Pratibha Priyadarshini

Inspirational

5.0  

Pratibha Priyadarshini

Inspirational

ମା, ମାଟି ଓ ମହାନଦୀ

ମା, ମାଟି ଓ ମହାନଦୀ

6 mins
538



ଉଦୁଉଦିଆ ଦିପହରେ ନଈକୂଳ ଓସ୍ତଗଛ ଛାଇ ଓ ପବନ ଯେଉଁ ଶୀତଳତା ଦିଏ ତା ଆଗରେ କୋଉ ଏସି ଫେସି ସମାନ ହେବେନି। ସୁଲୁସୁଲିଆ ପବନ ସହିତ ଖାଁ ଖାଁ ନଦୀବନ୍ଧ ସ୍ମୃତିରେ ହଜିଯିବା ପାଇଁ ଅନୁକୂଳ ବାତାବରଣ। ଆଗରେ ଦିଗନ୍ତ ବିସ୍ତାରି ପ୍ରଲମ୍ବିତ ସିକତା। ମଝିରେ କ୍ଷିଣାଙ୍ଗୀ ମହାନଦୀ ନିଜକୁ ଘୋଷାରି ଚାଲିଛି ସମୁଦ୍ର ମିଳନର ଅଭିସାର ନେଇ। ଆଗରୁ ଖରାଦିନେ ନଦୀ ତଳବନ୍ଧରୁ ଲମ୍ବିଥିବା ପଥର ପାହାଚ ଗୁଡାକୁ ମୁକୁଳା କରି ଖସିଯାଏ ସବା ଶେଷ ପାହାଚ ଯାଏଁ। ଗୋଡ଼ କାଟେ ସେବେ ଗାଧେଇ ସାରି ଫେରିବାବେଳେ। ଅଣତିରିସଟା ପାହାଚରୁ ପ୍ରାୟ ସତେଇଶି କି ଅଠେଇଶି ପାହାଚ ଚଢିବା ବେଳକୁ ବିଶୁ ବିଚରା ଥକିଯାଏ। ଏଠୁ ଗଲେ ଆଗ ତଳବନ୍ଧରେ ଘାଟ ମଙ୍ଗଳା ମନ୍ଦିରରେ ହାଜିରା ଦେବ, ଖଣ୍ଡେ ଦୂର ଚାଲି ପଡିଆ ପରେ ପଥର ଘୋଷରା ଚଢି ଉପରବନ୍ଧରେ ଠିଆ ହେଲା ବେଳକୁ ନିଶ୍ୱାସ ପେଟରୁ ଆସି ଛାତିରେ ଅଟକୁ ଥିବ। ସେଠୁ ତଳ ଘୋଷରା ଦେଇ ଓହ୍ଲେଇ ଗଲେ ଗୋଟେ ବଡ଼ ନିଶ୍ୱାସ ମାରେ ବିଶୁ। ତଳେ ପୁଣି ଗାଁ ଠାକୁରାଣୀ ଷଷ୍ଠୀ ଦେବୀଙ୍କ ଆସ୍ଥାନ। ସେଠି ଭାରି ଛାଇ ଆଉ ଥଣ୍ଡା। ସେଠା ବରଗଛ ମୂଳେ ବାପା ପାଣି ଢାଳନ୍ତି, ସେତିକି ସମୟ ଠାକୁରାଣୀଙ୍କୁ ମୁଣ୍ଡିଆ ମାରୁ ମାରୁ ମନହୁଏ ସିମେଣ୍ଟ ଚାନ୍ଦିନୀ ଉପରେ ଘଡ଼ିଏ ଶୋଇପଡିବାକୁ। ହେଲେ ବାପା ଡାକଟେ ପକେଇ ଧପ୍ ଧପ୍ ଘରକୁ ମାଡି ଚାଲନ୍ତି ଆଉ ବିଶୁ ଦଉଡେ ତାଙ୍କ ପଛରେ। ଆଶ୍ଚର୍ଯ୍ୟ ଲାଗେ ତାକୁ, ତାକୁ ଏତେ କଷ୍ଟ ହେଉଛି ହେଲେ ବାପା ଗୋଟେ ଗରା କାନ୍ଧରେ ଆଉ ଗୋଟେ ହାତରେ ଧରି ନଦୀରୁ ଆସନ୍ତି। ଦୁଇ ଠାକୁରାଣୀଙ୍କ ପାଖରେ ଅଧା ଅଧା କରି ଗରାଏ ପାଣି ଢାଳି ଗୋଟିଏ ଗରା ନେଇ ଘରକୁ ଯିବା ବେଳେ ତାଙ୍କୁ ଜମା ହାଲିଆ ଲାଗେନି କେମିତି ! ହଁ, ବୋଉ ବି ତ କାଖରେ ମୁଣ୍ଡରେ କରି ଦୁଇଟା ଗରାରେ ନଈରୁ ପାଣି ବୋହି ଆଣେ ସବୁଦିନ। 


ଘରେ ପହଞ୍ଚି ତରତରରେ ଖାଇଦେଇ ସ୍କୁଲ ବହାରିଯାଏ ସେ। ପ୍ରାର୍ଥନା ପୂର୍ବରୁ ସଫେଇ କାମ ପାଳିକରି କରିବାକୁ ହୁଏ। ଶ୍ରେଣୀ କୋଠରୀରୁ ସ୍କୁଲ ହତା, ସବୁ ସଫା କରିବାକୁ ହୁଏ ପିଲାଙ୍କୁ। ଉଦ୍ୟାନ ପିରିୟଡ଼ରେ ଲଗେଇଥିବା ଗଛ ମାନଙ୍କ ଯତ୍ନ ନେବାକୁ ହୁଏ। ସ୍କୁଲ ପାଚିରୀକୁ ଲାଗି ଥିବା ବାଉଁଶ ବୁଦାଟା ସଫେଇ କାମ ବେଶୀ କଷ୍ଟିଆ କରିପକାଏ। ପ୍ରାର୍ଥନା ଆରମ୍ଭ ହେଲା ପରେ ଯିଏ ପହଞ୍ଚିବ ତାକୁ ବଡ଼ସାରଙ୍କ ଅଫିସ ଆଗରେ କାନଧରି ଆଣ୍ଠେଇବାକୁ ପଡିବ। ରାସ୍ତା କଡରେ ସ୍କୁଲ। ଗଲା ଆସିଲା ଲୋକ ଦେଖିବେ, ଯିଏ ଆଣ୍ଠେଇ ଥିବ ତା ଘରେ ଖବର ପହଞ୍ଚି ଯିବ। ଆଉ ଛୁଟି ପରେ ଘରକୁ ଗଲେ ବାପା ଆସିବା ଯାଏ ବୋଉ ଯେତିକି ଗାଳି ଦେଉଥିବ, ବାପା ଆସିଲେ ସେ ଦାଇତ୍ୱ ବାପାଙ୍କୁ ହସ୍ତାନ୍ତର କରିଦେଇ ବୋଉ ଚାଲିଯିବ ନଈକି।


ନଈ ସହିତ କେବଳ ବିଶୁଘର ନୁହେଁ, ସମ୍ପୂର୍ଣ୍ଣ ଗାଁ ର ନିବିଡ ସମ୍ପର୍କ। ବିଶୁ ଓ ତାର କୁଟୁମ୍ବ କୈବର୍ତ୍ତ, ତେଣୁ ନଦୀ ତାଙ୍କ ପାଇଁ ଜୀବନଯାପନର ମାଧ୍ୟମ। ବିଶୁ ବାପା କୃପାସିନ୍ଧୁ ବେହେରା। ତାଙ୍କ ପରିବାରର ଏକା ତିନିଖଣ୍ଡ ଡଙ୍ଗା। ଦିନସାରା ବାପା ଓ ଦୁଇ ଦାଦା ଡଙ୍ଗା ବୁହାନ୍ତି। ଏପଟେ ବଡ଼ ହାଟବଜାର, ଡାକ୍ତରଖାନା, ପୋଲିସ ଫାଣ୍ଡି, ସିନେମା ହଲ ଆଉ ଯେତେ ସରକାରୀ ଦପ୍ତର। ନଦୀ ସେପଟୁ ଲୋକ ସବୁ କାମ ଲାଗି ଆସନ୍ତି ଏପାଖକୁ। ତାଙ୍କ ଗାଁ ଘାଟ ରେ ଦୈନିକ ଶହ ଶହ ଯାତ୍ରୀ ଯା ଆସ କରନ୍ତି। ଖୁବ ଭଲ ରୋଜଗାର ହୁଏ।


ସପ୍ତାହକୁ ଥରେ ବିଶୁବାପା ଛୋଟ ଡଙ୍ଗା ନେଇ ମାଛ ଧରିବାକୁ ଯାନ୍ତି। ନଦୀ ଏପାରି ସେପାରି ଦଶଖଣ୍ଡ ଗାଁ ରେ କୁରୁପା କେଉଟର ନାଁ ଡାକ। ଗର୍ଭିଣୀ ନଈରେ ସାହସ କରି ନା ମେଲିଦେବା ଭଳି କଲିଜା ଥିଲା କୁରୁପାର। ଲୋକଟା ବି ସେମିତି ଦେଖିବାକୁ। ଡେଙ୍ଗା ଦେହ, ଚଉଡା ଛାତି, ଶ୍ୟାମଳ ରଙ୍ଗ ଓ କୁଞ୍ଚୁକୁଞ୍ଚୀଆ କେଶ ଧାରି ବାପାଙ୍କ ଚେହେରା ମନେ ପଡିଲେ ବିଶୁକୁ ଲାଗେ ବାପା ତା'ର କୌଣସି ସିକ୍ସପ୍ୟାକ ଵାଲା ସିନେମା ହିରୋ ଭଳି ଥିଲେ। ରୂପସୀ ମହାନଦୀ ଛାତିରେ ନିଜ ପୌରୁଷର ଦର୍ପ ନେଇ ଠିଆ ହେଉଥିବା ଲୋକଟା ଯେ ଖରାଦିନିଆ ନଈରେ ଡଙ୍ଗା ବୁଡି ସବୁଦିନ ଲାଗି ହଜିଯିବ, ସେକଥା କେହିବି ବିଶ୍ୱାସ କରି ପାରିନଥିଲେ। ବୈଶାଖ ମାସ ସଞ୍ଜ, ହଠାତ ଗାଁ ସାରା ହୁଲୁସ୍ତୁଲ ହେଲା "କୁରୁପା ଡଙ୍ଗା ଭଉଁରୀରେ ପଡି ଓଲଟି ଗଲା। ଘଣ୍ଟେ ଖୋଜା ଖୋଜି ପରେ କିଛି ମିଳୁନି। ଦମକଳ ବି ଆସିଲା। ହେଲେ କିଛି ମିଳିଲାନି। ତିନିଦିନ ଯାଏ ବୋଉ ସହିତ ବିଶୁ ଏଇ ଘାଟ ମଙ୍ଗଳାଙ୍କ ଚାନ୍ଦିନୀରେ ବାପାଙ୍କ ଅପେକ୍ଷାରେ ବସି ରହିଲା। ହେଲେ ବାପା ଆସିଲେନି। ତିନିଦିନ ପରେ ନରାଜରୁ ଛାଣି ଅଣାହେଲା ତାଙ୍କ ଶବ। କାଠ ଭଳି ହେଇଯାଇଥିବା ବୋଉ ଧୁମ କରି ପଡିଗଲା ସେଇଠି ବାପାଙ୍କ ପାଖରେ। ବିଶୁ ସେତେବେଳେ ବିଏ ପଢୁଥାଏ । ବୋଉକୁ ସମ୍ଭାଳି ଥିଲା ସେ। ଏଇ ଧାରେ ପାଣିରେ କଣ କେହି ବୁଡିଯାଇପାରେ !!! 


ବାପା......ବୋଲି ଡାକି ହଠାତ ଚମକି ପଡିଲା ବିଶୁ। ଲାଗୁଥିଲା ଏଇ ଯେମିତି ବାପା ଦୁଇଗରା ପାଣି ଧରି ଆସୁଛନ୍ତି। ଘାଟ ମଙ୍ଗଳାଙ୍କ ମନ୍ଦିର ପାଖରେ ପାଣି ଦୁଇଟା ଥୋଇଦେଇ ଠିଆ ହେଲେ। କହିଲେ, "ବିଶୁ ! କଣ ଦେଖୁଚୁରେ ? ଦେଖ ଆଉ ଘାଟ ନାହିଁ। ହେଲେ ଘାଟ ନାହିଁ ବୋଲି କେଡେ ନାରଖାର କରିଛନ୍ତି ଏ ଘାଟ, ଏ କୂଳ ଆଉ ଏ ନଈକୁ। ଏ ଠାକୁରାଣୀ ମନ୍ଦିର ଦେଖେ କେତେ ମଦ ବୋତଲ, ଚିଲମ ଆଉ ବିଡ଼ି ସିଗାରେଟ ଏଠି। ତୁ ତ ଜାଣିଛୁ ବାପ, ଏଇ ଠାକୁରାଣୀଙ୍କ ଅଭୟ ପାଇ ରାତି ରାତି ଘାଟ ଜଗି ଶୋଉଥିଲୁ ଆମେ ଚାଳିଆରେ। ଅଜଣା ଲୋକ ବି ଅଧରାତିରେ ନିର୍ଭୟ ପାଉଥିଲା ମା କୁ ଡାକେ ମାରିଦେଇ। ଯୋଉ ପଡିଆରେ ଗୋରୁ ଗାଈ ଚରୁଥିଲେ ସେ ଆଜି ଟାଙ୍ଗରା ଭୂଇଁ। ତୁ କିଛି କର ଏ ମା ଠାକୁରାଣୀ, ନଈକୂଳ ମାଟି ଆଉ ଆମ ମହାନଦୀ ପାଇଁ।" ପାଣିଗରା ଧରି ଚାଲିଯାଉଥିଲେ ବାପା।


ସେ ସ୍ୱପ୍ନରେ କି ସତ ସମୟରେ ଠିଆ ହୋଇଛି, ସେକଥା ବୁଝି ପାରୁନଥିଲା ବିଶୁ। କିନ୍ତୁ ବାପାଙ୍କ କଥାକୁ ଆଦେଶ ବୋଲି ଭାବିନେଲା ସେ ଆଉ ପ୍ରଣ କଲା ତାଙ୍କ ଇଚ୍ଛା ପୂର୍ଣ୍ଣ କରିବବୋଲି। ମାଟ୍ରିକ ବେଳେ ଭଲ ପଢୁଥିଲା ବୋଲି ହେଡ଼ସାର କହିଲେ ବିଶୁ ଲାଗି ସରକାରୀ ବୃତ୍ତି ମିଳିଯିବ ଅନୁସୂଚିତ ଜାତି କୋଟାରେ। କୋଟାରେ ଭଲ କଲେଜରେ ଆଗକୁ ପଢି ପାରିବ ବିଶୁ। ତହସିଲଦାରଙ୍କ ଠୁ ଜାତି ପ୍ରମାଣପତ୍ର ଖଣ୍ଡେ ଆଣିବାକୁ ହେବ କେବଳ। ବାପା ସେଇଠି ରୋକଠୋକ ମନା କରିଦେଲେ। କହିଲେ, ମୋ ପୁଅ ତା ଯୋଗ୍ୟତା ନେଇ ପାଠ ପଢୁ, ବୃତ୍ତି ପାଉ। ସେଥିକି ନପାରିଲେ ମୋ ସାଙ୍ଗରେ ଆମ କୂଳ ବେଉସା କରିବ। ଜାତି ଦେଖେଇ କାହା ହାତଟେକା ନେବନି କି ଅନ୍ୟ ଯୋଗ୍ୟ ପିଲାର ହକ ମାରିବନି। ବିଶୁ ନିଜ ଯୋଗ୍ୟତା ବଳରେ ଓଏସ୍ ପାଇଲା। ବିଡ଼ିଓ ହେଲା। ଆଜି ସେ ଗାଁ ପିଲାଙ୍କ ପାଇଁ ଆଦର୍ଶ। ଏଇ କିଛି ଦିନ ତଳେ ବଦଳି ହୋଇ ଆସିଛି ଏଠିକି।


ବାପାଙ୍କ କଥାକୁ କାମରେ ଲଗେଇବା ପାଇଁ ଅଣ୍ଟା ଭିଡ଼ିଲେ ବିଡ଼ିଓ ବିଶ୍ଵବନ୍ଧୁ ବେହେରା। ବ୍ଲକର ସବୁ ଗାଁରେ ଏବେ କ୍ଲବ ମାନ ଅଛି। କ୍ଲବ ପିଲାଙ୍କୁ ଡାକି ବୈଠକ କଲେ। ଯୋଜନା ପ୍ରସ୍ତୁତ କଲେ। ରଜ ବେଳକୁ ଆରମ୍ଭ ହେଲା ଅଭିନବ ପ୍ରତିଯୋଗିତା। "ଆମ ଗାଁ ନଈକୂଳ" ନାଁ ରେ ଚାଲିଲା ନଦୀକୂଳ ପଡିଆରେ ବୃକ୍ଷ ରୋପଣ ଓ ଅନ୍ୟାନ୍ୟ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମ। ସବୁ କ୍ଲବକୁ ମିଳିଲା ସମାନ ଅନୁଦାନ। ଯିଏ ସେଇ ଅନୁଦାନ ରେ ସବୁଠୁ ବେଶି କାମ କରିବ, ତାକୁ ମିଳିବ ଲକ୍ଷେ ଟଙ୍କାର ପୁରସ୍କାର। ସବୁ ଗାଁ ରେ ଲାଗି ପଡିଲେ ଯୁବକ ମାନେ। ବିଶୁ ପାଖକୁ ଆସିଲେ ତାଙ୍କ ଗାଁ ପିଲା। ପଚାରିଲେ କିଛି ଉପାୟ। ବିଶୁ ବତେଇଦେଲେ ଅଭିନବ ଉପାୟ କେତେ, ସେଥିରେ କାମ ସାଙ୍ଗକୁ ସଞ୍ଚୟ ଓ ଉପାର୍ଜନ ବି ହେଲା। ଛୋଟ ପିଲାଙ୍କ ହାତରେ ଦିଆଗଲା ମଞ୍ଜି ସଂଗ୍ରହ କାମ। ମହିଳା ମାନେ ସ୍ୱୟଂ ସହାୟକ ଗୋଷ୍ଠୀ ଗଢି ଚାରା ପ୍ରସ୍ତୁତ କଲେ। ବର, ଓସ୍ତ, ଜାମୁ, ପଣସ, ଆମ୍ବ, କଦମ୍ବ ଭଳି ବଡ଼ ବଡ଼ ଗଛ ଲଗା ହେଲା ଉପରବନ୍ଧର ଦୁଇପାଖ ଓ ପଡିଆରେ। ତଳବନ୍ଧ ପଡ଼ିଆରେ ଲାଗିଲା ଗେଣ୍ଡୁ ତଳି। ବଳକା ଚାରା ଅନ୍ୟ ଗାଁ ପିଲାଙ୍କୁ ବିକ୍ରି କରି ବେଶ କିଛି ପଇସା ମିଳିଲା। ଗାଁ ଯାକର ଗୋବର ଆଉ ପରିବା ଚୋପା, ଆଖୁ ଛେଦା, ପଚା ଛଣ ଇତ୍ୟାଦିରୁ ତିଆରି ହେଲା ଖତ। ସେ ଖତ ବି ଖୁବ ବିକ୍ରି ହେଲା ନିଜ ବ୍ୟବହାର ପରେ। ପାଳିକରି ପାଣି ଦିଅନ୍ତି ସମସ୍ତେ। ବର୍ଷ ଶେଷକୁ ପୁରସ୍କାର ଦିଆଗଲା। ପାଇଲା ଵାଲା ଆଉ ନପାଇଲା ବାଲା କିନ୍ତୁ ସେତେବେଳକୁ ଅଭ୍ୟସ୍ତ ହୋଇସାରିଥାନ୍ତି ଏ କାମରେ। ତିନିବର୍ଷ ଭିତରେ ସବୁଜିମାରେ ଭରପୁର ହୋଇ ଉଠିଲା ନଈକୂଳ। ତଳ ପଡିଆର ଉର୍ବର ମାଟିରେ ଫୁଲ ଚାଷ ସାଙ୍ଗକୁ ପନି ପରିବା ଖୁବ ହେଉଛି ଏବେ। ଉପର ପଡିଆ ବଡ଼ ଗଛ ସବୁ ବେଶ ଉଧେଇ ଗଲେଣି। ମଝିରେ ମଝିରେ ସିମେଣ୍ଟ ପିଣ୍ଡି ମାନ ଗଢିଛନ୍ତି ଗାଁ ଲୋକେ। ସହରି ଲୋକ ଯାଗା ଖୋଜି ଖୋଜି ଆସୁଛନ୍ତି ଶୀତଦିନେ ବଣଭୋଜି କରିବାକୁ। ନଈ ଏବେ ଆଗ ଅପେକ୍ଷା ଆଉ ଟିକେ ସ୍ୱାସ୍ଥ୍ୟବତୀ ଦିଶୁଛି ଖରାଦିନେ। ସବୁଠୁ ବଡ଼କଥା, ଖରାଦିନିଆ ଧାର ବି ରହୁଛି ସେଇ ୨୯ ପାହାଚ ଠୁ ଟିକିଏ ଆଗକୁ।


ତାଙ୍କ ଦେଖାଦେଖି ଆଉ କେତେ ନଦୀକୂଳିଆ ଅଞ୍ଚଳ ଏ ପ୍ରଥାକୁ ଆପଣେଇଲେଣି। ଖୁବ ସମ୍ମାନ, ପ୍ରତିଷ୍ଠା, ପୁରସ୍କାର ଓ ପ୍ରସିଦ୍ଧି ପାଇଲେ ବିଶୁ ଓ ତାଙ୍କ ଅଞ୍ଚଳର ଲୋକମାନେ। ଆଜି ଚିତାଲାଗି ଅମାବାସ୍ୟା। ପିଲାଦିନେ ବୋଉ ଚିତଉ ପିଠା ଦେଇ ପଠାଏ ନଈ କୂଳେ ଠାକୁରାଣୀଙ୍କ ପାଖରେ ଓ ନଈକୁ ଦେବା ପାଇଁ। ସେତେବେଳେ ଚିତଉ ଅମାସିଆ ବେଳେ ନଈରେ ପାଣି ଭର୍ତ୍ତି ଥାଏ। ତଳ ବନ୍ଧରେ ଅଳ୍ପ କେଇଟା ପାହାଚ ଓହ୍ଲେଇ ଗଲେ ପାଣିକୁ ଖଣ୍ଡ ଖଣ୍ଡ ପିଠା ଛିଣ୍ଡେଇ ପକେଇ ହୁଏ। ଗେଣ୍ଡା ଖା, କୋଚିଆ ଖା କହି ବିଶୁ ପିଠା ପାଣିକି ପକାଏ। ଠାକୁରାଣୀଙ୍କ ପାଖରେ ଥିବା ଅନ୍ୟ ଘର ପିଠାକୁ ବି ପାଣିକି ପକେଇ ଦିଏ। ଢେର ଦିନୁ ପାଣି ଦୂରରେ ରହିବା ଯୋଗୁଁ କେହି ଆସନ୍ତିନି ପିଠା ନେଇ। ଆଜି କିନ୍ତୁ ଆସିଛନ୍ତି ଗାଁ ଲୋକ। ପିଲାଏ ସ୍କୁଲ ପରେ ଖେଳୁଛନ୍ତି ନଈକୂଳ ପଡ଼ିଆରେ। ସଞ୍ଜ ନଇଁ ଗଲାଣି କେତେବେଳେ ଜାଣିହେଲାନି। ବନ୍ୟା ପାଣି ମାପ ଖୁଣ୍ଟ କୁ ଆଉଜି ଢୁଳେଇ ପଡିଥିଲା ବିଶୁ। ହଠାତ ମଧୁର ଝୁଣା ବାସ୍ନାରେ ମୋହାବିଷ୍ଟ ସନ୍ଧ୍ୟା ଉପସ୍ଥିତ, ଟିକି ମନ୍ଦିର ଭିତରୁ ଘାଟ ମଙ୍ଗଳାଙ୍କ ରୁପା ଆଖି ଓ ଚିତା ଚିକମିକ ଦିଶୁଥାଏ କ୍ଷୀଣ ଦୀପଶିଖାର ଉଜ୍ଜ୍ୱଳ ଆଲୋକରେ। ଆଉ ଏପଟକୁ ବୁଲି ଦେଖେତ, ବାପା ବସିଛନ୍ତି ପ୍ରଶାନ୍ତ ମୁଦ୍ରାରେ ସ୍ମିତହାସ୍ୟ ପିନ୍ଧି। ବିଶୁ ନଇଁ ପଡ଼ିଲା ଆଶୀର୍ବାଦ ନେବାକୁ। ତୁ ମୋ କଥା ରଖିଲୁ ବାପ, ଏବେ ମୁଁ ଖୁବ ଖୁସି। ସୁଖି ହୁଅ.....ଏତିକି କହି ନଦୀ ଆଡକୁ ଚାଲିଯାଉଥିଲେ ବାପା। ତାଙ୍କୁ ଅଟକେଇବାକୁ ଧାଇଁ ଯିବାବେଳେ ପଛରୁ ଗୁରୁଗମ୍ଭୀର ନାରୀକଣ୍ଠଟିଏ ଆକଟ କରି ଅଟକେଇଲା "ରହିଯା ବିଶୁ, ବାପା ଯାଉ। ତୁ କେବଳ ବାପା କଥା ମାନି କର୍ମ କର"। ଚମକି ପଡି ବୁଲି ଦେଖିଲା ବେଳକୁ ମା ମଙ୍ଗଳାଙ୍କ ମନ୍ଦିର ଭିତର ଉଦ୍ଭାସିତ ହେଉଥିଲା ଏକ ବିଚିତ୍ର ଆଭାରେ, ଆଉ ସେପଟେ ପାଣି ଉପରେ ଚାଲି ଚାଲି ବାପା ପହଞ୍ଚି ଯାଇଥିଲେ ନଈ ମଝାମଝି। ସେଠି ଚକ୍ରାକାର ଭଉଁରୀ ଭଳି ଘୁରି ଘୁରି ମିଳେଇଗଲା ତାଙ୍କ ଛାୟା। ମାଟିରୁ ଟିପେ ମଥାରେ ବୋଳି, ମା ମଙ୍ଗଳା ଓ ମହାନଦୀକୁ ଆଭୂମ ପ୍ରଣାମ କରି ଫେରିବା ବାଟ ଧରିଲେ ବିଶୁ। ଏପଟେ ପହଞ୍ଚିବା ବେଳକୁ ଷଷ୍ଠୀ ମାତାଙ୍କ ମନ୍ଦିର ପ୍ରାଙ୍ଗଣରେ ଆରମ୍ଭ ହୋଇସାରିଥାଏ ଚଣ୍ଡୀ ପାଠ। ଝୁଣା, ଧୂପ ଓ ଗୁଗ୍ଗୁଳ ବାସ୍ନାରେ ସ୍ଫୁର୍ତ୍ତ ହେଉଥିଲା ବାପାଙ୍କ ଆଶୀର୍ବାଦ ଲବ୍ଧ ବିଶୁର ମନପ୍ରାଣ ।


Rate this content
Log in

Similar oriya story from Inspirational