Pratibha Priyadarshini

Romance

5.0  

Pratibha Priyadarshini

Romance

ଶ୍ରୀ-ଜ୍ୟୋତି

ଶ୍ରୀ-ଜ୍ୟୋତି

8 mins
14.7K


ଶ୍ରୀ-ଜ୍ୟୋତି


ସହର ଠାରୁ ଦୂର ଏକ ବିଳାସପୂର୍ଣ୍ଣ ଫାର୍ମହାଉସ୍ ରେ ଚାଲିଥାଏ ଜଣେ ପ୍ରତିଷ୍ଠିତ ବିଲ୍ଡରଙ୍କ ପାର୍ଟି। ନୂଆ ଏକ ହାଉସିଂ ପ୍ରୋଜେକ୍ଟ ସହ ସଂଶ୍ଳିଷ୍ଟ ସମସ୍ତ ବ୍ୟକ୍ତିଙ୍କୁ ନେଇ ଦିନବେଳା ଔପଚାରିକ ମିଟିଙ୍ଗ ହୋଇସାରିଥିଲା। ତା ପରେ ଏଇ ସାନ୍ଧ୍ୟ ପାର୍ଟିର ଆୟୋଜନ। ସନ୍ଧ୍ୟା 6-7 ଟାରୁ ଆରମ୍ଭ ହୋଇଥିଲା ପାର୍ଟି। ମାତ୍ର ଘଣ୍ଟାଏ ଦେଢଘଣ୍ଟା ଭିତରେ 7୦-8୦% ଅତିଥି ନିଶାରେ ଚୁର୍। ପ୍ରୋଜେକ୍ଟର ମୁଖ୍ୟ ଇଞ୍ଜିନିୟର ଜ୍ୟୋତି ପ୍ରକାଶ ଷଡଙ୍ଗୀ କିନ୍ତୁ ନିଶା ଚଢିବା ଓହ୍ଲାଇବାର ଦ୍ୱନ୍ଦରେ ପଡିଯାଇଛନ୍ତି। ଏଭଳି ଦ୍ୱନ୍ଦର କାରଣ, ଅନତି ଦୂରରେ ଠିଆ ହୋଇଥିବା ମହିଳାଙ୍କ ମେଳିରେ ତାଙ୍କ ଜୀବନର ପ୍ରଥମ ପ୍ରେମ ଶ୍ରୀ କୁ ଆବିଷ୍କାର କରିବା। ସେ ସ୍ଥିର କରି ପାରୁନାହାନ୍ତି, ତାଙ୍କୁ ନିଶା ଚଢିଚି ବୋଲି ଅପରିଚିତ ମହିଳାଙ୍କ ଜଣଙ୍କ ଭିତରେ ନିଜ ତାରୁଣ୍ୟର ପ୍ରଥମ ପ୍ରେୟସୀକୁ ଦେଖୁଛନ୍ତି ଅବା ନିଶା ଚଢିନାହିଁ ବୋଲି ଏତେ ବର୍ଷ ପରେ ସେ ମହିଳାଙ୍କ ଗଣ୍ଡରେ ଗଭୀର ଭଉଁରୀ ଓ ଠିଆ ହେବାର ପରିଚିତ ସିମେଟ୍ରି ଦେଖି ଚିହ୍ନି ପାରିଛନ୍ତି ଏ ଯାଏଁ ଭୁଲିପାରିନଥିବା ତାଙ୍କ ଶ୍ରୀ କୁ ??? ହଠାତ୍ ଯାନ୍ତ୍ରିକ ଡିଜେ ସଙ୍ଗୀତ ବଦଳରେ ତାଙ୍କୁ ଶୁଭୁଚି 9୦ ଦଶକର ରୋମାଣ୍ଟିକ୍ ହିନ୍ଦି ଗୀତ। ସେ ନିଜେ ଗୁଣୁଗୁଣୁ ହେଉଛନ୍ତି , " ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର, ସପନର ପଥେ ପଥେ ଖୋଜିବାକୁ ତାକୁ ଗଲା, ଯାଯାବର ମନ ମୋର ......'

କୋଳାହଳମୟ ରଙ୍ଗୀନ୍ ଫାର୍ମହାଉସ୍ ଲନ୍ ରୁ ମନ ତାଙ୍କର, ସ୍କୁଲ୍ ଘର, ନଦୀକୂଳ, ମାଛ, ବିଲ, ପାହାଡ ଡେଇଁ ଡେଇଁ ପଶ୍ଚାତ୍ଧାବନ କରୁଚି ତାରୁଣ୍ୟର ରୋମାଞ୍ଚକ ବୟସ ଆଡକୁ। ମନେପଡୁଛି ଶ୍ରୀ ପାଇଁ ଲେଖିଥିବା ସେହି 4 ପୃଷ୍ଠାର ପ୍ରଥମ ଓ ଦୀର୍ଘ ପ୍ରେମକବିତା, ଯାହା ଆଜି ନିରୁଦ୍ଦିଷ୍ଟ । ସେଇଟା ପାଖରେ ଥିଲେ ଆଜି ଦେଖେଇଥାନ୍ତେ ଶ୍ରୀ କୁ।

ଧେତ୍ .... ନିଶାଟା ଚଢୁନି ଏଯାଏଁ। 3 ପେଗ୍ ପରେ ଖୁବ୍ ନିଶାହୁଏ ଜ୍ୟୋତିଙ୍କୁ, ଅଥଚ ଆଜି ଏ ବ୍ୟତିକ୍ରମ। ହଠାତ୍ ଡ୍ରିଙ୍କସ୍ ଧରି ବୁଲୁଥିବା ବୟ ଦୃଷ୍ଟିରେ ପଡିଲା। ପାଖକୁ ଡାକି ଆଉ ଗୋଟେ ପେଗ୍ ଉଠାଇନେଲେ ଇଞ୍ଜିନିୟର ମହାଶୟ। ପୁଣି ଦିଶିଲା ପାର୍ଟିର ବର୍ଣ୍ଣାଳୀ ଆଲୋକ, ଡିଜେର ପଞ୍ଜାବୀ ସଙ୍ଗୀତ । ଲନ୍ ର ଅପେକ୍ଷାକୃତ  ଅନ୍ଧାର ପାର୍ଶ୍ୱରେ ଏକାନ୍ତରେ ଗୋଟେ ଚେୟାରରେ ଆଉଜିପଡି ଆକାଶରେ ତାରାଙ୍କ ମିଟିମିଟି ଦେଖୁଥିଲେ ଜ୍ୟୋତି। ସ୍କୁଲର ସବୁଠୁ ଭଲ ଛାତ୍ର। ଶିକ୍ଷକଙ୍କ ପ୍ରିୟ। ସବୁଠୁ ସୁନା ପିଲା । ସାଙ୍ଗମାନଙ୍କ ପ୍ରିୟ। କିନ୍ତୁ ଅନ୍ୟ ପିଲାଙ୍କୁ ତାଙ୍କ ବାପା ମା ଜ୍ୟୋତିଙ୍କ ଉଦାହରଣ ଦିଅନ୍ତି ବୋଲି କିଛି ସହପାଠୀ ଈର୍ଷା ମଧ୍ୟ କରନ୍ତି। ଏବେ ସେ ବିଦେଶରୁ ଶିକ୍ଷାପ୍ରାପ୍ତ ସଫଳ ଇଞ୍ଜିନିୟର। ବାପା ମାଆଙ୍କ ପସନ୍ଦରେ ଶିକ୍ଷିତା, ସଂଭ୍ରାନ୍ତ ଓ ସୁନ୍ଦରୀ ମୁଗ୍ଧାର ସ୍ୱାମୀ। ନିଶା ବୋଧହୁଏ ଚଢିଲାଣି। ନହେଲେ ନିଜ ସ୍ତ୍ରୀ ର ପ୍ରଶଂସା ହୋସ୍ ରେ ରହି କେତେଜଣ କରନ୍ତି ! ପୁଣି ନିଜକୁ ନିଜେ।

ପୁନଶ୍ଚ ସ୍ମୃତିର କମ୍ପାସ୍ ଘୁରିଲା ଶ୍ରୀ ଆଡକୁ। ଶ୍ରୀମୟୀ ମିଶ୍ର। ତା ବାପା ଗଙ୍ଗାଧର ମିଶ୍ର ଜ୍ୟୋତିଙ୍କ ସ୍କୁଲରେ ସଂସ୍କୃତ ପଣ୍ଡିତ। ସ୍ଥାନୀୟ ବାଳିକା ସ୍କୁଲରେ ପଢୁଥିଲା ଶ୍ରୀ। ଥରେ କ୍ରୀଡା ଶିକ୍ଷୟିତ୍ରୀଙ୍କ ଅତ୍ୟଧିକ ଦଣ୍ଡ ଯୋଗୁଁ ସାଙ୍ଘାତିକ ଅସୁସ୍ଥ ହୋଇ ପଡିଲା ଶ୍ରୀ। ପଣ୍ଡିତ ସାର୍ ବ୍ୟଥିତ ହୋଇ ତାକୁ ସେ ସ୍କୁଲରୁ ନିଜ ସ୍କୁଲକୁ ନେଇଆସିଲେ। ବାଳକ ସ୍କୁଲଟି ଥିବାରୁ ବାପାଙ୍କ ସ୍କୁଲରେ ଜଣେ ହେଲେ ଝିଅ ନଥିଲେ। ପ୍ରଥମ କିଛିଦିନ ଶ୍ରୀ ଓ ତା ସହପାଠୀମାନଙ୍କ ପାଇଁ ବିଚିତ୍ର ଅନୁଭବ ଥିଲା। ଟିଉସନ୍ ବେଳେ ନିଜ ବାନ୍ଧବୀମାନଙ୍କ ସହିତ ଯେତିକି ହସେ, ବାକି ସ୍କୁଲରେ ନୀରବ ଓ ଗମ୍ଭୀର ରହେ। ପ୍ରଥମ ଦିନ ଶ୍ରେଣୀ ଶିକ୍ଷକ ତାକୁ ପରିଚିତ କରେଇଦେବା ବେଳେ ତା ନାଁ ଶୁଣି ଜଣେ ପିଲା କହିଥିଲା, "ୟାଙ୍କ ନାଁ ରୁ ଆରମ୍ଭ ଆମ ସମସ୍ତଙ୍କ ନାଁ।' ପ୍ରାୟ ସମସ୍ତେ ହସିଥିଲେ। ସେଇ ପ୍ରଥମ ଅନୁଭବ ଯୋଗୁଁ ଢେର ଦିନଯାଏଁ ଏକା ଏକା ରହିଲା ଶ୍ରୀ। ସେ ବି ଭଲ ପାଠ ପଢେ। ଚିତ୍ର ଆଙ୍କିବା ଓ ଗୀତ ଗାଇବାରେ ଖୁବ୍ ଭଲ। ଜ୍ୟୋତିଙ୍କ ଲାଗି ନୂଆ ପ୍ରତିଦ୍ୱନ୍ଦୀ ଥିଲା ଶ୍ରୀ। କିନ୍ତୁ ତାରୁଣ୍ୟର ଉତ୍ତର ପାହାଚରେ ପାଦ ଦେଇଥିବା ଝିଅଟିର ଶ୍ୟାମଳ ରଙ୍ଗ, ପୁରିଲା ପୁରିଲା ସୁଢଳ ଶରୀର (ସେତେବେେଳ ତନୁପାତଳୀ ହେବାର ଫ୍ୟାସନ ଏତେ ସଂକ୍ରାମକ ହେଇନଥିଲା ଯେ), ପିଠି ଅଧା ଯାଏଁ ଲମ୍ବିତ ଘନକୃଷ୍ଣ କେଶ ରାଶି, ଆଉ ତା ପୁଚୁକା ଗାଲର ଗଭୀର ଭଉଁରୀ ଭିତରେ ଜ୍ୟୋତି କେବେ ପ୍ରତିଦ୍ୱନ୍ଦୀଟିଏ ଦେଖିପାରନ୍ତିନି। ଶ୍ରୀ ଗଣ୍ଡର ଭଉଁରୀରେ ହଜିଯାଇଥିଲା ତାଙ୍କ ମନ। ତରୁଣ ପ୍ରାଣରେ କବିତାର ଜୁଆର ଉଠୁଥାଲା ଯେବେ ଅଲକ୍ଷ୍ୟରେ ଦେଖୁ ଦେଖୁ ଚାରିଆଖି ମିଶୁଥିଲା। ସାଙ୍ଗମାନେ ରସିକତା କରି ଜ୍ୟୋତିକୁ "ଶ୍ରୀ ଜ୍ୟୋତି' ବୋଲି ଡାକୁଥିଲେ। ଶ୍ରୀ କୁ ଦେଖୁ ଦେଖୁ ଅନ୍ୟମନସ୍କ ଜ୍ୟୋତି କାଦୁଅରେ ପଡିବା ପରେ ବି ତା ଉପରୁ ଦୃଷ୍ଟି ନଫେରେଇବା ଓ ବାର୍ଷିକ ପରୀକ୍ଷା ଖାତା ବାପା ଦେଖିବା ଆଗରୁ ଶ୍ରୀ ନିଜେ ଜ୍ୟୋତିଙ୍କ ଛୋଟ ଛୋଟ ଭୁଲ ସୁଧାରି ଦେବା ଥିଲା ପ୍ରେମର ପ୍ରାରମ୍ଭିକ ଅନୁରକ୍ତି। ଏମିତି ଆଖିରେ ଆଖିରେ ବଢିଥିଲେ ବି ଅକୁହା, ଅପ୍ରକାଶିତ ଥିଲା ଦୁହିଁଙ୍କ ଭଲପାଇବା।

ମାଟ୍ରିକ ପରୀକ୍ଷା ସରିବା ପରେ ଜ୍ୟୋତି ଲେଖିଥିଲେ ଚାରିପୃଷ୍ଠାର ଦୀର୍ଘ ପ୍ରେମ କବିତା ନିଜ ପ୍ରଥମ ପ୍ରେୟସୀ ପାଇଁ। ସାଙ୍ଗ ଜଣେ ଭିଡି ନେଇ ପଢିଥିଲା କବିତା, ହେଲେ ଫେରେଇଲାନି। ନିଖୋଜ ହେଲା ପ୍ରଥମ ପ୍ରେମର ପ୍ରଥମ ଅଭିବ୍ୟକ୍ତି। ତା ପରେ ଭିନ୍ନ ହେଲା ଶ୍ରୀ-ଜ୍ୟୋତି ଙ୍କ  ଜୀବନ। ମାଟ୍ରିକ ପରେ ଦୁହେଁ ପଢିବାକୁ ଗଲେ ଭିନ୍ନ ସହର ଓ ଭିନ୍ନ କଲେଜକୁ। ପରସ୍ପର ପ୍ରତି ମନର ଭାବକୁ କେହି କାହାକୁ ଖୋଲି କହିପାରିନଥିଲେ ବି ଅନ୍ତରର ନିଭୃତରେ ପ୍ରେମର ଦୀପ ଜାଳି ଦୁହେଁ ଦୁହିଁଙ୍କୁ ଅପେକ୍ଷା କରିଥିଲେ। ଇଞ୍ଜିନିୟରିଂ ପଢିବା ଭିତରେ ଥରେ ଅଧେ ସାକ୍ଷାତ ହେଇଥିଲା ସତ, ହେଲେ ମନ କଥା ଗଳା ପାର ହୋଇ ଓଠ ଯାଏଁ ପହଞ୍ଚିପାରିନଥିଲା। ଜ୍ୟୋତି ବିଦେଶ ଯିବା ପରେ ଝାପ୍ସା ହେଲା ଶ୍ରୀର ଆଶା। ଜୀବନରେ ଅନେକ ଝିଅ ଆସିଥିଲେ ସତ କିନ୍ତୁ କେହି ଛୁଇଁ ପାରିଲେନି ଜ୍ୟୋତିଙ୍କ ହୃଦୟ। ଶେଷରେ ପରିବାରର ପସନ୍ଦରେ ବାହାହେଲେ ମୁଗ୍ଧାଙ୍କୁ। ଆଜି, ପ୍ରାୟ 16-17 ବର୍ଷ ପରେ ପୁଣିଥରେ ଦିଶିଲା ଶ୍ରୀ। ଏତେ ବର୍ଷରେ ଖାସ୍ ବେଶୀ ବଦଳିନି ତା ରୂପକାନ୍ତି । ସେଥିପାଇଁ ଦେଖୁଦେଖୁ ଚିହ୍ନି ପାରିଲେ ଜ୍ୟୋତି, ତେବେ ଶ୍ରୀ ବି ଚିହ୍ନିପାରିଲା କି ତାଙ୍କୁ ? ଯାଃ ....... ଆଜି ଆଉ ନିଶା ଚଢିବନି ବୋଧେ। ପୁଣି ଗୋଟେ ଲାର୍ଜ ପେଗ୍ ପାଇଁ ଅର୍ଡର କଲେ ସେ।

ହଠାତ୍ କାନ୍ଧରେ କାହାର କୋମଳ ସ୍ପର୍ଶ ପାଇ ବୁଲି ଦେଖିଲେ ପାଖରେ ଶ୍ରୀ। ଧିରେ କହିଲା, " ମୋ ଘର ମାତ୍ର 5 ମିନିଟ୍ ର ବାଟ ଏଇ ଫାର୍ମହାଉସ୍ ଠାରୁ। ସମୟ ଏବେ 8.3୦। ମୋ ସହିତ ଘରକୁ ଚାଲ। ଯଦି ଆପତ୍ତି ନଥାଏ ସେଠି ଏକାଠି ଡିନର୍ କରିବା। ନଚେତ୍ ପୁଣି ଏଠିକୁ ଫେରିଆସିବା ଡିନର୍ ବେଳକୁ।' ମନା କରିବାର କାରଣ କି ଅଭିପ୍ରାୟ ନଥିଲା ଜ୍ୟୋତିଙ୍କର। ଦୁହେଁ ନିଜ ନିଜ ଗାଡିରେ ପାର୍ଟିରୁ ବାହାରିଗଲେ। ଖୁବ୍ ନିକଟରେ ଏକ ସୁଉଚ୍ଚ ଆପାର୍ଟମେଣ୍ଟ ପାଖରେ ଅଟକିଲେ। ୯ମ ମହଲାରେ ଶ୍ରୀ ର ଘର।

ଘରର ରୁଚିପୂର୍ଣ୍ଣ ଇଣ୍ଟେରିୟର ଦେଖି ଶ୍ରୀ କୁ ପ୍ରଶଂସା କଲେ ଜ୍ୟୋତି। ଶ୍ରୀ ଅଳ୍ପ ହସି କହିଲା, "ଇଞ୍ଜିନିୟର ମହାଶୟ, ମୁଁ ଇଣ୍ଟେରିୟର ଡିଜାଇନର୍। ସେଇଥିପାଇଁ ଆଜି ସେ ପାର୍ଟିକୁ ନିମନ୍ତ୍ରଣ ମିଳିଥିଲା।' ସେତେବେଳକୁ ବଳକା ନିଶା ବି ଉତୁରି ଯାଇଥିଲା। ଜ୍ୟୋତିଙ୍କୁ ଆଶ୍ଚର୍ଯ୍ୟ କରି ଶ୍ରୀ ତାଙ୍କ ନିହାତି ପାଖରେ ବସିଗଲା। ପୁରୁଣା ଗୋଟେ ବ୍ୟାଗ୍ ରୁ କାଢି କାଗଜ ଦି ଖଣ୍ଡ ବଢାଇଦେଲା ତାଙ୍କୁ। ଏ ତ ସେହି ଚାରି ପୃଷ୍ଠାର କବିତା ଯାହା ଜ୍ୟୋତି ଲେଖିଥିଲେ ଗଣିତ ଖାତାର ମଝି ଦୁଇ ପୃଷ୍ଠା ଚିରି!!! ତାଙ୍କୁ କିଛି ପଚାରିବାର ସୁଯୋଗ ନଦେଇ ଶ୍ରୀ କହିଲା, "ତୁମେ ଏଇ କବିତା ଲେଖିଛ ଦେଖି, ସମସ୍ତଙ୍କ ଅଲକ୍ଷ୍ୟରେ ତଳୁ ଉଠାଇ ଆଣିଥିଲି ଯେଉଁ ଦିନ ମାଟ୍ରିକ ପରୀକ୍ଷା ପରେ ଶେଷ ଥର ଗଣିତ ସାରଙ୍କ ପାଖକୁ ସମସ୍ତେ ଯାଇଥିଲେ। ପ୍ରଥମେ ଖୁସିରେ କୁରୁଳି ପଡିଥିଲି ଯେହେତୁ ମୁଁ ତୁମକୁ ଖୁବ ଭଲ ପାଉଥିଲି, କିନ୍ତୁ କେବେ ତୁମ ମନ କଥା ଜାଣିବାର ସୁଯୋଗ ହେଲାନି। କବିତାଟି କାହାଲାଗି ଲେଖିଥିଲ ଜାଣିନଥିଲେ ବି, ମନେ ମନେ ମୋ ପାଇଁ ବୋଲି ଭାବି, ସେବେଠୁ ସାଇତି ରଖିଛି। କେବେ ଏକାନ୍ତରେ ଦେଖା ହେଲେ ପଚାରି ବୁଝିନେବି କାହା ଲାଗି ଲେଖିଥିଲ, ଆଉ ସୌଭାଗ୍ୟକୁ ଯଦି ମୋ ପାଇଁ ଲେଖି ଥିବ ତେବେ ଚିର ଦିନ ପାଖରେ ରଖିବି। ତୁମକୁ ମନର ମଣିଷ ସଜେଇ 14 ବର୍ଷ ଅପେକ୍ଷା କଲି ଏଇ 4 ପୃଷ୍ଠା କାଗଜ କୁ ପାଥେୟ କରି। ଅନ୍ୟ କାହାକୁ ମନର ସେ ସ୍ଥାନ ଦେଇପାରିନି, ସେ ସ୍ଥାନ ଆଜିବି ତୁମେହିଁ ଆବୋରି ରଖିଛ। ତୁମେ ବିଦେଶ ଯିବାପରେ ତୁମକୁ ପାଇବାର ଆଶା କ୍ଷୀଣ ହୋଇଥିଲା। ସେ ସମୟରେ ଘରେ ବାହାଘର କରିଦେଲେ। ମନା କରିବା ପାଇଁ ମୋ ପାଖରେ କୌଣସି ବଳିଷ୍ଠ ବା ଯୁକ୍ତିସଙ୍ଗତ କାରଣ ନ ଥିଲା। ମନକଥା କହିଦେବି ବୋଲି ଆଜି ତୁମକୁ ଡାକି ଆଣିଲି, ଯେମିତି କିଛି ଅବସୋସ ରହିବନି। ଜୀବନକୁ ଅବା କି ଭରସା ? କେବେ ଅଛି କେବେ ନାହିଁ!''

ହାତ ଦେଇଦେଲେ ଶ୍ରୀ ମୁହଁରେ, ଏଯାଏଁ ସବୁ ଚୁପ୍ ଚାପ୍ ଶୁଣୁଥିବା ଜ୍ୟୋତି। କହିଲେ,"ଏଇ କବିତା, ତା ଠିକ୍ ଠିକଣାରେ ପହଞ୍ଚିଚି। ତୁମ ଅଧିକାର ସେଥିରେ। ସେତେବେଳେ ମନକଥା ଜଣାଇବାର ସହଜ ବିକଳ୍ପ କିଛି ନଥିଲା, ପୁଣି ତୁମଠୁ ନା ଶୁଣିବାର ସାହସ ବି ନଥିଲା। ସେଇ ଦୁବିଧାରେ ଚୁପ୍ ରହିଲି। ସାହସ ବାନ୍ଧି ଫେରିବା ବେଳକୁ ତୁମ ବାହାଘର ହେଇସାରିଥିଲା। ଗୋଟେ କଥା ପଚାରିବି, ସତ କହିବ ଶ୍ରୀ? ତୁମେ କ'ଣ ବୈବାହିକ ଜୀବନରେ ସତରେ ସୁଖୀ ହେଇଛ? ମନ ତ ମୋ ପାଖରେ! ଏଇ ଯେମିତି ମୁଗ୍ଧାକୁ ନିବିଷ୍ଟ ଦେଖିଲାବେଳେ ମୋତେ ତୁମ ମୁହଁ ଦିଶିଯାଏ, ତୁମେକି ମୋତେ ଖୋଜ ସେମିତି?'

ଲୁହ ଜଡସଡ ଆଖି ଓ କୁଣ୍ଠିତ କଣ୍ଠରେ ଶ୍ରୀ କହିଲା,"ଭଲ ଘର ଓ ଭଲ ବର ଖୋଜି ବାପା ମୋର ଝିଅ ଦାୟରୁ ମୁକ୍ତ ହେବାକୁ ବାହା କରେଇଦେଲେ। ନିଜ ଈପ୍ସିତ ମଣିଷକୁ ନପାଇପାରିବାର ଗ୍ଳାନିରେ ମୁଁ ବି ସାଲିସ୍ କରି ନେଲି। ବାହାରକୁ ଚକ୍ ଚକ୍ ଦିଶୁଥିବା ମୋ ରଙ୍ଗୀନ ଜୀବନରେ ଭରି ରହିଛି କେବଳ କୋହ, ଲୁହ ଓ ଅଜସ୍ର ଯନ୍ତ୍ରଣା। ମୋ ସ୍ୱାମୀ, ନାମକରା କଣ୍ଟ୍ରାକ୍ଟର ଓ ବିଲ୍ଡିଂ ମାଟେରିଆଲ ସପ୍ଲାୟର ରାକେଶ ଦିକ୍ଷୀତଙ୍କୁ ତୁମେ ଜାଣିଥିବ ବୋଧେ। ସମାଜରେ ଭଦ୍ରଲୋକରେ ଗଣା ହୁଅନ୍ତି। ହେଲେ ଘରେ, ବିନା ଅପଶବ୍ଦ ଓ ମାଡଗାଳିରେ  କଥା କୁହନ୍ତିନି ପ୍ରାୟ। ସ୍ତ୍ରୀ ଭାବରେ ମୁଁ ତାଙ୍କ ଲାଗି କେବଳ ଗୋଟେ ଶରୀର ଓ ତାଙ୍କ ଅବୈତନିକ ଭୃତ୍ୟ। ଏମିତି ପରିବେଶରୁ ଦୂରେଇ ରଖିବା ପାଇଁ ପୁଅକୁ ବୋର୍ଡିଂ ସ୍କୁଲରେ ଛାଡିଚି। ଏତେ ବଡ ଘରଟାରେ ପ୍ରାୟତଃ ଏକୁଟିଆ ରହେ। ରାକେଶ ଥିଲେ ଖୁବ୍ କମ୍ ଭଲ କଥା, ନଚେତ୍ ତିକ୍ତତା, ଝଗଡା ଓ ଶେଷରେ ମାଡ ମରା। ମୋ ଦେହର ଏମିତି କୌଣସି ସ୍ଥାନ ନାହିଁ ଯେଉଁଠି ତାଙ୍କ ଅତ୍ୟାଚାରର ଚିହ୍ନ ନ ଥିବ। ମୋ ଦୋଷ ହେଉଛି, ମୁଁ ତାଙ୍କ କ୍ଲାଏଣ୍ଟମାନଙ୍କୁ ମୋ ରୂପ,ଗୁଣ ଓ ଆଧୁନିକତାରେ ଇମ୍ପ୍ରେସ କରିପାରେନି। ମୁଁ ପାରେନି ଜ୍ୟୋତି .....'' ଏତିକି କହି ଜ୍ୟୋତିଙ୍କ ହାତକୁ ଚାପିଧରି କାନ୍ଦୁଥାଏ ଶ୍ରୀ।

ଜ୍ୟୋତିଙ୍କ ଆଖି ବି ଓଦା ହେଇଗଲା। ହଠାତ୍ ଆବେଗର ତଡିତ୍ ପ୍ରହାରରେ ବିସ୍ମୃତ ହୋଇଗଲା 16-17 ବର୍ଷ। ଦୁଃଖ ଜର୍ଜରିତ ଶ୍ରୀ କୁ ଛାତିରେ ଜଡେଇ ଧରିଲେ ଜ୍ୟୋତି। ସେ ବି ତାଙ୍କ ବେକତଳେ ମୁହଁଗୁଞ୍ଜି ଅଜସ୍ର ଅଶ୍ରୁରେ ବୁହାଉଥିଲା ତା ଜୀବନର ସଞ୍ଚିତ ଦୁଃଖ ଓ ଅବଶୋଷକୁ।  ନିବିଡ ଆଶ୍ଳେଷରେ ଦୁହେଁ ସାଉଁଟୁଥିଲେ ପ୍ରୀତିର ମୋତି ଯେତେ ଅତୀତର ମଖମଲି ବେଳାରେ ବିଞ୍ଛାଡି ହେଇଥିବା ସ୍ମୃତିର ଶାମୁକା ପେଟରୁ। ରାତି ସହିତ ସମ୍ପର୍କବି ନିବିଡ ହେଉଥିଲା। ସକାଳେ ଫେରିବାକୁ ପ୍ରସ୍ତୁତ ହେଲାବେଳେ ଶ୍ରୀ କୁ ଭରସା ଦେଇ ଜ୍ୟୋତି କହିଗଲେ," ଆମେ ସବୁଦିନ ଏକାଠି ରହିପାରିବାନି ସତ, କିନ୍ତୁ ତୁମେ ଏକଥା କେବେ ଭୁଲିବନି, ମୁଁ ଯୋଉଠି ଥିଲେବି ତୁମପାଇଁ କେବେ ଅପହଞ୍ଚ ନୁହେଁ। ସହନଶୀଳତା ଭଲଗୁଣ ମାତ୍ର ଅତି କେବେ ବି ଗ୍ରହଣୀୟ ନୁହେଁ। ଯେବେବି ଖୋଜିବ, ମୋତେ ପାଖରେ ପାଇବ''।

ତା ପରଠୁ ଜ୍ୟୋତିଙ୍କ ସହଚର୍ଯ୍ୟରେ ଜୀବନର ସବୁ କଷ୍ଟ ଭୁଲି ଶ୍ରୀ ପୁଣିଥରେ ବଞ୍ଚିବା ଆରମ୍ଭ କଲା। ପୁଣିଥରେ ହସିବା ଶିଖିଲା। ଏବେ ରାକେଶଙ୍କ ନିର୍ଯ୍ୟାତନା ତାକୁ ଆଉ ସେତେ ବାଧେନି। ଖାଲିଯାହା ଶରୀରକୁ କଷ୍ଟ ହୁଏ। ମନରେ ଜ୍ୟୋତିଙ୍କ ସ୍ନେହର ମରହମ ଲାଗିଗଲେ ଦେହପୀଡା ବି ପାଶୋରି ଦିଏ। ହଠାତ୍ ନୂଆ ଏକ ପ୍ରୋଜେକ୍ଟ ଲାଗି ଜ୍ୟୋତିଙ୍କର ମାସାଧିକ ଯୋଗାଯୋଗ ହେଇପାରିଲାନି ଶ୍ରୀ ସହିତ। ଅଚାନକ କିଛି ଦିନ ହେଲା ମନ ଭାରି ବ୍ୟସ୍ତ ଲାଗୁଥାଏ। ହଠାତ୍ ଦୁହିଁଙ୍କ କମନ୍ ଫ୍ରେଣ୍ଡ ମାଧୁରୀ ଫୋନ୍ କରି ଜଣାଇଲେ, ଶ୍ରୀ ସପ୍ତାହେ ହେଲା ଡାକ୍ତରଖାନାରେ। ରାକେଶଙ୍କ ସହ ପାଟିତୁଣ୍ଡ ବେଳେ ସେ କାଳେ ଭାରସାମ୍ୟ ହରେଇ ବାଲ୍କୋନିରୁ ତଳକୁ ପଡିଗଲା। ଏ କାରଣକୁ ସେ ବିଶ୍ୱାସ କଲେନି ସିନା ହେଲେ ମାଧୁରୀ ଯେତେବେଳେ କହିଲେ ଥରେ ଯାଇ ଶ୍ରୀକୁ ଦେଖାଦିଅନ୍ତୁ, ସେ ହୁଏତ ବଞ୍ଚିଯିବ, ନଚେତ୍ ତାଙ୍କୁ ଶେଷଥର ଦେଖିନେବା ପରେ ଆତ୍ମା ତା'ର ଶରୀର ଛାଡିଦେବ। ଉଭୟ ସ୍ଥିତିରେ ଶ୍ରୀ କଷ୍ଟରୁ ମୁକ୍ତି ପାଇବ।

ଏତକ ଶୁଣି ସେ ଛୁଟି ଆସିଲେ ଶ୍ରୀ ପାଖକୁ। ଅର୍ଦ୍ଧନିମିଳିତ ଶ୍ରୀ ର ପଲକ ଯୋଡି ତାଙ୍କୁ ଦେଖି ଝଲସି ଉଠିଲା। ଖୁସିର ଲୁହ ଦୁଇଟୋପା ଟଳମଳ ହେଉଥିଲା ଆଖି କୋଣରେ। ତା ହାତ ପାପୁଲିକୁ ମୁଠେଇଧରି ଶଯ୍ୟାଧାରରେ ବସିଗଲେ ଜ୍ୟୋତି। ମନର କୋହ ଓ ଆବେଗକୁ ଚାପିଦେଇ କହିଲେ,"ଚୁପ୍ଚାପ୍ ଏଠୁ ଚାଲ ମୋ ସାଙ୍ଗରେ, ସୁସ୍ଥ ହୁଅ ଶୀଘ୍ର, 16 ବର୍ଷର ରୋମାନ୍ସ ବାକିଅଛି କରିବାକୁ! '' ଅତି କ୍ଷୀଣ ସ୍ୱରରେ ଶ୍ରୀ କହିଲା,"ମୁଁ ସିନା ତୁମକୁ ନ ପାଇ କଷ୍ଟରେ ରହିଲି, ହେଲେ ତୁମେ ତୁମ ପରିବାର, ସ୍ତ୍ରୀ, ଛୁଆକୁ ନେଇ ସୁଖୀ ହେଇପାରିଛ ସେତିକି ଦେଖି ମୁଁ ଖୁବ୍ ଖୁସି। ତୁମ ଖୁସିକୁ କେବେ କାହା ନଜର ନ ଲାଗୁ। ମୁଗ୍ଧା ନୁହେଁ ବରଂ ମୁଁ ତୁମ ଜୀବନର ପ୍ରଥମ ପ୍ରେମ ତା'ଠୁ ବଡ ସୁଖ ମୋ ପାଇଁ କିଛି ନାହିଁ।'' ଆଉ କିଛି କହିପାରିଲାନି ସେ। ଚୁପ୍ ହେଇଗଲା। ହୃଦ୍ ଗତି ଦେଖାଉଥିବା ମେସିନ୍ ରେ ଲମ୍ବା ବିପ୍ ସହ ସରଳରେଖା ଦିଶୁଥିଲା ଓ ଜ୍ୟୋତିଙ୍କ ହାତମୁଠା ଭିତରେ ଶ୍ରୀ ର ପାପୁଲି ଧିରେ ଧିରେ ଶୀତଳ ଲାଗୁଥିଲା। ରାକେଶଙ୍କୁ ଖବର ଦେବାକୁ ଉଦ୍ୟମ ହେଉଥିଲା। ଶ୍ରୀର ଆଖି ପିତୁଳିରେ ଲାଖି ରହିଥିଲା ଜ୍ୟୋତିଙ୍କ ମୁହଁ ଆଉ ଓଠଧାରରେ ଲାଖିଥିଲା ପ୍ରଶାନ୍ତିର ଧାରେ ସ୍ମିତହସ .......

 


Rate this content
Log in

Similar oriya story from Romance