Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Pratibha Priyadarshini

Others


5.0  

Pratibha Priyadarshini

Others


ମଧୁ-ଚନ୍ଦନ

ମଧୁ-ଚନ୍ଦନ

6 mins 14.3K 6 mins 14.3K

ମଧୁ-ଚନ୍ଦନ

**********

କାଲି ଏତେବଡ ଦିନଟା, ହେଲେ ମଧୁମିତା କୁ ଖୁସି ବଦଳରେ ଘାଣ୍ଟି ପକାଉଛି ଗୁଡାଏ ଚିନ୍ତା ଓ ଆଶଙ୍କା। ସାହିତ୍ୟ କ୍ଷେତ୍ରରେ ଏତେ ଅଳ୍ପ ସମୟରେ ଏତେ ବଡ ସମ୍ମାନ ପାଇବା ଖୁବ୍ ଗର୍ବର କଥା। କିନ୍ତୁ ମନ ତା'ର ଧିରେ ଧିରେ ସନ୍ତର୍ପଣର ବହଳ ପରସ୍ତ ତଳେ ଦବି ଦବି ଯାଉଛି। ବିଗତ ଦୁଇ ବର୍ଷ ଭିତରେ ବେଶ୍ କିଛି ସମ୍ମାନ ଓ ପୁରସ୍କାର ମିଳିଲାଣି। ସେ କେବେ ସମାରୋହ କୁ ଯାଏନି ବ୍ୟକ୍ତିଗତ ଭାବେ ପୁରସ୍କାର ଗ୍ରହଣ କରିବାକୁ। ସେଇ ଚିରାଚରିତ ଠିକଣା, "ଋଚିରା, ପୋଷ୍ଟବକ୍ସ ନଂ-୩୬୯, ମୂଖ୍ୟ ଡାକଘର'' ରେ ହିଁ ପହଞ୍ଚେ ସବୁ ପୁରସ୍କାର ଓ ମାନପତ୍ର ଏବଂ ସେଇଠୁଁ ଯାଏ ଷ୍ଟୋର୍ ରୁମ୍ ର ନିହାତି ଅନ୍ଧାର କୋଣରେ ଥିବା ବଡ ଦସ୍ତାବାକ୍ସ ଭିତରକୁ। କିନ୍ତୁ ଏଥର, ସରକାରୀ ସମାରୋହ। ଆୟୋଜକ ବାରମ୍ବାର ଚିଠି ଓ ଇ-ମେଲ୍ ଦେଇ ବାଧ୍ୟ କରିଛନ୍ତି ଯେମିତି ହେଲେ ବ୍ୟକ୍ତିଗତ ଉପସ୍ଥିତି ପାଇଁ। ନଚେତ ପ୍ରତିଷ୍ଠିତ ପୁରସ୍କାର ଟିର ମର୍ଯ୍ୟାଦା କ୍ଷୂର୍ଣ୍ଣ ହେବ। ସବୁ ବୁଝୁଥିଲେ ବି, "ଋଚିରା'' ର ସେଠିକୁ ଯିବା ଅର୍ଥ "ମଧୁମିତା'' ଜୀବନରେ ବଡଗୋଟେ ଘୂର୍ଣ୍ଣିଝଡ ର ଆଶଙ୍କା। ପରଦିନ ସମ୍ବାଦପତ୍ର ଅଥବା ଟିଭିରେ "ଋଚିରା'' ର ସତ୍ୟତା ଧରାପଡିଗଲେ "ମଧୁମିତା'' ର ପୃଥିବୀ ଓଲଟପାଲଟ ହୋଇଯାଇପାରେ।

 

ସେଇ ଅନାହୁତ ସଂଶୟ ରେ ମଧୁ, ବାରଣ୍ଡା ର ଏମୁଣ୍ଡୁ ସେମୁଣ୍ଡ ଯାଏ ପଇଁତରା ମାରି ଚାଲିଥାଏ ଅନ୍ୟମନସ୍କ ହୋଇ। ଶେଷରେ ଥକି କି ବସି ପଡିଲା ଖୁଣ୍ଟ ପାଖରେ। ବିଳମ୍ବିତ ଅପରାହ୍ନର ସ୍ବର୍ଣ୍ଣାଭ ସୂର୍ଯ୍ୟାଲୋକରେ ଅଗଣା ରେ ଗଛ ଛାଇ ସବୁ ଲୁଚକାଳି ଖେଳୁଥାନ୍ତି। ଠିକ୍ ଯେମିତି ମଧୁମିତା ମନ ଭିତରେ ଚାଲିଥାଏ ରୀତିମତ ଗୋଟାଏ ଦ୍ବନ୍ଦ।

 

ମଧୁ, ମଧୁମିତା ପତି। ଓଡିଆ ଭାଷାରେ ଏମ୍.ଫିଲ୍. କରିଛି। ଗଳ୍ପ, କବିତା ଏବଂ ଲଘୁ ଉପନ୍ୟାସ ଲେଖେ ଛାତ୍ରୀ ଜୀବନରୁ। ପାଠ ପଢିବା ବେଳେ ଲେଖାଗୁଡିକୁ ବିଭିନ୍ନ ପତ୍ରପତ୍ରିକା କୁ ପଠାଏ। ଅନେକ ଲେଖା ପ୍ରକାଶ ପାଇଛି ଆଉ ସେଗୁଡିକ ପାଇଁ ଢେର ପ୍ରଶଂସା ବି ପାଇଛି ପାଠକ ମାନଙ୍କ ଠାରୁ। ବଡ ଖୁସି ମିଜାଜ୍ ର ଝିଅ। କାହାଲାଗି ପର ବା ଅପରିଚିତ ରହେନାହିଁ ଅଧିକ ସମୟ ଯାଏଁ। ଅଜଣା ଅଚିହ୍ନା ଅପରିଚିତ ମଣିଷ ଟିକୁ ବି ସହଜେ ଆପଣାର କରିନିଏ ସେ। ଏମ୍.ଫିଲ୍. ପଢାବା ସମୟରେ ଥରେ ହଷ୍ଟେଲ ରୁ ଘରକୁ ଆସୁଥାଏ ମଧୁ। ଦଶହରା ଛୁଟି ବେଳ। ଟ୍ରେନ୍ ରେ ଅସମ୍ଭବ ଭିଡ। ଜେନେରାଲ ବଗିରେ ଠିଆ ହେବାକୁ ବି ଜାଗା ନଥାଏ। ସେ ରିଜରଭେସନ ବଗିରେ ଚଢିଗଲା। ସେଠି ଜଣେ ମଧ୍ୟ ବୟସ୍କ ବ୍ୟକ୍ତି (ପ୍ରାୟ ତା ବାପାଙ୍କ ବୟସର), ଙ୍କୁ ଦେଖି ତାଙ୍କ ପାଖକୁ ଯାଇ କହିଲା,"ମଉସା, ମୁଁ ଏଠି ବସିଯିବି କିଛି ସମୟ? ସେପଟେ ଖୁବ୍ ଭିଡ''। ଭଦ୍ରବ୍ୟକ୍ତି ସମ୍ମତ୍ତି ଦେଲେ। ପ୍ରଗଳ୍ଭା ମଧୁ କି ଚୁପ୍ ବସିବା ଝିଅ! ସଂଯୋଗ କୁ ସେ ମହାଶୟ ପଢୁଥିବା ପତ୍ରିକା ଟିରେ ତା'ର ଗୋଟିଏ କାହାଣୀ ପ୍ରକାଶ ପାଇଥାଏ। ତାକୁଇ ନେଇ କଥାବାର୍ତ୍ତା ଆରମ୍ଭ ହେଲା ଓ ମାତ୍ର ୩ ଘଣ୍ଟାର ଯାତ୍ରା ଭିତରେ ସେ ବ୍ୟକ୍ତି ଜଣଙ୍କ ସହିତ ଖୁବ୍ ଭଲ ପରିଚୟ ଏବଂ ଠିକଣା ଆଦାନ ପ୍ରଦାନ ହୋଇଗଲା। ସେ ଥିଲେ ଜଣେ ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀ।

 

ପ୍ରାୟ ୩-୪ ମାସ ପରେ ସେହି ବ୍ୟକ୍ତି ଜଣଙ୍କୁ ମଧୁ ନିଜଘରେ ଦେଖି ଆଶ୍ଚର୍ଯ୍ୟ ହେଇଥିଲା। ତାଙ୍କୁ ଦେଖା କରିବା ପାଇଁ ବୋଉ ଏମିତି ବ୍ୟସ୍ତ କରି ହଠାତ ହଷ୍ଟେଲ ରୁ ଡକେଇଥିଲା। ସବୁକଥା ଜାଣିବା ପରେ ଦେହସାରା ଯେମିତି ଗୁଡାଏ ପ୍ରଜାପତି ଏଠି ସେଠି ଉଡି ବସୁଥିଲେ। ସେ ତାଙ୍କର ଏକମାତ୍ର ପୁଅ ଚନ୍ଦନ, ଯେ କି ଜଣେ ପ୍ରଶାସନିକ ସେବା ଅଧିକାରୀ, ତା ଲାଗି ବିବାହ ପ୍ରସ୍ତାବ ନେଇ ଆସିଥିଲେ। ନିଜ ନାଁ ଭଳି ଚନ୍ଦନ ବି କାଳେ ଖୁବ ଶାନ୍ତ,ସୌମ୍ୟ ଓ ଆଦର୍ଶ ପିଲାଟିଏ। ଘରେ ସମସ୍ତେ ଖୁସି। ମଧୁ ବି ଖୁବ ଖୁସି ହୋଇଥିଲା। ହଷ୍ଟେଲ ଫେରିବା ଆଗରୁ ନିର୍ବନ୍ଧ ସରିଗଲା। କଥା ଥିଲା ଏମ୍.ଫିଲ୍. ସରିବା ପରେ ବାହାଘର ହେବ। କିନ୍ତୁ ଭାବୀ ଶାଶୁ ହଠାତ୍ ବେମାର ହୋଇ ପଡିଲେ ଓ ତାଙ୍କ ଅନ୍ତିମ ଇଚ୍ଛା ବ୍ୟକ୍ତକଲେ ବୋହୁକୁ ଶୀଘ୍ର ଘରକୁ ଆଣିବା ପାଇଁ। ତାଙ୍କ ଖୁସି ଲାଗି ପରୀକ୍ଷା ର ମାସେ ପୂର୍ବରୁ ବାହାଘର ହେଲା। ମଧୁ ଯିବା ପରେ ସେ ଖୁବ୍ ଶୀଘ୍ର ସୁସ୍ଥ ହୋଇଗଲେ। ମାତ୍ର ବର୍ଷଟିଏ ପରେ ଚିରଦିନ ଲାଗି ଆଖି ବୁଜିଲେ।

 

ଚନ୍ଦନଙ୍କ ପୋଷ୍ଟିଂ ପ୍ରାୟତଃ ବାହାରେ। ସଚ୍ଚୋଟ ଅଫିସର ସେ, ତେଣୁ ବାରମ୍ବାର ବଦଳି ତାଙ୍କ ପାଇଁ ଦେହସୁହା। ହେଲେ ଶ୍ବଶୁରଙ୍କୁ ପରିଣତ ବୟସରେ ଏତେଥର ସ୍ଥାନ ପରିବର୍ତ୍ତନ ସୁହାଏନି। ସେଥିପାଇଁ ମଧୁ, ଶ୍ବଶୁର ଓ ସାନ ନଣନ୍ଦ,ଦିଅରଙ୍କ ସହିତ ଓଡିଶାରେ ହିଁ ରହିଲା। ଚନ୍ଦନ କିନ୍ତୁ ସ୍ବାମୀ ଭାବରେ ଖୁବ୍ ଉଦାସୀନ। କେବେ କୌଣସି ପ୍ରକାର ଅଭାବ କରିନାହାନ୍ତି ମଧୁକୁ। ହେଲେ ସବୁଠୁ ବଡ ଅଭାବ ଥିଲା ଆନ୍ତରିକତା ର। ସ୍ବାମୀ-ସ୍ତ୍ରୀ ର ସମ୍ପର୍କ କେବଳ ଯନ୍ତ୍ରବତ୍ ଚାଲିଥିଲା। ସ୍ନେହଁ,ପ୍ରେମ, ଅନୁରାଗ ର ଉଷ୍ମତା ନଥିଲା ସେଥିରେ। ନିଜ ଆଡୁ ଅନେକ ପ୍ରଯତ୍ନ କରେ ମଧୁ। ହେଲେ ପରିଣାମ, ସେଇ ଅପରିବର୍ତ୍ତିତ ଅବିଚଳିତ ଉଦାସୀନତା।

 

ନିଜ ନିରସ ଯୁଗ୍ମ ଜୀବନର ଏଇ ବିଳାପ, କେବେ ନିଜ ବେଡ୍ ରୁମ୍ ଏରୁଣ୍ଡି ଡେଇଁ ପଦାକୁ ଆସିବାକୁ ଦେଇନି ସେ। ବିବାହର ତୃତୀୟ ବର୍ଷରେ ପୁଅ ଜନ୍ମ ହେଲା। ଶ୍ବଶୁରଙ୍କ ଗଳାମାଳି ହେଇଛି ନନ୍ଦୁ। ସେ ବି ଏବେ ସ୍କୁଲ ଗଲାଣି। ନଣନ୍ଦ ବିବାହ ପରେ ଦିଅର ବି ଉଚ୍ଚଶିକ୍ଷା ପାଇଁ ବିଦେଶ ଚାଲିଗଲେ। ଏବେ ବାହାଘର ର ୮-୯ ବର୍ଷ ପରେ ମଧୁ କୁ ଦିନରେ କିଛି ଖାଲି ସମୟ ମିଳେ। ଶ୍ବଶୁର ଥରେ ଦୁଇଥର କହିଲେ ଲେଖାଲେଖି ପୁଣିଥରେ ଆରମ୍ଭ କରିବାକୁ। ହେଲେ ସେ ଏଡାଇ ଦିଏ।

 

ବାହାଘର ପରେ ଥରେ ଲେଖାଟିଏ ଛପିଥାଏ ଏକ ନାମୀ ପତ୍ରିକାରେ। ତାକୁଇ ନେଇ ତୁମୁଳ ବଚସା କରିଥିଲେ ଚନ୍ଦନ। ସେବେଠୁ ମଧୁ ଲେଖିବା ଛାଡି ଦେଇଥିଲା। ଦିନେ ଷ୍ଟୋର ରୁମ୍ ସଫା କରୁ କରୁ ପୁରୁଣା ବାକ୍ସରୁ ମିଳିଲା ବାପା ତାକୁ ଦେଇଥିବା made in Germany ସେଇ ସୁନ୍ଦର ପେନ୍ ଟି। ସେଇଟିକୁ ଧରି ପରଲୋକଗତ ବାପାଙ୍କ ସ୍ମୃତିରେ ଛୁଆଙ୍କ ଭଳି କାନ୍ଦିଲା ମଧୁ। ହଠାତ ମନେହେଲା ବାପା କହୁଛନ୍ତି,"ମା'ରେ ଲୁହଗୁଡାକୁ ଏଇ କଲମରେ ଭରି ଶବ୍ଦରେ ପ୍ରକାଶ କର। ନଷ୍ଟ କରନା ଏମିତି ଅଚିରେ। ଲେଖିବା ତୋ ରୁଚି। ତାକୁ ଛାଡି ତୋ ଜୀବନ ଅଧୁରା''। ହଠାତ ମୁଣ୍ଡକୁ ଜୁଟିଲା, ସେ ଲେଖିବ। କିନ୍ତୁ ନୂଆ ନାଁ ରେ। ତେଣୁ ଛଦ୍ମନାମ ରଖିଲା "ଋଚିରା''। ଘର ଠାରୁ ଦୁଇଟି ପ୍ଲଟ୍ ଛାଡି ହେଡ୍ ପୋଷ୍ଟ ଅଫିସ। ସେଠିକୁ ଯାଇ ଋଚିରା ଲାଗି ଖୋଲିଲା ଏକ ପୋଷ୍ଟବକ୍ସ।

 

ଇଣ୍ଟରନେଟ ଯୁଗରେ ଲେଖାଟିଏ ଲେଖିବା ଓ ପଠାଇବା ତା ଲାଗି ବିଶାଷ କଷ୍ଟକର ନଥିଲା। ଅଳ୍ପ ଦିନରେ ଖୁବ ଭଲ ଆଦୃତି ପାଇଲା ପାଠକ ସମାଜରେ ନିଜ ଦରଦୀ ଲେଖା ଯେଗୁଁ। ଲେଖାରେ ତା'ର ଭରି ରହିଥିଲା ବିବାହୋତ୍ତର ଜୀବନର ଯେତେକ ଚାପା ବିଳାପ। ପାଠକ ମାନେ ଅଧିକନ୍ତୁ ଜଣେ ଲେଖକର ଶବ୍ଦରେ ପ୍ରକାଶିତ ଦୁଃଖରେ ନିଜ ଜୀବନର ଛାଇ ଖୋଜନ୍ତି। ସୁଖ ଯେମିତି ସୁଖଦ ପ୍ରହେଳିକା ଟିଏ ଲାଗେ।  ଦୁଃଖ ଏକ ଚିରନ୍ତନ ସତ୍ୟବତ୍ ଆଦୃତି ଓ ବିଶ୍ବାସ ପାଏ ପାଠକ ଠାରୁ। ତେଣୁ ଋଚିରା ନାଁ ଟି ଅଚିରେ ପରିଚିତ ହୋଇଯାଇଥିଲା ପାଠକ ମହଲରେ। ସେ ନିୟମିତ ବ୍ଲଗ୍ ବି ଲେଖେ। ସୋସିଆଲ ମିଡିଆରେ ବି ଖୁବ୍ ଲମ୍ବା ପ୍ରଶସଂକ ତାଲିକା। ସବୁରୀ ମନରେ ସେଇ ଏକ ଚାପା ପ୍ରଶ୍ନ, ଋଚିରା କାହିଁକି ନିଜକୁ ସର୍ବଦା ଆଢୁଆଳରେ ରଖିଛି? କାହିଁକି ଯାଏନି ବ୍ୟକ୍ତିଗତ ଭାବେ ପୁରସ୍କାର ନେବାକୁ? ଏମିତିକା ଆହୁରି ଅନେକ ପ୍ରଶ୍ନ। ସେସବୁ କୁ ଚତୁରତାର ସହ ଏଡାଇ ଯାଏ ମଧୁ।

 

ଗତଥର ଚନ୍ଦନ ଓଡିଶା ଆସିବା ବେଳେ ତାଙ୍କ ହାତରେ ୨-୩ ଟି ପତ୍ରିକା ଥିଲା। ଓଡିଆ ପତ୍ରିକା ଟିରେ ମଧୁ ର, ମାନେ ଋଚିରା ଲିଖିତ ଗୋଟିଏ କାହାଣୀ ଏବଂ ଇଂରାଜୀ ପତ୍ରିକା ଟିରେ ତା କବିତା ର ଇଂରାଜୀ ଅନୁବାଦ ପ୍ରକାଶ ପାଇଥିଲା। ରାତିରେ କଟାକ୍ଷ କରି ଚନ୍ଦନ କହୁଥିଲେ,"ବିଚରା ସେ ଋଚିରା ର ସ୍ବାମୀ। ସ୍ତ୍ରୀ ଲେଖିକା ହେଲାନି ଯେ, ଚିନ୍ତାର କାରଣ ହେଲା। ଏ କବି, ଲେଖକ ମାନଙ୍କୁ କି ବିଶ୍ବାସ? ଛୋଟ ଛୋଟ ଘଟଣାକୁ ବି ଏମିତି ଢଙ୍ଗରେ ରଙ୍ଗଦେଇ ଲେଖିବେ ଯେ ପଢିବା ଲୋକ ସହାନୁଭୂତିଶୀଳ ହୋଇପଡିବ। କେହି କେହି ଭାବୁଥିବେ ସ୍ବାମୀଟା ତା'ର ଗୋଟେ ପାଷଣ୍ଡ, ଅମଣିଷ ଟାଏ। ଦେଖୁନ ସେ ଋଚିରା ର ସାକ୍ଷାତକାର ବାହାରିଛି। ହା ହା, ସାକ୍ଷାତକାର ତା' ପୁଣି ପତ୍ରମାଧ୍ୟମରେ। ବିଚିତ୍ର ସେ ସ୍ତ୍ରୀଲୋକ। ଭାଗ୍ୟଭଲ ତୁମର ସେ ଲେଖାଲେଖି ଭୂତଟା ଓହ୍ଲେଇ ଯାଇଛି ବହାଘର ପରେ''। ଏତକ କହି ସେ ଆରାମରେ ଶୋଇ ପଡିଲେ, ହେଲେ ମଧୁ ଆଖିରୁ ନିଦ ହଜିଗଲା।

 

ସବୁଠୁ ବଡ ଚିନ୍ତାର ବିଷୟ ହେଉଛି ଏଥର ଏଇ ସରକାରୀ ପୁରସ୍କାର ଉତ୍ସବରେ ଶ୍ବଶୁର ହେବେ ସମ୍ମାନୀତ ଅତିଥି। ଚନ୍ଦନ ବି ଅଛନ୍ତି ଏଠି। ମଧୁ ମୁଣ୍ଡର ଓଜନ ଯେମିତି ଅସମ୍ଭବ ବଢି ଯାଇଛି। ଏତିକି ବେଳେ ନନ୍ଦୁ ସ୍କୁଲରୁ ଫେରିଲା ଜେଜେଙ୍କ ସହିତ। ଖୁସିରେ ଦୌଡି ଆସି କହିଲା,"ଯାଣିଛୁ ମା, କାଲି ଜେଜେ ଆମକୁ ଗୋଟେ ସମାରୋହକୁ ନେବେ,ଆଉ ସରପ୍ରାଇଜ୍ ଦେବେ। ତୁ ଆଉ ବାବା ବି ଯିବ ସେଠିକୁ''। ପୁଅର ସେ ହସ ଟିକକ ତା ଚିନ୍ତା ର ପେଡିରେ ତାଲା ପକାଇଦେଲା। ସବୁକିଛି ମା ତାରିଣୀଙ୍କୁ ସମର୍ପି ଦେଇ ମଧୁ ଉଠିଗଲା ଚା ଜଳଖିଆ ପ୍ରସ୍ତୁତ କରିବାକୁ।

 

ପରଦିନ ଠିକ୍ ସମୟରେ ପ୍ରସ୍ତୁତ ହୋଇ ସମସ୍ତେ ପହଞ୍ଚିଗଲେ ସମାରୋହ ସ୍ଥଳରେ। ପରିବାର ଲାଗି ଉଦ୍ଦିଷ୍ଟ ଆସନରେ ବସିଗଲେ ମଧୁ, ଚନ୍ଦନ ଓ ନନ୍ଦୁ। ଶ୍ବଶୁର ମଞ୍ଚ ଉପରେ ଥା'ନ୍ତି। ବିଚିତ୍ର ଗୋଟେ ଖୁସିରେ ମୁହଁ ତାଙ୍କର ଝଲସୁଥାଏ। ଋଚିରା ଲାଗି ଚିହ୍ନିତ ଆସନଟି ରିକ୍ତ ଥିଲେ ମଧ୍ୟ ଆୟୋଜକ ମାନେ ନିର୍ବିକାର ଥିଲେ, ହୁଏତ ମାନି ନେଇଥିଲେ ସବୁଥର ଭଳି ଏଥର ବି ଆସିବେ ନାହିଁ ଲେଖିକା ମହାଶୟା। ପୁରସ୍କାର ପ୍ରଦାନ ସମୟ ଆସିଲା। କ୍ରମାନ୍ବୟରେ ସମ୍ମାନ ପ୍ରଦାନ ଚାଲିଥାଏ। ଶେଷରେ ଆସିଲା ମୂଖ୍ୟ ସମ୍ମାନ ଅର୍ଥାତ ଋଚିରା ର ପାଳି। ପ୍ରଶସ୍ତିପତ୍ର ନିଜେ ପଢିବାକୁ ଇଚ୍ଛା କଲେ ଶ୍ବଶୁର। ଯାହା ଲେଖା ହୋଇଥିଲା ପଢିଲେ ଏବଂ ଶେଷରେ କହିଲେ,"ଏଇ ଋଚିରା ହେଉଚି ମୋ ସୁନାନାକି ଝିଅ, ଯାହାକୁ ଆପଣମାନେ ସମସ୍ତ ମୋ ବୋହୁ ବୋଲି ଚିହ୍ନନ୍ତି। ମା' ମୋ'ର ଏଠିକୁ ଆସି ସମ୍ମାନ ନେଇ ମୋତେ ସମ୍ମାନିତ କରିଦେ। ଆ ମଧୁ, ମଞ୍ଚକୁ ଆସେ ମା''।

 

ହତପ୍ରଭ ମଧୁମିତା ଆଖିରୁ ଝରିପଡୁଥିଲା ଆନନ୍ଦାଶ୍ରୁ। ଥରେ ଚନ୍ଦନ ଙ୍କୁ ଦେଖିଲା। ସେ ଜଡ ଭଳି ବସିଥାନ୍ତି। ନନ୍ଦୁ ତାଳି ମାରି ଡେଉଁଥାଏ। ମଞ୍ଚକୁ ଯାଇ ଶ୍ବଶୁରଙ୍କ ଠାରୁ ପୁରସ୍କାର ଗ୍ରହଣକଲା ମଧୁମିତା। ବାପା ମଞ୍ଚ ଆଢୁଆଳରୁ ଠିଆ ହୋଇ ଲୁହ ପୋଛୁଥିଲେ। ତାଙ୍କ ଅଦୃଷ୍ଟ ଆତ୍ମାକୁ ଅଦୃଷ୍ଟ ପ୍ରଣାମ ଜଣାଇ ମଧୁ କହୁଥିଲା,"ବାପା, ତୁମକୁ ଶ୍ବଶୁରଙ୍କ ଭିତରେ ପାଇଛି। ଦୁଃଖ କାହିଁକି''? ସେପଟେ ଚନ୍ଦନ ସେମିତି ନିର୍ବିକାର ବସିରହିଥିଲେ ଦର୍ଶକ ଙ୍କ ଭିତରେ.....

 


Rate this content
Log in