Aliva Lenka

Tragedy

4.0  

Aliva Lenka

Tragedy

ପତନ

ପତନ

4 mins
172


ମୁଁ ବଞ୍ଚିଛି...

କିନ୍ତୁ କେଉଁଠି ଜାଣିପାରୁନି. ବହୁତ ଚେଷ୍ଟା କରୁଛି ଅନ୍ଧାରରୁ ଆଲୋକକୁ ଯିବାକୁ କିନ୍ତୁ ସେ ଆଲୋକ ଏକ ମରୀଚିକା ସଦୃଶ ହେଇଯାଇଛି. ନିଃଶ୍ୱାସ ରୁଦ୍ଧ ହେଲା ଭଳି କେବେ କେବେ ଲାଗେ ତ କେବେ ପୁଣି ଲାଗେ ଦିଗ ହରା ସମୁଦ୍ରରେ ମୁଁ ହଜିଯାଇଛି. କେଜାଣି ୟେ କେଉଁ ଏକ ସହର ବା ଗ୍ରାମ...

ନାଇଁ ନାଇଁ ୟେ ଏକ ସାମ୍ରାଜ୍ୟ, କିନ୍ତୁ କାହାର?????


ମୁଁ ବି ତ ଏଇମାନଙ୍କ ଭଳି ହିଁ ଦିଶୁଛି. ଆଖି ଅଛି, କାନ ଅଛି, ଗୋଡ଼, ହାତ, ମୁଣ୍ଡ, ଛାତି ସବୁ ତ ପ୍ରାୟ ସମାନ ଭଳି ଦିଶୁଛନ୍ତି.

ଆରେ ଆରେ ଏଇ ମାନେ ପରା ଭଗବାନଙ୍କର ଶ୍ରେଷ୍ଠ ଜୀବ, ମାନେ ଦୁଇ ଗୋଡ଼ିଆ ମଣିଷ. ଏବେ ମନେ ପଡିଲା.


ତା ମାନେ ମୁଁ ଏବେ ମଣିଷ ସାମ୍ରାଜ୍ୟରେ ବଞ୍ଚୁଛି. କିନ୍ତୁ ମୋତେ ଏଇଠି ମଣିଷତ୍ୱ ଦିଶୁନି କାହିଁକି???


ଯାହାକୁ ବି ପଚାରେ ଆରେ ଭାଇ ମଣିଷତ୍ୱ କୁଆଡ଼େ ଗଲା? ସେ କୁହେ "ସେଇଟା କଣ "??

 କାହିଁ କେତେ ଦୂର ଚାଲି ଚାଲି ଗଲା ପରେ ଦେଖିଲି ଗୋଟେ ବିରାଟ ଗଛ. ଆଖ ପାଖରେ କିଛି ନାହିଁ. ନା ଅଛି ପାହାଡ଼ ନା ନଦୀ.ପାଦ ଦୁଇ ଟି ମୋର ଥକି ଯାଇଥିଲା, ଜାଣି ପାରିଲିନି କେତେବେଳେ ସେ ଗଛକୁ ଡେରି ମୁଁ ଶୋଇଯାଇଛି.


ନିଦ ଭାଙ୍ଗିଲା ତ ଦେଖିଲି, ମୋ ପାଖେ ଆଉ ଜଣେ ବସିଛି.ଦେହ ସାରା କ୍ଷତ ବିକ୍ଷତ ଚି଼ହ୍ନ ଓ ରକ୍ତ ଧାର . କିନ୍ତୁ ଭାରି ଶାନ୍ତ, ସୁନ୍ଦର, ହସ ହସ ମୁହଁ. କାହିଁ କେତେ ଦିନ ପରେ ମୋତେ ଏମିତି ମଣିଷ ଟେ ମିଳିଲା. ନ ହେଲେ ସଫା ମନ, ସଫା ହୃଦୟ, ପବିତ୍ର ଚିନ୍ତାଧାରା, ବିନା କିଛି ଦ୍ୱିଧାର ହସ.... ଏସବୁ କାହିଁ କେଉଁ କାଳରୁ ହଜି ଗଲାଣି.

ସେ ମୋତେ ଦେଖି କି କିଛି ସମୟ ରହି କହିଲା "ତୁମେ କଉଠି ଥିଲ??? କାହିଁ କେତେ କାଳରୁ ମୁଁ ତୁମକୁ ଖୋଜୁଥିଲି ".


ମୁଁ ପଚାରିଲି "ତୁମେ ମୋତେ ଚିହିଁ ପାରୁଛ?".

ସେ ଟିକେ ହସିଲା ଆଉ କହିଲା "ତୁମ ବିନା ମୋର, କି ମୋ ବିନା ତୁମର ଅସ୍ତିତ୍ୱ ହିଁ ନାହିଁ".


ତାପରେ ମୁଁ ପଚାରିଲି "ତୁମେ ମାନବିକତା ନା?"

ସେ ହସି ହସି ହଁ ଭରିଲା ଆଉ କହିଲା ତୁମେ ହେଉଛ ପ୍ରେମ.


ଆମେ ଦୁହେଁ, ଦୁହିଁଙ୍କ ବିନା ଅଧା. ଯେଉଁଠି ପ୍ରେମ ନାହିଁ ସେଠି ମାନବିକତା ରହି ହିଁ ପାରେନି. ଆଉ ଯାହା ପାଖେ ଏଇ ଦି ଜଣ ଅଛନ୍ତି, ସେ ମଣିଷର ଠିକଣା ହିଁ ନାହିଁ.


ଆଖି ବୁଜି ମୁଁ କହିଲି " ଏଇ ମଣିଷ ମାନେ ମୋତେ ତଡ଼ି ଦେଇଛନ୍ତି ରେ, ହିଂସା, ଘୃଣା, କ୍ରୋଧ, ଲୋଭ, ଲାଳସା, କାମନା ଏମାନଙ୍କ ପାଇଁ ମୋର ସ୍ଥାନ ଆଉ କଉଠି ନାହିଁ. ମୁଁ ଶତ ଚେଷ୍ଟା କରିଛି ମଣିଷକୁ ବୁଝେଇବା ପାଇଁ କିନ୍ତୁ ସେ ବୁଝେନି.


କିଛି ସମୟର ନୀରବତା ଭିତରେ ଆମେ ଦୁଇଜଣ ତର୍ଜମା କରୁଥିଲୁ କି କେତେବେଳେ ମଣିଷ ଆମଠୁ ଧୀରେ ଧୀରେ ଦୂରେଇଗଲା.


ବୋଧହୁଏ ସେତେବେଳେ ଯେବେ ମଣିଷ ଧର୍ମ ନାରେ ଅଧର୍ମର ଶିଖର ଛୁଇଁଲା, ନା ସେତେବେଳେ ଯେବେ ମଣିଷ ମିଛ ଭଲ ପାଇବା ଆଉ ଛଳନାରେ ହିଁ କେବଳ ଜିତିବାକୁ ଚାହିଁଲା. ଧୀରେ ଧୀରେ ଯେତେବେଳେ ମଣିଷ ପାଶବିକ ଚକ୍ରବ୍ୟୁହରେ ରହି ନାରୀର ରକ୍ତ ମାଂସ ଦେହ ସହ ଖେଳିବାକୁ ଲାଗିଲା. ନା ନାରୀ ଯେବେ ନିଜ ଶକ୍ତିର ଦୁରୁପଯୋଗ କରି ଦୁନିଆ ଆଗରେ ନିଜକୁ ବିକ୍ରି କରିଲା. ମଣିଷ କାମନା ନିଆଁରେ ସମର୍କକୁ ହରେଇଲା, ଲାଳସାରେ ରହି ନିଜେ ନିଜକୁ ମାରିଲା. ପ୍ରକୃତିକୁ ନିଜ ହାତରେ ଧ୍ୱଂସ କରି ଚାଲିଲା ତ କଥା କହି ପାରୁନଥିବା ଜୀବମାନଙ୍କୁ ମାରି ନିଜର ଲୋଭ ମେଣ୍ଟେଇଲା. ଆଧୁନିକତାର ଇନ୍ଦ୍ରଜାଲରେ ପଡି ଆଗକୁ ବଢିବାର ବୃଥା ଚେଷ୍ଟାରେ ଲିପ୍ତ ରହିଲା.


ପ୍ରେମର ଅର୍ଥକୁ ମଣିଷ ଟଙ୍କା, ପଇସା, ଧନ, ସମ୍ପତ୍ତି ସହ ତୁଳନା କରିଲା. ସେ ବୁଝିଲା ବି ନାହିଁ କି ପ୍ରେମରେ ହିଁ ସୌନ୍ଦର୍ଯ୍ୟ ଥାଏ, ସୌନ୍ଦର୍ଯ୍ୟରେ ପ୍ରେମ ନୁହଁ. ଆଉ ଯଉଠି ପ୍ରେମ ଥାଏ ସେଠି ମଣିଷ, ନିଜର ମଣିଷପଣିଆରେ ହିଁ ଆଗକୁ ବଢ଼େ.

ମଣିଷପଣିଆ (ମାନବିକତା )ର ମିଛ ମୁଖା ପିନ୍ଧି ମଣିଷ ମଣିଷକୁ ଠକିଲା. ମଣିଷ ନିଜେ ନିଜ ଅସ୍ତିତ୍ବକୁ ଜାଳି ଦେଇଛି. ସମସ୍ତେ ଏଇଠି ଆଧୁନିକତାର ଚାଦର ଭିତରେ ରହି ହିଂସା ଓ କ୍ରୋଧର ନିଆଁରେ ନିଜକୁ ଜାଳୁଛନ୍ତି. ସେବାର ମନ ବୃତ୍ତି ଛାଡି ଲୁଟିବାର ଆଶାରେ ରହୁଛନ୍ତି.ଯେଉଁ ସଦଭାବନା, ଚେତନା, ଜ୍ଞାନ, ଶକ୍ତିରେ ମଣିଷକୁ ସୃଷ୍ଟି କରା ଯାଇଥିଲା, ସେ ସବୁର ଚି଼ହ୍ନ ବର୍ଣ୍ଣ ଏବେ ଆଉ ନାହିଁ. ମୂର୍ଖ ଏଇ ପ୍ରାଣୀଟି ନିଜେ ନିଜର ସାମ୍ରାଜ୍ୟକୁ କୁତ୍ସିତ ଓ ବିକଳାଙ୍ଗ କରି ଦଉଛି... 

ନିଜ ନିଜର ଭାବନାରୁ ବାହାରି ଆମେ ଦୁହେଁ ଯେବେ ଦେଖିଲୁ, ଦଳ ଦଳ ହୋଇ କ୍ରୋଧ, ହିଂସା, ଘୃଣା, ଲୋଭ, କାମନା, ଲାଳସା ସବୁ ଆମ ଆଡକୁ ମାଡ଼ି ଆସୁଛନ୍ତି. ସବୁଠି ଧ୍ୱଂସର ନିଆଁ ଜଳୁଛି. ସେମାନଙ୍କ ଅଟ୍ଟହାସ୍ୟରେ ମାଟି ଫାଟି ପଡୁଛି. ଗର୍ବରେ ସେମାନଙ୍କ ଛାତି କୋଣ୍ଢେମୋଟ କି ମଣିଷ ସାମ୍ରାଜ୍ୟ ଉପରେ ସେମାନଙ୍କର ରାଜୁତି ଚାଲିବ. ସେମାନେ ଜିତି ଗଲେ.

ଯେତିକି ବି ନିରୀହ ପ୍ରାଣୀ ବଞ୍ଚିଥିଲେ ସେମାନଙ୍କ ଆତୁର ଚିତ୍କାର ଶୁଭୁଛି. ଆମେ ଦୁଇ ଜଣ ପରସ୍ପରକୁ ଦେଖିଲୁ, କଣ କରିବୁ ଭାବିବାକୁ ସମୟ ନଥିଲା.

ମୋତେ ଏମିତି ଲାଗିଲା ମୁଁ ହାରିଗଲି. ପ୍ରେମ ସିନା ହାରେନି କିନ୍ତୁ ଏଇ ସମାଜରେ ମୁଁ ହାରିଗଲି.


 ମୋ ହାତକୁ ଜାବୁଡ଼ି ଧରି ମାନବିକତା କହିଲା "ଆମେ ହାରିନୁ, ହାରିଛି ମଣିଷ. ତୁ କଣ ଦେଖିପାରିନୁ ମଣିଷ କେତେ କଷ୍ଟ ଭୋଗୁଛି. ରୋଗ, ବ୍ୟାଧି, ଝଡ଼, ତୋଫାନ, ଭୁକମ୍ପରେ ଲକ୍ଷ ଲକ୍ଷ ମଣିଷ ମରୁଛନ୍ତି. ଜଳ ମଗ୍ନ ହେଇଯାଉଛି ଧୀରେ ଧୀରେ ଏଇ ସାମ୍ରାଜ୍ୟ. ଆଉ ଅଳ୍ପ ଦିନ, ଅତି ଶୀଘ୍ର ଏହାର ପତନ ଘଟିବ. ଚାଲ ଆମେ ଯିବା, ଆମ ପାଇଁ ଏଇ ସ୍ଥାନ ଆଦୌ ଠିକ ନୁହଁ.

ମୁଁ ପଚାରିଲି କିନ୍ତୁ ଏବେ ଆମେ କୁଆଡ଼େ ଯିବା?


ସେ ଉପରକୁ ଦେଖି କହିଲା "ସେଇ ସୃଷ୍ଟି କର୍ତ୍ତା ପାଖ କୁ, ତା ପାଖରୁ ହିଁ ଆମ ଜନ୍ମ. ତା ଭିତରେ ଲୀନ ହୋଇଯିବା ହିଁ ଆମ ମାନଙ୍କର ଏକ ମାତ୍ର ରାସ୍ତା ".

ଆମେ ଦୁହେଁ ସେଠୁ ଫେରି ଆସିଲୁ.


ଧୀରେ ଧୀରେ ସେ ଦୁନିଆଟା ପାଉଁଶରେ ପରିଣତ ହେଲା. ଜଳମଗ୍ନ ହେବାରେ ଲାଗିଲା ସବୁ ସ୍ଥାନ.

ମଣିଷ ଓ ପଶୁ ଭିତରର ତଫାତ ଜାଣିବା କଷ୍ଟକର ହୋଇଗଲା.

ସବୁଠି ଖାଲି ବିଦ୍ରୋହ, ଯୁଦ୍ଧ, ହିଂସା. ଏତେ ସୁନ୍ଦର ଦୁନିଆଟା ଧୀରେ ଧୀରେ ଶ୍ମଶାନରେ ପରିଣତ ହେଇଗଲା. ମଣିଷ ସାମ୍ରାଜ୍ୟର ପତନ ଘଟିଲା.


ମଣିଷ ହିଁ ସୃଷ୍ଟିର ଶ୍ରେଷ୍ଠ ଜୀବ ଥିଲା ଆଉ ଏବେ ସେ ହିଁ କେବଳ ଏଇ ସୃଷ୍ଟିର ବିନାଶର କାରଣ ହେଲା.



Rate this content
Log in

Similar oriya story from Tragedy