ଶୀତ ରାତିର ସାଥି
ଶୀତ ରାତିର ସାଥି
ସାର୍ କଣ ହେଇଛି ମୋ ମାଆର ? ସିଏ ଆଖି କଣ ପାଇଁ ଖୋଲୁ ନାହିଁ। ମୋ ମାଆ ଭଲ ହୋଇ ଯିବ ନା ?
ତୁମ ମାଆଙ୍କ ମସ୍ତିଷ୍କ ରେ ଗୋଟିଏ ବହୁତ୍ ବଡ଼ ଟ୍ୟୁମର୍ ହେଇଛି। ଯେଉଁଥି ପାଇଁ ସେ ଅଚେତ ଅବସ୍ଥାରେ ଅଛନ୍ତି। ତୁମ ମାଆଙ୍କୁ ଦୁଇ ଦିନ ମଧ୍ୟରେ ଅପରେସନ୍ ନ କଲେ ତୁମ ମାଆଙ୍କୁ ବଞ୍ଚାଇବା କଷ୍ଟକର ହୋଇ ଯିବ। ବେଶୀ ବିଳମ୍ବ ନ କରି ଶୀଘ୍ର ଯାଇ କାଉଣ୍ଟର ରେ ପଇସା ଜମା କର। ପଇସା ଜମା ନ କଲା ଯାଏଁ ଅପରେସନ୍ ହେଇ ପାରିବନି।
କେତେ ପଇସା ଲାଗିବ ସାର୍ ?
ଅପରେସନ୍, ବେଡ୍ ଫି ଓ ଔଷଧ ଇଞ୍ଜେକସନ ସବୁକୁ ମିସେଇ ଲକ୍ଷେ ପାଖାପାଖି ଲାଗିବ।
ଲକ୍ଷେ !
ହଠାତ୍ ଚାନ୍ଦିନୀକୁ ପାଦ ତଳୁ ମାଟି ଖସି ଗଲା ଭଳି ଅନୁଭବ ହେଲା। ପୁଷ ମାସର ହାଡ଼ଭଙ୍ଗା ଶୀତରେ ମଧ୍ୟ ଚାନ୍ଦିନୀର ସର୍ବାଙ୍ଗୀନ ଶରୀରରୁ ଗମ୍ ଗମ୍ ହୋଇ ଝାଳ ବୋହି ଗଲା। ଏକା ସାଙ୍ଗରେ ଏତେ ଗୁଡ଼ାଏ ଟଙ୍କା ବିଚାରି କୁଆଡୁ ଆଣିବ? ଘରର କମେଇବା ଲୋକ ତ ଡାକ୍ତରଖାନା ଖଟରେ ପଡ଼ି ଜୀବନ ମରଣ ସହ ଯୁଦ୍ଧ କରୁଛି। କଣ ରେ ବାଡ଼ରେ ଯୋଉଠି ଯାହା ତା ମାଆ ସାଇତି ରଖି ଥିଲା। ସେ ସବୁ ସରିବା ପ୍ରାୟ। କଣ କରିବ କିଛି ବୁଝି ପାରୁ ନଥାଏ ଚାନ୍ଦିନୀ। ଡାକ୍ତର ଓ ଡାକ୍ତରଖାନା କର୍ମଚାରୀଙ୍କ ଗୋଡ଼ ହାତ ଧରି ବହୁତ୍ ମୁଣ୍ଡିଆ ଜୁହାର ମାରିଲା। ହେଲେ କେହି ଟିକେ ତାକୁ ସାହାଯ୍ୟ କରିଲେ ନାହିଁ। ଡାକ୍ତରଖାନାକୁ ଆସିଥିବା ଅନେକ ବଡ଼ ଲୋକଙ୍କୁ ମଧ୍ୟ ଯାଇ ସାହାଯ୍ୟ ମାଗିଲା। ହେଲେ କାହାର କଣ ପଡ଼ିଛି ଯେ ସେ ଛୋଟ ପିଲାଟିର ଦୁଃଖ ବୁଝିବେ। ସମସ୍ତେ ଶୁଣିକି ନ ଶୁଣିଲା ପରି ଆଡ଼େଇ ହୋଇ ରହି ଯାଉଥାନ୍ତି।
ସଞ୍ଜ ନଇଁ ଆସିଥାଏ। ପୂର୍ବ ଆକାଶ ରକ୍ତ ରଞ୍ଜିତ ହୋଇ ଦିନ ଠାରୁ ବିଦାୟ ମାଗୁଥାଏ ରାତ୍ରିର ଧବଳ ବେଶରେ ସଜେଇ ହେବା ପାଇଁ। ଡାକ୍ତରଖାନା ପଛ ପାଖରେ ଥାଏ ଗୋଟିଏ ଛୋଟିଆ ଶିବ ମନ୍ଦିରଟିଏ। ବିଚାରି ଚାନ୍ଦିନୀ ଯେତେ ବେଳେ ଦେଖେ କୌଣସି ଦିଗରୁ କିଛି ହେଲେ ସାହାଯ୍ୟ ମିଳୁ ନାହିଁ। ଚାରି ଦିଗ ତାକୁ ଅନ୍ଧାରମୟ ଦେଖା ଯାଏ। ସିଏ ସେଇ ଶିବ ମନ୍ଦିରରେ ଯାଇ ଇଶ୍ଵରଙ୍କ ପାଖରେ ନିଜର ଆକୁଳ ଗୁହାରି କରେ। ନିଜ ମାଆକୁ ବଞ୍ଚେଇ ଦେବା ପାଇଁ ସେତେ ଯେମିତି ସେ ଇଶ୍ଵରଙ୍କ ପାଖରେ ଜିଦ୍ ଧରି ବସି ଥାଏ। କେତେ ବେଳେ ବେଳ ଗଡ଼ି ରାତି ହୋଇ ଯାଏ ତାକୁ ଆଦୌ ଜଣା ପଡ଼େ ନାହିଁ। ସେ ସେମିତି ସେଇ ମନ୍ଦିର ପାହାଚ ଉପରେ ବସି ଇଶ୍ଵରଙ୍କ ପାଖରେ ନିଜ ମାଆ ପାଇଁ ପ୍ରଥାନ କରୁ ଥାଏ।
ସେଇ ଦିନ ମନୋଜ ଯିଏକି ଭୁବନେଶ୍ଵରରେ ଏକ ଘରୋଇ କମ୍ପାନୀ ରେ କାମ କରୁଥିଲେ। କୌଣସି ଏକ ବ୍ୟକ୍ତିଗତ କାମରେ କଟକ ଯାଇ ଥିଲେ। ସେଇ ଡାକ୍ତରଖାନା ପଛ ରାସ୍ତା ଦେଇ ଘରକୁ ଫେରୁ ଥିଲେ। ରାତି ପ୍ରାୟ ଦଶଟା ଖଣ୍ଡେ ହୋଇ ଥାଏ। ଚାରି ଆଡ଼ କୁହୁଡ଼ିର ଚାଦର ରେ ଘୋଡ଼େଇ ହୋଇ ରହି ଥାଏ। ରାସ୍ତା କଡ଼ରେ ଲାଗି ଥିବା ବିଜୁଳି ବତି,ନିଜର ଅସ୍ତିତ୍ବ ବଞ୍ଚେଇ ରଖିବା ନିମନ୍ତେ, ନିଜ ପ୍ରଚେଷ୍ଟା ଚାଲୁ ରଖି ଥାନ୍ତି। କାଁ ଭାଁ ଗୋଟେ ଅଧେ ଗାଡ଼ି ଯାଉ ଥାଏ। ନହେଲେ ପୁରାପୁରି ଶୁନଶାନ୍ ଲାଗୁଥାଏ ରାସ୍ତାଟି। କୁହୁଡ଼ି ଯୋଗୁ ଚାରିଆଡ଼ ଟିକେ ଅସ୍ପଷ୍ଟ ଦିଶୁ ଥିବାରୁ ଅଳ୍ପ ବେଗରେ ଗାଡ଼ି ଚଳାଉ ଥାନ୍ତି ମନୋଜ। ମନୋଜ ଦେଖନ୍ତି ରାସ୍ତାର ଡାହାଣ ପାର୍ଶ୍ଵରେ ଥିବା ଶିବ ମନ୍ଦିର ପାହାଚ ଉପରେ ଗୋଟିଏ ଚଉଦ ପନ୍ଦର ବର୍ଷର ଝିଅ ଟିଏ ମୋଡ଼ି ମାଡ଼ି ହୋଇ ଗୋଟିଏ କଡ଼କୁ ଏକୁଟିଆ ବସି କାନ୍ଦୁଛି। ଏମିତି ଶୀତ ରାତିଟା ରେ ଏକୁଟିଆ କୁନି ଝିଅ ଟିକୁ ବସି କାନ୍ଦିବାର ଦେଖି ମନୋଜ ଟିକେ ଚିନ୍ତା ରେ ପଡ଼ିଗଲେ। ସାଙ୍ଗେ ସାଙ୍ଗେ ରାସ୍ତା କଡ଼ରେ ମୋଟର ସାଇକେଲ ରଖି ଧାଇଁ ଯାଆନ୍ତି ରାସ୍ତା ସେଇ ପାଖ ମନ୍ଦୀର ପାଖକୁ।
ଆରେ ମାମା କିଏ ତମେ? ଏତେ ରାତିରେ ଏଇଠି ଏମିତି ଏକୁଟିଆ ବସି କଣ ପାଇଁ କାନ୍ଦୁଛ? କଣ କିଛି ଅସୁବିଧା ହେଇଛି କି ତମର?
ହଠାତ୍ ଗୋଟିଏ ପୁରୁଷ ଲୋକର କଣ୍ଠ ଶୁଣି ଡରିଗଲା ଚାନ୍ଦିନୀ। ପିନ୍ଧି ଥିବା ଡ୍ରେସରେ ନିଜ ଲୁହ ପୋଛି ଦେଇ ବସିଥିବା ଯାଗାରେ ସାଙ୍ଗେ ସାଙ୍ଗେ ଛିଡ଼ା ହୋଇ ଗଲା ସିଏ। ଆଉ ତଳକୁ ମୁହଁ ପୋତି ପିନ୍ଧି ଥିବା ଡ୍ରେସଟିକୁ ହତାରେ ମୁଠେଇ ଧରି, ଚୁପ୍ ହୋଇ ଛିଡ଼ା ହୋଇ ରହିଲା। କିଛି ନ କହିଲେ ମଧ୍ୟ ଚାନ୍ଦିନୀର ଭୟ ସ୍ପଷ୍ଟ ବାରି ପାରି ଥିଲେ ମନୋଜ।
ମୋତେ ଡର ନାହିଁ ମାମା। ମୁଁ ତୁମକୁ କୌଣସି ପ୍ରକାର କ୍ଷତି ପହଞ୍ଚେଇବି ନାହିଁ। ମୁଁ ତୁମର ବଡ଼ ଭାଇ ଭଳି। କଣ ହେଇଛି ତମର ? ଏତେ ରାତିରେ ଏକୁଟିଆ ଏଇ ମନ୍ଦିର ପାହାଚରେ ବସି କଣ ପାଇଁ କାନ୍ଦୁଛ ?
“ଭାଇ ମୋ ମାଆ ଡାକ୍ତରଖାନା ରେ ପଡ଼ିଛି। ଡାକ୍ତର କହୁଛନ୍ତି ମାଆ ମୁଣ୍ଡରେ ଗୋଟିଏ ଟ୍ୟୁମର୍ ହେଇଛି। ଦୁଇ ଦିନ ମଧ୍ୟରେ ଅପରେସନ୍ ନ କଲେ ମୋ ମାଆ ମରିଯିବ। ଆଉ ଡାକ୍ତର କହୁଛନ୍ତି ଅପରେସନ୍ ପାଇଁ ପାଖାପାଖି ଲକ୍ଷେ ଟଙ୍କା ଦରକାର ହେବ। ମୁଁ ଏତେ ଟଙ୍କା କୁଆଡୁ ଆଣିବି?” କାନ୍ଦି କାନ୍ଦି ଉତ୍ତର ଦିଏ ଚାନ୍ଦିନୀ।
ତୁମ ବାପା କୁଆଡ଼େ ଗଲେ ?
ଭାଇ ଜନ୍ମ ହେଲା ଦିନୁ ମୁଁ ମୋ ବାପାଙ୍କୁ ଦେଖି ନାହିଁ। ମାଆ କୁହେ ମୁଁ ପେଟରେ ଥିଲା ବେଳେ ବାପା ଗୋଟେ ଦିନ ଦନ୍ତାଘାତରେ ଆର ପାରିକୁ ଚାଲି ଗଲେ। ଆଉ ମୁଁ ଝିଅ ଟିଏ ହୋଇ ଜନ୍ମ ହେବାରୁ। ଘର ଲୋକ ମାଆକୁ ଘରୁ ବାହାର କରି ଦେଲେ। ମାମୁ ମଧ୍ୟ ମାଆକୁ ଘରେ ରଖିବାକୁ ମନା କରି ଦେଲେ। ସେଇଥି ପାଇଁ ମାଆ ମୋତେ ଧରି ଭୁବନେଶ୍ୱର ଚାଲି ଆସିଲା। ଏଇଠି ବାର ପାଇଟି କରି ମାଆ ମୋତେ ବଡ଼ କରିଛି। ଏଇ ପାଖ ବସ୍ତିରେ ଆମ ଘର। ସେଇ ବଖରେ ଘର ଖଣ୍ଡିକ ରେ ମୁଁ ବଡ଼ ହେଇଛି। ହେଲେ ଭାଇ ମାଆ ଯୋଉଠି ଯାହା ଟଙ୍କା ପଇସା ରଖି ଥିଲା, ତା ଚିକିତ୍ସା ରେ ସବୁ ସରି ଗଲାଣି। ଏବେ ଆଉ ପାଖରେ କିଛି ପଇସା ନାହିଁ। ଆଉ ଇଆଡ଼େ ଡାକ୍ତର କହୁଛନ୍ତି ସବୁ ପଇସା ଜମା ନ କଲା ଯାଏଁ ମାଆର ଅପରେସନ୍ ହେଇ ପାରିବାନି। ମାଆକୁ ଛାଡ଼ି ଦେଲେ ଏଇ ଦୁନିଆରେ ମୋର ନିଜର ବୋଲି ଆଉ କେହି ନାହାନ୍ତି। ଡ଼ାକ୍ତରଖାନା ରେ କେତେ ଲୋକଙ୍କ ଗୋଡ଼ ହାତ ଧରି ସାହାଯ୍ୟ ମାଗିଲି। ହେଲେ କେହି ଟିକେ ଶୁଣିଲେନି। ମୁଁ କଣ କରିବି କିଛି ବୁଝି ପାରୁନି। କଣ ବାପାଙ୍କ ଭଳି ମାଆ ମଧ୍ୟ ମୋତେ ସବୁ ଦିନ ପାଇଁ ଛାଡ଼ି ଚାଲି ଯିବ?
ଚାନ୍ଦିନୀର କଥା ସବୁକୁ ଶୁଣି ମନୋଜଙ୍କ ଆଖି ଜକେଇ ଆସିଲା। ମନୋଜଙ୍କ ଛାତିରେ ସୋଇ ରହିଥିବା ଅନେକ ସ୍ମୃତି ସତେ ଯେମିତି ହଠାତ୍ ଏକା ସାଙ୍ଗରେ ଜାଗ୍ରତ ହୋଇ ଜଳିବା ଆରମ୍ଭ କରି ଦେଲା। ଅତୀତର ଅନେକ ଗୁଡ଼ିଏ ତିକ୍ତାନୁଭୂତି ମନୋଜଙ୍କ ମାନସପଟରେ ଭାଷୀ ଗଲା କିଛି କ୍ଷଣ ପାଇଁ। ମନୋଜଙ୍କ ମନେ ପଡ଼ିଗଲା ଯେ ଦିନେ ଠିକ୍ ଏମିତି ତାଙ୍କ ମାଆ କର୍କଟ ରୋଗରେ ରୋଗାକ୍ରାନ୍ତ ହୋଇ ଅର୍ଥ ଅଭାବରୁ ଚିକିତ୍ସା ହୋଇ ନ ପାରି ଚାଲି ଯାଇଥିଲେ ସବୁ ଦିନ ପାଇଁ ଅଫେରା ରାଇଜର ବାଟୋଇ ହୋଇ। ସେତେ ବେଳେ ନା ମନୋଜ ରୋଜଗାର କରୁଥିଲେ। ନା ବେଶୀ ବଡ଼ ହୋଇ ଥିଲେ ଯେ କାହାଠାରୁ ଯାଇ ସହାୟତା ମାଗିବେ ବୋଲି। ନିଜ ମାଆକୁ ଖଟରେ ପଡ଼ି କଷ୍ଟରେ ଛଟପଟ ହେବାର ଦେଖିବା ଛଡ଼ା ତାଙ୍କ ପାଖରେ ଆଉ କୌଣସି ଉପାୟ ନଥିଲା। ଆଉ ଚାନ୍ଦିନୀ ପରି ମନୋଜ ମଧ୍ୟ ଜାଣି ନଥିଲେ ବାପାର ସ୍ନେହ କଣ? କାରଣ ମନୋଜଙ୍କ ଜନ୍ମ ହେବାର କିଛି ମାସ ପରେ, ଜାଗା ବାଡ଼ି ବିବାଦକୁ ନେଇ କିଛି ଗାଁ ଲୋକ ତାଙ୍କ ବାପାଙ୍କୁ ଗୁଣି କରି ମାରି ଦେଇଥିଲେ।
ମନୋଜ ମନେ ମନେ ନିର୍ଣ୍ଣୟ କରି ନେଇଥିଲେ ଯେ ସେଇଦିନ ସିନା ତାଙ୍କ ପାଖରେ ଅର୍ଥ ନଥିଲା ବୋଲି ତାଙ୍କ ମୁଣ୍ଡ ଉପରୁ ମାଆର ପଣତ ହଟିଗଲା। ହେଲେ ଆଜି ତାଙ୍କ ପାଖରେ ଅର୍ଥ ଅଛି। ସିଏ କେବେ ହେଲେ ଛୋଟ ଛୁଆଟି ମୁଣ୍ଡରୁ ମାଆର ପଣତ ହଟିବା ପାଇଁ ଦେବେ ନାହିଁ। ସେ କେବେ ହେଲେ ନିଜ ଆଖି ଆଗରେ ଗୋଟିଏ ଛୁଆର ଜୀବନ ଅନ୍ଧାର ହେବାକୁ ଦେବେ ନାହିଁ। ଗୋଟିଏ ଦୀର୍ଘ ନିଃଶ୍ୱାସ ମାରି ନିଜ ପକେଟରୁ ରୁମାଲ କାଢ଼ି ନିଜ ଲୁହ ପୋଛନ୍ତି ମନୋଜ। ଆଉ ଚାନ୍ଦିନୀ ଆଖିରୁ ମଧ୍ଯ ଲୁହ ପୋଛି ଦେଇ କୁହନ୍ତି “ଆରେ ମାମା କାନ୍ଦନି, କିଛି ହେବନି ତୁମ ମାଆଙ୍କୁ। ଆଛା ଏଇଠୁ ଚାଲ ପ୍ରଥମେ ଯିବା ହେରି , ବହୁତ୍ ଶୀତ ପଡୁଛି। ନହେଲେ ତୁମର ମଧ୍ୟ ଦେହ ଖରାପ ହୋଇ ଯିବ। ତୁମ ଦେହ ଖରାପ ହୋଇ ଗଲେ ମାଆଙ୍କ ଯତ୍ନ କିଏ ନେବ କହିଲ? ଆଛା ତମେ କଣ ଖାଇଛ? ମୋତେ ବହୁତ୍ ଭୋକ ହେଲାଣି। ମୁଁ ଆଜି ଦିନ ସାରା କିଛି ହେଲେ ଖାଇ ନାହିଁ। ଚାଲ ହୋଟେଲରେ ଯାଇ କଣ ଟିକେ ଖାଇ ନେବା।”
ନାଇଁ ଭାଇ କିଛି ଦରକାର ନାହିଁ। ମୁଁ ଯାହା ହେଲେ ଖାଇ ନେବି। ବହୁତ୍ ସମୟ ହେଲା ଆସି ଏଇଠି ବସିଛି। ମୁଁ ଯାଉଛି ମାଆ ପାଖକୁ।
ଆଛା ହଉ ଆଗ ତାହେଲେ ଚାଲ ତୁମ ମାଆଙ୍କୁ ଦେଖା କରି ଆସିବା। ତାପରେ ଯାଇ ଖାଇବା। ନା କଣ କହୁଛ?
ଚାନ୍ଦିନୀ କିଛି ନ କହି ଚୁପ୍ ହୋଇ ତଳକୁ ମୁଁହ ପୋତି ଛିଡ଼ା ହୋଇ ରହିଲା।
ଆସ ମାମା ଆସ ମୋ ମୋଟର ସାଇକେଲରେ ମିଶିକି ପଳେଇ ଯିବା।
ମନୋଜ ଚାନ୍ଦିନୀକୁ ଧରି ଡାକ୍ତରଖାନାରେ ପହଞ୍ଚନ୍ତି। ଚାନ୍ଦିନୀ ମନୋଜଙ୍କୁ ତା ମାଆଙ୍କ ସାଙ୍ଗରେ ଦେଖା କରେଇ ଦେଲା। ତା ମାଆ କିଛି ଜାଣୁ ନଥାନ୍ତି। ପୁରାପୁରି ଅଚେତ ଅବସ୍ଥାରେ ଖଟରେ ପଡ଼ି ରହିଥାନ୍ତି। ଚାନ୍ଦିନୀର ମାଆକୁ ଦେଖି ସାରିଲା ପରେ ମନୋଜ ବହୁତ୍ ବାଧ୍ୟ କରିବାରୁ ଦୁହେଁ ମିଶିକି ଯାଇ ଡାକ୍ତରଖାନା ବାହାରେ ଗୋଟିଏ ହୋଟେଲରେ ଭୋଜନ କରନ୍ତି। ଖାଇଲା ବେଳେ ମନୋଜ ଚାନ୍ଦିନୀଙ୍କୁ ପଚାରନ୍ତି “ମାମା ତୁମେ କେଉଁ ଶ୍ରେଣୀରେ ପଢ଼ୁଛ?”
ଭାଇ ନବମ ଶ୍ରେଣୀରେ ପଢୁଛି।
ଆଛା କହିଲ ମାମା ତୁମେ ବଡ଼ ହୋଇ କଣ କରିବ?
ଭାଇ ମୁଁ ବଡ଼ ହୋଇ ଗୋଟିଏ ବହୁତ୍ ବଡ଼ ଚାକିରି କରିବି। ଆଉ ମୋ ମାଆକୁ ଦୁନିଆର ସବୁ ସୁଖ ଦେବି। ଆଉ ଯେତେ ସବୁ ଗରିବ ଲୋକ ଥିବେ ମୁଁ ସମସ୍ତଙ୍କୁ ସାହାଯ୍ୟ କରିବି।
ଆରେ ବାଃ ବହୁତ୍ ବଡ଼ ସ୍ବପ୍ନ ତାହେଲେ ତୁମର। ସ୍ନେହରେ ଚାନ୍ଦିନୀ ମୁଣ୍ଡକୁ ଆଉଁସି ଦେଇ କହିଲେ ମନୋଜ।
ଖାଇ ସାରିବା ପରେ ଚାନ୍ଦିନୀକୁ ନେଇ ମନୋଜ ଡାକ୍ତରଖାନାରେ ତା ମାଆଙ୍କ ପାଖରେ ଛାଡ଼ି ଦିଅନ୍ତି। ଆଉ କୁହନ୍ତି “ମାମା ତୁମେ ଆଦୌ ବ୍ୟସ୍ତ ହୁଅନି। ତୁମ ମାଆଙ୍କର କିଛି ହେଲେ ହେବ ନାହିଁ। ଆଜି ବହୁତ୍ ରାତି ହେଇ ଗଲାଣି। ଏବେ ଆଉ କେହି ଡାକ୍ତର ନାହାନ୍ତି। ମୁଁ କାଲି ସକାଳେ ପୁଣି ଆସିବି। ଏବେ ମୁଁ ଆସୁଛି। ହେଲା।”
ଏତିକି କହି ମନୋଜ ସେଠାରୁ ଘରକୁ ଫେରି ଆସନ୍ତି। ରାତି ସାରା ମନେ ମନେ ଅନେକ ଗୁଡ଼ାଏ କଥା ଭାବି ଆଉ ଭଲରେ ସୋଇ ପାରନ୍ତି ନାହିଁ। ଯେମିତି ସେମିତି ରାତି ପାହି ଯାଏ। ସକାଳୁ ଉଠି ଚାକିରିରୁ ଛୁଟି ନେଇ ଚାନ୍ଦିନୀକୁ ଦେଇଥିବା କଥା ଅନୁଯାୟୀ ଡାକ୍ତରଖାନାରେ ଯାଇ ପହଞ୍ଚନ୍ତି। ଚାନ୍ଦିନୀ ମନୋଜଙ୍କୁ ଦୂରରୁ ଦେଖି ଭାଇ ବୋଲି ଡାକି ପାଖକୁ ଧାଇଁ ଆସେ। ସାଙ୍ଗରେ ଚାନ୍ଦିନୀ ଓ ତା ମାଆଙ୍କ ପାଇଁ ବିସ୍କୁଟ, ସେଓ, କମଳା, ଅଙ୍ଗୁର, ଡାଳିମ୍ବ ସବୁ ନେଇକି ଆସିଥାନ୍ତି ମନୋଜ। ଲାଗୁ ଥାଏ ଏଇ ଘଣ୍ଟା କେଇଟାର ମିଳନ ସତେ ଯେମିତି ଗୋଟିଏ ପ୍ରଗାଢ଼ ସମ୍ପର୍କ ରେ ପରିଣତ ହୋଇ ଯାଇଛି।
କିଛି ସମୟ ଅପେକ୍ଷା କଲା ପରେ ଡାକ୍ତର ଆସିବାରୁ ଚାନ୍ଦିନୀର ମାଆଙ୍କ ରୋଗ ବିଷୟରେ ସମସ୍ତ ଜିନିଷ ପଚାରି ବୁଝନ୍ତି ମନୋଜ। ଓ ଡାକ୍ତରଙ୍କ କହିବା ଅନୁଯାୟୀ ଅପରେସନ୍ କରିବା ଲାଗି କାଉଣ୍ଟର ରେ ଯାଇ ପଇସା ଜମା କରନ୍ତି। ପଇସା ଜମା କରିବା ସମୟରେ କାଉଣ୍ଟର ରେ ବସିଥିବା ଡାକ୍ତରଖାନା କର୍ମଚାରୀ ଜଣକ ପଚାରନ୍ତି “ଆଜ୍ଞା ଆପଣ ରୋଗୀର କଣ ହେବେ? ସିଏ ଡାକ୍ତରଖାନା ରେ ପଡ଼ିଲା ଦିନୁ ଆପଣଙ୍କୁ କେବେ ଦେଖି ନାହିଁ।”
ଯାହା ହେଲେ ଭାବି ପାରିଲେ ଆପଣ। ଟିକେ ହସି ଦେଇ ଉତ୍ତର ଦିଅନ୍ତି ମନୋଜ।
ଯାହା ଭାବି ପାରିଲି ମାନେ? କ୍ଷମା କରିବେ ଆଜ୍ଞା ବୁଝି ପାରିଲିନି।
କାଲି ରାତିରେ ଘରକୁ ଫେରିଲା ବେଳେ ଦେଖିଲି। ଏଇ ଡାକ୍ତରଖାନା ପଛ ପଟେ ଥିବା ଶିବ ମନ୍ଦିର ପାହାଚ ଉପରେ ପ୍ରଚଣ୍ଡ ଶୀତରେ ଏକୁଟିଆ କୁନି ଝିଅଟି ବସି କାନ୍ଦୁ ଥିଲା। କଣ ହେଇଛି ବୋଲି ପଚାରିଲାରୁ ଜାଣିବାକୁ ପାଇଲି ତା ମାଆଙ୍କ ଦେହ ଅସୁସ୍ଥ ଅଛି। ସେ ଡାକ୍ତରଖାନା ରେ ପଡ଼ିଛନ୍ତି। ଆଉ ଅପରେସନ୍ କରିବା ଲାଗି ତାଙ୍କ ପାଖରେ ଧନ ନାହିଁ। ବାପ ଛେଉଣ୍ଡ କୁନି ପିଲାଟି ବହୁତ୍ ଲୋକଙ୍କୁ ସାହାଯ୍ୟ ମାଗିଲା ହେଲେ କେହି ତାକୁ ସାହାଯ୍ୟ କଲେ ନାହିଁ। ମାଆ ଛଡ଼ା ଏଇ ଦୁନିଆ ରେ ତାର ନିଜର ବୋଲି କେହି ନାହାନ୍ତି। ତା ମାଆର କିଛି ହୋଇ ଗଲେ ପିଲାଟି ଅନାଥ ହୋଇ ଯିବ। ସେଥି ପାଇଁ ଭାବିଲି ଯେତିକି ପାରିବି ସାହାଯ୍ୟ କରିବି।
ମନୋଜଙ୍କ କଥା ଶୁଣି ସଂପୂର୍ଣ୍ଣ ଭାବେ ଆଶ୍ଚର୍ଯ୍ୟ ଚକିତ ହୋଇ ଅନେଇ ରହିଥାନ୍ତି କର୍ମଚାରୀ ଜଣକ। ଆଜି କାଲିକା ସ୍ୱାର୍ଥପର ଦୁନିଆରେ ଗୋଟିଏ ଅଜଣା ଅଚିହ୍ନା ଲୋକର ଏତେ ପରିମାଣରେ ଆର୍ଥିକ ସହୟତା କରିବାର ନିଜ ଜୀବନରେ ପ୍ରଥମଥର ପାଇଁ ଦେଖୁ ଥିଲେ ସିଏ।
ଆଚ୍ଛା ଆଜ୍ଞା ସବୁ ପଇସା ଏକା ସାଙ୍ଗରେ ଜମା କରି ଦେବେ? ଏମିତି ରେ ତ ଆପଣଙ୍କ ଆକାଉଣ୍ଟ ଖାଲି ହୋଇ ଯିବ!
ହଁ ଆଜ୍ଞା ଚଳିବ। ପଇସାର କଣ ଅଛି ଆଜି ଗଲେ କାଲି ପୁଣି ଆସିବ। ହେଲେ ମାଆ ଥରେ ଚାଲି ଗଲେ ଆଉ କେବେ ଫେରିକି ଆସିବ ନାହିଁ। ଜୀବନରେ ଅନେକ ଲୋକ ଆସିବେ ଅନେକ ଲୋକ ଯିବେ ହେଲେ ମାଆର ସ୍ଥାନ କେହି ଗ୍ରହଣ ପାରିବେ ନାହିଁ। ମାଆର ସ୍ନେହ, ମମତା ଓ ଭଲ ପାଇବା ସ୍ଵତନ୍ତ୍ର ଓ ମାଆ ଆଉ ସନ୍ତାନର ସମ୍ପର୍କ ଦୁନିଆର ପ୍ରତିଟି ସମ୍ପର୍କ ଠାରୁ ଶ୍ରେଷ୍ଠ।
କର୍ମଚାରୀ ଜନକଙ୍କ ଆଖିରେ ଲୁହ ଭରିଗଲା। ଆଜ୍ଞା ଗୋଟେ ମିନିଟରେ ଆସୁଛି କହି ନିଜ ଜାଗା ଛାଡ଼ି କର୍ମଚାରୀ ଜଣକ ସେଠାରୁ ଗୋଟେ କଣକୁ ଚାଲି ଆସିଲେ, ନିଜ ଲୁହକୁ ଲୁଚାଇବା ପାଇଁ। କିଛି ମୁହୂର୍ତ୍ତ ପରେ ପୁଣି ନିଜ ଜାଗାକୁ ଫେରି ଆସି ମନୋଜଙ୍କୁ ଛିଡ଼ା କରେଇ ଥିବାରୁ କ୍ଷମା ମାଗନ୍ତି ଓ ବିଲ୍ କରି ମନୋଜଙ୍କୁ ଧରେଇ ଦିଅନ୍ତି। ମନୋଜ ବିଲ୍ ଧରି ଚାନ୍ଦିନୀ ପାଖକୁ ଆସିଲା ବେଳକୁ ଦେଖନ୍ତି ଚାନ୍ଦିନୀ ତା ମାଆର ଗୋଡ଼ ପାଖକୁ ବସି କାନ୍ଦୁଛି।
“ଆରେ ମାମା ପୁଣି କଣ ପାଇଁ କାନ୍ଦୁଛ? କହିଲି ପରା ତୁମ ମାଆଙ୍କର କିଛି ହେବନି। ଏଇ ଦେଖ ମୁଁ ସବୁ ପଇସା ଜମା କରି ଦେଇଛି। ଏବେ ତୁମ ମାଆଙ୍କ ଅପରେସନ୍ ହେଇ ପାରିବ। ଆଉ ତୁମ ମାଆ ଆଗ ଭଳି ପୁଣି ସୁସ୍ଥ ହେଇ ଯିବେ। କାନ୍ଦନି ମୋ ମାମାଟା ପରା।” ଚାନ୍ଦିନୀ ଆଖିରୁ ଲୁହ ପୋଛି ଦେଇ କହିଲେ ମନୋଜ।
ଭାଇ ଛୋଟ ବେଳୁ ବୋଉ ମୋତେ ତା ମୁଣ୍ଡ ଛୁଆଇଁ କହିଛି କେବେ ହେଲେ କୌଣସି ଲୋକ ଠାରୁ ଆଦୌ କିଛି ନବୁ ନାହିଁ। ନିଜର ଯେତିକି ଅଛି ସେତିକିରେ ଚଳିବୁ। ଦରକାର ପଡ଼ିଲେ ଦିନେ ଉପାସେ ସୋଇ ପଡ଼ିବୁ ପଛେ କିନ୍ତୁ କେବେ କାହା ଆଗରେ ହାତ ପତେଇବୁ ନାହିଁ। ମାଆ ଭଲ ହେଲା ପରେ ଯେତେ ବେଳେ ଜାଣିବ ଆପଣ ଏତେ ପଇସା ଦେଇଛନ୍ତି, ସେ ବହୁତ୍ ରାଗିବ।
ଆରେ ମାମା କାହିଁ ଏତେ କଥା ଭାବୁଛ? ମୋଟେ ହେଲେ ବ୍ୟସ୍ତ ହୁଅନି। ତମେ କାଲି ରାତିରେ ମୋତେ କହି ଥିଲ ବା ତମେ ବଡ଼ ହେଇକି ଗୋଟିଏ ବହୁତ୍ ବଡ଼ ଚାକିରି କରିବ। ତମେ ବଡ଼ ହୋଇ ଚାକିରି କଲା ପରେ ମୋତେ ସବୁ ପଇସା ଫେରେଇ ଦେବ। ହେଲା। ଏବେ କାନ୍ଦ ବନ୍ଦ କର।
ପାଞ୍ଚ ଘଣ୍ଟାର ସଫଳ ଅସ୍ତ୍ର ପ୍ରଚାର ପରେ ଚାନ୍ଦିନୀର ମାଆ ଫେରି ପାଇଥିଲେ ଆଉ ଗୋଟିଏ ନୂତନ ଜୀବନ। ସପ୍ତାହେ ଯାଏଁ ମନୋଜ ଚାକିରିରୁ ଛୁଟି ନେଇ ପଡ଼ି ରହିଥାନ୍ତି ଡାକ୍ତରଖାନାରେ। ସେଇ ଜନ୍ମ ନ ଦେଇଥିବା ମାଆ ପାଖରେ। ବାସ୍ ରାତି ଘଣ୍ଟାକ ଯାହା ନିଜ ଘରକୁ ଯାଆନ୍ତି। ଆଉ ସକାଳ ପାହିଲେ ପୁଣି ଧାଇଁ ଆସନ୍ତି। ଚାନ୍ଦିନୀର ମାଆଙ୍କ ଯେତେ ବେଳେ ଚେତା ଫେରେ। ଚାନ୍ଦିନୀ ତାଙ୍କୁ ସବୁ କଥା ଗୋଟି ଗୋଟି କରି କୁହେ। ଚାନ୍ଦିନୀର କଥା ଶୁଣି ତା ମାଆ ଅତ୍ୟନ୍ତ ଆବେଗପ୍ରବଣ ହୋଇ ଯାଆନ୍ତି। ତାଙ୍କୁ ଲାଗେ ଗୋଟିଏ ନୂଆ ଜୀବନ ଫେରି ପାଇବା ସାଙ୍ଗେ ସାଙ୍ଗେ ସିଏ ମନୋଜ ରୂପରେ ଗୋଟିଏ ପୁଅକୁ ମଧ୍ଯ ପାଇଛନ୍ତି। ସେଥି ମନୋଜଙ୍କ ମୁଣ୍ଡକୁ ଆଉଁସି ବହୁତ୍ ସ୍ନେହ କରୁଥାନ୍ତି ସିଏ।ଆଠ ଦିନଠି ଯେତେ ବେଳେ ଚାନ୍ଦିନୀର ମାଆ ସଂପୂର୍ଣ୍ଣ ଭାବେ ଭଲ ହୋଇ ଗଲେ। ଆଉ ମୁଁହରେ ଗୋଟିଏ ଛୋଟିଆ ହସ ଓ ଆଖିରେ ଆଖିଏ ଲୁହ ଧରି ଡାକ୍ତରଖାନାରୁ ଘରକୁ ଯାଉଥିଲେ। ମନୋଜଙ୍କୁ ଲାଗୁଥିଲା ସତେ ଯେମିତି ସେ ଚାନ୍ଦିନୀର ନୁହଁ ତାଙ୍କ ନିଜ ମାଆ ଭଲ ହୋଇ ଘରକୁ ଫେରୁଥିଲେ।
ତାର ଠିକ୍ ମାସେ କି ପନ୍ଦର ଦିନିଠି ମନୋଜଙ୍କ ଭୁବନେଶ୍ୱରରୁ ବିଶାଖାପାଟଣା ବଦଳି ହୋଇ ଗଲା। ଆଉ ବିତିଗଲା ପ୍ରାୟ ଦଶ ଏଗାର ବର୍ଷ। ଏତିକି ଭିତରେ ହାତକୁ ଦି ହାତ ହୋଇ ଯାଇଥିଲେ ମନୋଜ। ହେଲେ ଏଇ ଦଶ ଏଗାର ବର୍ଷ ମଧ୍ୟରେ ମନୋଜଙ୍କର ଚାନ୍ଦିନୀ ସହିତ କୌଣସି ପ୍ରକାରର ସମ୍ପର୍କ ହୋଇ ନଥାଏ। ମନୋଜଙ୍କ ଜୀବନରେ ଚାନ୍ଦିନୀ ଓ ତା ମାଆ ବାସ୍ ଗୋଟିଏ ଝପ୍ସା ସ୍ମୃତି ଛଡ଼ା ଆଉ କିଛି ନଥିଲେ। ହେଲେ କଥାରେ ନାହିଁ ବିଧିର ବିଧାନ ଭାରି ବିଚିତ୍ର। ଦିନେ ସନ୍ଧ୍ୟାରେ ଅଫିସରୁ ଘରକୁ ଫେରିଲାରୁ ତାଙ୍କ ପତ୍ନୀ ତାଙ୍କ ହାତରେ ଗୋଟିଏ ପାର୍ଶଲ ଧରେଇ ଦିଅନ୍ତି।
କାହାର ଏଇ ପାର୍ଶଲ? କିଏ ପଠେଇଛି?
କେଜାଣି ତମ ନାଆ ରେ ଆସିଛି। ଆଜି ଦ୍ୱିପହର ସମୟରେ ଗୋଟିଏ କୋରିଅର ବାଲା ଆସି ଏଇ ପାର୍ଶଲ ଦେଇ ଯାଇଛି। କହିଲା ଚାନ୍ଦିନୀ ବୋଲି କିଏ ଗୋଟେ ଝିଅ ପଠେଇଛି।
ପତ୍ନୀଙ୍କ ମୁହଁରୁ ଚାନ୍ଦିନୀ ନାମଟି ଶୁଣି ପୁରାପୁରି ସ୍ତବ୍ଧ ହୋଇ ଗଲେ ମନୋଜ। ଗୋଟିଏ ଅବ୍ୟକ୍ତ ଶିହରଣ ଯେମିତି ଖେଳିଗଲା ସର୍ବାଙ୍ଗୀନ ଶରୀରରେ।
“ଚାନ୍ଦିନୀ ପଠେଇଛି! ସିଏ ମୋତେ ମନେ ରଖିଛି।” ମୁଁହ ରେ ଗୋଟିଏ ବହୁତ୍ ବଡ଼ ହସ ସାଙ୍ଗେ ସାଙ୍ଗେ ବିସ୍ମୟ ହୋଇ କହିଲେ ମନୋଜ। ସୋଫା ଉପରେ ବସି ପଡ଼ି ଖୁବ୍ ଯତ୍ନର ସହିତ ଖୋଲିଲେ ସେଇ ପାର୍ଶଲ ଟିକୁ। ପାର୍ଶଲ ଭିତରେ ଥାଏ ଗୋଟିଏ ଚାରି ଚଉତା ଚିଠି ଓ ଗୋଟିଏ ସୁନ୍ଦର ରାକ୍ଷୀ। ଚିଠିରେ ଲେଖା ହୋଇ ଥାଏ....
ଭାଇ,
ମୁଁ ଆପଣଙ୍କର ମନେ ଅଛି କି ନାହିଁ? ସେଇଟା ମୁଁ କହି ପାରିବିନି। ହେଲେ ଆପଣ ମୋର ଖୁବ୍ ଭଲ ଭାବେ ମନେ ଅଛନ୍ତି। ଆପଣ ହେଉଛନ୍ତି ସେଇ ବ୍ୟକ୍ତି ଯିଏ ଦିନେ ମୋତେ ଅନାଥ ହେବାରୁ ବଞ୍ଚେଇ ଦେଇ ଥିଲା। ଆପଣଙ୍କୁ କଣ ଚାହିଁଲେ ବି ମୁଁ କେବେ ଭୁଲି ପାରିବି? ଜାଣିଛନ୍ତି ଭାଇ ମାଆ ଆପଣଙ୍କୁ ନୀତି ଖୋଜେ ଆଉ ଢେର ସାରା ଆଶୀର୍ବାଦ ଦିଏ। ଆପଣ ଚିର ଦିନ ପାଇଁ ତା' ହୃଦୟର ସାତ ତଳ ପୋଖରୀ ଭିତରେ ରହିଗଲେ ତାର ପୁଅ ଓ ମୋର ଭାଇ ହେଇକି। ଏଗାର ବର୍ଷରେ ଆପଣଙ୍କୁ ମୁଁ ବହୁତ୍ ଖୋଜିଛି। ହେଲେ କଣ କରି ପାରିଥାନ୍ତି? ଆପଣଙ୍କ ନାଆ ଖଣ୍ଡକ ଛାଡ଼ି ଦେଲେ। ମୋତେ ଆପଣଙ୍କ ବିଷୟରେ ଆଉ କଣ ବା ଜଣା ଥିଲା। ବଡ଼ ହେଲା ପରେ ଫେସବୁକରେ ଏବେ ଦିନେ ଆପଣଙ୍କ ଆକାଉଣ୍ଟ ପାଇଲି। ଆଉ ଆପଣଙ୍କ ଫେସବୁକ୍ ଆକାଉଣ୍ଟରୁ ଆପଣଙ୍କ ଠିକଣା। ଆପଣଙ୍କର ମନେ ଅଛି ଅପରେସନ୍ ସମୟ ରେ ପଇସା ଜମା କଲା ବେଳେ ମାଆ ରାଗିବ ବୋଲି କାନ୍ଦିବାରୁ, ଆପଣ ମୋତେ କହି ଥିଲେ “ମାମା ବ୍ୟସ୍ତ ହୁଅନି ବଡ଼ ହେଇ ଚାକିରି କଲା ପରେ ତମେ ମୋତେ ସବୁ ପଇସା ଫେରେଇ ଦେବ।” ଆଜି ମୁଁ ସତରେ ବଡ଼ ହେଇ ଯାଇଛି ଆଉ ନିଜ ଗୋଡ଼ରେ ଛିଡ଼ା ମଧ୍ୟ ହେଇ ଯାଇଛି। ବର୍ତ୍ତମାନ ମୁଁ ଭୁବନେଶ୍ୱରର ଗୋଟିଏ କଲେଜରେ ଅଧ୍ୟାପିକା ଅଛି। ହେଲେ ମୁଁ ବୁଝି ପାରିଛି ଭାଇ, ଯେ ଜନ୍ମ ଜନ୍ମ ଧରି ମୁଁ କେବେ ହେଲେ ଆପଣଙ୍କ ଋଣ ସୁଝି ପାରିବି ନାହିଁ। ଆଉ ଆପଣଙ୍କ ନିକଟରେ ମୁଁ ସବୁ ବେଳେ ଋଣି ହୋଇ ରହିବାକୁ ଏକା ପସନ୍ଦ କରିବି। ଭାଇ ବହୁତ୍ ସ୍ନେହର ସହିତ ଆପଣଙ୍କ ପାଇଁ ଗୋଟେ ରାକ୍ଷୀ ପଠେଇଛି। ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ମୋ ପାଇଁ ସେଇ ରାକ୍ଷୀ ପିନ୍ଧି ନେବେ। ଆଉ ତଳେ ମୋ ଫୋନ୍ ନମ୍ବର ଦେଇଛି, ଯେବେ ସମୟ ହେବ ମୋତେ ଫୋନ କରିବେ।
ଚାନ୍ଦିନୀ,
୫୬୭୫୮୮୬୦୨୬।
ଚିଠିକୁ ପଢ଼ିଲା ବେଳେ ମନୋଜଙ୍କ ଆଖି ଓଦା ହୋଇ ଗଲା। ଚିଠିରେ ଭାଷୀ ଗଲା ଚାନ୍ଦିନୀର ସେଇ ଛୋଟ ବେଳର ନିରୀହ ଚେହରା ଆଉ କାନକୁ ଶୁଭୁଥିଲା ତାର ସେଇ କୋମଳ କଣ୍ଠର ଭାଇ ଡାକ।
ଚିଠି ଓ ରାକ୍ଷୀକୁ ବୁକୁରେ ଚିପି ଆବେଗ ଭରା କଣ୍ଠରେ କୁହନ୍ତି ମନୋଜ “ନିଶ୍ଚୟ ପିନ୍ଧିବି ତୋ ରାକ୍ଷୀ ଆଉ ଦେଖା କରିବି ତୋତେ ଖୁବ୍ ଶୀଘ୍ର... ଖୁବ୍ ଶୀଘ୍ର।”
