Pratibha Priyadarshini

Inspirational

5.0  

Pratibha Priyadarshini

Inspirational

ଶାଶ୍ବତ ପ୍ରୀତି

ଶାଶ୍ବତ ପ୍ରୀତି

7 mins
15K


ପୁରୁଣା ମେଲ୍ ଗୁଡାକ ଖୁବ୍ ମନଧ୍ୟାନ ଦେଇ ଖୋଜୁଥାନ୍ତି ଶାଶ୍ବତ, ଗତ ୧୦ ମାସ ଭିତରେ ମୋଟ ୧୮ ଟି ମେଲ ଲେଖିଥିଲା ପ୍ରୀତି, ସବୁଯାକ ମେଲ୍ କୁ ଷ୍ଟାର୍ ମାର୍କ କରି ରଖିଲେ, କ୍ରମାନ୍ବୟରେ ପଢିବା ସୁବିଧାଜନକ ହେବବୋଲି। ଏଇ ଦୁଇଦିନ ତଳେ ଦେଖିଥିବା ଅଜବ ସ୍ବପ୍ନ ଯୋଗୁଁ ବର୍ଷେହେଲା ଇଗ୍ନୋର କରୁଥିବା ମେଲ୍ ଗୁଡାକୁ ପଢିବା ପାଇଁ ଏ ବ୍ୟସ୍ତତା। ସ୍ବପ୍ନରେ ଦେଖିଥିଲେ, ଭଣ୍ଡାରୁଣୀଟିଏ ପାଦରୁ ପୁରୁଣା ନଖ ଓ ଚମଡା ସଫାକରି ଆଙ୍କିଦେଉଥାଏ ଧାରଧାର ନାଲି ଅଳତା, ନାଲି କୁମ୍ଭଧଡି ବସା ହଳଦିଆ ଶାଢୀ, ନାଲି ନାଲି ଦୁଇମୁଠା ପାଣିଚୁଡି ସାଙ୍ଗେ ମାଟିଶଙ୍ଖା, କପାଳରେ ସୁନ୍ଦର ଓ ନିଖୁଣ ଭାବରେ ଅଙ୍କିତ ସିନ୍ଦୂରଟୋପା ଆଉ ମଥା ମଝି ଯାଏଁ ଲମ୍ବିତ ସୀମନ୍ତ ସିନ୍ଦୂରଧାର ରେ ସଜ୍ଜିତ ପ୍ରୀତି। ସମ୍ପୂର୍ଣ୍ଣ ହଳଦିଆ ପଡିଯାଇଥିବା ପ୍ରୀତିର ଦେହ, ଲାଲ୍ ରଙ୍ଗ ରେ ସଜେଇ ହୋଇ ଦାଉ ଦାଉ ଦିଶୁଥିଲା। ସେ କିନ୍ତୁ ହାତ ବଢେଇ ଡାକୁଥିଲା,"ଶାଶ୍ବତ, ମୋ ହାତଧରି ରୋକିନିଅ, ଏମାନେ ମୋତେ ନେଇଯିବେ। ଥରେ ଗଲେ ଆଉ ଫେରି ପାରିବିନି। ମୋତେ ଅଟକେଇ ନିଅ ଧନ, ମୁଁ ଯିବାକୁ ଚାହେଁନି।" ସୁନେଲି ଧଡିବାଲା ନାଲି, କଳା ଶାଢୀ ପିନ୍ଧିଥିବା ମହିଳା କେତେଜଣ ସୁବର୍ଣ୍ଣ-ଲୋହିତ ପ୍ରୀତିକୁ କୋଳେଇ ଧରି ଦୃଷ୍ଟି ଅନ୍ତରାଳକୁ ଯିବାଯାଏଁ ପ୍ରୀତିର ସେ ଆକୁଳ ନିବେଦନ କ୍ଷୀଣରୁ କ୍ଷୀଣତର ହୋଇ ଶୁଭୁଥାଏ। ଡିସେମ୍ବର ମାସର ପୌଷ ରାତି, ବାହାରେ ବେଶ୍ ଶୀତ। ହେଲେ ସ୍ବପ୍ନ ଦେଖି ଚମକି ଉଠିବସିଲେ ଶାଶ୍ବତ। ବିଦେଶ ମାଟିରେ ବିଳାସମୟ ଶୟନକକ୍ଷର ନିୟନ୍ତ୍ରିତ ତାପମାତ୍ରାରେ ବି ଦେହସାରା ତାଙ୍କର ବିନ୍ଦୁ ବିନ୍ଦୁ ଝାଳରେ ଭିଜୁଥିଲା। ପ୍ରୀତିକୁ ନିଜ ଜୀବନରୁ ଦୂରେଇବାର ୟା ଭିତରେ ୧୦ ମାସ ବିତିଗଲାଣି। ଏଇ ଭିତରେ କେତେ ରଙ୍ଗୀନ ପ୍ରଜାପତି ତାଙ୍କ ଜୀବନକୁ ଆମୋଦିତ କରିଛନ୍ତି। ସେ ଏମିଲିକୁ ଏ ଭିତରେ ବିବାହ ପ୍ରତିଶୃତି ମଧ୍ୟ ଦେଇସାରିଛନ୍ତି। ତେବେ ପୁଣି ପ୍ରୀତି.....କାହିଁକି???

ମନଟା ଖୁବ୍ ବିଚଳିତ ଲାଗୁଥିଲା। ସେଥିପାଇଁ ତା ମେଲ୍ ଗୁଡିକୁ କାଢି ପଢିବାକୁ ମନସ୍ଥ କରିଛନ୍ତି ଶାଶ୍ବତ। ଲଙ୍ଗ ଡିସ୍ଟାନ୍ସ ରିଲେସନ୍ସିପ୍ ରେ ଆଜିକା ସମୟରେ ସ୍ମାର୍ଟଫୋନ୍, ଗୁଗଲ, ଫେସବୁକ, ମେସେଞ୍ଜର, ହ୍ବାଟ୍ସଆପ୍ ଭଳି ଅନେକ ମାଧ୍ୟମ ଦୂରତାକୁ କ୍ଷୁଦ୍ର କରିଦିଅନ୍ତି। ଚାଟିଙ୍ଗରେ ଯେତେବେଳେ ଇଚ୍ଛା ମନକଥା କହିହୁଏ ଅନ୍ୟ ମଣିଷ ପାଖରେ। ଭିଡିଓ କଲିଙ୍ଗ୍ ମାଇଲ୍ ମାଇଲର ଦୂରତାକୁ ହାତ ପାହାନ୍ତାରେ ଦେଖେଇଦିଏ। ଏଇସବୁକୁ ପାଥେୟକରି ଶାଶ୍ବତ ଓ ପ୍ରୀତିଙ୍କ ଲଙ୍ଗ୍ ଡିସ୍ଟାନ୍ସ ରିଲେସନ୍ସିପ୍ ଖୁବ୍ ଭଲରେ ବିତୁଥିଲା ଗତ ୩ ବର୍ଷ ଧରି। ଭାରତ ଓ ୟୁରୋପର ଭୌଗଳିକ ଦୂରତା ଓ ଭିନ୍ନ ଅକ୍ଷାଂଶର ସମୟ ବ୍ୟବଧାନ ହାର୍ ମାନିଥିଲା ତାଙ୍କ ପ୍ରେମ ପାଖରେ। କିନ୍ତୁ ଗତ ଦଶମାସ ଧରି ସମ୍ପର୍କରେ ଭଟ୍ଟା ପଡିଛି, ଯେବେ ଏମିିଲିର ଆଗମନ ପରେ ପ୍ରୀତିର ପ୍ରେମ କ୍ରମଶଃ ଶାଶ୍ବତଙ୍କୁ କଏଦ ଭଳି, ତା ଆବେଗ ଅତିଅଧିକାର ଭଳି, ସ୍ନେହରେ ଆକଟ ସ୍ବାଧୀନତାରେ ହସ୍ତକ୍ଷେପ ଏବଂ ପ୍ରେମନିବେଦନ ଉଚ୍ଛୃଙ୍ଖଳତା ମନେ ହେଉଥିଲା। ଛୋଟ ଛୋଟ ମନୋମାଳିନ୍ୟ ଧିରେଧିରେ ଯୁକ୍ତିତର୍କ ଓ ବିତଣ୍ଡାରେ ପରିଣତ ହେଲା।

ଶାଶ୍ବତ ପଢିବା ଆରମ୍ଭ କଲେ। ପ୍ରଥମ ମେଲ୍ ଟି ଆସିଥିଲା ଜାନୁଅାରୀ ଶେଷ ସପ୍ତାହରେ। ସବୁବେଳ ପରି ପ୍ରୀତି ଲେଖିଥିଲା ଲମ୍ବା ଚିଠିଟେ। କେତେ ଅଭିଯୋଗ, କେତେ ଅଭିମାନ ଆଉ ଶେଷକୁ ଅଜାଡି ଦେଇଥାଏ ଅଜସ୍ର ପ୍ରେମ। ସେ ଏମିତି ହିଁ। ବୟସ ସିନା ୨୯ ହେଲାଣି, ହେଲେ ତା ବ୍ୟବହାର ସେଇ ୧୩-୧୪ ବର୍ଷରେ ଅଟକି ଯାଇଛି ଯେମିତି। ମେସେଜ ହେଉ କି ମେଲ୍, ଯେତେ ବୁଝେଇଲେ ବି ଅଳ୍ପରେ କହିବା ଆସିଲାନି ତାକୁ। ସବୁଠି ରଚନା ଲେଖିବା ଅଭ୍ୟାସ ତା'ର। ପରବର୍ତ୍ତି ମେଲ୍ ଖୋଲିଲେ ଶାଶ୍ବତ। ସେଥିରେ ଥିଲା ତାଙ୍କ ଉଦାସୀନତା ଓ ଚୁପ୍ ରହିବାକୁ ନେଇ ଅନେକ ଅଭିମାନ ଓ ୧୭ ବର୍ଷ ସମ୍ପର୍କର ଦ୍ବାହିଦେଇ କଥାବାର୍ତ୍ତା ହେବାକୁ ଅନୁରୋଧ। ତା ପରମେଲ୍ ଥିଲା ସେ ଦିନର, ଯେଉଁଦିନ ଶାଶ୍ବତ ତାକୁ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ, ଏମିତିକି ତା ଫୋନ ନମ୍ବରକୁ ବି ବ୍ଲକ କରିଦେଇଥିଲେ। ସେଦିନ ଥିଲା ପ୍ରୀତିର ଜନ୍ମଦିନ। ଖୁବ୍ ବଚସା ହୋଇଥିଲା ଦୁହିଁଙ୍କର, ଅନେକ ତିରସ୍କାର ଓ ଅପମାନ ଜନକ କଥା କହିଥିଲେ ଶାଶ୍ବତ। ଏମିତିକି ପ୍ରେମିକା କୁ ଗଣିକା ସହ ତୁଳନା କରିଥିଲେ। ପ୍ରୀତି ଖୁବ୍ ଶୀଘ୍ର ଶ୍ମଶାନକୁ ଯିବ ଆଉ ତହିଁରେ ତାଙ୍କୁ କୌଣସି ଫରକ ପଡିବନି ବୋଲି ସଫା ସଫା ଶୁଣେଇ ଯୋଗାଯୋଗର ସବୁ ରାସ୍ତା ମୁଦିଦେଲେ। ସେଇ ମେଲ୍ ପଢି ଲାଗୁଥିଲା, ପ୍ରୀତି ଯେମିତି ଲେଖାରେ ଲେଖାରେ ଲୋଟିଯାଉଛି ଭୂଇଁରେ। ଲୁହ, କୋହ ଓ ବିରହରେ ବତୁରିଥିଲା ଶବ୍ଦସବୁ। ନିଷ୍ଠୁର ପ୍ରେମିକ ପାଖରେ ପ୍ରେୟସୀର ନିଃସର୍ତ୍ତ ଆତ୍ମସମର୍ପଣର ଦସ୍ତାବିଜ ଥିଲା ସେ ମେଲ୍। ତା ପର ମେଲ୍ ଗୁଡାକରେ ପ୍ରଗଳ୍ଭ ପ୍ରୀତି ଥିଲା, ତା ଜୀବନର ଛୋଟ, ବଡ ଘଟଣା,ଦୁର୍ଣଟଣା ଓ ଅଘଟଣ ଗୁଡିକୁ ମନଖୋଲି ପରଷି ଥିଲା ଶବ୍ଦ ମାଧ୍ୟମରେ, ତଥାପି ସ୍ପଷ୍ଟ ବାରିହେଉଥିଲା ପ୍ରଗଳ୍ଭତା ର ନେପଥ୍ୟରେ ଥିବା ନିଃସଙ୍ଗତା ଓ ଖାଲିପଣ। ସେଇ ଶୂନ୍ୟତା କ୍ରମଶଃ ଅଧିକ ଗଭୀର ଜଣାପଡୁଥିଲା ପର ପର ଚିଠି ମାନଙ୍କରେ। କେବଳ ଇମେଲ୍ ହିଁ ମାଧ୍ୟମ ଥିଲା ତା ପାଇଁ ଶାଶ୍ବତଙ୍କ ସହ ଯୋଡିହୋଇ ରହିବାକୁ।

ଆଶ୍ଚର୍ଯ୍ୟର କଥା, ଶାଶ୍ବତ ଥରେ ମଧ୍ୟ ଉତ୍ତର ଦେଇ ନାହାନ୍ତି ତା ମେଲ୍ ଗୁଡାକର, ଅଧିକନ୍ତୁ ପଢିହିଁ ନାହାନ୍ତି ସେସବୁ, ତଥାପି ସେ ଲେଖିଛି, ସତେକି ମନର ମଣିଷଟି ପାଖରେ ନିଜ ଜୀବନର ସକଳ ଇତିବୃତ୍ତି ବଖାଣି ଦେବାର ପରମ ତୃପ୍ତି ପାଇବାକୁ। ଏତେ ତିରସ୍କାର, ଅପମାନ ଓ ଉପେକ୍ଷା ସତ୍ତ୍ବେ ଥରେହେଲେ କଠୋର ଶବ୍ଦଟିଏ ଲେଖିନାହିଁ ଶାଶ୍ବତ ପାଇଁ। ଅଭିସମ୍ପାତ ଢାଳିଦେଇନି ତା ପ୍ରେମକୁ ପାଦରେ ଠେଲିଦେଇଥିବା ସ୍ବାର୍ଥପର ମଣିଷ ଉପରେ। ଏବେବି ଏତେ ସ୍ନେହ, ସମ୍ମାନ ଓ ଆପଣାପଣରେ ପ୍ଳାବିତ ତା'ର ପ୍ରତିଟି ଚିଠି। ଏବେବି ଦିଅଁ ଦେବତାଙ୍କ ପାଖରେ ଶାଶ୍ବତ ଲାଗି କେତେ ଓଷା ବାର କରେ ଆଉ ତାଙ୍କୁ ଚିଠିରେ ଆଗୁଆ ଜଣାଇ ଦିଏ," ଅମୁକ ଦିନ ସମୁକ ଉପବାସ/ବ୍ରତ କରିବି ତୁମଲାଗି, ଏଇ ନିର୍ଦ୍ଧିଷ୍ଟ ଦିଅଁଙ୍କ ଉଦ୍ଦେଶ୍ୟରେ ମୁଣ୍ଡିଆଟେ ମାରିଦେବ।" ସେ କ'ଣ ସତରେ ଏତେ ମହିୟସୀ, ନା ଶାଶ୍ବତକୁ ଦେଖେଇ ହେବାକୁ ଏସବୁ ଅଭିନୟ ମାତ୍ର ! ତେବେ ଚିଠି ଗୁଡିକୁ ପଢିବା ବେଳେ ଅନୁଭବ ହେଉଥିଲା, ଏଇ ଯେମିତି ପ୍ରୀତି ସାମ୍ନାରେ ବସି କହୁଛି ଆଉ ତା କଥାସବୁ ଲେସି ହେଇଯାଉଛି ଶାଶ୍ବତ ଦେହସାରା। ୧୮ତମ ମେଲ୍, ଏଥିରେ ପ୍ରୀତି କେମିତି ଅଲଗା ଶୁଭୁଥିଲା, ଅସମ୍ଭବ ହତାସ ଆଉ ଭଗ୍ନ। ଭବିଷ୍ୟବକ୍ତା ଭଳି ଦାର୍ଶନିକ ଢଙ୍ଗରେ ପଚାରିଥିଲା,"ସତରେ କ'ଣ କୌଣସି ଏକାନ୍ତ ମୁହୂର୍ତ୍ତରେ ତୁମକୁ ମୋ ଅନୁପସ୍ଥିତି ଅନୁଭବ ହୁଏନି? ତୁମକୁ କି କେବେ ଇଚ୍ଛା ହୁଏନି ମୋ ସହ ଆଗଭଳି ନିଜ ସୁଖଦୁଃଖ ବାଣ୍ଟିବାକୁ? ହଁ, ମୁଁ ବା କିଏ ତୁମର? କିଏ ମୁଁ? କେହିତ ନୁହଁ! ଆଚ୍ଛା କହିଲ ଧନ, ଯଦି କେଉଁଦିନ ହଠାତ ଶୁଣିବ ମୁଁ ମରିଗଲି ବୋଲି, ତୁମ ଛାତି ଭିତରୁ ଆଶ୍ବସ୍ଥିର ଦୀର୍ଘଶ୍ବାସ ଟିଏ ବାହାରିଯିବନି କି? ତୁମେବି କେମିତି ଜାଣିବଯେ ମୁଁ ମରିଗଲି ବୋଲି? ସବୁ ବାଟତ ବନ୍ଦ ଆମ ଭିତରେ। ମଲାମଣିଷ ଆଉ କ'ଣ ମେଲ୍ ଲେଖିବ? ଜାଣେନି ଆଜି କାହିଁକି ଏମିତି ଲାଗୁଛି, ଯେମିତି ମୋ ପାଖରେ ଆଉ ସମୟ ନାହିଁ ବେଶୀ। ଶେଷଥର ପାଇଁ ତୁମ ଗେହ୍ଲାମୁହଁକୁ ଆଖିରେ ଭରିନେବାକୁ ଇଚ୍ଛା ହେଉଛି। ଜାଣେନି ପୂର୍ଣ୍ଣ ହେବକି ନା। ତେବେ ତୁମେ ଭଲରେ ଥାଅ, ସୁଖୀ ହୁଅ, ସୁସ୍ଥ ନିରାମୟ ଓ ଦୀର୍ଘଜୀବନର ଆଶୀର୍ବାଦ ପ୍ରାପ୍ତ ହୁଅ, ଏତିକି ପ୍ରାର୍ଥନା।" ଏଇ ମେଲ୍ ପରେ ବିରକ୍ତିରେ ସେ ପ୍ରୀତିକୁ spam ଚିହ୍ନିତ କରିଦେଇଥିଲେ। ବ୍ୟସ୍ତହୋଇ ଖୋଜିଲେ, କିନ୍ତୁ spam ରେ ନଥିଲା କୌଣସି ମେଲ୍।

ସେଦିନର ସ୍ବପ୍ନ ଆଉ ଏଇ ଶେଷ ମେଲ୍ ପଢିବା ପରେ ମନଟା ଖୁବ ଭାରି ଲାଗୁଥାଏ। ଶୀତଦିନରେ ବି ଗ୍ରୀଷ୍ମର ଅନୁଭବ ହେଉଥାଏ କନମୂଳରେ। ନିଜକୁ କାମରେ ବ୍ୟସ୍ତ ରଖିବାକୁ ଯେତେ ଚେଷ୍ଟା କଲେବି ପ୍ରୀତି ବାରମ୍ବାର ଧସେଇ ପସୁଥାଏ ଚିନ୍ତା ଚେନ୍ତନା ଭିତରକୁ। ଏମିଲି ସହିତ ସମୟ ବିତେଇବାକୁ ମଧ୍ୟ ସ୍ପୃହା ଆସୁନି। ସତରେ କ'ଣ ପ୍ରୀତି କିଛି ଅସୁବିଧାରେ ଅଛି? ତା ସହିତ କିଛି ଅଶୁଭ ଅଘଟଣ ଘଟିନାହିଁତ? ଏମିତି ପ୍ରଶ୍ନ ଗୁଡାକ ତାଙ୍କୁ ବ୍ୟତିବ୍ୟସ୍ତ କରୁଥାଏ। କିନ୍ତୁ ego ବାଧା ଦେଉଥାଏ ସିଧାସଳଖ ତା ସାଙ୍ଗେ କଥା ହେଇଯିବାକୁ। ପ୍ରୀତି ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହେ। ତେଣୁ unblock କରି ସେଠି ତା ବିଷୟରେ ଜାଣିହେବ। ଦେଖିଲେ ଶାଶ୍ବତ ତା ଫେସବୁକ ପ୍ରୋଫାଇଲ। ଶାଶ୍ବତ ଉଠାଇଥିବା ତା'ର ସେଇ ଦୁଇବର୍ଷ ପୁରୁଣା ଫୋଟୋଟା ଏବେବି ପ୍ରୋଫାଇଲ ଫୋଟୋ ରଖିଛି। ପୋଷ୍ଟ ସବୁ ଗଡାଇ ଦେଖିଲେ, କେତେସବୁ ଆଦର୍ଶ ବାକ୍ୟ, ରୁମି-ଓସୋ-ବୁଦ୍ଧଙ୍କ ଠାରୁ ଆଦିଶଙ୍କର, ଉପନିଷଦ ବାଣୀ ଇତ୍ୟାଦିରେ ଭର୍ତ୍ତି ହେଇଛି। ମଝିରେ ମଝିରେ ବିରହ ରସର କିଛି ଗୀତ, କବିତା ଓ ଉଦ୍ଧୃତି। ଅନେକ motivational video। ଜୀବନରେ ଭରପୁର ଝିଅଟା ହଠାତ ଏତେ ନିଷ୍ପ୍ରଭ ହୋଇଗଲା କେବଳ ପ୍ରେମିକର ରୁକ୍ଷ ଭାବାନ୍ତର ଯୋଗୁଁ!?! ମନ ଆହୁରି ବେଶୀ ଅଶାନ୍ତ ହେଉଛି। ହଠାତ ମନେପଡିଲେ ଛନ୍ଦା ଅପା ଆଉ ପ୍ରିୟବ୍ରତ ଭାଇନା। ଦୁଇଜଣ କମନ୍ ଫ୍ରେଣ୍ଡ। ଛନ୍ଦା ଅପା ପ୍ରୀତିସହ ବେଶୀ ଘନିଷ୍ଠ ଆଉ ଶାଶ୍ବତଙ୍କୁ ଜାଣନ୍ତି କଲେଜ ସମୟରୁ। ପ୍ରିୟ ଭାଇନା ଶାଶ୍ବତଙ୍କ ସିନିୟର। ତାଙ୍କରି ମାଧ୍ୟମରେ ହିଁ ପ୍ରୀତି ସହ ପରିଚୟ ହୋଇଥିଲା, ଯେବେ ପ୍ରିୟ ଭାଇନା ପ୍ରୀତି କାମ କରୁଥିବା ଅଫିସକୁ ବଦଳି ହୋଇ ଆସିଲେ। ସେବେଠୁ ପ୍ରୀତିକୁ ସାନଭଉଣୀ ଭଳି ଶ୍ରଦ୍ଧା କରନ୍ତି ପ୍ରିୟ। ଦୁହିଁଙ୍କୁ ଫୋନ କରିବାକୁ ଚିନ୍ତାକଲେ ଶାଶ୍ବତ।

ପ୍ରଥମେ ଫୋନ କଲେ ଛନ୍ଦାଅପାଙ୍କୁ। ଅପା ଏ ଭିତରେ ଅନ୍ୟଏକ ସହରକୁ ଚାଲିଯାଇଛନ୍ତି। ପ୍ରୀତିର ଅନ୍ୟମନସ୍କତା ଓ ସବୁଥିରୁ କଟିକି ରହିବା ଯୋଗୁଁ ତାଙ୍କରବି ତା ସହିତ ବିଶେଷ ସମ୍ପର୍କ ନାହିଁ। ପୁଣି ନୁଆ ସହରରେ ଗୃହସ୍ଥି ସଜାଡିବାରେ ସେ ଖୁବ ବ୍ୟସ୍ତ ରହିଥିଲେ। ତେଣୁ ପ୍ରାୟ ୪-୬ ମାସ ହେବ କେବେ କେମିତି ହାଏ ହ୍ୟାଲୋ ଠୁ ବେଶୀ କଥା ହିଁ ହୋଇନାହାନ୍ତି। ତାଙ୍କ ସହିତ ଆଉ କିଛି ଭଲମନ୍ଦ ପଚାରି ଫୋନ ରଖିଲେ ଶାଶ୍ବତ।

ଏବେ ପ୍ରିୟ ଭାଇନା ଶେଷ ବିକଳ୍ପ, ନହେଲେ ego ଛାଡି ପ୍ରୀତିକୁ contact କରିବେ ସିଧାସଳଖ। ଫୋନକଲେ ଶାଶ୍ବତ। ଫୋନ ରିସିଭ କରୁକରୁ ଭାଇନା ଏକା ନିଶ୍ବାସରେ କହୁଥିଲେ,"ଆରେ ଶାଶ୍ବତ, କି କୋଇନ୍ସିଡେନ୍ସ, ତୁ କୋଉଠୁ ଖବର ପାଇଲୁ ନା ଏମିତି କରିଛୁ ଫୋନ?" ଶାଶ୍ବତ କିଛି କହିବା ଆଗରୁ ପ୍ରିୟ ପୁଣି କହିଲେ,"ଜାଣିଛୁ, କାଲି ସନ୍ଧ୍ୟାରେ ଅଫିସରୁ ଫେରିବାବେଳେ ପ୍ରୀତି ହଠାତ ସଜ୍ଞା ହରେଇ ଟଳିପଡିଲା ରାସ୍ତାରେ। ଢେରଦିନୁ ଭୀଷଣ ଡିପ୍ରେସନ୍ ରେ ଥିଲା ଭଳି ଲାଗୁଥିଲା, କଥା କହି ମୁଣ୍ଡ ଖାଉଥିବା ଝିଅଟା ଅସମ୍ଭବ ଚୁପ୍ ରହୁଥିଲା। ହଁ, ସେ ଟଳିପଡିବା ବେଳକୁ ତୀବ୍ରଗତିରେ ଆସୁଥିବା କାରଟେ ଚଢିଗଲା ତା ଉପରେ। ତା innocent ମୁହଁଟା ଅକ୍ଷତ ଅଛି ସିନା ହେଲେ ହାର୍ଟ ଓ ଲଙ୍ଗସ୍ ନଷ୍ଟ ହୋଇଯାଇଥିଲା। ବ୍ୟବଚ୍ଛେଦ ପରେ ଶବ ଧରି ଏଇତ ଫେରୁଛୁ। ମୁଁ ଅଛି ତାଙ୍କ ଘରପାଖରେ। ତା ମୁହଁକୁ ଦେଖିଲେ ଲାଗୁଛି ଏଇନେ ଯେମିତି ସ୍ନେହଁରେ ଡାକିଦେବ,"ପ୍ରିୟ ଭାଇନା, ଆସନ୍ତୁ ଭଉଣୀ ହାତରୁ ଚା ପିଇକି ଯିବେ....!!!" ଅଯାଚିତ ଅମାୟିକ ସ୍ନେହ କରିବାରେ କେହି ସରି ହେବନି ଆମ ପ୍ରୀତିକୁ। ଈଶ୍ବର ବି ସ୍ନେହ କାଙ୍ଗାଳ, ସେଇଥିପାଇଁ ବୋଧେ ଏତେଶୀଘ୍ର ନେଇଗଲେ ତାକୁ। ଶାଶ୍ବତ, ଆମ ପ୍ରୀତି ଚିରଦିନ ଲାଗି ଶୋଇପଡିଲାରେ......ସି ଇଜ୍ ନୋ ମୋର୍....." ଏଇ ଶେଷ ଧାଡିଟା ଯେମିତି କାନପର୍ଦ୍ଦା ଚିରିଦେଉଥିଲା। ୧୦ ମାସ ତଳେ ଅତ୍ୟଧିକ ଆପଣାପଣ ଓ ପ୍ରେମରେ ଶ୍ବାସରୁଦ୍ଧ କରୁଚି ବୋଲି ଅଭିଯୋଗ କରି ନିଜ ସ୍ବତନ୍ତ୍ରତା ଲାଗି ଯାହାକୁ ଦୂରେଇବା ପାଇଁ ସର୍ବସମ୍ଭବ ପ୍ରୟାସ କରିଥିଲେ, ଆଜି ତାକୁଇ ଥରେ ଦେଖିବାକୁ ବିକଳ ପ୍ରାଣ ଚିତ୍କାର କରୁଥିଲା। ମନକଥା ଶୁଣି ପାରିଲା ଭଳି ପ୍ରିୟ ଭାଇନା ପଠେଇଲେ ପ୍ରୀତିର ଅନ୍ତିମ ଫୋଟୋ। ଅନାବିଳ ସ୍ନେହ ଛଳଛଳ ପ୍ରୀତିର ନିରିହ ମୁହଁଟା ହଳଦିଆ ଓ ନାଲି ରଙ୍ଗ ମାଖିହେଲା ଭଳି ଦିଶୁଥାଏ, ଠିକ ସେ ରାତିର ଶେଷ ପ୍ରହର ସ୍ବପ୍ନରେ ଯେମିତି ଦିଶୁଥିଲା।

ଖାଲି ଯାହା ସୀମନ୍ତଟା ଶୂନ୍ୟ ରହିଥିଲା, ଶାଶ୍ବତଙ୍କ ହାତରୁ ଚିମୁଟେ ସିନ୍ଦୁର ଅପେକ୍ଷାରେ। ଛାତିରୁ ଅଣ୍ଟାଯାଏଁ ଦେହଟା ଚାପିହେଇ ସମାନ ହେଇଯାଇଥିଲା, ହେଲେ ମୁହଁଟା ଏତେ ସତେଜ, ସତେକି ସଦ୍ୟସ୍ନାତ ଅଳସକନ୍ୟା। ଏଇନେ ଖୋଲିଦେବ ଢଳଢଳ ପଦ୍ମପାଖୁଡା ସମ କଥାକୁହା ଦୁଇଆଖି, ଆଉ ପ୍ରଗଳ୍ଭ ହୋଇ ଗପି ବସିବ ତାଙ୍କ ସଙ୍ଗେ 'ଧନ' ବୋଲି ଡାକିଦେଇ। ଗୋଟାଏ ଅଦୃ୍ଶ୍ୟ ଚାବୁକ ପ୍ରହାର କରୁଥିଲା ଶାଶ୍ବତଙ୍କ ମନକୁ। ବାରମ୍ବାର କହୁଥାଏ ବେଳ ଥାଉଥାଉ ଅଟକେଇ ନେଇଥାନ୍ତ ସିନା, ହାତଧରି ରୋକି ନେଇଥାନ୍ତ ପ୍ରୀତିକୁ, ଅଫେରା ବାଟରୁ କେହି କ'ଣ ଫେରିଆସେ? ଯେଉଁ ଅଯାଚିତ ଓ ସମର୍ପିତ ପ୍ରେମକୁ ଗଳଗ୍ରହ କହି ହତାଦର ଓ ତିରସ୍କାର କରିଲ, ଏବେ ଶତ ଇଚ୍ଛା ସତ୍ତେ ତାକୁ ଆଉ ପାଇବନି। ଅନେକ କିଛି ଭାଙ୍ଗିରୁଜି ଯାଉଥିଲା ଶାଶ୍ବତଙ୍କ ଭିତରେ। ସେ କେବଳ ଚିତ୍କାର କରୁଥିଲେ, "ପ୍ରୀତି, ଫେରିଆସ......ଆଇ ଆମ ସରି।" ତାଙ୍କ ଆଖିରୁ ଗଳିତ ଦୁଇଟୋପା ଲୁହ ପ୍ରୀତି ଫୋଟୋ ଉପରେ ପଡିଥିଲା ଠିକ ତା ଆଖି ତଳେ। ସେ ଯେମିତି କହୁଥିଲା,"ତୁମ ଅଶ୍ରୁ ମୋତେ ତୁମଠୁ ବେଶୀ କଷ୍ଟ ଦିଏ......ଚୁପ୍ ହେଇଯାଅ ଧନ......ମୋ ଆତ୍ମା ଏବେବି ତୁମର....."


Rate this content
Log in

Similar oriya story from Inspirational