ଶୀତୁଆ ସଞ୍ଜରେ ଜଗନ୍ନାଥ
ଶୀତୁଆ ସଞ୍ଜରେ ଜଗନ୍ନାଥ
ମାର୍ଗଶିର ଓ ପୁଷ ମାସ ବେଳକୁ ପ୍ରବଳରୁ ପ୍ରବଳ ଶୀତ ଅନୁଭୂତ ହେଉଥାଏ। ଚାରି ଆଡେ଼ ଖାଲି କୁହୁଡ଼ା ଓ କୋହଲା ପବନର ଗର୍ଜନ। ରାତି ଅପେକ୍ଷା ଦିନର ଆୟୁଷ ପ୍ରାୟ କମି ଯାଏ। ସଞ୍ଜ ନଇଁ ଗଲା ମାନେ ଆଉ ବେଶୀ କେହି ଘରୁ ବାହାରନ୍ତି ନାହିଁ। ଚାଆ ଦୋକାନ ମାନକରେ ଏତେ ଭିଡ଼ ହୁଏ ସତେ ଯେମିତି ମାଗେଣା ସୁନା ବଣ୍ଟା ହଉଛି। ହେଲେ ଧରଣୀ ରାଣୀ ରଙ୍ଗ ବେରଙ୍ଗ ଫୁଲ ଫଳରେ ସଜେଇ ହୋଇ ବେଶ୍ ମନଲୋଭା ଦିଶେ। ଆଉ ଚାଷୀ ଭାଇର ଫସଲ ହଳଦିଆ ପାଟ ବସ୍ତ୍ର ପରିଧାନ କରି ଶୀତଳ ପବନର ନାଦରେ ନାଚ କରି ସମସ୍ତଙ୍କୁ ନିଜ ଆଡ଼କୁ ଆକର୍ଷିତ କରେ। ସତରେ ଖୁବ୍ ସୁନ୍ଦର ଲାଗେ ପ୍ରକୃତିର ଏଇ ଅପରୂପ ସୌନ୍ଦର୍ଯ୍ୟ।
ମୋ ଛୋଟ ବେଳର କଥା। ଏମିତି ଶୀତ ଦିନେ ଗୋଟିଏ ବର୍ଷ ଧାନ କଟା ଛୁଟିରେ ମୁଁ ଛୁଟି କାଟିବା ପାଇଁ ମୋ ଅଜା ଘରକୁ ଯାଇ ଥାଏ। ମୋ ଅଜା ଘର ହଉଛି ନୟାଗଡ଼। ଅଜା ଆଈ ବୋଲି ଘରେ ଦୁଇଟି ପ୍ରାଣୀ। ମୋର କେହି ମାମୁ ମାଉସୀ ନାହାନ୍ତି। ମୋ ଅଜା ଆଈଙ୍କ ମୁଁ ଗୋଟିଏ ବୋଲି ନାତି। ସେଥି ପାଇଁ ଅଜା ଆଈଙ୍କ ଭାରି ଗେଲ ବସରୀୟା। ମୁଁ ଯେତିକି ଦିନି ଅଜା ଘରେ ରୁହେ ଅଜା ଆଈଙ୍କ ଖୁସି କହିଲେ ନ ସରେ। ଯାହା କୁହେ ଅଜା ଆଣି ମୋ ହାତରେ ଧରେଇ ଦିଅନ୍ତି। ନୀତି ଘରେ ଭଳି କି ଭଳି ଜିନିଷ ରୋଷେଇ କରି ଆଈ ମୋତେ ଖୁଆଏ। ଅଜା ଆଈଙ୍କ ସହ ମଉଜ ମସ୍ତିରେ କେମିତି ଦିନ କଟି ଯାଏ ମୋଟେ ଜଣା ପଡ଼େନି। ଯେତିକି ଦିନ ଅଜା ଘରେ ରୁହେ ରାତିରେ ଶୋଇଲା ବେଳକୁ ମୁଁ ଅଜା ଆଈଙ୍କ କୋଳରେ ସୁଏ। ଆଉ ଶୋଇଲା ବେଳେ ମୋର ଗୋଟିଏ ଅଭ୍ୟାସ ଥିଲା ଅଜା ଆଈ ପାଖରୁ ଗପ ଶୁଣି ଶୁଣି ଶୋଇବି। ମୋ ଅଜା ଆଈ ଦୁହେଁ ଜଗନ୍ନାଥଙ୍କୁ ବହୁତ୍ ମାନନ୍ତି। ଆଉ ମୁଁ ଯେତେ ବେଳେ ଗପ ଶୁଣିବା ପାଇଁ ଜିଦି କରେ ଆଜ ମୋତେ ସବୁ ବେଳେ ଜଗନ୍ନାଥଙ୍କ ଗପ ଏକା କୁହନ୍ତି। ଜଗନ୍ନାଥଙ୍କ ଇତିହାସ ଓ ଚମତ୍କାର ବିଷୟରେ ଶୁଣିକି ଖୁବ୍ ଆନନ୍ଦିତ ଲାଗେ। ହେଲେ ମୋ କୁନି ମୁଣ୍ଡକୁ ସବୁ ବେଳେ ଗୋଟିଏ ପ୍ରଶ୍ନ ଆସେ ଯେ ସତରେ କଣ ଜଗନ୍ନାଥ ଅଛନ୍ତି ଆଉ କଣ ମୁଁ ଯାହା ମାଗିବି ଅନ୍ୟଙ୍କୁ ଦେଲା ଭଳି ମୋତେ ମଧ୍ୟ ଜଗନ୍ନାଥ ଦେବେ? ମୁଁ ଯେତେ ବେଳେ ଏଇ ପ୍ରଶ୍ନ ଅଜା କିମ୍ବା ଆଈକୁ ପଚାରେ ସେ ଟିକେ ହସି ଦେଇ କହିବେ ହଁ ରେ ମୋ ବାୟା ମୋ ଗେଲେଇ ହାତୀ ତୁ ଯାହା ମାଗିବୁ ଜଗନ୍ନାଥ ତୋତେ ସବୁ ଦେବେ।
ଦିନେ ରାତିରେ ଶୋଇଲା ବେଳକୁ ଅଜା ମୋତେ ଜଗନ୍ନାଥ ଓ ଦାସିଆ ବାଉରୀ ଗପ କହୁଥିଲେ। ଜଗନ୍ନାଥ କିପରି ସୋୟମ୍ ନିଜେ ଦାସିଆ ବାଉରୀ ହାତରୁ ନଡ଼ିଆ ନେଇ ଖାଇଲେ ଶୁଣିବା ପରେ ମୋର ମଧ୍ୟ ବହୁତ୍ ଇଚ୍ଛା ହେଲା ଥରେ ଜଗନ୍ନାଥଙ୍କ ପାଖକୁ ଯିବା ପାଇଁ। ଆଗରୁ କେବେ ମୁଁ ପୁରୀ ଯାଇ ନଥାଏ। ସେଥି ପାଇଁ ଅଜାଙ୍କ ପାଖରେ ଜିଦ୍ କଲି ପୁରୀ ବୁଲି ଯିବା ପାଇଁ। ଜଗନ୍ନାଥଙ୍କ ପାଖକୁ ଯିବା ପାଇଁ ଅଜା ବା କେମିତି ମନା କରି ଥାନ୍ତେ। ଅଜା ମୋତେ ଗେଲ କରି କହିଲେ ଜଗନ୍ନାଥଙ୍କ ପାଖକୁ ଯିବା ତି ଏଇଟା ଗୋଟେ କଥା ଚାଲ କାଲି ସବୁ ବ୍ୟବସ୍ଥା କରି ପରଦିନ ସମସ୍ତେ ପୁରୀ ଯିବା ଆଉ ଜଗନ୍ନାଥଙ୍କୁ ଦର୍ଶନ କରି ଆସିବା। ଅଜାଙ୍କ ପାଟିରୁ ପୁରୀ ଯିବା କଥା ଶୁଣି ମୋ ଖୁସି କହିଲେ ନ ସରେ। ଆଉ ମୋ ଖୁସି ଦେଖି ଅଜା ଆଈ ମଧ୍ୟ ଅତ୍ୟନ୍ତ ଖୁସି ହୋଇ ଗଲେ।
ତା ପରଦିନ ପୁରୀ ଯିବା ପାଇଁ ଗାଡ଼ି ବୁଝା ହୋଇ ଗଲା ଆଉ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ ସବୁ ହୋଇଗଲା। ବାସ ରାତି ଘଣ୍ଟାକ ଗଲେ ଆମେ ପୁରୀ ଯିବୁ। ଆଉ ସେଇ ଖୁସିରେ ରାତିରେ ଆଉ ମୋତେ ନିଦ ହେଲା ନାହିଁ। ଯେମିତି ସେମିତି ରାତି ପାହିଗଲା। ସମସ୍ତେ ବଢ଼ି ଭୋରୁ ଉଠି ଗାଧୁଆ ପାଧୂଆ ସାରି ସଫା ଲୁଗା ପଟା ପିନ୍ଧି ପାଖାପାଖି ପାଞ୍ଚଟା ବାଜିଲା ବେଳକୁ ଆମେ ବାହାରି ପଡ଼ିଲୁ ପୁରୀ ଅଭିମୁଖେ। ଚାରି ଆଡେ଼ ଖାଲି କୁହୁଡ଼ି ଆଉ କୁହୁଡ଼ି। କିଛି ହେଲେ ସ୍ପଷ୍ଟ ଭାବେ ଦିଶୁ ନଥାଏ। ଗାଡ଼ିର ଗ୍ଲାସ୍ ବନ୍ଦ ଥିବାରୁ ଥଣ୍ଡା ଜଣା ପଡୁ ନଥାଏ। ମୁଁ ଅଜାଙ୍କ କୋଳରେ ଆଗ ସିଟ୍ ରେ ବସି ଝରକା ପଟେ ବାହାରକୁ ଚାହିଁ ରହି ଥାଏ। ଅଳ୍ପ କିଛି ବାଟ ଗଲା ପରେ ରାତିରେ ନ ସୋଇଥିବା କାରଣରୁ ମୁଁ ଆଜଙ୍କ କୋଳ ରେ ସୋଇ ପଡ଼ିଲି। ଖୋର୍ଦ୍ଧା ରେ ପହଞ୍ଚିଲାରୁ ଯେତେ ବେଳେ ଅଜା ଜଳଖିଆ କରିବା ପାଇଁ ମୋତେ ଉଠେଇଲେ ମୁଁ ଅଧା ନିଦରେ ଖୁସି ହୋଇ ପଚାରିଲି ଅଜା ପୁରୀ ପହଞ୍ଚି ଗଲେ ? ଅଜା ହସିକି କହିଲେ ନାଇରେ ମୋ ବାୟା ପୁରୀ ଆହୁରି କେତେ ବାଟ। ଏଇଠି ଖାଲି ଟିକେ ଜଳଖିଆ କରି ଦେବା ତାପରେ ପୁଣି ବାହାରି ପଡ଼ିବା ପୁରୀ ପାଇଁ। ବାସ ସେଇଠି କିଛି ଜଳଖିଆ କରି ସାରିଲା ପରେ ଗାଡ଼ି ପୁଣି ଚାଲିଲା। ଅଳ୍ପ ବାଟ ଗଲା ପରେ ମୋ ଆଖି ପୁଣି ଲାଗିଗଲା। ଆଉ ଏଇଥର ଯେତେ ବେଳେ ଅଜା ମୋତେ ଉଠେଇଲେ ସେତେ ବେଳେ ଆମେ ପହଞ୍ଚି ଥିଲୁ ବାଟ ମଙ୍ଗଳା ପାଖରେ। ସେଇଠି ମାଆଙ୍କୁ ଦର୍ଶନ କରି ସାରି ପୁଣି ଗାଡ଼ିରେ ବସିଲାରୁ ମୁଁ ଅଜାଙ୍କୁ ପଚାରିଲି ପୁରୀ ଆଉ କେତେ ବାଟ? ଅଜା କହିଲେ ମୋ ଧନ ରେ ଆଉ ଏଇ ଅଳ୍ପ ବାଟ। ସତକୁ ସତ କିଛି ବାଟ ଗଲା ପରେ ଅଜା ମୋତେ ଦେଖେଇଲେ ସେଇ ଦେଖୁଛୁ ଦୂରରୁ ଗୋଟିଏ ଚକ୍ର ଟିଏ ଦେଖା ଯାଉଛି, ସେଇଟା ହଉଛି ନୀଳଚକ୍ର। ଏଇ ଚକ୍ରଟା ଜଗନ୍ନାଥ ମନ୍ଦିର ଉପରେ ଲାଗିଛି। ଆଉ ସେଇ ନୀଳଚକ୍ର ଦେଖି ମୋ ଭିତରେ ଅହୁରି ଉତ୍ସାହ ବଢ଼ିବାକୁ ଲାଗିଲା।
ଆଉ ଅଳ୍ପ କିଛି ବାଟ ଆଗକୁ ଗଲା ପରେ ଗୋଟିଏ ଜାଗାରେ ଡ୍ରାଇଭର ଗାଡ଼ି ଅଟକେଇ ଦେଲା। କଣ ପାଇଁ ଗାଡ଼ି ଅଟକେଇଲ ପଚାରିବାରୁ ଡ୍ରାଇଭର କହିଲା ଆଜ୍ଞା ଏଇଠୁ ଚାଲିକି ଯିବାକୁ ପଡ଼ିବ। ଆଉ ଆଗକୁ ବଡ଼ ଗାଡ଼ି ଛାଡ଼ିବେନି। ସେତେବେଳେକୁ ପ୍ରାୟ ସାଢ଼େ ଗୋଟେ ଦୁଇଟା ହୋଇ ସାରି ଥିଲା। ଭୋକ ମଧ୍ୟ ଲାଗିଥିଲା ହେଲେ ମନ୍ଦିର ଭିତରେ ଅବଢ଼ା ଖାଇବୁ ବୋଲି ଆଉ କେହି କିଛି ଖାଇଲୁ ନାହିଁ। ପାଗ ଖରା ଖରା କରୁ ଥାଏ। ସେଥି ପାଇଁ ଆଉ କେହି ହେଲେ ଶୀତ ବସ୍ତ୍ର ମଧ୍ୟ ସାଙ୍ଗରେ ନେଲୁ ନାହିଁ। ସବୁ ଗାଡ଼ି ରେ ଛାଡ଼ି ଦେଇ ଆସିଲୁ। ସେଇ ଦିନ ସଂକ୍ରାନ୍ତି ଥିବାରୁ ସବୁ ଦିନ ଅପେକ୍ଷା ସେଇ ଦିନ ବଡ଼ ଦାଣ୍ଡରେ ଟିକେ ବେଶୀ ଭିଡ଼ ଥାଏ। ହେଲେ ଜଗନ୍ନାଥଙ୍କୁ ଦେଖିବାର ଇଛା ଆଗରେ ଭିଡ଼ ବା କେମିତି ଗୋଟିଏ ବାଧା ସୃଷ୍ଟି କରି ପାରିଥାନ୍ତା। ସେଥି ପାଇଁ ସମସ୍ତେ ଯାଇ ଧାଡ଼ି ରେ ଛିଡ଼ା ହୋଇ ଗଲୁ। ପ୍ରଥମେ କିଛି ସମୟ କୌଣସି ପ୍ରକାରର କଷ୍ଟ ଅନୁଭବ ହେଲା ନାହିଁ। ହେଲେ ଯେତେ ଯେତେ ସମୟ ବିତୁ ଥାଏ ଭୋକ ବଢ଼ୁ ଥାଏ ଓ ତା ସାଙ୍ଗେ ସାଙ୍ଗେ ଗୋଡ଼ ର ହାଲିଆ ମଧ୍ୟ ବଢ଼ୁ ଥାଏ। ଧାଡ଼ି ରେ ପାଖାପାଖି ତିନି ଘଣ୍ଟାରୁ ଅଧିକ ସମୟ ଛିଡ଼ା ହେଲା ବେଳକୁ କାହାରି ହେଲେ ଗୋଡ଼ ରେ ଆଉ ବଳ ନଥାଏ। ଧିରେ ଧିରେ ଶୀତ ମଧ୍ୟ ପଡ଼ିବାକୁ ଲାଗିଲା ଆଉ ଆମ ପାଖରେ ଶୀତ ବସ୍ତ୍ର ମଧ୍ୟ ନଥାଏ।ଏତେ ବାଟ ଯାତ୍ରା କଲା ପ
ରେ ପୁଣି ଏତେ ସମୟ ଛିଡ଼ା ହେଲା ବେଳକୁ ସମସ୍ତେ ପୁରାପୁରି ହାଲିଆ ହୋଇ ଯାଇଥାନ୍ତି। ମୋ ଆଈର ଆଣ୍ଠୁ ରୋଗ ଥିବାରୁ ସେତେ ବେଳକୁ ତାକୁ ବହୁତ କଷ୍ଟ ହଉ ଥାଏ। ତା ଆଖିରୁ ଲୁହ ବୋହି ଯାଉ ଥାଏ ହେଲେ ଜଗନ୍ନାଥଙ୍କୁ ଦେଖିବାର ଇଚ୍ଛା ଟିକେ ହେଲେ କମ୍ ହଉ ନଥାଏ। ଏତେ ସମୟ ଗହଳି ରେ ରହିକି ମୁଁ ଛୋଟ ପିଲା ଶ୍ୱାସରୁଦ୍ଧ ହୋଇ ଯାଉଥାଏ। ଅଜା ମୋତେ କାଖେଇ ଥାନ୍ତି ହେଲେ ମଧ୍ୟ ସେତେବେଳେକୁ ମୋ ଅବସ୍ଥା ଖରାପ ହେଇ ଯାଇ ଥାଏ।
ମୁଁ ମନେ ମନେ ଭାବୁ ଥାଏ ଆଜି ଆଉ ଜଗନ୍ନାଥଙ୍କୁ ଦେଖି ହେବ ନାହିଁ। ଅଜାଙ୍କ ଗପରେ ଜଗନ୍ନାଥ ଯେମିତି ତାଙ୍କ ଭକ୍ତ ପାଖରୁ ନଡ଼ିଆ ନିଜେ ନେଇ ଖାଇ ଥିଲେ ଠିକ୍ ସେମିତି ମୋ ପାଖକୁ ମଧ୍ଯ ଅସନ୍ତେ ନାହିଁ। ନହେଲେ କୌଣସି ପ୍ରକାର ଚମତ୍କାର ଗୋଟିଏ କରନ୍ତେ ନାହିଁ। ବାସ ଏମିତି ମନେ ମନେ କେତେ କଣ ଭାବିଲା ଭିତର ଜଣେ ପଣ୍ଡା ଆସି ଅଜାଙ୍କୁ ପଚାରିଲେ ଆଜ୍ଞା ଠାକୁର ଦର୍ଶନ କରିବେ? ଯଦି ଦର୍ଶନ କରିବେ ମୋ ସାଥିରେ ଆସନ୍ତୁ କାରଣ ଆଜି ଆଉ ଏଇ ଭିଡ଼ କାହିଁ କମିଲା ଭଳି ଲାଗୁନି ଆଉ ଆପଣ ମଧ୍ୟ ବହୁତ ପଛରେ ଅଛନ୍ତି ହୁଏତ ଦର୍ଶନ କଲା ବେଳକୁ ବହୁତ ଡେରି ହେଇ ଯିବ ସାଙ୍ଗରେ ଛୋଟ ପିଲା ମଧ୍ୟ ଅଛି। ଅଜା ଆଶ୍ଚର୍ଯ୍ୟ ହୋଇ ପଚାରିଲେ ଆପଣ କିଏ ଆଜ୍ଞା? ସେଇ ପଣ୍ଡା ଜଣଙ୍କ ଟିକେ ହସି ଦେଇ କହିଲେ ଅଜ୍ଞା ମୋ ପରିଚାୟ ଜାଣିକିି କଣ କରିବେ, ଭାବନ୍ତୁ ସୋୟମ ଜଗନ୍ନାଥ ମୋତେ ଆପଣଙ୍କ ପାଖକୁ ପଠେଇଛନ୍ତି। ଅଜା ଆଉ ବେଶୀ କିଛି ବିଚାର ନକରି କହିଲେ ଆଚ୍ଛା ହଉ ଅଜ୍ଞା ଚାଲନ୍ତୁ। ସେଇ ପଣ୍ଡା ଜଣକ କହିଲେ ଆସନ୍ତୁ ମୋ ସାଙ୍ଗରେ ଆସନ୍ତୁ। ଆମେ ସମସ୍ତେ ତାଙ୍କ ପଛେ ପଛେ ଗଲୁ। ମୁଖ୍ୟ ଦ୍ଵାର ପଟେ ନ ଯାଇ ସେ ଆଉ ଗୋଟିଏ ଦ୍ଵାର ଦେଇ ଆମକୁ ମନ୍ଦିର ଭିତରକୁ ପ୍ରବେଶ କରେଇଲେ। ସେଇ ଦ୍ଵାର ଦେଇ ବେଶୀ ଲୋକ ଯିବା ଆସିବା କରୁ ନଥିଲେ। ଆଉ ଗଲା ବେଳେ ସେଇ ପଣ୍ଡା ଜଣକ ମୋତେ ଦେଖେଇ ଅଜାଙ୍କୁ ପଚାରିଲେ ଆଜ୍ଞା ଇଏ କିଏ ନାତି? ଅଜା ଉତ୍ତର ଦେଲେ ହଁ ଆଜ୍ଞା ଏଇ ଗୋଟାକ ନାତି ମୋର। ତାପରେ ସେଇ ପଣ୍ଡା ଜଣକ ମୋତେ ଅଜାଙ୍କ ପାଖରୁ ନେଇ ନିଜେ କାଖେଇ କହିଲେ କଣ କି ଆଜ୍ଞା ଆପଣଙ୍କ ନାତି ଦେଖିବାକୁ ଅବିକଳ ମୋ ନାତି ଭଳି। ଆଉ ଏତିକି ଭିତରେ ଆମେ ମନ୍ଦିର ଭିତରକୁ ପଶି ସାରି ଥିଲୁ। ମନ୍ଦିର ବାହାର ଅପେକ୍ଷା ମନ୍ଦିର ଭିତରେ ଆହୁରି ଅଧିକ ଗହଳି ଥାଏ। ହେଲେ ସେଇ ପଣ୍ଡା ଜଣଙ୍କ ଆମକୁ ଆରାମରେ ମନ୍ଦିର ଗମ୍ଭିରୀ ଭିତରେ ପ୍ରବେଶ କରେଇଲେ।
ଚନ୍ଦନ, କର୍ପୁର ଆଉ ଘିଅ ଦୀପର ବାସ୍ନାରେ ମହକି ଯାଉ ଥାଏ ସେଇ ଜାଗା। ସତରେ କି ସୁନ୍ଦର ବାସ୍ନା। ଏବେ ମଧ୍ୟ ମନେ ପଡ଼ିଲେ ଗୋଟିଏ ଅବ୍ୟକ୍ତ ଶିହରଣ ସୃଷ୍ଟି ହୋଇ ଯାଇ ଦେହ ମଧ୍ୟରେ। ହେଲେ ଗହଳି ଯୋଗୁ ମୋତେ ଭଲରେ କିଛି ଦିଶୁ ନଥାଏ। ଜଗନ୍ନାଥ ଦେଖା ଯାଉ ନାହାଁନ୍ତି ବୋଲି କାନ୍ଦିବାରୁ। ସେଇ ପଣ୍ଡା ଜଣଙ୍କ ତାଙ୍କ କାଖରୁ ନେଇ ମୋତେ ତାଙ୍କ କାନ୍ଧରେ ବସେଇ ପଚରିଲେ ଏବେ ଦେଖା ଗଲା ତି ? ମନ ଭରିକି ଦେଖେ। ସତରେ ସେଇ ସମୟର ଅନୁଭୂତି ଶବ୍ଦରେ ବ୍ୟାଖ୍ୟା କରି ହେବନି। ମନ ଭରି ଜଗନ୍ନାଥଙ୍କୁ ଦେଖି ସରିଲା ପରେ। ସେଇ ପଣ୍ଡା ଜଣକ ଆମକୁ ଆନନ୍ଦ ବଜାରକୁ ନେଇକି ଗଲେ। ଗୋଟିଏ ଦୋକନିକି କହି ସମସ୍ତଙ୍କ ପାଇଁ ଅବଢ଼ା ମଗେଇ ଦେଲେ। ଆଉ ଆମ ସାଙ୍ଗରେ ମିଶିକରି ଖାଇଲେ ମଧ୍ୟ। ଖାଇ ସାରିଲା ପରେ ଯେତେ ବେଳେ ଅବଢ଼ା ଦୋକନିକି ପଇସା ଦେବାର ସମୟ ଆସିଲା ଅଜା ପକେଟରୁ ପଇସା କାଢ଼ିବାର ଦେଖି ସେଇ ପଣ୍ଡା ଜଣକ କହିଲେ ଥାଉ ଥାଉ କିଛି ଦିଅନ୍ତୁ ନାହିଁ। ଏଇଟା ଗୋଟିଏ ଛୋଟ ଉପହାର ମୋ ତରଫରୁ। ଅଜା କହିଲେ ଆଜ୍ଞା ଆପଣ ଏବେ ଯାଏଁ ଯେତିକି କଲେଣି ସେଇଟା ବହୁତ୍ ହେଲାଣି ପୁଣି ଏଇଟାର କଣ ଦରକାର। ସେ ପଣ୍ଡା ଜଣକ ମୋ ମୁଣ୍ଡକୁ ସ୍ନେହରେ ଆଉଁସି ଦେଇ କହିଲେ ମୁଁ କଣ ଆପଣଙ୍କୁ ଦଉଛି ମୁଁ ତ ମୋ ନାତି ଟୋକା ପାଇଁ ଦଉଛି। ତାପରେ ପୁରା ମନ୍ଦିର ବାହାର ଯାଏଁ ଆସିଲେ ଆମକୁ ଛାଡ଼ିବା ପାଇଁ। ଅଜା ତାଙ୍କୁ କିଛି ପଇସା ଦକ୍ଷିଣା ସ୍ୱରୂପ ଦେଲେ। ହେଲେ ସେ ମୋଟେ ହେଲେ ସେ ପଇସାକୁ ଗ୍ରହଣ କରୁ ନଥାନ୍ତି। ବହୁତ୍ ବାଧ୍ୟ କଲା ପରେ ଯାଇ ରଖିଲେ। ଆଉ ଗୋଟିଏ କାଗଜରେ ନମ୍ବର ଟିଏ ଲେଖି ଦେଇ କହିଲେ ଆଜ୍ଞା ମୋ ନମ୍ବର ରଖି ଥାଆନ୍ତୁ। ପୁନର୍ବାର ଯେବେ ପୁରୀ ଆସିବେ ମୋତେ ଟିକେ ଖାଲି ଫୋନ୍ କରିଦେବେ। ମୋ ନାଁ ହେଉଛି ଜଗନ୍ନାଥ ପଣ୍ଡା। ଯାହାକୁ କହିଲେ ସମସ୍ତେ ଚିହ୍ନିବେ। ତାପରେ ତାଙ୍କୁ ଧନ୍ୟବାଦ୍ ଜଣାଇ ଆମେ ଗାଡ଼ି ପାଖକୁ ଆସିଲୁ। ସେଠାରୁ କିଛି କିଣା କିଣି କରି ଫେରିଲୁ ଘରକୁ।
ଘରେ ଆସି ପହଞ୍ଚିଲା ବେଳକୁ ପ୍ରାୟ ରାତି ଗୋଟେ ଖଣ୍ଡେ ହୋଇ ଯାଇ ଥିଲା। ସେତେ ବେଳକୁ ଦେହରେ ଆଉ ଜୀବନ ନଥାଏ। ସମସ୍ତେ ବହୁତ୍ ହାଲିଆ ହୋଇ ଯାଇ ଥିଲେ। ଖଟଟି ସେତେ ବେଳକୁ ସ୍ବର୍ଗ ଭଳି ଅନୁଭବ ହଉଥାଏ। ସମସ୍ତେ ଖଟରେ ପଡ଼ିଲା ମାତ୍ରେ ସୋଇ ଗଲୁ। ତାପର ଦିନର କଥା ମୁଁ ଅଜାଙ୍କ କୋଳରେ ବସି ଟିଭି ଦେଖୁ ଥାଏ। ମୋ ମୁଣ୍ଡକୁ କଣ ପଶିଲା ମୁଁ ଅଜାଙ୍କୁ ପଚାରିଲି ଅଜା ସେଇ ପଣ୍ଡା ଅଜା ଯୋଉ ନମ୍ବର ଦେଇ ଥିଲେ ତମେ ଫୋନରେ ସେଭ୍ କଲ?। ଅଜା କହିଲେ ହଁ ହଁ ଭଲ ମନ ପକେଇଲୁ ଗଲୁ ମୋ ସାର୍ଟ ପକେଟରୁ ଆଣିବୁ ସେଇ ଲେଖାଟା। ମୁଁ ଅଜାଙ୍କ ସାର୍ଟ ପକେଟରୁ ସେଇ ଲେଖାଟି ଆଣି ଅଜାଙ୍କୁ ଧରେଇ ଦେଲି। ନମ୍ୱରଟି ଫୋନ ରେ ସେଭ୍ କରି ସାରି ସେଇ ନମ୍ବରଟିରେ ଫୋନ୍ କଲାରୁ କେହି ଉଠେଇଲେ ନାହିଁ। ଦିତୀୟ ଥର ଫୋନ କଲାରୁ କିଏ ଜଣେ ଫୋନ ଉଠେଇଲେ। ଅଜା ନମସ୍କାର କହିଲା ଭିତରେ ଫୋନ୍ ସେଇ ପାଖରେ ଥିବା ଲୋକଟି କହିଲା କିରେ ଗୋଦାବରୀ ତୋ ପାଖରେ ଏଇ ନୁମ୍ୱରଟା କୁଆଡ଼ୁ ଆସିଲା। ଅଜା କିଛି ସମୟ ପାଇଁ ସ୍ତବ୍ଦ ହୋଇ ରହିଗଲେ। କିଛି ମୁହୂର୍ତ୍ତ ରହି ପାଟି ବାରିଲା ପରେ ଅଜା ଜାଣି ପାରିଲେ ଫୋନ୍ ଆର ପାଖରେ ଥିବା ଲୋକଟି ତାଙ୍କରି ଏକା ସାଙ୍ଗ ବିନୋଦ ଅଜା। କଥା ବାରେଇଁ ଦେଇ ଅଜା କହିଲେ କିରେ ବିନୋଦ ତୋ ପାଖକୁ ଲାଗି ଗଲାକି। ମୁଁ ଆଉ ଜଣକୁ ଫୋନ୍ କରୁଥିଲି। ଆଚ୍ଛା ହଉ ମୁଁ ଟିକେ ବ୍ୟସ୍ତ ଅଛି ପରେ ଫୋନ୍ କରୁଛି। ଅଜା ସାଙ୍ଗେ ସାଙ୍ଗେ ଫୋନ କାଟି ନମ୍ବର ମେଳେଇଲେ କୋଉଠି କଣ ଭୁଲ ହେଇଗଲା କି। କିନ୍ତୁ ନମ୍ବରଟି ପୁରାପୁରି ଠିକ୍ ଥିଲା। ଆଉ ସେତେ ବେଳକୁ ଏକୁଟିଆ ଅଜା ନୁହେଁ ଆମେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ରହି ଥିଲୁ। ଯେ ଏମିତି କେମିତି ହେଲା। ସତରେ ଇଏ ଜଗନ୍ନାଥଙ୍କ ଚମତ୍କାର ଛଡ଼ା ଆଉ କିଛି ନଥିଲା। ବିଶ୍ୱାସ ନହେଲେ ମଧ୍ୟ ବାସ୍ତବିକତା ଆମ ସମ୍ମାନରେ ଥିଲା। ବାସ ମୁଁ ସେତିକିରେ ବୁଝି ପାରିଲି ଯେ ସେ କୌଣସି ପଣ୍ଡା ନଥିଲେ ସେ ସ୍ୱୋୟମ ଜଗତର ନାଥ ଜଗନ୍ନାଥ ଥିଲେ। ଆଉ ସେଇ ଦିନ ମୋ ମୁଣ୍ଡକୁ ଆସୁଥିବା ପ୍ରଶ୍ନ “ସତରେ ଜଗନ୍ନାଥ ଅଛନ୍ତି କି ନାଇଁ” ର ଉତ୍ତର ମୋତେ ମିଳି ଯାଇଥିଲା।