ନିବାସ
ନିବାସ
ମ୍ୟାଡ଼ାମ୍ ଖାଇବାକୁ ଯିବେନି କି? ଆର୍ମଗାର୍ଡ଼ ନାରାୟଣର ଡାକରେ ଏକପ୍ରକାର ଚମକି ପଡ଼ିଲି ମୁଁ । ଉଁ ... ହୁଁ! ଯାଉଛି । ମୁଣ୍ଡଟା ଭାରିଭାରି ଲାଗୁଥାଏ । ଠିକ୍ ମୁଣ୍ଡ ଉପରେ ଏଆରକଣ୍ଡିସନରଟା ବାଇଶିି ଡିଗ୍ରୀରେ ଅଛି । ତଥାପି ଭିତରେ ଭିତରେ ମୁଁ ଯେପରି ଅସ୍ୱଭାବିକତା ବୋଧକରୁଥାଏ । ଏକରକମ ଗମ୍ଭୀର ହୋଇ ବସିଥାଏ ମୁଁ ନିଜ ଚେୟାର ଉପରେ । କ’ଣ ଭାବୁଥାଏ ନିଜେବି ବୁଝିପାରୁନଥାଏ । ଆଖି ଆଗରେ ସେଇ ବୃଦ୍ଧ ବ୍ୟକ୍ତି, ଯେମିତି ଲାଗୁଥାଏ ଏବେ ବି ସେ ମୋ ସମ୍ମୁଖରେ ବସିଛନ୍ତି, ତାଙ୍କର ଶେଷକଥା କେଇପଦ ମୋ ଶୃତିପଟରେ ତରଙ୍ଗାୟିତ ହେଉଛି ।
ସମୟ ପ୍ରାୟ ଦ୍ୱିପ୍ରହର ୨ଟା ହେବ । ଆମର ଅଫିସ ସମୟ ଗ୍ରାହକମାନଙ୍କ ପାଇଁ ଅପରାହ୍ଣ ଦୁଇଟା ପନ୍ଦର ପର୍ଯ୍ୟନ୍ତ । ଭଦ୍ରବ୍ୟକ୍ତିଙ୍କର ବୟସ ସତୁରୀରୁ କମ୍ ହେବନି । ଆଭିଜାତ୍ୟ ଚେହେରା । ତୋଫା ଗୋରା ରଂଗ, ବୟସାଧିକ ହେତୁ ଚର୍ମ କିଛିଟା ମାତ୍ରାରେ ଶିଥିଳ ହୋଇ ଯାଇଛି ଯାହା । ସାଧାରଣ ବୃଦ୍ଧମାନଙ୍କ ଭଳି ମୁଣ୍ଡଟା ଟାକଲା ନୁହେଁ । ଏବେବିି କେଶରାଜି ମସ୍ତକର ଶୋଭାବର୍ଦ୍ଧନ କରୁଛନ୍ତି, ଯଦିଓ କେଶରଂଗଟା ବି ଶରୀର ରଂଗ ଭଳି ଫରସା । ଆକର୍ଷକ ବ୍ୟକ୍ତିତ୍ୱ । ହାତରେ ଏକ ଦାମୀ ବୃଦ୍ଧଯଷ୍ଟି, ଇମ୍ପୋଟେଡ଼ ଲାଗୁଛି । ଅମିତ୍ ଯେତେବେଳେ ଲଣ୍ଡନରେ ଥିଲେ ଶ୍ୱଶୁରଙ୍କ ପାଇଁ ବି ଠିକ୍ ଏମିତି ଏକ ଫୋଲ୍ଡେଡ୍ ବାଡ଼ି ଆଣିଥିଲେ । ଖୁବ୍ ସୁନ୍ଦର । ମେଟାଲିକ୍ ବାଡ଼ି । ଶ୍ୱଶୁର ତାକୁ ବେଶୀ ବ୍ୟବହାର କରନ୍ତିନି, କୁହନ୍ତି - ପୁଅ ଆଣିଛି ଲଣ୍ଡନରୁ, ଥାଉ ଏଇଟା ସବୁଦିନ କାରବାର କଲେ ଭାଙ୍ଗିଯିବ । ମୁଁ କିନ୍ତୁ ବେଳେବେଳେ ଜବରଦସ୍ତ ତା’ଙ୍କ ହାତରେ ଦିଏ ଯେତେବେଳେ ବାହାରକୁ ଯାଆନ୍ତି ସେ । ଭାରି ଖୁସି ହେଇଯାଆନ୍ତି । ଭଦ୍ରବ୍ୟକ୍ତିଙ୍କ ହାତରେ ସେଭଳିଆ ଯଷ୍ଟିଟିଏ ଦେଖି ପଚାରିବି ଦେଇଥିଲି, ଆପଣଙ୍କ ପିଲା କେହି ବାହାରେ ଅଛନ୍ତି କି? ମୁଣ୍ଡ ଟୁଙ୍ଗାରି ହଁ ମାରିଲେ । ମୋ ପ୍ରଶ୍ନରେ କିନ୍ତୁ ଭଦ୍ରବ୍ୟକ୍ତି ଏତେଟା ଏକ୍ସାଇଟେଡ଼୍ କିମ୍ବା ଖୁସି ନଥିଲେ । ଇତି ମଧ୍ୟରେ ତାଙ୍କୁ ବସିବା ପାଇଁ ସମ୍ମୁଖସ୍ଥ ଚୌକିଟାକୁ ମୁଁ ଅଫର କରି ସାରିଥାଏ । ହାତରେ ତାଙ୍କର ଏକ ସେଭିଙ୍ଗ୍ସ୍ ଖାତାର ବହି । ନିରବରେ ମୋ ଆଡ଼କୁ ବଢ଼େଇ ଦେଲେ । ତାକୁ ନେଇ କମ୍ପ୍ୟୁଟରରେ ଚେକ୍ କଲି । ଭଦ୍ରବ୍ୟକ୍ତିଙ୍କର ନାମ ଆଶୀଷ ପଟେଲ । ଖାତାରେ ବି ଭଲ ରକମ ଜମା ଅଛି । ଭଦ୍ରବ୍ୟକ୍ତି ସେଭଳି ଚୁପ୍ଚାପ୍ ବସିଥାନ୍ତି । ମୋ ତରଫରୁ ପଚାରିଲି “ସାର କୁହନ୍ତୁ କ’ଣ ସେବା ଆପଣଙ୍କ ପାଇଁ କରିପାରିବି?” କିଛି ମୁହୂର୍ତ୍ତ ଚୁପ୍ ରହିବା ପରେ ସେ କହିଲେ ମୋର ଠିକଣା ମୁଁ ବଦଳେଇବାକୁ ଚାହୁଁଛି । ତା’ ପାଇଁ ମତେ କ’ଣ କରିବାକୁ ପଡ଼ିବ?
ସ୍ୱଭାବତଃ ଯେଉଁମାନେ ଘର ବଦଳେଇ ଥାଆନ୍ତି, ହୁଏତ ନୂଆ ଘର କିଣିବା ଯୋଗୁଁ ହେଉ ବା ଭଡ଼ାଘର ପରିବର୍ତ୍ତନ ପାଇଁ ବା ରିଟାୟାରମେଂଟଣ୍ଟ ପରେ ନିଜ ଗ୍ରାମକୁ ପ୍ରତ୍ୟାବର୍ତ୍ତନ କାରଣରୁ ହେଉ ଉପଯୁକ୍ତ ପ୍ରମାଣ ସହ ଦରଖାସ୍ତ ଦେଲେ ଆମେ ଆକାଉଂଟ୍ଣ୍ଟରେ ଠିକଣା ପରିବର୍ତ୍ତନ କରୁ । ସ୍ୱାଭାବିକ ଭାବେ ପଟେଲ ବାବୁଙ୍କୁ ଠିକଣା ବଦଳେଇବାର କାରଣ ପଚାରିଲି ଓ ତା’ର ସଂପର୍କିତ ପ୍ରାମାଣିକ କାଗଜପତ୍ର ଦେବା ପାଇଁ କହିଲି । ମୋର ପ୍ରଶ୍ନରେ ଭଦ୍ର ବ୍ୟକ୍ତି ଏକ ଦୀର୍ଘଶ୍ୱାସ ନେଇ କହିଲେ, ଦୁଇ ପୁଅ ମୋର । ଜଣେ ଆମେରିକାରେ ଆଉଜଣେ ଅଷ୍ଟ୍ରେଲିଆରେ । ଏଥର ଆଶିଷବାବୁଙ୍କର ଆଖିରେ ଟିକେ ଜ୍ୟୋତି ଫୁଟିଲା । ମୁହଁଟା ହସହସ ଦେଖାଗଲା । ନିଜକୁ ସହଜ କରିନେଇ ସେ କହିବା ଆରମ୍ଭ କଲେ-
ରବିନ୍ ଓ ରତନ ଦୁଇପୁଅ ମୋର ମ୍ୟାଡ଼ାମ୍ । ଖୁବ୍ ଭଲ ଛାତ୍ର , ଭଲ ପଢ଼ୁଥିଲେ । ପିଲାମାନଙ୍କର ପରୀକ୍ଷା ଫଳ ବାହାରିବା ଦିନ ମୁଁ ଅଫିସରୁ ଫେରିବା ରାସ୍ତାରୁ କିଛି ନା କିଛି ମିଠାଇ ଧରି ଘରକୁ ଆସୁଥିଲି । ସରକାରୀ ଚାକିରୀ ଥିଲା ମୋର, ଆମ ବେଳେ ଆଜିକାଲି ଭଳି ଏତେ ଟେନ୍ସନ୍ ନଥିଲା ଚାକିରୀରେ । ସରକାରୀ କ୍ୱାର୍ଟର ବି ମିଳିଥିଲା ମତେ ରହିବା ପାଇଁ । ପିଲାମାନେ ଏଇଠି ଜନ୍ମ, ଏଇଠି ବଡ଼ ହେଇଛନ୍ତି ଭଲ ପାଠ ପଢ଼ୁଥିଲେ । ତେଣୁ ଇଂରାଜୀ ମିଡ଼ିୟମ ସ୍କୁଲରେ ସେମାନଙ୍କର ନାମ ଲେଖାଇଥିଲି । ଏସବୁ କଥା ମୋର ବ୍ୟାଙ୍କିଙ୍ଗ୍ କାମରେ ଆସିବନି । ତଥାପି ଧୈର୍ଯ୍ୟର ସହ ମୁଁ ଶୁଣୁଥାଏ, କାରଣ ଇତିମଧ୍ୟରେ ଅଢ଼େଇଟା ବାଜିଲାଣି । ଅନ୍ୟ କଷ୍ଟମର କେହି ନାହାନ୍ତି ମୋ ପାଖରେ । ତେଣୁ ଆଶିଷ ବାବୁଙ୍କର କଥା ଶୁଣିବାରେ ସମୟ ବ୍ୟୟ କରିବାକୁ କାର୍ପଣ୍ୟତା କାହିଁକି ବା ମୁଁ କରନ୍ତି? ବୟସ୍କ ଲୋକ । ବାପ ସମାନ । କିଛିଟା ଗପିଦେଲେ ହୁଏତ ତାଙ୍କର ମାନସିକ କ୍ଳାନ୍ତି ଲାଘବ ହେବ । ଏ ବୟସରେ ମଣିଷ ଚାହେଁ କାହା ସାଥୀରେ କିଛିଟା ସୁଖ ଦୁଃଖ ଭାଗ କରିବାକୁ । ସାଧାରଣତଃ ପିଲାମାନେ ଡେଣାଝାଡ଼ି ଉଡ଼ିବା ଶିଖିବା ପରେ ଏକାକୀ ଘରର ଚାରିକାନ୍ଥ ଭିତରେ ରହିଯାଆନ୍ତି ଏଇ ବୟସର ପିତାମାତା ମାନେ । ବୃଦ୍ଧ ପୁଣି କହିବାକୁ ଲାଗିଲେ - ଯେତେବେଳେ ପିଲାମାନେ ପାଠ ପଢ଼ୁଥିଲେ, ଭଲ ରେଜଲ୍ଟ କରୁଥିଲେ ଖୁସି ଲାଗୁଥିଲା । ଲାଗିବା କଥା ବି, ସ୍ୱାଭାବିକ ଏଇଟା । ମନେପଡ଼ୁଛି ବଡ଼ପୁଅ ଯେତେବେଳେ ପଢ଼ିବାକୁ ଆମେରିକା ଗଲା ସାଙ୍ଗସାଥୀ ମହଲରେ ନିଜକୁ ବହୁତ ଗର୍ବାନ୍ୱିତ ମନେକରୁଥିଲି । ସେମାନେ ବି ମତେ ଏତେ ଉପରକୁ ଉଠେଇ ଦେଇଥିଲେ ଯେ, ମତେ ଯେମିତି ଲାଗୁଥିଲା ପୁଅ ଆମେରିକା ଯାଇଛି ଆଉ ମୁଁ ସ୍ୱର୍ଗରେ ଅଛି । ସ୍ୱର୍ଗସୁଖ ମୋର ଅନ୍ତରେ ଅନ୍ତରେ ଭରିଯାଉଥିଲା । ଭାବିଥିଲି ପୁଅ ଯାଇଛି ଦୁଇବର୍ଷ, ପଢ଼ା ସରିବା ପରେ ପୁଣି ଦେଶକୁ ଫେରି ଆସିବ । ଏଇଠି ଆମ ପାଖରେ ରହି ଚାକିରୀ କରିବ । କିନ୍ତୁ ନା, ପାଠପଢ଼ା ସରିବା ପରେ ରବିନ୍ କହିଥିଲା ବାପା, ଏଠି ଭଲ ସୁଯୋଗ ସୁବିଧା ମିଳୁଛି । ମୁଁ ଚାକିରୀରେ ଜଏନ୍ କରିଯାଇଛି । ଏ ପିଢ଼ୀର ପିଲାମାନେ କୌଣସିକଥା ପ୍ରାୟ ଆଉ ପଚାରୁ ନାହାନ୍ତି । ସେମାନଙ୍କର ଚିନ୍ତାଧାରା ଭିନ୍ନପ୍ରକାରର । ସେମାନେ ବହୁତ ପ୍ରାକ୍ଟିକାଲ । ଚାକିରୀ ସେଠି କରିବି କି ନାହିଁ ପଚାରିବାଟା ବୋଧହୁଏ ଜରୁରୀ ମନେ କଲାନି ସେ । ଯାହା ହେଉ ଚାକିରୀରେ ରେ ଜଏନ୍ କରିବାରେ ଖବରଟିଏ ଦେଲା । ସେତିକି ମୋର ଭାଗ୍ୟ ବୋଲି ଭାବି ଚୁପ୍ ରହିଲି । ପତ୍ନୀକୁ ବି ବୁଝେଇ ଦେଲି । ସେ ତ ସହଜେ ଚୁପ୍ଚାପ୍ ପ୍ରକୃତିର । ସେ ବି ବୁଝିଯାଇଥିଲେ ପିଲାଙ୍କର ନିଷ୍ପତିକୁ ମାନି ନେବାଟାହିଁ ଶ୍ରେୟ । ରବିନ୍ ଭଳି ରତନ୍ ମଧ୍ୟ ଦୁଇ ବର୍ଷପରେ ଅଷ୍ଟ୍ରେଲିଆ ଚାଲିଗଲା । ପ୍ରଥମେ ପ୍ରଥମେ ପିଲାମାନେ ବର୍ଷକୁ ଥରେ ଘରକୁ ଆସୁଥିଲେ । ବିବାହ ପରେ ସେମାନଙ୍କର ପରିବାର ବର୍ତମାନ ସେଠାରେ । ତାଙ୍କ ପିଲାଙ୍କ ପଢ଼ାପଢ଼ି ବି ଆରମ୍ଭ ହେଇଗଲାଣି । ତେଣୁ ପ୍ରାୟ ଚାରିପାଂଚଞ୍ଚବର୍ଷରେ ଥରେ ଆସୁଛନ୍ତି । ମତେ ତ ମା’ ବସୟ ଅଶୀ ପାଖା ପାଖି । ମାଉସୀ କୁ ବି ପଚୋଁସ୍ତରୀ ହେବ । ଏ ବସୟସରେ ଆଉ ଏତ ବଡ଼ ଘର ସମ୍ଭାଳି ରହିହେବନି । ଦି’ ପୁଅଯାକ ବାହାରେ ଘରଦ୍ୱାର କରି ସେଠିକାର ନାଗରିକତ୍ୱ ନେଇସାରିଛନ୍ତି । ତେଣୁ ଏଠି ଆଉ ଏତେବଡ଼ ଫ୍ଲାଟ୍ ରଖିବାକୁ ଚାହୁଁନାହାନ୍ତି । ଆମର ବି କ’ଣ ହେବ ଏ ବୟସରେ ଏତେ ବଡ଼ ଘର? ନିଜର ଯତ୍ନ ନେବା କାଠିକର ପାଠ, ତା’ ସହ ଏ ଘର । ଦିନ ଥିଲା ଘର ଟା ସଂପତି ବୋଲି ଭାବୁଥିଲୁ ଏବେ କିଂତୁ ବୋଝ ପରି ଲାଗୁଛି । ଦିନଟାରେ ବି ଶୂନ୍ୟତାର ଅଂଧକାର ମାଡ଼ିବସୁଛି ।
ଏତିକି କହି ଦଣ୍ଡେ ନିଃଶ୍ୱାସ ମାରିଲେ ଭଦ୍ରବ୍ୟକ୍ତି ଜଣକ । ପାଖରେ ଥିବା ମୋର ପାଣିବୋତଲଟିକୁ ତାଙ୍କୁ ବଢ଼େଇଦେଲି । ମୁଖରେ ସାମାନ୍ୟ ପ୍ରୀତ ହେବାର ଭାବ, ଯେପରି ତାଙ୍କ ମନକଥା ମୁଁ ବୁଝି ପାରିଛି । ତା’ ପରେ ହାତରେ ଥିବା ଡାଏରୀରୁ ପାଂଚଞ୍ଚଛଅଟି ଫିକ୍ସଡିପୋଜିଟ୍ ସାର୍ଟିଫିକେଟ୍ କାଢ଼ିଲେ । ମୋ ହାତରେ ଦେଇ କହିଲେ ମା, ଏ ଗୁଡ଼ାକ ସବୁ ଭାଙ୍ଗି ଦେଇ ମୋର ସେଭିଙ୍ଗସ୍ ଖାତରେ ପକେଇ ଦେବେ । ଆମେ ଦି’ଜଣ ଯାକ ସାର୍ଟିଫିକେଟ୍ ପଛରେ ସାଇନ୍ କରିଦେଉଛୁ । ସାର୍ଟିଫିକେଟ ଗୁଡ଼ିକୁ ହାତରେ ଓଲଟାଇ ଦେଖିଲି - ସବୁ ମିଶିଲେ ଅତିକମରେ ସତୁରୀ ଅଶି ଲକ୍ଷ ହେବ । ଏତେ ସବୁ ପଇସା ସେଭିଙ୍ଗ୍ସ୍ ଖାତରେ ରଖିବେ, ଠିକଣା ବଦଳେଇବେ ...... କୁଆଡ଼େ ଯିବେ ଆଶିଷ୍ ବାବୁ? ମନେମନେ ଭାବୁଛି ଏକଥା, ସେ ମତେ ହାତ ଲେଖା ଦରଖାସ୍ତ ଟିଏ ଧରେଇଦେଲେ, ଯେଉଁଟା ସେ ଠିକଣା ବଦଳେଇବାପାଇଁ ଦେଉଥିଲେ । ମୁକ୍ତା ମଞ୍ଜି ଭଳି ଖୁବ୍ ସୁନ୍ଦର ଅକ୍ଷର । ଅକ୍ଷର ଦେଖି ବୁଝି ହେଉଥାଏ ଭଦ୍ରବ୍ୟକ୍ତିଙ୍କର ମର୍ଯ୍ୟାଦା, ଆଭିଜାତ୍ୟ । ସ୍ୱତଃସ୍ଫୁର୍ତଭାବେ ଦରଖାସ୍ତଟିର ତଳକୁ ମୋର ନଜର ଚାଲିଗଲା । ନୂଆ ଠିକଣା ଲେଖା ହେଇଥାଏ
ଶାନ୍ତି ଭବନ ବୃଦ୍ଧାଶ୍ରମ ....... ପୂନେ ବମ୍ବେ ହାଇୱେ .... ଆଉ ପଢ଼ିପାରୁ ନଥାଏ ମୁଁ, ଆଖି ଭରିଯାଇଥାଏ ମୋର । ଉପରକୁ ମୁହଁଟେକି ତା’ଙ୍କୁ ଚାହିଁବି ପାରୁନଥାଏ, ଏଭଳି ପରିସ୍ଥିତିରୁ ଉଦ୍ଧାର କଲା ମୋତେ ମୋର ମୁଭିଙ୍ଗ୍ ଚେୟାର । କିଛି ଫାଇଲ୍ କାଢ଼ିବା ବାହାନାରେ ପଛକୁ ବୁଲି ଲୁହ ପୋଛିଲି ।
ଆଶିଷ ବାବୁ ଅତ୍ୟନ୍ତ ଶିକ୍ଷିତ, ଭଦ୍ର, ଅମାୟିକ ଓ ଶାନ୍ତ ସ୍ୱଭାବର । ବୁଝିପାରିଲେ ମୋ ପରିସ୍ଥିତି । ଟିକେ ହାଲ୍କା ହେବାକୁ ଯାଇ କହିଲେ, ମା, ସେଠି ସବୁ ପ୍ରକାରର ସୁବିଧା ଅଛି । ସ୍ୱିମିଙ୍ଗ ପୁଲ, ଲାଇବ୍ରେରୀ, ଜିମ୍, ଯୋଗଗୃହ, ଏଭଳି ବହୁ କିଛି । ଆମରି ବୟସର ସାଥୀ ସବୁ ସେଠି ମିଳିବେ । ଭଲ ଲାଗିବ । ନିର୍ବାକ ହୋଇ ମୁଁ ଚାହିଁଥାଏ ତାଙ୍କୁ । ଟିକେ ହସିଦେଇ ଭଦ୍ରବ୍ୟକ୍ତି ଉଠିଲେ ଚୌକି ଉପରୁ । କହିଲେ, ମୁଁ କାଲି ଆସିବି, ସାଥୀରେ ମାଉସୀଙ୍କୁ ବି ନେଇ ଆସିବି । ଆପଣଙ୍କ ସହ କଥାବାର୍ତା କଲେ ତାଙ୍କୁ ବି ଟିକେ ଭଲ ଲାଗିବ । ହଁ, କାଲି ଆମ ଖାତାରେ ଗୋଟେ ଏଟିଏମ୍ କାର୍ଡ଼ କରେଇ ଦେବେ । ସେଠୁ ଏତେ ଦୂରୁ ସବୁବେଳେ ତ ଆଉ ଆସିପାରିବୁନି । ପାଖରେ ବି କୋଉଠି ବ୍ୟାଙ୍କ୍ ଅଛି କି ନାହିଁ ଜାଣିନି । ଅନ୍ତତଃ ଏଟିଏମ୍ କାର୍ଡ଼ଟା ସାଥୀରେ ଥାଉ, ଆଉ କେହି ନ ରହିଲେ ନାହିଁ । ଦୀର୍ଘଶ୍ୱାସଟିଏ ଛାଡ଼ି ସେ ବାହାରକୁ ଚାଲିଲେ । ତାଙ୍କ ଯିବା ପଥକୁ ନୀରବରେ ମୁଁ ଚାହିଁ ରହିଥାଏ । ଆଖି ଆଗରେ ଦେଖାଯାଉଥାଏ ନୂଆ ନିବାସର ଠିକଣା - ଶାନ୍ତିବନ ବୃଦ୍ଧାଶ୍ରମ .........
