ସିଙ୍ଗଡ଼ା ଖିଆ ଶିବା
ସିଙ୍ଗଡ଼ା ଖିଆ ଶିବା
ସିଙ୍ଗଡ଼ା ଖାଇବାକୁ ଭାରି ଇଚ୍ଛା ହେଲା ଶିବାର। ସନ୍ଧ୍ୟାବେଳର ବର୍ଷା ସମୟ।ବାହାରେ ଏତେ କୋହଲା ପାଗ। ଘରକୁ ଆସିଲା ବେଳକୁ ପଡିଶା ଘରୁ କିଛି ଛଣା ଖାଦ୍ୟର ବାସନା ଆସୁଥିଲା।ବାସ ଶିବା ମନ ସିଧା ଯାଇ ସିଙ୍ଗଡ଼ା ଉପରେ ଲାଗିଗଲା।
ତାର ମନ ପଡୁଥାଏ ପିଲାବେଳେ ମା'କୁ କୁହେ ସିଙ୍ଗଡ଼ା କରିବା ପାଇଁ।ହେଲେ ମା ଏତେ ବଡ ପରିବାରରେ ଅନ୍ୟାନ୍ୟ କାମ ଛାଡ଼ି କେବଳ ଜଣକ ପାଇଁ ସିଙ୍ଗଡ଼ା କରି ନ ପାରି କୁହେ ପାଖ ଦୋକାନରୁ କିଣି ଆଣିବାକୁ। ଶିବା ନିଜ ପାଇଁ ଆଉ ଘରର ଅନ୍ୟ ଆଠ ସଦସ୍ୟଙ୍କ ପାଇଁ ସିଙ୍ଗଡ଼ା କିଣି ଆଣେ।
ପରେ ଯେତେବେଳେ ବାହା ହେଲା; ପାରକୁ କହିଲା ସିଙ୍ଗଡ଼ା ତିଆରି କରିବା ପାଇଁ। ସେ ଅଳପ ହସିଦେଇ କହିଲା ସେ ସିଙ୍ଗଡ଼ା ତିଆରି କରିବା ଜାଣେନି। ବରଂ ପାଖ ଦୋକାନରୁ ସେ କିଛି ସିଙ୍ଗଡ଼ା କିଣି ଆଣୁ ତା ହେଲେ ଦୁହିଁଙ୍କ ରାତ୍ରୀ ଭୋଜନ ମଧ୍ୟ ହୋଇଯିବ।ଅଗତ୍ୟା ଶିବା ଚୁପ୍ ଯାଇ ସିଙ୍ଗଡ଼ା କିଣି ଆଣେ।
କି ସହର କି ଗାଆଁ ସବୁଠାରେ ସବୁ ଗଳିରେ ନିଶ୍ଚୟ ଗୋଟିଏ ଜଳଖିଆ ଦୋକାନ ଥିବ।ଆଉ ଜଳଖିଆ ଦୋକାନରେ ସିଙ୍ଗଡ଼ା ନିଶ୍ଚୟ ଥିବ।ଅତଏବ ସିଙ୍ଗଡ଼ା ଖାଇବାକୁ ମନ ହେଲେ ସଙ୍ଗେ ସଙ୍ଗେ ପୂରଣ ହୋଇଯିବ। ହେଲେ ଆଜି ବାହାରେ ଭୀଷଣ ବର୍ଷା ହେଉଛି।ପାର ମଧ୍ୟ ବାପ ଘରକୁ ଯାଇଛି।ମା,ବାପା,ଭାଇ ଭଉଣୀ ସବୁ ଦୂରରେ ରହିଲେ।ଚାକିରୀ କରି ଶିବା ସମସ୍ତଙ୍କଠୁ ଦୂରେଇ ଯାଇଛି ବୋଧେ। ଆଉ ଏକୁଟିଆ ମଣିଷର ଇଚ୍ଛା ପାଇଁ ଏମିତିକା ପାଗରେ କଣ ସେ ବାହାରକୁ ଯିବ ସିଙ୍ଗଡ଼ା କିଣିବାକୁ? ମନ ହେଲାନି।ଭାବିଲା ଆଜି ନିଜେ ସିଙ୍ଗଡ଼ା ତିଆରି କରିବ।
ସିଙ୍ଗଡ଼ା ଭିତରେ ଆଳୁ ପୁର ଦିଆ ହୁଏ ସେ ଜାଣିଛି।ଆଉ ଖାଲି ଟିକେ ମଇଦା ପାଗ କରି ଛାଣି ଦେଲେ କାମ ସରିଲା।ଏଇଆ ଭାବି ଆଳୁ ସିଝା କରିଲା ବେଳେ ଇଲେକ୍ଟ୍ରି କଟ ହେଲାରୁ କାମ ବନ୍ଦ କରି କ୍ୟାଣ୍ଡେଲ ଲଗେଇଲା। ପୁଣି ମନ ଦୃଢ଼ କରି ସେହି ଆଲୁଅରେ କଡ଼େଇ ବସାଇ ତେଲ ଗରମ କରିଲା ବେଳକୁ ଗ୍ୟାସ ସରିଗଲା।
ଶିବାକୁ କାନ୍ଦ ଲାଗୁଥିଲା। ଭଲ ହୁଅନ୍ତା ବରଂ ସେ ପାଖ ଦୋକାନରୁ କିଣି ଆଣନ୍ତା ନ ହେଲେ ସିଙ୍ଗଡ଼ା ଖୁଆ ଆଶା ଛାଡ଼ି ଦିଅନ୍ତା।ଭୋକ ଭୀଷଣ ଲାଗୁଥିଲା।ଗ୍ୟାସ ନଥିଲା। ଇଲେକ୍ଟ୍ରି ଆହୁରି ଆସି ନଥିଲା।ଆଉ କିଛି ଉପାୟ ନ ପାଇ ଶିବା ଚୂଡା ଚକଟି ମନ ଦୁଃଖରେ ଖାଇ ସାରି ହାତ ଧୋଇଲା ବେଳକୁ ଦରଜା ଉପରେ କିଏ ଆଘାତ ଦେଲା।
କବାଟ ଖୋଲିଲା ବେଳକୁ ପଡୋଶୀ ଘରର ପୁଅ ଗୋଟିଏ ଠୁଙ୍ଗାରେ କିଛି ଆଣି ତାକୁ ଧରେଇ ଦେଲା।ଶିବା କିଛି କହିଲା ଆଗରୁ କହିଲା "କାକା ପାଖ ଦୋକାନରୁ ବାବା ସିଙ୍ଗଡ଼ା ଆଣିଥିଲେ।ତମ ପାଇଁ ଆଣିଛି ନିଅ"। ହାତରେ ଗରମ ସିଙ୍ଗଡ଼ା ଧରିବା ମାତ୍ରେ ଇଲେକ୍ଟ୍ରି ଆସି ଯାଇଥିଲା ଆଉ ଶିବାର କାନ୍ଦୁରା ମୁହଁଟା ସ୍ପଷ୍ଟ ଦେଖା ଯାଉଥିଲା।