Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Pratibha Priyadarshini

Tragedy

5.0  

Pratibha Priyadarshini

Tragedy

ସ୍ପର୍ଶ

ସ୍ପର୍ଶ

5 mins
279



ହଠାତ କାହିଁକି ଲାଗୁଥିଲା, ରାସ୍ତା କଡରେ ଥିବା ଗଛ ଗୁଡାକ ଦଶ ବର୍ଷ ଭିତରେ ଖୁବ ବଢି ଗୋଟିଏ ଲେଖାଏଁ ମହାଦ୍ରୁମ ପାଲଟି ଯାଇଛନ୍ତି ଯେମିତି। ଷ୍ଟ୍ରୀଟ ଲାଇଟର ହଳଦିଆ ଆଲୁଅରେ ସେମାନେ ସାବଧାନ ପୋଜିସନରେ ଠିଆ ହେଉଥିବା ଧାଡିଏ ସୈନ୍ୟ ଭଳି ଅନୁଭବ ହେବାଟା ବି ଖୁବ ସାହସ ଭରୁଥିଲା ଭିତରୁ ଭୟ, ଘୃଣା ଓ ଅନିଶ୍ଚିତ ଆବେଗର ଅଜଗର ଚାପରେ କ୍ଷଣ କ୍ଷଣ କ୍ଷତାକ୍ତ ହେଉଥିବା ମନୀଷାକୁ। ନିତି ଅଫିସରୁ ଏଇ ବାଟ ଦେଇ ଫେରେ। ଜୟଦେବ ବିହାର ଛକରୁ ଅନେକ ଥର ଅଟୋ ମିଳେନି। ସେ ପ୍ରାୟତଃ ଚାଲି ଚାଲି ଆସେ ଓଭରବ୍ରିଜ ଶେଷ ଯାଏ। ସେଇଠୁ ଧରେ କଟକ ଆସିବା ପାଇଁ ବସ୍। କେବେବି ଲକ୍ଷ କରିନି ରାସ୍ତା କଡରେ ଠିଆ ହେଇଥିବା ଏ ସବୁଜ ସୈନ୍ୟବାହିନୀର ଜାଗ୍ରତ କମାଣ୍ଡୋ ମାନଙ୍କୁ। କେବେ ଅଭୟର ଅନୁଭବ ଟେ ଅନୁଭବିନି ଚେତନ ମନରେ। ଆଜି ତାଙ୍କରି ସାହାରା ପାଇ ଖୁବ ଦମ୍ଭିଲା ପାଦ ଝପ୍ ଝପ୍ କରି ବଢ଼େଇ ଚାଲିଛି ନିଛାଟିଆ ସଞ୍ଜବେଳେ। ଅବଶ୍ୟ ଦୈନିକ ଫେରିବା ସମୟ ଓ ଆଜିର ଫେରିବା ସମୟ ଭିତରେ ତିନିଘଣ୍ଟାର ବିଳମ୍ବ।


ଆଜି ଅଫିସରେ ନୂଆ ସଚିବଙ୍କ ପରିଦର୍ଶନ କାର୍ଯ୍ୟକ୍ରମ ଥିଲା। ଠିକ ଫେରିବା ପାଇଁ ପ୍ରସ୍ତୁତ ହେଲା ବେଳକୁ ହେଡ ଅଫିସରୁ ଫୋନ ଆସିଲା, ନୂଆ ସଚିବ ଦାଇତ୍ୱ ନେଇଛନ୍ତି ଓ ପ୍ରଥମ ପରିଦର୍ଶନ ରେ ଆସିବେ 4 ଟା ବେଳକୁ। ତେଣୁ ସବୁ ପ୍ରସ୍ତୁତ କରି ରଖ। ଆଜି ଯୋଗକୁ ଅଫିସ ର ଦୁଇ ଆଦିବାସୀ ଆଟେଣ୍ଡାଣ୍ଟ ତାଙ୍କ ପର୍ବ ଲାଗି ଛୁଟି ନେଇଛନ୍ତି। ଏକୁଟିଆ ସବୁ ପ୍ରସ୍ତୁତି ଶେଷ କରି 4ଟା ବେଳକୁ କେବଳ ସଚିବ ମହାଶୟଙ୍କ ଅପେକ୍ଷାରେ ରହିଲା। ଆସିବେ ଆସିବେ ବୋଲି ସେ ପହଞ୍ଚିଲେ ୬.୩୦ ବେଳକୁ। ଘରେ ଜଣେଇ ଦେଇଥିଲା ଡେରି ହେବ ବୋଲି। ସଚିବ ଫେରିବା ବେଳକୁ ଘଣ୍ଟାରେ ସମୟ ୭.୪୦। କାର୍ତ୍ତିକ ମାସ। ପାଞ୍ଚଟା ବେଳୁ ସଞ୍ଜ ନଇଁ ଆସେ। ଏତେବେଳକୁ ବାହାରେ ରାତିର ନିବିଡ଼ ଅନ୍ଧକାର। ତରବରରେ ପାଞ୍ଚ ମିନିଟରେ ରାସ୍ତା ପାଖରେ ପହଞ୍ଚିଲା ମନୀଷା। ଗୋଟିଏ ହେଲେ ଅଟୋ ଅଟକୁ ନଥାଏ। ବ୍ୟସ୍ତ ଲାଗିଲାଣି। ଶାଶୁ ଓ ଝିଅ ଦୁଇଥର ଆଉ ଆକାଶ ତିନିଥର ଫୋନ କରିଛନ୍ତି ଏ ଭିତରେ। ସଚିବଙ୍କ ଉପସ୍ଥିତି ଯୋଗୁ କଥା ହେଇ ପାରିନି। ଭାବିଲା ବସ୍ ରେ ବସି ଫୋନ କରିଦେବ ତାଙ୍କୁ।


ଅନେକ ସମୟ ପରେ ଅଟକିଲା ଅଟୋଟେ। ପଛରେ ଯାତ୍ରୀ ବସିବା ଜାଗାରେ ସ୍ତ୍ରୀଲୋକ ଜଣେ ବସିଛି ଆଉ ତା ଆଖପାଖରେ ସବୁତକ ଜାଗା ମାଡି ଭର୍ତ୍ତିହୋଇଛି ଗୁଡ଼ାଏ ଘରକରଣା ଜିନିଷ। ମନେ ହେଉଛି ସେମାନେ ପଲା ମାରି ରୁହନ୍ତି ବୋଧେ ଯାଯାବର ଭଳି। ଅଟୋବାଲା ପଚାରିଲା, "କେଉଁଠିକି ଯିବେ ?" ହେଲେ ଭିତରେ ତ ବସିବାକୁ ଜାଗା ନାହିଁ। ଲୋକଟା ଟିକେ ସଙ୍କୁଚିତ ହୋଇ କହିଲା, "ଦିଦି, ଆଗରେ ବସିପଡିଲେ ପଳାନ୍ତେ।" ଲୋକଟାର ବୟସ ୫୫ ପାର, ଏମିତି ବି ଅଟୋ ମିଳୁନି, ଆଉ ବେଳୁବେଳ ରାତି ବଢୁଛି। ଟିକେ ଭାବି ପ୍ରଥମ ଥର ଆଗରେ ଅଟୋଚାଳକ ପାଖରେ ବସିଲା ମନୀଷା। ବସୁ ବସୁ ପର୍ସରୁ ପଇସା ବାହାର କରିବାକୁ ଲାଗିଲା। ସେତକ ଦେଖି ଲୋକଟା କହିଲା, "ଦିଦି, ଧରିକି ବସ। ଟଙ୍କା ପରେ କାଢ଼ିବ।" ଏତକ କହୁ କହୁ ସେ ଏକ ପ୍ରକାର ତା ବାଆଁ ହାତରେ ମନୀଷା ଅଣ୍ଟାକୁ ଧରି ତା ଆଡ଼କୁ ଭିଡ଼ିନେଲା। ହଠାତ ଶହ ଶହ ବିଷାକ୍ତ ଭୀରୁଡ଼ି ଦଂଶି ପକେଇଲେ ଯେମିତି। ଟିକେ ଘୁଞ୍ଚି ଆସି ନିଜକୁ ଶାନ୍ତ ରଖିବା ପାଇଁ ଚେଷ୍ଟା କଲା ସେ। ଅଟୋ ଚାଲିଥାଏ ଖୁବ ଗତି ନେଇ। ପଛରେ ବସିଥିବା ସ୍ତ୍ରୀଲୋକଟି ଆରମ୍ଭ ରୁ ହିଁ ଖୁବ ଗୋଟେ ନକରାତ୍ମକ ଭାଇବ ଦେଉଥିଲା। ସେ ଦୁହେଁ ବାଟରେ ଥିବା ଗୋଟିଏ ଅଡ଼ି କାର ଓ ସେଥିରେ ଥିବା ଦାମିକା କଣ୍ଢେଇ ବିଷୟରେ ନିରର୍ଥକ ଆଲୋଚନା କରୁଥାନ୍ତି। ଏତିକିବେଳେ, କୋଉଗୋଟେ କଥାରେ ମନୀଷା କୁ ଜଣେଇବା ଆଳରେ "ନା କଣ ଦିଦି" କହି ଲୋକଟା ଜାଣିଶୁଣି କହୁଣୀ ବଜେଇଲା ଠିକ କାଖ ତଳ ସମ୍ବେଦନଶୀଳ ସ୍ଥାନରେ। ତା ପରେ ସେମାନେ ମନୀଷା କୁ ବାଧ୍ୟ କରିବାକୁ ଲାଗିଲେ ନୟାପଲ୍ଲୀ ଯାଏ ଯାଇ ସେଠୁ ବସ୍ ଧରିବାକୁ। ମନୀଷା ସେଥିରେ ରାଜି ନହେବାରେ ଚାଳକ ଜଣଙ୍କ ଏକ ପ୍ରକାର ଜିଦ ଧରିଲା ସେ ତାକୁ ନେଇ ଛାଡିବ ଓଭରବ୍ରିଜ ଶେଷରେ ବସ୍ ରହିବା ଜାଗାରେ। ଏସବୁ କହିବା ଭିତରେ ସେ ବାରମ୍ବାର କହୁଣୀ ବଜାଉଥାଏ ମନୀଷା ର କାଖରୁ ଅଣ୍ଟା ଯାଏ। ମନୀଷା ଅତି ବିରକ୍ତ ହୋଇ ଜୟଦେବ ବିହାର ରେ ଅଟୋ ରଖିବା ପାଇଁ ତାଗିଦ କରିବାରେ ପଛପଟୁ ବେକ ଉପରେ କିଛି ସ୍ପର୍ଶ ଅନୁଭବ କଲା। ଟିକେ ବୁଲି ଦେଖିବା ବେଳକୁ ପଛରେ ଥିବା ସ୍ତ୍ରୀଲୋକ ଜଣଙ୍କ ଗାମୁଛା ଖଣ୍ଡେ ରସି ବଳିବା ଭଳି ଗୁଡ଼ାଇ ଧରି କଟମଟ କରି ଅନେଇଛି। ରଖ ନହେଲେ ମୁଁ ଡେଇଁବି କହି ଚିତ୍କାର କରି ଆସିବା ବେଳକୁ ଅଟୋ ରହିଲା। ତାକୁ ଓହ୍ଲାଇ ଦେଇ ଅଟୋ ପାର।


ଓହ୍ଲେଇବା ବେଳକୁ କ୍ରୋଧ ଓ ଅପମାନ ର ଗ୍ଲାନିରେ ସାରାଟା ଦେହ କମ୍ପୁଥାଏ ମନୀଷାର। ସେଠୁ ବସ୍ ରହଣି ଜାଗା ଯାଏ ଚାଲିକି ଯିବାକୁ ଗୁଡ଼େ ବାଟ ଆଉ ନିଛାଟିଆ ବି। ହେଲେ ଅଟୋ ଆଉ ସେଥିରେ ଭର୍ତ୍ତି ଯାତ୍ରୀଙ୍କୁ ଦେଖି ଆନ୍ତରାତ୍ମା ଆଦେଶ ଦେଲାନି ସେଥିରୁ କେଉଁଥିରେବି ସବାର ହେବାକୁ। ସେଇଠୁ ନିଷ୍ପତ୍ତି ନେଲା, ଅନ୍ୟଦିନ ମାନଙ୍କ ଭଳି ଚାଲିକି ଯିବ। ସେଇ ଦମ୍ଭରେ ଚାଲିବା ଆରମ୍ଭ କରି ଦେଇଥିଲା ସେ। ଏ ଭିତରେ ତିନିଜଣ ବାଇକ ଚଢ଼ାଳି ଗାଡି ଅଟକେଇ ସାଙ୍ଗରେ ନେବା ଅଫର ଦେଲେଣି। ମନୀଷା ଜାଗାରେ ଯଦି ପୁଅପିଲାଟେ କିମ୍ବା କେହି ବୃଦ୍ଧ ଅଥବା ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଲୋକଟେ ଥାନ୍ତା ତେବେ କଣ ସେମାନେ ଏମିତି ସ୍ୱତଃ ସାହାଯ୍ୟ କରିବାକୁ ଅଫର ଦେଇଥାନ୍ତେ ? ସେମାନଙ୍କ ଦୃଷ୍ଟିରୁ ଲାଗୁଥିଲା ସେମାନେ ମନୀଷା କୁ କଲଗାର୍ଲ ଭାବୁଥିଲେ ବୋଧେ। ଓଃ, କି ବିଷାକ୍ତ ଏକଥା ଗୁଡାକ !!! 


ଯେତେଥର ବାଇକ ଟେ ଅଥବା କେହିବି ପୁରୁଷ ସେବାଟ ଦେଇ ଯାଉଥାଏ, ପ୍ରତିଥର ମନୀଷା ଭିତରେ ବିଷ ଅଧିକ ଚରି ଯାଉଥାଏ ଯେମିତି। ଏତିକିବେଳେ ଦେଖିଲା କିଛି ଆଗରେ ଗୋଟାଏ ବାଇକ ସିଟ ଉପରେ ମଦ ବୋତଲ ଓ ଚାଖଣା ରଖି ହାତରେ ଗିଲାସ ଧରି ଦୁଇଜଣ ଲୋକ ଠିଆ ଠିଆ ମଦ ଆସର ଲଗେଇଛନ୍ତି ରାସ୍ତା କଡରେ। ଏକୁଟିଆ ମନୀଷା କୁ ଦେଖି ସେମାନେ ଗିଲାସ ରଖି ଆଗକୁ ବଢ଼ିବାରେ ଲାଗିଲେ। ରକ୍ତବର୍ଣ୍ଣ ଆଖିରେ ଅଶ୍ଳୀଳ କ୍ଷୁଧା ସ୍ପଷ୍ଟ ଭାବରେ ବାରି ହେଉଥିଲା। ଭୟ କ୍ରମଶଃ ମେରୁଦଣ୍ଡ ଦେଇ ଶୀତଳ ଶିହରଣ ଖେଳାଇ ଦେଉଥିଲା ତାଳୁରୁ ତଳିପା ଯାଏଁ। ସେମାନଙ୍କ ଭିତରୁ ଦାଢିବାଲା ଲୋକଟି ମନୀଷା ଠୁ ଆଉ ଗୋଟେହାତ ଦୂରରେ ମାତ୍ର। ତା ଅଶ୍ଳୀଳ ଇଶାରା ଓ ତାଠୁ ବେଶୀ ଗନ୍ଧିଆ ଲାଗୁଥିଲା ପାଟିରୁ ଭାସି ଆସୁଥିବା ମଦର ଗନ୍ଧ।


କେମିତି କେଜାଣି, ପଚରା ମଦ ଗନ୍ଧକୁ ପ୍ରତିହତ କରି ଚାରିପାଖରେ ପୁରିଗଲା ଝୁଣା, କର୍ପୂର, ଅଗୁରୁ, ଗୁଗ୍ଗୁଳ ସାଙ୍ଗକୁ ଘିଅ ସଳିତାର ମହମହ ବାସ୍ନା। ଏକ ଥଣ୍ଡା ଅଥଚ ଉଷ୍ମତା ଭରିଦେଉଥିବା "ସ୍ପର୍ଶ" ସଞ୍ଚରିଗଲା ମନୀଷାର ପ୍ରତି ଧମନୀ ଦେଇ। ମଦ୍ୟପ ଦୁହେଁ ଠେଲା ଖାଇଲା ଭଳି ପଛଘୁଞ୍ଚା ଦେଲେ ଆଉ ପାଖରେ ଖଣ୍ଡେ ସୁନେଲି ଧଡି ଦିଆ କଳା କସ୍ତାଶାଢୀରେ ଉଭା ହେଇଥିଲେ ବୃଦ୍ଧା ବେଶରେ ସତେକି ମା ଷଷ୍ଠୀଦେବୀ। ହଁ, ପିଲାଟି ଦିନରୁ ସବୁ ସୁଖଦୁଃଖର ସାଥି ସିଏ ମନୀଷାର। ସେଇଥିପାଇଁ ତ ଏଇନେ ମନେ ମନେ ମା ଙ୍କୁ ସୁମରି ଚାଲିଥିଲା ସେ। ବୃଦ୍ଧା ଜଣଙ୍କ କହିଲେ, "ମା'ରେ ମତେ ବାଟ ଦିଶୁନି। ଟିକେ ନେଇଚାଲ ଆଗ ଦୋକାନ ଯାଏଁ। ସେଇଠୁ ମୋ ନାତି ଆସି ନେଇଯିବ ଘରକୁ।" ପରମ ଶ୍ରଦ୍ଧା ରେ ମନୀଷା ସେଇ ବୁଢ଼ୀମା ଙ୍କୁ ସାଙ୍ଗରେ ଧରି ଚାଲିଲା। ତାଙ୍କ ଶିରାଳ ପାପୁଲିରେ ନରମ ଫୁଲ ପାଖୁଡ଼ାର କମନୀୟ ଅନୁଭବ ଅତୀନ୍ଦ୍ରିୟ ଆବେଗ ଭରୁଥିଲା ତା ଭିତରେ। ପାନ ଦୋକାନଟା ଆଉ ଚାରି ପାଞ୍ଚ ପାହୁଣ୍ଡ ମାତ୍ର, ସେଇଠି ଛାଡିବାକୁ ହେବ ତାଙ୍କୁ। ହଠାତ ରାସ୍ତା ହମ୍ପସ ରେ ଝୁଣ୍ଟି ପଡିଲା ମନୀଷା। ତା ଭ୍ୟାନିଟି ଚେନରେ ଲାଗି ବୃଦ୍ଧାଙ୍କ ଲୁଗାଧଡ଼ି ଫଡ କରି ଚିରିଯିବା ଶବ୍ଦ ସ୍ପଷ୍ଟ ଶୁଣିଲା ସେ। ମା ବୋଲି କହି ନିଜକୁ ସମ୍ଭାଳି ନେଲାବେଳେ ହାତ ଛାଡି ଦେଇଥିଲା ତାଙ୍କର। ସିଧା ହେଇ ଠିଆ ହେଲା ବେଳକୁ ପାଖରେ ନଥିଲେ ସେ।


ଆତୁର ଆବେଗରେ ମା ମା ଡାକି ଚାରିଆଡକୁ ଖୋଜିଲା ଦୃଷ୍ଟିରେ ଦେଖୁଥିଲା ମନୀଷା। ଠିକ ସେତିକିବେଳେ ବସ୍ ବାଲାର କଟକ କଟକ ଡାକରେ ପ୍ରକୁତିସ୍ଥ ହୋଇ ବସ୍ କୁ ଉଠିଲା। ବସିଗଲା ପରେ ଘରକୁ ଫୋନ କରି କହିଦେଲା କାହିଁକି ଡେରି ହେଲା ଓ ସେ ଘଣ୍ଟାଏ ଭିତରେ ପହଞ୍ଚିଯିବ ବୋଲି। ଓଃ..... ଏଇ ପିଛିଲା କୋଡିଏ ତିରିଶ ମିନିଟ ଭିତରେ ଯାହାସବୁ ଘଟିଗଲା, ସେତକ ଅଘଟଣ ସମୟର କଳେବରକୁ ପ୍ରଲମ୍ବିତ କରିଦେଇଥିଲା ଯେମିତି। ଏଥର ଆଶ୍ୱସ୍ତ ହୋଇପାରେ ସେ। ଫୋନ ରଖିସାରି ଭ୍ୟାନିଟି କୁ ଓଲଟା କରି କୋଳରେ ଆଉଜେଇ ନେଲାବେଳେ ଦେଖିଲା, ଚେନ୍ ରେ ଏବେବି ଲାଗି ରହିଛି ସୁନେଲି ଧଡି ଥିବା ଖଣ୍ଡେ କଳା ରଙ୍ଗର କସ୍ତା କପଡା। ସେ ଖଣ୍ଡକୁ ଛୁଇଁଲା ବେଳେ ଅନୁଭବ କରି ହେଉଥିଲା ସେଇ ବୃଦ୍ଧା ମା'ଙ୍କ ଶୀତଳ ହାତର ଉଷ୍ମ ସ୍ପର୍ଶ। କପଡା ସହିତ ଭ୍ୟାନିଟିକୁ ଛାତିରେ ଚାପିଧରି ଏକ ନିବିଡ ଆବେଗରେ ବତୁରି ଯାଉଥିଲା ମନୀଷା.….


Rate this content
Log in

More oriya story from Pratibha Priyadarshini

Similar oriya story from Tragedy