STORYMIRROR

Soumya Shubhadarshinee

Drama

3  

Soumya Shubhadarshinee

Drama

ଶୋଷ

ଶୋଷ

4 mins
172


 ସୁଖଦ ଲାଗେ କିଛି ଶୋଷ ଭିତରେ ସନ୍ତୁଳି ହେବା । ସେ ଶୋଷ ମେଣ୍ଟିବାରେ ମିଳେ ଅସହ୍ୟ ଯନ୍ତ୍ରଣା।

★★★★★


 ନିଜର ସମସ୍ତ ଶକ୍ତି ସଞ୍ଚୟ କରି ମୁଁ ଧାଇଁଲି, ହୁଏତ ଅଲମ୍ପିକ ଦୌଡ଼ର ଶେଷ ପର୍ଯ୍ୟାୟରେ ଧାଉଁ ଥିବା ଦ୍ରୁତ ଧାବକ ଠାରୁ ମଧ୍ୟ ଅଧିକ ଜୋରରେ । ଏ ସହର ଛାଡି କୌଣସି ଅପହଞ୍ଚ ଇଲାକକୁ ପଳେଇ ଯିବାର ଇଚ୍ଛା ଥିଲା ମୋର । କିନ୍ତୁ ବୟସ ଓ ସାମର୍ଥ୍ୟ ମୋତେ ସେଇ ନିଳ ଘରର ଲନ ପର୍ଯ୍ୟନ୍ତ ସାଥି ଦେଲା । ସେଇଠି ପହଞ୍ଚି ମୁଁ ଥକି ଗଲି । ମୋତେ ବାନ୍ତି ଲାଗୁଥିଲା, ମୁଁ ନିଜକୁ ସମ୍ଭାଳି ନେବାର ବ୍ୟର୍ଥ ପ୍ରୟାସ ନକରି ବାନ୍ତି କଲି ଯେତେ ସମ୍ଭବ ସେତେ । ପାଣି ଥିଲା କେବଳ ମୋ ଭିତରେ, ଗ୍ୟାଲନ ଗ୍ୟାଲନ ପାଣି ଓ ଲୁହ ?.......


 ସବୁ ବାହାରିଗଲେ ଗୋଟେ ଅଜବ ବିବଶତା ଭରିଦେଇ । ମୁଁ ଏବେ ପୁଣି ପାଣି ଖୋଜିଲି ନିଜକୁ ସତେଜ କରିବାକୁ । ପାଣି ମୋ ଭିତରେ, ମୋ ଆଖିରେ, ମୋ ସାରା ପୃଥିବୀରେ କିନ୍ତୁ ମୁହଁ ଧୋଇବାକୁ ପାଣି ଟିକେ ମିଳିଲା ନାହିଁ ।


 ନା' ଲୋଡ଼ା ନାହିଁ ମୋର ଆଉ ନିଜକୁ ସତେଜ କରିବା, ମୁହଁକୁ ପଖାଳି ଉଜ୍ଜ୍ୱଳ କରିବା, ନିଜ ଅସ୍ତିତ୍ୱକୁ ପ୍ରକାଶିତ କରିବା । ମୁଁ ଏବେ ଶୁଷ୍କ, ନିଥର, ନିଷ୍ପ୍ରଭ ହେବାର ଇଚ୍ଛାରେ । ଆଜିର ଏଇ ମୁହୂର୍ତ୍ତ ପରେ ମୋର ସମସ୍ତ ଇପ୍ସା ସରିଯାଇଛି ।


***********


 ନଦୀର ନୀତି ଓ ଗତି ଅବୁଝା ସବୁବେଳେ ମଣିଷ ପାଇଁ । କେବେ ସେ ରତ୍ନଗର୍ଭା ପୁଣି କେବେ କରାଳି ବିଧ୍ଵଂସୀ । ବନ୍ଧ ବାନ୍ଧିବାର ସବଳ ସାମର୍ଥ୍ୟ ଟିକକ ହିଁ ତାକୁ ମନେଇ ରଖିବାର ବୀଜମନ୍ତ୍ର । ସେ ଧୀର, ସୁଧାର, ସୁନାବ୍ୟା ହେଇ ରହୁ ସେଥିପାଇଁ ଏ 

ପ୍ରୟାସ । ପାଣି ତକ ସାଇତି ନେଇ ଜନକଲ୍ୟାଣ ପାଇଁ ନିୟୋଜିତ କରିବାର ଏ ପ୍ରୟାସ ସଭ୍ୟତାର ସ୍ୱର୍ଣ୍ଣିମ ସ୍ବାକ୍ଷର । 


 ମୁଁ ଯନ୍ତ୍ରୀ ଯେ ଯନ୍ତ୍ର ସହ ଯନ୍ତ୍ର ହେଇ ବନ୍ଧ ବାନ୍ଧେ । ନିଜର ସର୍ବସ୍ୱ ଲୁଟେଇ ସେଇଠି ପଡିଥାଏ । ବନ୍ଧ ବନ୍ଧା ପରିକଳ୍ପନାଠୁ ସାକାର ହେବା ପର୍ଯ୍ୟନ୍ତ ମୁଁ ସେଠି ସ୍ଥବିର ହୁଏ । ତେଣୁ ମୁଁ ବେଶ ଚର୍ଚ୍ଚିତ ବେଶ ପ୍ରସିଦ୍ଧ । ମୋ ହାତ ଛୁଆଁ ବାଜିଲେ କାମଟି ସଠିକ ଓ ସଫଳ ଥୟ । କିନ୍ତୁ ବନ୍ଧ ନିର୍ମାଣ ସରିଗଲେ ମୁଁ ଅଥୟ ହୁଏ । ଉଦଘାଟନ ଦିନ ମୋ ଭିତରର ହିଂସ୍ର କାମୁକ ମଣିଷଟା ଉଜ୍ଜୀବିତ ହେଇଯାଏ । ଆଉ ମୁଁ ଖୋଜେ ଗୋଟେ ପରିତ୍ୟକ୍ତ ଦେହ । ଦେହଦାନ କରୁଥିବା ପ୍ରତ୍ୟକ ନାରୀ ମୋତେ ସମାଜ ଦ୍ୱାରା ନିର୍ବାସିତ ହିଁ ଲାଗନ୍ତି ।


 ମୋର ଏଇ ଅନ୍ଧକାର ଦିଗ ମୋ କାର୍ଯ୍ୟଦକ୍ଷତାର ଉଜ୍ଜ୍ୱଳ ଆଲୋକରେ ନିଷ୍ପ୍ରଭ ହେଇଯାଏ । ମୁଁ କେବଳ ଜଣେ ଷୋହଳ ଅଣା ସଭ୍ୟ ସମାଜ କଲ୍ୟାଣକାରୀର ଆସନ ଅଳଙ୍କୃତ କରିଥାଏ । ନିଃଶବ୍ଦ ଅନ୍ଧକାରର ସେଇ ଅନାବୃତ ଆଲେଖ୍ୟ କେହି ପଢ଼ନ୍ତି ନାହିଁ ଏତକ ଭୁଲ । ପ୍ରକୃତରେ ପଢି ଲିଭେଇ ଦିଅନ୍ତି ମୋ ପରିଲାପଣର ଦାୟରେ । ମୋ ମର୍ଜି ବିନା ସଭ୍ୟତାର ଉନ୍ମେଷ ତାଙ୍କ ପାଇଁ ଅପହଞ୍ଚ ଏତକ ଜାଣି । ହଁ ସୁଗମ ପଥର ସୁଯୋଗ ଆଉ ସଫଳ ଯାତାୟାତ ସଭ୍ୟତାର ଉନ୍ନତି ପାଇଁ ଏକାନ୍ତ କାମ୍ୟ । ନଦୀବନ୍ଧ ଏଥିରେ ଅନନ୍ୟ ଭୂମିକା ନିଭେଇଥାଏ ଜଣା ସଭିଁଙ୍କୁ ।


 ମୁଁ ରାତିଟିଏ ନିଏ ଗୋଟେ ପରିତ୍ୟକ୍ତ ପୃଷ୍ଠା ପଢିବାକୁ । ସେଇ ନିର୍ଦ୍ଦୋଷ ରାତି ସବୁ ମୋତେ ମୁହୂର୍ତ୍ତ କିଛି ଦିଅନ୍ତି ତାକୁ ଅନୁଭବ କରିବାକୁ । ମୋ ଭିତରର ପ୍ରବଣତା ଜୀବନ୍ୟାସ ନିଏ ଓ ସେଇ ନିର୍ବାସିତ ନାରୀ ଜୀବନରେ ପୁଣି ନୂତନ ଅଧ୍ୟାୟ ଯୋଡ଼ା ହୁଏ । ସେ ଶାପ ମୁକ୍ତ ହେଇଯାଇ ପୁଣି ଫେରି ପାଏ ନିଜସ୍ୱ ସୌନ୍ଦର୍ଯ୍ୟ । ଅଭିଶପ୍ତା ଅପ୍ସରୀ ଫେରିଯାଏ ନିଜସ୍ୱ ସ୍ଵର୍ଗ ।


 ଜାଣିଛି ଗୋଟେ କାଳିମାର ପ୍ରସଙ୍ଗକୁ ମୁଁ ହୁଏତ ଭିନ୍ନ ଭାବେ ଲେଖୁଛି । ବାରବଧୂର ପରିଚୟକୁ କୂଳବଧୁ ଭଳି ବଖାଣୁଛି । ହଁ ମୁଁ ପ୍ରତ୍ୟେକ ନାରୀ ଭିତରେ ଧାନ୍ୟାକୁ ଖୋଜୁଥାଏ । ସେଇ ଅସହାୟ ସ୍ତ୍ରୀ ଭିତରେ ଧାନ୍ୟା ଜୀବନ୍ୟାସ ନିଏ ଆଉ ମୁଁ ତା' ପ୍ରତି ଢଳି ଯାଏ । ତା' ସମଗ୍ର ଜୀବନକୁ ସମ୍ମାନିତ ଭାବେ ଜିଇବାର ବନ୍ଦୋବସ୍ତ କରିନିଏ କିଛି ଟଙ୍କା ବିନିମୟରେ । ସେଇ ସ୍ତ୍ରୀ ମାନେ ମୋତେ ମନେ ରଖନ୍ତି ବା ଭୁଲିଯାନ୍ତି ଜାଣିନି କିନ୍ତୁ ସେଇ ରାତିରେ ଧାନ୍ୟା ତୃପ୍ତ ହୁଏ ଓ ମୋ ଭିତରର ଅସହ୍ୟ ଶୋଷ ମୁହୂର୍ତ୍ତକ ପାଇଁ ପ୍ରଶମିତ ହେଇଯାଏ ।


************


 -- "ଦେଖ ସମୟ ନାହିଁ ମୋ ହାତରେ ଆଦୌ, ସତରେ ମୁଁ ନିରୁପାୟ । "

-- "ଏତକ ତୁଚ୍ଛା ଭାବପ୍ରବଣତା ଧାନ୍ୟା । ତୁମେ ଅଧୁନିକା ଆଉ ଶିକ୍ଷିତା । ଅନ୍ତତଃ ତୁମଠୁ ଏସବୁ ଆଶା କରାଯାଏନି ।"

--'' କଣ କହିବାକୁ ଚାହୁଁଛ ତୁମେ ?''

--" ନା ମୁଁ ପ୍ରସ୍ତୁତ ନୁହେଁ । ମୋତେ ସମୟ ଦରକାର । ଯାହା କେବଳ ତୁମେ ଦେଇପାର ।"

--" ମୁଁ କେବଳ ତୁମକୁ ପିତୃତ୍ୱ ଦେଇପାରେ ତାପସ । ତଦଭିନ୍ନ ଆଉ କିଛି ନୁହେଁ ।"

--" ତା'ର ସମୟ ଆସିନି । ଏବେ ମୁଁ ପ୍ରସ୍ତୁତ ନାହିଁ ।"

 ମୁଁ ନିଜର କର୍ତ୍ତବ୍ୟ ଓ ଦାୟିତ୍ୱକୁ ପିଠିକରି ଫେରି ଆସିଥିଲି । ମୁଁ ଭାବିଥିଲି ସେ ବୁଝିବାର ଝିଅ । ସବୁ ସଜାଡି ନେବ । ଭୁଲ କରିବା ଆମର ପ୍ରବୃତ୍ତି । ମଣିଷ ମାତ୍ରକେ ଭୁଲ । ମୋର ଇଂଜିନିୟରିଂ ଶେଷ ବର୍ଷ ଥିଲା, ମୁଁ ବ୍ୟସ୍ତ ଥିଲି, ବାଧ୍ୟ ଥିଲି, ସାମାଜିକ ପ୍ରତିବଦ୍ଧତା ଭିତରେ ଥିଲି । ସେ ମୁକ୍ତ ଥିଲା ପୁଣି ଥରେ ନିଜକୁ ଝିଅଟିଏ କରିଦେବାର ରାସ୍ତା ବାଛିନେବାରେ ।

 କିନ୍ତୁ ସେ ନିରୁଦ୍ଦିଷ୍ଟ ହେଇଗଲା । କଲେଜ କ୍ୟାମ୍ପସ ଛାଡି, ତା' ଗାଁ ଛାଡି, ତା' ସ୍ୱପ୍ନ ସବୁଙ୍କୁ ସମାଧି ଦେଇ ଅଥଳ ଗଣ୍ଡର ନୀଲାଭ ଗଭୀରତା ଭିତରେ । ମୁଁ ଖୋଜିଲି ଅନେକ । ପୂରାପୂରି ପାଗଳ ହେଇ । ସେ କିନ୍ତୁ ମୋ ଭିତରେ ଅତୃପ୍ତ ଶୋଷ ହେଇ ରହିଗଲା । କେବେବି ତୃପ୍ତ ନହେବାର ପ୍ରତିଶ୍ରୁତି ନେଇ ।

 

 ମୁଁ ଯେବେ ନିଜକୁ ସମ୍ଭାଳିଲି, ସେବେ ଖୁବ୍ ଡେରି କରିଦେଲି ନିଶ୍ଚିତ । ହଜେଇ ଦେଲି ଗୋଟେ ସବୁଜ ନନ୍ଦନକାନନର ଚିତ୍ର, ଭରିଦେଲି ସେଠି ଧୂସର ମରୁବାଲି । ମୁଁ ନିଜକୁ ବୁଡ଼େଇ ନେଲି କାମ ଭିତରେ ଆଉ ଖୋଜିଲି ମୋ ଶୋଷ ପାଇଁ ଚିରସ୍ରୋତା ନିର୍ଝରିଣୀ । ନଦୀ ସହ ମିତ ହେଲି କିନ୍ତୁ ଶୋଷ ମେଣ୍ଟିଲା ନାହିଁ ।........

  

 ************


 ଆଜି କିନ୍ତୁ ସେଇ ନୀଳଘରର ନିବୁଜ କୋଠରୀରେ ଭେଟିଲି ଧାନ୍ୟାକୁ, ଦଶ ବର୍ଷ ପରେ । ସେ ମଳିନ ପଡିନଥିଲା । ସେ ପରିତ୍ୟକ୍ତ ଲାଗୁନଥିଲା, ସେ ଅସହାୟ ଲାଗୁନଥିଲା । ମୁଁ ସୁଖୀ ହେବା କଥା, ମୁଁ ଆନନ୍ଦ ଅନୁଭବ କରିବା କଥା । ମୋ ସନ୍ଧାନ ସଫଳ ହେଇଛି । ମୋତେ କିନ୍ତୁ ଭୀଷଣ ଯନ୍ତ୍ରଣା ହେଉଥିଲା ମୋ ଭିତରର ଅୟୁତ ଯୁଗର ଶୋଷ ମେଣ୍ଟିଗଲା ପରେ ।




Rate this content
Log in

Similar oriya story from Drama