ବିଭୁ-ନୀତା
ବିଭୁ-ନୀତା
ବିଭୁ ନୀତା
ପ୍ରତିଭା ପ୍ରିୟଦର୍ଶିନୀ
ଆଦ୍ୟ ଶରତ ଋତୁର ସୁନ୍ଦର ସକାଳଟେ ଥିଲା ସେଦିନ। ସବୁଦିନ ଭଳି ଝିଅକୁ ସ୍କୁଲ୍ ରେ ଛାଡି ଘରକୁ ଫେରୁଥାଏ ନିତ୍ୟା। ସ୍କୁଲ୍ ରୁ ଘର ପର୍ଯ୍ୟନ୍ତ ରାସ୍ତା କଟିଯାଏ ସ୍ମାର୍ଟଫୋନ୍ ରେ ଉପନ୍ୟାସ ପଢୁପଢୁ। କାଲିଠୁ ସେ ପଢିବା ଆରମ୍ଭ କରିଥିଲା Gayel Forman ଙ୍କ ପ୍ରସିଦ୍ଧ ଆମେରିକୀୟ ଉପନ୍ୟାସ "if i stay'। ସଡକ ଦୁର୍ଘଟଣା ପରେ ମୃତ୍ୟୁ ଓ ଜୀବନର ଦୋଛକିରେ ଠିଆ ହୋଇଥିବା ନାୟିକା ସହିତ ସେ ଏକାତ୍ମ ହୋଇ ଯାଉ ଯାଉ ହଠାତ୍ ଶୁଭିଲା ଭୀଷଣ ଗୋଟେ ଶବ୍ଦ, ନିବିଡ ଅନ୍ଧକାର ଓ କିଛି କ୍ଷଣର ନୀରବତା। ତା ପରେ ପୁଣି କୋଳାହଳ ଶବ୍ଦରେ ପ୍ରକୃତିସ୍ଥ ନିତ୍ୟା ନିର୍ମାଣାଧିନ ଓଭରବ୍ରିଜ୍ ର ସ୍ତମ୍ଭ ପାଖେ ନିଜକୁ ଠିଆ ହୋଇଥିବାର ଦେଖେ। ମଖମଲି ସୂର୍ଯ୍ୟରଶ୍ମି କେମିତି ଅଧିକ ଉଜ୍ଜଳ ହୋଇଯାଇଥାଏ। ହେଲେ ସେ ଗାଡିରୁ ବାହାରି ଏମିତି ରାସ୍ତା କଡରେ କାହିଁକି ଠିଆ ହୋଇଛି? ଏତେ କୋଳାହଳ କାହିଁକି? ସେ ଆଗକୁ ଯାଇ ଭିଡ ଭିତରେ ଦେଖେ, ତା ଗାଡିକୁ ଘେରି ହିଁ ଲୋକମାନେ ପାଟିତୁଣ୍ଡ କରୁଥାନ୍ତି। ଡ୍ରାଇଭର୍ କ୍ଷତାକ୍ତ ଓ ରକ୍ତ ଜୁଡୁବୁଡୁ। ତେବେ ନିତ୍ୟା? ପଛ ସିଟ୍ ରୁ ଝାପ୍ସା ଦିଶୁଥିଲା ଆନିଭର୍ସରିରେ ଆଦିତ୍ୟ ଦେଇଥିବା ହାଲ୍କା ଗୋଲାପି ରଙ୍ଗର ସୁଟ୍ ଯାହା ରକ୍ତରେ ଭିଜି ନାଲି ଦିଶିଲାଣି। କିନ୍ତୁ ନିତ୍ୟା ତ ଏଠି ଏକ୍ଦମ୍ ସଫାସୁତୁରା ଠିଆ ହେଇଛି। ସକାଳ ଖରାରେ ମୁହଁ ତାର ଝଲ୍ସୁଛି। ତେବେ ଗାଡିରେ ସେ କିଏ? ଭିଡ ପାରିହୋଇ ଗାଡି ପାଖେ ପହଞ୍ଚିବା ବେଳକୁ ହଠାତ୍ ସେ କ୍ଷତାକ୍ତ ଝିଅ ହାତରେ ଥିବା ଫୋନ୍ ଟା ବାଜି ଉଠିଲା। ନିତ୍ୟା ଫୋନ୍ ଦେଖି ଆଶ୍ଚର୍ଯ୍ୟ ହେଲା। ଏ କ'ଣ! ବିଭୁ ଫୋନ୍ କରୁଛନ୍ତି। କିନ୍ତୁ କାହିଁକି? ଭିଡ ଭିତରୁ କେହିଜଣେ ଫୋନ୍ ନେଇ କହିଲେ,"ଆପଣ ଯାହାଙ୍କୁ ଫୋନ୍ କରିଛନ୍ତି,ଭୀଷଣ ଦୁର୍ଘଟଣା ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ। ନିର୍ମାଣଧିନ ଓଭରବ୍ରିଜ୍ ରୁ ଗୋଟେ ସ୍ଲାବ୍ ଭାଙ୍ଗି ହଠାତ୍ ତାଙ୍କ ଗାଡି ଉପରେ ପଡିବାରୁ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ଆପଣ ଯଦି ତାଙ୍କ ଆତ୍ମୀୟ ଶୀଘ୍ର ଆସନ୍ତୁ, ନଚେତ୍ ତାଙ୍କ ପରିବାରକୁ ଖବରଦିଅନ୍ତୁ।'
ବିଚଳିତ ନିତ୍ୟା ଏବେ ବୁଝି ସାରିଥିଲା ସମସ୍ତ ଘଟଣା। ଗାଡି ଭିତରେ ଥିଲା ତା'ରି କ୍ଷତାକ୍ତ ଶରୀର। ଆଉ ବାହାରେ ଠିଆ ହୋଇଥିଲା ତା ଆତ୍ମା,ଠିକ୍ if i stay ର ନାୟିକା ଭଳି। ତେବେ ସେ କ'ଣ ମୃତ? ପୁଣି ବିଭୁ କାହିଁକି ଓ କେମିତି ଫୋନ୍ କଲେ? ଏସବୁ ଭାବୁ ଭାବୁ ଆମ୍ବୁଲାନ୍ସର ଚିତ୍କାରରେ ସେ ପ୍ରକୃତିସ୍ଥ ହେଲା। ଡ୍ରାଇଭରକୁ ୟା ଭିତରେ ଡାକ୍ତରଖାନା ପଠାଇ ଦିଆଯାଇଥାଏ। ଆଦିତ୍ୟ ବି ପହଞ୍ଚି ଯାଇଥିଲେ ଓ ପାଗଳପ୍ରାୟ ଇତସ୍ତତଃ ବୁଲୁଥିଲେ। ସହରର ସବୁଠୁ ଭଲ ଘରୋଇ ହସ୍ପିଟାଲ୍ କୁ ନେବାଲାଗି ସ୍ବତନ୍ତ୍ର ଆମ୍ବୁଲାନ୍ସ ବି ଆସିଯାଇଥିଲା। ନିତ୍ୟାବି ତା ଶରୀର ସହିତ ବସିଗଲା। ବ୍ୟସ୍ତ ବିବ୍ରତ ଆଦିତ୍ୟଙ୍କୁ ଦେଖି ନିତ୍ୟା କହୁଥାଏ, ମୁଁ ମରିିନି। ହୁଏତ ଫେରି ଆସିପାରେ ତୁମ ପାଖକୁ। ବ୍ୟସ୍ତ ହୁଅନି। ତୁମ ବି.ପି. ବଢିଯିବ। ଡାକ୍ତରଖାନାରେ ପହଞ୍ଚି ଚିକିତ୍ସା ଆରମ୍ଭ ହେଲାବେଳକୁ ସୋମୁର ସ୍କୁଲ ଛୁଟି ହେବାବେଳ। କାହାକୁ ଧ୍ୟାନ ନାହିଁ। ସୋମୁ, ନିତ୍ୟାର ୪ ବର୍ଷର ଝିଅ ସୌମ୍ୟା। ସେତେବେଳକୁ ନିତ୍ୟାର ଭାଇ,ବାପା, ମା ପହଞ୍ଚି ସାରିଥାନ୍ତି। ନିତ୍ୟା ସମସ୍ତଙ୍କୁ କହୁଥାଏ, କେହି ଯାଇ ସୋମୁକୁ ସ୍କୁଲ୍ ରୁ ନେଇଆସ। ଡେରି ହେଲେ, ଏକା ଏକା କାନ୍ଦୁଥିବ। ତା କଥା କିନ୍ତୁ କେହି ଶୁଣିପାରୁ ନଥାନ୍ତି। କିଛି ଉପାୟ ନପାଇ ସେ ଫୋନ୍ ଟାକୁ ତଳେ ପକାଇଦେଲେ। ସ୍କ୍ରିନ୍ ରେ ସୋମୁର ଫୋଟୋ ଦେଖି ନିତ୍ୟାର ବାପା ତା ଭାଇକୁ ତରବର କରି ପଠାଇ ଦେଲେ। ଏପଟେ ପ୍ରାଥମିକ ଉପଚାର ପରେ ଡାକ୍ତରମାନେ ଆଦିତ୍ୟଙ୍କୁ ପରାମର୍ଶ ଦେଲେ ସ୍ପେସାଲିଟି ଚିକିତ୍ସା ଲାଗି ନିତ୍ୟାକୁ ଦିଲ୍ଲୀ ନେଇଯିବାଲାଗି। ପ୍ରତିଷ୍ଠିତ ଶିଳ୍ପପତି ଆଦିତ୍ୟ ମିଶ୍ରଙ୍କ ଲାଗି ଅର୍ଥ ବ୍ୟୟ କରିବା କିଛି ସମସ୍ୟା ନଥିଲା। ସନ୍ଧ୍ୟା ସୁଦ୍ଧା ନିତ୍ୟାକୁ ଏୟାର ଆମ୍ବୁଲାନ୍ସ ରେ ଦିଲ୍ଲୀ ନେବାଲାଗି ବ୍ୟବସ୍ଥା କରାଗଲା। ଦିଲ୍ଲୀର ସେହି ନାମକରା ହସ୍ପିଟାଲ୍ ସହ ସମସ୍ତ ଔପଚାରିକ କଥାବାର୍ତ୍ତା ବି ହେଇଗଲା। ବିଭୁ ସେଇଠି ଡାକ୍ତର। ନିତ୍ୟାର ବାପା ଶଶୀଧର ଆଚାର୍ଯ୍ୟଙ୍କୁ ଫୋନ୍ କରି ନିତ୍ୟା ର ଅବସ୍ଥା ବୁଝିବା ସହିତ ସେ ତାଙ୍କ ହସ୍ପିଟାଲରେ ସମସ୍ତ ବ୍ୟବସ୍ଥା କରି ଦେଇଥିଲେ।
ନିତ୍ୟାର ଶରୀର ଓ ଆତ୍ମାକୁ ନେଇ ଦିଲ୍ଲୀ ଅଭିମୁଖେ ଉଡାଣ ଆରମ୍ଭ ହେଲା। ସାଙ୍ଗରେ ଆଦିତ୍ୟ ଓ ବାପା ଥାଆନ୍ତି। ବୋଉ ଓ ଭାଇ ଦାୟିତ୍ୱରେ ରହିଲା ସୌମ୍ୟା। ଶାଶୁଘରେ ଖବର ପହଞ୍ଚିବାପରେ ଶ୍ୱଶୁର କେବଳ ଏତିକି କହିଲେ, "ଭଗବାନ ନିତୁର ଆତ୍ମାକୁ ଶାନ୍ତି ଦିଅନ୍ତୁ'। ହେଲେ ନିତ୍ୟାତ ମୃତ ବୋଲି ଘୋଷଣା କରିନାହାନ୍ତି ଡାକ୍ତର ଏ ଯାଏଁ! ତା ଆତ୍ମା ଏବେ ବି ଶରୀର ଅପେକ୍ଷାରେ ସାଙ୍ଗରେ ବୁଲୁଛି। ରାସ୍ତା ସାରା ନିତ୍ୟା ଭାବୁଥାଏ, କ'ଣ ବିତୁଥିବ ବିଭୁଙ୍କ ଉପରେ? ବିଭୁ, ବିଭାବସୁ ଦାଶ। ତା ସ୍କୁଲ ସମୟ ସହପାଠୀ। ବିଭାବସୁଙ୍କ ବାପା ପ୍ରକାଶ ଚନ୍ଦ୍ର ଦାଶ ବି ଶିକ୍ଷକ। ଶଶୀଧର ସାର୍ ସଂସ୍କୃତ ପଢାନ୍ତି ଓ ପ୍ରକାଶ ସାର୍ ଗଣିତ। ଦୁହେଁ ଭଲ ବନ୍ଧୁ। ପାରିବାରିକ ବନ୍ଧୁତ୍ୱ। ବିଭାବସୁ ଓ ନିତ୍ୟା, ଉଭୟ ସ୍ୱଭାବରେ ଶାନ୍ତ, ସରଳ, ଲାଜକୁଳା କିନ୍ତୁ ପାଠରେ ପ୍ରବୀଣ। ନିତ୍ୟା ଖୁବ୍ ଭଲ ଗୀତ ଗାଏ ଆଉ ବିଭାବସୁ ଲେଖାଲେଖି କରନ୍ତି, ଚିତ୍ର ଆଙ୍କନ୍ତି। ନିତ୍ୟାକୁ ଘରେ, ବାହାରେ ସମସ୍ତେ ନୀତୁ ବୋଲି ଡାକନ୍ତି । ହେଲେ ସେମାନେ ପରସ୍ପରକକୁ ବିଭୁ ଓ ନୀତା ବୋଲି ସମ୍ବୋଧନ କରନ୍ତି। ତାରୁଣ୍ୟରେ ଉଭୟ ପରସ୍ପରର ସାହଚର୍ଯ୍ୟରେ ଖୁବ୍ ଆମୋଦିତ ହେଉଥିଲେ। ବିଭୁଙ୍କୁ ଭାବି ଭାବି ନୀତା ପୃଷ୍ଠା ପୃଷ୍ଠା କବିତା ଲେଖୁଥିଲା। ଜହ୍ନରାତିରେ ଛାତ ଉପରେ ସେଇ ଲେଖାକୁ ତା ମଧୁର କଣ୍ଠରେ ଗୁଣୁଗୁଣୁ ହୋଇ ଗାଉଥିଲା। ବିଭୁ ମଧ୍ୟ ଜ୍ୟୋସ୍ନାଭିଜା ନୀତାକୁ କାନ୍ ଭାସ୍ ରେ ଉତାରିଛନ୍ତି ଖୁବ୍। ନିତ୍ୟା ଶ୍ୟାମଳାଙ୍ଗୀ ହେଲେ ମଧ୍ୟ ରୂପ ମନଛୁଆଁ। ତା ଛବିର ଓଠକୁ ବ୍ରଶ୍ ରେ ରଙ୍ଗ ଦେଲାବେଳେ ଧମନୀରେ ରକ୍ତର ପ୍ରବାହ ହଠାତ ତଡିତ୍ ହେଉଥିଲା ବିଭୁଙ୍କର। ଗୀତ ଗାଉ ଗାଉ ବିଭୁଙ୍କୁ ସାମ୍ନାରେ ଦେଖି ନୀତା ବି ଲାଜରେ ଝାଉଁଳି ଯାଏ। ହେଲେ ମନକଥା କେହି କାହାକୁ ମୁହଁ ଖୋଲି କହାପାରିନଥିଲେ ଦିନେ। ଏ କ'ଣ, ପାଖରେ ସ୍ୱାମୀ, ବାପା ଆଉ ନିଜ କ୍ଷତାକ୍ତ ଶରୀର ଥାଉ ଥାଉ ନିତ୍ୟାକୁ ଏସବୁ ଭାବନା ଆସୁଛି କାହିଁକି? ହୁଏତ ବିଭୁ ସେଠି ଅସମ୍ଭବ ବ୍ୟସ୍ତ ହେଉଛନ୍ତି ତା ଲାଗି। ଦିଲ୍ଲୀରେ ପହଞ୍ଚିବା ବେଳକୁ ବିଭୁ ସମସ୍ତ ବ୍ୟବସ୍ଥା କରିସାରିଥାନ୍ତି। ହସ୍ପିଟାଲ୍ ରେ ଭର୍ତ୍ତି ହେବାପରେ ଡାକ୍ତରମାନଙ୍କର ଗୋଟିଏ ଟିମ୍ ଆସି ପରୀକ୍ଷା କରିଗଲେ। ଆଦିତ୍ୟଙ୍କୁ ଜଣାଇଦେଲେ, ନିତ୍ୟାର କ'ଣ ହେବ କହିବା ସହଜ ନୁହେଁ। ସେମାନେ କିନ୍ତୁ ସମସ୍ତ ସମ୍ଭାବନା ଆପଣେଇ ଦେଖିବେ। ସେପଟେ ଆଦିତ୍ୟ କାଗଜପତ୍ର କାମ ସାରୁଥାନ୍ତି। ବାପା ଯେମିତି ପାଷାଣ ମୂର୍ତ୍ତିଟେ ପାଲଟି ଯାଇଛନ୍ତି। ବିଭୁ ବିକଳ ଦୃଷ୍ଟିରେ ଦେଖୁଥାନ୍ତି ତାଙ୍କ ଜୀବନର ପ୍ରଥମ ଓ ଶେଷ ପ୍ରିୟ ମଣିଷ ନୀତାକୁ। ନିଜକୁ ସମ୍ଭାଳି ନେଇ ବାପାଙ୍କୁ କହିଲେ, "ସାର୍ ଧୈର୍ଯ୍ୟ ଧରନ୍ତୁ। ନୀତା ଠିକ୍ ହେଇଯିବ। ଆଦିତ୍ୟ, ସୌମ୍ୟାଙ୍କୁ କିଏ ସମ୍ଭାଳିବ ଆପଣ ଭାଙ୍ଗି ପଡିଲେ?' ହେଲେ ସେ ନିଜେ ଭିତରେ ଭାଙ୍ଗି ପଡୁଛନ୍ତି ଖଣ୍ଡଖଣ୍ଡ ହୋଇ। ୧୨ ବର୍ଷ ପରେ ଦୁହେଁ ପରସ୍ପରକୁ ଖୋଜି ପାଇଥିଲେ ସୋସିଆଲ୍ ମିଡିଆରେ। ୟା ଭିତରେ ନିତ୍ୟା ଡକ୍ଟରେଟ୍ କରିଛି ମନସ୍ତତ୍ୱରେ। ବିଶିଷ୍ଟ ଶିଳ୍ପପତି ଆଦିତ୍ୟ ମିଶ୍ରଙ୍କ ସ୍ତ୍ରୀ ଓ ୪ ବର୍ଷର ଝିଅ ସୌମ୍ୟାର ମା ହେଇସାରିଥାଏ ଏବଂ ବିଭାବସୁ ଡାକ୍ତରୀ ପଢି ବିଦେଶରୁ ସ୍ପେସାଲିଷ୍ଟ ହୋଇ ଫେରିଆସିଛନ୍ତି। ନୀତାକୁ ଭୁଲି ପାରି ନାହାନ୍ତି, ତେଣୁ ଏବେ ବି ଅବିବାହିତ। ତାଙ୍କ ପରିବାରରେ ବାପା ମା ସ୍ୱର୍ଗବାସୀ ହେବାପରେ ସେ ମୋଟାମୋଟି ଏକୁଟିଆ। ଡାକ୍ତରୀ ଭଳି ପେଶାରେ ଏକୁଟିଆ ହେବାର ସୁଯୋଗ ଅବଶ୍ୟ କମ୍ ମିଳେ। ପ୍ରଥମ ସପ୍ତାହ ଉଭୟ ଆଦିତ୍ୟ ଓ ବାପା ବିଭୁଙ୍କ ଘରେ ରହିଲେ। ଆଦିତ୍ୟ କିନ୍ତୁ ଆଉ ଅଧିକ ଦିନ ବ୍ୟବସାୟ ଅଣଦେଖା କରି ରହିବା ସମ୍ଭବ ନୁହେଁ। ତା ଛଡା ବିଭୁ, ନିତ୍ୟାର ବାଲ୍ୟବନ୍ଧୁ, ବାପାଙ୍କ ପରିଚିତ, ପୁଣି ଏଠି ଡାକ୍ତର। ତେଣୁ ସେ ଓଡିଶା ଫେରି ଯାଇ ପାରିବେ। ବିଭୁ କିନ୍ତୁ ସବୁକିଛି ଭୁଲି କେବଳ ନୀତା କ୍ୟାବିନ୍ ରେ ବସି ରୁହନ୍ତି। ଦିନ ରାତିର ହୋସ୍ ନଥାଏ ତାଙ୍କୁ। ନିଜେ ଡାକ୍ତର ହେଲେବି ନୀତାର ଚିକିତ୍ସା ବାବଦ ଅନ୍ୟ ଡାକ୍ତରଙ୍କ ପରାମର୍ଶ ବାଧ୍ୟ ପିଲାଟି ଭଳି ଶୁଣନ୍ତି। ନିତ୍ୟା କେବଳ ନୀରବରେ ଏସବୁ ଦେଖୁଥାଏ। କିଛି କହିବା କରିବା ତା ସାଧ୍ୟ ବାହାରେ। ରାତି ରାତି ତା ଶଯ୍ୟାଧାରରେ ବସି ଗପି ଗପି ବିତେଇ ଦିଅନ୍ତି ବିଭୁ। "ଜାଣିଛ ନୀତା,' ଏତିକିରୁ ଆରମ୍ଭ ହୁଏ କେଜାଣି କେତେ ସ୍ମୃତିର ମନ୍ଥନ। ନୀତା ବି ଶୁଣେ ସବୁକିଛି। ୧୨ ବର୍ଷର ପ୍ରତିଟି ଦିନ ବିଭୁ କେମିତି ତାକୁ ଝୁରି ହେଇଛନ୍ତି, କେମିତି ତା ଅପେକ୍ଷାରେ ଅନ୍ୟ କାହାରିକୁ ହୃଦୟ ଦୁଆର ଖୋଲି ମନ ଭିତରେ ପଶିବାକୁ ଦେଇନାହାନ୍ତି ଶୁଣିବା ବେଳେ ନୀତାର ମନ ଆର୍ଦ୍ର ହେଇଯାଏ। ଏତେ ଭଲପାଉଥିଲ ବୋଲି ଥରେ ମନ କଥା ମୁହଁ ଖୋଲି କହିଦେଇଥିଲେ ଆମ ପରିବାର କ'ଣ ଅରାଜି ହେଇଥାନ୍ତେ? କାହିଁକି ଆଜିଯାଏଁ ନିଜକୁ ଜାଳୁଛ ବିଭୁ? ଆଉ କାହାକୁ ସଙ୍ଗୀ କରି ଜୀବନକୁ ସହଜ କରିନେଲନି କାହିଁକି? ଏମିତି ଗୁଡାଏ ଅଭିମାନ କରେ ନୀତା। ସମୟବି ଗଡିଚାଲେ। ଏବେ ଅଭୟ ୧୫ ଦିନ ବା ମାସରେ ଥରେ ଆସନ୍ତି। ଚିକିତ୍ସା ବାବଦ ଅର୍ଥ ସେ ବିଭୁଙ୍କ ପାଖକୁ ପଠାଇ ଦିଅନ୍ତି। ବାପାଙ୍କ ଦେହ ଖରାପ ହେଲାପରେ ବିଭୁ ଏଥର ତାଙ୍କୁ ଆଦିତ୍ୟଙ୍କ ସହିତ ଓଡିଶା ପଠାଇଦେଲେ। ନିତ୍ୟାର ମନ ବୁଝିପାରିବା ଭଳି ଥରେ ସୋମୁକୁ ଆଣିବାକୁ ସେ ଆଦିତ୍ୟଙ୍କୁ ପରାମର୍ଶ ଦେଲେ। ହେଲେ ଆଦିତ୍ୟ କହିଲେ, ସୋମୁ ଏବେ ନିତୁ ବିନା ରହିବା ଶିଖି ଗଲାଣି, ଏଠିକି ଆଣିଲେ ସେ ପୁଣି ବ୍ୟସ୍ତ ହେବ। ଛ ମାସ ହେଲାଣି ଡାକ୍ତର ପ୍ରତିଦିନ ପରୀକ୍ଷା କରନ୍ତି, ପୁଣି ଆଶା ଦେଇ ଯାଆନ୍ତି। ବିଭୁ କିନ୍ତୁ ନିର୍ବିକାର। ନୀତା ଲାଗି ସେ ନିଜକୁ ସମର୍ପି ଦେଇଥିଲେ ଯେମିତି। ସେଦିନ ନିତ୍ୟା ବ୍ୟସ୍ତ ହୋଇ କହିଲା, "ବିଭୁ, ମତେ ଯିବାକୁ ଦିଅ। ଶାଶୁଘରେ ଦୁର୍ଘଟଣା ଦିନୁ ହିଁ ମୋତେ ମୃତ ମାନି ନେଇଛନ୍ତି। ଆଦିତ୍ୟ ଓ ସୌମ୍ୟା ମୋ ବିନା ବଞ୍ଚିବାରେ ଅଭ୍ୟସ୍ତ ହେଇଗଲେଣି। ବାପା ବୋଉବି ନିଜକୁ ବୁଝେଇ ନେଲେଣି। ତୁମେ ବି ମୁକ୍ତ କରିଦିଅ ଏ ବନ୍ଧନରୁ। ତୁମ ସ୍ନେହ ଡୋରରେ ବାନ୍ଧିହେଇ ମୁଁ ଏଠି ରହିଛି। ଏ ଶରୀର ଠିକ୍ ହେଇ ଯଦି ମୋତେ ପୁନର୍ବାର ତା'ଠି ଆଶ୍ରୟ ମିଳେ ତେବେବି ମୋ ଜୀବନ ପୂର୍ବଭଳି ରହିବନି। ଆଉ ତୁମେ, କ'ଣ ପାଇବ ବିଭୁ? ପୁଣି ନିଃସଙ୍ଗ, ଶୂନ୍ୟ ରହିଯିବ ତୁମ ସଂସାର। ମତେ ଭୁଲି ଆଗକୁ ବଢ'। ଶେଯଧାରରେ ଢୁଳେଇ ପଡିଥିବା ବିଭୁ ଚମକି ଉଠିପଡିଲେ। ନୀତା ହାତକୁ ଜାବୁଡି ଧରି ପିଲାଟି ଭଳି କାନ୍ଦିକାନ୍ଦି କହୁଥିଲେ,"ନୀତା, ଆଉ ଯାଆନି ଛାଡିକି, କାହାକୁ କେତେ ଆବଶ୍ୟକତା ତୁମର ମୁଁ ଜାଣେନି, ହେଲେ ମୋ ଜୀବନର ଡୋରୀ ଏବେ ବି ତୁମ ପାଖେ ବନ୍ଧା'। ପରଦିନ ସକାଳେ ଡାକ୍ତର ନିତ୍ୟାକୁ ବ୍ରେନ୍ ଡେଡ୍ ଘୋଷଣା କରିବା ପରେ ଆଦିତ୍ୟ ଓ ବାପା ଆସି ପହଞ୍ଚିଗଲେ। ହେଲେ ସେ ଘୋଷଣା ପରଠୁ ବିଭୁ କେମିତି ହଠାତ ତରବର ହୋଇ ଗୁଡାଏ କାମ କରିପକାଇବାକୁ ବ୍ୟସ୍ତ। ସେଦିନ ରାତିରେ ଆଦିତ୍ୟଙ୍କ ହାତରେ ଫାଇଲ୍ ଟା ପଡିଗଲା। ବିଭୁ ଅନ୍ୟମନସ୍କ ହେଇ ଛାଡି ଯାଇଥିଲେ। କୌତୁହଳରେ ଓଲଟାଇ ଦେଖନ୍ତିତ, ବିଭୁ ତାଙ୍କର ସମସ୍ତ ଜମା ପୁଞ୍ଜି ଏମିତିକି ନିତ୍ୟାର ଚିକିତ୍ସା ଲାଗି ଆଦିତ୍ୟ ପଠାଇଥିବା ସମସ୍ତ ଅର୍ଥ ଏକ ଅନାଥଆଶ୍ରମକୁ ଦାନ ଦେଇଛନ୍ତି। ସେ ଆଶ୍ରମର ନାଁ "ବିଭୁନୀତା'। ଏପଟେ ସମସ୍ତ ଉଦ୍ ବେଗର ଅନ୍ତ ଘଟାଇ ଡାକ୍ତର ଚରମ ସତ୍ୟ ଶୁଣାଇ ଦେଲେଯେ ନିତ୍ୟା ଏବେ ମୃତ। ବାପା ଲଥ୍ କରି ବସିଗଲେ। ଆଦିତ୍ୟ ଚୁପ୍ ରହିଲେ, ଯେମିତି ସେ ଏଇ ସମ୍ବାଦ ଲାଗି ଆଗରୁ ପ୍ରସ୍ତୁତ ଥିଲେ ମାନସିକ ଭାବେ। ହେଲେ ବିଭୁ, ସେ ସେମିତି ନିତ୍ୟା ଶଯ୍ୟାଧାରରେ ମୁହଁମାଡି ବସି ରହିଛନ୍ତି। ସମସ୍ତେ ଡକ୍ଟର ଦାଶ ବୋଲି ପାଟି କରି ଉଠିବା ବେଳେ, ନିତ୍ୟା ଅନୁଭବ କଲା ତା ହାତକୁ କେହିଜଣେ ମୁଠେଇ ଧରିବା। ଦୁର୍ଘଟଣା ପରେ ଆଜି ପ୍ରଥମଥର ସେ କାହାରି ସ୍ପର୍ଶ ପାଇଛି। ଆଖି ଉଠେଇ ଦେଖେ ତ, ତା ହାତଧରି ପାଖରେ ଠିଆ ହୋଇଥିଲେ ବିଭୁ। ନିତ୍ୟା ଅବାକ୍ ଅନେଇ ଥାଏ। ସେପଟେ ଦୁହିଁଙ୍କ ଶରୀରକୁ ସତ୍କାର ପାଇ, ନେବାର ବ୍ୟବସ୍ଥା ହେଉଥାଏ। ଝର୍କା ସେପଟୁ ଉଦିତ ସୂର୍ଯ୍ୟଙ୍କୁ ଦେଖାଇ ବିଭୁ କହିଲେ, "ନୀତା,ଚାଲ ଏବେ ଏକାଠି ଦିଗ୍ ବଳୟ ସେପାରି ଯାଏଁ ଚାଲିଯିବା। ତୁମ ସାଙ୍ଗେ ଚାଲିବାକୁ ମୁଁ ଶରୀର ଛାଡି ଚାଲି ଆସିଛି। ଏ ସମ୍ପର୍କ ସମସ୍ତ ବନ୍ଧନ, ନିୟମ କାନୁନ୍ ଠାରୁ ଉର୍ଦ୍ଧରେ। କେବଳ ଚିରନ୍ତନ ଓ ଶାଶ୍ବତ ସ୍ନେହଁ ର ସମ୍ପର୍କ'। ଏପଟେ ଚିତାଗ୍ନିରେ ଶରୀର ଭସ୍ମ ହେଲାବେଳେ "ବିଭୁନୀତା' ମିଶି ଯାଇଥିଲେ ଦିଗ୍ ବଳୟରୁ ବିଚ୍ଛୁରିତ ପ୍ରଖର ଆଭାରେ।