STORYMIRROR

Sunita Kar

Classics Inspirational Others

4  

Sunita Kar

Classics Inspirational Others

ଝରାଫୁଲ

ଝରାଫୁଲ

8 mins
249

 

ବାଲକୋନିରେ ଆରାମ ଚେୟାରଟିରେ ଶରୀରକୁ ଲୋଟେଇଦେଇ ଆଖିବୁଜି ପଡ଼ିରହିଛନ୍ତି ସୁମିତ୍ରା ଦେବୀ । ଏଇଟା ହିଁ ତାଙ୍କର ଆରାମ ଦାୟକ ସମୟ । ସଂଜବତୀ ଚଉରାରେ ଆଉ ଠାକୁର ଘରେ ଦେଇସାରିବା ପରେ ବିଷ୍ଣୁପୁରାଣରୁ ଅଧ୍ୟାୟଟେ ପଢ଼ନ୍ତି ସବୁଦିନ । ତା’ ପରେ ଜୁହାର ହୋଇ ଚା କପ୍‌ଟିଏ ଧରି ଆସିଯାଆନ୍ତି ତାଙ୍କ ବେଡ଼୍‌ରୁମ୍ ପାଖ ବାଲ୍‌କୋନିକୁ । ଲାଇଟ୍ ଟା ଲିଭେଇ ଦିଅନ୍ତି ବାଲ୍‌କୋନିର । ସୁଲୁସୁଲିଆ ପବନ ସାଥିକୁ ଝାପ୍‌ସା ଆଲୋକ ଓ ଅନ୍ଧାରର ସମ୍ମିଶ୍ରଣ ଏଠି । ଭଲ ଲାଗେ ଆରାମ ଚେୟାରଟିରେ ଲୋଟିଯିବାକୁ । ପାଖରେ ଛୋଟ ଷ୍ଟୁଲ୍‌ଟିଏ ଥାଏ ଚାହା ରଖିବା ପାଇଁ । ଚା’ଟିକୁ ଶେଷ କରି ଆଖିବୁଜି ପଡ଼ିରହନ୍ତି ଚେୟାର ଉପରେ ଅନେକ ବେଳ ଯାଏ । କେତେବେଳେ ସମୟ ପାର ହୁଏ ଜଣା ପଡ଼େନି । ରାତି ନଅଟା ସରିକି ମଣ୍ଟୁ, ପାଖ ହୋଟେଲର ପିଲାଟିଏ ଆସି ଦେଇଯାଏ ଦି’ଟ ରୁଟି ସାଥିକି କିଛି ସାଧା ଭଜାଭୁଜି ଅବା ବିନା ମସଲାର ତରକାରୀ । ବାସ୍‌, ସେତିକି ତାଙ୍କର ରାତ୍ରୀ ଖାଇବା ।

   ମଣ୍ଟୁ ଆସିବା ଯାଏଁ ସୁମିତ୍ରା ଦେବୀ ଆରାମ ଚେୟାର ଉପରେ ଆଖିବୁଜି ସେମିିତି ନିଶ୍ଚଳ ଭାବରେ ଲୋଟିଥାଆନ୍ତି । ବୋଧହୁଏ କିଛି ଭାବୁଥାଆନ୍ତି । ତା’ ଭିତରେ ଯିଏ ବି ତଳୁ କଲିଂବେଲ୍ ମାରିଲେ ସାଥେସାଥେ ଉତ୍ତର ଦିଅନ୍ତି । ତେଣୁ ନିଦରେ ପୁରା ଶେଇନଥାନ୍ତି, ଏଇଟା ତ - ନିଶ୍ଚିତ । ସାମନା ଘର ମିଶ୍ର ଭାଉଜ ମଝିରେ ମଝିରେ ତାଙ୍କ ଛାତ ଉପରୁ ନହେଲେ ବାଲକୋନିରୁ ଦେଖିଯାଉଥାଆନ୍ତି ସୁମିତ୍ରା ଦେବୀଙ୍କୁ । ଡାକ ପକାନ୍ତି ମାଉସୀ, ମାଉସୀ, .... । ପଦେ ଅଧେ କଥା ହୋଇ ସେ ଚାଲିଯାଆନ୍ତି ତାଙ୍କ କାମରେ ।

   ଦିନବେଳା ନିଜ ରୋଷେଇରେ ସୁମିତ୍ରା ଦେବୀ ନିଜେ କରନ୍ତି । ଘର ଝାଡ଼ୁ, ପୋଛା, ବାସମଜା, ଲୁଗସଫା ପାଇଁ ତଅପୋଇ ଅଛି । ଦି’ ଓଳି ଆସେ । ଲୁଗାପଟା ଯାହା ଶୁଖେଇ ଥାଏ ଉପରଓଳି ଆସି ଭାଙ୍ଗିଭୁଙ୍ଗି ରଖିଦେଇ ଯାଏ । ଘର ଝାଡ଼ୁମାରି ସାରିବା ପରେ ମନେ ପକେଇଦେଇ ଯାଏ, ମା ସଂଜ ଦେଇଦେବ, ଡେରି ହେଇଯିବ ନହେଲେ । ସୁମିତ୍ରା ଦେବୀ ହସନ୍ତି ତା’ କଥାରେ । ସତେ ଯେମିତି ନକହିଲେ ସେ ସଂଜ ଦେବେନି । କିନ୍ତୁ ମନେମନେ ଖୁସି ବି ହୁଅନ୍ତି, ଯାହାହେଉ ଝିଅଟା ଏତେ ଖିଆଲ ତ ରଖୁଛି ତାଙ୍କର । ଦେହ ପା’ କିଛି ହେଲେ ମୋଡ଼ା ଘଷା କରିଦିଏ । ମୁଣ୍ଡକୁ ଦି ପାପୁଲିରେ ଚାପିଧରି ଦି’ଟିପରେ କେତେ ସୁନ୍ଦର କରି ଟିପେଇ ଟିପେଇ ଦିଏ, କି’ ଆରାମ! ଦରକାର ପଡ଼ିଲେ ଗଣ୍ଡେ ଫୁଟେଇ ଦେଇକି ବି ଯାଏ । କହେ, ମା ବାଢ଼ିଦେଉଛି ଖାଇଦିଅ । ଥଣ୍ଡା ହୋଇଯିବ, ଭଲ ଲାଗିବନି । ମନେ ମନେ ଆଶୀର୍ବାଦର ପସରା ଢ଼ାଳି ଦିଅନ୍ତି ତା’ ଉପରେ ସୁମିତ୍ରା ଦେବୀ ।

   ପ୍ରସନ୍ନ ବାବୁଙ୍କ ଯିବାର ପାଖାପାଖି ପନ୍ଦର ବରଷ ହେବ । ରିଟାୟାର୍ଡ଼ ହେବାପରେ ବେଶିଦିନ ରହିନାହାନ୍ତି, ସେ ଚାଲିଗଲେ । ବଡ଼ ସୁଖୀ ଲୋକ । କେତେ ବା ବୟସ ହୋଇଥିଲା ତାଙ୍କୁ! ପଞ୍ଚଷଠୀ ହେବ । ହୃଦ୍‌ଘାତରେ ଚାଲିଗଲେ । ନା, ବେମାରୀ- ନା ତାଙ୍କର ସେବା –କିଛି ନାହିଁ । ହଠାତ୍ କରି ଗଛରୁ ଫୁଲ ଝଡ଼ିଲା ପରି ଝଡ଼ିଗଲେ । ଅକାଳରେ କହିଲେ ବି ଅତ୍ୟୁକ୍ତି ହେବନାହିଁ । ପଞ୍ଚଷଠି ବୟସ ବା ଗୋଟେ କ’ଣ ଯିବା ବୟସ?

   ହଁ, ବିଧାତା ଭିଆଣ, କେ କରିବ ଆନ । ନିଜ ନିଜର ଅଭିନୟ ସାରି ବାହୁଡ଼ିବା କଥା । ସୁଖୀ ଲୋକ । ଭାଗ୍ୟ କରିଥିଲେ । ପିଲାଙ୍କୁ ନିଜ ଗୋଡ଼ରେ ଠିଆ ହେବା ଦେଖିଲେ । ଝିଅକୁ ହାତକୁ ଦି’ହାତ କରେଇ ଦେଇ ବାଟ କାଟିଲେ ସୁମିତ୍ରା ଦେବୀଙ୍କୁ ଏକା ଛାଡ଼ି । ପୁଅଟା ନୂଆ ନୂଆ ଚାକିରୀ କରିଥାଏ ସେତେବେଳେ ବି.ଟେକ୍ ସାରି । ବାପା ମଲାପରେ ପୁଣି ଦି’ବର୍ଷ ପଢ଼ିବାକୁ ଆମେରିକା ଗଲା । ପ୍ରସନ୍ନବାବୁଙ୍କର ଆର୍ଥିକ ସ୍ଥିତି ଖୁବ୍ ଭଲ । ତାଙ୍କ ପଡ଼ାରେ ସେ ଜଣେ ଭାରୀ ନାମୀ ଲୋକ ଥିଲେ । ମଣିଷ ହିସାବରେ ଖୁବ୍ ଭଲ ନାଁ ଥିଲା ତାଙ୍କର । ଲୋକମାନୁଥିଲେ ତାଙ୍କୁ । ପଇସା ପତ୍ରରେ ବି ଅଭାବ ନଥିଲା । ସେଥିପାଇଁ ସୁମିତ୍ରା ଦେବୀ ପୁଅକୁ ବାପ ମଲାପରେ ବି ଆମେରିକା ପଠେଇଲେ ପଢ଼ିବାପାଇଁ । ଏକା ଏକା ଏତେ ବଡ଼ ଘର ସମ୍ଭାଳିକି ରହୁଥିଲେ । ସୁରକ୍ଷା ଦୃଷ୍ଟିରୁ ବନ୍ଧୁବାନ୍ଧବ କହିବା ପରେ ତଳଘରକୁ ଭଡ଼ାରେ ଲଗାଇ ନିଜେ ଉପର ଘରେ ରହିଲେ ଏକା । ଅଭିର ଶୋଇବା ଘର, ପଢ଼ାଘର, ଡ୍ରଇଂରୁମ୍ ପ୍ରାୟ ବନ୍ଦଥାଏ । ମଝିରେ ମଝିରେ ତଅପୋଇ ଖୋଲି ସଫାସଫି କରେ । ହେଇ, କାଲି ପରି ଲାଗୁଛି ପୁଅ ଆମେରିକା ଯାଇଥିଲା ପଢ଼ିବାକୁ । ସେଇଠୁ ଫେରିବା ପରେ ଦିନକେତେଟା ଏଠି ରହିଛି, ପୁଣି ପଳେଇଲା ସେଠିକୁ । କହିଲା, ଭଲ ଚାକିରୀ ମିଳୁଛି, ରହିବା ବି ଭଲ । ସୁମିତ୍ରା ଦେବୀ ମନା କରିପାରିନଥିଲେ । ପୁଅ ତା’ ଜୀବନର ନିଷ୍ପତି ନେଉଛି, ସେ ମନା ବା କାହିଁକି କରିବେ? ସେ ତ ଆଉ ପିଲା ହେଇନି, ମୁଣ୍ଡକୁ ହାତ ପାଇଲାଣି, ନିଜଗୋଡ଼ରେ ଠିଆ ହେଲାଣି । ଭଲ ମନ୍ଦର ବିଚାର ସେ କ’ଣ ନିଜେ କରିପାରିବନି? ଚୁପ୍ ହେଇଯାଇଥିଲେ ସୁମିତ୍ରା ଦେବୀ । ପୁଅ ଅଭିଷେକ ଯାଇଥିଲା ଆମେରିକା ଚାକିରୀ ପାଇଁ । ବର୍ଷକୁ ଦୁଇଥର ଆସେ ଛୁଟିନେଇ । ବେଶ୍ କିଛି ଦିନ ରହେ ମାଆ ପାଖରେ, ଯିବା ବେଳେ ତା’ର ଯିବା ବାଟକୁ ଭରା ଆଖିରେ ଚାହିଁ ରହନ୍ତି ସୁମିତ୍ରା ଦେବୀ । ଗାଡ଼ି ଭିତରେ ବସି ପୁଅ ବାଏ ବାଏ କହିଲା ବେଳେ ହସିଦିଅନ୍ତି ସେ । ଯଦିଓ ଅନ୍ତର ଭିତରଟା ଫାଟି ପଡ଼ୁଥାଏ କୋହରେ । ପୁଣି ଘର ଶୁନ୍ ଶାନ୍ । ଖାଁ ଖାଁ ଲାଗେ ତାଙ୍କୁ । ଦିନଟା କୌଣସି ମତେ ଏପଟ ସେପଟ ହେଇ କଟିଯାଏ, କିନ୍ତୁ ରାତି ଲାଗେ ଅସରନ୍ତି । ମାଡ଼ିପଡ଼େ ଯେମିତି ତାଙ୍କୁ । ତେଣୁ ଏଇ ବାଲକୋନୀଟାରେ ବସିରହନ୍ତି । ରାସ୍ତାରେ ଲୋକଯିବା ଆସିବା, ତାଙ୍କ କଥାବାର୍ତ୍ତା ଶୁଣିଲେ ବି ଭଲ ଲାଗେ ତାଙ୍କୁ ।

   ଗତ ଆଠବର୍ଷ ହେବ, ଅଭିର ବାହାଘର ହେଲାଣି । ବାହାଘର ପରେ ପରେ ବୋହୁ ଆନି ମଧ୍ୟ ଆମେରିକା ଗଲା । ପୁଅ କ’ଣ ଆଉ ଏକା ରହିବ? ଏବେ ନାତିଟିଏ ତାଙ୍କର । ଖୁବ୍ ଗୁଲ୍‌ଗୁଲିଆ; ସୁନ୍ଦର କେଣ୍ଢଇଟିଏ ଭଳି । ତା’ର ଛବି ଆଖି ଆଗରେ ଆସିଲେ ମନକୁ ମନ ହସନ୍ତି ସୁମିତ୍ରା ଦେବୀ । କେତେ ସୁନ୍ଦର । ‘ଅଭି’ଟା ମଧ୍ୟ ପିଲାଦିନେ ଏମିତି ହେଇଥିଲା । ସେ ତ ଆମେରିକାରେ ଜନ୍ମ । ତେଣୁ ଆଉ ଟିକେ ସଫା ରଂଗ ଅଛି । ଚୁଟିଗୁଡ଼ାକ ବି ଆମେରିକାନ୍ ଙ୍କ ଭଳି କହରା ଟିକେ ଟିକେ । ତା’ର ଖନି ଖନି କଥା ଶୁଣିଲେ ସୁମିତ୍ରା ଦେବୀ ସବୁ ଦୁଃଖ ଭୂଲିଯାଆନ୍ତି । ନିହାତି ଭାବେ ସପ୍ତାହକୁ ଦି ତିନିଥର ତା’ ସହ କଥା ହେବେ । ଅଭି କି ଆନି କେହି ବି ହେଲେ ସେପଟୁ ଫୋନ୍ ଲଗାନ୍ତି, ସେ ଦାଦି ମା ସହ କଥା ହୁଏ । ମୋବାଇଲ୍‌ରେ ଭିଡ଼ିଓ କଲ୍ କରିବା ବି ସୁମିତ୍ରା ଦେବୀ ଜାଣନ୍ତି । ବେଳେବେଳେ ତଅପୋଇକୁ ବି ଦେଖାନ୍ତି ନାତିକୁ । ଭାରି ଖୁସି ହୁଅନ୍ତି ତାଙ୍କୁ ଦେଖି । ଆଗରୁ ପ୍ରତିବର୍ଷ ସେମାନେ ଘରକୁ ଆସୁଥିଲେ ଯେତିକି ଦିନ ଆସିରୁହନ୍ତି, ଘର ପୁରିଉଠେ । କେତେ ଯେ ଆୟୋଜନ କରନ୍ତି ସୁମିତ୍ରା ଦେବୀ ତା’ର କଳନା ନାହିଁ, ପାଦତାଙ୍କର ତଳେ ଲାଗେନି ।

   ବୋହୁ ଆସିଲେ ଚାରିଛଅଦିନ ଏଠି ରହେ, ପୁଣି ବାପଘରକୁ ଯାଏ । ତା’ର ବନ୍ଧୁ ବାନ୍ଧବ ସାଙ୍କ ସାଥୀ ସମସ୍ତେ ଅଛନ୍ତି । ଆଉ ମୋ ପାଖରେ କ’ଣ ପୁରା ଛୁଟିଟା ରହିବ କି? ନିଜ ମନକୁ ବୁଝାନ୍ତି ସୁମିତ୍ରା ଦେବୀ । ଚାହୁଁ ଚାହୁଁ ସେମାନଙ୍କର ଛୁଟି ସରିଆସେ । ଯିବାକୁ ବାହାରନ୍ତି । ସଜ ଫୁଟିଲା ଫୁଲ ଭଳି ଦେଖାଯାଉଥିବା ମୁହଁଟି ସୁମିତ୍ରା ଦେବୀଙ୍କର ଝରାଶେଫାଳୀ ଭଳି ଲୋଚକି ଯାଏ । ଭାବନ୍ତି ବହୁତ କିଛି ପିଠାପଣା କରି ପିଲାଙ୍କୁ ଦେବେ ନେବା ପାଇଁ ସାଥୀରେ । ହେଲେ, ଅଭି ବିରକ୍ତ ହୁଏ । ମୁଳରୁ ହିଁ ମନା କରିଦେଇଥାଏ, ମା’ କିଛି କରିବନି ତୁମେ ପୁଳେ ୟାଡ଼ୁ ସିଆଡ଼ୁ । ଏତେ ଦୂର ସେଗୁଡ଼ାକ ନେଇ ଗଲା ବେଳକୁ ଖରାପ ହେଇଯିବ, ଓଜନ ବି ବଢ଼ିଯିବ ସୁଟ୍‌କେଶର । ତା’ ଛଡ଼ା ଏତେ ଦିନ ରହିବା ଭିତରେତ ଆମେ ସେ ପିଠା ସବୁ ଖାଇଲୁ ଏବେ । ଏତେ କାମ କାହିଁକି କରୁଛୁ ମା? ସ୍ନେହ ଭରା ଆକଟ କରେ ସେ ।

   ସୁମିତ୍ରା ଦେବୀଙ୍କର ମନ ମରିଯାଏ, ଆଉ ଆରିଷା, କାକରା. ମଣ୍ଡାର ଆୟୋଜନ କରନ୍ତିନି । ପିଲାଙ୍କ ପସନ୍ଦ ଅପସନ୍ଦ ଅନୁସାରେ ତ ପୁଣି ଚଳିବାକୁ ହେବ । ଆଗରୁ ଦି’ଥର ଆମେରିକା ଯାଇ ଛଅ ଛଅ ମାସ ସେ ରହି ଆସିଥିଲେ । ଅଂଶୁ ଜନ୍ମବେଳେ ବି ଯାଇଥିଲେ । ଯେଉଁ କଥାକୁ ସେ ଡରୁଥିଲେ ଅଭି ଶେଷରେ ସେଇଆ କଲା । ସେଠିକାର ନାଗରିକତା ସେ ନେଇଗଲା । କହିଲା ମା’ ସେଠାରେ ବହୁତ ସୁବିଧା ସୁଯୋଗ ଅଛି, ଆଉ ଭାରତ ଫେରିବା ଭଳି ମୋର ବ୍ୟବସ୍ଥା ନାହିଁ । ଏକଥା ଶୁଣି ସେଦିନ ସୁମିତ୍ରା ଦେବୀଙ୍କର ପାଦତଳ ଚଟାଣ ବରଫ ପରି ଶୀତଳ ବୋଧ ହେଇଥିଲା । ନିଜକୁ ସମ୍ଭାଳି ନେଇଥିଲେ । ଅଭି ଜାଣିପାରି ନଥିଲା ମା’ ମନର କଷ୍ଟ ।

   ଆଜି କାଲିର ପିଲାମାନେ ଟିକେ ଅତ୍ୟଧିକ ମାତ୍ରାରେ ପ୍ରାକ୍ଟିକାଲ ହେଇଯାଉଛନ୍ତି । ଆବେଗ, ଭାବର ମୂଲ୍ୟବୋଧ ପ୍ରାୟ ନାହିଁ କହିଲେ ଚଳେ । ଆଗରୁ ସପ୍ତାହକୁ ଦି, ତିନିଥର ଫୋନ୍ ଆସୁଥିଲା, ଆଜିକାଲି ମାସକରେ ବି ଦି’ତିନିଥର ହେଉନି । ଅଂଶୁର ପଢ଼ାପଢ଼ି ଆରମ୍ଭ ହେଇଗଲାଣି, ତେଣୁ ସମୟ ହେଉନି । ଏଇ ସଂଧ୍ୟା ସମୟଟା ଚାଟିକେ ପିଇ ପାଖରେ ମୋବାଇଲଟା ରଖି ଆରାମ ଚେୟାରରେ ଆଖିବୁଜି ପଡ଼ିରହନ୍ତି ସୁମିତ୍ରା ଦେବୀ; ବୋଧ ହୁଏ ପୁଅ ବୋହୁଙ୍କର ଫୋନ୍‌ର ଅପେକ୍ଷାରେ । ତା’ ପରେ ନିରାଶ ହୋଇ ଉଠନ୍ତି ସେ’ଠୁ ଯେତେବେଳେ ମଣ୍ଟୁ ରାତିରେ ଖାଇବା ନେଇ ଆସେ । ତା’ର କଲିଂବେଲ୍ ବାଜିଲେ ସେ ଉଠି ବେଡ଼୍‌ରୁମ୍‌ର ବାଲକୋନି ର ଦୁଆର ବନ୍ଦକରି ଯାଆନ୍ତି । ଖାଇସାରି ଟିଭି ଟିକେ ଦେଖି ଶୋଇଯାଆନ୍ତି । ବାସ୍ ଦିନ ଯାଇ ରାତି ଆସେ, ରାତି ଯାଇ ଦିନ ଆସେ, ଗଡ଼ି ଚାଲେ ସମୟର ଚକ ଏଭଳି ଭାବରେ ।

   ସେଦିନ ଥିଲା ପ୍ରସନ୍ନବାବୁଙ୍କର ଶ୍ରାଦ୍ଧଦିବସ । ପ୍ରାୟ ପ୍ରତିବର୍ଷ ଅଭି ଆସେ । ଏକା ଆସେ ସେ । ଦି’ ଚାରିଦିନ ରହି ଫେରିଯାଏ । ବନ୍ଧୁବାନ୍ଧବ ବେଶି କାହାକୁ ଡାକନ୍ତିନି ସୁମିତ୍ରା ଦେବୀ । ଘରେ ଗହଳି ହେଲେ ପୁଅ ସାଙ୍ଗରେ ସେ ସମୟ ବିତେଇ ପାରିବେନି । ବନ୍ଧୁ ଚର୍ଚ୍ଚା କରୁ କରୁ ଦିନ ଯିବ । ତେଣୁ ଶ୍ରାଦ୍ଧ ଘରେ କରନ୍ତି, ଆଉ ବ୍ରାହ୍ମଣ ପାଞ୍ଚଜଣ ଡକେଇ ଖୁଆଇ ପିଆଇ ମୋଟା ଦକ୍ଷିଣା ଦେଇ ସନ୍ତୁଷ୍ଟ କରି ଛାଡ଼ନ୍ତି । କୁହନ୍ତି, ସେମାନେ ଖୁସିରେ ଗଲେ ବାପା ସେପାରିରେ ଖୁସିରେ ରହିବେ । ଅଭି ମା’କୁ ଡାକି କହେ, ମା’ ତୁ ଏଠି ଏକା କାହିଁକି ଅଛୁ? ଚାଲ୍ ମୋ ସହ ଆମେରିକା । ସେଠି ଏକାଠି ରହିବା, ମତେ ଆଉ ଏତେ ଦୂର ଆସିବାକୁ ଇଚ୍ଛା ହେଉନି; ଖାଲି ତୋର ପାଇଁ ବାଧ୍ୟ ହେଉଛି । ତୁ ପାଖରେ ରହିଲେ ଭଲ ଲାଗନ୍ତା । ସୁମିତ୍ରା ଦେବୀ ଖୁସି ହେଇଥିଲେ । ଆଉଁସି ଦେଇଥିଲେ ପୁଅର ମୁଣ୍ଡକୁ । ଯାହା ହେଉ, ମୋ ପୁଅ ଅନ୍ୟମାନଙ୍କ ଭଳି ନୁହେଁ, ମତେ ଖୋଜୁଛି ତ! ଏତେ ଦୂର ଆସିବାକୁ ହଇରାଣ ଲାଗୁଛି, ହଁ ଆଉ କେତେଟା ଦିନ ସେ? ପାଚିଲା ଫଳ, କେତେ ବେଳେ ଝଡ଼ିଯିବେ । କିନ୍ତୁ ଘରଛାଡ଼ି ପରଦେଶ ଯିବାକୁ ମନ ଡାକୁନି । ପ୍ରସନ୍ନଙ୍କର ସ୍ମୃତି ଏଠି ପ୍ରତ୍ୟେକ କାନ୍ଥ ବାଡ଼ରେ, ଗଛପତ୍ରରେ ଲାଖି ରହିଛି । ଗୁଆ ଗଛ ଗୁଡ଼ିକୁ ଦେଖିଲେ ଲାଗୁଛି, ସତେ ଯେପରି ସେ ବସି ମାଟି ଖୋଳି ମୂଳର ମନ୍ଦାଟା ଗାଡ଼ୁଆ କରୁଛନ୍ତି, ପାଣି ବେଶି ରହିବ ବୋଲି । ନଡ଼ିଆ ଗଛର ତଳେ ଠିଆ ହେଇ କହୁଛନ୍ତି ସୁମି! ଦେଖ, କେତେ ବଡ଼ ବଡ଼ ନଡ଼ିଆ ତୁମ ଗଛରେ । ଏଇ ଗଛ ଚାରା ପକେଇବା ପାଇଁ କେତେ ଝଗଡ଼ା ଅଭିବାପାଙ୍କ ସାଙ୍ଗରେ । କହିଲେ, ନଡ଼ିଆ ଗଛର ଚେର ଘର ଫଟେଇ ଦେବ । ସୁମିତ୍ରା ଦେବୀ ହିଁ ଯୋର କରି ଦି’ଟା ନଡ଼ିଆ ଗଛ ଲଗେଇଥିଲେ । ଏବେ ଦି’ଟା ଯାକ ଗଛରେ ଫଳଭର୍ତ୍ତି । ହେଲେ ଖାଇବା ପାଇଁ ଘରେ କେହି ନାହାନ୍ତି ।

   ବାଡ଼ିପଟର ଆମ୍ବଗଛଟା ତ ବାରମାସୀ । ମହୁ ଭଳି ମିଠା ତା’ର ଆମ୍ବରସ । ଅଭିଟା କଲେଜରେ ପଢ଼ୁଥିଲା ବେଳେ ସବୁବେଳେ ସାଙ୍ଗ ପୁଞ୍ଜାଏ ଧରି ବସିଥିବ ଗଛମୂଳରେ । କେତେ ଗାଳି ଖାଏ ପ୍ରସନ୍ନଙ୍କଠୁ । ଏସବୁ ସ୍ମୃତି ଛାଡ଼ି ସେ କ’ଣ ଯାଇ ପାରିବେ ଆମେରିକା? ନା, ତାଙ୍କ ଦ୍ୱାରା ହେବନି । ଦୀର୍ଘ ନିଃଶ୍ୱାସ ଛାଡ଼ିଲେ । ଚୁପ୍‌ଚାପ୍ ଯାଇ ତାଙ୍କ ଆଦରର ଅତିପ୍ରିୟ ଚେୟାରଟାରେ ଲୋଟିପଡ଼ିଲେ । ଏଇଟା ହିଁ ତାଙ୍କର ସବୁଠୁ ଭଲ ସ୍ଥାନ । କ୍ଳାନ୍ତି ଅପସାରଣ କରିବାର ଏକମାତ୍ର ସାଥୀ ଏଇ ଆରାମ ଚେୟାର । ୟାକୁ ଛାଡ଼ି ସେ କ’ଣ ଯାଇପାରିବେ ଅଭିସାଙ୍ଗରେ ସବୁଦିନ ପାଇଁ? ହେ ଭଗବାନ! ତ୍ରାହିକର ମତେ, ମୋ ଅଭିକୁ ମୁଁ ଆଉ ହଇରାଣ କରିବାକୁ ଚାହୁଁନି । ଭଗବାନଙ୍କ ଉଦ୍ଦେଶ୍ୟରେ ସୁମିତ୍ରା ଦେବୀ ମନେ ମନେ ଏତିକି ଗୁହାରୀ ଜଣେଇ ଚୁପ୍ ରହିଲେ ।

   ଅଭି ଯାଇଛି କୁଆଡ଼େ ତା’ ସାଙ୍ଗ ପାଖକୁ । ଶ୍ରାଦ୍ଧ ପତ୍ର ସବୁ ପାଣିରେ ପକେଇ ସିଆଡ଼େ ସିଆଡ଼େ ଯାଇକି ଆସିବ । ତେଣୁ ଏକା ଆଉ କ’ଣ ଚା ପିଇବେ? ସେଥିପାଇଁ ଆଜି ଚା ବି କଲେନି । ସେ ନଥିଲେ ନାହିଁ, କିନ୍ତୁ ଯେତେବେଳେ ଆସେ ମା’ ପୁଅ ମିଶିକି ଚା ପିଅନ୍ତି ସଂଧ୍ୟାବେଳେ । ସଂଜବତୀ ଦେଇସାରି ଆରାମ ଚେୟାରଟା ଉପରେ ଲୋଟିଗଲେ ସୁମିତ୍ରା ଦେବୀ । ଆଖି ବନ୍ଦକଲେ । ସମ୍ମୁଖରେ ପ୍ରସନ୍ନଙ୍କ ଚେହେରା । ହସୁଛନ୍ତି ସେ ।

   ସୁମିତ୍ରା । ଥକି ଗଲ କି? ସୁମିତ୍ରା ଦେବୀ ଚାହିଁଲେ - ନିଜେ ତ ଚାଲିଗଲ ଆରାମରେ, ମତେ ବି ସାଥୀରେ ନେଇ ଚାଲ । ଅଭିଟା ହଇରାଣ ହେଉଛି । ଆଖିବନ୍ଦ କରି ପଡ଼ିରହିଲେ ସେ ଚେୟାର ଉପରେ । ଛାତିରେ ସାମାନ୍ୟ କଷ୍ଟ ହେଉଛି । ପ୍ରସନ୍ନଙ୍କ ସହ ବିତିଥିବା ଦିନଗୁଡ଼ିକ ଚିତ୍ରପରି ଗୋଟିଏ ପରେ ଗୋଟିଏ ଆଖି ଆଗରେ ଭାସିଯାଉଛି । ପ୍ରସନ୍ନତାର ଭାବ ମୁଖ ମଣ୍ଡଳରେ ।

   ରାତି ଦଶ ସରିକି ଅଭି ଫେରିଆସିଲା । କଲିଂବେଲ ବାରମ୍ବାର ମାରୁଥାଏ, କିନ୍ତୁ ମା’ ଯେ ଆସୁ ନାହାନ୍ତି ତଳକୁ ଗେଟ୍ ଖୋଲିବାକୁ । ସମାନା ଘର ମିଶ୍ର ଭାଉଜ ଦେଖିଲେ, ଚେୟାର ଉପରେ ସୁମିତ୍ରା ଦେବୀ ଶୋଇଛନ୍ତି । ଡାକିଲେ ମାଉସୀ, ମାଉସୀ,..... । ଜବାବ ନାହିଁ । ପାଚେରୀ ଉପରେ ଚଢ଼ି ଅଭି ବାଲକୋନିକୁ ଉଠିଲା । ମା’ ମା’ ଡାକି ହଲେଇଦେଲା । ଝରାଫୁଲଟିଏ ପରି ଧିରେ ମୁଣ୍ଡ ଗଡ଼େଇଦେଲେ ସୁମିତ୍ରା ଦେବୀ । ଓଠରେ ଟିକେ ସ୍ମିତ ହସ । ବୋଧହୁଏ ଯିବା ସମୟରେ ପ୍ରସନ୍ନ ବାବୁ ଆସିଥିଲେ ପାଛୋଟି ନେବାଲାଗି ।


Rate this content
Log in

Similar oriya story from Classics