ଫରକ
ଫରକ
ସକାଳ ହେଲା କି ନାହିଁ ଜାଣିବା ପାଇଁ କୁନି ଧୀରେ କରି ତମ୍ବୁ କୁ ଟେକି ଦେଖିଲା ହଁ, ପାହାନ୍ତି ହେଇଗଲାଣି ଆଉ. ଝଟପଟ ଉଠି ମୁହଁ ଧୋଇ, ଦୌଡ଼ିଲା ପାଖ କଲ୍ୟାଣ ମଣ୍ଡପ କୁ. ଫୁଙ୍ଗୁଳା ଦେହ ରେ ଶୀତୁଆ ପବନ ବାଜୁଥାଏ ତ, ତା ଖାଲି ପାଦ ରେ ଗୋଡି ବି ବାଜୁଥାଏ କିନ୍ତୁ କୁନି ର ସେ ସବୁ କୁ ଖାତିର ନାହିଁ ।
କାଲି ରାତି ରେ ଏଇ ପାଖ କଲ୍ୟାଣ ମଣ୍ଡପ ରେ ବାହାଘର ଥିଲା, ଭୋଜି ବାସ୍ନା ରେ ଚାରି ପାଖ ମହକି ଉଠୁଥିଲା. କୁନି ଯାଇଥିଲା ଯେ ମଣ୍ଡପ ର ପଛ ପଟ କୁ, ଆଉ ସେଠି ରୋଷେଇ କରୁଥିବା ଲୋକଙ୍କୁ କୁ ଯାଇ କହିଲା " ମୋ ପାଇଁ ଟିକେ ଥାଳି ରେ କିଛି ଦିଅନା, ମା ମୁଁ ଟିକେ ଖାଇବୁ ". ମଉସା କିଛି କହିବା ଆଗରୁ ତା ପିଠିରେ ବସିଲା ଗୋଟେ ମସ୍ତ ବଡ଼ ଚାପୁଡ଼ା ସେ ବୁଲି ଦେଖିଲା ତ, ଜଣେ କୋର୍ଟ ପିନ୍ଧା ଲୋକ, ବେକ ରେ ମୋଟା ର ସୁନା ଚେନ, ହାତ ରେ ବଡ଼ ହାତ ଘଣ୍ଟା. କୁନି ତା ନିରୀହ ଆଖିରେ ସେ ଲୋକ ର ଗୋଡ଼ ରୁ ମୁଣ୍ଡ କୁ ଅନାଉଥାଏ. ସେ ଲୋକ ଟି ଚିଲେଇ ଚିଲେଇ କହିଲା "ୟେ ଛୁଆ ଏଠିକି କେମିତି ଆସିଲା, ଭିକାରି ଛୁଆ ଶଳା ଯଉଠି ଖାଇବା ସେଇଠି କି କୁକୁର ପରି ଦୌଡ଼ି ଦୌଡ଼ି ଆସିଯିବେ, ହେଇ ଟୋକି କିଏ ତୋତେ କହିଲା ଏଇଠିକି ଆସିବା ପାଇଁ?? ଯା ଏଠୁ ଯା, ଭାର ଏଠୁ. ଦେହ ରୁ ଗନ୍ଧ ବାହାରୁଛି ଆଉ ଆସିଗଲା ଭୋଜି ଖାଇବା କୁ, ତୋ ବୋପା ବାହାଘର ତ, ଆରେ ରଘୁ ସେ ହ୍ୟାଣ୍ଡୱସ ଟା ନେଇ କିନା ଆସିଲୁ "।
ସେତିକି ବେଳେ ପାଖ ରୁ ଜଣେ ଦୌଡ଼ି ଆସି କହିଲା, କ୍ଷମା କରନ୍ତୁ ସାର, ଭିକାରି ଛୁଆ ଟା ଜାଣିନି ଆଉ. କୁନି କୁ ସେ ଟାଣି ଟାଣି ନେଇଗଲା ଓ ତାକୁ ଧୀରେ ସେ କହିଲା "ଶୁଣେ କାଲି ସକାଳୁ ଆସିଯିବୁ, ଯାହା ବଳିଥିବ ତୋତେ ସେଥିରୁ କିଛି ଦେବି ନେଇଯିବୁ "।
କୁନି ଚୁପ ଚାପ ପଳେଇ ଆସିଲା. ସେ ଲୋକ କଣ କହିଲା ଅବା ତା ପିଠି ରେ ଯଉ ଚାପୁଡ଼ା ଟା ଏ ବସିଲା ସେ ସବୁ ପ୍ରତି ତାର ଧ୍ୟାନ ନଥାଏ. ସେ ତ ଖାଲି ଭାବୁଥାଏ ସେଠି ଥିବା ସବୁ ଖାଇବା ବିଷୟରେ , ସେ ନାଲି ନାଲି ତରକାରୀ, ଖଟା, ମାଂସ ତରକାରୀ, ଆଇସକ୍ରିମ, ଗୁପଚୁପ କେତେ କଣ ଥିଲା ସେଠି. କୁନି କୁ ସେ ପାଇଁ ରାତି ସାରା ଆଉ ନିଦ ନାହିଁ. ଯେମିତି ସକାଳ ହେଇଛି ଗୋଟେ ମୁହାଁ ହେଇ ଦଉଡ଼ିଛି ସେ ମଣ୍ଡପ କୁ.
କିଛି ସମୟ ରେ କୁନି ଫେରିଲା ନିଜ ତମ୍ବୁ ପାଖ କୁ, ସେତେବେଳ କୁ ମା ଉଠିସାରିଲାଣି.
ମା ଦେଖିଲା କୁନି ପୁରା ନାଚି ନାଚି ଆସୁଛି, ଦି ହାତ ରେ ଦି ଟା ପଲିଥିନ ଧରିଛି. ତା ନୁଖୁରା ଚୁଟି ସବୁ ପବନ ରେ ଉଡିଯାଉଛି ତ ଭଙ୍ଗା ଦାନ୍ତ କୁ ତା ର ସେ ହସ. ମା ଜାଣି ନେଲା କି ନିହାତି ସେ ପାଖ ଭୋଜି ରୁ ଖାଇବା ଆଣିଛି. ଯେବେ ବି ଆଖ ପାଖ ରେ ଭୋଜି ହୁଏ କୁନି ପଳାଏ ସେଠିକୁ ମା ର ହଜାରେ ବାରଣ ପରେ ବି ।
କୁନି ଦୌଡ଼ି ଦୌଡ଼ି ଆସି... ଝଟ କିନା କରି ତମ୍ବୁ ଭିତରୁ କୁ ପଶି ଗଲା ଆଉ ଧୀରେ ଧୀରେ କରି ମା କୁ ଡାକିଲା."ମା ଏ ମା... ଜଲଦି ଏଇଠିକୁ ଆସେ"
ତା ଡାକ ଶୁଣି ମା କହିଲା, "ହଁ ହଁ ମୁଁ ଜାଣିଲି ତୁ କାଇଁ ଡ଼ାକୁଛୁ, ଆସେ ଦାନ୍ତ ଘଷିବୁ ତାପରେ ଖାଇବୁ " ।
ମା କଥା ଶୁଣି କୁନି କହିଲା " ଓହୋ, ଆରେ ମା ତୁ ଆସୁନୁ ଟିକେ ମୁଁ କଣ ଆଣିଛି ଦେଖିବୁ ଆସେ, ଖାଇବା ନୁହଁ ଅଲଗା କିଛି ଆସେ ଆସେ ".
ମା ଏକଥା ଶୁଣି ଭାବିଲା, ପିଲା ଲୋକ ଅଜାଣତ ରେ କିଛି ନେଇ ଆସିନି ତ??. ବାହାଘର କଥା କାଳେ କିଏ କିଛି ଭୁଲିଯାଇଥିବ, ପୁଣି ଖୋଜା ପଡିଲେ ଯଦି ପୋଲିସ ଆସିଲା ତା ପରେ ବିନା ଦୋଷ ରେ ବି ମାଡ଼, ଗୋଇଁଠା ଆଉ ଜେଲ ଯିବା କୁ ହବ. ୟେ ସବୁ ବଡ଼ ଲୋକ ଙ୍କ ପାଖେ କଣ ହୃଦୟ ଅଛି ଯେ ବୁଝି ବିଚାରି କାମ କରିବେ.
ଏମିତି ଭାବୁ ଭାବୁ ମା ଆସି ତମ୍ବୁ ଭିତରେ ପହଁଚିଲା. ସେତେବେଳେ କୁନି ଗୋଟେ ପଲିଥିନ କୁ ପୁରା ଜୋର ସେ ଜାବୁଡ଼ି ଧରିଥାଏ. ମା କୁ କହିଲା ତାପାଖେ ବସିବା କୁ.ତାପରେ ତା କୁନି କୁନି ହାତ ରେ ପଲିଥିନ ରୁ ବାହାର କରିଲା ବହୁତ ସାରା ଟଙ୍କା. ପାଞ୍ଚଶହ ଟଙ୍କିଆ, ଦୁଇଶହ ଟଙ୍କିଆ. ବହୁତ ସାରା, ଏତେ କି ମା ର ପଣତ ପୁରା ଭରି ଗଲା.କୁନି ମା କାନ ପାଖ କୁ ଯାଇ କହିଲା "ମା ଦେଖେ କେତେ ଟଙ୍କା, ୟାକୁ ଲୁଚେଇ ରଖିଦେ. ଗୋଟେ ପାଞ୍ଚଶହ ଟଙ୍କା ଦେଇ କହିଲା "ମୋ ପାଇଁ ଏଥିରେ ବଲ ଆଣିବୁ, ଗୋଟେ ପରୀ ଡ୍ରେସ ବି ".
ଆଉ କିଛି ଦେଇ କହିଲା "ଏଇଥିରେ ଗୋଟେ ସାଇକେଲ. ଆଉ ହଁ ସ୍କୁଲ ଡ୍ରେସ, ବହି ବ୍ୟାଗ ସବୁ ଆଣିବୁ". ତୁ ଗୋଟେ ଶାଢ଼ୀ ବି ଆଣିବୁ ଲୋ" ।
ଏତିକି କହି ବହେ ନାଚି ଗଲା.... ମା ଚାରିପଟେ ଦୁଇ ଫେରା ଘେରି ଆସିଲା. ଆଉ ବାହାର କୁ ପଳେଇଲା ଦାନ୍ତ ଘଷିବା କୁ.ମା ପୁରା ନିସ୍ତବ୍ଦ ହୋଇ ବସି ରହିଥିଲା. ଏତେ ଟଙ୍କା ସେ ବି ତା ପଣତ କାନି ରେ. ନିଜ ଉପରେ ସେ ହସିଲା ଆଉ କୁନି ର ଛୁଆଳିଆମି ଉପରେ ବି. କିନ୍ତୁ କାହିଁକି କେଜାଣି ତାକୁ କଷ୍ଟ ବି ହେଉଥିଲା. ଏତେ ଟଙ୍କା ଆଉ ସେ.ଲାଗିଲା ଭଗବାନ ତା ଉପରେ ଅଟ୍ଟହାସ୍ୟ କରୁଛନ୍ତି ।ତା ଆଖିରୁ ଧାର ଧାର ଲୁହ ବୋହି ଗଲା ।ପଛ ପଟୁ ଆସି କୁନି କହିଲା "ମା ଆସେ ଖାଇବା, ମୋତେ ସେ ପାଏସ ଦେଲୁ ମୁଁ ଖାଇବି ".ସେ ଦେଖିଲା ମା କାନ୍ଦୁଛି, ଆସି ସାମ୍ନା ରେ ଠିଆ ହେଲା ଆଉ ପଚାରିଲା "ମା କାଇଁ କାନ୍ଦୁଛୁ ?".ତା ମା ଅବାକ ହେଇ ତାକୁ ଅନେଇଥିଲା, ଭାବୁଥିଲା କେମିତି ବୁଝେଇବ ତାକୁ କି ସେ ଯଉ ଟଙ୍କା ଆଣିଛି ସେ ସବୁ ମିଛି ମିଛିକା ଟଙ୍କା. ସେ ସବୁ ଟଙ୍କା ର କୌଣସି ମୂଲ୍ୟ ନାହିଁ.
କାଲି ରାତି ର ବରଯାତ୍ରୀ ନାଚ ବେଳେ ଏଇ ସବୁ କାଗଜ ଛପା ଟଙ୍କା କୁ ଉଡେଇ ଉଡେଇ ନାଚୁଥିଲେ, ସବୁ ଟଙ୍କା ରେ ପାନ ଛେପ, ଚପଲ ଚିଂହ ଅଛି. କୁନି ତାକୁ ସତ ଭାବି ଗୋଟେଇ ଆଣିଛି ।କୁନି ଜୋରସେ ହଲେଇ କି ମା କୁ କହିଲା " ମା କହୁନୁ କାଇଁ କାନ୍ଦୁଛୁ, ମୁଁ ଚୋରି କରିନି, ରାସ୍ତା ରୁ ପାଇଲି ସତ କହୁଛି "ମା ଭାବିଲା ପ୍ରତିଉତ୍ତର ରେ କଣ କହିବ ।କହିବ କି ବଡ଼ ଲୋକ ମାନେ ଏମିତି ମିଛି ମିଛିକା ଟଙ୍କା ରେ ଖେଳନ୍ତି ବି ଉଡ଼ାନ୍ତି ବି. ଆମେ ଗରିବ ବୋଲି ସିନା ଫରକ ଜାଣିପାରିନୁ. ସେମାନେ କିନ୍ତୁ ଫରକ ଜାଣିଛନ୍ତି ।
