Aliva Lenka

Drama Tragedy

4  

Aliva Lenka

Drama Tragedy

ବେଳାଭୂମି

ବେଳାଭୂମି

4 mins
428


ସମୁଦ୍ର କୂଳରେ ଖେଳୁଥିବା ଛୋଟ ଛୋଟ ପିଲା ସେମାନଙ୍କର ବାଲି ଘର ଗଢ଼ିବା ଭାଙ୍ଗିବା, ଖୁସିରେ ତାଳି ମାରି ମାରି ନାଚି ଯିବା.. ଏଇ ସବୁକୁ ମୁଁ ଏକ ଲୟରେ ଦେଖୁଥାଏ। ସଂନ୍ଧ୍ୟା ହୋଇ ଆସୁଥାଏ। ଚାହୁଁ ଚାହୁଁ ସୂର୍ଯ୍ୟ କେତେବେଳେ ଯେ ସମୁଦ୍ର ଭିତରେ ବୁଡ଼ି ଗଲେ ଜଣା ପଡ଼ିଲାନି। ମୁଁ ହୋଟେଲକୁ ଫେରି ଆସିଲି। ଜଣା ନାହିଁ କାହିଁକି ଭୋକ ଲାଗୁନଥିଲା ତ ଖାଲି ପାଣି ପିଇ ଶୋଇଗଲି।

          ସକାଳୁ ଆଖି ଖୋଲୁ ଖୋଲୁ ଭୂମି ଆସି ମୋ ମୁହଁରୁ ବେଡ଼ସିଟ ଟାକୁ ଟାଣି ତା ଖନି ମାରୁଥିବା ପାଟିରେ କହିଲା "ବାପା ଜଲଦି ଉଠ ଆମେ ସମୁଦ୍ର କୂଳକୁ ଯିବୁ "। ସେପଟୁ ଆସି ସ୍ତୁତି ବି କହିଲେ "ପ୍ଲିଜ଼ ଉଠ, ଏଇ ସକାଳୁ ସକାଳୁ ସୂର୍ଯ୍ୟ ଉଦୟ ଟିକେ ଦେଖିବା"। ମୁଁ ଝରକାକୁ ଚାହିଁ ଦେଖିଲି ରାତି ପାହି ଆସୁଛି। ନିଦ ଭାଙ୍ଗି ନଥିଲେ ବି ମୁଁ ଉଠିଲି। ନହେଲେ ୟେ ମାଆ ଝିଅ ମୋ ନିଦ ଛଡ଼େଇ ଦେବେ।


ମୁଁ ମୁହଁ ଧୋଇ, ସାର୍ଟ ପିନ୍ଧି ବାହାରୁ ବାହାରୁ ଦେଖିଲି , ଭୂମି ଗୋଟେ ନୀଳ ରଙ୍ଗର ଡ୍ରେସ ପିନ୍ଧି ବେଡ ଉପରେ ବସି ଜୋରସେ ଗୋଡ଼ ହଲଉଛି। ଯେମିତି ମୁଁ ଆସିଲି ବାପା ଜଲଦି ଆସ କହି, ଦୌଡ଼ି ଆସି ମୋତେ ଧରି ପକେଇଲା। ମୁଁ ଗାଡ଼ି ଚାବି ଆଉ ତାକୁ ଧରି ତଳକୁ ଆସିଲି। ସ୍ତୁତି ଆଗରୁ ଆସି ହୋଟେଲ ରିସେପ୍ସନିଷ୍ଟ ସହ କଥା ହେଉଥିଲା କି ଲଞ୍ଚରେ କଣ କଣ ମେନୁ ସବୁ ଅଛି। ଆମେ ତିନି ଜଣ ମିଶି ସମୁଦ୍ର କୂଳରେ ପହଂଚିଲୁ।


ସମୁଦ୍ର ବେଳାଭୂମିରେ ସମୟ କଟେଇବା ମୋର ଓ ସ୍ତୁତିର ଅତିପ୍ରିୟ ଅଟେ। ଭୂମି ଆମ ଦୁନିଆରେ ପାଦ ଦେବା ଆଗରୁ, ଆମେ ଦୁଇଜଣ ପ୍ରାୟ ଏଠିକି ଆସିଯାଉ। ବାସ ଚୁପ ଚାପ ଦି ଜଣ ବସିଥାଉ। କେତେବେଳେ ମୋ କାନ୍ଧରେ ତା ମୁଣ୍ଡ ଥାଏ ତ କେତେବେଳେ ତା ହାତ ମୋ ହାତରେ। ଆଉ କେବେ ମୁଁ ଜାଣି ପାରେନି କି ତା କାନ୍ଧରେ ମୁଣ୍ଡ ରଖି ଶୋଇ ଯାଇଥାଏ। ସ୍ତୁତି ଯେବେ ବି ଏଇ ସମୁଦ୍ରକୁ ଦେଖେ ଟିକେ ଅଧିକା ସୁନ୍ଦର ଦେଖାଯାଏ। ତାର ସେ ଛଳ ଛଳ ଆଖିରେ ସମୁଦ୍ରର ଢେଉ ଦେଖିଲେ ଲାଗେ କି ତାର ସୌନ୍ଦର୍ଯ୍ୟରେ ଆଉ ଟିକେ ଅଧିକା ସୁନ୍ଦରତାର ରଙ୍ଗ ଲାଗିଗଲା। ଆଉ ଯେବେଠୁ ଆମ ଦୁନିଆକୁ ଭୂମି ଆସିଥିଲା ସେ ବି ତା ମାଆ ପରି, ସମୁଦ୍ର ଓ ବେଳାଭୂମିକୁ ଭାରି ଭଲ ପାଉଥିଲା।

ମୁଁ ବାଲି ଉପରେ ବସି ଥାଏ, ଭୂମି ତା କୁନି କୁନି ହାତରେ ବାଲିଘର ତିଆରି କରୁଥାଏ ପୁଣି ଭାଙ୍ଗୁ ଥାଏ। ମଝିରେ ମଝିରେ ଦୌଡ଼ି ଦୌଡ଼ି ଆସି ଧପ କିନା ମୋ କୋଳରେ ବସିଯାଉଥାଏ ଓ ତାପରେ ତା ଅସଂଖ୍ୟ ପ୍ରଶ୍ନର ଗନ୍ତାଘର ଖୋଲୁଥାଏ।

"ବାପା ସମୁଦ୍ର କେଉଁଠି ସରିଛି??"

" ଆମେ ସେଠିକୁ ଯାଇପାରିବା ସେଇ ଯଉଠି ପାଣି ଆଉ ଆକାଶ ମିଶି ଯାଇଛନ୍ତି?? "।

"ବାପା ସମୁଦ୍ର ପାଣି କଣ କେବେ ସରିବନି?"

"ସମୁଦ୍ରରେ କଣ ଜଳ ପରୀ ସତରେ ଅଛନ୍ତି "?

ଏମିତି କେତେ କଣ। ମୁଁ ଯେତିକି ପାରେ ସେତିକି ବୁଝାଏ।


ମୋ ପାଖେ ଆସି ସ୍ତୁତି ବସିଗଲା, ମୋ ହାତକୁ ତା ହାତରେ ଛନ୍ଦି ଆଉ ମୋ କୋଳରେ ଥାଏ ଭୂମି...

ମୋ ପାଇଁ ମୋ ଦୁନିଆ ମୋ ହାତ ମୁଠାରେ ଥାଏ।

ଆଜି କାହିଁକି କେଜାଣି ବେଳାଭୂମି ବେଶୀ ସୁନ୍ଦର ଲାଗୁଛି ବୋଲି ସ୍ତୁତି କହି ଆସୁଥାଏ, ଭୂମି ମୋ କୋଳ ଛାଡ଼ି ଦୌଡ଼ି ଗଲା ତା ବାଲି ଘର ଦେଖିବାକୁ ଯାହା ସମୁଦ୍ରର ଢେଉ ଭସେଇ ନେଉଥାଏ। ସ୍ତୁତି ତା ହାତରୁ ମୋ ହାତକୁ ଫୋପାଡ଼ି ଭୂମି ପଛେ ପଛେ ଦଉଡ଼ିଗଲା। ଆଉ ମୁଁ ସେଠି ସ୍ଥାଣୁ ପରି ବସିରହିଲି। ମୁଁ ଜାଣିନି କାହିଁକି ଯେତେ ଚେଷ୍ଟା କରିଲି ଉଠି ଯାଇ ସେ ଦିଜଣକୁ ଧରି ଦେବି କିନ୍ତୁ ମୁଁ କିଛି କରିପାରୁନି। ଏମିତି ଲାଗୁଛି ଏଇ ବେଳାଭୂମି ମୋତେ ଜାବୁଡ଼ି ଧରିଛି। ମୋ ଆଖି ଆଗରେ ଭୂମି ତା କୁନି କୁନି ପାଦରେ ସମୁଦ୍ର ଭିତରକୁ ଦୌଡ଼ି ଦୌଡ଼ି ଯାଉଛି ଆଉ ତା ପଛରେ ସ୍ତୁତି ...

ସେମାନଙ୍କୁ ଟାଣି ଧରିବାକୁ ମୁଁ ହାତ ବଢ଼ାଉଛି କିନ୍ତୁ ମୋ ହାତ ପାଉନି ଯେମିତି ମୁଁ ବସିଥିବା ବେଳାଭୂମିର ବାଲି ସବୁ ମୋତେ ଟାଣି ଧରିଛନ୍ତି। ଦେଖୁ ଦେଖୁ ଆଖି ଆଗରେ ମୋ ଦୁନିଆ ସମୁଦ୍ର ବେଳାଭୂମିରେ ପୋତି ହୋଇଗଲା। ସେ ଦିଜଣ ସମୁଦ୍ର ଭିତରେ ନିଖୋଜ ହେଇଗଲେ। ମୋତେ ଭୂମିର କୁନି କୁନି ହାତ ପାଣି ଭିତରୁ ଡାକୁଥାଏ, ସ୍ତୁତି ଉବୁଡୁବୁ ହେଇ ମୋତେ ଦେଖୁଥାଏ..ଅଥଚ ମୁଁ କାହିଁକି କିଛି କରୁନି.. ମୁଁ ଜୋରସେ ସେ ଦିଜଣକୁ ଧରିବାକୁ ଯାଇ ସବୁ ବଳ ଲଗେଇ ଉଠିପଡ଼ିଲି ।


 ମୋ ଦେହ ଝାଳରେ ଭର୍ତ୍ତି। ମୁଁ ଖାଲି ଦୀର୍ଘ ନିଶ୍ୱାସ ନେଉଥାଏ।

ହୋଟେଲ ରୁମରେ ଏସିଟା ଅନ ଥାଏ ତଥାପି ମୋତେ ଏତେ ଗରମ ଓ ଶ୍ୱାସରୁଦ୍ଧ ହେଲା ଭଳି ଲାଗୁଥାଏ।

ମୁଁ ଥଣ୍ଡା ପାଣି ଆଣି ପିଇଲି ଓ ମୋ ମୁହଁକୁ ଛାଟିଲି।

ଏଇଟା ପୁଣି ସେଇ ସ୍ବପ୍ନ ଯାହା ମୁଁ ଦୁଇ ବର୍ଷ ହେଲା ସବୁଦିନ ଦେଖିଆସୁଛି। ଯେଉଁ ସ୍ବପ୍ନ କେବେ ବି ମୋତେ ଶାନ୍ତିରେ ଶୋଇବାକୁ ଦିଏନି।


ଦୁଇ ବର୍ଷ ତଳେ ମୋ ସ୍ତ୍ରୀ ସ୍ତୁତି ଓ ଝିଅ ଏଇ ସମୁଦ୍ର ଭିତରେ ନିଖୋଜ ହେଇଗଲେ। ଆମେ ଆସିଥିଲୁ ବୁଲିବାକୁ। ମୋର ମୋ ଲାପଟପରେ କାମ ଥିବାରୁ ମୁଁ ହୋଟେଲରେ ରହିଯାଇଥିଲି। ସେଦିନ ମୋତେ ଭୂମି ବହୁତ ଡାକିଥିଲା। ମୋ ହାତକୁ ଟାଣି ଟାଣି କହୁଥିଲା "ବାପା ପ୍ଲିଜ ଚାଲ ନା "। ମୋର ଜରୁରୀ କାମ ଥିଲା। ମୁଁ ସେ ଦୁଇ ଜଣକୁ ପଠେଇ ଦେଇଥିଲି ଆଉ କହିଥିଲି କି ମୁଁ ସାଙ୍ଗେ ସାଙ୍ଗେ କାମ ସାରି ଯାଉଛି। ଆଉ ମୁଁ ଯାଉ ଯାଉ ଏତେ ଡେରି ହେଇଯାଇଥିଲା କି ମୋ ଦୁନିଆ, ମୋ ଭଲ ପାଇବା, ମୋ ଜୀବନ ସବୁ ଏଇ ସମୁଦ୍ରର ବେଳାଭୂମିରେ ହଜିଗଲା।

ଏବେ ବି ମୋ ନିଶ୍ୱାସ ବନ୍ଦ ହେଇଯାଏ ଯେବେ ମୁଁ ଭାବେ କି ମୋ ଭୂମି ଶେଷ ଯାଏଁ ଭାବୁଥିବ କି ତା ବାପା ଆସିବେ ତାକୁ କୋଳେଇ ନେବେ। ସ୍ତୁତିକୁ କେତେ କଷ୍ଟ ହୋଇଥିବ? ସ୍ତୁତି କଣ ଭୂମିର ହାତ ଧରି ଥିବ ନା ଦିଜଣକୁ ସମୁଦ୍ର ଅଲଗା କରିଦେଇଥିବ?

ତାପରେ ଯେବେ ବି ମୁଁ ସମୁଦ୍ରକୁ ଦେଖେ ମୋତେ ଲାଗେ ତାର ଲହରୀ ଭିତରୁ ଭୂମି ଦୌଡ଼ି ଦୌଡ଼ି ମୋ କୋଳକୁ ଆସିଯିବ। ସ୍ତୁତି ପୁଣି ଆସି ତା ହାତରେ ମୋ ହାତ ଛନ୍ଦି ମୋ ପାଖେ ବସିଯିବ। କିନ୍ତୁ ଏସବୁ ଏବେ ମରୁଭୂମିର ମରୀଚିକା ଭଳି।

ଆଉ ଏଇ ଯଉ ବେଳାଭୂମି ଯାହା ସ୍ତୁତି ଓ ମୋର ଅତି ପ୍ରିୟ ଥିଲା, ଏବେ ଏଇ ଜାଗାରେ ମୋତେ ବହୁତ କଷ୍ଟ ହୁଏ। କେବେ କେବେ ଲାଗେ ବେଳାଭୂମିର ବାଲି ସବୁ ମୋ ନିଶ୍ୱାସ ପ୍ରଶ୍ୱାସରେ ପଶି ଯାଇ ମୋତେ ମୋତେ ଅଣନିଶ୍ୱାସୀ କରିଦେଉଛନ୍ତି।


ମୁଁ ମୋ ନିଜକୁ କ୍ଷମା କରିପାରୁନି କି ବେଳାଭୂମିକୁ ବି ଭୁଲିପାରୁନି। ଯେତେ କଷ୍ଟ ହେଲେ ବି ମୁଁ ଏବେ ବି ଆସେ ଏଇଠି ବସେ ଆଉ ମୋ ସ୍ତୁତିକୁ ମନେପକାଏ। ସମୁଦ୍ର ଲହରୀର ଗର୍ଜନ ମୋତେ ଭୂମିର କଥା ଭଳି ଲାଗେ । ଏକା ଏକା ବସି ଏଇ ବେଳାଭୂମିରେ ମୁଁ ଏବେ ବି କାନ୍ଦେ।


   


Rate this content
Log in

Similar oriya story from Drama