ସିନ୍ଧୁ ମନ୍ଥନ ଅନ୍ତରାଳେ
ସିନ୍ଧୁ ମନ୍ଥନ ଅନ୍ତରାଳେ
ଦୀର୍ଘଦିନ ଯୁଦ୍ଧ ଚାଲିବା ପରେ ଦେବତା ଓ ଅସୁରଙ୍କ ମଧ୍ୟରେ ସନ୍ଧି ହେଲା। ଉଭୟପକ୍ଷ କ୍ଷୀର ସମୁଦ୍ର ମନ୍ଥନ କରିବାକୁ ରାଜି ହେଲେ। ମନ୍ଦର ପର୍ବତକୁ ଖୁଆ ଓ ବାସୁକୀଙ୍କୁ ଦଉଡି କରାଗଲା। ନାରାୟଣ କଚ୍ଛପ ଅବତାର ନେଇ ପିଠିରେ ପର୍ବତ ଧାରଣ କଲେ। ମନ୍ଥନର ଦୋଳନ ଯୋଗୁ ଘୋ' ଘୋ' ଶବ୍ଦରେ ସମୁଦ୍ର କମ୍ପିଲା। ଏଥିରୁ ଅମୃତ କଳସ ସହ ଲକ୍ଷ୍ମୀଙ୍କ ଅ।ବିର୍ଭାବ ହେଲା। ସେହିପରି ଚନ୍ଦ୍ର, ଧନ୍ବନ୍ତରୀ, ପାରିଜାତ , ଉଚ୍ଚୈଶ୍ରବା, ଐରାବତ, କୌସ୍ତୁଭ ମଣି, ରତ୍ନ ଭଳି ପ୍ରାର୍ଥୀବ, ସ୍ବର୍ଗୀୟ ପ୍ରଦାର୍ଥ ବାହାରିଲା। ଶେଷକୁ ବାହାରିଲା ହଳାହଳ। ଭଗବାନ ଶିବ ହଳାହଳ ପିଇ ସଂସାରକୁ ରକ୍ଷାକଲେ। ନୀଳକଣ୍ଠ ସାଜିଲେ।
ଭାଗବତ ପୁରାଣ, ମହାଭାରତ ଓ ବିଷ୍ଣୁ ପୁରାଣରେ ଦେବାସୁରଙ୍କ କ୍ଷୀର ସିନ୍ଧୁ ମନ୍ଥନର ରୋମାଞ୍ଚକ ଆଖ୍ୟାନ ଉଲ୍ଲେଖ ରହିଛି। ଦୁର୍ବାଶା ମୁନିଙ୍କ ଅଭିଶାପ ପାଇ ଇନ୍ଦ୍ର ଓ ଅନ୍ୟ ଦେବତା ଅଭିଶପ୍ତ ହୋଇଥିଲେ। ସେମାନେ ଶକ୍ତି ହରାଇ ଅସୁରଙ୍କ ସହ ଯୁଦ୍ଧରେ ପରାଜିତ ହୋଇଥିଲେ। ପରେ ଅସୁରମାନେ ବିଶ୍ବକୁ ନିୟନ୍ତ୍ରଣ କରିବାକୁ ଲାଗିଲେ। ସଂସାରରେ ସନ୍ତଳନ ରକ୍ଷା ଲାଗି ସମୁଦ୍ର ମନ୍ଥନ ଏକମାତ୍ର ଉପାୟ ଥିଲା। ବାସୁକୀଙ୍କ ମୁଣ୍ଡ ପାର୍ଶ୍ବକୁ ଅସୁର ଓ ଲାଞ୍ଜକୁ ଦେବତାମାନେ ଧରି ସମୁଦ୍ର ମନ୍ଥିଥିଲେ।
ପୌରାଣିକ କାହାଣୀ 'ସମୁଦ୍ର ମନ୍ଥନ'ର ଅନେକ ଗୂଢ ରହସ୍ୟ ରହିଛି, ଯାହାକୁ କଳ୍ପନା ସର୍ବସ୍ବ କହି ସତ୍ୟକୁ ଉପେକ୍ଷା କରାଯାଇ ପାରିବନି। ଏହାର ତତ୍ତ୍ବ ଓ ଐତିହାସିକ ସତ୍ୟ ଅନୁସନ୍ଧାନ ସାପେକ୍ଷ। ମନ୍ଥନ ଅର୍ଥ ଗଭୀର ଅଧ୍ୟୟନର ପ୍ରତିଫଳନ। ସମୁଦ୍ର ମନ୍ଥନ ଜ୍ଞାନର ମନ୍ଥନକୁ ବୁଝାଏ।
ଭାଷା ସାହିତ୍ୟର ବିକାଶ ଧାରାରେ ପୁରାଣ ସାହିତ୍ୟକୁ ଆଦି ଯୁଗର ସର୍ଜନା କୂହାଯାଏ। ଅନେକ ସତ୍ୟ ଓ ବାସ୍ତବ ଘଟଣାକୁ ସାମାଜିକ, ରାଜନୈତିକ ଓ ଦର୍ଶନ ଓ ତତ୍ତ୍ବ ଆଧାରରେ ଯେଭଳି କଳାତ୍ମକ କଳ୍ପନାରେ ଆଙ୍କି ଦିଆଯାଇଛି ତାହାର ପଟାନ୍ତର ନାହିଁ। ଏହାକୁ ସାହିତ୍ୟର ପ୍ରାଣ ବା ଉତ୍ସ କହିଲେ ଅତ୍ୟୁକ୍ତି ହେବନି। ଏଭଳି ପୃଷ୍ଠଭୂମିରେ ତ୍ରେତୟା ଯୁଗରେ ରାମାୟଣ ଓ ଦ୍ବାପର ଯୁଗରେ ମହାଭାରତ ଓ ଗୀତା ଭଳି କ୍ଲାସିକ ସାହିତ୍ୟର ସୃଷ୍ଟି। ଏହା ଭାରତୀୟ ସମାଜ ଜୀବନକୁ ଯୁଗଯୁଗ ଧରି ଋଦ୍ଧିମନ୍ତ, ପରିପୁଷ୍ଟ କରି ଆସିଛି। ଐତିହାସିକମାନେ ପୌରାଣିକ ଅ।ଖ୍ୟାନକୁ ଇତିହାସ ଘଟଣାକ୍ରମ ନୁହଁ ବୋଲି ଦଶାଇ ସତ୍ୟ ମାନିବାକୁ ନାରାଜ। ରାମାୟଣ ବର୍ଣ୍ଣିତ ଶ୍ରୀଲଙ୍କା, ରାମସେତୁ, ଦଣ୍ଡକାରଣ୍ୟ ଓ ରାମଙ୍କ ଜନ୍ମଭୂମି ଅଯୋଧ୍ୟା ଭଳି ଅନେକ ପ୍ରାମାଣିକ ତଥ୍ୟ ରହିଛି। ଏହି ଯୁଗର ସଠିକ ସମୟକାଳ ନିର୍ଦ୍ଧାରଣ ସମ୍ଭବ ହେଉ ନ ଥିବାରୁ ଏହାକୁ ମାନବ ସଭ୍ୟତାର ଇତିହାସର ଅଂଶ ବୋଲି ବିଶ୍ବାସ କରାଯାଉ ନାହି। ତ୍ରେତୟା ଭଳି ଦ୍ବାପର ଯୁଗର ଯମୁନା ନଦୀ, ଗୋପ, ମଥୁରା ଓ କରୁକ୍ଷେତ୍ର ଆଦି ସ୍ଥାନର ଅବସ୍ଥିତି ଏବଂ ସମୁଦ୍ର ଗର୍ଭରେ ଲୀନ ହୋଇଥିବା ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ବାରିକା ନଗରୀର ସନ୍ଧାନ ମିଳିବା ସତ୍ତ୍ବେ ଐତିହାସିକମାନେ ନୀରବ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ସମୁଦ୍ର ଗର୍ଭରେ ଦ୍ୱାରିକା ନଗରୀର ପ୍ରତ୍ନତାତ୍ତିକ ଖନନ ଜାରି ରହିଛି। ସେଠାରୁ ପଥର ଡଙ୍ଗା ଭଳି ନୌବାଣିଜ୍ୟ ସଭ୍ୟତାର ପ୍ରତୀକାତ୍ମକ ନଜୀର ମିଳିଛି। ଏହାର ଐତିହାସିକ ମୂଲ୍ୟ ଓ ପୁରାଣ ସାହିତ୍ୟର ସ୍ବରୂପ ନିର୍ଦ୍ଧାରଣ ଲାଗି କେହି ଧ୍ୟାନ ଦେଉ ନାହାନ୍ତି।
ମାନବ ସଭ୍ୟତାର କ୍ରମବିକାଶ ଧାରାକୁ ଲକ୍ଷ୍ୟ କରି ଐତିହାସିକମାନେ ବିଭିନ୍ନ ପ୍ରାମାଣିକ ତଥ୍ୟକୁ ମୂଲ୍ୟାୟନ କରି ଇତିହାସକୁ ପ୍ରସ୍ତର, କାଂଶ୍ୟ, ଲୌହ, ବ୍ରୋଞ୍ଜ ଅ।ଦି ଯୁଗରେ ବିଭକ୍ତକରି ସମୟକାଳ କଳନା କରିଛନ୍ତି। ସେମାନଙ୍କ ମତରେ ମାନବ ସଭ୍ୟତାର ଆଦି କାଳରେ ମଣିଷ ବଣଜଂଗଲ ଓ ପାହାଡ଼ ଗୁମ୍ଫାରେ ରହୁଥିଲା। ପ୍ରସ୍ତର ଯୁଗରେ ସେମାନେ ପଥର ନିର୍ମିତ ଅସ୍ତ୍ରଶସ୍ତ୍ର ତିଆରିକରି ଆତ୍ମରକ୍ଷା କଲେ। ପରେ ଜଙ୍ଗଲ ଉପରୁ ନିର୍ଭରତା କମାଇ ପଶୁପାଳନ ଆରମ୍ଭ କଲେ। କୁହାଯାଏ ପ୍ରାୟ ଖ୍ରୀଷ୍ଟପୁର୍ବ ୩ହଜାର ୪ଶହ ବର୍ଷତଳେ ମଧ୍ୟପ୍ରାଚ୍ୟର ମେସୋପଟାମିଆ ଅଞ୍ଚଳ ଛାଡି ଆର୍ଯ୍ୟମାନେ ପୂର୍ବ ହିନ୍ଦୁକୁଶ ପର୍ବତମାଳା ପାର ହୋଇ ଭାରତବର୍ଷର ସିନ୍ଧୁ ନଦୀ ଉପତ୍ୟକା ଓ ଅବବାହିକା ଅଞ୍ଚଳକୁ ପ୍ରବେଶ କରିଥିଲେ। ସେମାନେ ଭାରତର ଆଦିମ, ମୂଳ ଅଧିବାସୀଙ୍କୁ ଅନାର୍ଯ୍ୟ ବୋଲି ଅଖ୍ୟା ଦେଇଥିଲେ। ଆର୍ଯ୍ୟମାନେ ସିନ୍ଧୁନଦୀ ପାର ହେବା ବେଳେ ଭାରତର ମୂଳଅଧିବାସୀ ପ୍ରବଳ ବିରୋଧ କରିଥିଲେ। ଉଭୟପକ୍ଷ ମଧ୍ୟରେ ସଂଘର୍ଷ ଘଟିଥିଲା। ଦୀର୍ଘବର୍ଷ ଯୁଦ୍ଧ ହେବା ପରେ ଉଭୟ ପକ୍ଷ ମଧ୍ୟରେ ସନ୍ଧି ହୋଇଥିଲ। ପରେ ସୈନ୍ଧବ ଉପତ୍ୟକା ଓ ନଦୀ ଅବବାହିକାରେ ମିଶ୍ର ସଂସ୍କୃତି ବିକଶିତ ହୋଇ ଉନ୍ନତ ସଭ୍ୟତାର ରୂପ ନେଲା। ଆର୍ଯ୍ୟମାନେ ନଦୀ ଅବବାହିକାରେ ସ୍ଥାୟୀ ବସତି ସ୍ଥାପନ କରି ରହିଲେ। ସେତେବେଳେ ପ୍ରାୟ ବ୍ରୋଞ୍ଜ ସଭ୍ୟତାର ଯୁଗ। ଲୋକେ ପ୍ରଥମେ ଘୋଡା, ହାତୀଙ୍କ ଭଳି କେତେକ ପଶୁଙ୍କୁ ପୋଷା ମନାଇ ଭାରବାହୀ ପ୍ରାଣୀଭାବେ ବ୍ୟବହାର କଲେ। ଏହାପରେ ସାମୂହିକ ପଶୁପାଳନ ପରିବର୍ତ୍ତେ କୃଷିକାର୍ଯ୍ୟ ଆରମ୍ଭ ହେଲା। ସିନ୍ଧୁ ଅବବାହିକାରେ ପ୍ରଥମ କରି ଧାନ ଚାଷ ଆରମ୍ଭ ହୋଇଥିବା କୁହାଯାଏ। ସେଠାରେ ବିକଶିତ ସଭ୍ୟତାକୁ "ସିନ୍ଧୁସଭ୍ୟତା"ର ଯୁଗ ବିଶ୍ବାସ କରାଯାଏ । ମହେଞ୍ଜୋ -ଦାରୋ ଏବଂ ହରପ୍ପା (ବର୍ତ୍ତମାନ ପାକିସ୍ଥାନ ଅଧୀନ)ର ମାଟିତଳୁ ଆବିଷ୍କୃତ ହୋଇଥିବା ସର୍ବପ୍ରାଚୀନ ନଗରୀର ଭଗ୍ନାବେଶଷ ସମସ୍ତଙ୍କୁ ଚକିତ କରେ। ପ୍ରତ୍ନତାତ୍ତ୍ବକ ଖନନ ବେଳେ ତତ୍କାଳୀନ ସମୃଦ୍ଧ ନଗରୀ କିଭଳି ଯୋଜନାବଦ୍ଧ ଥିଲା, ତାହାର ଅନେକ ନଜିର ମିଳିଛି । ମାଟିତଳୁ ନରକଙ୍କାଳ ସମେତ ଦେବଦେବୀ ମୂର୍ତ୍ତି, ଅପୂର୍ବ କଳା ସଂସ୍କୃତିର ନମୁନା ପ୍ରାପ୍ତ ହେଇଛି।
ସିନ୍ଧୁ ଅବବାହିକା ପରେ ଦେଶରୂ ଅନ୍ୟ ନଦୀ ଅବବାହିକାରେ ଅନୁରୂପ ଜନବସତି ବିସ୍ତାରଲାଭ କରିଥିଲା। ଆର୍ଯ୍ୟ ଅନାର୍ଯ୍ୟଙ୍କ ସନ୍ଧି ଓ ସିନ୍ଧୁ ନଦୀ ସଭ୍ୟତାକୁ କଳାତ୍ମକ ରୂପ ଦେଇ ପୁରାଣ ସାହିତ୍ୟରେ "ସିନ୍ଧୁ ମନ୍ଥନ" ଆଖ୍ୟାନ ଭାବେ ସଂଯୋଜିତ ହୋଇଥିବା କେହିକେହି ଅନୁମାନ କରନ୍ତି। ଅବଶ୍ୟ ଏହା ପରିକଳ୍ପନାର ପ୍ରସଙ୍ଗ।
ଆମେ ଧାନ ବା ଶସ୍ୟକୁ ଲକ୍ଷ୍ମୀମାତା କହୁ। ସିନ୍ଧୁ ସଭ୍ୟତା କାଳରେ ଘୋଡା, ହାତୀଙ୍କ ବ୍ୟବହାର , ବିଭିନ୍ନ ଧାତବ ପଦାର୍ଥର ଉଦ୍ଭାବନ ଓ ଜଡିବୁଟି ଚିକିତ୍ସାର ଆରମ୍ଭ ହେବା ସମୁଦ୍ର ମନ୍ଥନରୁ ବାହାରିଥିବା ଲକ୍ଷ୍ମୀଙ୍କ ସମେତ ଅନ୍ୟ ଉପାଦାନ ସହିତ ସମାନତା ରଖୁଛି, ଯାହାକି ଏକ ବିସ୍ମୟ। ମା' ଲକ୍ଷ୍ମୀ ହେଉଛନ୍ତି ସ୍ବୟଂ ଶସ୍ୟମାତା, ଅର୍ଣ୍ଣପୂର୍ଣ୍ଣା। ଆଜି ବି ଘରେ ଘରେ ଲକ୍ଷ୍ମୀ ସ୍ୱରୂପା ଶସ୍ୟକୁ ପୂଜା କରାଯାଉଛି।
ଖିଅ ଖୋଜିଲେ ପୁରାଣ ସାହିତ୍ୟ ଓ କିମ୍ବଦନ୍ତୀର ଅନେକ ରୋଚକ ତଥ୍ୟ ପଦାକୁ ଆସିପାରିବ। ଏଥଲାଗି ଗଭୀର ଅଧ୍ୟୟନ ଓ ଗବେଷଣା ଲୋଡା। ସାହିତ୍ୟ ସର୍ଜନାର ମୂଳତତ୍ତ୍ବ ବେଦ ଉପନିଷଦଠାରୁ ଆରମ୍ଭ କରି ଆମ ପୁରାଣ ସାହିତ୍ୟ ଆତ୍ମାରେ ମାନସ ମନ୍ଥନ ରୂପ ନେଇ ଲୁଚି ରହିଛି। ବିଶ୍ବ ଚେତନାର ଆଧାର ପୁର।ଣ ସାହିତ୍ୟର ପ୍ରାଣ। ଯୁଗଯଗାନ୍ତ ଯାଏ ମାନବଜାତିକୁ ଏହା ଅନୁପ୍ରେରିତ ଓ ଉଦବୁଦ୍ଧ କରୁଥିବ। ଜ୍ଞାନବିଜ୍ଞାନ ଜୀବନର ଏକ ଅନ୍ବେଷା, ଯାହା ପୁରାଣ ସାହିତ୍ୟ ଆମକୁ ମନେ ପକାଇ ଦିଏ।
ଆଧୁନିକ ସାହିତ୍ୟରେ ପୌରାଣିକ ଆଖ୍ୟାନ ଓ ମିଥର ବହୁଳ ବ୍ୟବହାର ଦେଖାଯାଏ। 'ଯାହା ଅ।ମ ସହିତ ଅଛି ତାହା ସାହିତ୍ୟ।' ଜୀବନକୁ ଦେଖିବାର ନୂତନ ଦୃଷ୍ଟିଭଙ୍ଗୀ, ବାସ୍ତବତା, କଳ୍ପନା, ରମ୍ୟଚେତନା, ପରମ୍ପରା ଓ ଭାଷା ସୌଷ୍ଟବ ଏହାର ବଳିଷ୍ଠ ଉପାଦାନ। ସାହିତ୍ୟକୁ ଛାଡି ଜୀବନର ବିକାଶଧାରା କେବେ କଳନା କରି ହେବନି।
