Sunita Kar

Others

4.3  

Sunita Kar

Others

ବନ୍ଦେ ମାତରମ୍

ବନ୍ଦେ ମାତରମ୍

3 mins
194



ଶତକ ବି ପାର ହେଲାନି। ଶତକ କାହିଁକି, କହିବାକୁ ଗଲେ ସତରେ ଅର୍ଦ୍ଧଶତକ ବି ପାର ହେଇନଥିଲା ଭଲରେ ଭଲରେ। କେତେ ଶୀଘ୍ର ଆମେ ଭୁଲିଗଲେ ଆମର ଜେଜେ ପଣଜେଜେ ଙ୍କର ଯନ୍ତ୍ରଣା ପୂର୍ଣ୍ଣ ପରାଧୀନ ଜୀବନକୁ। ଘରଟିଏ ମଣିଷ କଣ ତୋଳେ କେବଳ ନିଜ ପାଇଁ ? ନା, ବୋଧହୁଏ ବେଶି ଚିନ୍ତା ପରପିଢି ପାଇଁ। ପୁଅ ନାତି କେମିତି ରହିବେ !

          ଛାତ ଉପରେ ବସି ଚାହିଁରହିଛି ମୁଁ ଦୂର ଆକାଶ କୁ, ଯେଉଁଠି ଗାନ୍ଧୀ, ଶାସ୍ତ୍ରୀ ଙ୍କ ସହ ସର୍ଦାର ପଟେଲ, ଆମ୍ବେଦକର ଙ୍କ ଭଳି ମହାମାନବ ଆଜି ମୋ ମାନସେ ଦୀପ୍ତିମନ୍ତ ଘନଆକାଶ ର କୁନି କୁନି ତାରକା ପ୍ରାୟ। ନିଶ୍ଚିତ ଭାବରେ ଦେଖୁଥିବେ ତାଙ୍କର ହାତଗଢା ପ୍ରିୟ ଭାରତବର୍ଷ କୁ। ଆଉ ଅନ୍ତରର କେଉଁ ନିଭୃତ କୋଣରୁ ବାହାରି ଆସୁଥିବ ଯନ୍ତ୍ରଣାପୂର୍ଣ୍ଣ ଦୀର୍ଘଶ୍ବାସର ଏକ କ୍ଷୀଣ ଧାରା। ପରାଧୀନ ତଥା ସ୍ବାଧୀନ ଭାରତର ଅଙ୍ଗେ ନିଭେଇଥିବା ସବୁ ଅନୁଭୂତି ଫର୍ଦ ପରେ ଫର୍ଦ ଓଲଟି ଯାଉଥିବ ସେମାନଙ୍କ ଆଖିଆଗରେ। ମନେମନେ ବୋଧହୁଏ ଭାବୁଥିବେ - ପଞ୍ଜୁରୀ ଭିତରେ ବନ୍ଦ ହୋଇ ରହିନଥିବା ପକ୍ଷୀଟିଏ ବା ଜାଣିବ କାହୁଁ ମୁକ୍ତଆକାଶ ରେ  ଉଡିବାର ଆହ୍ଲାଦ। ଏମିତି ତ ସବୁପକ୍ଷୀ ଆକାଶ ରେ ଉଡନ୍ତି, ସହଜାତ ଅଧିକାର ନେଇ।କିନ୍ତୁ ଜନ୍ମରୁ ପଞ୍ଜୁରୀ ଆବଦ୍ଧ ପକ୍ଷୀଟିଏ ଯେତେବେଳେ ମୁକ୍ତ ହୁଏ, ତାର ସେ ଆନନ୍ଦ କେବଳ ଅନୁଭବୀ ହିଁ କହିପାରିବ। ଦୂରରୁ ନତମସ୍ତକ ହୋଇ ପ୍ରଣାମ ଜଣାଇଲି ମହାନଆତ୍ମା ସବୁଙ୍କୁ।

           ମୁହଁ ବୁଲେଇଲି ବାମପଟ ଆକାଶକୁ।ଏଠି ବି ଚିହ୍ନା ଚିହ୍ନା ଲାଗିଲେ କିଛି ତାରକା। ଦୀପ୍ତିମନ୍ତ ,ବୀର୍ଯ୍ୟବନ୍ତ,ଅଥଚ ସଭିଙ୍କ ମୁଖମଣ୍ଡଳ ରେ  ଏକ ଅଭାବନୀୟ ଦୁଃଖ ର ଛାୟା। ଚିହ୍ନିବାକୁ ଚେଷ୍ଟା କଲି। ଛୋଟ କୁନି ତାରକା ଟିଏ, ବାଜିରାଉତ ର ମୁହଁ ଦିଶିଯାଉଛି ତାରି ଭିତର ଦେଇ। ଟିକେ ଛାଡି ପଗଡିପିନ୍ଧା ଏକ ସୌମ୍ଯ ଯୁବକ ଙ୍କ ମୁଖମଣ୍ଡଳ- ବୋଧହୁଏ ଭଗତସିଂ। ଏଇ ତ ସେପାଖ ରେ ଜୟୀରାଜଗୁରୁ,ମଙ୍ଗଳ ପାଣ୍ଡେ। ତାଙ୍କ ପଛରେ ଖୁଦିରାମ ବୋଷ -----। ଟିକେ କଣେଇ ଚାହିଁଲି,କିଏ ସେ? ମୁଣ୍ଡ ତଳକୁ କରି ବସିଛନ୍ତି ! ଆଜାଦ୍ ଭାଇ କି? ହଁ ତ, ଆମର ପ୍ରିୟ ଚନ୍ଦ୍ରଶେଖର ଆଜାଦ୍ । ଯେତେବେଳେ ହସି ହସି ଦେଶର ମୁକ୍ତି ପାଇଁ ଏମାନେ ପ୍ରାଣବଳୀ ଦେଉଥିଲେ ନିଶ୍ଚିତଭାବରେ ଭାବୁଥିବେ - ଆମେ ନଚାଖିଲେ ନାହିଁ, ଆମ ପରପିଢି ତ ସ୍ବାଧୀନତା ର ସ୍ବାଦ ନିଶ୍ଚିତ ଚାଖିବେ।

         ଲଜ୍ଜାରେ ନତମସ୍ତକ ହେଲି ମୁଁ। ତାଙ୍କର ଶୌର୍ଯ୍ୟପୂର୍ଣ୍ଣ ଚକ୍ଷୁରେ ବିସ୍ମୟ ଓ ବିଷାଦର କଳାମେଘ ଦେଇ ତାଙ୍କୁ ଦେଖିବାର ସାହାସ ମୋ ପାଖରେ ନଥିଲା। ଇତିହାସରେ ଆଜିର ଗଣତନ୍ତ୍ର ଦିବସ  ଏକ କଳଙ୍କିତ  ଫର୍ଦ ହୋଇ ରହିଯିବ ସବୁଦିନ ଲାଗି। ଯେଉଁ ଲାଲକିଲ୍ଲା ଦେଶର ଗର୍ବ ଓ ଗୌରବ ର ସୀମନ୍ତମଣି, ସେଥିରେ ଆଜି କଳଙ୍କ ର ଛିଟା। ଆସ୍ପର୍ଧା  କମ୍ ନୁହେଁ। କିଂଚିତ ସ୍ବାର୍ଥ ଲାଗି ମଣିଷ ଆଜି ଭୁଲିଯାଇଛି ମାନବ ଜୀବନର ମହତ୍ତର ଉଦ୍ଦେଶ୍ୟ। ସ୍ବାର୍ଥ ହିଁ ସବୁକିଛି ଆଜି ତା ପାଇଁ। ମନେ ପଡୁଛି ଆଜି ଉକ୍ତଳ ଗୌରବ ମଧୁସୂଦନ ଦାସ ଙ୍କର କ୍ଷୁଦ୍ର ଅଥଚ ଗଭୀର ଭାବପୂର୍ଣ ପଂକ୍ତି ଟିଏ-

      " ଜାତି ନନ୍ଦିଘୋଷ ଚଳିବ କି ଭାଇ ସ୍ବାର୍ଥକୁ ସାରଥି କଲେ

  ଟାଣେ କିରେ ଗାଡି ଦାନାର ତୋବଡା ଘୋଡାମୁଖେ ବନ୍ଧା ଥିଲେ" 


     ତୁହେଇ ତୁହେଇ କାନ୍ଦୁଛି ଆଜି ଅନ୍ତରାତ୍ମା ସଭିଙ୍କର। ଦିନ ଥିଲା ଦେଶ ପାଇଁ ସ୍ବାର୍ଥ ତ୍ୟାଗ କରିଥିଲେ କେତେ କେତେ ମହାନାତ୍ମା । ଆଜି  ସ୍ବାର୍ଥ ପାଇଁ ଦେଶମାତୢକା ର ମର୍ଯ୍ୟାଦା ଟିକକୁ ଦଳିଚକଟି ପଦାଘାତ କରିବାକୁ ସାମାନ୍ୟ କୁଣ୍ଠାବୋଧ ନାହିଁ ମଣିଷର।

     କୋଟି କୋଟି ନୀରବ ଦର୍ଶକ, ଠିକ୍ ଯେପରି ଘୃଣ୍ୟ ରାଜନୀତି କୁ ନେଇ କୁରୁସଭାରେ ମାତା ପାଞ୍ଚାଳୀ ଙ୍କର ଇଜ୍ଜତ ଲୁଣ୍ଠନର ଦୢଶ୍ୟପଟ। 

     ହେ ଅଦୃଶ୍ୟ ! ଏତିକି ମାଗୁଣି - ଆଶୀଷ ଦିଅ ପରପିଢି କୁ। ମାତୃ ଜାତି ପ୍ରତି ସମ୍ମାନବୋଧ ହେଉ ତାଙ୍କର ସହଜାତ ପ୍ରବୃତ୍ତି । ଫୁଲିଉଠୁ ଗର୍ବେ ଭାରତମାତା। ସଭିଙ୍କ ଅନ୍ତରେ ଗୁଞ୍ଜିତ ହେଉ-

         ବନ୍ଦେ ମା'ତରମ୍।

                  --------          

      



Rate this content
Log in