୍କୁଲ ରେ ଗତ ଚାରି ବର୍ଷ ହେଲା ନାଚ ଶିଖେଇ ଆସୁଛି. ସବୁ ଶୁକ୍ରବାର ଓ ଶନିବାର ଦିନ ଆସେ ମୁଁ ଏଠିକୁ . ମୁଁ ଜଣେ ଓଡିଶୀ ନୃତ୍ୟ ଶିଳ୍ପୀ ଓ ଓଡିଶୀ ନୃତ୍ୟ ରେ ମୁଁ ସ୍ନାତ୍ତକୋତର କରିଛି.


ସେଦିନ ମୁଁ ଯେତେବେଳେ ନାଚ ଶିଖେଇବା ଆରମ୍ଭ କରିଲି, ଦେଖିଲି ଜଣେ ନୂଆ ପିଲା ଟେ ବି ଗ୍ରୁପ ରେ ମିଶିଛି. ମୁଁ ତାକୁ ପାଖ କୁ ଡାକି ପଚାରିଲି "ତୁମ ନାଁ କଣ? ଆଉ କେଉଁ ଶ୍ରେଣୀ ତୁମର ?"

ସେ ଧୀରେ ସେ କହିଲା, ଡରିଗଲା ବୋଧେ. "ମୋ ନାଁ ସ୍ୱସ୍ତିକା ଆଚାର୍ଯ୍ୟ, ଆଉ ମୁଁ କ୍ଲାସ୍ ଥ୍ରୀ ରେ ପଢ଼େ ".

ମୁଁ ତାକୁ ହସି ହସି କହିଲି ଡ଼ରୁଛ କାହିଁକି, ନୂଆ ଆସିଛ ଏଠିକୁ? ସେ କହିଲା ହଁ

"ତୁମ କୁ ନାଚ ଭଲ ଲାଗେ ? ମୁଁ ତା ହାତ କୁ ଧରି ପଚାରିଲି ତ ସେ ପୁରା ଖୁସି ରେ କହିଲା "ହଁ ବହୁତ".

ତାପରେ ମୁଁ ମୋ କ୍ଲାସ୍ ଆରମ୍ଭ କଲି.

ସ୍କୁଲ ଛୁଟି ସମୟ ରେ ସବୁ ଅଭିଭାବକ ଆସି ଗେଟ ପାଖ ରେ.

ଛୁଟି ଛୁଟି କହି ସବୁ ଦୌଡିଲେ, କାନ୍ଧ ରେ ନିଜ ଠୁଁ ଅଧିକା ଓଜନ ର ବ୍ୟାଗ, ପାଣି ବୋତଲ, ଟିଫିନ.... ସବୁ କୁ ଧରି ସମସ୍ତେ ଯାଇ ଯିଏ ଯାହା ମା ବାପା ଙ୍କ ଠି ହାଜର.

ମୋ କ୍ଲାସ୍ ସବୁ ସମୟ ରେ ଶେଷ ରେ ଥାଏ ସେ ପାଇଁ ମୁଁ ବି ପିଲା ଙ୍କ ପଛେ ପଛେ ଚାଲି ଥାଏ.

କିଏ ଜଣେ ଆସି ମୋ ହାତ କୁ ଧରି କହିଲା bye miss.

ମୁଁ ଦେଖିଲି ତ ସେ ସ୍ୱସ୍ତିକା ହିଁ ଥିଲା.

ସେ ଦୌଡ଼ି ଦୌଡ଼ି ଯାଇ ପହଁଚିଲା ଗୋଟେ ସ୍କୁଟି ପାଖରେ.

ସେ ବୋଧେ ତା ମାଆ ଥିଲେ. କିନ୍ତୁ ତାଙ୍କୁ ଦେଖିଲେ ଲାଗୁଥିଲା ଯେମିତି ଏଇ କିଛି ଦିନ ହବ ନୂଆ ବାହାଘର ହେଇଛି.

 ଯେମିତି କି ହାତ ରେ ନାଲି ସୁନେଲି ରଙ୍ଗ ର ବହୁତ ସାରା ଚୁଡ଼ି, କାନ ରେ ସୁନ୍ଦର ସୁନ୍ଦର ବଡ଼ ବଡ଼ କାନ ଫୁଲ, ହାତ ରେ ମେହେନ୍ଦି,ପାଦ ରେ ଅଳତା,ଆଖି ରେ କଳା ଆଉ ପୁରା ଚିକମିକ କରୁଥିବା ନାଲି ରଙ୍ଗ ର ଶାଢ଼ୀ ଏମିତି ବହୁତ କିଛି. ପୁରା ପୁରି ନୂଆ ନୂଆ ବାହା ହେଇଥିବା ବୋହୂ ଯେପରି.

ମୋର ସେପଟେ ସମୟ ହେଇ ଯାଉଥିଲା ତ ମୁଁ ଆଉ ବେଶି ଧ୍ୟାନ ନ ଦେଇ ମୋ ରାସ୍ତା ରେ ଚାଲି ଆସିଲି ।ପୁଣି ଆସନ୍ତା ସପ୍ତାହ ରେ ଗଲି. ସେମିତି ଫେରୁ ଫେରୁ ଦେଖିଲି ସ୍ୱସ୍ତିକା ର ମାଆ ଙ୍କୁ ସେମିତି ସଜ ବାଜ ରେ ଥାନ୍ତି.ସବୁ କିଛି ସେମିତି ମେହେନ୍ଦି, ଅଳତା, କାନ ଫୁଲ, ପାଉଁଜି ସବୁ କିଛି ।ମୁଁ ଭାବିଲି ସଜ ହବା ବୋଧେ ତାଙ୍କର ଅତି ପ୍ରିୟ. କିନ୍ତୁ ହଁ ସେ ଏଇ ସବୁ ରେ ବହୁତ ସୁନ୍ଦର ବି ଲାଗୁଥାନ୍ତି ।ତାଙ୍କ ସଜ ହେବା କୁ ନେଇ ଅନ୍ୟ ଅବିଭାବକ ମାନେ ବିଶେଷ କରି ଅନ୍ୟ ପିଲା ଙ୍କର ମାଆ ଓ ଅନ୍ୟ ଶିକ୍ଷୟତ୍ରୀ ମାନଙ୍କ ଭିତରେ ରେ କଥା ବାର୍ତ୍ତା ଚାଲିଥାଏ ।


ଏମିତି ମଝିରେ ଗୋଟେ ଦିନ ମୁଁ ସ୍କୁଲ ରେ ପହଂଚିବା ସମୟ ରେ ଦେଖିଲି ସ୍ୱସ୍ତିକା ର ମାଆ, ପ୍ରଧାନଶିକ୍ଷକ ଙ୍କ କକ୍ଷ ବାହାରି ଆସୁଥିଲେ ।ମୋତେ ଦେଖି ନମସ୍କାର ହେଲେ. ମୁଁ ବି କହିଲି ନମସ୍କାର. ସେଦିନ ମୁଁ ତାଙ୍କୁ ପାଖ ରୁ ଦେଖିଲି. ମୋତେ ସେ ବହୁତ ସୁନ୍ଦର ଲାଗୁଥିଲେ । ଏତେ ସାରା ସଜବାଜ ରେ ହିଁ ବେଶି ସୁନ୍ଦର ଲାଗୁଥିଲେ. ତାଙ୍କ ମୁହଁ ରେ ଏକ ଖୁସି ଥିଲା, ଆତ୍ମତୃପ୍ତି ର ହସ ଯେମିତି ।ମୁଁ ତାଙ୍କୁ ସେଦିନ କହିଥିଲି "ଆପଣଙ୍କୁ ସଜ ହେବା ବହୁତ ପସନ୍ଦ ବୋଧେ, କିନ୍ତୁ ହଁ ଆପଣ ସବୁ ସମୟ ରେ ସୁନ୍ଦର ଲାଗନ୍ତି ବି ।

ସେ ହସିଥିଲେ ଖାଲି କିଛି କହି ନଥିଲେ. ପରେ ମୋତେ କହିଲେ "ଝିଅ ଆପଣଂକର ବହୁତ ପ୍ରଶଂସା କରେ, ଆପଣ ଙ୍କ କ୍ଲାସ୍ ବି ତାର ସବୁଠୁ ପ୍ରିୟ. "।ମୁଁ ହସିଲି ଆଉ କହିଲି "ସେ ବି ବଢିଆ ନାଚୁଛି, ଏଥର ବାର୍ଷିକ ଉତ୍ସବ ରେ ଗୋଟେ ଦେଶାତ୍ମବୋଧକ ଗୀତ ରେ ତାକୁ ମୁଁ ମୁଖ୍ୟ ଚରିତ୍ର ଦେବି ଯେ "।ସେ କିଛି ସମୟ ଚୁପ ରହିଗଲେ ଆଉ କହିଲେ "ତା ହେଲେ ତ ସେ ସବୁଠୁ ଭଲ କରିବ"। ମୁଁ ତାଙ୍କର ନୀରବତା କୁ ବୁଝିପାରିଲିନି.

ମୁଁ ହଁ କହି ଚାଲି ଆସିଲି ।


ଆସନ୍ତା ସପ୍ତାହ ରେ ମୁଁ ସ୍କୁଲ ଯାଇପାରିଲିନି କିଛି ଜରୁରୀ କାମ ପାଇଁ. ତାପରେ ସ୍କୁଲ ଗଲି ତ ସ୍ୱସ୍ତିକା ସେଦିନ ଆସିନଥିଲା. ତା ପର ଦିନ ବି ସେ ଆସିଲାନି। ଏମିତି କିଛି କ୍ଲାସ୍ ରେ ସେ ଆଉ ଆସିଲାନି, ସେ ପାଇଁ ମୁଁ ତା ସାଙ୍ଗ ମାନଙ୍କୁ ପଚାରିଲି ତ ସେମାନେ କହିଲେ ସେ ବୋଧେ ଗାଁ ଯାଇଥିବ । ଯେହେତୁ ସେ ନୂଆ ନୂଆ ଆସିଥାଏ, ସମସ୍ତେ ଏତେ ତା ବିଷୟ ରେ ଜାଣି ନଥାନ୍ତି.

ମୁଁ ବି ବ୍ୟସ୍ତ ରେ ତା କଥା ଭୁଲିଯାଇଥିଲି ।


କିଛି ଦିନ ପରେ ସ୍ୱସ୍ତିକା ଆସିଲା , କିନ୍ତୁ ସେ ବହୁତ ଚୁପ ଚାପ ଥାଏ ।ସେଦିନ ସେ ନାଚ କ୍ଲାସ୍ ରେ ଥାଏ ସତ କିନ୍ତୁ ତା ମନ ସେଠି ନଥାଏ. କ୍ଲାସ୍ ସରିଲା ପରେ ମୁଁ ତା ସହ କଥା ହବା ପାଇଁ ଚାହୁଁଥିଲି, କିନ୍ତୁ ସେ ଆଗ ରୁ ହିଁ ବାହାର କୁ ପଳେଇଥିଲା ।ମୁଁ ଯାଇ ଯେବେ ତାକୁ ଓ ତା ମାଆ ଙ୍କୁ ଅନେଇଲି, ମୁଁ ମୋ ଆଖି କୁ ବିଶ୍ୱାସ କରିପାରିଲିନି । ଲାଗିଲା ଏମିତି ଯେପରି ଗୋଟେ ସୁନ୍ଦର ବଗିଚା ରେ ନିଆଁ ଲାଗି ଯାଇଛି । ମୋ ଚାରି ପାଖ ଦୁନିଆ ଅନ୍ଧାର ଦେଖା ଗଲା, କ'ଣ କରିବି ନା କହିବି!

ନା କିଛି ଶବ୍ଦ ଥାଏ ମୋ ମୁହଁ ରେ ମୁଁ ୟେ କଣ ଦେଖୁଛି ।ସ୍ୱସ୍ତିକା ର ମାଆ ଙ୍କର ୟେ କି ରୂପ ?

ମୁଣ୍ଡରେ ନାହିଁ ସିନ୍ଦୁର କି ହାତ ରେ ନାହିଁ ଆଉ ନାଲି ଚୁଡ଼ି, ସାଧା ରଙ୍ଗ ର ଶାଢ଼ୀ, କାନ ରେ କି ବେକ ରେ କିଛି ନାହିଁ ।ମୁଁ ତାଙ୍କ ପାଖ କୁ ଗଲି, ମୋତେ ଦେଖି ସେ ଟିକେ ରହିଗଲେ ତାପରେ ନମସ୍କାର କରିଲେ । ମୁଁ ତାଙ୍କ ଆଖି କୁ ଅନେଇଲି କଜଳ ନଥିଲା ସତ କିନ୍ତୁ କିଛି ଗୋଟେ ଅଲଗା ଥିଲା ସେ ଆଖି ରେ. ସାହସ ନା ଆତ୍ମ ବିଶ୍ୱାସ ନା ଗର୍ବ ମୁଁ ଠିକ ସେ ବୁଝିପାରିଲିନି।ତାଙ୍କୁ ପଚାରିଲି "ମ୍ୟାମ ଏମିତି କଣ ସବୁ ହେଇଗଲା, କେବେ ହେଲା ଆଉ କେମିତି?ସେ କହିଲେ " ସ୍ୱସ୍ତିକା ର ବାପା ଆର୍ମି ରେ ଥିଲେ,ମେଜର ବିଭୂଭୂଷଣ ଆଚାର୍ଯ୍ୟ. ଏବେ ଯଉ ଆକ୍ରମଣ ହେଇଥିଲା କାଶ୍ମୀର ରେ ସେଥିରେ ସେ ସହୀଦ ହେଇଗଲେ. " ଏତିକି ବାକ୍ୟ କୁ ସେ ଏତେ ସାହସ ଆଉ ଗର୍ବ ରେ କହିଲେ କି ମୋ ମୁଣ୍ଡ ତଳ କୁ ନଇଁ ଗଲା.

ମୁଁ କଣ କହିବି ଜାଣି ପାରିଲିନି. ଏଇଟା ହିଁ ଜୀବନ, ନା ନା ଏଇଟା ହିଁ ଭାଗ୍ୟ ନା ମଣିଷ ମାନେ ମୃତ୍ୟୁ ସୁନିଶ୍ଚିତ, ନା କହିବି ତାଙ୍କ ସାହସ ପାଇଁ ଆପଣ ଗର୍ବିତ ହୁଅନ୍ତୁ...


ମୁଁ କିଛି କହିବା ଆଗରୁ ହିଁ ସେ କହିଲେ ।


"ମୁଁ ଜାଣିଥିଲି, ସେ ନିଜ ଦେଶ ପାଇଁ ସେଠି କୁ ଯାଇଛନ୍ତି. ସେ ଯେଉଁ ସାହସ ର ସହ ଯାଇଥିଲେ ମୁଁ ସେଇ ସାହସ ର ସହ ଏଇଠି ଝିଅ ସହ ଥିଲି. ମୁଁ ସବୁଦିନ ରାତିରେ ଯେବେ ଶୁଏ, ଜାଣି ନଥାଏ କାଲି ତାଙ୍କ ସହ କଥା ହେଇପାରିବି କି ନା ।ଯେବେ ବି ଆଇନା ଦେଖେ ସିନ୍ଦୁର ଲଗାଏ ନିଜ କୁ ପ୍ରଶ୍ନ କରେ କି ଆଉ ଏଇ ସିନ୍ଦୁର ମୋ ମୁଣ୍ଡ ରେ ଲାଗିବ ତ ? ସେପାଇଁ ସବୁଦିନ ନିଜ କୁ ଭଲ ସଜାଇ ରଖୁଥାଏ କି କିଏ ଜାଣେ କେତେବେଳେ ଏଇସବୁ ଆଉ ମୋ ପାଖେ ନଥିବ ।ସେଦିନ ଆପଣ ମୋତେ ପଚାରି ଥିଲେ ନା କି ସଜ ହେବା ମୋତେ ବୋଧେ ବହୁତ ପସନ୍ଦ. ସତ କଥା ହେଲା କି ମୁଁ ସବୁଦିନ ନିଜ କୁ ତାଙ୍କ ପାଇଁ ସଜଉଥିଲି ।ଆଉ ସେ ଦିନ ଆସିବନି. ଆଉ ଏବେ ମୁଁ ତାଙ୍କ ପାଇଁ ବଞ୍ଚୁଛି, ଯେତିକି ସମ୍ମାନ ସାହସ ଆଉ ଗର୍ବ ରେ ସେ ମୋତେ ସଜେଇଛନ୍ତି ସେତିକି ମୋ ପାଇଁ ଯଥେଷ୍ଟ"।ମୁଁ ଖାଲି ହଁ ଟିଏ ଭରି ତାଙ୍କୁ ଅନେଇଥିଲି. ସେତିକି ବେଳେ ସ୍ୱସ୍ତିକା ଆସି କହିଲା "ମିସ ମୋତେ ଆପଣ ବାର୍ଷିକ ଉତ୍ସବ ର ସେ ଦେଶାତ୍ମାବୋଧ ଗୀତ ରେ ପୁଣି ମିସେଇବେ ତ?ଏବେ ମୁଁ ଆଉ ସ୍କୁଲ ବନ୍ଦ କରିବିନି ".

ମୁଁ ତାକୁ ଚାହିଁ କହିଲି "ସେ ଗୀତ ରେ ତୁ ହିଁ ମୁଖ୍ୟ ଭୂମିକା ରେ ରହିବୁ ହେଲା".ତାପରେ ସେ ମାଆ ଝିଅ ନିଜ ଘର କୁ ଗଲେ ।ଆଉ ମୁଁ ଫେରିଆସିଲି ମୋ ରାସ୍ତା ରେ ସେ ଦୁଇ ଜଣ ଙ୍କ ପାଇଁ ମନ ରେ ଅମାପ ପ୍ରେମ, ସମ୍ମାନ ରଖି ।


ସେଦିନ ରାତି ସାରା ମୁଁ ଭାବୁଥିଲି. ମୋର କଣ ଏତିକି ସାହସ ଅଛି?ନିଜର ଅତି ପ୍ରିୟ ମଣିଷ କୁ ସବୁଦିନ ହରେଇଦେବା ର ଭୟ କୁ ନେଇ ବଞ୍ଚି ପାରିବି ?


ଆଉ ଯେଉଁମାନେ ଭାରତ ର ସୀମା ଉପରେ ସହୀଦ ହେଇଯାଉଛନ୍ତି, ସେମାନେ ଏତେ ସାହସ କଉଠୁ ଆଣନ୍ତି ?ନିଜ ମାଆ, ବାପା, ଭାଇ ଭଉଣୀ, ସ୍ତ୍ରୀ, ପିଲା ସମସ୍ତଙ୍କୁ ଏକ ଅଜଣା ଭୟ ରେ ଛାଡି କେମିତି ଚାଲିଯାନ୍ତି ନିଜର ଦେଶ ପାଇଁ ବଳିଦାନ ଦେବାକୁ?ଏତିକି ସାହସ ଆଉ ଆତ୍ମ ବିଶ୍ୱାସ କଣ ସାଧାରଣ ମଣିଷ ଭିତରେ ଆସିପାରିବ ?



Rate this content
Log in

Similar oriya story from Drama