Sriman Bapu

Drama Fantasy Inspirational

3.8  

Sriman Bapu

Drama Fantasy Inspirational

ସିଦ୍ଧାର୍ଥଙ୍କ ସଂକଳ୍ପ

ସିଦ୍ଧାର୍ଥଙ୍କ ସଂକଳ୍ପ

8 mins
549



 ସିଦ୍ଧାର୍ଥ‌ଙ୍କର ୧୯୭୭ ମସିହାରେ ପୁରୀ ଜିଲ୍ଲାର ସମୁଦ୍ର କୂଳିଆ ଏକ ଛୋଟ ଗାଁରେ ଜନ୍ମ । ଚାରିଭାଇ ଆଉ ଗୋଟିଏ ଭଉଣୀ ମଧ୍ୟରୁ ସବା ସାନ ସେ । ବାପା ଥିଲେ ଅଳ୍ପ ଶିକ୍ଷିତ ସାଧାସିଧା କିନ୍ତୁ ଖୁବ୍ ପରିଶ୍ରମୀ ଚାଷୀ ଜଣେ ଆଉ ମାଆ ଥିଲେ ଅତ୍ୟନ୍ତ ସରଳା ସହ ଶ୍ରୀ ଅକ୍ଷର ବର୍ଜିତା  । ଭାଇମାନେ ଚାଷବାସ ସହ ଛୋଟ ମୋଟ ବେପାରରେ ନିଜକୁ ସୀମିତ ରଖିଥିଲେ । ଭଉଣୀ ବଡ଼ ହୋଇ ମାଙ୍କ ପଦାନୁସରଣ କଲା । ସେ ହିଁ ଏକା ତାଙ୍କ ପରିବାରରେ  କିଛି ନୂଆ କରିବାର ଚେଷ୍ଟାରେ ଆଜି ଯାଜପୁର ଜିଲ୍ଲାର ,ତରାପୁର ସ୍ଥିତ ନେତାଜୀ ଉଚ୍ଚ ବିଦ୍ୟାଳୟରେ ଓଡ଼ିଆ ଶିକ୍ଷକ ଭାବେ କାର୍ଯ୍ୟରତ । ଯୌବନରେ ନିଶା ଥିଲା କି ନାଟକ କରିବେ ହେଲେ ତାହା ଏବେ ପୁରୁଣା ପିଲାଳିଆ ସ୍ୱପ୍ନ ଭଳି ଲାଗେ ।


ଗାନ୍ଧିଜୀଙ୍କ ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଦ୍ୟାଳୟରେ ପନ୍ଦର ଦିନିଆ ସ୍ୱଚ୍ଛତା ପକ୍ଷ ପାଳନ କରିବାକୁ ସରକାରଙ୍କ ନିର୍ଦ୍ଦେଶ ଆସିଛି । ବିଭିନ୍ନ ପ୍ରକାରର ସଚେତନତା କାର୍ଯ୍ୟକ୍ରମ ଆଉ ପ୍ରତିଯୋଗିତାର ପରିଚାଳନା ଦାୟିତ୍ଵ ପୂର୍ବ ଭଳି ପ୍ରଧାନ ଶିକ୍ଷକ ତାଙ୍କୁ ଦେଇଛନ୍ତି । ଏଇଟା କେଉଁ ଗୁରୁ ଦାୟିତ୍ବ ନୁହେଁ କି ଚିନ୍ତାର କାରଣ ନୁହେଁ । ହେଲେ ଶିକ୍ଷକ/ଶିକ୍ଷୟିତ୍ରୀ ଠୁଁ ଆରମ୍ଭ କରି ଅଧିକାଂଶ ପିଲାଙ୍କ ମନରେ ଟିକିଏ ହେଲେ ବି ଏସବୁ ପ୍ରତି ଆଗ୍ରହ ନାହିଁ । ସ୍ୱଚ୍ଛତାକୁ ନେଇ ଶିକ୍ଷକ/ଶିକ୍ଷୟିତ୍ରୀ ଠାରୁ ଆରମ୍ଭ କରି ପିଲାଯାଏ ଆଉ ସ୍କୁଲ ବାହାରେ ସମାଜର ଅଧିକାଂଶ ଲୋକଙ୍କର ମାନସିକତା କଥା ଚିନ୍ତା କରି ସେ ଟିକିଏ ବ୍ୟଥିତ ହୋଇପଡ଼ିଛନ୍ତି । ଏଇମିତି ସବୁ ଗାନ୍ଧୀ ଜୟନ୍ତୀ, ନେତାଜୀ ଜୟନ୍ତୀ, ସ୍ୱାଧିନତା ଦିବସ ଆଉ ଗଣତନ୍ତ୍ର ଦିବସ ମାନଙ୍କରେ ସେ ଟିକିଏ ଅଧିକ ଚିନ୍ତିତ ଦେଖା ଯାଆନ୍ତି ପରେ ଧିରେ ଧିରେ ସାଧାରଣ ଅବସ୍ଥାକୁ ଫେରିଆସନ୍ତି ।


ପ୍ରତି ଶ୍ରେଣୀରେ , ଶ୍ରେଣୀ ବାହାରେ ପ୍ରାର୍ଥନା ସଭାରେ , ମଧ୍ୟାହ୍ନ ଭୋଜନ ସମୟରେ ,ସ୍କୁଲର ସବୁ ସାଂସ୍କୃତିକ କାର୍ଯ୍ୟକ୍ରମ ପୂର୍ବରୁ ଆଉ ପରେ ପିଲାଙ୍କୁ ସ୍ୱଚ୍ଛତାର ଗୁରୁତ୍ୱ ସେ ବୁଝାନ୍ତି । ପିଲାଙ୍କୁ ନେଇ ପୂରା ବିଦ୍ୟାଳୟ ପରିସର ସଫା କରାନ୍ତି ସେ ନିଜେ ମଧ୍ୟ ପିଲାଙ୍କ ସହ ଲାଗି ପଡ଼ନ୍ତି । ସେ ଲକ୍ଷ୍ଯ କରିଛନ୍ତି , ସ୍କୁଲରେ ତଳ ଶ୍ରେଣୀର ପିଲା ମାନେ ନିଜକୁ ସିନା ପରିଷ୍କାର ପରିଚ୍ଛନ୍ନ ରଖନ୍ତି ନାହିଁ କିନ୍ତୁ କାମରେ ଲଗେଇ ଦେଲେ ବଡ଼ ଆନ୍ତରିକତାର ସହ କରନ୍ତି । ଉଚ୍ଚ ଶ୍ରେଣୀକୁ ଯେତେ ବଢନ୍ତି ସେତେ ଧିରେ ଧିରେ ତାଙ୍କ ଭିତରେ ଆନ୍ତରିକତା ହ୍ରାସ ପାଏ । ସଫାସଫି କରିବାଟା ଯେମିତି କେବଳ ତଥାକଥିତ ନିମ୍ନଶ୍ରେଣୀଙ୍କ ପାଇଁ ପ୍ରଯୁଜ୍ୟ ବୋଲି ତାଙ୍କ ଭିତରେ ଏକ ଧାରଣା ଦାନା ବାନ୍ଧେ । ହେଲେ ସଫା କରିବ କିଏ ? ଏତେ ବଡ଼ ସ୍କୁଲ , ପାଞ୍ଚଶହରୁ ଉର୍ଦ୍ଧ ପିଲା । ସଫା କରିବା ପାଇଁ କର୍ମଚାରୀ ନାହାନ୍ତି । ସ୍କୁଲରେ ଦୁଇଟି ପିଅନ ସେହିମାନେ ହିଁ ଝାଡୁଦାର । ସେମାନଙ୍କୁ ଆଉ କେତେ ଖଟେଇବ ? 


କାହିଁକି ଆମ ସ୍କୁଲ କଲେଜ ଆଉ ଅଫିସରେ ସ୍ୱତନ୍ତ୍ର ସଫେଇ କର୍ମଚାରୀ ଆମେ ଖୋଜନ୍ତି ? ଏସବୁ କାମ ଗୋଟିଏ ତଥାକଥିତ ଜାତିର ଲୋକେ ପୁରୁଷ ପୁରୁଷ ଧରି କାହିଁକି କରିବେ ? ତାଙ୍କର କ'ଣ ଆଉ କିଛି ଅଲଗା ସ୍ୱପ୍ନ ଦେଖିବାର ଅଧିକାର ନାହିଁ ? ଏଇମିତି ନାନାଦି ପ୍ରଶ୍ନ ତାଙ୍କୁ ବିବ୍ରତ କରେ ।


ଏଇ କିଛି ବର୍ଷ ତଳେ ଭାରତ ସ୍ୱଚ୍ଛତା ଅଭିଯାନ ଉପଲକ୍ଷେ ତାଙ୍କ ବିଦ୍ୟାଳୟରେ ଚାରିଟି ନୂଆ ଟଏଲେଟ୍ ତିଆରି ହୋଇଥିଲା । ତିନି ବର୍ଷ ହେଲାଣି ଚାବି ପଡ଼ି ଅଛି । ଶିକ୍ଷକ ଶିକ୍ଷୟିତ୍ରୀ ଆଉ ଛାତ୍ର ଛାତ୍ରୀ ସେଇ ପୁରୁଣା ଭଙ୍ଗା ମଇଳା ଟଏଲେଟ୍ ବ୍ୟବହାର କରନ୍ତି କେବେ କିଏ ଅଫିସର୍ ଆସିଗଲେ ସେହି ନୂଆ ଟଏଲେଟ୍ ଖୋଲିଦିଆ ଯାଏ । ସ୍ୱଚ୍ଛତା ପକ୍ଷ ପାଳନ ସମୟରେ ଶିକ୍ଷକ/ଶିକ୍ଷୟିତ୍ରୀ ସେଇଠି ପାଣି ଢ଼ାଳି ସଫା କରିବାର ଜୀବନ୍ତ ଅଭିନୟ କରନ୍ତି ଆଉ ତା'ର ଫଟୋ ଉଠେଇ ପଠେଇ ଦିଆଯାଏ । ପୁରୁଣା ଟଏଲେଟ୍ ସେମିତି ପଡ଼ିଥାଏ । 


ସେ ନିଜେ ବାହାଦୂରୀ ମାରି ଦୁଇ ତିନିଥର ଯାଇ ସେ ପୁରୁଣା ଟଏଲେଟରେ ପାଣି ଢ଼ାଳି ସଫା କରିଥିଲେ । ଦୂରରୁ ସମସ୍ତେ ଠିଆ ହୋଇ ଟିକିଏ ଅନେଇ ଦେଇ ପଳେଇ ଯାଇଥିଲେ କେହି ପାଖକୁ ଆସିଲେନି ତାଙ୍କର ଏ ତୁଚ୍ଛ କି ମହାନ୍ କାର୍ଯ୍ୟରେ ସାହାଯ୍ୟର ହାତ ବଢ଼ାଇବା ପାଇଁ ‌। କେବଳ ତାଙ୍କର କେତେଜଣ ପ୍ରିୟ ଛାତ୍ରଛାତ୍ରୀ ଧାଇଁ ଆସିଥିଲେ ତାଙ୍କ ଓଡ଼ିଆସାରଙ୍କ ଏଭଳି ଶୋଚନୀୟ ଅବସ୍ଥା ଦେଖି । ପିଲାଙ୍କୁ ଟଏଲେଟ୍ ସଫା କରାଇବା ଖବରଟି ଯଦି କିଏ ତେଲ ମସଲା ଦେଇ ବାହାରେ ପ୍ରକାଶ କରିଦେଲା ତେବେ ସେ ସାତ ପାଞ୍ଜିରୁ ଯିବେ ତେଣୁ ପିଲାଙ୍କୁ ବାରଣ କରିଥିଲେ । 


ତାଙ୍କର ଏଭଳି ଗୋଷ୍ଠୀ ଛଡ଼ା କାମ ପାଇଁ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ତାଙ୍କୁ ନାପସନ୍ଦ କରନ୍ତି , ପଛରେ କଳିଯୁଗର ଗାନ୍ଧୀ ଆଉ ପାଗଳ କହି ସମାଲୋଚନା କରନ୍ତି । ପିଲାମାନେ କେଉଁଠି ଶୁଣି ତାଙ୍କ ପଛରେ ସେଇ ନାମରେ ସମ୍ବୋଧନ କରନ୍ତି । ଏକଥା ତାଙ୍କୁ ଯେତିକି ବିବ୍ରତ ନକରେ ଲୋକଙ୍କ ଏ ଯେଉଁ ମାନସିକତା କି ଆମେ କେବଳ ଆମ ନିଜ ଦେହ , ଘରକୁ ସଫା କରିବୁ ବାକି ସବୁ ଆମ ପରିସରରେ ବାହାରେ ଆଉ ଏସବୁ ସରକାରଙ୍କ ଦାୟିତ୍ଵ ।

  

 ଦିନେ ହେଡମାଷ୍ଟର ତାଙ୍କୁ ବ୍ୟକ୍ତିଗତ ଭାବେ ଡାକି କହିଲେ, ସିଦ୍ଧାର୍ଥ ସାର୍ ! ଦେଖନ୍ତୁ ଆପଣଙ୍କ ଉଦ୍ଦେଶ୍ୟ ମହତ୍ ହେଲେ ବି କେତେ ଦିନ କରିବେ ? ଟିକିଏ ବାସ୍ତବବାଦୀ ହୁଅନ୍ତୁ । ଆପଣଙ୍କୁ ଏ ସବୁ କାମ ଶୋଭା ପାଉଛି ? ସେବେ ଠୁ ଦୁଇବର୍ଷ ହେବ କେବଳ ସେ ନିଜେ ପରିସ୍ରା ଗଲେ ଭଲଭାବେ ପାଣି ପକେଇ ଆସନ୍ତି ।


ସ୍ୱଚ୍ଛତା ପକ୍ଷ ସମୟରେ କେବଳ ସ୍କୁଲରେ ଫିନାଇଲ୍ ,ସାବୁନ୍ ଆଉ ହ୍ୟାଣ୍ଡ ୱାଶ୍ କିଣାଯାଏ ।ବାକି ସମୟରେ ଏହା ଅତିରିକ୍ତ ଆଉ ନିଷ୍ପ୍ରୟୋଜନ ଖର୍ଚ୍ଚ ଭାବି ସ୍ଥଗିତ କରାଯାଏ। ଅପ୍ରିୟ ହେଲେ ବି ସତ କଥା କି କୁଆଡୁ ଆସିବ ଏତେ ପଇସା ? ତେଣୁ ଏହି ସ୍ୱଚ୍ଛତା ପକ୍ଷ ପାଳନ ସମୟରେ ଟିକିଏ ଟିକିଏ ପିଲାଙ୍କ ହାତରେ ହ୍ୟାଣ୍ଡ ୱାଶ୍ ଚିପିଦେଇ ଫଟୋ ନିଆ ଯାଏ । ଝାଡୁ ଧରି ସାର୍ ଆଉ ଦିଦିମାନେ କେବେ ମିଶିକି ତ କେବେ ଅଲଗା ଆଉ କେବେ ପିଲାଙ୍କ ସହ ସେଲ୍ଫି ଉଠାଇ Facebook ଆଉ WhatsAppରେ ସେୟାର କରନ୍ତି । ବାସ୍ ସ୍ୱଚ୍ଛତା ପର୍ବ ଏଇମିତି ସୁରୁଖୁରୁରେ ସରିଯାଏ । ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପାଇଁ ଏ ଗୋଟିଏ ବେକାର ତାମସା । ଆରେ , ସଫା କରିବା ପାଇଁ ଲୋକ ରଖିବ ନାହିଁ ସଫା କିଏ କରିବ ? ଖାଲି କ'ଣ ସ୍ୱଚ୍ଛତା ଦିବସରେ ଝାଡୁ ଧରିଦେଲେ ସବୁ ଏକା ବେଳେକେ ସଫା ହୋଇଯିବ ? ଆମେ ଏଠି ପାଠ ପଢ଼େଇ ଆସିଛୁ ନା ସଫା କରିବାକୁ ଆସିଛୁ ବା ? 



ସିଦ୍ଧାର୍ଥଙ୍କ ମନେପଡ଼େ ପିଲାବେଳର କଥା , ତାଙ୍କ ଗାଁ ଆଉ ସ୍କୁଲ କଥା । ଗାଁରେ ପିଲାବେଳେ କେବେ ସ୍ୱଚ୍ଛତାକୁ ନେଇ ସେ ବିଶେଷ ଚିନ୍ତା କରିନଥିଲେ । ମାଆ ବାପାଙ୍କ ଆକଟ ଶୁଣି ଆଉ ବଡ଼ ଭାଇ ଭଉଣୀ ମାନଙ୍କୁ ଦେଖି ଖାଇବା ପୂର୍ବରୁ ମାଟି କି ପାଉଁଶରେ ଭଲ କରି ହାତ ଧୋଇ ଖାଇବା । ନଖ କାଟିବା ,ବାହାରୁ ଆସିଲେ ଗୋଡ଼ ହାତ ଧୋଇ ଘରେ ପଶିବା । ଏତିକି ଭିତରେ ସିନା ତାଙ୍କର ସ୍ୱଚ୍ଛତା ଜ୍ଞାନ ସୀମିତ ଥିଲା କିନ୍ତୁ ମା ତାଙ୍କର ଲାଗିଥିବେ ଭୋର ଚାରିରୁ ରାତି ଦଶ ଯାଏ , ରୋଷେଇ କରିବା ସହ ସଫା ସଫି ,ଲିପା ପୋଛା , ଧୁଆ ପଖଳାରେ । ଅଗାଧୁଆ ହାଣ୍ଡିଶାଳରେ ପ୍ରବେଶ ସମସ୍ତଙ୍କ ପାଇଁ ଏବେ ବି ନିଷେଧ ! 


ଗାଁ ପରିଷ୍କାର ‌ରହିବାର ତିନିଟି ମୁଖ୍ୟ କାରଣ ଥିଲା । ପ୍ରଥମଟି ହେଲା ସମସ୍ତେ ନିଜ ନିଜର ଘର ଆଉ ଦାଣ୍ଡକୁ ସଫା ରଖୁଥିଲେ ସେତେବେଳେ ବେଶି ତୋର ମୋର ନିତି ନଥିଲା । ଦ୍ୱିତୀୟ ଟି ହେଲା ଗାଁରେ ସିମେଣ୍ଟ ତିଆରି ଡ୍ରେନ୍ ସେତେବେଳେ ନଥିଲା , ବର୍ଷା ଦିନେ ଗାଁ ଦାଣ୍ଡ ଆଉ ନାଳରେ ପାଣି ବହି ଯାଉଥିଲା । ତୃତୀୟ ଆଉ ସବୁଠୁ ବଡ଼ କାରଣଟି ହେଲା ଏବେ ଗାଁ ଗାଁ ରେ ସରକାରଙ୍କ ସୁଚିନ୍ତିତ ଯୋଜନା ଅନୁଯାୟୀ କଂକ୍ରିଟ ରୋଡ଼ ସହ ଡ୍ରେନ୍ ନିର୍ମାଣ କରାଯାଉଛି । ଏହା ଗାଁର ବିବିଧତା ପୂର୍ଣ୍ଣ ଭୌଗୋଳିକ ସଂରଚନାକୁ ନବୁଝି ସହର ଅନୁକରଣରେ ସିମେଣ୍ଟ ଡ୍ରେନ୍‌ ଆଉ ପକ୍କା ରାସ୍ତା ସବୁ ନିର୍ମାଣ କରି ଦେଲେ । ପୂର୍ବରୁ ଯେତେ ବର୍ଷା ହେଲେ ବି ଦୁଇଘଣ୍ଟାରେ ପାଣି ସବୁ ବହିଯାଏ ବା ଶୁଖିଯାଏ । କଂକ୍ରିଟ ରାସ୍ତା ଯୋଗୁଁ ଏବେ ବେଙ୍ଗ ମୁତିଲେ ବି ପାଣି , ଡ୍ରେନରେ ସେମିତି ବର୍ଷ ସାରା ଅଳିଆ ଆବର୍ଜନା ଆଉ ପଚାଶଢା ପାଣି ଭରି ରହୁଛି ତାକୁ ସଫା କରିବ କିଏ ? ଅଙ୍ଗନବାଡ଼ିକୁ କାଳେ ଏ ଦାୟିତ୍ଵ ଦିଆଯାଇଛି ।


ଗାଁର ଡ୍ରେନ୍ ସବୁ ଯାମ୍ ହେବାର ମୁଖ୍ୟ କାରଣ କୁଢ଼ା କୁଢ଼ା ପ୍ଲାଷ୍ଟିକ୍ । ସବୁଠୁ ବଡ଼ ସମସ୍ୟା ତ ହେଲା ଏହି ପ୍ଲାଷ୍ଟିକ । ଗାଁ ଠୁଁ ସହର‌ ନଈ ନାଳ ସମୁଦ୍ର ପାହାଡ଼ ଜଙ୍ଗଲ ସବୁଠି ଏବେ ପ୍ଲାଷ୍ଟିକର ତାଣ୍ଡବ । ତାଙ୍କ ପିଲାବେଳେ ପ୍ଲାଷ୍ଟିକର ବହୁଳ ବ୍ୟବହାର ନଥିଲା । କେବଳ ସହରରୁ କିଏ କେମିତି କେବେ ଶାଢ଼ୀ ଆଉ ପୋଷାକ ଆଣୁଥିଲେ ତା'ସହ ଚକଚକିଆ ଜରିର ଥଳି ଖଣ୍ଡେ ଆଣୁଥିଲେ । ସେ ଜରି ଖଣ୍ଡକୁ ଲୋକେ ବର୍ଷ ବର୍ଷ ଖୁବ୍ ଯତ୍ନର ସହ ସମ୍ଭାଳି ରଖୁଥିଲେ । ଏବେ ବି ତାଙ୍କ ପୁରୁଣା କାଠ ଆଲମିରାରେ ତାଙ୍କ ମାଆଙ୍କ ଶାଢ଼ୀ ବାପାଙ୍କ ଧୋତି କାମିଜ ଆଉ ତାଙ୍କ ପିଲା ବେଳର କିଛି ପୋଷାକ ମାଆ ସେମିତି ସେହି ପୁରୁଣା ଜରିରେ ସମ୍ଭାଳି ରଖିଛି । ସେବେ ଏବେ ର ବ୍ୟବହାର କର ଆଉ ଫିଙ୍ଗି ଦିଅ ବା "use and throw" ସଂସ୍କୃତି ନଥିଲା । ତାଙ୍କ ବଡ଼ ଭାଇଙ୍କ କଲମ ବହି ଖାତା ପୋଷାକ ସବୁ ସେ ବ୍ୟବହାର କରିଛନ୍ତି ।


ଏବେ ତାଙ୍କ ଘରେ ସ୍ତ୍ରୀଙ୍କର ଗୋଟିଏ ଆଲମିଲାରେ ଶାଢ଼ୀ ଭର୍ତ୍ତି ହୋଇ ରହିଛି କିନ୍ତୁ ସବୁବେଳେ ତାଙ୍କ ଦୁଃଖ ଆଉ ଅଭିଯୋଗ ଯେ ଭଲ ଶାଢ଼ୀ ଖଣ୍ଡେ ନାହିଁ ପିନ୍ଧିବାକୁ । ଛୁଆ ବୋଲି ଗୋଟିଏ ବାର ବର୍ଷର ପୁଅ ତା'ର ବି ସେମିତି ହଳ ହଳ ପୋଷାକ ,ଜୋତା ,ଖେଳନାରେ ଘର ଭର୍ତ୍ତି ତଥାପି ନାହିଁ ନାହିଁ  ଆଉ  ଆଉ ! ସିଦ୍ଧାର୍ଥଙ୍କ ସରଳ ନିରାଡମ୍ବର ଜୀବନକୁ ସ୍ତ୍ରୀ ତାଙ୍କର ଜମ୍ମା ପସନ୍ଦ କରନ୍ତିନି ଆଉ ତାଙ୍କର ସାଦାସିଧା ବେଶଭୂଷା ପାଇଁ ତାଙ୍କୁ ସବୁବେଳେ ସମାଲୋଚନା କରିବା ସହ ଭାରି ଲଜ୍ଜିତ ମଧ୍ୟ ଅନୁଭବ କରନ୍ତି ।  


ତାଙ୍କୁ ଲାଗେ ତାଙ୍କ ସମୟରେ ସ୍ୱଳ୍ପତା ଆଉ ଦାରିଦ୍ର୍ୟତା ମଣିଷକୁ ସହଜ ସରଳ ଜୀବନ ବଞ୍ଚିବା ର ଶିକ୍ଷା ଦେଉଥିଲା । ଥିବାବାଲା ବି ସେଇମିତି ସରଳ ଅନୁଶାସିତ ଜୀବନ ବଞ୍ଚିବାକୁ ପସନ୍ଦ କରୁଥିଲେ । ଅନ୍ଯର ଡାହାଣୀ ନଜରରେ ପଡ଼ିବାକୁ ଲୋକେ ଡରୁଥିଲେ । ଏବେ ଆମର ଖାଉଟି ସର୍ବସ୍ବ ଆଉ ଶିଳ୍ପ ଭିତ୍ତିକ ସମାଜରେ ତ ଡାହାଣୀ ଆଖିରେ ପଡ଼ିବା ପାଇଁ ଲୋକେ ବ୍ଯାକୁଳ । Instagram , Facebook, WhatsApp ରେ ଯେତେ ଲୋକେ ଦେଖିବେ ଆଉ like comments କରିବେ ସେତେ ତୁମେ ଆକର୍ଷଣୀୟ ପରିଗଣିତ ହେବ । 


ପିଲା ବେଳେ ତାଙ୍କର ଭାରି ଇଚ୍ଛା ଥିଲା ତାଙ୍କୁ ଖଣ୍ଡେ ଜରିର ଥଳି ମିଳନ୍ତା କି । ସ୍କୁଲରେ କେବେ କିଏ ତାଙ୍କ ସାଙ୍ଗ ମଧ୍ୟରୁ ବ୍ୟାଗ୍ ରେ ପୂରେଇ ଆଣନ୍ତି , ଆଣିଥିବା ପିଲାଟିର ଛଇ ସେଦିନ ଅଧିକ । କାହାରିକୁ ଛୁଆଁଇ ଦେବନି କେବଳ ଅତି ଘନିଷ୍ଠ ବନ୍ଧୁ ମାନଙ୍କୁ ସେ ସୁଯୋଗ ମିଳେ । ମାଆକୁ ସେ କେତେଥର ମାଗିଛନ୍ତି , ହେଲେ ଜରି ଘରେ କାହିଁ ? ଯେଉଁ ତିନି ଚାରି ଖଣ୍ଡ ଥିଲା । ସେଥିରୁ ଖଣ୍ଡେ ରେ ବାପା ତାଙ୍କର ଅତି ଜରୁରୀ କାଗଜ ପତ୍ର ରଖନ୍ତି ଆଉ ତିନି ଖଣ୍ଡରେ ମାଆ ତା'ର ସବୁଠୁ ପ୍ରିୟ ଶାଢ଼ୀ ଆଉ ଭାଇଭଉଣୀଙ୍କ ସବୁଠୁ ମୂଲ୍ୟବାନ ପୋଷାକ ସବୁ ସାଇତି ରଖିଥିଲେ । କେବେ ବାହାରକୁ ଯିବାରେ ହେଲେ ପିନ୍ଧା ହେବ । ତାଙ୍କୁ ସେବେ ଜରିର ଥଳି ରେ ଖଣ୍ଡେ ମିଳି ନଥିଲା । ମାଆ ପାଖରେ ଥରେ ସେ ଜିଦ୍ କରିଥିଲେ । ଅପାଠୁଆ ମାଆ କ'ଣ କହି ତାଙ୍କୁ ସେବେ ବୁଝେଇ ଦେଇଥିଲେ ଏବେ ମନେ ନାହିଁ ହେଲେ ସେବେଠୁ ତାଙ୍କର ଜରିର ଥଳି ପ୍ରତି ମୋହ ଛାଡ଼ି ଯାଇଥିଲା । ଆଉ ଏବେକା ପିଲା , ଯାହା ମାଗିବେ ସାଙ୍ଗେ ସାଙ୍ଗେ ଦରକାର ଆଉ ଏବେକା ବାପାମାଆ ବି ପୂରଣ କରିବା ପାଇଁ ଖୁବ୍ ତତ୍ପର ଆଉ ଯୋଗ୍ୟ ।


ସେ ଗାଁ ସ୍କୁଲରେ ପଢୁଥିବା ସମୟରେ ସବୁଦିନ ପ୍ରାର୍ଥନା ପରେ ସଫେଇ କାର୍ଯ୍ୟ ,ଖେଳଛୁଟି ପରେ ବଗିଚା କାମ । କେଉଁଠି ଗୋଟିଏ କାଗଜ ଟୁକୁଡ଼ା ଦେଖିଲେ ତାଙ୍କ ହେଡ୍ ମାଷ୍ଟ୍ରେ ନୀରବରେ ଉଠେଇ ନେଇ ଅଳିଆ ଦାନାରେ ପକେଇବେ । ପିଲାମାନଙ୍କୁ ଅନ୍ୟ ଶିକ୍ଷକଙ୍କୁ ଦେଖି ସେତେବେଳେ ଖରାପ ଲାଗୁଥିଲା । ସିଦ୍ଧାର୍ଥ ଏହି ମହାନ ଗୁଣଟି ମନେପକାଇ ସ୍କୁଲରେ ପ୍ରୟୋଗ କରନ୍ତି ହେଲେ ଏବେର ମାହୋଲ୍ ଅଲଗା । ପିଲାମାନେ ସେଇ ବାଟଦେଇ ପଳେଇ ଯିବେ ତିଳେ ମାତ୍ର ଦୃଷ୍ଟି ଦେବେନାହିଁ । ସେଇଠି ପିଲା ସବୁ ଠିଆ ହୋଇଥିବେ ,ଦେଖୁଥିବେ ହେଲେ ଆଗେଇ ଆସି କାଗଜ ଖଣ୍ଡିଏ ଉଠେଇବେ ନାହିଁ । ସେଇଥି ପାଇଁ ବୋଧ ହୁଏ ସେତେବେଳେ ସ୍ୱଚ୍ଛତା ଅଭିଯାନ ଚଳେଇବା ଆବଶ୍ୟକତା ନଥିଲା । ଲୋକଙ୍କ ସେତେବେଳେର ସରଳ , ସ୍ୱଳ୍ପ ସମ୍ବଳ, ସ୍ୱଳ୍ପ ଆବଶ୍ୟକତା ଆଉ ପ୍ରାକୃତିକ ଜୀବନ ଶୈଳୀରେ ବର୍ଜ୍ୟବସ୍ତୁର ସ୍ଥାନ ନଥିଲା ।


ଏବେ ଯୁଆଡେ ଦେଖ ବର୍ଜ୍ୟବସ୍ତୁର ଢେର୍ । ତାଙ୍କର ମନେ ପଡୁଛି ଦିଲ୍ଲୀରେ କିଛି କାଳ ଥିବା ବେଳେ ତାଙ୍କର କିଛି ସାଙ୍ଗଙ୍କ ସହ ଗାଜିପୁର କୁଢ଼ା ପାହାଡ଼ ଦେଖିବାକୁ ଯାଇଥିଲେ । ଦୂରରୁ ବିଶାଳ ପାହାଡ଼ଟିକୁ ଦେଖି କିଛି ସମୟ ସେ ସ୍ତବ୍ଧ ହୋଇଯାଇଥିଲେ ! ଗୋଟିଏ ସହରର ଅତୃପ୍ତ ଭୋଟର ଆଉ ଭକ୍ଷଣର ମୁକସାକ୍ଷୀ ଯାହା ଦ୍ରୁତ ଗତିରେ ଆକାଶ ମୁହାଁ ହୋଇ ବଢ଼ି ଚାଲିଛି । କୁଆଡ଼େ ଯାଉଛି ମଣିଷ ? ସବୁଆଡେ ସେହି ଅବସ୍ଥା ! ନଦୀ ,ଜଙ୍ଗଲ , ସମୁଦ୍ରରେ ବିନାଶ ମୁଖୀ ଆଜିର ଜୀବଜଗତ ! ମଣିଷର ବର୍ଜ୍ୟବସ୍ତୁ ଆଉ ପ୍ଲାଷ୍ଟିକର ଢେର୍ ତଳେ ଚାପି ହୋଇ ଅଣନିଃଶ୍ବାସୀ ହୋଇ ତ୍ରାହି ମାମ୍ , ତ୍ରାହି ମାମ୍ ଡାକୁଛି ! ସବୁ ଦେଶର ରାଜନେତା ଏପଟେ ଡାକରା ଦେଉଛନ୍ତି ଖାଅ ଖାଅ , ମର ମାର ଆଉ ଯୁଦ୍ଧ କର ! 


ସ୍କୁଲ୍ ଛୁଟି ହେବା ପରେ ଏମିତି ସବୁ ଚିନ୍ତା କରି କରି କିଛି ଦୂରରେ ଥିବା ତାଙ୍କର ଅତି ପ୍ରିୟ ବ୍ରାହ୍ମଣୀ ନଦୀର ଏକ ନିର୍ଜନ କୂଳକୁ ଅନ୍ୟମନସ୍କ ଭାବେ ଟାଣି ହୋଇ ଆସିଥିଲେ । ସନ୍ଧ୍ୟା ଆଗତ , ଶାନ୍ତ ପରିବେଶ ତା'ସହ ନଦୀର କୁଳୁ କୁଳୁ ନାଦ ତାଙ୍କ ମନକୁ ଶାନ୍ତ କଲା । ସେ ଭାବିଲେ ମୁଁ କ'ଣ କରିପାରିବି ଏକା ? ମୁଁ ତ ସାମାନ୍ୟ ଗୁଣ୍ଡୁଚିମୂଷାଟିଏ ! ଦୀର୍ଘ ନିଃଶ୍ଵାସଟିଏ ଛାଡ଼ି ସେ ସଂକଳ୍ପ କଲେ , ସେ ଆଜିଠୁ ତାଙ୍କର ଜୀବନ ଶୈଳୀରେ ବାହ୍ଯ ପରିବର୍ତ୍ତନ ଆଣିବେ ନାହିଁ । ଏହି ବଜାର ଭିତ୍ତିକ ସମାଜର ମିଛ ଚାକଚକ୍ଯରେ ପ୍ରଲୁବ୍ଧ ହେବେନାହିଁ । ବରଂ ସେ ଯଥା ସମ୍ଭବ ଚେଷ୍ଟା କରିବେ ଆହୁରି ସହଜ ସରଳ ନିରାଡମ୍ବର ଜୀବନ ବଞ୍ଚିବା ପାଇଁ ଶେଷ ଯାଏ । ଆଉ ଏ ପ୍ଲାଷ୍ଟିକ ଠାରୁ ବି ଯଥାସମ୍ଭବ ଚେଷ୍ଟା କରିବେ ଦୂରତା ରକ୍ଷା କରିବାକୁ ।





Rate this content
Log in

Similar oriya story from Drama