STORYMIRROR

Aliva Lenka

Drama Tragedy Classics

3  

Aliva Lenka

Drama Tragedy Classics

ଅନନ୍ୟା

ଅନନ୍ୟା

3 mins
503

ସକାଳ ଠୁ ସନ୍ଧ୍ୟା ହେବା କୁ ହେଲାଣି ଅଥଚ ସାତ୍ଵିକ ର ଗୋଡ଼ ତଳେ ଲାଗୁନି. କେତେ କଣ କାମ କରିଚାଲିଛି ସେ. କାଲି ରାତି ଠୁ ତାକୁ ଆଉ ନିଦ ନାଇଁ ଯେ. ଘର ସଜେଇବା, ରାତି ପାଇଁ ସ୍ପେସିଆଲ ଖାଇବା ଅର୍ଡର ଦେବା, ସବୁ ଜିନିଷ ସବୁଠି ଠିକ ସେ ରଖିବା, ଆଲମାରୀ ସଜେଇବା ଏମିତି କେତେ କାମ. ପ୍ରଥମେ ସାତ୍ଵିକ ଶୋଇବା ଘର ସଜେଇଲା. ନୀଳ, ଧଳା ସବୁଜ ରଙ୍ଗ ରେ ତିଆରି ସେ ଡ୍ରିମ କେଚର ଟି ନେଇ, ତାର ଓ ଅନନ୍ୟା ର ଫୋଟୋ ପାଖରେ ରେ ଝୁଲେଇଲା. ଦୂର ରୁ ସେ ଫୋଟୋ ଦେଖି ଟିକେ ହସିଲା. ଅନନ୍ୟା, ତା ଜୀବନ ର ସବୁ ଠୁ ବଡ଼ ଖୁସି ସେସେ ଝିଅ ହିଁ ସେମିତି. ସାତ୍ଵିକ ଜୀବନ ର ସବୁ ପରିବର୍ତ୍ତନ ର କାରଣ ସେ, ତା ହସ, ଦୁଃଖ, ରାଗ, ମାନ ଅଭିମାନ ସବୁ ଖାଲି ତାରି ପାଇଁ. ଆଉ ଆଜି ହେଉଛି ଅନନ୍ୟା ର ଜନ୍ମ ଦିନ. ସେ ପାଇଁ ତା ମନ ପସନ୍ଦ ର ସବୁ କିଛି କୁ ନେଇ ପ୍ରସ୍ତୁତି ଚାଲିଛି. ଫୁଲବାଲା  କୁ ବହୁତ କହିଲା ପରେ ସେ କାଗଜି ଫୁଲ ଆଣିଦେଇଛି କିଛି କଣ୍ଟା ଓ ପତ୍ର ସହ, ଅନନ୍ୟା ର ପ୍ରିୟ ଫୁଲ. ସେ ଫୁଲ କୁ ନେଇ ଫୁଲ ଦାନୀ ରେ ରଖିଲା ସାତ୍ଵିକ. କିଛି ସମୟ ଭିତରେ ଆସିଗଲା ଗୋଟେ ବଡ଼ ଆକ୍ୱାରିୟମ୍, ତା ଭିତରେ ରଙ୍ଗ ବେରଙ୍ଗ ର ପଥର, କିଛି ସବୁଜ ପ୍ଲାଷ୍ଟିକ ର ଗଛ ଓ ଛ ଟି ସୁନ୍ଦର ସୁନ୍ଦର ମାଛ. ଅନନ୍ୟା ନିହାତି ଏମାନଙ୍କ ର ନାମ କରଣ କରିଦେବ ଭାବି ସାତ୍ଵିକ ନିଜେ ନିଜେ ହସି ପକେଇଲା. ସେ ଅନନ୍ୟା କୁ କାହିଁକି ଏତେ ଭଲ ପାଏ ନିଜେ ବି ଜାଣିନି, ଅନନ୍ୟା ର ଖୁସି ହିଁ ତା ପାଇଁ ସବୁ କିଛି. ଏମିତି ଏଆଡୁ ସେୟାଡୁ ଭାବୁ ଭାବୁ ସାତ୍ଵିକ ଘଣ୍ଟା ଦେଖିଲା "ଆରେ ଆରେ ଏତେ ଟାଇମ ହେଲାଣି, ସେ କେକ ଦୋକାନୀ କାହିଁ ଆସିନି ". ଫୋନ ବାହାର କରି ନମ୍ବର ଡାଏଲ କରିଲା. ତା ଭିତରେ ଆଇସକ୍ରିମ ବି ଆସିଗଲା. ସବୁ କିଛି ଅନନ୍ୟା ପସନ୍ଦ ର.ସାତ୍ଵିକ ଭିତର କୁ ଯାଇ, ତାର ଅନନ୍ୟା ର ସବୁ ଫୋଟୋ ଆଣି ସଜେଇଲା, ବେଲୁନ, ଲାଇଟ୍ସ, ଚକୋଲେଟ ରେ ପୁରା ଟେବୁଲ ଭରପୁର ଥିଲା. ଆଉ ଅପେକ୍ଷା କରିଲା ସଂନ୍ଧ୍ୟା ହେବା କୁ.ପଶ୍ଚିମାକାଶେ ନାଲି ରଙ୍ଗ ଖେଳିବା କୁ ଲାଗିଲା, ଧୀରେ ଧୀରେ ଅନ୍ଧାର ହେଲାଣି. ଘର ଭିତରେ ଅନନ୍ୟା ର ପସନ୍ଦ ର ସବୁ ଗୀତ ବାଜୁଥାଏ. କଲିଂ ବେଲ ବାଜିଲା, ସାତ୍ଵିକ ପୁରା ଖୁସି ରେ ଯାଇ କବାଟ ଖୋଲିଲା. ସମସ୍ତେ ଆସିଥିଲେ. ସମସ୍ତଙ୍କୁ ଦେଖି ସେ ବହୁତ ଖୁସି ଥିଲା. ଘର ଟା ପୁରା ପୁରିଲା ପୁରିଲା ଲାଗିଲା ଏବେ.ଛୋଟ ଛୋଟ ଛୁଆ ଙ୍କ ହସ, ଗୀତ, ସମସ୍ତଙ୍କର କଥା ବାର୍ତ୍ତା ଦେଖି ସାତ୍ଵିକ କୁ ଲାଗିଲା ଅନନ୍ୟା ବି କେତେ ଖୁସି ଅଛି ନା, ତାକୁ ଏଇ ସବୁ ତ ପସନ୍ଦ. ଏମାନେ ସବୁ ହଉଛନ୍ତି କିଛି ଅନାଥ ଆଶ୍ରମ ର ପିଲା, ଵୃଦ୍ଧାଶ୍ରମ ର କିଛି ମଉସା ମାଉସୀ ଆଉ ପଣ୍ଡା ହସ୍ପିଟାଲ ର ସେଇ ଅନୁ ଦିଦି, ସୁଷମା ଦିଦି ଓ ସୁବ୍ରତ ଭାଇ. ଅନୁ ଦିଦି ତ ଯେବେ ଠୁ ଆସିଛନ୍ତି ଅନନ୍ୟା ର ଫୋଟୋ କୁ ହିଁ ଦେଖୁଛନ୍ତି. ଆଉ କେହି ନ ଜାଣିଲା ଭଳି ଧୀରେ କରି ଆଖି ପୋଛି ଦେଉଛନ୍ତି.ଗଲା ବର୍ଷ ଏଇ ଦିନ, ମାନେ ଅନନ୍ୟା ର ଜନ୍ମ ଦିନ ରେ ହିଁ ସେ ସମସ୍ତଙ୍କ ଠୁ ବହୁ ଦୂରକୁ ପଳେଇଥିଲା. ଦି ବର୍ଷ କର୍କଟ ରୋଗ ରେ ଆକ୍ରାନ୍ତ ହେଇ, ସେ ରୋଗ ସହ ଲଢ଼ିଥିଲା ସେ କିନ୍ତୁ ଜିତି ପାରି ନଥିଲା. ଆଉ ସେଇ କେତେ ଦିନ ଭିତରେ ସବୁ ନର୍ସ ଓ ଷ୍ଟାଫ ର ପ୍ରିୟ ବି ହୋଇଯାଇଥିଲା.ସେଦିନ ସାତ୍ଵିକ ବହୁତ କାନ୍ଦିଥିଲା. ଅନନ୍ୟା ର ସେ ଢଳ ଢଳ ଆଖି ଆଉ ଖୋଲିଲା ନାହିଁ କି ତା ଚୁଟି କୁ ଭିଡ଼ି ସେ କହିଲା ନାହିଁ "କାଇଁ ଏମିତି ମୁହଁ ଫୁଲଉଛ ଯେ ". ସେଦିନ ତା ଅନନ୍ୟା ତା ଠୁ ଏତେ ଦୂର କୁ ପଳେଇଯିବ ବୋଲି ସେ ବିଶ୍ୱାସ କରି ନଥିଲା. ଅନନ୍ୟା କୁ ନିଜ ଭିତରେ ବଂଚେଇ ରଖିବା ପାଇଁ ସେ ସବୁବେଳେ ଚେଷ୍ଟା କରୁଛି.ସେ ପାଇଁ ସାତ୍ଵିକ ଆଜି ବର୍ଷେ ପରେ ଅନନ୍ୟା ର ଜନ୍ମ ଦିନ ରେ ସମସ୍ତଙ୍କୁ ଆଣିଛି. ଅନନ୍ୟା ଯେତେ ଦୂର ରେ ଥାଉ, ସେ ନିହାତି ଖୁସି ଥିବ. ସାତ୍ଵିକ ର ଆଖି ଓଦା ହେଇ ଆସୁଥାଏ କିନ୍ତୁ ସେ କାନ୍ଦିଲାନି, ଅନନ୍ୟା କୁ ସେ କଥା ଯେ ଦେଇଛି ତାକୁ ମନେ ପକେଇବା କୁ ହେଲେ ସବୁ ବେଳେ ହସିବା କୁ ହେବ ବୋଲି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama