MANAS KUMAR KAR

Classics Fantasy Inspirational

3  

MANAS KUMAR KAR

Classics Fantasy Inspirational

ଏକାଦଶୀ ବ୍ରତ

ଏକାଦଶୀ ବ୍ରତ

4 mins
179


               

ହିନ୍ଦୁମାନଙ୍କର ଏକ ପବିତ୍ର ବ୍ରତ ଏକାଦଶୀ । ସାଧାରଣତଃ ବ୍ରାହ୍ମଣଘରର ବିଧବାମାନେ ଚବିଶ ଏକାଦଶୀ ପାଳିବା ବାଧ୍ୟତାମୂଳକ ଅଟେ । ତା'ଛଡ଼ା ସ୍ମାର୍ତ୍ତ ଓ ପରମାର୍ଥ ଧାର୍ମିକ ଆଚରଣରେ ସମଗ୍ର ଭାରତରେ ଏକାଦଶୀ ଏକ ପ୍ରମୁଖ ସାର୍ବଜନୀନ ବ୍ରତର ମାନ୍ୟତା ପାଇଛି । ଜୀବଦଶାରେ ଜ୍ଞାତସାରରେ ବା ଅଜାଣତରେ କରିଥିବା ପାପକୁ ନଷ୍ଟ କରି ପରଜନ୍ମ ପାଇଁ ପୁଣ୍ୟ ସଞ୍ଚୟ କରିବା ଆମ ଧାର୍ମିକ ପରମ୍ପରାର ମହାନ ଉଦ୍ଦେଶ୍ୟ - ଭାବିବା କଥା ଯେ କଣ ଏକାଦଶୀ କରି ପାପ ମୁକ୍ତିଲାଭ ହୋଇ ପାରିବ? କଥାଚିତ୍ ନୁହେଁ । ଏଥିପାଇଁ ରହିଛି ନିତ୍ୟ ବ୍ରତ, ନୈମିତ୍ତିକ ବ୍ରତ ଓ କାମ୍ୟ ବ୍ରତ ଆଚରଣ ବ୍ୟବସ୍ଥା । ଶାସ୍ତ୍ରୀୟବିଚାରରେ ଚାନ୍ଦ୍ରାୟଣ ବ୍ରତକୁ ନୈମିତ୍ତିକ ବ୍ରତ କୁହାଯାଏ ଏବଂ ଏହାଦ୍ୱାରା ପୂର୍ବକୃତ ପାପ କ୍ଷୟ ହୁଏ । ଓଷାବ୍ରତ ପରି କାମ୍ୟ ବ୍ରତରେ ସୁଖ ଓ ସୌଭାଗ୍ୟ ପ୍ରାପ୍ତି ହୁଏ । ମାତ୍ର ଏକାଦଶୀ ପରି ନିତ୍ୟ ବ୍ରତରେ ପୁଣ୍ୟ ସଞ୍ଚୟ ହୁଏ । କେତେଗୁଡିଏ ଏକାଦଶୀରେ ଏକଭୁକ୍ତ ବା ବେଳାଏ ଖାଇ ପାଳନ କରାଯାଏ ଅନ୍ୟ କେତେଗୁଡ଼ିକରେ ଅନ୍ନଜଳ ସମ୍ପୂର୍ଣ୍ଣ ତ୍ୟାଗକରାଯିବାର ବିଧି ରହିଛି । ଏକାଦଶୀ ଦିନ ଶରୀର ଓ ମନରେ ଶୁଦ୍ଧ ରହି କ୍ରୀଡ଼ା, ନିଦ୍ରା, ମଦ୍ୟପାନ, ପରନିନ୍ଦା, ଅସୂୟା, ଚୋରି, ହିଂସା, ରତି, କ୍ରୋଧ, ଅସତ୍ୟଭାଷଣ ପରି ଏଗାରଟିରୁ ବିରତ ରହିବା ଉଚିତ । ପୁତ୍ରବାନ ଗୃହସ୍ଥ କେବଳ ଶୁକ୍ଳ ଏକାଦଶୀ ଏବଂ ବାନପ୍ରସ୍ଥ ସନ୍ନ୍ୟାସୀ ଓ ବିଧବା ଉଭୟ ଏକାଦଶୀ କରିପାରିବେ । ବୈଜ୍ଞାନିକ ଦୃଷ୍ଟିକୋଣରୁ ଏକାଦଶୀ ପାଳନଦ୍ୱାରା ପେଟକୁ ବିଶ୍ରାମ ମିଳେ ଓ ପାକାଗ୍ନିକୁ ସକ୍ରିୟ କରାଏ । ଫଳରେ ଅଜୀର୍ଣ୍ଣ, ଉଦରଶୂଳ, ଅଗ୍ନିମାନ୍ଦ୍ୟ ଆଦି ରୋଗରୁ ରକ୍ଷା ମିଳେ।

ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା

ଗଜପତି ମହାରାଜା ଦିବ୍ୟସିଂହ ଦେବ (ଦ୍ୱିତୀୟ)ଙ୍କ ସମୟରେ ଏହା ଶ୍ରୀମନ୍ଦିରରେ ପ୍ରଥମେ ପାଳନ କରାଯାଇଥିଲା ।[୩] ଶ୍ରୀମନ୍ଦିରରେ ଗୌଡ଼ୀୟମାନଙ୍କ ପ୍ରଭାବ ସମ୍ପର୍କରେ ଏହି ଯାତ୍ରାସୂଚନା ଦେଉଛି । ଗୌଡ଼ୀୟ ସମ୍ପ୍ରଦାୟର ରାଧାକୃଷ୍ଣ ହେଉଛନ୍ତି ଉପାସ୍ୟ । ସେଥିପାଇଁ ଶ୍ରୀକୃଷ୍ଣ ଗୋପରେ ଥିବା ବେଳେ କରିଥିବା ରାସକୁ ସେମାନେ ଶ୍ରୀମନ୍ଦିରରେ ପ୍ରଚଳନ କରିଛନ୍ତି ।

ଶ୍ରୀମନ୍ଦିର ଭିତର ବେଢ଼ାର ଦକ୍ଷିଣ ପଟେ ମୁକ୍ତି ମଣ୍ଡପ ନିକଟରେ ଝୁଲଣ କୁଞ୍ଜ ନିର୍ମିତ ହୋଇଥାଏ । ୪୫ ଫୁଟ ଲମ୍ବ ଓ ପନ୍ଦର ଫୁଟ ଉଚ୍ଚତା ବିଶିଷ୍ଟ ଏହି କୁଞ୍ଜଟିର ଛାଞ୍ଚ କାଠରେ ହୋଇଥିବା ବେଳେ ଏହାକୁ ଜରି, ସୋଲ ଓ କପଡ଼ାରେ ସଜ୍ଜିତ କରାଯାଇଥାଏ । ଏହି ଝୁଲା ସହ ଗୋଟିଏ ଦଉଡ଼ି ଲାଗିଥାଏ, ଯାହାକୁ ଟାଣିଲେ ଝୁଲା ସହ ପ୍ରତିମା ତ୍ରୟ ଝୁଲନ୍ତି । ମଧ୍ୟାହ୍ନ ଧୂପ ନୀତି ପରେ ଶ୍ରୀମନ୍ଦିର ଦକ୍ଷିଣ ଘର ବାରଣ୍ଡାରେ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀଙ୍କୁ ବେଶ କରାଯାଇ ଭୋଗ ଅର୍ପଣ ହୁଏ । ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ଦିଆଯିବା ପରେ ତିନିଜଣ ମହାଜନ ସେବକ (ବିମାନ ବଡୁ ସେବାୟତ) ପ୍ରତିମାମାନଙ୍କୁ ଜଗମୋହନ ଓ ବଟଦ୍ୱାର ଦେଇ ଝୁଲଣ କୁଞ୍ଜର ଭିତର ଝୁଲାରେ ବିଜେ କରାନ୍ତି ।[୪] ଝୁଲଣରେ ପଞ୍ଚୋପଚାର ପୂଜା ଖଇକୋରା ଭୋଗ କରାଯିବା ପରେ ରତ୍ନସିଂହାସନସ୍ଥ ବିଗ୍ରହମାନଙ୍କର ଚନ୍ଦନଲାଗି ସମୟ ଯାଏ ପ୍ରତିମାମାନେ ଏହି ଝୁଲଣରେ ଅବସ୍ଥାନ କରନ୍ତି, ତାହା ପରେ ପିତୁଳା ଗୁଡ଼ିକୁ ଫେରାଇ ନିଆଯାଏ । ଏକାଦଶୀ ଦିନ ମଦନମୋହନଙ୍କ ବେଢ଼ା ପରିକ୍ରମା ସ୍ୱାଭାବିକ ଭାବରେ ଅନୁଷ୍ଠିତ ହୋଇ, ପରେ ଶ୍ରୀଦେବୀ ଓ ଭୂଦେବୀଙ୍କ ସହ ଝୁଲଣ ମଣ୍ଡପକୁ ବିଜେ କରାଯାଏ । ଶେଷଦିନ ଘଣ୍ଟି, ଶଙ୍ଖ ସହ ପଞ୍ଚୋପଚାର ପୂଜା ଓ ବନ୍ଦାପନା କରାଯିବା ପରେ ବେଢ଼ାବୁଲି ସିଂହାସନରେ ବିଜେ ହୁଅନ୍ତି ।

ସଙ୍ଗୀତ, ବାଦ୍ୟ ଓ ନୃତ୍ୟ ମୁଖର ଝୁଲଣ ଯାତ୍ରାରେ ସୁସଜ୍ଜିତ ଦୋଳିରେ ରାଧା ଦାମୋଦରଙ୍କୁ ଦର୍ଶନ କରିବାପାଇଁ ଦୂରଦୂରାନ୍ତରୁ ଭକ୍ତମାନେ ପୁରୀରେ ଭିଡ଼ ଜମାନ୍ତି । କୀର୍ତନ, ଭଜନରେ ମନ୍ଦିର ଉଲ୍ଲସିତ ହୋଇଉଠେ । ଏହା ଶ୍ରୀମନ୍ଦିର ସହ ପ୍ରାୟ ସମସ୍ତ ରାଧାକୃଷ୍ଣ ମନ୍ଦିରରେ ଅଧିକାଂଶ ମଠରେ ପାଳନ କରାଯାଇଥାଏ ।

                           

      ll ଶ୍ରୀମନ୍ଦିରରେ ଆଜି ବାଡ଼ି ନୃସିଂହ ବିଜେ ll

         ଅନନ୍ୟ ଆମ ଜଗନ୍ନାଥ ଚେତନା ଓ ସଂସ୍କୃତି । ମହାପ୍ରଭୁ ଶ୍ରୀଜଗନ୍ନାଥ ଏହି ଶ୍ରୀକ୍ଷେତ୍ର ରେ ବିଭିନ୍ନ ମାନବିକ ଲୀଳା କରିଥାନ୍ତି। ମାନବ ସମାଜ ପ୍ରତି ଘଟୁଥିବା ପ୍ରତିଟି ବିପତ୍ତି ସହ ଜଡିତ ମହାପ୍ରଭୁଙ୍କ କିଛି ନୀତି ଓ ପରମ୍ପରା। ସେଥିପାଇଁ ଶାସ୍ତ୍ରରେ ବର୍ଣ୍ଣିତ ଅଛି -

“ ହିରଣ୍ୟକଶିପୁଂ ହତ୍ବା ଦେବଦେବଂ ଜଗଦ୍ ଗୁରୁଂ।

ସୁଖାସୀନଂ ତଦୁତ୍ ସଙ୍ଗେ ଶାନ୍ତକୋପଂ ରମାପତିମ୍।।”

        ମହାମାରୀ କୁ ପ୍ରତିହତ କରିବା ପାଇଁ ଶ୍ରୀମନ୍ଦିରରେ ରହିଛି ଏକ ଅନନ୍ୟ ପରମ୍ପରା ''ବାଡ଼ି ନୃସିଂହ ବିଜେ" ।ପ୍ରତିବର୍ଷ ଶ୍ରାବଣ ଶୁକ୍ଳପକ୍ଷ ନବମୀ ତିଥିରେ ଶ୍ରୀମନ୍ଦିରରୁ ବାଡ଼ି ନୃସିଂହ ନଗର ପରିକ୍ରମା ଚାରି ଆଶ୍ରମ କୁ ବିଜେ କରିଥାନ୍ତି ଏହାଛଡା ଚୈତ୍ର ମାସ ଚତୁର୍ଥୀ ତିଥିରେ ଏବଂ ପଣ୍ଡୁ ପୂର୍ଣ୍ଣିମା ପୂର୍ବ ଦିନ ରେ ମଧ୍ୟ ବାଡ଼ି ନୃସିଂହ ବିଜେ କରିଥାନ୍ତି

       ଆଜି ପବିତ୍ର ଶ୍ରାବଣ ଶୁକ୍ଳ ନବମୀ ତିଥି , ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢିବା ପରେ ଦକ୍ଷିଣି ଘରୁ ନୃସିଂହ ବିଜେ କରି ଆଜ୍ଞାମାଳ ପ୍ରାପ୍ତ ହୋଇ ଝୁଲଣ ମଣ୍ଡପ(ମୁକ୍ତି ମଣ୍ଡପ) ତଳେ ଥିବା ବିମାନରେ ଅଧିଷ୍ଠିତ ହୋଇଥାନ୍ତି । ନୀତି ନିମନ୍ତେ ପର୍ବଯାତ୍ରା ଯୋଗାଣିଆ ଆବଶ୍ୟକୀୟ ଜିନିଷ ଆଦି ଯୋଗାଇଥାନ୍ତି ଓ ମହାଜନ (ପୁଷ୍ପାଳକ ସେବକ) ନୃସିଂହଙ୍କୁ ବିମାନ କୁ ବିଜେ କରିଥାନ୍ତି। ଏହାପରେ ବିମାନ ବଡ଼ୁ ସେବକ ମାନେ ବିମାନ କୁ ସ୍କନ୍ଧ ରେ ସିଂହଦ୍ୱାର ଦ୍ୱାର ଦେଇ ମାର୍କଣ୍ଡ , ଅଙ୍ଗିରା , କଣ୍ଡୁ ଓ ଭୃଗୁ ଆଦି ୪ ଆଶ୍ରମ କୁ ବିଜେ କରାଇଥାନ୍ତି।

       ୪ ଆଶ୍ରମ ରେ ଶୀତଳ ଭୋଗ ପୂଜାପଣ୍ଡା ସେବକଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥାଏ। ଏହି ଦିନ ବିଜେ ସମୟରେ ସହର ର ବିଭିନ୍ନ ମଠ , ଜାଗା , ଆଖେଡ଼ା ଓ ବ୍ୟକ୍ତି ବିଶେଷ ଙ୍କ ତରଫରୁ ପ୍ରାୟ ୪୨ ସ୍ଥାନରେ ପନ୍ତି ଭୋଗ ହୋଇଥାଏ। ତତ୍ପରେ ନୃସିଂହ ଙ୍କୁ ଶ୍ରୀମନ୍ଦିର କୁ ବାହୁଡ଼ା ବିଜେ କରିଥାନ୍ତି।

" ତ୍ରାଭି ବିଷ୍ଣୁ ଜଗନ୍ନାଥ ପାଣ୍ଡୁରୁପ ନମୋସ୍ତୁତେ ।

ନରସିଂହ ମହାବୀର୍ଯ୍ୟ ତ୍ରାହିମାଂ ଦୀପ୍ତ ଲୋଚନ ।

        ବାଡ଼ି ନୃସିଂହ ବିଜେ ନୀତିରେ ଏକ ମହତ ଉଦ୍ଧେଶ୍ୟ ରହିଛି । ଯେତେବେଳେ ଏହି ମାନବ ସମାଜ କୁ ମହାମରୀ ଗ୍ରାସ କରିଛି ସେତେବେଳେ ସ୍ୱୟଂ ମହାପ୍ରଭୁ ଏହାର ନିରାକରଣ କରିଥାନ୍ତି । ତେବେ ଇତିହାସ ପୃଷ୍ଠାରେ ଜଣାପଡେ କି ୧୯୦୩-୧୯୦୫ ମସିହା ରେ ଦେଶରେ ମହାମାରୀ ପଡିଥିଲା , ପୋକ ମାଛି ପରି ଲୋକ ପ୍ରାଣତ୍ୟାଗ କରୁଥିଲେ । ଏହାକୁ ଆୟତ୍ତ ନିମନ୍ତେ ସେବର ଦେଉଳ କମାଣ୍ଡର କିଛି ପଣ୍ଡିତଙ୍କୁ ଡକାଇ ଏହି ମହାମାରୀ ର ନିରାକରଣ ନିମନ୍ତେ ମହାପ୍ରଭୁଙ୍କ ଶରଣ ପଶିଥିଲେ। ଏହି ସମୟରେ ବାଡ଼ି ନୃସିଂହ ବିଜେ ପରମ୍ପରା ଆରମ୍ଭ ହୋଇଥିଲା। ମହାପ୍ରଭୁ ବାଡ଼ି ନୃସିଂହ ରୂପେ ନଗର ବିଜେ କରିବା ପରେ ଏହି ମହାମାରୀ ଆୟତ୍ତ ହୋଇଥିଲା। ସେବେ ଠୁ ଏହି ନୀତି ଆଜି ମଧ୍ୟ ପାଳନ କରାଯାଉଛି।

          ଯେପରି କୁହାଯାଇଥାଏ ଇତିହାସ ସବୁବେଳେ ପୁନରାବୃତ୍ତି ହୋଇଥାଏ। ସେଇଭଳି ଏବେ ଭି ବିଶ୍ୱ ଏକ ମହାମାରୀ ରେ ଆକ୍ରାନ୍ତ ହେଇଚାଲିଛି। ଏହି ମହାମାରୀ ରେ ବିଗତ ଦିନମାନଙ୍କରେ ବହୁ ଜୀବନ ହାନି ହେଲାଣୀ। ଜଗତର କଲ୍ୟାଣ ନିମନ୍ତେ , ଏହି ମହମାରୀର ନିବାରଣ ନିମନ୍ତେ ଆମେ ଶ୍ରୀ ନୃସିଂହ ମହାପ୍ରଭୁଙ୍କ ଶ୍ରୀଚରଣେ ପ୍ରାର୍ଥନା କରୁଛୁ ।

" ସର୍ବେ ହୋଇବେ ଏକାକାର

ନଥିବ ବେଦର ବିଚାର

ସର୍ବେ ହୋଇଣ ଏକ ମୁଖ

ଡାକିବେ ହେ ନାରାୟଣ ରଖ " ।

.       


Rate this content
Log in

Similar oriya story from Classics