ଶୁଖିଲା ନଈର ଓଦା କାହାଣୀ
ଶୁଖିଲା ନଈର ଓଦା କାହାଣୀ
ମ୍ୟାଡ଼ାମ୍ !
ହୁଁ ! ଅନ୍ୟମନସ୍କ ଭାବରେ କହିଲା ରୀତା । ପୁଣି ଥରେ ଡାକିବାରୁ ମୁହଁ ଫେରେଇ ଚାହିଁଲା ସେ । ଆଖିକୁ ବିଶ୍ୱାସ କରିପାରୁନି । ମୁହଁଟା ଚିହ୍ନା ଚିହ୍ନା ଲାଗୁଛି ତାକୁ । ଯେମିତି ଲାଗୁଛି ଅତି ଆପଣାର । କିନ୍ତୁ ଏତେ ପାଖରେ ଥାଇକି ବି ଯୋଜନ ଦୂରତ୍ୱର ବ୍ୟବଧାନ ଦୁହିଁଙ୍କ ରିତରେ, ସେ କଥାର ଟେର୍ ସେ ପାଇପାରୁନି । ମନର ବେଳା ଭୂମିରେ ଛୋଟ ବଡ଼ ପ୍ରଶ୍ନର ଢେଉ ସବୁ ମଥା ପିଟି ପୁଣି ଫେରିଯାଉଛନ୍ତି ଅତଳ ଗର୍ଭକୁ, ଲୀନ ହେବା ଆଶାରେ । ନା, ଶତଚେଷ୍ଟା ସତ୍ତ୍ୱେ ବି ସେମାନେ ଶେଷ ହେଇ ପାରୁନାହାନ୍ତି, ପୁଣି ଫେରି ଆସୁଛନ୍ତି ବେଳାଭୂଇଁକୁ, ସ୍ମୃତିର ଅଧରରେ ସୁନେଲୀ ଚୁମ୍ବନ । ନଈ ପଠାରେ ରୁପେଲି କାଶତଣ୍ଡି ଫୁଲ ସବୁ ପବନରେ ଦୋଳି ଖେଳୁ ଖେଳୁ ଆଖି ମିଟିକା ମାରି ଟିକଲ କରୁଛନ୍ତି ତା’ର ଅପାରିଲାପଣିଆକୁ ଦେଖି । ତା’ରି ଭିତରୁ ସେ ବାଙ୍ଗେରି ଖଣ୍ଡିକ ମହାନ୍ ଖଣ୍ଡେ । ସତେ ଯେପରି ଛିଗୁଲେଇ କହୁଛି, କ’ଣ ରୀତା ଭୂଲିଗଲୁ ସବୁ, ଆମେ ତ କିଛି ଭୂଲିନୁ, ଆମର ବି ଦାଦୀ, ପଣ ଦାଦୀ ସବୁ ଗଲେଣି, ହେଲେ ଏଇ ଭିଟାମାଟିରେ ଆମେ ଜାହିର କରି ରଖିଛୁ ଆମର ଅସ୍ତିତ୍ୱ । ତତେ ତ ଦେଖୁ ଦେଖୁ ଆମେ ଚିହ୍ନିଗଲୁ । ହେଲେ ତୁ ? ତୋ’ ନିଜର ପ୍ରିୟ ବନ୍ଧୁ ପରିଜନଙ୍କୁ ବି ଜାଣିପାରୁନୁ ? ସମୟ ସୁଅରେ ତୋ’ ସ୍ମୃତିଟା ବି କ’ଣ ଭାସି ଭାସି ଏତେ ଦୂରକୁ ଚାଲିଯାଇଛି ଯେ, ଆଉ ଲେଉଟାଣି ଦେଇ ଆସିପାରୁନି ତୋ’ ସାଥିରେ !
ଏକ ବିକଳିଆ ଦୃଷ୍ଟିରେ ଚାହିଁ ରହିଛି ରୀତା ଫୁଲଗୁଡ଼ିକୁ । କ’ଣ ସମ୍ପର୍କ ଏମାନଙ୍କ ସହ ? ଏମାନେ ବି ଖୁବ୍ ନିଜର ଲାଗୁଛନ୍ତି । କାକୁତିଭରା ଚାହାଣୀ ରୀତାର । ଆରେ, ଫୁଲ ! ମନେ ପକେଇ ଦେନା !! ଏତେ କପଟ କାହିଁକି ? ଅସ୍ୱସ୍ଥି ଲାଗୁଛି । କ’ଣ ଭାବିବ ସେ ଲୋକଟା ?
ଆଚ୍ଛା !
ଲୋକଟା ! ହଁ, ତୁ ଏବେ ବିଦେଶିନୀ ନା; ତତେ ଗାଁର ସମସ୍ତେ ପରପୁରା ମଳିମୁଣ୍ଡିଆ ଲୋକ ଭଳି ଲାଗିବେ, ହଲିଲା ପବନରେ ଝୁଲି ଝୁଲି କହିଲା ସେ ଡେଙ୍ଗୀ କାଶତଣ୍ଡୀଟି ।
ସ...ରି ବାବା ! ଭୂଲ୍ ହେଇଗଲା । ଏବେ ତ କୁହ । ଖରାପ ଲାଗୁଛି, ମୁଁ ତାଙ୍କୁ କିଛି କହିପାରୁନି ।
ହଉ, ଦଣ୍ଡେ ଆଖି ବନ୍ଦ କର । ମନେ ପକା, ଏଇ ନଈକୂଳରୁ ଘର ଫେରନ୍ତା ବାଟରେ ତତେ ସେ ସାପ ମୁହଁରୁ ବଞ୍ଚେଇଥିଲା ...
ମଣିଷ ଉଚ୍ଚ ସ୍ମୃତିର ଢେଉ ସବୁ କହୁଥିଲେ କଚାଡ଼ି ହୋଇପଡ଼ିଲେ । ସବୁ କିଛି ଜଳ ଜଳ ଦେଖାଗଲା ଆଖି ଆଗରେ । ଯେମିତି କି କଳା ବାଦଲଟା ଭାସିଗଲା ଜହ୍ନ ଠୁ ଦୂରେଇ ଦୂରେଇ ... ।
ସନା ଭାଇ ! କାଠଟା ଭଳି ଠିଆ ହେଇଛ, ରୀତା ବୋଲି ନକହି ମ୍ୟାଡ଼ାମ୍ କ’ଣ କହୁଛ ? ଏତେ ପର ହେଇଗଲି ??
ଚିହ୍ନି ପାରିଲୁ ? ସାହାସ ହେଲାନି ଲୋ, ତତେ ନାଁ ଧରି ଡାକିବାକୁ । ଗାଁ ଦାଣ୍ଡରେ ଦେଖିଲି ଚକଚକିଆ ବଡ଼ ଗାଡ଼ିଟିଏ ଠିଆ ହେଇଛି କଡ଼ପଟିଆ କରି । ଏମିତି ଗାଡ଼ି ବୋଧହୁଏ ଏ ଖଣ୍ଡ ମଣ୍ଡଳରେ କେହି ଦେଖିନଥିବେ । ପାଖରେ ଠିଆ ହେଇଥିବା ପିଲାଟିକୁ ପଚାରିବାକୁ ବି କାହାର ସାହାସ ହେଉନଥାଏ- କିଏ ସେ, କୁଆଡ଼େ ଆସିଛି, କାହାର ଗାଡ଼ି । ଶେଷରେ ମତେ ସଭିଏଁ ଠେଲିପେଲି ପଠେଇଲେ । ତାଠୁ ସବୁ ବୁଝି ଧାଇଁ ଆସିଛି ମୁଁ ଏ ନଈ ପଠାକୁ । ମୁଁ ଜାଣେ, ତୁ ତତଲା ବାଲିଟାରେ ଖାଲି ସେମିତି ବସିଯାଇଥିବୁ ।
ଚେନାଏ ନିଛକ ହସ ଝରେଇ ତା’ ହାତରୁ ଏକରକମ ଭିଡ଼ିଆଣିଲା ରୀତା ଖଜୁରୀ ସପଟିକୁ । ପାରିଦେଇ ସେଇ ବାଲି ଉପରେ ଖୁବ୍ ଆରାମରେ ବସିଗଲା । ମୁହଁ ବୁଲେଇ ଦେଖିଲା ପୁଣି ଥରେ ଫୁଲ ଗୁଡ଼ିକୁ- ହସୁଛନ୍ତି ଏବେ । ତାଙ୍କ ସହ ତାଳଦେଇ ନିଜେ ବି ଧାରେ ହସିଲା ।
ଆରେ ସନା ଭାଇ ! ବସୁନୁ । ଆଉ ଟିକେ ସହଜ ହେଇ କହିଲା ରୀତା ।
ଆଲୋ ! ଏଠି ବସିବୁ କ’ଣ, ଘରକୁ ଚାଲ ।
ହଁ, ଯିବି ତ ! ମୁଁ ରହିବି ମ ସାତ ଆଠ ଦିନ । କାହିଁକି ବ୍ୟସ୍ତ ହେଉଛୁ ? ଏତେ ସହଜରେ ଏତେଶୀଘ୍ର ଏ ବିଲୁଆଖାଇ ପଠାକୁ କ’ଣ ଭୂଲିପାରିବି ? ଚାଳିଶ ବର୍ଷର ବ୍ୟବଧାନ, ଚାଳିଶ ଘଣ୍ଟା ତ ଅତି କମ୍ରେ କଟେଇବାକୁ ପଡ଼ିବ ମତେ ଏଠି । ନହେଲେ ଆତ୍ମତୃପ୍ତି ପାଇବିନିରେ ସନା ଭାଇ । ଆଉ ମୋ’ ଗୋଲାପ ? ତା’ ସହ ବହୁତ କିଛି ଗପିବାର ଅଛି ଏଠି ମୋର । କେତେ ଅକୁହା କଥା, ଅକୁହା ବେଦନା ଭରିରହିଛି ଏ ବାଲି ପଠାରେ । ସାଉଁଟିକି ନେବାକୁ ହେବ ମୋତେ, ଜୀବନର ବାକି ସମୟତକକୁ ମାଠିମୁଠି ସୁନ୍ଦର ଭାବେ ବଞ୍ଚବାକୁ ।
ରୀତା ମୁହଁରେ ଗୋଲାପ ନାଁ ଶୁଣି ଚମକି ପଡ଼ିଲା ସନିଆ । ଏତେଦିନ ପରେ ବି ରୀତା ମନେ ରଖିଛି ତା’ ଗୋଲାପକୁ ? ସେ ଜାଣିବାରେ ରୀତା ତ ଲଣ୍ଡନରେ ଅଛି । ହେଲେ, ପିଲାଦିନର ସବୁକଥା କ’ଣ ତା’ର ମନେ ଅଛି ? ମନେ ଅଛି କି ତା’ର ସନା ଭାଇର ଚୋରା ଚାହାଣି ?? ଆଉ ତା’ ଗୋଲାପର ମୃଦୁ ରସଭରା ଟିପ୍ପଣୀ ସେ ଦୁହିଁଙ୍କୁ ନେଇ ?
ବତୁରି ଯାଉଥିଲା ମନେ ମନେ ସନା । ହାତ ଟାଣି ଏକରକମ ଯୋର୍ କରି ବସେଇଦେଲା ରୀତା ସପଟା ଉପରେ । ଭଲ ଲାଗିଲା ସନାକୁ ତା’ର ଏ ନିଜର ପଣିଆ ଜାହିର କରିବାର ଢଙ୍ଗକୁ । ବିନା ଆପତ୍ତିରେ ବସିଗଲା ସେ ସଉପ ଉପରେ ।
ହାତ ବ୍ୟାଗ୍ରୁ ପାଣି ବୋତଲଟି କାଢ଼ି ଢୋକେ ପାଣି ପାଟିରେ ନେଲା ରୀତା । ବୋତଲଟି ସନା ଆଡ଼କୁ ବଢ଼େଇ ଆଖି ନଚେଇ ପଚାରିଲା- ନେବ କି ? ଇସାରାରେ ମୁଣ୍ଡ ହଲେଇ ମନା କଲା ସନା । କହିଲା- ଆମକୁ ଏ ବୋତଲ ପାଣି ଆରେଇବନି । ସନା ଚାହିଁ ରହିଥାଏ ପରମ ତୃପ୍ତିରେ ରୀତାକୁ । ପାଟିରେ ପାଟିଏ ପାଣି । ଗାଲ ଦି’ଟା ପୁଚୁକି ଯାଇଛି । ପିଲାଦିନେ ଏମିତି ବଦମାସି କରୁଥିଲା । ପାଟିରେ ପାଟିଏ ପାଣି ଧରିଥିବ, କିଛି କହିଲେ, ଫେଁ କରି ହସି ସବୁତକ ଛିଞ୍ଚାଡ଼ିଦେବ ପାଖରେ ଥିବା ବିଚରାଟି ଉପରେ । ବେଶି ସମୟ ତ ସନା ନିଜେ ହିଁ ତା’ର ଶିକାର ହୁଏ । ବୁଝି ପାରୁନଥିଲା- ଜାଣିଶୁଣି କରୁଛି ନା କ’ଣ ? ତା’ ଗୋଲାପ କୁହେ, କୁଆଡ଼େ ସେ ଜାଣିଶୁଣି ତାକୁ ଚିଡ଼େଇବା ପାଇଁ ହିଁ କରେ । ହେଲେ ସନା ଚିଡ଼େନି କେବେ । ବରଂ ଭଲ ଲାଗେ ତାକୁ । ଏକ ଅଜଣା ପୁଲକରେ ଭରିଯାଏ ତା’ର ମନ । କିଶୋରୀ ରୀତାର ଏ ହର୍କତ୍ ତା’ର ଏବେବି ମନେଅଛି । କାଇଁ ଆଜି ଆଉ ସେଭଳି କରିବନି ତ ? ଏଇଆ ଭାବି ଟିକେ ଘୁଞ୍ôଚଗଲା ସେ । ମନକଥା ମନରେ ଅଛି, ଅଧା ଅଢ଼ୋକା ପାଣି ଟିକକ ଛିଟ୍କି ବାହାରିଗଲା ରୀତା ମୁହଁରୁ, ହସର ପିଚ୍କାରୀ ଦେଇ ।
ସନା ଭାଇ ଡରିଗଲ କି ?
- ଆଲୋ ରୀତା ! ତୁ କିଛି ବି ବଦଳିନୁ । ଯେମିତି ଥିଲୁ ସେମିତି ଅଛୁ, ଟିକେ ସହଜ ହେଇ କହିଲା ସନା ।
- ସନା ଭାଇ ! ମନେ ଅଛି ତୁମର ସବୁ କଥା ?
- ହଁ ଲୋ, ତୁ ସିନା ଗାଁ ଛାଡ଼ି ସହର ଗଲୁ, ସହର ଛାଡ଼ି ବିଦେଶ । ହେଲେ ମୁଁ ତ ଏଇ ମାଟି କାମୁଡ଼ି ପଡ଼ି ରହିଛି ନା ! ସବୁ ସ୍ମୃତି ମୋର ଏଇଠି ଓଦା ହେଇ ଏଇଠି ଶୁଖୁଛି । ପୁଣି କେତେବେଳେ ଏମିତି ଓଦାସରସର ହେଇ ମୋ’ ଆଗରେ ଲସରପସର ହେଉଛନ୍ତି- ହେଇ, ଯେମିତି ଏବେ ।
ସନା ଭାଇ ଓଠରେ ହସ । ଆଖିରେ ଆଖିଏ ତୃପ୍ତିର ଚାହାଣି । କେତେ ନିଜର ଏ ମାଟି, କେତେ ନିଜର ଏ ଲୋକମାନେ । ଚାଳିଶ ବର୍ଷ ପରେ ବି କୋଳେଇ ନେବା ପାଇଁ ମାତ୍ର କିଛିଟା ମୂହୁର୍ତ୍ତ । ବାସ୍ ସବୁ କିଛି ଆପଣାର ଯେମିତି । ଆସିଲା ବେଳେ ଭାବୁଥିଲା କିଏ ତାକୁ ଚିହ୍ନିବେ କି ନାହିଁ ।
ନିଜ ଆଶଙ୍କାରେ ନିଜେ ସଂକୁଚିତ ହୋଇଯାଇଥିଲା ରୀତା । ଲୋଚାକୋଚା ହୋଇଯାଇଥିଲା ମନଟି ତା’ର । ସ୍ଥିର କରିନେଇଥିଲା- ଯଦି କେହି ନଚିହ୍ନିଲେ, ତେବେ ବିଲୁଆଖାଇ ନଈ ତ ଅନ୍ତତଃ ଚିହ୍ନିବ । ତା’ରି କୋଳରେ କିଛି ସମୟ ବିତେଇ ଫେରିଆସିବ । କିନ୍ତୁ ଏଠି କ’ଣ ଦେଖୁଛି ! ଆସୁ ଆସୁ ଦୁଆର ତା’ ପାଇଁ ଖୋଲା । ହୃଦୟ ବାଟିକାର ସୁବାସିତ ପୁଷ୍ପ ସହ ଅଭ୍ୟର୍ଥନା କରିବାକୁ ନିଜେ ସମ୍ମୁଖରେ ତା’ର ପ୍ରିୟ ସନା ଭାଇ । ଡ୍ରାଇଭର ଠୁ ବୁଝିନେଇ ସାଥେ ସାଥେ ଚାଲିଆସିଛି ନଈ ପଠାକୁ । ସେ ଜାଣେ, ରୀତାର ଦୁଇଟି ପ୍ରିୟ ବସ୍ତୁ ଏ ଗାଁରେ । ଗୋଟିଏ ତା’ ସନା ଭାଇ ଆଉ ଆରଟି ବିଲୁଆ ଖାଇର ପଠା ।
ତା’ହେଲେ, ସନା ଭାଇ କ’ଣ ତାକୁ ଭୁଲିନି ? ତା’ ଅନ୍ତରରେ ଏବେବି କ’ଣ ଚେନାଏ ଜାଗା ଅଛି ରୀତା ପାଇଁ ?? ଏତେଦିନ ଧରି ଜମାଟ ବାନ୍ଧି ରହିଥିବା ଛାତି ତଳର ଶଙ୍କା ସବୁ ଧିରେ ଧିରେ ତରଳିବାକୁ ଆରମ୍ଭ କଲା ରୀତାର । ବୋହି ଆସିଲା ଦୁଇ ଚକ୍ଷୁ ଦ୍ୱାର ଦେଇ । ସତଚେଷ୍ଟା ସତ୍ତ୍ୱେ ବି ଅଟକେଇ ପାରିଲାନି ସେ ।
ସନା ପୋଛିବାକୁ ଯାଉଥିଲା । ମୁଣ୍ଡ ହଲେଇ ବାରଣ କଲା ସେ । ନା, ସନା ଭାଇ ! ବୋହିବାକୁ ଦିଅ ତାକୁ । ଆଶ୍ୱସ୍ତି ମିଳିବ । ନିଜ ମାଟିରେ ଅନ୍ତତଃ କିଛି ଟୋପା ଲୁହ ଭିଜିଥାଉ । ଏଇ ବାଲି ପଠାରେ ତ ଗୋଲାପର ଲୁହ ସହ ଲହୁ ବି ଭିଜିଗଲା ...
ତା’ ପାଟିରେ ହାତ ଦେଲା ସନା ।
ତୁ କ’ଣ ସବୁ ଖବର ରଖିଛୁ ରୀତା ?
ହଁ ସନା ଭାଇ । ମୁଁ ଯୁଆଡ଼େ ବି ଯାଏ, ହେଲେ ଗାଁ ମାଟିକୁ କେବେବି ଭୂଲିପାରିନି । ପଛକୁ ସିନା ଫେରି ଚାହିଁବାକୁ ସାହାସ ହେଇନି କି ଅନୁକୁଳ ସମୟ ହେଇନି ଆସିବାକୁ, ହେଲେ ଆତ୍ମା ତ ଏଇଠି ରହିଯାଇଛି । ତାକୁ ମୁଁ ସାଥୀରେ ନେଇପାରିନି । ବୋଉ ଚାଲିଯିବା ପରେ ବିଲ୍କୁଲ୍ ଏକୁଟିଆ ହୋଇଯାଇଥିଲି ମୁଁ । ବାପାଙ୍କର ତ ଜାଣିଛୁ ଟୁରିଙ୍ଗ୍ ଚାକିରୀ । ମାସକର ଅଧାରୁ ଅଧିକା ଦିନ ଘର ବାହାରେ । ବୋଉ ଗଲାପରେ ଆମ ଭାଇ ଭଉଣୀ ଦୁହିଁଙ୍କୁ ଚଳେଇବା ବାପାଙ୍କ ପକ୍ଷେ କଷ୍ଟକର ଥିଲା । ତେଣୁ ମାଟ୍ରିକ୍ ପରେ ମୁଁ ହଷ୍ଟେଲରେ ରହି ପଢ଼ିବା ଆରମ୍ଭ କରିଥିଲି । ଆଉ ବାପୁନି ଯାଇଥିଲା ମାମୁଁ ଘରକୁ । ସେଠି ଅଜା, ଆଈ, ମାମୁଁ, ମାଇଁଙ୍କ ଗହଣରେ ରହି ଦିନ କଟେଇବା ସହ କ୍ୟାରିଅର ଗଢ଼ିବା ଭଳି ଭାରୀ କାମଟି ଟିକେ ହାଲୁକା ଲାଗୁଥିଲା ତାକୁ ।
ଛୁଟୀ ହେଲେ ଭାଇ ଭଉଣୀ ଆସୁ ବାପାଙ୍କ ପାଖକୁ । କଳକଳ ମୁଖର ହୋଇଉଠେ ଆମର ଛୋଟ ସଂସାରଟି । ପୁଣି କ୍ଲାସ୍ ଆରମ୍ଭ ହେଲେ ଯେଝା ବାଟରେ ଯିଏ । ହଷ୍ଟେଲରେ କିଛି ଦିନ ମତେ ଭାରି ଏକା ଏକା ଲାଗିଲା । ସନ୍ଧ୍ୟା ହେଲେ ଲାଇଟ୍ ବନ୍ଦ କରି ହଷ୍ଟେଲ ଛାତ ଉପରେ ନହଲେ ଝରକା ପାଖରେ ବସି କୁନି କୁନି ତାରାରେ ଭରପୁର ଆକାଶକୁ ଚାହେଁ, ଶୂନ୍ୟ ମନଟେ ନେଇ । ଲାଗେ ଯେମିତି ସେଇ ତାରାଙ୍କ ଭିତରେ ରହି ବୋଉ କୋଉଠି ମତେ ଦେଖୁଛି ଆଉ ସାହାସ ଦେଉଛି- “ତୁ ପରା ମୋର ବଡ଼ ଝିଅ, ତୁ ଏମିତି ହାରିଗଲେ ବାପୁନା କେମିତି ମଣିଷ ହବ ? ବାପାଙ୍କୁ କିଏ ଦେଖିବ ? ଏବେ ସିନା ବଳବୟସ ଅଛି, ରୋଜଗାର ଲାଗି ଏଣେ ତେଣେ ଦୌଡ଼ୁଛନ୍ତି ଅଫିସ୍ କାମରେ ହେଲେ ଅବସର ପରେ ଏକା ହୋଇଯିବେ ସେ । ସେତେବେଳେ ତାଙ୍କୁ ତତେ ହିଁ ସମ୍ଭାଳିବାକୁ ପଡ଼ିବରେ ମା’ । ଭଗବାନ ତତେ ଆୟୁଷ ସହ ଶକ୍ତି ବି ଦିଅନ୍ତୁ ।”
ସତରେ ସନା ଭାଇ, କେମିତି କେଜାଣି ଟାଣ ହୋଇଯାଇଥିଲି ମୁଁ ଭିତରେ ଭିତରେ ନିଜେ ବି ଜାଣିପାରିନଥିଲି । କାହିଁକି କେଜାଣି ଲାଗେ, ଭଗବାନ ଯାହାକୁ ଦୁଃଖ ଦିଅନ୍ତି, ତା’ ସହ ସହିବା ଶକ୍ତିଟା ବି ସାଥିରେ ଦେଇଥାଆନ୍ତି । ଯେମିତିକି ଗୋଟେ ସହ ଆଉ ଗୋଟେ ଫ୍ରି ଅଫର୍ ।
ହସିଲା ସନା ।
ରୀତାକୁ ଟିକେ ହାଲକା ଲାଗିଲା ।
- ରୀତା, ତୁ ତ ବଡ଼ ପତ୍ରକାର, ସେ ପୁଣି ବିଦେଶର ଏକ ନାମୀ ଖବରକାଗଜରେ । ଏସବୁ ଖବର ମୁଁ ପାଇଛି । ହେଲେ ବୁଝିପାରୁନି ତୁ ଏ ରାସ୍ତାକୁ ବାଛିଲୁ କେମିତି ? ପିଲାଦିନେ ତ କହୁଥିଲୁ ଯେ, ମୁଁ ବହୁତ ପାଠପଢ଼ିବି, କଲେକ୍ଟର ହେବି । ହେଲେ, ଏ ସାମ୍ବାଦିକତା ଜୀବନକୁ କାହିଁକି ଆପଣେଇ ନେଲୁ । ଏ ରାସ୍ତାରେ ତ କଣ୍ଟା ଝଣ୍ଟା ବହୁତ ରେ ।
- ହଁ ସନା ଭାଇ, କେହି ଜଣେ ଖୁବ୍ ଆପଣାର ହିଁ ମୋତେ ଦେଖାଇଦେଲା ଏ ରାସ୍ତା ଆପଣାଇବାକୁ । ସେଇଦିନଠୁ ହିଁ ମୁଁ ଏ ପଥର ପଥିକ । ଆଉ, ବୋଧହୁଏ ଖୁବ୍ ସଫଳତା ପାଇଛି ଏଥିରେ । ଯେତେବେଳେ ଅନ୍ତର କାନ୍ଦେ, ସେଠି ସୃଷ୍ଟି ହୁଏ ଭୟଙ୍କର ଆଗ୍ନେୟଗିରି, ଆଉ ତା’ର ଲହ ଲହ ଅଗ୍ନିଶୀଖାରେ ତ ସବୁ କିଛି ଜାଳି ପୋଡ଼ି ଧ୍ୱଂସ ହୋଇଯାଏ । ସମୟ ଗଡ଼ିଗଲା ପରେ ସେ ଲାଭା ଯେତେବେଳେ ଥଣ୍ଡା ହୁଏ, ଏତେ ଶକ୍ତ ହୁଏ, ତାକୁ ଭେଦ କରିବା ବି କଠିନରେ ସନା ଭାଇ । ମୋ’ ମନଟା ଆଜି ଠିକ୍ ସେଇଭଳି । ଗୋଲାପର ମର୍ମନ୍ତୁତ ସେ ଘଟଣା ଏବେବି ମୁଁ ପାସୋରି ପାରିନି ।
ଏକ ଦୀର୍ଘ ନିଶ୍ୱାସ ନେଇ ରୀତା ପୁଣି କହିବା ଆରମ୍ଭ କଲା-
ସେତେବେଳକୁ ଅର୍ଥଶାସ୍ତ୍ରରେ ଏମ୍.ଏ. ପାଶ୍ କରି କମ୍ପିଟେଟିଭ୍ ପାଇଁ ପ୍ରସ୍ତୁତ ହେଉଥାଏ ମୁଁ ଦିଲ୍ଲୀରେ ରହି । କେତେ ରାତି କେତେ ଦିନ ଯେ ରୁମ୍ ବନ୍ଦ କରି ଏକଲା ଲୁହ ଗଡ଼େଇଛି, ତା’ର ହିସାବ ନାହିଁ । ଆଖି ବନ୍ଦ କଲେ ଲାଗେ, ଗୋଲାପ ମୋ’ ମୁଣ୍ଡ ପାଖରେ ବସି କାନ୍ଦୁଛି । ଆଖି ଖୋଲିଲେ ଦେଖେ ଏଇ ବିଲୁଆଖାଇ ବାଲିପ ଠାରେ ଖିନ୍ଭିନ୍ ହେଇପଡ଼ିଛି ଗୋଲାପର ନାଲି ପାଖୁଡ଼ା ପରି ତା’ର କଅଁଳ ଦେହଟି ରକ୍ତରେ ଲଟପଟ ହୋଇ । ପାଗଳୀ ପ୍ରାୟ ହେଉଥାଏ ମୁଁ । ବାପା ଆସି ରହିଥିଲେ ବେଶ୍ କିଛି ଦିନ ମୋ’ ପାଖରେ, ମତେ ସମ୍ଭାଳିନେବା ଲାଗି ବୋଧହୁଏ । ତା’ପରେ ମୁଁ ସ୍ଥିର କରିନେଇଥିଲି ଯେଉଁ “ସାମ୍ବାଦିକତା”ରେ ରହି ଗୋଲାପ ମୋର ନରାଧାମ ମାନଙ୍କର ଶିକାର ହେଇଥିଲା, ସେଇ ପଥରେ ମୁଁ ବି ଚାଲିବି । ଦେଖିବି, ପୁରୁଷ ପ୍ରାଧାନ୍ୟ ସମାଜର ଏ ଘୃଣ୍ୟ ବର୍ବର ମଣିଷମାନେ କେତେଟା ଗୋଲାପକୁ ଏପରି ଦଳି ଚକଟି ନଷ୍ଟ କରିବେ । ମୋର ଆତ୍ମା କୁହୁଳି କୁହୁଳି ଜଳୁଥିଲାରେ ସନା ଭାଇ; ଏକ ନାଗକୂପର ମୁଖ ଥିଲି ମୁଁ । ବାସ୍, ସେଇ ଅଚଳ ଅଟଳ ନିଷ୍ପତ୍ତି ମତେ ନେଇଗଲା ଏତେ ଦୂରକୁ । ଲୋକେ କହନ୍ତି ବଜ୍ରବାଣ ମୋର କଲମର ଧାର । ନିରନ୍ତର ପ୍ରଚେଷ୍ଟା ସେଇଦିନଠୁ ଯେମିତି ନାରୀ ଜାତିକୁ ସମ୍ମାନର ସହ ବଞ୍ôଚବାର ପ୍ରକୃତ ଅଧିକାର ଦେଇ ହେବ ସମାଜରେ । ଆଉ କେହି ଛବିରାଣୀ ଯେମିତି ନାରଖାର ହୋଇ ନପଡ଼ନ୍ତି ଏମିତି କେଉଁ ବାଲି ପଠାରେ କି ଜଙ୍ଗଲିଆ ରାସ୍ତା କଡ଼ରେ ।
ନିର୍ବାକ ହୋଇ ବସିଥାଏ ସନା ତଳକୁ ମୁହଁ ପୋତି ।
ରୀତା ପୁଣି କହିବାକୁ ଆରମ୍ଭ କଲା -
- ବୁଝିଲୁ ସନାଭାଇ ! ବିଲୁଆଖାଇଟା କେତେ ସୁନ୍ଦର ଥିଲା କହିଲୁ ଆଗେ । ଛଳ ଛଳ ତା’ର ପାଣିର ଧାର । କେତେ ଦି’ପହର କେତେ ସଞ୍ଜ ଯେ କଟିଛି, ଏଇ ଧାରରେ ଗୋଡ଼ ଲମ୍ବେଇ ବସିବାରେ ତା’ର ହିସାବ ନାହିଁ । ସେ ସୁଖ ଏକ ନିଆରେରେ ! ନଦୀଟା ବି ଠିକ୍ ମାଆ ପରି ଆବୋରି ନେଇଥିଲା ଆମମାନଙ୍କୁ । ଦେଖ୍ ତ, ଧିରେ ଧିରେ ସେ ବି କେମିତି ଶୁଖି ଶୁଖି ଗଲା ! କେତେ ଆଉ ଦେଖିବ ମଣିଷର ଏ ଅନାଚାର ? କେତେ ଆଉ ସହିବ ସେମାନଙ୍କର ଦୌରାତ୍ମ୍ୟ ?? ତା’ର ଆଖି ଆଗରେ ତା’ରି ପିଲାକୁ ଟିକ୍ ଟିକ୍ କରି ଫିଙ୍ଗି ଦେଇଗଲେ । ଛାତି ଫାଟିଯାଇଥିବ ତା’ର । କେମିତି କୃଶାଙ୍ଗୀ ହେଲାଣି ଦେଖ୍ ତ ସେ । ଦେଖିବୁ ଦିନ ଆସିବ “ଅଳକା” ପରି ଇଏବି କୁଆଡ଼େ ଉଭେଇ ଯିବ ଅଭିମାନରେ । ଆଉ ଆମରି ପରି କିଛି ଦାୟାଦ ସାଇତିକି ରଖିବେ ତାକୁ ଇତିହାସ ପୃଷ୍ଠାରେ । ଏକା ନିଶ୍ୱାସକେ କହିଗଲା ରୀତା ଏସବୁ ।
ଏକ ଗୁରୁ ନିଶ୍ୱାସ ନେଇ ଚାହିଁଲା ସନା ରୀତା ଆଡ଼କୁ । କେତେ ପାକଳ ତା’ର ବୁଦ୍ଧି, କେତେ ଟାଣ ତା’ର କଥା । ସେବର ନାକକାନ୍ଦୁରୀ ଲାଜକୁଳୀ ଲତା ରୀତା ଆଉ ସେ ନୁହେଁ । ଖୁଡ଼ୀଙ୍କ ଯିବାପରେ ବୋଧହୁଏ ସେ ଶକ୍ତ ହୋଇଯାଇଛି । ନିଜ ଗୋଡ଼ରେ ଦୃଢ଼ ଭାବରେ ଠିଆ ହୋଇପାରିଛି । ଦୁନିଆକୁ ଠିକ୍ ଭାବେ ଚିହ୍ନିଛି । ଠିକ୍ ଯାଗାରେ ପାଦ ରଖି ରଖି ଚାଲିବା ଶିଖିଛି । ଭଲ ଲାଗିଲା ସନାକୁ ତା’ ଆଗରେ ସଫଳତାର ଏ ନାରୀମୂର୍ତ୍ତିଟିକୁ ଦେଖି ।
- “ଆରେ ଚାଲ୍ ରୀତା, ଘରକୁ ଯିବା । କେତେବେଳ ହେଲାଣି ଆମେ ଏଠି ବସିଛେ । ତେଣେ ସବୁ ଖୋଜୁଥିବେ । ସେ ଡ୍ରାଇଭର ପିଲାଟି ବି ଖିଆପିଆ କରିବ ।” ମୋହଗ୍ରସ୍ଥ ନିରବତାରୁ ମୁକୁଳି ସନା କହିଲା ।
- ହଁ, ତୁ ଜାଣିଛୁ କି, ନବ ଭାଇ ଏବେ କୋଉଠି ? ଗୋଲାପର ଯିବା ପରେ ବିଚରା କେମିତି ଦିନ କାଟିଲା ଛୋଟ ଛୁଆଟିକୁ ଧରି ? ସମାଜ କ’ଣ ତାକୁ ଭଲରେ ବଞ୍ଚିବାକୁ ଦେଇଥିବ ?
ବୁଝିଲୁ- କବି ଯଦୁମଣିଙ୍କ କଥା ମନେପଡୁଛି ।
“ଛାମୁ ଯାହା ଦେଲେ ହରଷେ, ପାଉ ପାଉ ଗଲା ବରଷେ, ଏମନ୍ତ ଭୂଇଁ, ଚାକୁଣ୍ଡା ବୁଣିଲେ ଉଠଇ ନାହିଁ ।”
ଆମର ନ୍ୟାୟ ଅବସ୍ଥା ବି ସେଇଆ । ଆଠ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲା । ହେଲେ, ଶେଷରେ ଖସିଗଲେ ସେମାନେ । ଆଉ ଚାରିଜଣଙ୍କୁ ମାତ୍ର ଦଣ୍ଡ ମିଳିଲା- ସେ ପୁଣି ବାଇଶ ବର୍ଷ ପରେ । କହିଲୁ ସନା ଭାଇ, ଏ କ’ଣ ଆମର ନ୍ୟାୟ ବ୍ୟବସ୍ଥାର ନାରୀ ସମାଜକୁ ଏକ ବିଦ୍ରୁପ, ଏକ ଛଳନା ନୁହେଁ ?
- ହଁ, ରୀତା ଥାଉ ସେତିକି । ଚାଲ ଘରକୁ ଯିବା ଏବେ । ମୁଁ ବୁଝୁଛି, ତୋ’ ଭିତରେ ଯେମିତି ଜ୍ୱାଳା ଭରିରହିଛି, ତାକୁ ବାହାର ନକଲା ଯାଏ ତୁ ଶାନ୍ତି ପାଇବୁନି, ଏଠି ବସିଲେ ତତେ ଆହୁରି ବେଶି ବେଶି ସବୁ ମନେ ପଡ଼ିବ । ଚାଲ, ଘରେ ଖାଇପିଇ ବସି ଗପିବା । ସଞ୍ଜ ହେଲାଣି । ସାପ ବାହାରିବେ ବୁଦା ମୂଳରୁ ।
- ତୁ ଅଛୁ ଯେ !
ଏତିକି କହୁ କହୁ ଦୃଷ୍ଟି ତା’ର ପହଁରିଲା ଚାରି ଦଶନ୍ଧି ସେପାରିକୁ । ହେଇଟି, କାଲି ପରି ଲାଗୁଛି । ଦିନେ ଗୋଲାପ ଆଉ ମୁଁ ନଦୀରେ ଏମିତିରେ ପାଣି ଚବର ଚବର କରୁ କରୁ ପଛେଇଗଲୁ । ଅନ୍ୟ ଝିଅ ବୋହୂମାନେ ପଳେଇଲେଣି ପୋଖରୀପାଣି ସାରି କେତେବେଳୁ । ଆମେ ଦି’ଜଣ ପ୍ରାୟ ସବୁବେଳେ ଟିକେ ପଛୁଆ ରହୁ, ନିଆରାରେ ଗପ କରିବୁ ବୋଲି । ସେଦିନ ଟିକେ ଅଧିକ ବେଳ ଗଡ଼ିଯାଇଥିଲା । ନଈରେ ଏପଟେ ମାଇପି ତୁଠ । ଖଣ୍ଡେ ଦୂରଛାଡ଼ି ଆଉ ଟିକେ ଉପରକୁ ମିଣିପି ମାନଙ୍କର ତୁଠ । ହେଲେ ଫେରିବା ପାଦଚଲା ରାସ୍ତା ଦି’ଟା ଡାକେବାଟରେ ମିଶିଯାଇ ଏକ ହୋଇଛି । ତରବର ହୋଇ ପାଣିରୁ ଉଠି ସଡ଼ ସଡ଼ ଓଦା ଲୁଗାକୁ ବାଗେଇ ଆମେ ଦୁହେଁ ଝପଟିଲୁ ଘରମୁହାଁ । କିଛି ଦୂର ଗଲାପରେ ଠିକ୍ ସେଇ ବାଉଁଶ ବୁଦା ପରେ ପରେ ରାସ୍ତା ଉପରେ ଏକ ବିରାଟ ସାପ । ମୁଁ ଆଗେ ଆଗେ, ଆଉ ମୋ’ ପଛରେ ଗୋଲାପ । ଦିହେଁ ହାଉଳି ଖାଇଲୁ । ଭାଗ୍ୟକୁ ସେତିକି ବେଳକୁ ପଛରୁ ଆସୁଥାଏ ସନା ଭାଇ । ଘରୁ ବାହାରିବା ମାନେ ହିଁ ହାତରେ ତା’ର ଥାଏ ମୁଳିଆ ବାଉଁଶ ଠେଙ୍ଗାଟିଏ ସବୁବେଳେ । ସେ ବି ନଦୀରୁ ଗାଧୋଇ ଫେରୁଥିଲା । ଆଖିପିଛୁଳାକେ ଧାଇଁଆସି ପଛକୁ ଟାଣି ଏକରକମ ଫିଙ୍ଗି ଦେଇଥିଲା ମତେ ସେ । ବଞ୍ôଚଗଲୁ ସେଦିନ ତା’ରି ଲାଗି । ଅସତର୍କ ଭାବେ ଟାଣିକି ପଛକୁ ନେବା ଭିତରେ ଶିଥିଳ ହୋଇଯାଇଥିଲା ମୋର ଅଙ୍ଗବାସ । ସନା ଭାଇର ଶକ୍ତ ହାତ ମୁଠାର ସ୍ପର୍ଶରେ ବାହୁ ମୋର ଝିମ୍ ଝିମ୍ କରୁଥିଲା କି ଶିରା ପ୍ରଶିରାରେ ବୋହୁଥିଲା ତା’ କାଉଁରୀ ପରଶର ତଡ଼ିତ୍ଧାରା ମୁଁ ବୁଝିପାରୁନଥିଲି । ଲାଜରେ ସଢ଼ିଯାଇଥିଲି । ଆଖି ଉଠେଇ ଦେଖିବାର ସାହାସନଥାଏ ସେ ମଲା ସାପଟିକୁ ନା ସନା ଭାଇକୁ । ନିଜର ପଣିଆରେ ଗାଳି ଦେଇ ଦେଇ ସେଦିନ ସେ ନେଇ ଘରେ ଛାଡ଼ି ଆସିଥିଲା ଏକ ପକ୍କା ଅଙ୍ଗରକ୍ଷୀଟିଏ ଭଳି । ସେ ରାତିସାରା ନିଦ ନଥିଲା ଆଖିରେ ମୋର । କିଶୋରୀ ମନରେ ସତେ ଯେମିତି ମହକୁ ଥିଲା ଦରଫୁଟିଲା ଫୁଲରି ଜୁଇ ଫୁଲର ପେନ୍ଥାଟିଏ ।
- ଏଁ କ’ଣ କହିଲୁ ? ମୁଁ ଅଛି ?? ହେଲେ, ହାତରେ ବାଉଁଶ ଠେଙ୍ଗା ନାହିଁ ଯେ ! ଆଉ ବୟସ ବି ପଚାଶ ଟପିଲାଣି । ରୋକ୍ଠୋକ୍ କଥା ସନିଆର ଟିପେ ହସ ସହ ।
- ହଉ, ହଉ ଚାଲ । ସନାଭାଇ, ତୋ’ର କ’ଣ ସବୁ ମନେ ଅଛି କିରେ ।
- ହଉ, ଛାଡ଼ ସେ କଥା । କହିଲୁ ଆଗ, ତୁ ଏକା କାହିଁକି ଆସିଛୁ ? ପିଲାମାନେ ? ନିଜ ଦେଶକୁ ଆସିବାକୁ କ’ଣ ମନହୁଏନି ତାଙ୍କର ? ଆଉ ତୋ’ ବର ?...
- ଥାଉ, ଥାଉ, ଏଥର ଟିକେ ବ୍ରେକ୍ ଦେ । ତୋ’ ଗାଡ଼ି ତ ଖୁବ୍ ଯୋର୍ରେ ଦୌଡୁଛି, କହିଲା ମୁରୁକି ହସା ଦେଇ ରୀତା ।
ସନାର ଆଖିରେ ଆଖିଏ ପ୍ରଶ୍ନ ।
ତା’ ଆଖିରେ ଆଖି ମିଶେଇ ସନ୍ଦେହର ଧୂଳି ସବୁ ପୋଛୁ ପୋଛୁ କହିଲା ରୀତା-
ନାଁରେ ସନାଭାଇ, ମୁଁ ସିନା ଗାଁ ଛାଡ଼ିବା ପରେ ଆଉ ଫେରିପାରିନଥିଲି, ହେଲେ ଆତ୍ମାଟି ମୋର ଏକଡ଼ ସେକଡ଼ ହେଉଥିଲା ସବୁ ଭିଜା ଭିଜା ସ୍ୱପ୍ନ ସହ । କିନ୍ତୁ ଗୋଲାପ ଯେଉଁଦିନଠୁ ଏଇ ପଠାରେ ମିଶିଗଲା ସେବେଠୁ ମୋର ଆତ୍ମା ଏଇଠି ହିଁ ଅଟକି ରହିଲା । ଆଉ ବିନା ଆତ୍ମାରେ ବିବାହ କ’ଣ ?
ପାଖ ବରଗଛରେ ଘରଚଟିଆ କିଛି କିଚିରି ମିଚିରି ହେଉଥାଆନ୍ତି ବୋଧହୁଏ ରୀତା କଥା ଶୁଣି । ଠିକ୍ ସେତିକିବେଳେ ପେଚାଟିଏ ବି ଗଛ ଛାଡ଼ି ଉଡ଼ିଗଲା ଫଡ଼ ଫଡ଼ ହୋଇ ମୁକ୍ତ ନୀଳ ଆକାଶକୁ ।

