The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Sambit Srikumar

Classics Inspirational Others

4  

Sambit Srikumar

Classics Inspirational Others

ଶ୍ରାଦ୍ଧ

ଶ୍ରାଦ୍ଧ

6 mins
424



ସମୟ ପାଣି ପରି ବହି ଯାଏ କାହାକୁ ବି ଅପେକ୍ଷା କରେ ନାହିଁ। ଏଇ ଯେମିତି ଆଜିକୁ ବାର ଦିନ ହୋଇଗଲାଣି ରଘୁପତି ମହାନ୍ତି ଇହଲୀଳା ସମ୍ବରଣ କରିବାର। ଆଜି ତାଙ୍କ ପାଇଁ ଶ୍ରାଦ୍ଧ ବଢାଯିବ। ଏଥିପାଇଁ ଚାଲିଛି ବଡ଼ ଧରଣର ଆୟୋଜନ। ପାଞ୍ଚ ଖଣ୍ଡ ଗାଁର ଲୋକଙ୍କୁ ଦିଆଯାଇଛି ଭୋଜି ପାଇଁ ନିମନ୍ତ୍ରଣ। ହଜାରରୁ ଅଧିକ ଅତିଥି ଆସିବେ ବାରପତ୍ର ଭୋଜି ପାଇଁ। ନାନା ରକମର ସ୍ବାଦିଷ୍ଟ ବ୍ୟଞ୍ଜନର ତାଲିକା ବହୁ ପୂର୍ବରୁ ପ୍ରସ୍ତୁତ ହୋଇଛି ବଡ଼ ପୁଅ ରମେଶ ବାବୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ। ନାମଜାଦା ରୋଷେଇଆ ଶଙ୍କର ଭାଇନାଙ୍କ ଉପରେ ଭୋଜିର ସମସ୍ତ ଦାୟିତ୍ୱ ନ୍ୟସ୍ତ। ସପନା ପଲେଇ ବହିନା ନେଇଛି କଦଳୀ ପତ୍ର ଯୋଗାଇବା ପାଇଁ। ଗାଁର ସୁଧାନିଧିଶ୍ବର କ୍ଲବର ପିଲାମାନଙ୍କ ଦ୍ବାରା ଅତିଥିମାନଙ୍କୁ ଖାଦ୍ୟ ପରିବେଷଣ କରିବା ପାଇଁ ଆଗରୁ ଚୁକ୍ତି ହୋଇଛି।

ବାରଦିନ ସକାଳୁ ସକାଳୁ ଘରଦ୍ଵାର ସବୁ ଆଡ଼ ଲିପା ପୋଛା ହୋଇ ଅଗଣାରେ ଗୋବର ପାଣି ଛିଞ୍ଚି ସମଗ୍ର ପରିବେଶକୁ ପବିତ୍ର କରାଯାଇଛି। ବନ୍ଧୁ ବାନ୍ଧବଙ୍କର ଗହଳି ତ ଏମିତିରେ ସାତ ଦିନ ଠାରୁ ଲାଗିରହିଛି। ସମୟ ଗଡ଼ି ଚାଲିଥାଏ। ସଭିଏଁ ବ୍ଯଗ୍ର ଥାନ୍ତି ଭୋଜି ଭାତ ଆଉ ପିଣ୍ଡ ପ୍ରଦାନ ନିମନ୍ତେ। ରୋଷେଇ ଘରେ ବୋହୂମାନେ ଶ୍ରାଦ୍ଧରେ ବଢା ଯିବାକୁ ଥିବା ଖାଦ୍ୟର ପ୍ରସ୍ତୁତିରେ ଲାଗିଥିଲେ ତ ବାହାର ଖନ୍ଦାଶାଳରେ ଶଙ୍କର ଭାଇନାଙ୍କ ଟିମ୍ ଜୋରଦାର୍ ଯୋଗାଡ଼ ଯନ୍ତ୍ରରେ ବ୍ଯସ୍ତ। ପାରମ୍ପରିକ ବାରପତ୍ର ଭୋଜିଟା ସୁରୁଖୁରୁରେ ଶେଷ ହେବା ପାଇଁ ସମସ୍ତଙ୍କର ଚିନ୍ତା।

ଏହାପରେ ଯିଏ ଯାହାର ବାଟରେ ପୁଣି ଫେରି ଯିବେ ନିଜ ନିଜର ଦୁନିଆକୁ। ଝିଅଜ୍ବାଇଁମାନେ ଶିଘ୍ରାତିଶିଘ୍ର ପିଣ୍ଡ ପ୍ରଦାନ ଉପରାନ୍ତେ ନିଜ ଘରକୁ ବାହୁଡ଼ି ଯିବାକୁ ବ୍ଯାକୁଳ। ଶୁଦ୍ଧିକ୍ରିୟା ସମାପନ ପରେ କାଶୀ ଯାଇ ଅସ୍ଥି ବିସର୍ଜନ କରିବା ପାଇଁ ମଧ୍ଯ ସବିଶେଷ ଯୋଜନାର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇସାରିଛି। କିଏ କିଏ ଯିବେ, କେମିତି ଯିବେ, କେଉଁଠି ରହିବେ, କେତେ କଣ ଖର୍ଚ୍ଚ ହେବ, କଣ ଖାଇବେ, କଣ ପିନ୍ଧିବେ ଇତ୍ୟାଦି ଇତ୍ୟାଦି। ଏସବୁ ଥିଲା ପୁଅବୋହୂମାନଙ୍କର ଚିନ୍ତା। ଅବଶ୍ୟ ମହାନ୍ତିଏ ଛାଡ଼ି କରି ଯାଇଥିବା ଅପରିମିତ ସମ୍ପତ୍ତିର ଭାଗ ବଣ୍ଟା କରିବା କଥା କାହାରି ତୁଣ୍ଡରୁ ବାହାରୁ ନ ଥିଲା।

ବହୁଦିନ ପରେ ବିନା କୌଣସି ଜଞ୍ଜାଳରେ ଏକାଠି ହୋଇଥିବା ନାତିନାତୁଣୀ ସବୁ ମିଶି ଯୋଜନା ପ୍ରସ୍ତୁତ କରୁଥାନ୍ତି ଜେଜେଙ୍କ ନାମରେ ଏକ ଦାତବ୍ୟ ଅନୁଷ୍ଠାନ ପ୍ରତିଷ୍ଠା କରିବା ପାଇଁ। ଜଣେ କେହି ପ୍ରସ୍ତାବ ଦେଲା "ରଘୁପତି ମହାନ୍ତି ସ୍ମାରକ ନ୍ଯାସ" ନାମରେ ଟ୍ରଷ୍ଟଟିଏ ଗଢିବା ପାଇଁ। ଯାହା ଫଳରେ ଜେଜେଙ୍କର ସ୍ମୃତି ରକ୍ଷା ହୋଇପାରିବ। ଅନ୍ତତଃପକ୍ଷେ ବର୍ଷକୁ ଥରେ କିଛି କାର୍ଯ୍ୟକ୍ରମ ହାତକୁ ନେଇ ଖବରକାଗଜରେ ଫଟୋ ଛାପିବାର ଏକ ସହଜ ମାଧ୍ୟମ। ସଭିଙ୍କର ମନକୁ କଥାଟି ସୁନ୍ଦର ଏବଂ ଯଥାର୍ଥ ମନେ ହେଲା।

ଠିକ୍ ଏତିକି ବେଳେ ସବା ସାନ ନାତୁଣୀ ପ୍ରସ୍ତାବ ବାଢିଲା, ଘର ସାମ୍ନାରେ ଥିବା ଖାଲି ଜାଗାରେ ଜେଜେଙ୍କର ଏକ ପୂର୍ଣ୍ଣ ଅବୟବର ପ୍ରତିମୂର୍ତ୍ତି ସ୍ଥାପନା କରିବା ପାଇଁ। ଯାହା ଫଳରେ ସେମାନଙ୍କ ପରବର୍ତ୍ତୀ ପୀଢ଼ି, ଜେଜେଙ୍କ ସହିତ ପରିଚିତ ହୋଇ ପାରିବ। ଯେଉଁ କଥାଟି ବଡ଼ ମାନଙ୍କ ମଗଜରେ ଢୁକି ନଥିଲା, ସାନ ଭଉଣୀ କହିବାରୁ ସଭିଏଁ ତାର ବୁଦ୍ଧିମତ୍ତାକୁ ତାରିଫ୍ କରିବା ସହିତ ସାଧୁବାଦ ଜଣାଇଲେ ତାକୁ। ଜେଜେଙ୍କ ସହିତ ବିତାଇଥିବା ମୁହୂର୍ତ୍ତର ସ୍ମୃତି ଚାରଣ ସହ ହାସ୍ଯରୋଳରେ ବହୁଦିନ ଧରି ଖାଁ ଖାଁ ଲାଗୁଥିବା ଘରଟା ଫାଟି ପଡ଼ୁଥିଲା ଅସୀମ ଆନନ୍ଦରେ।

*******

ବଞ୍ଚିଥିବା ବେଳେ ରଘୁପତି ମହାନ୍ତି, ସୁଧାନଗରର ଜଣେ ମୁରବୀ ସ୍ଥାନୀୟ ବ୍ଯକ୍ତି ଥିଲେ। ଆଖ ପାଖ ଅଞ୍ଚଳରେ ତାଙ୍କର ବେଶ୍ କାଟତି ଥିଲା। ପାଞ୍ଚ ଜଣରେ ଜଣେ ଥିଲେ। ଘରୁଆ ଘର ଥିଲା ତାଙ୍କର। ଦି ବାଟି ଚାଷଜମି, ଆମ୍ବ ତୋଟା, ମାଛ ପୋଖରୀ, ବିରଟକାୟ କୋଠାର ଏକଚାଟିଆ ନିରଙ୍କୁଶ ମାଲିକ। ଜମିରେ ଖଟିବାକୁ କୋଠିଆ ବେଠିଆ ଠାରୁ ଆରମ୍ଭ କରି ବୋଲ ହାକ କରିବାକୁ ଚକାର ବାକର ଯାହାକୁ ଯେତେ। କେଉଁଥିରେ ବି ଅଭାବ ନଥିଲା ତାଙ୍କର। ଲୋକଙ୍କ ପାଇଁ ବହୁତ କିଛି କରିଛନ୍ତି ସେ ତାଙ୍କର ଜୀବନରେ। ସମୟ ଅସମୟରେ ସମସ୍ତ ପାଖରେ ଠିଆ ହୋଇଛନ୍ତି ସେ। ହାତ ଖୋଲି ସାହାଯ୍ୟ କରିଛନ୍ତି ସେମାନଙ୍କୁ।

ତାଙ୍କର ସାତ ପୁଅ ଓ ଦୁଇ ଝିଅ। ସମସ୍ତେ ଉଚିତ୍ ଶିକ୍ଷା ଦୀକ୍ଷା ଗ୍ରହଣ କରି ନିଜ ନିଜର କ୍ଷେତ୍ରରେ ଦେଶ ବିଦେଶରେ ଉଚ୍ଚ ପ୍ରତିଷ୍ଠିତ। ବାହା ତୋଳା ବି ସରିଛି ସଭିଙ୍କର। ପୃଥିବୀର କୋଣ ଅନୁକୋଣରେ ଖେଳେଇ ହୋଇ ରହିଛନ୍ତି ତାଙ୍କର ନାତିନାତୁଣୀମାନେ। ହେଲେ କାହାକୁ କେବେ ଫୁରୁସତ୍ ନଥାଏ ରଘୁପତି ବାବୁଙ୍କ ଖୋଜଖବର ନେବା ପାଇଁ। ପତ୍ନୀ ପଦ୍ମାବତୀ ଦେବୀ ଆଜକୁ ପ୍ରାୟ ପାଞ୍ଚ ବର୍ଷ ପୂର୍ବରୁ ସ୍ବର୍ଗବାସୀ। ସେତେବେଳେ ସଭିଏଁ ଶେଷ ଥର ପାଇଁ ଏକା ସାଙ୍ଗରେ ଆସିଥିଲେ ଗାଁ ଘରକୁ ଶୁଦ୍ଧି ହେବାକୁ। ଆଉ ତାପରେ କେବେ କେମିତି ଥରେ ଅଧେ କେହି କେହି ଆସନ୍ତି ଦିନେ ଓଳିଏ ପାଇଁ ନିଜ ସୁବିଧା ଅନୁସାରେ ପୁଣି ଫେରିଯାଆନ୍ତି ନିଜ ବାଟରେ।

ଏତେ ବଡ଼ ଘରଟାରେ ନିସ୍ତବ୍ଧତା କାମୁଡିବାକୁ ଗୋଡାଏ ରଘୁପତି ବାବୁଙ୍କୁ। ଘର ଦୁଆର ସବୁ ଆଡେ ଖାଁ ଖାଁ ଲାଗେ। ବୟସର ସାୟାହ୍ନରେ ଏଇ ଅଭାବବୋଧ ବଡ଼ ଦୁଃସହ୍ଯ ହେଉଥାଏ ଦିନକୁ ଦିନ। ଆଉ ଆଗଭଳି ତାଙ୍କର କୌଣସି କଥାରେ ରୁଚି ନଥାଏ। ଭୋଜନ ବିଳାସୀ ମହାନ୍ତିଏ ଖାଇବା ପିଇବା ପ୍ରତି ବିମୁଖ ହୋଇ ପଡିଲେ ଏକାନ୍ତ ବାସରେ। ଚାକର ବାକରଙ୍କ ଉପରେ ଅଯଥାରେ ଚିଡ଼୍ ଚିଡ଼୍ ହେବାକୁ ଲାଗିଲେ। ଘରର ଜିନିଷ ପତ୍ରକୁ ବେଳେ ବେଳେ ଫିଙ୍ଗା ଫୋପାଡ଼ା କରୁଥିଲେ। ସେଥିପାଇଁ ବହୁ ବିଶ୍ବସ୍ତ ଭୃତ୍ୟ ଅନ୍ୟ ରାସ୍ତା ଦେଖିଲେ।

ପୁଅଝିଅମାନେ ଯେତେ କହିଲେ ମଧ୍ଯ ସେମାନଙ୍କ ପାଖରେ ଯାଇ ରହିବାକୁ ସବୁବେଳେ ନାରାଜ ପ୍ରଚଣ୍ଡ ସ୍ୱାଭୀମାନୀ ମହାନ୍ତିଏ। ଏମିତି ହେଲେ ତାଙ୍କର ସ୍ବାଧୀନତା ରହିବ ନାହିଁ। ପୁଅ ବୋହୂଙ୍କ ହାତ ଟେକାକୁ ଚାହିଁ ବଞ୍ଚି ପାରିବେ ନାହିଁ ସେ। ଅଖିଆ ଅପିଆ ମରିଯିବେ ପଛେ ପିଲାମାନଙ୍କ ଉପରେ କେବେ ବି ବୋଝ ହେବେ ନାହିଁ କି ନିଜ ଜନ୍ମମାଟିକୁ ଛାଡି କୁଆଡ଼େ ବି ଯିବେ ନାହିଁ। ବରଂ ପିଲାମାନେ ଆସି ତାଙ୍କ ପାଖରେ ଗାଁରେ ରହିବାକୁ ତାଙ୍କର ଏକମାତ୍ର ଜିଦ୍। ତାଙ୍କର ଏପରି ନଛୋଡ଼ବନ୍ଧା ନୀତି ପାଇଁ ଦୂରରେ ନିଜ ଦୁନିଆରେ ବ୍ଯସ୍ତଥିବା ପିଲାମାନେ ମଧ୍ୟ ଧୀରେ ଧୀରେ କରଛଡ଼ା ଦେବାକୁ ଲାଗିଲେ। ପଦ୍ମାବତୀ ଦେବୀ ତ ଆଉ ନଥିଲେ ଯେ, ପିତା ଓ ପୁତ୍ରମାନଙ୍କ ମଧ୍ୟରେ ଥିବା ଦୂରତ୍ୱକୁ ସଙ୍କୁଚିତ କରିବେ ପ୍ରାଣ ପ୍ରଣେ।

ସକାଳ ସଞ୍ଜରେ ଠାକୁର ପୂଜା ସହ ଗାଁ ଆଡ଼େ ଘେରାଏ ବୁଲି ଆସିଲେ ସମସ୍କନ୍ଧ ସାଙ୍ଗସାଥିଙ୍କ ମେଳରେ ସମୟ କଟି ଯାଉଥିଲା ଆଗରୁ ମହାନ୍ତିଙ୍କର। ହେଲେ ସେତକ ବି ଆଉ କରିବାକୁ ତାଙ୍କର ମନ ବଳୁ ନାହିଁ । ପଦ୍ମାବତୀ ଦେବୀ ଆରପାରିକୁ ଯିବା ପର ଠାରୁ ତାଙ୍କର କେଉଁଥିରେ ବି ଆଉ ସ୍ପୃହା ନାହିଁ। ନାକ ପୁଡା ଦିଟାରେ ପବନ ଯା' ଆସ କରୁଛି ବୋଲି ବଞ୍ଚିବା କଥା ଯାହା। ଗାଁର ହାନିଲାଭରେ ବି ଆଉ ମୁଣ୍ଡ ପୁରଉ ନାହାନ୍ତି ସେ, କାହିଁକି ବା କରିବେ? ଆଜିକାଲି ତ ଆଉ ନ୍ଯାୟ ନିଷ୍ପତ୍ତି ବି ହେଉନି ଗାଁ ଦାଣ୍ଡରେ, ଛୋଟ ବଡ଼ ସଭିଏଁ ତ କୋର୍ଟ ଥାନାକୁ ଧାଇଁଲେଣି।

ରଘୁପତିଙ୍କ ଏପରି ଅବସ୍ଥା ଦେଖି, ଗୁମାସ୍ତା ସର୍ବେଶ୍ଵର ଚିଠି ଲେଖିଥିଲେ ପିଲାମାନଙ୍କ ପାଖକୁ ତାଙ୍କ ଆଗୋଚରରେ। ହେଲେ କାହା ପାଖରେ ସମୟ ନଥିଲା ବାପାଙ୍କୁ ଆସି ଟିକେ ଦେଖି କରି ହାନିଲାଭ ବୁଝି କରି ଯିବା ପାଇଁ। ଦିନକୁ ଦିନ ଅବସ୍ଥା ବିଗିଡ଼ିବାରେ ଲାଗିଥିଲା ମହାନ୍ତିଙ୍କର। କିନ୍ତୁ ନିଜ ଜିଦରେ ପୂର୍ବବତ୍ ଅଟଳ। ଜନ୍ମମାଟିକୁ ଛାଡ଼ି ପୁଅମାନଙ୍କ ପାଖକୁ ଯିବେ ନାହିଁ କସ୍ମିନ୍ କାଳେ। ଜୀବନର ଶେଷ ସମୟରେ ପିଲାମାନଙ୍କୁ ଦେଖିବାକୁ ବହୁତ ଆଶା କରିଥିଲେ ମହାନ୍ତିଏ। କିନ୍ତୁ ଆଶାଟା ଆଶାରେ ରହିଯାଇଥିଲା। ନିଜ ନିଜର ଦୁନିଆରେ ମସଗୁଲ୍ ଥିବା ପିଲାମାନେ ବାପାଙ୍କ ଦାୟିତ୍ଵ ଚାକର ବାକରଙ୍କ ଉପରେ ଛାଡିଦେଇ ନିଶ୍ଚିନ୍ତରେ ଥିଲେ।

ଏଣେ ମହାନ୍ତିଏ ବହୁ ଦିନ ଯାଏଁ ନିଜ ପିଲାମାନଙ୍କ ମୁହଁ ନଦେଖି ଦୁଶ୍ଚିନ୍ତାରେ ଅହରହ ଜଳୁଥିଲେ। ଏହି ଦୁଃସହ୍ଯ ଜ୍ୱଳନ ଏତେ ତୀବ୍ର ହେଲା ଯେ ସେ ଶେଷକୁ ଖାଇବା ପିଇବା ଛାଡ଼ି ଦେଲେ। ଏପରିକି ଜଳ ମଧ୍ୟ ସ୍ପର୍ଶ କରୁନଥିଲେ। ଗୁମାସ୍ତା ସର୍ବେଶ୍ଵର ବରାବର ଖବର ଦେଉଥିଲେ ପିଲାମାନଙ୍କୁ। କିନ୍ତୁ କେହି ବି ଆସୁନଥିଲେ ସୁଧନଗରକୁ ବାପାଙ୍କୁ ଟିକେ ଦେଖା କରିବାକୁ। କାଳେ ବାପା କଣ ରାଗିକରି କହି ପକାଇବେ ସେଥିପାଇଁ ସଭିଙ୍କର ଡର। ଏମିତି ଡରି ଡରି ଶେଷରେ ଦିନେ ନିଜ ମୁଣ୍ଡ ଉପରୁ ବାପାଙ୍କର ଆଶୀର୍ବାଦର ଛାତକୁ ହରାଇ ବସିଲେ ସଭିଏଁ।

ଶ୍ରାବଣମାସର ଏକ ବର୍ଷଣ ମୁଖର ରାତିରେ ସମସ୍ତଙ୍କୁ ଶୋକର ସାଗରରେ ଭସାଇ ଦେଇ ରଘୁପତି ମହାନ୍ତି ଅତି ସନ୍ତର୍ପଣରେ ଶୋଇ ଯାଇଥିଲେ ଚିରନିଦ୍ରାରେ। କାହା ପ୍ରତି ତାଙ୍କର ଅଭିମାନ କିମ୍ବା ଅଭିଯୋଗ ନଥିଲା ଆଉ। ଚୁପ୍ ଚାପ୍ କାହାକୁ କିଛି ନ ଜଣାଇ ବାହୁଡ଼ି ଗଲେ ଅଫେରା ରାଇଜକୁ ଆଉ ନଫେରିବାର ପଣ କରି। ଦୁର୍ଭାଗ୍ୟବଶତଃ ମହାର୍ଦ ପାଣି ବି ତାଙ୍କୁ ଭୋଗ୍ୟ ହୋଇନଥିଲା ନିଜ ପିଲାମାନଙ୍କ ଠାରୁ। ଜୀବନରେ ସମସ୍ତଙ୍କ ପାଇଁ ସବୁକିଛି କରି ବି ନିଜେ ନିଜ ପିଲାମାନଙ୍କ ସ୍ନେହ ଶ୍ରଦ୍ଧା ସମ୍ମାନରୁ ବଞ୍ଚିତ ହୋଇଥିଲେ ରଘୁପତି ମହାନ୍ତି। ଏହା ଭାଗ୍ୟର ବିଡ଼ମ୍ବନା ନୁହେଁ ତ ଆଉ କଣ?

******

ଆଜି ତାଙ୍କର ବାରପତ୍ର ପିଣ୍ଡ ପ୍ରଦାନ ନିମନ୍ତେ ସଭିଏଁ ତତ୍ପର। ତାଙ୍କ ଆତ୍ମାର ସଦ୍ ଗତି ପାଇଁ ପ୍ରାର୍ଥନା ଚାଲିଛି। ବିରାଟ ବଟବୃକ୍ଷର ଶାଖା ପ୍ରଶାଖା ସଭିଏଁ ଦୁନିଆର କୋଣ ଅନୁକୋଣରୁ ଛୁଟି ଆସିଛନ୍ତି ସୁଧାନଗର ପରି ନିପଟ ମଫସଲ ଗାଁକୁ ନିଜ ନିଜର ବହୁ ମୂଲ୍ୟବାନ କାର୍ଯ୍ୟକୁ ସ୍ଥଗିତ ରଖି। ଏଇ କଣ କମ୍ କଥା! ହଜାରେ ଲୋକଙ୍କ ପାଇଁ ଭୁରି ଭୋଜନର ବନ୍ଦୋବସ୍ତ। ଭୂତକୋଠି ପରି ଲାଗୁଥିବା ଘରଟା ଆଜି ଚୁନ ଧଉଳା ହୋଇ ନବବଧୂ ପରି ସଜେଇ ହୋଇଛି। ପାଖ ସହରର ସବୁଠାରୁ ଦାମୀ ଡେକୋରେଟରକୁ ଡକା ଯାଇଛି ଭବ୍ୟ ସାଜସଜ୍ଜା ପାଇଁ। ସୁଦୃଶ୍ୟ ମଣ୍ଡପ ତିଆରି ହୋଇଛି ଅତିଥି ଅଭ୍ଯାଗତଙ୍କ ଉପବେଶନ ନିମନ୍ତେ। ଅତିଥି ସତ୍କାର ବେଳେ ଯେପରି ପାନରୁ ଚୁନ ନଖସିବ ସେଥିପାଇଁ ବିଶେଷ ଯତ୍ନ ନିଆଯାଇଛି। ବେଶ୍ ଆନନ୍ଦ ମନରେ ପୁଅମାନେ ସମସ୍ତ ବନ୍ଦୋବସ୍ତ ତଦାରଖ କରୁଛନ୍ତି।

କୁଳ ପୁରୋହିତ ଠିକ୍ ସମୟରେ ଆସି ପହଞ୍ଚି ଗଲେଣି। ବଡ଼ ପୁଅ ବୋହୂ ପାଦ ଧୋଇ ଦେଲେ ତାଙ୍କର। ନାଲି ଗାମୁଛାଟିରେ ପୋଛି ଆଣିଲେ ପାଦ ଦୁଇଟିକୁ ବ୍ରାହ୍ମଣ ଦେବତାଙ୍କର। ମୁରୁଜରେ ଘରକଟା ଓ ପଣସ ପତ୍ରରେ ଗିନା ତିଆରି ସହିତ ଆରମ୍ଭ ହେଲା ଶ୍ରାଦ୍ଧ କର୍ମ। ପୁରୋହିତ ମହାଶୟଙ୍କ ଉଚ୍ଚ ସ୍ବରର ମନ୍ତ୍ରୋଚାରଣରେ କମ୍ପି ଉଠିଲା ଘର। ପୁଅ, ପୁତୁରା, ଭଣଜା, ଜ୍ବାଇଁ, ନାତି ସଭିଏଁ ବସିଲେ ପିଣ୍ଡ ପ୍ରଦାନ କାର୍ଯ୍ୟକ୍ରମରେ ନୂଆ ଧୋତି ଗାମୁଛା ପରିଧାନ କରି। ଏକ ବଡ଼ ମଞ୍ଜ କଦଳୀ ପତ୍ରରେ ବଢ଼ାଗଲା ପିଣ୍ଡ! ଭଳିକି ଭଳି ଅଗଣିତ ସୁସ୍ୱାଦୁ ଅନ୍ନ ବ୍ଯଞ୍ଜନ ମିଷ୍ଟାନ୍ନ ଫଳ ମୂଳ ତାମ୍ବୁଳ...

ମନ୍ତ୍ରୋଚାରଣରେ ଆବହନ କରାଗଲା ରଘୁପତିଙ୍କୁ। ସନ୍ତାନଗଣଙ୍କ ହତାଦରରେ ଦଗ୍ଧୀଭୂତ ଆତ୍ମା ପିଣ୍ଡ ଗ୍ରହଣ କରିବା ପାଇଁ ଓହ୍ଲାଇ ଆସିଲେ ଭୂପୃଷ୍ଠକୁ। ମର୍ତ୍ତ୍ୟପୁରରେ ଭବ୍ୟ ଆୟୋଜନ ଦେଖି ଅଭିଭୂତ ହୋଇପଡ଼ିଲେ ରଘୁପତି! ନିଜ ଜୀବଦ୍ଦଶାରେ କେବେ ବି ଏତେ ଖାଦ୍ୟ ପଦାର୍ଥ ତାଙ୍କ ପାଇଁ ପ୍ରସ୍ତୁତ ହୋଇନଥିଲା ଏକକାଳୀନ ପରିବାରର ସଦସ୍ୟଙ୍କ ଦ୍ବାରା। ଏତେ ସ୍ନେହ ଶ୍ରଦ୍ଧା ସମ୍ମାନ ଭକ୍ତି ପାଇନାହାଁନ୍ତି କେବେ ବି ବଞ୍ଚିଥିବା ବେଳେ ନିଜର ପିଲାମାନଙ୍କ ଠାରୁ। ପରିବାରର ସଭିଏଁ ଆଜି ଗୋଟିଏ ଛାତ ତଳେ ଏକତ୍ରୀତ ତାଙ୍କର ଶ୍ରାଦ୍ଧ ବାଢିବା ପାଇଁ। ଯାହା ତାଙ୍କ ଜୀବିତାବସ୍ଥାରେ ସମ୍ଭବ ହୋଇ ନଥିଲା ଆଜି ତାଙ୍କର ମୃତ୍ୟୁରେ ସଂଘଟିତ ହୋଇଛି। ଆବର୍ତ୍ତମାନରେ ତାଙ୍କ ପ୍ରତି ପିଲାମାନଙ୍କର ସମର୍ପିତ ଭାବ ଦେଖି ଦୁଇ ଟୋପା ଅବାରିତ ଲୁହ ଝରି ପଡିଲା ଅଶରୀରୀ ରଘୁପତିଙ୍କ ଆଖିର କୋଣରୁ।



Rate this content
Log in

Similar oriya story from Classics