STORYMIRROR

Sunanda Mohanty

Action Thriller Others

4  

Sunanda Mohanty

Action Thriller Others

ଶ୍ରାବଣରେ ଶ୍ରାବଣ ମେଘ ଆଣିବୁ

ଶ୍ରାବଣରେ ଶ୍ରାବଣ ମେଘ ଆଣିବୁ

9 mins
10

ରାକେଶର ଏକାସାଙ୍ଗରେ ଦୁଇଟି ଚାକିରୀ ହୋଇଯିବା ଖବରରେ ବାପା ଭାରି ଖୁସି କାରଣ ତାଙ୍କ ପୁଅ ଆମେରିକା ଭଳି ବଡ଼ ସହରରେ ରହି ଚାକିରୀ କରିବ. ସେଇଠା ଝିଅ ଦେଖି ବାହା ହେବ, ବଙ୍ଗଳା କିଣିବ. ସେଠିକାର ସ୍ଥାୟୀ ଅଧିବାସୀ ହେଲେ ବାପା ଗର୍ବରେ ଛାତି ଫୁଲେଇ କହିବେ ମୋ ପୁଅ ଆମେରିକାରେ ଅଛି. ମାଆଙ୍କର ଇଛା ଥିଲା ଅନ୍ୟରକମ. ଓଡିଶାରେ ଚାକିରୀ କଲେ ପୁଅକୁ ସେ ଦେଖିପାରିବେ ସବୁଦିନ ଓ ପୁଅ ମଧ୍ୟ ବାର୍ଦ୍ଧକ୍ୟର ସାହାରା ହେବ କିନ୍ତୁ ପୁଅ ବୁଝେଇଦେଇଥିଲା ଏବେର ଡିଜିଟାଲ ଯୁଗ କାହିଁ କୋଉଠି ପହଞ୍ଚିଲାଣି ମାଆ. ଭିଡ଼ିଓ କଲ କରି ମତେ ତଥା ମୋ ଅଫିସ, କ୍ଵାଟର, ଖାଦ୍ୟ, ସାଙ୍ଗସାଥି ସବୁ ତ ଦେଖିପାରିବୁ ଆଉ ଦୁଃଖ କଣ ଯେ!ପୁଅ କଥା ଶୁଣି ମାଆ ରୁବି ବାଡ଼ିପଟକୁ ଚାଲିଯାଆନ୍ତି. ପ୍ରକୃତି କୋଳରେ ବଢିଥିବା ବର ଗଛରେ କେତେ ପକ୍ଷୀ ଦେଖି ମନକୁ ସାନ୍ତ୍ୱନା ଦିଅନ୍ତି ଯେ ପକ୍ଷୀ ଶାବକ ବଡ଼ ହୋଇଗଲା ପରେ କୋଉ ମାଆକୁ ଚି଼ହ୍ନେ ନା ମାଆ ତାର ଚିହ୍ନି ପାରେ ତା ଶାବକକୁ! ଗଡିଯାଉଥିବା ଦୁଇଧାର ଲୁହକୁ ପଣତରେ ପୋଛି ମାଆ ରୁବି ପୁଣି ଚାହାଁନ୍ତି ବରଗଛରେ ଡିଆଁ ଡେଇଁ କରୁଥିବା ମାଙ୍କଡ଼ମାନଙ୍କୁ.ମନେ ପଡୁଥିଲା ପୁଅ ରାକେଶ ଛୋଟ ହୋଇଥିବା ବେଳର କାହାଣୀ କହିଲେ ଅତ୍ୟୁକ୍ତି  ହେବ ବରଂ ଅଙ୍ଗେ ଲିଭା କଥାଟିଏ.
    ଏମିତି ସେଦିନ ମାଙ୍କଡ଼ମାନେ ଉତ୍ପାତ ମାନେ ଡିଆଁ ଡେଇଁ କରି କରି ସନ୍ଧ୍ୟାରେ ପ୍ରକୃତି କୋଳରେ ତାଙ୍କ ଆଶ୍ରୟ ସ୍ଥାନ ବାଛିରଖିଥିବା ସ୍ଥାନକୁ ଫେରିଗଲା ପରେ ବାଡ଼ିପଟକୁ ଆସି ରୁବି ଦେଖନ୍ତି ତ କୁନିମାଙ୍କଡ଼ ଛୁଆଟିଏ ବାରିପଟେ ବସିରହିଛି ଓ ତାଙ୍କୁ ଜୁଳୁଜୁଳୁ କରି ଚାହିଁଛି. ଛୁଆକୁ ଛାଡ଼ିଦେଇ ଯାଇଥିବା ମାଆ ମାଙ୍କଡ଼ ନିଶ୍ଚୟ ଖୋଜି ଖୋଜି ଆସି ତା ଛୁଆକୁ ନେଇଯିବ ଭାବି ଛୁଆମାଙ୍କଡ଼ ଆଡକୁ ବିସ୍କୁଟ, ରୁଟି ଟୁକୁଡା ପକେଇବାକୁ ଲାଗିଲେ ରୁବି କିନ୍ତୁ ମାଙ୍କଡ଼ ଛୁଆ ଖାଉନଥିଲା କି ଡ଼େଇଁକି ଯିବାକୁ ଚେଷ୍ଟା କରୁନଥିଲା ବା ମାଆ ତାର ଆସି ତାକୁ ଖୋଜି ଖୋଜି ନେଉନଥିଲା. ସନ୍ଧ୍ୟା ବଢ଼ି ରାତି ହେବାରୁ ବାରିକବାଟ ଖୋଲି ରଖିବାରୁ ମାଙ୍କଡ଼ ଛୁଆ ପଶିଆସିଥିଲା ଘରକୁ. ତା ପାଇଁ ଚାଉଳ, ଗହମ, ରୁଟି ଓ ପାଣି ଠାକୁ ଠା ଥୋଇ ରାତି ଏଗାର ଯାଏଁ ବାଡ଼ିପଟ ଖୋଲା ରଖି ମାଆ ମାଙ୍କଡ଼କୁ ଅପେକ୍ଷା କଲା ପରେ ରୁବି, ତାଙ୍କ ସ୍ୱାମୀ ଓ ପୁଅ ରାକେଶ ଶୋଇଯାଇଥିଲେ ଦୁଆର କବାଟ ଦେଇ. ନିଦ ଆସୁନଥିବା ଆଖିରେ ଭୋର ଭୋର ଦୁଆର ଫିଟାଇ ରୁବି ଦେଖିଥିଲେ ମାଙ୍କଡ଼ ଛୁଆ ମରିପଡିଛି ସେହି ଘର ଚଟାଣରେ. ସବୁ ଶୁଣି ଅଭିଜ୍ଞ ଲୋକେ କହୁଥିଲେ ନିପାରିଲା ରୋଗୀଣା ମାଙ୍କଡ଼କୁ ଦଳ ତ୍ୟାଗ କରିବା ସହିତ ମାଆ ମଧ୍ୟ ତ୍ୟାଗ କରିଥାଏ ତେଣୁ ରୋଗଗ୍ରସ୍ତ ଦୁର୍ବଳମାଙ୍କଡ଼ଟି ଶେଷକୁ ମରିଗଲା. ସେ ଘଟଣା ପରେ ରୁବି ଅପେକ୍ଷାକୃତ ଦୁର୍ବଳ ଚେହେରାର ପୁଅ ରାକେଶକୁ କୁଆଡେ ଛାଡି ଦିଅନ୍ତି ନାହିଁ. ନା ଖେଳିବାକୁ, ନା ଜେ.ଆର.ସି କ୍ୟାମ୍ପରେ ଯିବାକୁ ନା ଏନ. ସି. ସି ରେ ଯୋଗ ଦେବାକୁ. ବରଂ ରାତିସାରା ତା ଗୋଡ଼ରେ ସୋରିଷ ତେଲରେ ରସୁଣ ଫୁଟାଇ ଘଷୁଥାଆନ୍ତି ଥଣ୍ଡା କଟି ଜ୍ୱର ନହେବାକୁ ପୁଅର. ସେଇ ପୁଅ ଆଜି ଆମେରିକା ଯିବ ତ ରୁବି ରହିବେ କେମିତି ଭାବି ବାଡ଼ିପଟ ସେଇ ବୁଢାବରଗଛରେ ଏମୁଣ୍ଡକୁ ସେମୁଣ୍ଡ ଦୌଡ଼ା ଦଉଡି କରୁଥିବା ଗୁଣ୍ଡୁଚିମୂଷାକୁ ଦେଖୁଥାନ୍ତି ତ ପଛପଟୁ ରାକେଶ ପଡୋଶୀ ଘର ବାଛୁରୀକୁ ଦେଖାଇଦେଇ କହୁଥାଏ ଦେଖିଲୁ ମାଆ ଏ ବାଛୁରୀ ତା ପିଲାବେଳୁ ମାଆ ଵିନା କେମିତି ତା ନିଜ କାମ ନିଜେ ଖୁସିରେ କରିପାରୁଛି. ଖାଉଛି, ପିଉଛି ଓ ଡିଆଁ ଡେଇଁ କରୁଛି. ଜନ୍ମ ହେବା ପରେ ପରେ ସେ କେମିତି ନିଜେ ନିଜର ଆତ୍ମନିର୍ଭରଶୀଳ!ମାଆ ଥିଲା ବେଳେ ମାଲିକ ବାନ୍ଧି ରଖେ କାଳେ କ୍ଷୀର ପିଇଯିବ ବୋଲି ଆଉ ଏବେ ତ ତା ମାଆ ଯାଇ ଅନ୍ୟ ମାଲିକ ଘରେ ନା. ପୁଅକୁ ଚାହିଁ ରହି ରୁବି ଭାବନ୍ତି ସତରେ ପିଲା ବା ସନ୍ତାନ ବଡ଼ ହୋଇଗଲେ ସ୍ବାଧୀନ ଭାବେ ରହିବାକୁ ଭାବେ ନଚେତ ସେଇ ପୁଅ ଛୋଟ ଦିନେ କେମିତି ବୁଲାକୁକୁର ଓ ତା ଛୁଆଙ୍କୁ ବର୍ଷାରୁ ରକ୍ଷା କରିବାକୁ ନଭୁଲି ଛତା ଟାଣି ଦେଉଥିଲା ଉଭୟ ମାଆ ଛୁଆଙ୍କ ଉପରେ, ସେକଥା କଣ ରୁବି କେଵେ ଭୁଲି ପାରିବେ!
   ସେଦିନ ଛତାଟି ଖୋଜି ଖୋଜି ନାକେଦମ ହେଉଥିଲେ ରୁବି. କୋଉଠି ପାଉ ନାହାଁନ୍ତି. ବାସନ୍ତୀ କାମ ସାରି ଫେରିଲା ବେଳକୁ କୋଉଠି ଥିଲା ଏ ଅଦିନିଆ ବର୍ଷା,କଚାଡିଲାଣି. ସେ ଘରକୁ ଗଲେ ତାକୁ ତା ଝିଅ ପାଇଁ ଖୁଦୁରୁକୁଣୀ ଭୋଗ ସଜାଡିବାର ଅଛି ଯେ. ବାସନ୍ତୀ କହୁଥିଲା ଥାଉ ମାଆ ମୁଁ ଜରି ଘୋଡେଇ ହୋଇ ଚାଲିଯିବି. ଅନ୍ଧାର ହେଲାଣି ଝିଅ ଡରୁଥିବ. ମୁଁ ଗଲେ ସେ ଓଷା କରିବାକୁ ସାଙ୍ଗ ମାନଙ୍କ ସଙ୍ଗେ ମିଶିକି ଯିବ ପରା ମାଆ ମୁଁ ଯାଉଛି. ରହ ରହ ଓଦା ହେଲେ ଥଣ୍ଡା ଜ୍ୱର ଛାଡିବ ନାହିଁ. କାମକୁ ଆସିପାରିବୁ ନାହିଁ. ଏତିକି କହିଛନ୍ତି କି ନାହିଁ ରୁବି, ପୁଅ ରାକେଶ ଦଉଡି ଦଉଡି ଆସିଲା. ହାତରେ କଣ ଗୋଟେ ଲେଖା ଧରିଥାଏ. ରୁବି ପଚାରିଲେ, ଛତାଟା ଦେଖିଛୁ କି ବାବୁ? ହଁ ମାଆ, ଖାଲି ଦେଖିଛି ନୁହେଁ ନେଇଛି. କୁଆଡେ? କାହିଁକି?? ବାସନ୍ତୀ ମାଉସୀ ଓଦା ହୋଇକି ଘରକୁ ଗଲେ ତାଙ୍କ ଦେହ ଖାରାପ ହେବନି. ଆଣିଲୁ ଆଣିଲୁ ଛତା. ରାକେଶ କହିଥିଲା ମୁଁ ସେଇଟା ବୁଲାକୁକୁର ଟମି ଓ ତା ଛୁଆଙ୍କ ମୁଣ୍ଡ ଉପରେ ଘୋଡେଇ ବର୍ଷା ଦାଉରୁ ରକ୍ଷା ପାଇବାକୁ ତାଙ୍କ ମୁଣ୍ଡ ଉପରେ ପୋତି ଦେଇ ଆସିଛି. ବାସନ୍ତୀ ମାଉସୀଙ୍କୁ ତୁମେ ତୁମ ରେନ କୋର୍ଟ ଦେଇଦିଅ. ସେ ଭଲରେ ଘରେ ପହଞ୍ଚିଯାଇ ପାରିବେ. ହେଲେ ମାଆ ସେ କାଳିଆ ବୁଲା କୁକୁରଟା ତା ଛୁଆ ସହ ରାତି ସାରା ଓଦା ହେଲେ ତା କଥା କିଏ ବୁଝିବ କହିଲ?ଉପର ବର୍ଷାକୁ ତଳ ଓଦା.ମୁଁ ଅଖା ପାରି ଅଖା ଉପରେ ସେମାନଙ୍କୁ ରଖି ଛତା ପୋତି ଦେଇଛି. ଆଉ କଣ ଲେଖିଛୁ ସେଥିରେ?? ସେଇକଥା,ଯାହା ଟିକେ ଆଗରୁ ତୁମେ ବାସନ୍ତୀ ମାଉସୀଙ୍କୁ କହୁଥିଲ. ସମସ୍ତେ ନିଜ ନିଜ ଚାରିପାଖରେ ଥିବା ପ୍ରକୃତି କୋଳରେ ବଢୁଥିବା ପକ୍ଷୀ ଓ ପଶୁଜନ୍ତୁଙ୍କୁ,ବର୍ଷା ଦାଉରୁ ରକ୍ଷା କରନ୍ତୁ. ନହେଲେ ସେମାନଙ୍କ ଦେହ ଖରାପ ହେବ. ତୁମେ ଖାଲି ତାଙ୍କୁ ଖାଇବାକୁ ଦେଲେ କଣ ହେବ ମାଆ, ତାଙ୍କର ବି ଆଶ୍ରୟ ଦରକାର ନା ମା. ତାଙ୍କର ଦେହ ଖରାପ ହେଲେ ସେ ପ୍ରଥମତଃ କଥା କହିପାରନ୍ତି ନାହିଁ ଦ୍ୱିତୀୟତଃ କହିବେ କାହାକୁ! କିଏ ଶୁଣିବ ତାଙ୍କ ଦୁଃଖ. ମାଆ ରୁବି ସେଦିନ ପିଲା ପୁଅ ରାକେଶ କଥାରେ କାନ୍ଦିପକେଇଥିଲେ. ବାସନ୍ତୀ ମାଉସୀ ତାଙ୍କ ରେନ କୋର୍ଟ ପିନ୍ଧି ଚାଲି ଯାଉ ଯାଉ କହୁଥିଲା, ଛୋଟ ବାବୁଙ୍କୁ ମାଆ ମଙ୍ଗଳା ଏମିତି ସଦବୁଦ୍ଧି ଦେଉଥାଆନ୍ତୁ.ଏବେ ସେଇ ଆଶୀର୍ବାଦ ପାଇ ପୁଅ ବଡ଼ ହୋଇ ମାଆକୁ ଛାଡି ଚାଲିଯିବ ସୁଦୂର ଆମେରିକା ବୋଲି ଭାବୁଥିବା ପୁଅକୁ ସେ କଣ କହି ଅଟକାଇ ପାରିବେ ଅବା!ପୁଅ କଣ ଭାବୁଥିଲା କେଜାଣି ଆମେରିକା ଯିବା ପର୍ଯ୍ୟନ୍ତ ମାଆଙ୍କଠୁ ଦୂରେଇ ଦୂରେଇ ରହୁଥିଲା.ପୁଅ ବାପାଙ୍କ ସହିତ ଏୟାର ପୋର୍ଟ ଯିବା ଦିନ ମାଆ ସେଇ ବାଡ଼ିପଟେ ଚାହିଁ ରହିଥିଲେ ଗୋଟେ ବି ନେଳିପତ୍ର ନଥିବା ସେଇ ବୁଢା ବରଗଛଟିକୁ.ତା ଡ଼ାଳରେ ଗୋଟେ ବି ପକ୍ଷୀ ନଥିଲେ କି ଗୁଣ୍ଡୁଚିମୂଷା ଏଣେ ତେଣେ ଦୌଡ଼ା ଦଉଡି କରୁଥିଲା ନା ଥିଲେ ମାଙ୍କଡ଼ ଏଡାଳରୁ ସେଡ଼ାଳକୁ ଡେଇଁବାକୁ.
     ରୁବି ପଣତରେ ଆଖି ପୋଛି ଭାବୁଥିଲେ ଏସବୁ ତାଙ୍କ ଭାଗ୍ୟରେ ଲେଖା. ତାଙ୍କ ପାପ କର୍ମର ଫଳ. ପ୍ରକୃତି କୋଳରେ ବଞ୍ଚି ଶିଖିଥିବା ପଶୁ ଭିତରୁ ବିଲେଇଟିଏ ତାଙ୍କ ଘରକୁ ଜୋର କରି ଆସି ପୋଷା ହୋଇଗଲା.ସେଇ ବିଲେଇର ନାମ ତ ଅନେକ କିନ୍ତୁ କାମ ହେଲା ମୂଷା ନମାରି ତାଙ୍କ ସଙ୍ଗେ ଖେଳିବ, ଆଉ ପଡିଶା ଘର କଲ୍ୟାଣୀ ମଣ୍ଡପରୁ ବିବାହ ବ୍ରତ ଆଦି ଭୋଜିରୁ ମାଛ ଚୋରୀ କରି ଆଣି ତା ଛୁଆଙ୍କୁ ଦେବ. ବେଳେ ବେଳେ କୁକୁର ହାବୁଡ଼ରେ ପଡି ମାଛ ସିନା ହରାଏ କିନ୍ତୁ ଏମିତି ଆମ୍ପୁଡା ଦିଏ କୁକୁରକୁ, ଆଉ ଦିନେ ସେ ସାହସ କରିବନି ତା ଗତିପଥ ରୋକିବାକୁ. ଏଣିକି ପ୍ରାୟ କୁକୁର ଡରୁଥିଲେ ତାକୁ ମାନେ ବିଲେଇ କକିକୁ. କୁକୁରମାନେ ସିନା ଭୟ ପାଇ ବିଲେଇଠୁ ମାଛ ଖଣ୍ଡ ଛଡେଇ ରଖି ପାରନ୍ତିନି କିନ୍ତୁ ଜେଜେମା ଉଠିଲା ବେଳକୁ କୋଉଦିନ କୋଉଠି ମାଛ ଖଣ୍ଡ ସବୁ ପଡ଼ିଥିବ ତ ଘର ଧୁଆ ପୋଛା, ଗଙ୍ଗା ପାଣି ପକାରେ ଅସ୍ତବ୍ୟସ୍ତ ଜେଜେମା ଗାଳି ଦେଇ ଚାଲିଥିବ କକିକୁ, ହେଲେ ଜେଜେମାକୁ ଆମ୍ପୁଡେ ନାହିଁ କକି ବରଂ ଦେଖେଇ ଦେଖଇ ପଞ୍ଝା ଚାଟି ସଫା କରି କହୁଥିବ ଯେମିତି ଦେଖ ଜେଜେମା, ମୋ ପାଦ ମଧ୍ୟ ମୁଁ ସଫା କରିଦେଲି.   
       ସେଦିନ ପାଟିରେ ମାଛମୁଣ୍ଡ ଗୋଟେ ଧରି ଆସୁ ଆସୁ, ପଡିଗଲା ଜେଜେମାଙ୍କ ହାବୁଡ଼ରେ ତ ଡାକପକେଇଲେ ଜେଜେମା. ଦୌଡି ଆସିଲା ରାକେଶ କହିଲା ଜେଜେମା ବ୍ୟସ୍ତ ହୁଅନି, କକିକୁ ମଙ୍ଗଳ ଗ୍ରହକୁ ଛାଡ଼ିଦେବା. ଯେମିତି ଚନ୍ଦ୍ର ପୃଷ୍ଠକୁ ପ୍ରଥମ ସଜୀଵ ବା ଜୀବନ୍ତ ପ୍ରାଣୀ, କୁକୁର ଲାଇକା ଯାଇଥିଲା. ସେମିତି ମଙ୍ଗଳ ଗ୍ରହରେ ଆମ କକିର ପ୍ରଥମ ଦିନ ବିଶ୍ୱବାସୀ ଦେଖିବେ. ଜେଜେମା କିଛି କହିଲେନି, ଗୁମସୁମ ହୋଇଗଲେ. ଧୁଆ ପୋଛା କରୁ କରୁ ବିଲେଇଟା ଗଁ ଗଁ ହେଉଥିଲା.ସେ ଆଣିଥିବା ମାଛମୁଣ୍ଡ, ବୁଲା କୁକୁର ଏବେ ପୋଷା ମାନିଥିବା ଟମିର ଖାଇବା ଥାଳିରେ ଦେଖି. ଟମି ମଧ୍ୟ ଖାଇପାରୁନଥିଲା,ଥରେ ଜେଜେମା ଓ ଥରେ କକି ଆଡ଼େ ଚାହିଁ ଶୋଇରହି ଚାହିଁଥିଲା ମାଛମୁଣ୍ଡ ଆଡକୁ. ରାକେଶ ଏସବୁ ଲକ୍ଷ କରି, କଞ୍ଚା ମାଛମୁଣ୍ଡଟିକୁ ବାରିପଟେ ବରଡ଼ା ଜାଳି ଆମିଷ ଚୁଲିରେ ଭାଜି ବାଡ଼ିପଟେ କିଛି ଟମି ଥାଲିଆରେ ଓ କିଛି କକି ପେଟିରେ ଥିବା ଖାଦ୍ୟ ଗିନାରେ ଦେଇଥିଲା.   
     ଏବେ କକିର ଛୁଆ ହେବ. ଏତେ ଉପରକୁ ଡେଇଁ ପଡୋଶୀ ଘରକୁ ଯାଇ ପାରୁନି. ଆମିଷ ବିନା କ୍ଷୀର ଭାତ ତାକୁ ରୁଚୁନି. କିନ୍ତୁ ସେପଟେ ବାଜା ରୋଷଣୀ, ଲାଇଟ ଭିତରେ ଆମିଷ ବାସ୍ନା ତାକୁ ଅସ୍ଥିର କରୁଛି. ରାକେଶ ରହି ରହି କହୁଥାଏ କକିକୁ,ରହ ମଙ୍ଗଳ ଗ୍ରହକୁ ଗଲେ ସେଠି କୋଉଠି ମାଛ ଖାଇବୁ ଓ ଛୁଆଙ୍କୁ ମାଛ ଆଣି ଦେବୁ. ଏକଥା କକି ବୁଝେକି ନବୁଝେ, ଜେଜେମା କିନ୍ତୁ ଗୁମସୁମ ଦିଶନ୍ତି.ରାକେଶ ବୁଝିପାରେନା କକି ପାଇଁ ଜେଜେମାଙ୍କ ମନରେ କଣ ଅଛି!ସେଦିନ ପଡୋଶୀ କଲ୍ୟାଣୀ ମଣ୍ଡପରେ ଭୋଜିରେ ରାକେଶ ଘର ସଦସ୍ୟମାନଙ୍କୁ ଡକରା ଥାଏ. ଯିଏ ଯାହା ବାଟରେ ଯାଇ ଖାଇକି ଆସିଲେ. ଜେଜେମା ସବା ପଛରେ ଗଲେ. ସକାଳୁ ଦେଖିଲା ବେଳକୁ, ମାଛ ମୁଣ୍ଡ ଧରି କକି ଖାଉଛି ତା ଛୁଆଙ୍କ ସହ. କକି ତ ଏବେ ବନ୍ଧା ହୋଇ ରହୁଛି. ଘରଦ୍ୱାର ଆମିଷ କରି ଜେଜେମାଆଙ୍କୁ ହଇରାଣ କରୁଛି ବୋଲି ତାକୁ ମଙ୍ଗଳ ଗ୍ରହର ପ୍ରଥମ ଦିନର ଅନୁଭୂତି ଦେଖାଇବାକୁ ଅର୍ଥାତ ଛାଡ଼ି ଦେବାର ଯୋଜନା ଚାଲିଥିବା ଭିତରେ, ମାଛମୁଣ୍ଡ କୋଉଠୁ ଆସିଲା ଭାବୁଥିଲା ରାକେଶ. ସାଙ୍ଗ କୁନା କହୁଥିଲା, ତୁମ ଜେଜେମା କାଲି ତାଙ୍କ ପତରରେ କେବଳ ମାଛମୁଣ୍ଡ ମାଗୁଥିଲେ, ରାକେଶର ପିଲା ମୁଣ୍ଡ ଗୋଳମାଳ ହୋଇଯାଉଥିଲା ସିନା ହେଲେ ଜେଜେମା ଗାଁକୁ ଯିବା ପରେ କକବିଲେର ତିନୋଟି ଯାକ ଛୁଆଙ୍କୁ ମାଆ ପାଖରୁ ଛଡେଇ ଛାଡି ଆସିବାରେ ରୁବି ହିଁ ମୁଖ୍ୟ ଭୂମିକା ନିଭାଇଥିଲେ. ଆଜି ତାରି ଫଳ ସେ ଭୋଗିବେନି ତ ସ୍ବର୍ଗରୁ ରାକେଶର ଜେଜେ ମାଆ ଆସି ଦେଖିବେ ଏସବୁ ନା ଭୋଗିବେ ଏସବୁ!ଖାଲି କଣ ଏତିକି. ବୁଲା କୁକୁର ପୋଷା ହୋଇ ଟମି ନାମ ପାଇ ରହିବା ପରେ ତା ପ୍ରତି କରିଥିବା ଅନ୍ୟାୟରେ ମଧ୍ୟ ରୁବିଙ୍କର ଶହେ ରୁ ଶହେ ହାତ ଅଛି.
    ଟମି କୁ କେବେ ବି ପୁଅଠୁ ରୁବି ଅଲଗା ଭାବନ୍ତି ନାହିଁ, ପୁଅ ପାଇଁ ଖାଦ୍ୟ ପରସିଲେ  ଟମି ପାଇଁ ବି ପରସି ଦିଅନ୍ତି ରୁବି ଖାଦ୍ୟ, ହେଲେ ଭାରି ମନମାନୀ ତାର ,ଖାଇବ କେବେ ତ ଖାଇବନି କେବେ, ରୂଷିବ, ପୁଅ ସଙ୍ଗେ ସାଙ୍ଗ ହୋଇ ଘରକୁ ଲାଗି ପଛ ପଟ ବାରି ରେ ବୁଲୁଥିବ ମନ ଇଚ୍ଛା, ଖେଳୁଥିବ ମନ ପୁରିବା ଯାଏଁ, ଦେଖିଯାଉଥିବ ଥରକୁ ଥର ଖାଦ୍ୟ ପରସା ସ୍ଥାନକୁ, ଗାଳିଦେଲେ ଘଡ଼ିଏ ବୁଲିକି ଚାହିଁବ ପୁଣି ଦୌଡିଯିବ ବାରିପଟକୁ, ଖେଳି ବୁଲି ଫେରିବା ପରେ ବି ମନମାନୀ ଛାଡି ନଥିବ, ତ ତା ଉପରେ ରାଗି ଶୋଇଯାଆନ୍ତି ରୁବି, ଥରକୁ ଥର ଦେଖିନେବ ପ୍ରକୃତରେ ରୁବି ଶୋଇଛନ୍ତିନା ଛଳନା, ଯଦି ହୃଦୟଙ୍ଗମ ହେବ ରୁବି ଶୋଇଛନ୍ତି ତ ଖାଇବ, ତା ଥାଳି ଭିଡି, ଖାଉ ଖାଉ ଯଦି ପୁଅ  ଆସିଗଲା ତ ପୁଣି ଲୁଚିଯିବ କବାଟ କଣରେ, ତ ପୁଅ ଚୁପ ଚାପ ଶୋଇଯାଏ ରୁବିଙ୍କ ପାଖେ ତ ଖାଇନିଏ ସବୁ ଟମି ଆଉ ଆସି ଶୋଇଯାଏ ତା ଜାଗାରେ  ଯୋଉଦିନ ଚିକେନ ଥାଏ ତ ସହଜରେ ଖାଇନିଏ, ନହେଲେ ଏମିତି ଢଙ୍ଗ ରଙ୍ଗ କାଢୁଥାଏ, ହେଲେ କକି ଯେବେ ଲୁଚି ଲୁଚି ଆସି ତା ଥାଳିଆରେ ମୁଁହ ମାରେ ତ କଥା ସରିଲା, ମାଡ କାମୁଡ଼ା ଖାଏ ବିଚରା କକି ବିଲେଇ, ଆଉ ଗୋଟେ ବି ଦାନା ନଥାଏ ତା ଥାଳିରେ ବଳକା, ଟମିକୁ ପୋଷା କରି ରଖିବା ପରଠୁ ଆସିବା ପରଠୁ କକି ହିଁ ବେଶୀ ନିର୍ଯ୍ୟାତିତ ହୁଏ.ରୋଷେଇ ଘରକୁ ଏକ ରେ ପଶିବାକୁ ଦିଏନି ତାକୁ ଟମି.ଦୁଇରେ ନିଜ ଥାଳିରୁ ଖାଇ ତା ଥାଳିଆର କ୍ଷୀର ରୁଟି ବା ମାଛ ଭାତ ବି ଖାଇ ନିଏ ତ ଏଣିକି ଅଧିକାଂଶ ସମୟ କକିର "ଦେବରାଜକଲ୍ୟାଣୀମଣ୍ଡପ "ରେ ବିତେ. ଡରି ଡରି ଘରକୁ ଆସେ, ଖାଦ୍ୟ ଖାଇ ପୁଣି ଚାଲିଯାଏ,କୋଉ ଛଟକ ରେ.ତାକୁ ଛକି ଥାଏ ଟମି.କେବେ ଦିଏ ପାନେ ତ କେବେ ସେ ନିଜେ ବି ଯିବାକୁ ଚାହିଁ କକି ପଛରେ ଯାଏ. ଏବେ ଆଉ ଯାଇ ପାରେନି ଆକଟ ଯୋଗୁଁ, ହେଲେ ବଢୁଥାଏ ଚନ୍ଦ୍ରକଳା ପରି. ଏଵେ ସମ୍ପୂର୍ଣ୍ଣ ବଡ ହେଇଗଲାଣି ଟମି. ଆଉ ତାକୁ ରୋକି ହେଉନି.ବାହାରକୁ ଯିବାକୁ ଉଚ୍ଛନ୍ନ ସିଏ, ତା ଛଡ଼ା କକି ପଛରେ ଲାଗିଥାଏ ସବୁବେଳେ. ଏମିତିକି ସେ ଛୁଆ କରିଥିଲା ବେଳେ ଢାବଲ ପାଖକୁ ଯାଇ ଛୋଟ ଛୁଆ ଉଠାଇ ଆଣେ. ହେ ହେ କହି ଦଉଡିଗଲା ବେଳକୁ ସେ ବି ପାଟିରେ ବିଲେଇ ଛୁଆ ଧରି ଏଣେ ତେଣେ ଧାଏଁ ତ ବିଲେଇ ଛୁଆ ଅବସ୍ଥା ଘାଇଲା, କେବେ ବଞ୍ଚିଥାଏ ତ କେବେ ମୃତ, କେବେ ଗୋଟେ ତ କେବେ ସବୁତକ ଛୁଆ କଚାଡି ମାରେ କକିର ଛୁଆମାନଙ୍କୁ ହୁଣ୍ଡା କୁକୁର କଂସ ମାମୁଁ ରୂପୀ ଟମି.  
       ଦେବରାଜ କଲ୍ୟାଣୀ ମଣ୍ଡପାରୁ ଭାସିଆସୁଥିବା ବାହାଘର, ଜନ୍ମଦିନ, ବ୍ରତଘର ର ଆମିଷ ଖାଦ୍ୟ କକିକୁ ତ ନିରୁଦିଷ୍ଟ କରେ, ଏଵେ ଟମିକୁ. ତ ବାନ୍ଧି ରଖି ହୁଏନି ଶିକୁଳିରେ ତାକୁ.ଆଧାତୋଳା ଘର ର ସାଢେ ଛ ଫୁଟ କବାଟ ଡେଇଁ ଚାଲିଯାଏ ପଡୋଶୀ କଲ୍ୟାଣୀ ମଣ୍ଡପକୁ. ସେଠାରେ ବାଘ ବନିଯାଏ ଟମି.ଅସହିଷ୍ଣୁଙ୍କ ଶରବ୍ୟ ଓ ଶୀକାର ହୁଏ ତ ବାଘ ପରି ଗୋଡେଇ ଗୋଡେଇ କାମୁଡ଼ିଦେଇ ହୁଣ୍ଡା ସିନା ବଦଲା ନେଇଯାଏ, ହେଲେ ପରିବାରର ମୁଖିଆ ରୁବିଙ୍କ ସ୍ୱାମୀ ଶରବ୍ୟ ହୁଅନ୍ତି, କେହି ବୁଝିଲେନି, ଟମି ଦାମୀ ଇଞ୍ଜେକ୍ସନ ନେଉଥିବା ପୋଷା କୁକୁର.ଛାର କୁକୁରଟେର ଏତେ ପାରିଲା ପଣିଆ ଆଖିକୁ ଗଲାନି କାହାର ତ ଅଜଣାତରେ ଯିଏ ବି ତାକୁ ଆଘାତ କଲା ତାକୁ ଗୋଡେଇ କାମୁଡିବା ନିଶ୍ଚିନ୍ତ ଟମିର. ଆଉ ଯିଏ ଖତେଇ ବିଗୁଲଇ ବା ବିକୃତ ଢଙ୍ଗଢାଂଗ କରି ଚିଡେଇଲା, ତାକୁ ଦେଖି ଭୁକିଲା, ଏବଂ ଚଲେଇ ଦେଲାନି ରୁବିଙ୍କ ଘର ଦୁଆର ବାଟେ ତ କୁକୁର କାମୁଡ଼ା ପାଇଁ ଲୋକେ ଇଞ୍ଜେକ୍ସନ ପଇସା ଦାବି କରିବାରେ ସଫଳ ହେଲେ ବି ବକାବନା ସମ୍ଭାଳି ହେଲାନି ପରିବାର ସଦସ୍ୟଙ୍କୁ,କି ଦାନ୍ତ ଭାଙ୍ଗି ବା ଟମିକୁ ବାନ୍ଧି ରଖିବା ବି ହେଲା ଅସମ୍ଭବ.ଏଣିକି ଏକମାତ୍ର ଉପାୟ ଛାଡ଼ିଦେବା, ପାଖରେ ଛାଡିଲେ ଚାଲିଆସିବ, ଦୂରରେ ଛାଡିଲେ ବି ଚାଲିଆସିବ. ସ୍ଥିର ହେଲା ଟ୍ରେନରେ ନେଇ ପରବର୍ତ୍ତୀ ଷ୍ଟେସନରେ ଛଡ଼ା ଯିବ. ସେୟା ବି ହେଲା.ସେଦିନର ସେ ପରିବେଶ, ଘଟଣା, ପରିସ୍ଥିତି ବର୍ଣ୍ଣନା କରିବା ଆଜି ଅସମ୍ଭବ, ସମେସ୍ତେ ମ୍ରିୟମାଣ, ଘରର ମୁରବୀ ମଧ୍ୟ ଛାଡି ଆସିବା ପରେ କାନ୍ଦି ପକେଇଥିଲେ.ଷ୍ଟେସନରେ ପହଂଚିବା ପର୍ଯ୍ୟନ୍ତ ବିଶ୍ୱାସରେ ସାଙ୍ଗରେ ଚାଲିଥିବା ଟମିର ଅନ୍ୟମନସ୍କତାର ସୁଯୋଗ ନେଇ ଖସି ଆସି ପଛକୁ ଫେରି ଚାହିଁଥିଲେ ପରିବାର ମୁରବୀ,ରୁବିଙ୍କ ସ୍ୱାମୀ ଆଉ ଦେଖିଥିଲେ କି ବିକଳରେ ଟମି ଖୋଜୁଥିଲା ତା ମାଲିକଙ୍କୁ.ସେହିକଥା ବର୍ଣ୍ଣନା କଲାବେଳେ ସମସ୍ତଙ୍କ ଛାତି ଫାଟି ଗଲାବେଳେ ଯିଏ ସବୁଠୁ ଖୁସି ଥିଲା ସେ ଥିଲା କକି. ହେଲେ ଦିନ ପନ୍ଦରଟା ଯାଇନି କଣ ଖାଇଦେଇ ଛଟପଟ ହୋଇ କକି ମରିଯିବା ଦୃଶ୍ୟ ବି ଥିଲା ହୃଦୟବିଦାରକ.
    ସେହି ସବୁ ପାପ କଥା ଭାବି ରୁବି ଅସହାୟ ହୋଇ ପଛପଟେ ଥିବା ବୁଢବରଗକୁ ଚାହିଁ ଚାହିଁ ଶୁନ୍ୟ ଅନୁଭବ କଲାବେଳେ କୋଉ ପୁଣ୍ୟ ବଳରେ କେଜାଣି ବାପାଙ୍କ ସଙ୍ଗେ ପୁଅ ରାକେଶ ଫେରିଥିଲା ଏୟାର ପୋର୍ଟରୁ. ଓଡିଶାରେ ଜଏନ କରିବି ମାଆ କହି ରୁବିଙ୍କୁ ଖାଲି ଚମତ୍କୃତ ନୁହେଁ ବରଂ ଶିବ ଶଙ୍କରଙ୍କ ପାଖେ ଶ୍ରାବଣ ମାସରେ ଶହେ ଆଠ ନଡ଼ିଆ ଭାଙ୍ଗିବା ପକ୍କା ହୋଇଯାଇଥିଲା ରୁବିଙ୍କର.

,,,,,,,,,,,,,,,,,,



Rate this content
Log in

Similar oriya story from Action