MANAS KUMAR KAR

Fantasy Inspirational Others

3  

MANAS KUMAR KAR

Fantasy Inspirational Others

ଶ୍ରୀଜଗନ୍ନାଥଙ୍କ ରାକ୍ଷୀ ଭଉଣୀ

ଶ୍ରୀଜଗନ୍ନାଥଙ୍କ ରାକ୍ଷୀ ଭଉଣୀ

5 mins
123



ବହୁ ଦିନ ତଳର କଥା l ଶ୍ରୀକ୍ଷେତ୍ର ଯିବା ପଥରେ ଗ୍ରାମଟିଏ ପଡ଼େ ପାଟପୁର l ସେହି ଗ୍ରାମରେ ବାସ କରୁଥିଲେ,ଏକ ଅତ୍ୟନ୍ତ ଗରିବ ପରିବାର l ପତି, ପତ୍ନୀ,ପୁଅ ଓ ଗୋଟିଏ ଝିଅକୁ ନେଇ ପରିବାରଟି ଅତି କଷ୍ଟରେ ଦିନ ବିତାଉଥିଲେ l ଝିଅଟିର ନାମ ମାଳତୀ l ଗୃହ ସ୍ୱାମୀ ଜଣକ ମୁଲ ଲାଗି ଯେତିକି କମାନ୍ତି ସେଇଥିରେ ପରିବାରର ଗୁଜୁରାଣ ମେଣ୍ଟି ଥାଏ l ଅଭାବୀ ସଂସାରରେ କେଉଁ ଦିନ ଥାଏ ତ କେଉଁଦିନ ପୁଣି ନଥାଏ l

ହେଲେ ଏତିକି ସୁଖ ମଧ୍ୟ ବିଧାତା ସହିଲା ନାହିଁ l ଦିନେ ସଞ୍ଜବେଳେ ଗୃହସ୍ୱାମୀ ମୂଲ ଲାଗି ଘରକୁ ଫେରୁଛନ୍ତି କୁଆଡ଼ୁ ଗୋଟେ ନାଗସର୍ପ ଆସି ତାଙ୍କ ଗୋଡ଼କୁ କାମୁଡ଼ିଦେଲା l ସେ ଘରେ ଆସି ପହଞ୍ଚୁ ପହଞ୍ଚୁ ଉତ୍କଟ ବିଷ ଜ୍ୱାଳାରେ ତାଙ୍କର ପ୍ରାଣବାୟୁ ଉଡ଼ିଗଲା l ପୋଷଣାହାରୀ ସ୍ୱାମୀ ଚାଲି ଗଲା !! ସ୍ତ୍ରୀ ଲୋକଟି କରେ କଅଣ, ନିଜେ ଅଣ୍ଟା ଭିଡ଼ିଲା, ବାର ପାଇଟି କରି ପରିବାର ପୋଷଣ ପାଇଁ l

ଘରେ ମାତ୍ର ପାଞ୍ଚବର୍ଷର ପୁଅ ଓ ତିନିବର୍ଷର ଝିଅ, କଷ୍ଟେ ମଷ୍ଟେ ଅଭାବୀ ସଂସାରଟା କୌଣସି ମତେ ଚଳି ଯାଏ l କିନ୍ତୁ ବିଧାତା ପୁଣି ବାମ ହେଲା l ଏ ସୁଖ ମଧ୍ୟ ତାଙ୍କର ଆଉ ବେଶିଦିନ ରହିଲା ନାହିଁ l ପୁଅଟି ହଠାତ୍ ଦିନେ ଦନ୍ତାଘାତରେ ଆର ପାରିକୁ ଚାଲିଗଲା l ପୁଅକୁ ହରାଇ ମାଆ ଜଣକ ଦାରୁଣ ଦୁଃଖରେ ଭାଙ୍ଗିପଡ଼ିଲେ l ଭୋକେ ଉପାସେ ଦିନ ବିତି ଚାଲିଲା l

କିଛି ଦିନ ପରେ ଆସିଲା ଭାଇ ଭଉଣୀଙ୍କ ଅତୁଟ ସ୍ନେହବନ୍ଧନର ପର୍ବ ରକ୍ଷାବନ୍ଧନ, ରାକ୍ଷୀ ପୂର୍ଣ୍ଣିମା l ମାଳତୀର ସାଙ୍ଗ ସାଥୀ ମାନେ ରାକ୍ଷୀ କିଣୁ ଥାନ୍ତି ଦେଖି, ମାଳତୀ ଯାଇ ମାଆ ପାଖରେ ଅଳିକଲା, ମାଆ ମୋତେ ବି ପଇସା ଦେ ମୁଁ ରାକ୍ଷୀ କିଣିବି l ଝିଅର ଅଳି ଦେଖି ମାଆ ମଇଳା ଲୁଗା କାନିରେ ବନ୍ଧା ହୋଇଥିବା ଦଶ ପଇସିଟିଏ ଖୋଲି ଝିଅକୁ ଧରାଇ ଦେଲେ l

ପରଦିନ ମାଳତୀ ରାକ୍ଷୀ କିଣିବାକୁ ବଜାର ଯାଇ ଜାଣିବାକୁ ପାଇଲା ଯେ ଏ ରାକ୍ଷୀ, ଭାଇ ମାନଙ୍କ ହାତରେ ଭଉଣୀ ମାନେ ବାନ୍ଧନ୍ତି l ଭଉଣୀମାନେ ନିଜର ରକ୍ଷା କବଚ ଭାଇର ଶୁଭ ମନାସୀ ରାକ୍ଷୀ ବାନ୍ଧନ୍ତି l ପୁଣି ସେ ଲୋକଙ୍କ ପାଖରୁ ଶୁଣିଲା ଏହି ପର୍ବର ସୁନ୍ଦର ସୁନ୍ଦର ପୁରାଣ କାହାଣୀ l ମାଳତୀ ରାକ୍ଷୀ କିଣିଲା ହେଲେ ତା' ମୁଣ୍ଡରେ ଚିନ୍ତା ପଶିଲା ମୋର ଭାଇ କାହିଁ ! କାହାକୁ ନେଇ ମୁଁ ଏ ରାକ୍ଷୀ ବାନ୍ଧିବି ! ଏହିପରି କେତେ କଅଣ !!!

ମାଆ ସନ୍ଧ୍ୟାରେ ପାଇଟି ସାରି ଫେରି ଆସିବାରୁ ମାଳତୀ ଯାଇ ମାଆ ପାଖରେ ଜିଗର କଲା, କହ ମୋ ଭାଇ କାହିଁ,ମୁଁ ତା ହାତରେ ରାକ୍ଷୀ ବାନ୍ଧିବି l

ମାଆ ଆଖିରୁ ଝରି ପଡ଼ିଲା ଦୁଇବୁନ୍ଦା ଲୁହ l ସେ ଝିଅକୁ ବୁଝାଇବା ପାଇଁ କହିଲେ, ଜଗା ହେଉଛି ତୋ'ର ଭାଇ l ଜଗା ଭାଇ ତୋର ଶ୍ରୀମନ୍ଦିରରେ ରହେ l ତୁ ତାଆରି ହାତରେ ଯାଇ ରାକ୍ଷୀ ବାନ୍ଧ l

ପରଦିନ ରାକ୍ଷୀ ପୂର୍ଣ୍ଣିମା l ମାଳତୀ ମାଆ କହିବା ଅନୁସାରେ, ବଡ଼ି ଭୋରରୁ ଉଠି ରାକ୍ଷୀଟିକୁ ଧରି ଚାଲିଲା ଶ୍ରୀମନ୍ଦିରକୁ ଜଗାଭାଇ ହାତରେ ବାନ୍ଧିବ ବୋଲି l ବାଟ ପଚାରି ପଚାରି କୁନି ଝିଅ ମାଳତୀ ଯାଇ, ଶ୍ରୀମନ୍ଦିରରେ ପହଞ୍ଚିଲା l ନିର୍ବୋଧ ଶିଶୁଟି ପଣ୍ଡା ପଢ଼ିଆରୀ ସମସ୍ତଙ୍କୁ ପଚାରିଲା, ମୋ ଜଗା ଭାଇ କିଏ ଟିକେ ଚିହ୍ନାଇ ଦିଅ l ମୁଁ ତା' ହାତରେ ରାକ୍ଷୀ ବାନ୍ଧିବି l ସିଏ ଏହି ଶ୍ରୀମନ୍ଦିରରେ ରହେ l କୁନିପିଲାଟି କଥାକୁ କାହିଁକି ବା କିଏ ଧ୍ୟାନଦେବ l

ସେଦିନ ରାତିରେ ଠାକୁରଙ୍କ ପହୁଡ଼ ପଡ଼ିଲା l କାହାରି ଠାରୁ କିଛି ଉତ୍ତର ନପାଇ ମାଳତୀ ମନ ଦୁଃଖରେ ସିଂହ ଦ୍ୱାରର ଗୋଟିଏ କୋଣରେ ମୁହଁ ମାଡ଼ି ହୋଇ ଶୋଇପଡ଼ିଲା l ଆଖିକୁ କୋଉ ନିଦ ଆସୁଛି ଯେ ! ମନ ଭିତରେ ଜଗା ଭାଇ ଆଉ ତା ହାତରେ ରାକ୍ଷୀ ବାନ୍ଧିବା ଚିନ୍ତା l ଭାବଗ୍ରାହୀ ପ୍ରଭୁ ଅବୋଧ ଝିଅଟିର ଭାବକୁ ବୁଝିଲେ l ନିଶାର୍ଦ୍ଧରେ ପ୍ରଭୁ ଆସି ପହଞ୍ଚିଗଲେ ମାଳତୀ ନିକଟରେ l ତା' ମୁଣ୍ଡରେ ହାତ ବୁଲେଇ କହିଲେ,"ମାଳତୀ ଏବେ ଉଠ,ମୁଁ ପରା ତୋ ଜଗା ଭାଇ,ଆ, ଶୀଘ୍ର ରାକ୍ଷୀ ବାନ୍ଧି ଘରକୁ ଯା l ଦିନ ସାରା ଇଆଡ଼େ ଅଛୁ ତୋ ବୋଉ ପରା ତୋତେ ଦିନସାରା ଖୋଜି କାନ୍ଦୁଛି"l

ମାଳତୀର ଖୁସି କହିଲେ ନସରେ l "ଜଗା ଭାଇ, ମୋ ଜଗାଭାଇ" କହି ସେ ମହାପ୍ରଭୁଙ୍କ ହାତରେ ରାକ୍ଷୀ ବାନ୍ଧିଦେଲା ଓ କହିଲା,'ଜଗାଇ ମୁଁ ଘରକୁ ଯାଉଛି, ତମେ ଟିକେ ମୋ ସାଙ୍ଗରେ ଆସୁନାହଁ l ରାତି ପାହିନାହିଁ ମୋତେ ଭାରି ଡର ଲାଗୁଛି ପା' l ଜଗାଭାଇ କହିଲା ହଉ ତୁ ଏବେ ଏକାଏକା ଯା l କିଛି ଭୟ କରନାହିଁ l ମୋର ଅନ୍ୟ କାମ ଅଛି ମୁଁ ତୋ ସହିତ ଯାଇ ପାରୁ ନାହିଁ l ତୋତେ ଯେଉଁଠି ଡର ଲାଗିବ ମୋତେ ଡାକିବୁ ମୁଁ ପହଞ୍ଚି ଯିବି l

ମାଳତୀ ଖୁସିରେ ଯାଇ ଘରେ ପହଞ୍ଚିବାରୁ ତା'ର ମାଆ ଚିତ୍କାର କରି କହିଲେ, ଆଲୋ ପାଗଳୀ ତୁ କୁଆଡ଼େ ଯାଇଥିଲୁ କି, ମୁଁ ତୋତେ ଖୋଜି ଖୋଜି ହାଲିଆ l ମାଳତୀ ହସିହସି ସବୁକଥା କହିଗଲା l ଆଉ କହିଲା ମୁଁ ମୋ ଜଗାଭାଇ ହାତରେ ରାକ୍ଷୀ ବାନ୍ଧି ଆସିଛି l ମାଆ କହିଲେ,' ଦୂର୍ ପାଗଳୀଟା, କଅଣ ବୋଲି କଅଣ କହିଯାଉଛୁ ତୁ'l

ପରଦିନ ସିନ୍ଦୁରା ଫାଟିଲା l ମଣିମା ମଣିମା ଡାକ ଦେଇ ସେବକମାନେ ମହାପ୍ରଭୁଙ୍କ ପହଡ଼ ଫିଟାଇ ଦେଲେ l କିନ୍ତୁ ଏ କଅଣ ! ଆଜି ରାକ୍ଷୀ ପୂର୍ଣ୍ଣିମା l କିନ୍ତୁ, ନୀତି କାନ୍ତି ପୂର୍ବରୁ ମହାପ୍ରଭୁଙ୍କ ଶ୍ରୀଭୁଜରେ ରାକ୍ଷୀ l ଏ ରାକ୍ଷୀ ବାନ୍ଧିଲା କିଏ ! ବାନ୍ଧିଲା କିଏ!! ଖବର ଦିଆଗଲା ଠାକୁର ରାଜାଙ୍କୁ l ରାଜା ସଙ୍ଗେ ସଙ୍ଗେ ଆସି ମନ୍ଦିରରେ ପହଞ୍ଚିଲେ ଓ ସେବାୟତ ମାନଙ୍କୁ ପଚାରିଲେ ପହଡ଼ ପରେ କିଏ ଆସିଥିଲା କାଲି ମନ୍ଦିରକୁ? ସମସ୍ତେ ପରସ୍ପର ଆଡ଼କୁ ଚାହାଁ ଚାହିଁ ହୋଇ କହିଲେ, ଆମେ ଜାଣିନାହୁଁ ! ଆମେ ଜାଣି ନାହୁଁ !!!

କିଛି ଉପାୟ ନପାଇ, ଏହାର ରହସ୍ୟ ଜାଣିବାକୁ ଗଜପତି ଅଧିଆ ପଡ଼ିଲେ ମହାପ୍ରଭୁଙ୍କ ପାଖରେ l ସ୍ଵପ୍ନାଦେଶରେ ମହାପ୍ରଭୁ ଜଣାଇଦେଲେ, ରାଜା ! ପାଟପୁର ଗ୍ରାମର ମାଳତୀ ମୋର ଭଉଣୀ, କାଲି ସେ ଆସିଥିଲା, ମୋତେ ରାକ୍ଷୀ ପିନ୍ଧାଇବା ପାଇଁ, ଜଗା ଭାଇ କେଉଁଠି ଅଛି କହି କେତେ ଖୋଜିଲା, ହେଲେ ତମେମାନେ କେହି ମଧ୍ୟ ତା'ର ମୋ ସହ ଦେଖା କରେଇଲ ନାହିଁ l ରାତିରେ ମାଳତୀ ସିଂହ ଦ୍ଵାର ପାଖରେ ଶୋଇଥିଲା, ମୁଁ ଯାଇ ତା' ହାତରୁ ରାକ୍ଷୀ ପିନ୍ଧି ଆସିଛି l ରାଜା ସେବକ ମାନଙ୍କଠାରୁ ପଚାରି ଜାଣିବାକୁପାଇଲେ ଯେ କାଲି ଜଣେ ପାଞ୍ଚ ବର୍ଷର ଝିଅ ଶ୍ରୀମନ୍ଦିର ଭିତରେ ତା ଜଗା ଭାଇକୁ ଖୋଜି ବୁଲୁଥିଲା l

ରାଜା ଆଉ କାଳ ବିଳମ୍ବ ନକରି ଯାଇ ପହଞ୍ଚିଲେ ପାଟପୁର ଗ୍ରାମର ମାଳତୀର ଦରିଦ୍ର କୁଡ଼ିଆରେ l

ତ୍ରସ୍ତ ମାଳତୀର ମାଆ ରାଜାଙ୍କ ପାଦ ତଳେ ପଡ଼ି କହିଲେ," ମୋର କିଛି ଅପରାଧ ହୋଇ ଯାଇଛି, ମୋତେ କ୍ଷମା କରନ୍ତୁ, ଛାମୁ l ମୋ ଝିଅ ମାଳତୀ ଗତକାଲି ଶ୍ରୀମନ୍ଦିରକୁ ଯାଇଥିଲା,ବୋଧହୁଏ ସେ କିଛି ଅନ୍ୟାୟ, ଅନୀତି କରିଛି "l

ରାଜାଙ୍କର ଆଉ ତିଳେମାତ୍ର ସନ୍ଦେହ ରହିଲାନାହିଁ ଯେ ଏହି ମହିଳାଙ୍କ ଝିଅ ମାଳତୀ କାଲି ରାତିରେ ମହାପ୍ରଭୁଙ୍କୁ ଯାଇ ରାକ୍ଷୀ ପିନ୍ଧାଇ ଆସିଛି l ରାଜା ମାଳତୀର ମାଆ ମୁଣ୍ଡ ଉପରେ ହାତ ରଖିଦେଲେ ଓ କହିଲେ,ମାଆ,ସତେ କେଡ଼େ ସୋଭାଗ୍ୟବତୀ ଲୋ ତୁ ! ତୋ' ଝିଅ ମାଳତୀ, କାଲି ମହାପ୍ରଭୁଙ୍କୁ ଯାଇ ରାକ୍ଷୀ ପିନ୍ଧାଇଆସିଛି, ଯୁଗ ଯୁଗଧରି ମୁନୀ ଋଷି ମାନେ ଯାହାଙ୍କ ଦର୍ଶନ ପାଇ ପାରି ନାହାଁନ୍ତି, ତୋ ଝିଅ ତାଙ୍କୁ ସ୍ଵ ହସ୍ତରେ ରାକ୍ଷୀ ବାନ୍ଧିଆସିଛି l ମହାରାଜା ମାଳତୀକୁ ଡାକି କହିଲେ, ଭଉଣୀ ! ତୁ ଆମ କୋଟି ଓଡ଼ିଆର ମଉଡ଼ ମଣି "l

ମାଳତୀ ପରିବାରକୁ ମହାରାଜା ଧନ ଧାନ୍ୟ ଦାନ କରି ସେହିଠାରେ ଘୋଷଣା କଲେ,' ଏ ପାଟପୁର ଗ୍ରାମର ନାମ ଏଣିକି 'ମାଳତୀ ପାଟପୁର' ହେବ l ସେହି ପାଟପୁର ଗ୍ରାମ ଅଦ୍ୟାପି ମାଳତୀପାଟପୁର ନାମରେ ବିଦ୍ୟମାନ ହୋଇ ରହିଛି l ଏବେ ସେଠି ଗଢ଼ି ଉଠିଛି ନୂଆ ବସଆଡ୍ଡା ଓ ମାଳତୀପାଟପୁର ରେଳ ଷ୍ଟେସନ l ସେ ଦିନ ଗଜପତି ମହାରାଜାଙ୍କ ମାଳତୀ ପାଟପୁର ନାମ କରଣରେ ଲୋକମାନେ କୁହାକୁହି ହେଉଥିଲେ :-

  ଧନ୍ୟଲୋ ମାଳତୀ ତୁହି ଜଗାର ଭଉଣୀ l

  ରାକ୍ଷୀ ପିନ୍ଧାଇଲୁ ନୀଳାଚଳ ନୀଳମଣି ll


Rate this content
Log in

Similar oriya story from Fantasy