STORYMIRROR

Seetaram Dash

Classics

2  

Seetaram Dash

Classics

ଶ୍ରଦ୍ଧା ଏବଂ ବିଶ୍ୱାସ

ଶ୍ରଦ୍ଧା ଏବଂ ବିଶ୍ୱାସ

2 mins
307

ନନ୍ଦ ବାବୁ ମୋର ସହକର୍ମୀ। ଯଦି କେବେ ପାଗ ଖରାପ ଥାଏ କିମ୍ବା ଅଫିସ ରେ କାମ ଅଧିକ ହୋଇଯାଏ, ଆମେ ଘରକୁ ନ ଯାଇ ରହିଯାଉ। ରହିବା ପାଇଁ ଅଫିସ ତରଫରୁ ଘର ମିଳିଛି। କିଛି ଜରୁରୀ କାମ ପାଇଁ ଆଜି ରହିବାକୁ ପଡିଲା। ଖାଇ ସାରି ବାହାର ବାରଣ୍ଡାରେ ବସିଛୁ। ନନ୍ଦ ବାବୁଙ୍କ ଘରୁ ଫୋନ ଆସିଲା। 


କାଲି ସକାଳୁ ନିତ୍ୟକର୍ମ ସାରି ସାତଟି ତୁଳସୀ ପତ୍ର ମୁହଁ ଅନ୍ଧାରରୁ ଖାଇବ।


କାହିଁକି? କିଏ କହିଛି?


ପ୍ରଭୁ ଜଗନ୍ନାଥ, ପୁରୀ ରାଜାଙ୍କୁ ସ୍ୱପ୍ନରେ କହିଛନ୍ତି


କେବଳ ଓଡ଼ିଶାର ଲୋକେ ଖାଇବେ ନା ସାରା ଭାରତରେ


ତମେ ଏମିତି କଣ କହୁଛ


ନ ଖାଇଲେ କଣ ହେବ


ତମର ଭଲ ମନ୍ଦ କିଛି ନାହିଁ। ସବୁବେଳେ କଣ ତମର ଏମିତି କଥା


ତମେ ଯଦି ଆଉ ଦି ଅକ୍ଷର ପଢ଼ିଥାନ୍ତ, ଏସବୁ ଗୁଜବ ଆଉ ଅନ୍ଧବିଶ୍ୱାସ କଥା ଗୁଡିକ ଫୋନ କରି କହି ନ ଥାନ୍ତ

   

 ଏସବୁ ମତେ ଦେଖାଇ ହେବା ପାଇଁ ହେଉ, କି ନିଜ ସ୍ତ୍ରୀଙ୍କ ଆଗରେ ପୁରୁଷ ପଣିଆ ଦେଖାଇ ହେବା ପାଇଁ, ନନ୍ଦ ବାବୁ ବଡ଼ ଫୁଟାଣି ରେ ତାଚ୍ଛଲ୍ୟ କରି କହିଲେ।


  ଶ୍ରୀମତି ମନ ଉଣା କରି ରହିଲେ। କଣ ବା ଆଉ କରିବେ? ଏସବୁ ତାଙ୍କ ଘରେ ନିତି ଦିନିଆ କଥା। ନନ୍ଦ ବାବୁ ସ୍ତ୍ରୀ କୁ କଥା କଥାରେ ଗାଉଁଲି, ମୂର୍ଖ, ଅଯୋଗ୍ୟ, ଓଲି ଆଉ ବୋକା ବୋଲି କୁହନ୍ତି। ନନ୍ଦ ବାବୁ ସ୍ଥିର ନିଶ୍ଚିତ ଯେ, ନିଜ ଯୋଗ୍ୟତା ଅନୁସାରେ ଶ୍ରୀମତୀ ତାଙ୍କ ସ୍ତ୍ରୀ ପଦବାଚ୍ୟ ନୁହଁନ୍ତି।


  ନନ୍ଦ ବାବୁଙ୍କ କଥା ମତେ ଭଲ ଲାଗିଲାନି। ମୁଁ ଭାବୁଥିଲି, "ସ୍ତ୍ରୀ ଙ୍କ ଖୁସି ପାଇଁ ନନ୍ଦ ବାବୁ ମିଛ ହଁ' ଟେ କହି ପାରିଥାନ୍ତେ? ଲୋକଟି କେତେ ଶ୍ରଦ୍ଧାରେ କେତେ ବିଶ୍ୱାସରେ ଫୋନ କରିଥିଲା। ତୁଳସୀ ପତ୍ର ତ ଉ, କୋଉ ହାତୀ ଘୋଡା ହୋଇଛି।" ବିଶେଷ କିଛି କଥାବାର୍ତ୍ତା ନ ହୋଇ ଆମେ ଚାଲିଲୁ ଶୋଇବା ପାଇଁ। 


ମୁହଁ ଅନ୍ଧାରରୁ ମୁଁ ଗାଧୋଇ ପାଧୋଇ ସାତଟି ତୁଳସୀ ପତ୍ର ପାଇଁ ଗଲା ବେଳକୁ ଦେଖିଲି, ଦିନ ନଟା ରେ ଗାଧୋଇ ଥିବା ନନ୍ଦ ବାବୁ ଆଜି ଗାଧୁଆ ପାଧୁଆ ସାରି ତୁଳସୀ ପତ୍ର ତୋଳୁ ଥିଲେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics