STORYMIRROR

Sunita Kar

Abstract Romance Tragedy

4  

Sunita Kar

Abstract Romance Tragedy

ସିଣ୍ଡ୍ରେଲାର ସିନାଉଲି

ସିଣ୍ଡ୍ରେଲାର ସିନାଉଲି

9 mins
408


ସିଲା ! ଉପରକୁ ଚାଲିଆସ ।:

ଓଃ ! କାହୁଁ ଥିଲା ଏ କଳାହାଣ୍ଡିଆ ଅଦିନମେଘ !ରାଝିଦେଇଗଲା । ବେଳେ ବେଳେ ଆସେ ଏମିତି, ବିନା ଇସାରାରେ, ବିନା ବାକ୍ୟ ବ୍ୟୟରେ, ବିନା ନିମନ୍ତ୍ରଣରେ । ସତେ ଯେପରି ସେଥିରେ ପାଏ ସେ ଆନନ୍ଦ । ଶୁଖିଲା, ତାତିଲା, ଶୋଷିଲା ଧରା ସବୁବେଳେ ଆଁ କରି ଚାହିଁ ବସିଥାଏ କେତେବେଳେ ପ୍ରିୟ ଘନାଘନର ଆଲିଙ୍ଗନ ଟିକେ ପାଇବ । ତା’ସହ ଫୁକୁରୁ ଫୁକୁରୁ ହୋଇ କେଉଁଠି ଥାଆନ୍ତି ମୁଦିରଗଣ, ବାହାରି ଆସନ୍ତି ତାଙ୍କର ରାଜରାସ୍ତାକୁ, ପରମ ଆନନ୍ଦରେ । ସେମାନଙ୍କର ଯେଉଁ ଛଇଳ ନୃତ୍ୟ, ପ୍ରକୃତି ପ୍ରେମୀଟିଏର ଉପଭୋଗ୍ୟର ପ୍ରସାରିତ ପରିଧିରେ ଅର୍ନ୍ତଭୁକ୍ତ ନହୋଇ ରହିପାରିବ କି ? ମନ ଚାହିଁବ ସତେକି ବାନ୍ଧି ରଖନ୍ତା ଏସବୁ ସମ୍ଭାର ନିଜ ବାହୁ ବନ୍ଧନରେ !

ଏପରି ଏକ ବିରଳ ଦୃଶ୍ୟକୁ ଉପଭୋଗ କରୁଛି ସିଣ୍ଡ୍ରେଲା, ଟୋକିଓର ସୋଫିଆ ବିଶ୍ୱବିଦ୍ୟାଳୟ ଛାତ୍ରୀ ।

ପ୍ରତ୍ନତତ୍ତ୍ୱ ବିଭାଗରେ ଗବେଷଣାରତ ସିଣ୍ଡ୍ରେଲା, ବାପା ମାଆଙ୍କର ଏକମାତ୍ର ସନ୍ତାନ । ପିତା ଅଲିଭର ଜୋନ୍‌ସ, ମାତା ଆଋକୋ ଢାକାହାସି । ଅଲିଭର ବ୍ରିଟିଶ ହେଲେ ବି ସୁନ୍ଦରୀ ଆୠକୋର ପ୍ରେମବନ୍ଧନରୁ ନିଜକୁ ମୁକୁଳେଇ ଫେରିପାରିନଥିଲେ ଜନ୍ମମାଟି ୱେଲସ୍‌କୁ । ଜାପାନୀ ଭାଷାରେ ମାଷ୍ଟର ଡିଗ୍ରୀ ହାସଲ କରିବାକୁ ଆସିଥିଲେ ଅଲିଭର । ଉଦ୍ଦେଶ୍ୟ ଥିଲା ନିଜ ଦେଶକୁ ଫେରିଯାଇ ଆହୁରି ଅନେକ ପିଲାଙ୍କୁ ଏ ଭାଷାରେ ଅନ୍‌ଲାଇନ୍ ଶିକ୍ଷା ପ୍ରଦାନ କରିବା ସହ ନିଜର ଚାକିରୀ ମଧ୍ୟ ସମ୍ଭାଳି ପାରିବେ । ଦୁଇବର୍ଷର ଷ୍ଟଡିଲିଭ୍ ନେଇ ଆସିଥିଲେ ସେ ।ଜାପାନର ପରିଷ୍କାର ପରିଚ୍ଛନ୍ନତା, ସବୁଜିମା ସହ ତାଙ୍କୁ ବିଶେଷ ଆକର୍ଷଣ କରିଥିଲା ସେଠିକାର ଅଧିବାସୀଙ୍କର ଶାଳୀନତା, ସାଧୁତା, ଭବ୍ୟ ଶିଷ୍ଟାଚାର ତା’ସହ ଭରପୁର ସମୟଜ୍ଞାନ ।

ୱେଲସ୍ ଦେଶରେ ରେକ୍ସହାମ୍ ସହରରେ ଜନ୍ମିତ ଓ ପାଳିତ ଅଲିଭର ପିଲାଟିଦିନୁ ବଢ଼ିଆସିଛନ୍ତି ପ୍ରକୃତିର ସବୁଜିମାରେ । ରେକ୍ସହାମ୍ ସହରର ଏକ ପାଖରେ ଘନ ସବୁଜିମାରେ ଭରା ୱେଲସ୍ ପର୍ବତ, ଅନ୍ୟ ପାଖରେ ‘ଦୀ’ ନଦୀର ଉପତ୍ୟକା । କୁଳୁକୁଳୁ ହୋଇ ବୋହିଯାଉଛି ‘କ୍ଲିୱିଡ଼ଗ୍‌’ ନଦୀ, ତା’ର ସଖୀ ‘ଦୀ’ ସହ ମିଶିବା ପାଇଁ । ଖୁବ୍ ସୁନ୍ଦର ଏ ସହର । କିନ୍ତୁ ତାଠୁ ସୁନ୍ଦର ଥିଲା ବୋଧହୁଏ ଆୠକୋର ପ୍ରେମ ଉଦ୍ୟାନର ପ୍ରତ୍ୟେକଟି ପୁଷ୍ପ, ଭରିଦେଇଥିଲା ତା’ ଶିରାପ୍ରଶିରାରେ ସୁରଭିତ ସୌରଭ ।

ଆଋକୋ ଡାକାହାସିର ଜନ୍ମ ହିନୋହାରା ଗ୍ରାମରେ । ହିନୋହାରାର ସୁନ୍ଦରତା ବି ସ୍ୱର୍ଣ୍ଣିଳ ସ୍ୱପ୍ନ ଦେଖାଇବାରେ କିଛି ପଛରେ ନୁହେଁ । ପାଖରେ ଥିବା ଜଳପ୍ରପାତର ଗୁରୁ ଗମ୍ଭୀର ସ୍ୱର ଶୁଣି ଭୟ ପାଇବା ଅପେକ୍ଷା ତାକୁ ଘେରି ରହିଥିବା ସବୁଜ ସୁନ୍ଦର ବନାନୀକୁ ଜାବୁଡ଼ି ଧରି ସେଥିରେ ଅଭିଭୂତ ହେବା ଶିଖିଛି ଆରିକୋ, ଯାହାକି କାଳକ୍ରମେ ଶିଖେଇ ବି ଦେଇଥିଲା ଜୋନ୍‌ସକୁ ।

ଆଋକୋ ଏକା ରହୁଥିଲା ଟୋକିଓ ସହରରେ ସ୍ୱବୃତ୍ତିକୁ ଆବୋରି, ଛୁଟି ହେଲେ ଆସେ ତା’ର ପ୍ରିୟ ଗାଁକୁ । ଅଲିଭର ପ୍ରଥମେ ଆୠକୋ ପାଖରେ ପେଇଙ୍ଗ୍ ଗେଷ୍ଟ ଥିଲେ । ଧିରେ ଧିରେ ସଂପର୍କ ବନ୍ଧୁତ୍ୱକୁ ଓ ପୁଣି ତା’ପରେ ବନ୍ଧନକୁ କିପରି ସଂଚରିଯାଇଥିଲା ଜାଣିପାରିନଥିଲେ । ଅଲିଭରଙ୍କୁ ତାଙ୍କ ନିଜ ଦେଶକୁ ଫେରିବାକୁ ଦେଇନଥିଲା ଆଋକୋ । ବୁଝେଇ ଦେଇଥିଲା, ଟୋକିଓ ଭଳି ଉନ୍ନତ ସହର ଛାଡ଼ି କାହିଁକି ଯିବ ? ମଝିରେ ମଝିରେ ଯାଇ ବରଂ ପିତାମାତାଙ୍କୁ ଦେଖି ଆସିବେ ଦୁହେଁ । ଟିକେ ସ୍ୱାର୍ଥପର ହୋଇଯାଇଥିଲା ଆୠକୋ । ପ୍ରେମ ପ୍ଲାବନରେ ଉବୁଟୁବୁ ହେଉଥିବା ଅଲିଭର ରାଜି ହୋଇଯାଇଥିଲା ଅନାୟାସରେ ।

ସିଲା ଓରଫ୍ ସିଣ୍ଡ୍ରେଲା ଜୋନ୍‌ସ୍ ବାପ ଭଳି ଡେଙ୍ଗା, ଦେହର ରଙ୍ଗ ତୋଫା, ହେଲେ ମା’ର ଚେପେଟା ନାକ ଟିକକ ଯେପରି ଉତ୍ତାରି ଦେଇଛି ବିଧି ଗଢ଼ିଲା ବେଳେ । ମୁଣ୍ଡରେ ଘଞ୍ଚ କୁଞ୍ଚ କୁଞ୍ôଚଆ ଚୁଟି । ବେଶି ଲମ୍ବା ନୁହେଁ, ଖୋଲା ଛାଡ଼ିଲେ ବି ସୁନ୍ଦର ଲାଗେ, କିନ୍ତୁ ମୁହଁର କିଛି ଅଂଶ ଛୁପିଯାଏ, କଳାବାଦଲ ପଛ ପଟେ ଚନ୍ଦ୍ରିକା ଯେପରି ।ସୋଫିଆ ବିଶ୍ୱବିଦ୍ୟାଳୟର ପ୍ରତ୍ନତତ୍ତ୍ୱ ବିଭାଗରେ ଗବେଷଣାରତ ସିଣ୍ଡ୍ରେଲା । ଟୋକିଓର ଏହି ବିଶ୍ୱବିଦ୍ୟାଳୟରୁ ମନୋନୀତ ହୋଇ ସେ ଭାରତ ଆସିଛି । ସିନାଉଲିର ଏଇ ଅଦ୍ଭୂତପୂର୍ବ ଆବିଷ୍କାରରେ ନିଜର ଗବେଷଣା ପୂର୍ଣ୍ଣ କରିବା ଲାଗି ।

ସାଥିରେ ତାର ଆତ୍ମା - ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ସହପାଠୀ । ଏତେ ବଡ଼ ନାମ ସିଣ୍ଡ୍ରେଲା ଜୋନ୍‌ସ, ତା’ ପୁଣି ବିଦେଶୀ ନାଁ, ଅସହଜ ଲାଗେ ଆତ୍ମାକୁ ଉଚ୍ଚାରଣ ଲାଗି । ତା’ ବ୍ୟତୀତ ଯଦି ଦୂରଛଡ଼ା ହାଏ ବାଏ ବନ୍ଧୁଟିଏ ହୋଇଥାଆନ୍ତା, କେଉଁ ଅକାଳେ ସକାଳେ ଦେଖା ହେବା ଭଳି, ତାହାଲେ ବି ଅସୁବିଧା ନଥିଲା । କଦବା କ୍ୱଚିତ୍ ଉଚ୍ଚାରଣ କରିବାକୁ ପଡୁଥାଆନ୍ତା ଏ କଷ୍ଟିଆ ନାଁ ଖଣ୍ଡିକ । ନିଜେ ହିଁ ଆତ୍ମା ନାଁଟିକୁ ସଟ୍ କଟ୍ କରିଦେଇଛି, ସିଣ୍ଡ୍ରେଲାରୁ ସିଲା, ଠିକ୍ ତା’ର ଆତ୍ମାକୁ ସୁହେଇଲା ଭଳି । ସିଲା ଡାକରେ ସତେ ଯେପରି ଏତେ ମାଧୁର୍ଯ୍ୟ ପୁରିରହିଛି ଯେ, ତା’ର ମନ, ତା’ର ଆତ୍ମାର ସ୍ୱାଦିମା ରହିଥିବ ସେପରି ଅନନ୍ତକାଳ ଲାଗି । ଏଇ ଶବ୍ଦରେ ଗୁଞ୍ଜରିଉଠେ ତା’ର କର୍ଣ୍ଣମୁଳ । ସ୍ୱତଃ ଝରିଆସେ ଓଠରେ ଚେନାଏ ପରିପୂର୍ଣ୍ଣତାର ଝଲକ୍ ।କାହିଁକି କେଜାଣି ଯେବେଠୁ ଆତ୍ମାର ସିଣ୍ଡ୍ରେଲା ସହ ଦେଖା ହୋଇଛି, ସେବେଠୁ ଏକ ଅଜଣା ଅଚିହ୍ନା ପୁଲକରେ ଭରି ଉଠୁଛି ଆତ୍ମା ତା’ର । ସତେ ଯେମିତି କେଉଁ କାଳରୁ ସନ୍ଧାନରେ ଥିବା, କୋଣ ଅନୁକୋଣରେ ଖୋଜି ବୁଲୁଥିବା ହଜିଲା ରତ୍ନଟିଏ ମୁଠାଇ ପାଇଛି ସେ । ଆରେ ! ଏ କ’ଣ ଭାବୁଛି ସେ !

ଆତ୍ମା ଆତ୍ମବିସ୍ମୃତ ଫେରିପାଇଲା । ସିଣ୍ଡ୍ରେଲା - ବାପା ବ୍ରିଟିଶ୍‌, ମାଆ ଜାପାନୀ । ଧର୍ମ କଥା କେବେବି ପଚାରିନି ସେ । ଏତେ ସଂକୀର୍ଣ୍ଣ ମନୋବୃତ୍ତି ନେଇ ସେ ତା’ ଆଗରେ ଠିଆ ହୋଇପାରିବନି ।

ଆତ୍ମା ତିୱାରୀ । ବନାରସର ଏକ ରକ୍ଷଣଶୀଳ ବ୍ରାହ୍ମଣ ପରିବାରର ଜ୍ୟେଷ୍ଠପୁତ୍ର । ସିଣ୍ଡ୍ରେଲାକୁ ଜୀବନସାଥୀ ବାଛିବାର ଅଧିକାର ତାକୁ ସମ୍ବିଧାନ ତ ଦେଇଛି, ହେଲେ ସମାଜରେ ସମସ୍ତଙ୍କ ଆଖିରେ ବାଛନ୍ଦ ହୋଇ ରହିଯିବ ସେ । ହଁ, ପଳାଇଯାଇପାରେ ସିଣ୍ଡ୍ରେଲା ସହ ତା’ର ପ୍ରିୟ ସହର ଟୋକିଓ, ଯେଉଁଠି ସେମାନେ ତାଙ୍କର ସୁଖୀ ସଂସାରଟିଏ ବସେଇବାର ଉଦ୍ୟମ କରିବେ । ହେଲେ, ଘର ପରିବାର, ନିଜ ସମାଜ ଏସବୁ ଛାଡ଼ି ସତରେ କ’ଣ ସୁଖୀ ହେଇପାରିବ ?

ସିଣ୍ଡ୍ରେଲାର ବାପା ବି ତ ନିଜ ଦେଶ ଛାଡ଼ି ରହିଯାଇଥିଲେ ଟୋକିଓରେ । ସତରେ କ’ଣ କିଛି ଆକର୍ଷଣ ଅଛି ସେ ସହରରେ ? ଚୁମ୍ବକ ପରି ଟାଣିନବ କି ତାକୁ ତା’ର କୋଳକୁ ??

ନା, ନିଜ ଜନ୍ମ ମାଟି ଛାଡ଼ି ସେ ଯାଇପାରିବନି । ତା’ ଧର୍ମରେ “ଜନନୀ, ଜନ୍ମ ଭୂମିଶ୍ଚ ସ୍ୱର୍ଗାଦପି ଗରିୟସୀ” । ନାଁ ଦେଇଥିଲା ମାଆ ତା’ର ଆତ୍ମା । ସଭିଙ୍କୁ କହେ, ସେ ତ’ ମୋର ଆତ୍ମା । ମାଆକୁ ଛାଡ଼ି ସେ ଯିବ କିପରି ? ତା’ଦ୍ୱାରା ସମ୍ଭବ ନୁହେଁ । ଅବୁଝା ମନକୁ ମନେ ମନେ ବୁଝେଇବାକୁ ନିରନ୍ତର ପ୍ରୟାଶରେ ଜାରି ରହେ ଆତ୍ମା ।

ଆରେ ! ଏତେ କଥା କାହିଁକି ଭାବୁଛି ସେ ? ଆଜିଯାଏଁ ସିଲାକୁ ତ ତା’ର ଭଲପାଇବାର ସୁରାକଟିଏ ବି ଦେଇନି । ଅଥଚ ତାକୁ ନେଇ ଏତେ ତର୍ଜମା, ଏତେ ସ୍ୱପ୍ନ । ମନେ ମନେ ହସିଲା । ପ୍ରକୃତିସ୍ଥ ହେଲା ଆତ୍ମା ।

ସୁରକ୍ଷିତ ଟେଣ୍ଟ ଭିତରୁ ପୁଣିଥରେ ଜୋରରେ ଆୱାଜ ଦେଲା । ସିଲା ! ଚାଲିଆସ ବିଜୁଳି ମାରୁଛି ।

ଠିକ୍ ଭାବେ ତ ପଲିଥିନ୍ ପୁରା ଏରିଆରେ ଢଙ୍କା ହେଇଛି । ସମସ୍ତେ ଆସିଗଲେଣି । ତୁମେ ସେଠି ଠିଆ ହେଇ କ’ଣ କରୁଛ ? ଅଯଥାରେ ବର୍ଷାରେ ଓଦା ହୋଇ ମାଟି କାଦୁଅରେ ଲଟପଟ ହେଉଛ ଜ୍ୱର ସର୍ଦ୍ଦି ହେବ । ଭିତରକୁ ଚାଲିଆସ ।

ସିଣ୍ଡ୍ରେଲା ଅଣଶୁଣା ହୋଇ ପାଖରେ ଥିବା ବରଗଛ ମୂଳକୁ ଚାଲିଯାଉଥିଲା । ଆତ୍ମା ଧାଇଁଯାଇ ଏକରକମ ଟାଣି ଆଣିଲା ତାକୁ ।

- ପାଗଳୀ ନା କ’ଣ ? ବିଜୁଳି ମାରୁଛି, ତୁମେ ଗଛ ମୂଳକୁ ଯାଉଛ !!

- ସରି ଡିଅର୍ । ସଅରି । ଓଠରେ ଏକପ୍ରକାର ଦୁଷ୍ଟାମୀର ହସ, ଆଖିରେ ଚଳଚଞ୍ଚଳ ହରିଣୀ ଚାହାଣୀ ।

ଆତ୍ମାକୁ ଲାଗିଲା, ବର୍ଷାରେ ନୁହେଁ ସତେ ଯେପରି ଭିଜିଯିବ ସେ ଚାହାଣୀରେ ତା’ର । ନୀରବରେ ଯାଇ ଟେଣ୍ଟ ଭିତରେ ଆନମନା ହୋଇ ଏକ ବହି ଧରି ବସିଲା । ଗରମ ଚା’ ଦି’କପ୍ ବରାଦ କଲା, ପାଖରେ ଠିଆ ହେଇଥିବା ସେଇ ଗାଁର ପିଲାଟିଏ “ରମୁ”କୁ । ସିଣ୍ଡ୍ରେଲା ଚାଲିଗଲା କପଡ଼ା ବଦଳେଇବା ଲାଗି ।

ଉତ୍ତର ପ୍ରଦେଶର ବାଗ୍‌ପତ୍ ଜିଲ୍ଲା । ତହିଁରେ ଏକ ସବୁଜ ସୁନ୍ଦର ଗାଁ ସିନାଉଲି । ଦିନେ ଜମି ଚାଷ କରୁ କରୁ କିଛି ଅପୂର୍ବ ବସ୍ତୁର ସନ୍ଧାନ ପାଇଥିଲେ ଗ୍ରାମର ଜନୈକ କୃଷକ । ଖବର ଦେଇଥିଲେ ପତ୍ନତତ୍ତ୍ୱ ବିଭାଗ ଓ ଟିଭି ଚ୍ୟାନେଲ ରିପୋର୍ଟରଙ୍କୁ । ତା’ପରେ ସିନାଉଲି ବିଖ୍ୟାତ ହୋଇଯାଇଥିଲା ଖାଲି ଭାରତ ବର୍ଷ କାହିଁକି ସାରା ବିଶ୍ୱରେ । ସେଇ ଦୁର୍ମୂଲ୍ୟ ଗବେଷଣାରେ ରତ ଆତ୍ମା ଓ ସିଣ୍ଡ୍ରେଲା ଭାରତୀୟ ପତ୍ନତତ୍ତ୍ୱ ବିଭାଗର ତତ୍ତ୍ୱାବଧାନରେ ।

ଭୂଗୋଳ ପୋଥିପତ୍ରରେ ଅନାମଧେୟ ଗ୍ରାମ ସିନାଉଲି ଆଜି ବିଶ୍ୱ ଇତିହାସରେ ଏକ ପ୍ରଶସ୍ତ ସ୍ଥାନ ଅକ୍ତିଆର କରିବାକୁ ବସିଛି । ଦଶନ୍ଧିର କିଛି ବର୍ଷ ପୂର୍ବେ ବି ଏପରି ସନ୍ଧାନ କିଛି ଲୋକ ପାଇଥିଲେ । ବହୁ ସମୟ ଓ ଶ୍ରମ ବ୍ୟୟରେ ମାଟି ତଳର ଅନ୍ଧକାରମୟ ତଥ୍ୟ କିଛି ଆଲୋକିତ ଜନମାନସକୁ ଆସିଥିଲା । ହେଲେ, ପୂର୍ଣ୍ଣ ରୂପରେ ନୁହେଁ । ସମୟର ଚକ ଗଡ଼ିଆସିଛି ବେଶ୍ କିଛି ଦୂର । ଅନୁସନ୍ଧିତ୍ସୁ ମଣିଷ କେବେବି ହାତ ଉପରେ ହାତ ଯୋଡ଼ି ନିରବରେ ବସି ରହେନି । ଅନନ୍ତ ଜ୍ଞାନ ପ୍ରାପ୍ତିର ଅଭିପ୍‌ସା ନିରନ୍ତର କିଛି ନା କିଛି କରିବାକୁ ତାକୁ ପ୍ରୋତ୍ସାହନ କରେ, ଠିକ୍ ଯେମିତି ଆଜି ସିନାଉଲି ମାଟିରେ ଉତ୍ତୀର୍ଣ୍ଣ ବେଶ୍ କିଛି ଗବେଷକ ଆହୁରି ମଧ୍ୟ ତାଙ୍କର ସହଯୋଗୀ ବୃନ୍ଦ ।

ଗରମ ଚା’ କପ୍‌ଟିକୁ ନିଶବ୍ଦେ ଶେଷ କରି ବସିଛି ପାଖରେ ସିଲା । ହାତରେ ତା’ର ଲାପ୍‌ଟପ୍ ସହ ଡାଏରୀଟିଏ ଆଉ ପେନ୍ । ସେଇ ଓକୁଲସ୍ ପେନ୍‌ଟି ତା’ ଜନ୍ମଦିନରେ ମୋ’ ତରଫରୁ ଥିବା ଉପହାର । ଯେତେ ଦୂରକୁ ଯିବାକୁ ଚେଷ୍ଟା କରୁଛି, ସିଲା ମତେ ସେତେ ଟାଣି ନେଉଛି ପାଖକୁ ତା’ର । ମନଧ୍ୟାନ ଦେଇ ଲାପ୍‌ଟପ୍‌ରୁ କିଛି ପଢ଼ୁଛି ସେ; ଆଉ ଡାଏରୀରେ ନୋଟ୍ କରୁଛି । ସିଲାର ଅଜାଣତରେ ଏକ ଭାବନାର ପୂର୍ଣ୍ଣବଳୟ ଭିତରେ ଦୁଇ ପ୍ରାଣକୁ ଟାଣି ଧରିବାକୁ ବୋଧହୁଏ ଚେଷ୍ଟା କରୁଛି ଆତ୍ମା ନିରବରେ, ଟୋପେ ସଂକୋଚର ସହ ।

ହଠାତ୍‌, ଲାପ୍‌ଟପ୍‌ରୁ ଧ୍ୟାନ ହଟେଇ ଭାବିଲା ସିଣ୍ଡ୍ରେଲା ।

- ଆତି ! (ସିଲା ମୋତେ ଆତ୍ମା ଡାକେନି, କହେ ତାକୁ ଛନ୍ଦି ହେଲା ଭଳି ନାଁଟା ଲାଗୁଛି । ଆତି ଡାକେ ସେ । ମୁଁ ବି ଖୁସିରେ ନିରବ ସମ୍ମତି ଦେଇଥିଲି ସେଥିରେ) ।

- ଉଁ !

- ତୁମେ ପୁର୍ନଜନ୍ମରେ ବିଶ୍ୱାସ କର ? ତୁମ ଧର୍ମରେ ତ ପୁର୍ନଜନ୍ମରେ ବିଶ୍ୱାସ କରନ୍ତି ।

ଟିକେ ଦୋଦୋପାଞ୍ଚ ହୋଇ କହିଲି -

- ଏ ବିଷୟରେ କେବେ ମୁଁ ଭାବିନି, ତର୍କ କରିବା ତ ଦୂରର କଥା । ବିଶ୍ୱାସ କରେ କି ନକରେ ସେଇଟା ବି ଜାଣିନି । କିନ୍ତୁ ହେଲା କ’ଣ ?

ହଠାତ୍ କାହିଁକି ଏ ବିଷୟ ପରିସରରେ ? ପୁଣି ତୁମେ ?

- ନା, ଆଜିର ଆବିଷ୍କାର ଭିତରେ ଯେଉଁ ସମାଧି ଆମେ ଦେଖିଲେ, ଦୁଇଜଣଙ୍କର ଏକାଠି ଥିଲା

- ହଁ, କ’ଣ ହେଲା ?

- ଏମିତି ନୁହେଁ ତ ! କେହି ବୀର ପ୍ରେମୀ ଯୁଗଳ ବୀରତ୍ୱର ସହ ରଣଲିପ୍ତ ରହି ଜୀବନ ହାରିଛନ୍ତି । ଆଉ ତା’ପରେ ତାଙ୍କୁ ସମାଧି ଦିଆହେଇଛି ଏକତ୍ର । ତାଙ୍କର ସମସ୍ତ ବ୍ୟବହୃତ ସାମଗ୍ରୀ ସହ । ଏପରିକି ପାଶ୍ୱର୍ରେ ଅଛି, ଯୁଦ୍ଧରେ ପ୍ରଯୁକ୍ତ ଅସ୍ତ୍ରଶସ୍ତ୍ର ।

- ଉଁ, ହୁଁ ।

ସନ୍ଦେହତ ଅମୂଳକ ନୁହେଁ, କାର୍ବନ ଡେଟିଙ୍ଗ୍‌ରୁ ଜଣାପଡ଼ିଛି ସମସ୍ତ ସାମଗ୍ରୀ ଦୀର୍ଘ ଚାରିହଜାର ବର୍ଷ ପୂର୍ବର ।

- ଆତି ! ତୁମର ବେଦ ପୁରାଣ ଅନୁସାରେ ଚାରିହଜାର ବର୍ଷ ପୂର୍ବେ ମହାଭାରତ ଯୁଦ୍ଧ ସଂପନ୍ନ ହୋଇଥିଲା ନା ?

- ହଁ, କିନ୍ତୁ

- କିନ୍ତୁ କ’ଣ ? ଏଠାରେ ସଂଗୃହୀତ ସାମଗ୍ରୀ ତ ହରପ୍‌ପା କି ମହେଞ୍ଜୋଦାରୋ ସଭ୍ୟତାର ସାମଗ୍ରୀ ସହ ଖାପ୍ ଖାଉନି । ଗେରୁ ବର୍ଣ୍ଣର ବ୍ୟବହୃତ ବାସନ କୁସନ ସେସବୁ ସଭ୍ୟତାର ନଥିଲା । ତା’ଛଡ଼ା ରଥ ଚକରେ ତାମ୍ରର ସୁନ୍ଦର ସୁନ୍ଦର କାରୁକିର୍ତ୍ତୀ, ତାମ୍ରର ଅସ୍ତ୍ରଶସ୍ତ୍ର, ଘୋଡ଼ାଟଣା ରଥ ଏସବୁ ବି ତ ଶୋଚନାର ବିଷୟ ।

ଟିକେ ହସି ଆତ୍ମା କହିଲା -

ବାଃ ସିଲା, ତୁମେ ତ ଖୁବ୍ ଅଳ୍ପ ଦିନରେ ଆମ ସଂସ୍କୃତି, ଆମ ସଭ୍ୟତାକୁ ବୁଝିପାରିଛ । ସିନାଉଲିର ଗବେଷଣା ତୁମକୁ ଭାରତୀୟ ଦର୍ଶନ ଶାସ୍ତ୍ରରେ ବି ଗବେଷକ କରି ଛାଡ଼ିଦେବ ।

- ଧେତ୍ ! ସବୁବେଳେ ମଜାକ୍ । କେବେ କୌଣସି କଥାକୁ ସିରିଅସ୍‌ଲି ନେଲନି ତୁମେ ଆତି । ଏତିକି କହି, ମୁହଁ ବୁଲେଇ ଦେଇ ପୁଣି ଲାଗିଗଲା ପଢ଼ିବାରେ ଲାପ୍‌ଟପ୍ ଖୋଲି ।

ରାତ୍ରି ଭୋଜନ ପରେ ସମସ୍ତେ ଶୋଇଗଲେ ଯେଝା ଟେଣ୍ଟରେ ଯିଏ । ଆତ୍ମାକୁ କିନ୍ତୁ ନିଦ ନଥାଏ । ସିଣ୍ଡ୍ରେଲା କଥାକୁ ସିନା ସେ ହସରେ ଉଡ଼େଇଦେଲା, ହେଲେ ପରକ୍ଷଣରେ ଭାବୁଥାଏ ସତେ କି ଏସବୁ ମହାଭାରତ ଯୁଦ୍ଧର ଧ୍ୱଂସାବଶେଷ । ସିନାଉଲି ଗ୍ରାମର ଭୌଗଳିକ ଅବସ୍ଥିତିକୁ ପରଖ ନୀରଖ କଲେ ଅସମ୍ଭବ ବି ଲାଗୁନି । କୁରୁକ୍ଷେତ୍ରରୁ କେତେ ବା ଦୂର ? ଭାବୁ ଭାବୁ କେତେବେଳେ ଯେ ନିଦ ଲାଗିଯାଇଛି, ଜାଣିପାରିନି ସେ ।

ରାତିରେ ଦେଖୁଛି ଆତ୍ମା । ଅର୍ଦ୍ଧ ଜାଗ୍ରତ କି ଅର୍ଦ୍ଧଶାୟିତ ବୁଝିପାରୁନି ସେ ।


ରୁଣଝୁଣ ଶବ୍ଦରେ ଡାକୁଛି ସାଧିକା ।

ଅକ୍ଷୟ ! ଶୁଣିପାରୁଛ ? ରାଜାଙ୍କ ଚର ଆସି ଧେଣ୍ଡୁରା ପିଟି ଗଲାଣି । ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ ହେବ ଶୀଘ୍ର । ଏଥର କିନ୍ତୁ ମୁଁ ତୁମ ସହ ଯିବି । ମାତାଙ୍କ ଅନୁମତି ମୁଁ ପାଇସାରିଛି ।

- ବାଚାଳାମି ଛାଡ଼ ସାଧିକା । ଯୁଦ୍ଧକ୍ଷେତ୍ର ନାରୀ ପାଇଁ ପ୍ରଯୁଜ୍ୟ ନୁହେଁ । ମୁଁ କଥା ଦେଉଛି, ଫେରିଆସିବି ବିଜୟଶ୍ରୀର ଟିକା ନେଇ । ତୁମେ ମୋର ଆସିବା ପଥକୁ ଅପେକ୍ଷାରତ ରୁହ ।

- ନା, ମୋର ବଚନରେ ମୁଁ ବଦ୍ଧପରିକର ଅକ୍ଷୟ । ଦେଖ, ମୁଁ ପ୍ରସ୍ତୁତ ସାଜ ସରଞ୍ଜାମ ସହ ଯୁଦ୍ଧକ୍ଷେତ୍ର ଲାଗି । କାଳବିଳମ୍ବ ନକରି ଉଦ୍ୟତ ହୁଅ । ଖୁବ୍ ଶୀଘ୍ର ଆମେ ବାହାରିଯିବା ।

ଆଶ୍ଚର୍ଯ୍ୟ ନେତ୍ରରେ ଚାହିଁ ରହିଛି ଅକ୍ଷୟ । ଧନ୍ୟ ତୁ ସାଧିକା । ସତେ ଯେପରି ମା’ ଦୁର୍ଗାଙ୍କର ଶକ୍ତି ନେଇ ଜନ୍ମ ତୁ । ତୁ ହିଁ ପ୍ରକୃତ ଜୀବନ ସାଥୀ ହେବାର ଯୋଗ୍ୟ । ଯୁଦ୍ଧରୁ ଫେରିଲେ ... କଥା ପୂର୍ଣ୍ଣ ହେବାକୁ ଦେଲାନି ସାଧିକା ।

-ନା ! ବର୍ତ୍ତମାନ ହିଁ ମା’ ଦୁର୍ଗାଙ୍କୁ ସାକ୍ଷୀରଖି ମୁଁ ତୁମକୁ ବରଣ କରୁଛି । ବନ୍ଦାଣ ଥାଳିରେ ଥିବା ସିନ୍ଦୁର ଅକ୍ଷୟଙ୍କ ମଥାରେ ଲଗେଇ, ଫୁଲ ମାଳଟି ପିନ୍ଧାଇବା ଅବସରରେ ହସ୍ତରୁ ପତିତ ହେଲା ଥାଳି । ଅଶୁଭ ଆଶଙ୍କାରେ ଚକ୍ଷୁ ମୁଦ୍ରିତ ହେଲା କ୍ଷଣେ ସାଧିକାର । ସତେ ଯେପରି ଅଟକିଗଲା ନିଶ୍ୱାସର ଧାରା ।

କିନ୍ତୁ ନା, ପଛକୁ ଫେରିବାର ନାହିଁ, ବୀର ନାରୀ ସେ । ଯୁଦ୍ଧକୁ ଡରିବ ? ଅକ୍ଷୟ ବୁଝିଗଲେ ।

ଶାଣିତ ଖଡ୍‌ଗରେ ଟିପରୁ ରକ୍ତସିନ୍ଦୁରରେ ଶୋଭିତ କଲେ ସାଧିକାର ମଥା । ଦୁହେଁ ମାତାଶ୍ରୀଙ୍କର ଆଶୀର୍ବାଦ ନେଇ ବାହାରିଗଲେ ଯୁଦ୍ଧ ଭୂଇଁକୁ ମାତାଶ୍ରୀ ଚାହିଁରହିଥାଆନ୍ତି ନିର୍ଲିପ୍ତ ନୟନରେ ।

ସୂର୍ଯ୍ୟ ଢଳିବାକୁ ଆଉ ବେଶି ସମୟ ନାହିଁ । ହଠାତ୍ ପଛପଟୁ କାହାରି ଆକ୍ରମଣରେ ଧରାଶାୟୀ ହେଲେ ଅକ୍ଷୟ ।

ଅନତି ଦୂରରେ ସାଧିକା ସାଧି ଚାଲିଥାଏ ଶତୃଙ୍କୁ । ମୁହଁ ବୁଲେଇ ଦେଖେ, ତା’ର ପ୍ରାଣପ୍ରିୟ ଧରାରେ ଲୋଟିଛନ୍ତି ଶତୃର ଖଡ୍‌ଗାଘାତରେ । ଶିରଚ୍ୟୁତ ଶରୀର । ଶତସିଂହର ବଳ ନେଇ ସାଧିକା ହୁଂକାର ଦେଇ ପଶିଆସିଛି ପାଗଳପ୍ରାୟ ଶତୃଘେର ଭିତରକୁ । ମତ୍ତହସ୍ତୀ ପ୍ରାୟ କ୍ଷତବିକ୍ଷତ କରିଚାଲିଛି ସଭିଙ୍କୁ ।

ଏକା ଏକା କେତେବା ସମୟ ତିଷ୍ଟି ପାରିବ ? କେହି ତାର ଶରୀର ସ୍ପର୍ଶ କରିବା ପୂର୍ବରୁ ଲୋଟିପଡ଼ିଛି ପ୍ରାଣସଙ୍ଗୀ ଅକ୍ଷୟଙ୍କ ଉପରେ । ଥରେ ମାତ୍ର ଚୁମ୍ବନ ତାଙ୍କର ନିଥର ହସ୍ତକୁ ଆଉଥରେ ନିଜର ଜହର ମୁଦ୍ରିକାକୁ ।

ଏ ମୃତ୍ୟୁ ନୁହେଁ ଅକ୍ଷୟ, ଏ ଆମର ପ୍ରେମର ମିଳନ । ଅକ୍ଷୟ ! ଅକ୍ଷୟ, ଅମର ଆମର ପ୍ରେମ । ଆମେ ପୁଣି ଥରେ ଜନ୍ମହେବା ଏକାଠି, କେବେ ନା କେବେ, ସହସ୍ର ବର୍ଷ ପରେ କାହିଁକିବା ନହେଉ, ନିଶ୍ଚୟ ମିଶିବା । ଟଳିପଡ଼ିଲା ଦାମ୍ଭିକ ମନର ଅଳୀକ ଶରୀରଟି ଭୂଇଁରେ, ତା’ ପ୍ରିୟର ଶରୀର ଉପରେ ।

ନିଦ ଭାଙ୍ଗିଗଲା ଆତ୍ମାର । ଘନ ଘନ ପ୍ରଶ୍ୱାସ । ଭୟରେ ? ଆଲୋକ ଜାଳି ଶେଯରେ ବସିରହିଲା କୁଆ କା’ କରିବା ଯାଏ । କିଛିଟା ମୁହଁ ଅନ୍ଧାର ଥାଏ । ସିଲା ସହ ତା’ ଟେଣ୍ଟରେ ଶୋଉଥିବା ଗାଁର ସ୍ତ୍ରୀଲୋକଟି ଲଣ୍ଠନ ନେଇ ଆସି ପହଞ୍ôଚଲା ତା’ ପାଖରେ । ଜାଣିଛି ସେ, ମେମ୍ ସାହେବଙ୍କର ବନ୍ଧୁ ଏ ଆତ୍ମା ବାବୁ ଜଣକ ।

- ସାର୍‌, କାଲି ରାତିରେ ମାଡାମ୍ ସାରା ରାତି ବାଉଳି ହେଉଛନ୍ତି । ମୋର ତ ଡରରେ ଆଖିପତା ବି ପଡିନି କହିଲେ ଚଳେ । କାଲି ସେ ବରଗଛ ମୂଳକୁ ଯାଇଥିଲେ ନା ?

- ହଁ, ହେଲେ କ’ଣ କହୁଥିଲେ ?

- କିଛି ବୁଝିହେଉନଥିଲା ଆଜ୍ଞା । ରଡ଼ି ଖାଲି ଶୁଣାଯାଉଥିଲା । ମୁଁ କ’ଣ ଆଉ ପାଖ ମାଡ଼ିଛି କି ? ତଥାପି ଥରେ ଦି’ଥର ଯାଇ ଉଠେଇଲି । ହେଲେ, ନିଦ ହେଇଗଲେ ପୁଣି ଯାହାକୁ ତାହା । କେତେବେଳେ ରାତି ପାହିବ, ତାକୁ ହିଁ ନିଘା ରଖିଥାଏ ମୁଁ । ଆସୁଛି ଆଜ୍ଞା ।

ଏତିକି କହି ଚାଲିଗଲା ସେ ।

ଆରେ ସିଲା ଏକା ଶୋଇଥିବ, ଡରିବ ।

ଟର୍ଚ୍ଚ ଲାଇଟ୍‌ଟା ଧରି ତା’ର ଟେଣ୍ଟ ଭିତରକୁ ଖୁବ୍ ସନ୍ତର୍ପଣରେ ପାଦ ପକେଇଲା ଆତ୍ମା । ପାଖରେ ବସି ଉଠେଇବାକୁ ଚେଷ୍ଟା କଲା ତାକୁ ।

ଏକ ଯନ୍ତ୍ରଣାପୂର୍ଣ୍ଣ ଚିତ୍କାର ସିଣ୍ଡ୍ରେଲାର ।

- ନା ଅ କ୍ଷ ୟ

ଖୁବ୍ ଯୋର୍‌ରେ ଜାବୁଡ଼ି ଧରିଥାଏ ସେ ଆତ୍ମାର ହାତକୁ । ଲାଗୁନଥାଏ ସେ ଯେ କୋମଳାଙ୍ଗୀ ସିଣ୍ଡ୍ରେଲାର ହାତ, ବରଂ ଅନୁଭବ ହେଉଥାଏ ଯେପରି ଗତରାତ୍ରିର ସେ ରଣାଙ୍ଗନା ସାଧିକାର ଦୃଢ଼ ବନ୍ଧନ, ଯେଉଁଠୁ ମୁକୁଳିବା ଅସାଧ୍ୟ । ଆତ୍ମା ଆଉ ଅକ୍ଷୟ ଧିରେ ଧିରେ ଏକ ହେଇଯାଉଥିଲେ ।

ଗ୍ରାମ୍ୟ ମନ୍ଦିରରୁ ଶୁଭୁଥାଏ ମଙ୍ଗଳ ଆରତୀର ଘଣ୍ଟ ଧ୍ୱନି ।

                                                 


Rate this content
Log in

Similar oriya story from Abstract