Pratibha Priyadarshini

Tragedy Romance Inspirational

5.0  

Pratibha Priyadarshini

Tragedy Romance Inspirational

ଅସହିଷ୍ଣୁ

ଅସହିଷ୍ଣୁ

7 mins
492



ପ୍ରେମରେ ଥିଲାଯାଏ ନିଜ ସାଥିଟି ପାଇଁ ଏକପ୍ରକାର ଏକଚାଟିଆ ପଣ, ମୋର ମୋର ଭାବ ଅଧିକାଂଶଙ୍କ ଭିତରେ ଥାଏ। ଦୁନିଆ ଯେତେ ଭାଷଣ ଦେଉ ଯେ, "ଯାହାକୁ ପ୍ରେମ କର, ତାକୁ ମୁକ୍ତ ଛାଡିଦିଅ। ତୁମର ହେଇଥିଲେ ଫେରି ଆସିବ। ଆଉ ନଫେରିଲେ ବୁଝିନେବ ସେ କେବେ ତୁମର ନଥିଲା।" ସତେକି ଏତେ ସହଜ ଏମିତି ଭାବିବା ଆଉ ଏ କଥାକୁ ନିଜ ପ୍ରେମ କାହାଣୀରେ ପ୍ରକୃତରେ ବଞ୍ଚିବା !!! 


ଏମିତିକା ଆଉ ଗୋଟେ ଆଦର୍ଶ କଥନ, "ପ୍ରେମିକ/ପ୍ରେମିକା ମୋର ହେଉ କି ନହେଉ, ଯାହା ସଙ୍ଗେ ରହୁ , ସେ ଖୁସିରେ ରହୁ, ସୁଖ ଭୋଗୁ।" ସତେ କି ଏମିତି ହୁଏ ? ପ୍ରତ୍ୟାଖ୍ୟାତ/ପ୍ରତାରିତ ହୋଇଥିବା କିମ୍ବା କରିଥିବା ମଣିଷଟି ନିଜ ଭୁତପୂର୍ବ ସାଥିଟିକୁ ଆଉ କା ସଙ୍ଗେ ସୁଖରେ ଦେଖିଲେ ମନତଳେ ଈର୍ଷା ଓ ପ୍ରତିଶୋଧର ଭାବନାଟେ ରୁଗୁରୁଗୁ ହୁଏ ସ୍ୱତଃ।କେହି କେହି ତାକୁ ବିଷ ଭଳି ପି ଯାଆନ୍ତି, ଆଉ କେହି ଫରକ ପଡୁନି ବୋଲି ଅଭିନୟ କରନ୍ତି। ହେଲେ ସେ ରୁଗୁରୁଗୁ ହେବାଟା ଥୟ।


ଏଇ ଯେମିତି ନୀଲମ୍, ଆଜି ଯେଉଁ କାଣ୍ଡଟି ଘଟେଇଛି, ୧୪ ବର୍ଷ ତଳେ ସେ କଥା ହୁଏତ କଳ୍ପନା କରି ନ ଥିବ। ପଢିବା ବେଳେ କଲେଜରେ ଏତେ ସୁନ୍ଦରୀ ଝିଅ ଥିବା ବେଳେ ନିଲେଶଙ୍କ ଭଳି ମୋଷ୍ଟ ୱଣ୍ଟେଡ୍ ଯୁବକ ତାକୁ ପ୍ରେମ କରିନଥାନ୍ତେ। ନୀଲମ୍ ଦେଖିବାକୁ ଅସୁନ୍ଦରୀ ନୁହେଁ, କିନ୍ତୁ ତାକୁ ସୁନ୍ଦରୀରେ ଗଣିବା ଭଳି କିଛି କାରଣ ବି ନଥିଲା କେବଳ ତା ଖୋଲା ମିଜାଜ଼ ଓ ଆଧୁନିକ ପରିପାଟୀ ବ୍ୟତୀତ। ନିଲେଶଙ୍କୁ ନେଇ କେତେ ଝିଅ ସ୍ବପ୍ନ ଦେଖନ୍ତି। କଲେଜରେ ସବୁଠୁ ଭଲ ଛାତ୍ର, ମଧ୍ୟବିତ୍ତ ପରିବାରର ଏକମାତ୍ର ପୁତ୍ର। କାମଦେବଙ୍କୁ କ୍ଷଣିକ ଈର୍ଷା ଦେବା ଭଳି ରୂପ। ସାଙ୍ଗ ସାଥୀଙ୍କ ଚ୍ୟାଲେଞ୍ଜରୁ ଆରମ୍ଭ ହୋଇଥିଲା ନୀଲମ୍ ସହିତ ସମ୍ବନ୍ଧ। କଥା ଥିଲା, ତାକୁ ବିଶ୍ୱାସ ଦିଆଇବେ ଯେ ସେ ତାକୁ ପ୍ରେମ କରନ୍ତି ଓ ପରେ ସତ କହି ଘଟଣାର ଯବନିକା ପକାଯିବ। ହେଲେ ନିଲେଶଙ୍କ ବିବେକ ବାଧା ଦେଲା ପ୍ରେମ ଭଳି ଏତେ ସୁନ୍ଦର ଭାବକୁ ନେଇ ଖେଳିବା ପାଇଁ। ନୀଲମ୍ ସହ ମଜା ମସ୍ତିରେ ଯୋଡିଥିବା ସମ୍ପର୍କକୁ ସେ ଅନ୍ତର ଦେଇ ଗ୍ରହଣ କଲେ। ନୀଲମ୍ ପାଇଁ ଏହା କୌଣସି ଗଡ଼ ଜିତିବା ଭଳି ଥିଲା। କୁମାରୀ ବୟସରେ ଏମିତି ପ୍ରେମ ଆଉ ପ୍ରେମିକଟେ ପାଇବା ପରୀ କଥା ସତ ହେବା ପରି ନିଶ୍ଚୟ।


ନିଲେଶ ଖୁବ ସ୍ନେହରେ ନାଲି ଚୁଡ଼ି ମୁଠାଏ କିଣି ଦେଇଥିଲେ ପ୍ରଥମ ଭାଲେଣ୍ଟାଇନ ଡେରେ। ଏଇ ଦିନଟା ଅବିବାହିତଙ୍କ ପାଇଁ ସାବିତ୍ରୀ ବ୍ରତ ଯେମିତି। ସେଇ ଚୁଡ଼ିରୁ ଦୁଇ ପଟ ସବୁବେଳେ ଥାଏ ନୀଲମ୍ ହାତରେ। ତୃତୀୟ ବର୍ଷ ଭାଲେଣ୍ଟାଇନ ଡେ, ଖୁବ ଖୁସିରେ ପାଳନ କଲେ ଦୁହେଁ। ପ୍ରେମରେ ମାତି, ଏ ଭିତରେ ନିଲେଶଙ୍କ ପାଠପଢ଼ାରେ ଅବନତି ଆସିଥାଏ ସାମାନ୍ୟ। ଭାଲେଣ୍ଟାଇନ ଦିନ ହିଁ ନୀଲମ୍ କହିଲା,"ଆଉ ଆମେ ବେଶୀ ମିଶିବାନି। ଏସବୁ ଯୋଗୁ ମୋ ପାଠପଢ଼ା ନଷ୍ଟ ହେଉଛି (ସେ ସେମିତି ବି ଆଭରେଜ ଷ୍ଟାଣ୍ଡର୍ଡ ର)। ତୁମେ ସିନା ଭଲ ଷ୍ଟୁଡେଣ୍ଟ ଯେ ସମ୍ଭାଳି ନେବ ଆଗାମୀ ସେମିଷ୍ଟର ରେ। ମୋର ତ ବ୍ୟାକ ରହିଗଲା। ବାପା ଏମିତିରେ ବାହାଘର ଖୋଜିବା ଆରମ୍ଭ କରିଦେବେ। ମୁଁ ଫସିଯିବି ତୁଚ୍ଛାରେ।" ନିଲେଶ ବି ମାନି ନେଲେ ଏ ସର୍ତ୍ତ। ୩-୪ ମାସ ଧରି ଖୁବ କ୍ଵଚିତ ଏକାଠି ସମୟ ବିତାନ୍ତି। ସେ ବି ମାତ୍ର କେଇ ମିନିଟ। ନୀଲମ୍ ସବୁବେଳେ ତରତରରେ ଆସେ ଆଉ ଚାଲିଯାଏ। ପ୍ରେମମନସ୍କ ଆଦୌ ଲାଗେନି ସେ। ତଥାପି ପାଠପଢ଼ା ଚାପକୁ କାରଣ ଭାବି ନିଜକୁ ବୁଝାଇନିଅନ୍ତି ନିଲେଶ।


ପରୀକ୍ଷା ସରିବାର ଦୁଇ ଦିନ ପରେ ବି ଏତେଥର ଡାକି ଡାକି ଦେଖା ହେବାକୁ ଆସୁ ନଥାଏ ନୀଲମ୍। ଏବେ ସାଙ୍ଗମାନେ କୁହନ୍ତି, କାଳି ତୋ ମୁହଁରେ କଳାବୋଲିଦେଲା ଭାଇ। ନିଲେଶ ସେ ସବୁକୁ କାନ ଦିଅନ୍ତିନି। ହଠାତ ସପ୍ତାହେ ପରେ ଦିପହରେ ଫୋନ କରି ଦେଖା କରିବା ପାଇଁ ଡାକିଲା ନୀଲମ୍। ଏଇ କଲକୁ କେତେଦିନୁ ଅପେକ୍ଷା କରିଥିଲେ ନିଲେଶ। ପ୍ରସ୍ତୁତ ହୋଇ ଗଲାବେଳେ ହଷ୍ଟେଲ ମାଳିକୁ କହି ତୋଳିନେଲେ ଗୋଲାପି ଗୋଲାପ କଢ଼ି ଟେ। ପହଞ୍ଚିବା ପରେ ପାର୍କର କଣମୁଣ୍ଡରେ ଥିବା ସେଇ ପରିଚିତ ସିମେଣ୍ଟ ବେଞ୍ଚରେ ବସିଗଲେ।ଏଇ ଜାଗାଟା ସାକ୍ଷୀ ତିନିବର୍ଷ ହେଲା। ପହଞ୍ଚିଲା ନୀଲମ୍, ତା ହାତରେ ବେଶ ବଡ଼ ପ୍ୟାକେଟ ଟେ। ଏତେଦିନ ତରସେଇ ଥିବାରୁ ମାନେଇବା ପାଇଁ ଏ ଉପହାର ନେଇ ଆସିଛି ଭାବି ମନେ ମନେ ଟିକେ କୁରୁଳି ଉଠିଲେ ନିଲେଶ।


ପାଖରେ ଠିଆ ହେଲା ନୀଲମ୍। ପ୍ରେମ ତ ଦୂର, ତା ମୁହଁଟା କେମିତି ଅତିଶୟ ରୁକ୍ଷ ଆଉ ନିର୍ଦ୍ଦୟ ଦିଶୁଥିଲା। ନିଲେଶଙ୍କ ହାତକୁ ଧରି ଜୋର କରି ଲଦିଦେଲା ସାଙ୍ଗରେ ଆଣିଥିବା ପ୍ୟାକେଟଟା। ବାସ ଏତିକି କହିଲା,"କ୍ଷମା କରିବ ନିଲେଶ, ମୁଁ ଆଗରୁ କହିପାରିଥାନ୍ତି ମାତ୍ର ପରୀକ୍ଷା ପୂର୍ବରୁ ତୁମକୁ ଭାରାକ୍ରାନ୍ତ କରିବାକୁ ଚାହୁନଥିଲି। ତୁମେ ପ୍ରେମରେ ପଡିବା ପରେ ତୁମ ପାଠପଢା ନିମ୍ନଗାମୀ। ଏମିତିରେ ଭବିଷ୍ୟତରେ ତୁମେ କଣ ଉପାର୍ଜନ କରିବ ସେ ନେଇ ସହଜେ ଅନୁମାନ କରିହୁଏ। ତେବେ ମୁଁ ଏ ସମ୍ପର୍କରୁ ତୁମକୁ ମୁକ୍ତ କରୁଛି। ତାହା ଦୁହିଁଙ୍କ ପାଇଁ ଭଲ। ଏମିତି ବି ଗତ ସରସ୍ୱତୀ ପୂଜା ଦିନହିଁ ମୁଁ ନିଜକୁ ଆଉଜଣଙ୍କୁ ସମର୍ପି ସାରିଛି। ସେ ସବୁ ଖୁବ ଅକସ୍ମାତ ଘଟିଯାଇଥିଲା। ତେବେ ସେ, ସମସ୍ତ ଘଟଣାର ଉତ୍ତରଦାୟ ନେଇ ମୋତେ ବିବାହ କରିବାକୁ ଘରେ ପ୍ରସ୍ତାବ ଦେଇଥିଲେ। ବିବାହ ବି ସ୍ଥିର ହୋଇ ସାରିଛି। ଏଇ ପ୍ୟାକେଟରେ ତୁମର ସବୁତକ ସନ୍ତକ ଅଛି। ମୁଁ ଆସୁଛି।" କଥା ସାରି ସେ ମୁହଁ ଫେରାଇ ଚାଲିଗଲା। ନିଲେଶ ଦେଖୁଥିଲେ, ତା ହାତରେ ସେ ନାଲି ଚୁଡ଼ି ପଟେ ପଟେ ନଥିଲା। ଥିଲା ଗୋଟେ ଦାମୀ ପଥରବସା ବ୍ରେସଲେଟ। ରଙ୍ଗରୁ ଲାଗୁଥିଲା ପଥରଟା ବୋଧେ ନୀଲମ୍। 


ପ୍ୟାକେଟ ଧରି ଫେରିଲେ ହଷ୍ଟେଲ। ଅନିଚ୍ଛା ସତ୍ତ୍ୱେ ଖୋଲିଲେ। ଭିତରେ ଥିଲା ବଳକା ନାଲି ଚୁଡ଼ି 3ପଟ, ଏକାଠି ଯାଇଥିବା ସିନେମା ଟିକେଟ ସବୁ, ଭାଲେଣ୍ଟାଇନ ଡେରେ ଦେଇଥିବା ଉପହାର ଆଉ କିଛି ଚିଠି ସହିତ ଦେବୀଙ୍କ ପାଖରେ ପୂଜା କରି ଆଣିଥିବା କଙ୍କଣ ଦୁଇଟି। ନିଜ ଭିତରେ ଭାଙ୍ଗି ଯାଉଥିଲା ଅନେକ କିଛି। ଭିତରୁ କେହି ବିଦ୍ରୋହ କରି କହୁଥିଲା ,"ନୀଲମ୍କୁ ହୀରା ଭାବେ କି ମାଣିକ, ସେ ଯାହା ବି ହେଲେ ପଥର ଖଣ୍ଡେ।"


ଏଇ ଭିତରେ ବିତିଯାଇଛି ଅନେକ ଭାଲେଣ୍ଟାଇନ ଡେ। ବିତି ସରିଛି ପ୍ରାୟ ଦେଢ଼ ଦଶନ୍ଧି। ଧନ ଓ ସମ୍ପତ୍ତି ସାଙ୍ଗକୁ ପ୍ରତିପତ୍ତି ଓ ପତିଆରାରେ ପ୍ରାଚୁର୍ଯ୍ୟ ପୂର୍ଣ୍ଣ ଜୀବନ ଆଉ ଦୁଇ ଦୁଇଟି ପୁତ୍ର ସନ୍ତାନକୁ ନେଇ ଗର୍ବିତ ଗୃହିଣୀ ଆଉ ଧନାଢ୍ୟ ସୋସିଆଲାଇଟ ହୋଇ ସାରିଛି ନୀଲମ୍। ନିଲେଶ ବି ଶେଷ ବର୍ଷ କଠିନ ପରିଶ୍ରମ କରି ପାସ କଲେ, ବିଦେଶରେ ଫେଲୋସିପ ପାଇ ପଢିଲେ ଆଉ ଏବେ ଖୁବ ବଡ଼ କମ୍ପାନୀରେ ବଡ଼ ପଦବୀ ସାଙ୍ଗକୁ ପ୍ରଚୁର ଅର୍ଥ ରୋଜଗାର କରିଛନ୍ତି। ହଁ, ଝିଅମାନଙ୍କ ଉପରୁ ଭରସା ହରେଇ ବାହା ହୋଇ ନାହାନ୍ତି କେବଳ। ସୋସିଆଲ ମିଡିଆ ଆଉ ପୁରୁଣା ସାଙ୍ଗଙ୍କ ଗ୍ରୁପ ଯୋଗୁ ପୁଣିଥରେ ସାମ୍ନା ସାମ୍ନି ହେଲେ ନିଲେଶ ଓ ନୀଲମ୍। ଉଭୟ ଖୁବ ସହଜ ଜଣା ପଡନ୍ତି। କିନ୍ତୁ ସେଇ ରୁଗୁରୁଗୁଟା ଦୁହିଁଙ୍କ ଭିତରେ ଥାଏ। ନିଲେଶ ତାକୁ ନ ପାଇ ଅନ୍ୟକୁ ବାହା ହୋଇନାହାନ୍ତି ବୋଲି ମନେମନେ ଗର୍ବ ଅନୁଭବ କରିବା ବେଳକୁ ତାଙ୍କ ବେପରୁଆ ସ୍ୱଚ୍ଛନ୍ଦ ଜୀବନ ଦେଖି ଈର୍ଷାର ଟିକି ଝୁଲଟେ ଦିକ୍ ଦିକ୍ ହେଉଥାଏ ନୀଲମ୍ ଛାତି ତଳେ। ତାଙ୍କୁ ଅପାରଗ କହି ଆଡେଇ ଦେଇଥିବା ନୀଲମକୁ ନିଜ ପାରିବାପଣ ଦେଖେଇବାକୁ ଖୁବ ଇଚ୍ଛା ହୁଏ ନିଲେଶଙ୍କର। 


ଗ୍ରୁପ ବାହାରେ ବ୍ୟକ୍ତିଗତ କଥା ବାର୍ତ୍ତା ଆଳରେ ଜାଣିଶୁଣି ନୀଲମ୍ ଖେଂଚିଦିଏ ଅତୀତରେ ତା ସହିତ ଭୋଗିଥିବା ପ୍ରେମିକ ଜୀବନର କିଛି କିଛି ଅଲରା ସ୍ମୃତି। ସେ ଜାଣେ ନିଲେଶଙ୍କୁ ଦଂଶେ ସେ ସବୁ, କିନ୍ତୁ ତାକୁ ଅଜବ ଗୋଟେ ସୁପିରିଅରିଟି କମ୍ପ୍ଲେକ୍ସର ଆନନ୍ଦ ମିଳେ। ନିଲେଶ ବି ଖୁବ କଟାକ୍ଷ କରନ୍ତି। ପରୋକ୍ଷରେ ଶୁଣାନ୍ତି ପ୍ରତାରିକା ପ୍ରେମିକାକୁ ଅନେକ କିଛି। ଏସବୁ କଥା ସେଇ ଅସହିଷ୍ଣୁତାର ନିଆଁ ଝୁଲଟାକୁ ଫୁଙ୍କି ଦେଉଥିଲା ଯେମିତି। ପୁରୁଣା ସାଙ୍ଗଙ୍କ ଗ୍ରୁପରେ ନିଲେଶଙ୍କ କଟାକ୍ଷ ଆଉ ବନ୍ଧୁମାନଙ୍କ ବ୍ୟଙ୍ଗରେ ତା ଭିତର ଅସହିଷ୍ଣୁତା ପ୍ରତିଶୋଧ ପରାୟଣତାରେ ପରିବର୍ତ୍ତିତ ହୋଇସାରିଥିଲା। ସେଥିପାଇଁ ଏ କାଣ୍ଡ କରିଛି।


ସ୍ୱାମୀଙ୍କୁ ବିଶ୍ୱାସ କରାଇ ନେଇଥାଏ ନୀଲମ୍। ନିଲେଶଙ୍କ ସହିତ କିଛି ଦିନ ଖୁବ ସ୍ନେହରେ କଥା ହେଉଥାଏ ଘଣ୍ଟା ଘଣ୍ଟା ଧରି। ପୁରୁଣା ପ୍ରେମିକା ପାଖରେ ମନ ତଳର ସାଇତା ପ୍ରେମ ତକ ପୁଣି ଉକୁଟି ଉଠୁଥାଏ ନିଲେଶଙ୍କ ଭିତରେ। ପୁରୁଷ ଟିଏ ଯେତେ ବପୁଶାଳୀ, ବଳଶାଳୀ ହେଉପଛେ, ନାରୀ ପାଖରେ ଆତ୍ମସମର୍ପଣ କରିପାରେ ଦୁର୍ବଳ ମୁହୂର୍ତ୍ତରେ। ଆଉ ନାରୀଟି ଯଦି ପୁରୁଣା ପ୍ରେୟସୀ, ଏ ସମ୍ଭାବନା ଆଉଟିକେ ବଢିଯାଏ। ଠିକ ସେଇଆ ହେଲା। କଥାରେ କଥାରେ ଅନ୍ତରଙ୍ଗତା ଦେହଭୋଗ ଯାଏ ପ୍ରସାରିଗଲା। ନୀଲମ୍ ସତର୍କତାର ସହିତ ମାପିଚୁପି ଶବ୍ଦ ପ୍ରୟୋଗ କରୁଥାଏ, ଆଉ ନିଲେଶ ପୁଣିଥରେ ମାୟାର ମୋହରେ ଖୋଲି ଦେଉଥାନ୍ତି ଦେହ ମନର ସମସ୍ତ ଅତୃପ୍ତ ଅବଦମିତ ଇଚ୍ଛା ମାନଙ୍କୁ। ବାସ୍, ସେଇ କଥାବାର୍ତ୍ତା, ଯାହା ରାତ୍ରିର ନିରୋଳା ଅନ୍ଧାର ଭିତରେ ଶବ୍ଦରେ ଶବ୍ଦରେ ବିବସ୍ତ୍ର ହୋଇଥିଲା, ସେ ସବୁତକଙ୍କୁ ଫୁଙ୍ଗୁଳା କରି ଠିଆ କରେଇଥିଲା ନୀଲମ୍, ସମାଜ ଆଗରେ ନିଲେଶଙ୍କୁ ଅପଦସ୍ତ କରିବାକୁ। ଜିତାପଟର ଅଦ୍ଭୁତ ଗୋଟେ ପୁଲକରେ ନିଜ ବୁଦ୍ଧିକୁ ସାବାସୀ ଦେଉଥିଲା ସେ। ସେ ପୋଷ୍ଟଟି ଏମିତି କାଇଦାରେ ପ୍ରସ୍ତୁତ କରିଥାଏ ଯେ, ପଢିବା ଲୋକକୁ ଲାଗିବ, କାମୁକ ପ୍ରେମିକଜଣଙ୍କ ନିଜ ଏକାନ୍ତ ଜୀବନକୁ ଭୋଗିବା ପାଇଁ ଏବେବି ପୂର୍ବତନ ପ୍ରେମିକା ପାଖରେ ନିଜକୁ ବାଢ଼ିଦେଇ ତା ଅନୁଗ୍ରହ ଲୋଡୁଛି। ଏକା ସମୟରେ ଦୟା, ଘୃଣା, ତିରସ୍କାର ଓ ଅପରାଧବୋଧ ଅନୁଭବ କରିବେ ନିଲେଶ। ନିଜର ସମସ୍ତ ପୁରୁଣା ବନ୍ଧୁ, ଓ ନିଲେଶଙ୍କୁ ଜାଣିଥିବା ଲୋକଙ୍କ ସହିତ ନିଲେଶଙ୍କୁ ବି ଟ୍ୟାଗ କରିଥାଏ। ଚତୁରତାର ସହିତ ସ୍କ୍ରିନସଟଗୁଡ଼ାକରେ ନିଲେଶଙ୍କ ନାଁ ଓ ଛବିକୁ ଏତିକି ଲୁଚେଇଥାଏ ଯେମିତି ତାଙ୍କୁ ଚିହ୍ନିଥିବା ଲୋକେ ଠିକ ଚିହ୍ନିବେ। ତାହା ହିଁ ହେଲା। ଖୁବ ବଡ଼ ଇସୁ ହେଲା। ଭଦ୍ର ମହିଳା ନିଜ ବିଶାଳ ହୃଦୟରୁ କ୍ଷମା ଦେବାର ଅଭିନୟ ବି କଲେ। ସାଙ୍ଗମାନଙ୍କ ଭିତରେ ନିଲେଶଙ୍କୁ ନେଇ କେହି ପରିହାସ କଲେ ତ ଆଉ କେହି ଅଭିଯୋଗ ଓ ନିନ୍ଦା।


ଦିନ ବଢିବା ସହିତ କଥାଟା ଜୋର ଧରୁଥାଏ। ସାଙ୍ଗମାନେ କଲ, ମେସେଜ କରି ସମବେଦନା ଜଣାଉଥାନ୍ତି, ନୀଲମର ପ୍ରତାରଣାରେ ଦ୍ଵିତୀୟ ଥର ଶିକାର ହେଉଥିବା ଯୋଗୁ। ସେତିକିବେଳେ ହଠାତ ପୁଅମାନଙ୍କ ଗ୍ରୁପରେ ମେସେଜ ପରେ ମେସେଜ ଆସିବାକୁ ଲାଗିଲା। ସମସ୍ତେ ଖୁବ ଉତ୍ସାହ ସହିତ ନିଲେଶଙ୍କୁ ଶୁଭେଚ୍ଛା ଜଣାଇଥିଲେ ନୀଲମର ଚାଲବାଜି ଧରା ପଡିଗଲା ବୋଲି। ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା "Blue Angel Saved You"...


ଆଶ୍ଚର୍ଯ୍ୟ ହେଉଥିଲେ ନିଲେଶ, ନିଳାଞ୍ଜନା ଏ ସବୁ ଭିତରେ କୋଉଠୁ ଆସିଲା !!! ପିଲାଦିନରୁ ନିଳାଞ୍ଜନା ତାଙ୍କ ପାଇଁ angel ଭଳି ଠିଆ ହୁଏ। ସମସ୍ତେ କୁହନ୍ତି ସେ କାଳେ ନିଲେଶଙ୍କୁ ଖୁବ ଭଲପାଉଥିଲା (ଏବେ ବି ପାଏ ବୋଧେ)। କିନ୍ତୁ ନିଲେଶ କେବେ ତା ଆଡେ ଦୃଷ୍ଟି ଦେଇ ନାହାନ୍ତି। ସେ ଝିଅଟା ବି ଚୁପଚାପ ରହେ। ବେଶୀ ମିଶନ୍ତିନି କେହି ତା ସହିତ। ଏତେବର୍ଷ ପରେ ଏଇ ସୋସିଆଲ ମିଡିଆରେ ତା ସହିତ ଭେଟ। Orkut ହେଉ କି Facebook, ସେ ହିଁ ନିଲେଶଙ୍କୁ ଖୋଜି ଖୋଜି ବନ୍ଧୁତ୍ୱ ଅନୁରୋଧ କରେ। ତାଙ୍କର ପ୍ରତିଟି ପୋଷ୍ଟରେ ସୁନ୍ଦର ମନ୍ତବ୍ୟ ଲେଖେ। ବେଳେ ବେଳେ ନିଲେଶଙ୍କୁ ତା'ର ଏଭଳି କରିବା ଅଯଥା ବୋଝ ଭଳିଆ ଲାଗେ। ତେଣୁ ଫ୍ରେଣ୍ଡ ରଖି ନାହାନ୍ତି। ତଥାପି ସେ ନିୟମିତ ତାଙ୍କ ପ୍ରୋଫାଇଲ ଦେଖେ। ଆଜିବି ଦେଖିଲା। ସେ ଆପତ୍ତିଜନକ ପୋଷ୍ଟଟା ବି ଦେଖିଥିବ। ନିଲେଶ ନା ସେଥିରୁ ନିଜକୁ untag କରିପାରୁଛନ୍ତି ନା ସେ ଅପମାନ ଦଂଶ ସହି ହେଉଛି। ସେଇଥିରେ ସେ ଯେଉଁ ମନ୍ତବ୍ୟ ଦେଇଛି ତାକୁ ପଢିବା ପରେ କଥିତ ପୁରୁଷଟିକୁ ନିନ୍ଦା କରିଥିବା ଅନେକ ନିଜ ମନ୍ତବ୍ୟ ଡିଲିଟ କରିଦେଲେଣି। ସାଙ୍ଗମାନେ କହିଲେ ଶୀଘ୍ର ଯାଇ ଦେଖେ, ନହେଲେ ନୀଲମ୍ ନିଜେ ଡିଲିଟ କରିଦେବ ସେ ପୋଷ୍ଟ।


ନିଲେଶ ଦେଖିଲେ, ନିଳାଞ୍ଜନା କେତେ ସହଜରେ ଧରାପକେଇ ଦେଇଛି ନୀଲମର ଚାଲ। ଶବ୍ଦ ଚୟନ, ଦୁଇଟି ବାକ୍ୟ ବିନିମୟ ଭିତରେ ସମୟ ବ୍ୟବଧାନ ଓ ସାମାନ୍ୟ ମାନବିକ ମନସ୍ତତ୍ୱ୍ୱ ଆଧାରରେ ଖୁବ ସହଜରେ ଉଖାରି ଦେଇଛି ନୀଲମ୍ର ମନ୍ଦ ଉଦ୍ଦେଶ୍ୟ। ତା ମନ୍ତବ୍ୟ ପଢି ଲାଗୁଥିଲା ସେ ନିଲେଶଙ୍କୁ ତାଙ୍କ ନିଜଠୁ ବେଶୀ ଭଲ ବୁଝେ। ତାଙ୍କ ଶବ୍ଦ ପଛର ଭାବକୁ ସଠିକ ଚିହ୍ନିପାରେ। ଏଇ ଝିଅକୁ ଆଉ ତା ଅଯାଚିତ ଆତ୍ମୀୟତାକୁ କେତେ ହତାଦର କରିଛନ୍ତି ସେ। ହେଲେ ସେ ନିର୍ବିକାର। ତାଙ୍କ ପ୍ରତି ସମର୍ପିତ ପ୍ରେମିକା ସତ୍ତାଟେ।


ନିତି ଶୁଭ ସକାଳ, ଶୁଭରାତ୍ରି ସହିତ ଦିଅଁ ଦେବତାଙ୍କ ଫୋଟୋ ପଠାଏ ବୋଲି ଢ଼େର ଦିନୁ ବ୍ଲକ କରିଥିବା ନିଳାଞ୍ଜନାର ନମ୍ବରକୁ ଜାଗ୍ରତ କରି ମେସେଜ କଲେ ନିଲେଶ। ଲେଖିଥିଲେ, "ଧନ୍ୟବାଦ ମୋ Blue Angel। ସତରେ ଦେବୀଟେ ହୋଇ ଆଜି ମୋ ସମ୍ମାନ ବଞ୍ଚେଇଦେଲ। ତୁମ ପ୍ରତି କରଥିବା ଅବିଚାର ଲାଗି କ୍ଷମା କରିଦିଅ, Love you" ସେପଟୁ ନିଳାଞ୍ଜନାର ଉତ୍ତର ଆସିଲା,"ନିଲେଶ, ମୋତେ ଯାହା ଠିକ ଲାଗିଲା ମୁଁ କଲି। ତୁମ ଜାଗାରେ ଅନ୍ୟ କେହି ଥିଲେ ବି କରିଥାନ୍ତି। କୃତଜ୍ଞତାକୁ ସମ୍ମାନ ବା ସ୍ନେହର ପୁଟ ଦିଅନି। ମୁଁ ତୁମ ଉପେକ୍ଷା ସହିବାରେ ଅଭ୍ୟସ୍ତ ହେଇଗଲିଣି। ବ୍ଲକ କରିଦିଅ ପୁଣିଥରେ। ଯେବେ ମନରୁ ସ୍ନେହ ଉକୁଟିବ ମୋ ଲାଗି ସେବେ କଥା ହେବା। ଏତେବର୍ଷ ଅପେକ୍ଷା କଲି, ଆଉ ଯେତେ ସମୟ ଲାଗିବ ଲାଗୁ, ଅପେକ୍ଷା କରିବାକୁ ମୁଁ ପ୍ରସ୍ତୁତ।"

ଉତ୍ତର ପଠେଇ ନିଳାଞ୍ଜନାର ଆଉ ଉତ୍ତର ପାଇବା ପରେ ନିଲେଶଙ୍କ ମନତଳ ରୁଗୁରୁଗୁ ହେଉଥିଲା। ଈର୍ଷା ବା ପ୍ରତିଶୋଧ ନୁହେଁ, ବେଳେବେଳେ ଦୀର୍ଘ ପ୍ରତୀକ୍ଷାର ସୁଖଦ ଅନ୍ତବି ଗୋଟେ ମିଠା ରୁଗୁରୁଗୁ ଜନ୍ମାଏ।



Rate this content
Log in

Similar oriya story from Tragedy