ଦୁର ପାହାଡ
ଦୁର ପାହାଡ
ଡାଇନିଂ ଟେବୁଲ୍ ପାଖରେ ବିରାଜୁଥିବା ଅସ୍ୱସ୍ତିକର ନିରବତାକୁ ଭଂଗ କରି ରମେଶବାବୁ ପଚାରିଲେ ଝିଅକୁ ମା ରେ ସ୍ୱିଟି, କହିଲୁ ଆଜିର ଭାତଟା କୋଉ ଚାଉଳର?
ହ୍ୱାଟ୍...? କୋଉ ଚାଉଳ??
ବିସ୍ମୟ ଭରା ଦୃଷ୍ଟିରେ ଚାହିଁଲା ଡ଼ାଡ଼ି ଓ ପାଖରେ ବସି ଖାଉଥିବା ପରିବାର ର ଅନ୍ୟ ସଦସ୍ୟ ମାନଂକୁ ।
ଡ଼ାଡିଙ୍କ ପ୍ରଶ୍ନଟିକୁ ସେ ଠିକ୍ ରେ ବୋଧହୁଏ ବୁଝିପାରିଲାନି । ଚାଉଳ ତ ଚାଉଳ,ତାର ପୁଣି କ୍ୟାଟେଗୋରି କ'ଣ? ଅଲଗା ଅଲଗା ନାଁ ଅଛି କି? ହଁ ...ହଁ ... ବିଗ୍ ବଜାର ରେ ଦେଖିଛି,କଣ କଣ ସବୁ ଲେଖା ହେଇଥାଏ,କିନ୍ତୁ ମୁଁ କେବେ ନଜର ଦେଇନି । ଲେକିନ୍ ଡ଼ାଡ଼ି ହୁଆ କ୍ୟା? ରମେଶ ବାବୁଙ୍କୁ ଛାଡ଼ି ବାକି ସମସ୍ତେ ମୁରୁକି ହସା ଦେଲେ ।
- କ୍ୟା ହୁଆ ଡ଼ାଡି ? ଆଜ୍ ମୁଡ଼୍ କୁଛ୍ ଅଲଗ୍ ଲଗ୍ ରହାହୈ,ଅଜିବ୍ ସା ସବାଲ୍ ଆପକା!ଗେହ୍ଲେଇ ହୋଇ ପଚାରିଲା ସ୍ୱିଟି ।
ଏକ ରକମ ରାଗ ତମତମ ହୋଇ ରମେଶବାବୁ ଝିଅ କୁ ଚାହିଁ କହିଲେ – ହୁଁ! ମାତୃ ଗୁଣେ ଦୁହିତା ।
ତଳକୁ ମୁହଁ ପୋତି ହସୁଥାଏ ସିଲା,କଣେଇ କି ଝିଅ ଆଡ଼କୁ ଚାହିଁ । ଆଉ କାହାକୁ ନପାଇ ସ୍ୱିଟି ଭାଇ କୁ ତାର ପଚାରିଲା ଇସାରାରେ,କଥା କଣ? ଡ଼ାହାଣହାତି ଜେଜେ ବସିଛନ୍ତି ,ଖାଇବାରେ ବ୍ୟସ୍ତ ସେ ହାତ ଚାଟି ଚାଟି । ସୁଡ୍ ସାଡ୍ କରି ହାପୁରୁ ଥାଆନ୍ତି ତାଙ୍କର ପ୍ରିୟ ଛୁଇଁ-ଆଳୁ-ବଡି-ବାଇଗଣ ଝୋଳ । ବାଇଗଣ ର ଛାଇ ପଡିଲେ ସ୍ୱିଟି ର ଲାହି ଡିଏଁ, ମନେମନେ ଭାବୁଥାଏ –ଯେଉଁ ତ ଅପୁର୍ବ-ସେଥିରେ ପୁଣି ହାପୁଡା ହେଉଛି ! ହୁଁ!! ନିଜ ଥାଳିଆ ରୁ ଚିଲିପନିର ରୁ ଟିକେ ନେଇ ଚାଖିଲା, ବାଃ ମାମା ! ଡେଲିସିୟସ୍ । ସେ ଜାଣେ ଜେଜେ ଙ୍କୁ ପନିର ଭଲ ଲାଗେନି,ସେ ଖାଆନ୍ତିନି । ଜାଣିଶୁଣି ତାଙ୍କୁ ଚିଡାଇବା ପାଇଁ ଦି ଖଂଡ଼ ପନିର୍ ନେଇ ଯାଚିଲା- ଜେଜେ ନିଅ ।
-ଧେତ୍, ତୁ ଖା ।
ଖାଇବାବେଳେ ଏମିତି ବି ଜେଜେ କମ୍ କଥା କହନ୍ତି । ତାଙ୍କ ମତରେ ଖାଇବା ସମୟ ରେ ଗପିବା ଅନୁଚିତ୍ ।ହେଲେ ସ୍ୱିଟି –ସେ ତ ଗପୁଡି ନମ୍ବର ଏକ୍ । ଖାଇବା ବେଳ ହେଉ କି ସ୍କୁଲ୍ କଲେଜ କୁ ବସ୍ ଧରିବା ବେଳ ହେଉ,ବକର ବକର ହେଉଥିବ ସେ । ସ୍ୱିଟି ଚୁପ୍ଚାପ୍ ଅଛି ମାନେ ଧରାଯିବ ନିଶ୍ଚିତ ଭାବରେ କିଛି ଗଡବଡ ହେଇଛି ।
ଋମେଶବାବୁ ପୁଣିଥରେ ପୁର୍ବ ପ୍ରଶ୍ନ କୁ ଦୋହୋରାଇଲେ ।
ଡ଼ାଡ଼ି କଣ ଫରକ ପଡିବ ଚାଉଳ ର ଜାତିଗୋତ୍ର ଜାଣି? ଟେଷ୍ଟି ଅଛି,ଭଲ ଲାଗୁଛି ଖାଇବାକୁ, ବାସ୍ ।
- ହଁସେଇଆ କହିବୁନି ତ ଆଉ କଣ! ଆରେ ବୋକି, ଏଇଟା ଯେଉଁ ଖାଉଛୁ ସେଇଟା ହେଲା ବାସୁମତି ଚାଉଳ, ଆଉ ସବୁଦିନେ
ଯେଉଁଟା ଖାଉ, ସେ ହେଲା ସୁବର୍ଣମସୁରୀ । ଆଜି ବୋଧେ ବାଉଳା ରେ ମାମା ବାସୁମତି ରାନ୍ଧିଦେଇଛି ।
-ଓଃ କଥା ଯାଇ ଏଇଠି ! ସବୁ ଭୁଲ ମାମା ର । ପୁରୁଷ ପ୍ରାଧାନ୍ୟ ସମାଜରେ ଡ଼ାଡ଼ି ଙ୍କ କଥା କୁ ତୁ ମହତ୍ୱ ନଦେଲେ କେମିତି ହେବ? ମାନୁଛି ତୁ ଅଫିସ୍ କରୁଛୁ,କରୋନା ସମୟ ବୋଲି ତୋ ଉପରେ ଘର କାମ ବି ଅଧିକା ଟିକେ ପଡୁଛି, ତା ସହ ତୋର ସମାଜ ସେବା ବି ଅଛି । ଏ ଭିତରେ ରୋଷେଇବାସ ରେ ତୋର ପ୍ରାଥମ୍ୟ ଦେବାଟା କମିଯାଇଛି ।ଯେତେବେଳେ ଯାହା ସୁବିଧା ହେଲା ସମୟ କୁ ଆଡ଼ଜଷ୍ଟ କରି କରୁଛୁ । ଆଗ ଭଳି ଆଉ ଭଲରେ ମନଦେଇ କରିପାରୁନୁ,ଥକି ଯାଉଛୁ । ଆଉ କିଛି ମନେ ରଖ ନରଖ ରୋଷେଇ ଘର ର ପ୍ରତ୍ୟେକ ଟି ଜିନିଷ ତୋ ଆଖି ଆଗରେ ରହିବା ଦରକାର । ତିରିଶ ବର୍ଷ ହେଲାଣି ସେଇ କାମ କରୁଛୁ, ଭୂଲ କେମିତି ହେଉଛି ତୋର? ଡ଼ାଡ଼ି ଠିକ୍ କହୁଛନ୍ତି ।
ଋମେଶବାବୁ ବୁଝିଗଲେଣି, ସ୍ୱିଟି କଣ କହିବାକୁ ଚାହୁଁଛି । କଥାଟା କେଉଁ ଆଡ଼େ ଯାଉଛି ସେ ଠଉରାଇ ନେଲେଣି । ଚୁପ୍ଚାପ୍ ଖାଇବା ଶେଷକରି ଏଠୁ ପଳେଇଗଲେ ପାର୍ । କିନ୍ତୁ ସ୍ୱିଟି କଣ ଏତେ ସହଜରେ ତାଙ୍କୁ ଛାଡ଼ିବ? ସେ କଣ ସିଲା ହେଇଛି, ଯାହା କହିଲେ ମାନିନେବ? ମୋରି ଝିଅ ଟି!
ଅଧାଖିଆ ଅଇଁଠା ହାତ ଅଟକି ଗଲା ସିଲା ର ଥାଳି ଉପରେ,ଝିଅ କୁ ବିସ୍ମୟ ଭରା କରୁଣ ଦୃଷ୍ଟିରେ ଚାହିଁଥାଏ ।
- କଣ ଦେଖୁଛୁ ମାମା? ବୁଝିପାରିଲୁ?? କାହିଁକି ମୁଁ ବାହା ହେବାକୁ ରାଜିହେଉନି!! ଟିକେ ଚଢା ଗଳାରେ କହିଲା ସ୍ୱିଟି- ଏନ୍.ଆଇ.ଏଫ୍.ଟି,ମୁମ୍ବାଇ ରୁ ଫେସନ୍ ଡିଜାଇନ୍ ରେ ଡ଼ିଗ୍ରୀ ସାରି ବର୍ଷେ ହେବ ଚାକିରି କରିଥିବା ଝିଅ । ତୁମର ଖାଲି ତରବର, ବାହା କରି ଦେଲେ ତୁମ କାମ ଶେଷ ।
ପରିସ୍ଥିତି କୁ ସହଜ କରିବା ପାଇଁ ଗଳା ଖଙ୍କାରି ରମେଶବାବୁ ଆରମ୍ଭ କଲେ-
- ଆରେ ତୁ ମୋ ସପକ୍ଷରେ କହୁଛୁ ନା ତୋ ମାମା ସପକ୍ଷରେ?
- କାହାରି ସପକ୍ଷରେ ନୁହେଁ କି ବିପକ୍ଷରେ ନୁହେଁ, ଯାହା ସତ୍ୟ ତାହା ହିଁ କହୁଛି । ମଣିଷ କଣ ମେସିନ୍? ସବୁବେଳେ ସଠିକ୍ କାମ ହେବ? ତା ଛଡା ମହିଳାମାନେ ହିଁ ସବୁବେଳେ ଘରର ଅଧିକାଂଶ କାମ କାହିଁକି କରିବେ? ଆଇ,ଜେଜେମା ଙ୍କ ଅମଳରେ ସେମାନେ ଘରର ଚାରିକାନ୍ଥ ଭିତରେ ରହୁଥିଲେ,ତେଣୁ ଗୋଟେଇ ପୋଟେଇ ଘରର ସବୁକାମ କରୁଥିଲେ । ସମୟ ବଦଳିଛି । ବର୍ତମାନ ନାରୀମାନେ ବି ପୁରୁଷ ଙ୍କ ସମକକ୍ଷ ହୋଇ ସମସ୍ତ କ୍ଷେତ୍ର ରେ ପାଦ ଦେଲେଣି ।ସେମାନେ ମଧ୍ୟ ସମାନ ଭାବରେ ରୋଜଗାରକ୍ଷମ । ସମସ୍ତ ଙ୍କ ପାଇଁ ଦିନଟା ସେଇ ଚବିଶ ଘଂଟା ନା? ଯଦି ଅଫିସ୍ ପାଇଁ ତାକୁ ଆଠ ଦଶ ଘଂଟା ଦେବାକୁ ପଡୁଛି,ତେବେ ସେତିକି ସମୟର ଘର କାମ ବାକି ରହିବ କି ନାହିଁ? ତାକୁ ପୂର୍ଣ କରିବାକୁ ଅନ୍ୟ କିଛି ରାସ୍ତା ବାହାର କରିବାକୁ ହେବ ନା!ସେଇ ପୁରୁଣା ଚିନ୍ତାଧାରା କୁ ଧରିବସିଲେ ତ ଆଉ ଚଳିବନି! ବଦଳେଇବାକୁ ହେବ । ସର୍ବୋପରି ପରିବାର ର ସମସ୍ତ ସଦସ୍ୟ ସହଯୋଗ କରିବା ଦରକାର । ସବୁବେଳେ ମାମା ଥକିଗଲେ ତୁମେ ମୋ ଉପରେ ନଜର ଦିଅ ଡ଼ାଡ଼ି, କାହିଁକି ?
ଭାଇ କଣ କିଛି ଘର କାମ କରିପାରିବନି କି? ସବୁଠି ନାରୀଟିଏ ହିଁ କାହିଁକି ଘରର ସବୁ ଦାୟିତ୍ୱ ବହନ କରିବ? ମୁଁ ଏତେ ଦାୟିତ୍ୱ ନେଇ ପାରିବିନି ମାମା । ମତେ ମୋ ପ୍ରଫେସନ୍ ରେ ଆଗକୁ ଯିବାକୁ ଅଛି । ତୁମ ଭଳି ଦାୟିତ୍ୱବୋଧ ର ବୋଝ ତଳେ ମୁଁ ଦବିଯିବାକୁ ଚାହେଁନି.... ।
ସିଲା ମୁଂଡ଼ ରେ ଆଉ କିଛି ପଶୁନଥାଏ । ଏକା ନିଶ୍ୱାସକେ କଣ ସବୁ କହି ଚାଲିଛି ସ୍ୱିଟି? ଶ୍ରୁତିକଟୁ ହେଲେ ବି ସତ୍ୟ । ଇତି ମଧ୍ୟ ରେ ବଂଟି ଓ ବାବା ଖାଇକି ଉଠି ଗଲେଣି । ବସି ରହିଛନ୍ତି ଋମେଶବାବୁ ଓ ସିଲା, ନିସ୍ତବ୍ଧ ହୋଇ ଶୁଣୁଛନ୍ତି ଝିଅ ର ପ୍ରଗଳ୍ଭ ଯୁକ୍ତି ।
ଏକ ଲୟ ରେ ଚାହିଁ ରହିଛି ସିଲା ସ୍ୱିଟି ମୁହଁକୁ । ଆତ୍ମସନ୍ତୋଷ ର ଧାରେ ହସ ଉଜ୍ଜଳ କରିଦେଲା ସିଲା ର ମୁଖମଂଡଳ । ଲାଗିଲା ତାକୁ- ଆଉ ସେ ସମୟ ଦୂର ନୁହେଁ, ଯେଉଁଠି ଝିଅଟିଏ ବି ପୁଅ ଙ୍କ ସହ ସମାନ ଅଧିକାର ପାଇବାକୁ ନା ସଂଘର୍ଷ କରିବାକୁ ହେବ ନା କାହାରି ଦୟା ର ପାତ୍ର ହେବାକୁ ପଡିବ,ବରଂ ସ୍ୱତଃ ସେ ଅଧିକାର ମୁଠା ରେ ନେଇ ଜନ୍ମ ନେବ ଧରାପୃଷ୍ଠ ରେ ।
କାହ,ିଁ ତାର ଏ ସ୍ୱପ୍ନ ଆଉ ଦୂର ପାହାଡ ର ଶୋଭା ନୁହେଁ ତ!!!
