STORYMIRROR

Shreeman Anshuman Priyadarshee

Abstract Tragedy Classics

3  

Shreeman Anshuman Priyadarshee

Abstract Tragedy Classics

ଧାନ କଟା ଛୁଟି

ଧାନ କଟା ଛୁଟି

8 mins
24


ଚାରି ଆଡ଼େ ଧାନ କଟା ଛୁଟି ଆରମ୍ଭ ହୋଇ ଯାଇଥାଏ। ଛୋଟ ଥିଲା ବେଳେ ପ୍ରତି ଧାନ କଟା ଛୁଟିରେ ନେହା ତା ଅଜା ଘର ଗାଆଁକୁ ବୁଲିବାକୁ ଯାଉଥିଲା। ହେଲେ ଅଜା ଆଈଙ୍କ ନିଧନ ପର ଠାରୁ ନେହା ଆଉ ତା ଅଜା ଘର ଗାଁଆକୁ ଯାଉ ନାହିଁ। ନେହାର ମାମୁ ଭୁବନେଶ୍ଵରରେ ଚାକିରି କରିଥାନ୍ତି। କେତେ ବେଳେ କେମିତି ଛୁଟିରେ ବୁଲିବାକୁ ନେହା ମାମୁ ପାଖକୁ ପଳେଇ ଯାଏ। ହେଲେ ଏଇ ବର୍ଷ ଧାନ କଟା ଛୁଟିରେ ତା ସବୁ ସାଙ୍ଗମାନେ କୁଆଡ଼େ ନା କୁଆଡ଼େ ବୁଲିବା ପାଇଁ ଯାଇଥାନ୍ତି। ନେହା ଯାହା ଏକୁଟିଆ ଘରେ ବସି ଥାଏ। ସାଙ୍ଗ ସାଥିଙ୍କ ବୁଲିବା ଫୋଟୋ ଦେଖିବା ପରେ ନେହାର ମଧ୍ଯ ଭାରି ଇଚ୍ଛା ହୁଏ ପରିବାର ସହିତ ବାହାରକୁ କୁଆଡ଼େ ବୁଲିଯିବା ପାଇଁ। ସେଥି ପାଇଁ କୁଆଡ଼େ ହେଲେ ଗୋଟେ ବୁଲିଯିବା ପାଇଁ ବାପାଙ୍କ ପାଖରେ ଜିଦ୍ ଧରି ବସିଥାଏ ନେହା। ନବକିଶୋର ବାବୁଙ୍କ ଗୋଟିଏ ବୋଲି ଅଲିଅଳି ଝିଅ। ହେଲେ ଅଫିସ କାମରେ ବ୍ୟସ୍ତ ଥିବା କାରଣରୁ ନବକିଶୋର ବାବୁ ଝିଅ ନେହାକୁ ଇଆଡୁ ସିଆଡୁ କହି ବାଁରେଇ ଦେଉ ଥାନ୍ତି। 

ଦିନେ ସନ୍ଧ୍ୟାରେ ଅଫିସରୁ ଘରକୁ ଫେରିଲାରୁ ନବକିଶୋର ବାବୁ ଦେଖିଲେ ଘରଟା ଖାଁ ଖାଁ ଲାଗୁ ଥାଏ। ସବୁ ଦିନ ଭଳି ସେଇ ଦିନ କାହିଁ ନେହାର ପାଟି ବାହାର ଯାଏ ଶୁଭୁ ନଥାଏ। ନେହାର ଜେଜେ ବାପା ଓ ଜେଜେ ମାଆ ମଧ୍ୟ ମନ ମାରି ଟିଭି ସମ୍ମାନରେ ବସି ଥାନ୍ତି। “କଣ ହେଇଛି ସମସ୍ତେ ଏତେ ଚୁପ୍ ଚାପ! ଆଉ ନେହା କୁଆ ଗଲା ? ଆଜି କାହିଁ ତା ପାଟି ଶୁଭୁନି!” ବୋଲି ପତ୍ନୀ ରୋଜିଙ୍କୁ ପଚାରନ୍ତି ନବକିଶୋର ବାବୁ। ରୋଜି କୁହନ୍ତି “ନେହା ସକାଳୁ ଉଠିଲା ପର ଠାରୁ କିଛି ଭଳରେ ଖାଇ ନାହିଁ। ଆଉ କାହା ସାଙ୍ଗରେ କଥା ମଧ୍ୟ ହଉ ନାହିଁ। ଚୁପ୍ ଚାପ୍ ମନ ମାରିକି ଏକୁଟିଆ ତା ରୁମରେ ବସିଛି। ବାପା ବୋଉ ବୁଝାଇବାକୁ ଚେଷ୍ଟା କଲାରୁ କହିଲା “ବାପାଙ୍କ ପାଇଁ ସବୁ ବେଳେ ତାଙ୍କ କାମ ବଡ଼, ମୋ ଖୁସି ନୁହେଁ। ସବୁ ବେଳେ ଖାଲି କାମ କାମ କାମ। ମୋତେ କେହି କିଛି କୁହନି। ଯାହା କହିବା କଥା ବାପଙ୍କୁ କୁହ।” ସେଥି ପାଇଁ ବାପା ବୋଉ ମଧ୍ୟ ମନ ମାରିକି ବସିଛନ୍ତି।” ଆଉ ଏତିକି ଶୁଣିଲା ପରେ ଟିକେ ବ୍ୟସ୍ତ ହୋଇ ପଡ଼ିଲେ ନବକିଶୋର ବାବୁ। କଣ କରିବେ କିଛି ବୁଝି ପାରିଲେ ନାହିଁ। ନେହାର ରୁମକୁ ଯାଇ ତାକୁ ବୁଝାଇବାକୁ ଚେଷ୍ଟ କଲେ। ହେଲେ ନେହା ବୁଝିବାକୁ ନାରାଜ। ନେହାର ଅଭିମାନ କରିବା ମଧ୍ୟ ସ୍ବଭାବିକ ଥିଲା। ଚାକିରି ଓ କାମ ଭିତରେ ସବୁ ବେଳେ ପରିବାରର ଖୁସିକୁ ଅଣଦେଖା କରି ଆସିଛନ୍ତି ନବକିଶୋର ବାବୁ। ହେଲେ ଏବେ ସମୟ ଥିଲା ନିଜ ଭୁଲକୁ ସୁଧାରିବାର।

ନବକିଶୋର ବାବୁ ଆଉ ଝିଅର ଉଦାସ ମୁହଁ ଦେଖି ପାରିଲେ ନାହିଁ। ନେହାକୁ କୋଳେଇ ନେଇ କହିଲେ “ ମୋ ମାଆଟା ପରା ଆଉ ମନ ମାରି ବସେନି। ଏମିତି ମନ ମାରି ବସିଲେ ଜମା ଭଲ ଦେଖା ଯାଉନୁ। ଆସନ୍ତା ଶନିବାର ଦିନ ଆମେ ସମସ୍ତେ ବୁଲିବାକୁ ଯିବା। ହେଲା। ଏବେ ଟିକେ ହସି ଦେ, ମୋ ଗେଲିଟା ପରା।” ବାପାଙ୍କ ମୁହଁରୁ ବୁଲିଯିବା କଥା ଶୁଣିବା ପରେ ନେହାର ଖୁସି କହିଲେ ନ ସରେ। ସାଙ୍ଗେ ସାଙ୍ଗେ ବାପାଙ୍କୁ ଜାବୁଡ଼ି ଧରି ଦୁଇ ଗାଲକୁ ଦୁଇଟା ଚୁମା ଦେଇ ଦେଲା ନେହା। ନେହାର ଖୁସି ଦେଖି ସମସ୍ତେ ଖୁସି ହୋଇ ଗଲେ। ଏବେ ପ୍ରଶ୍ନ ଥିଲା ବୁଲି ଯିବେ ତ ଯିବେ କୁଆଡ଼େ ? ନେହାର ଜେଜେ କୁହନ୍ତି “ପୁଅରେ ବହୁତ୍ ବର୍ଷ ହେଇ ଗଲାଣି ଜଗନ୍ନାଥଙ୍କୁ ଦେଖି ନାହିଁ। ଶେଷଥର ନେହା ଯେବେ ବର୍ଷକର ହେଇ ଥିଲା ଯାଇ ଥିଲେ। ଏବେ ଆସିକି ନେହାକୁ ଏଗାର ବର୍ଷ ହେଲାଣି। ପ୍ରାୟ ଦଶ ବର୍ଷ ହେଲା ପୁରୀ ଯାଇନେ। ପୁରୀ ଗଲେ ଟିକେ ହୁଅନ୍ତାନି।” 

ସେତେ ବେଳକୁ ନେହା ମଧ୍ୟ କହି ଉଠେ “ହଁ ବାପା ପୁରୀ ଯିବା। ଜଗନ୍ନାଥଙ୍କୁ ଦେଖିବା ଆଉ ଅବଢ଼ା ବି ଖାଇବା।” “ବହୁତ୍ ବଢ଼ିଆ ହେବ ଏତେ ବର୍ଷ ପରେ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ମିଳିବ। ଆଉ ନେହା କେବେ କୋଣାର୍କ ମନ୍ଦିର ମଧ୍ୟ ଦେଖି ନାହିଁ। ପୁରୀ ଗଲେ କୋଣାର୍କ ମନ୍ଦିର ମଧ୍ୟ ବୁଲି ଦେଇ ଆସିବା।” ଅତ୍ୟନ୍ତ ଉତ୍ସାହର ସହିତ କୁହନ୍ତି ରୋଜି।

“ଆଛା ଠିକ୍ ଅଛି, ତାହେଲେ ଆସନ୍ତା ଶନିବାର ମାନେ ପରଦିନ ଆମେ ସମସ୍ତେ ମିଶି ପୁରୀ ଯିବା।” କୁହନ୍ତି ନବକିଶୋର ବାବୁ।

ଶୁକ୍ରବାର ଦିନ ପୁରୀ ଯିବା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା ହୋଇ ଗଲା। ଗାଡ଼ି ବାଲାକୁ ରାତି ଚାରିଟାରୁ ଆଣି ଗାଡ଼ି ଲଗାଇବାକୁ କୁହା ହେଇଥିଲା। ଫୁଲବାଣୀରୁ ପୁରୀ ଅନେକ ବାଟ ଯେ। ବଢ଼ି ଭୋରୁ ନ ବାହାରିଲେ କେମିତି ହେବ। ସମସ୍ତେ ରାତିରୁ ଉଠି ଗାଧୁଆ ପାଧୁଆ ସାରି ଭଲ ଲୁଗା ପଟା ଓ ଶୀତ ବସ୍ତ୍ର ପିନ୍ଧି ରାତି ପ୍ରାୟ ସାଢ଼େ ଚାରିଟା ବେଳକୁ ବାହାରି ପଡ଼ିଲେ ପୁରୀ ଅଭିମୁଖେ। ସେତେ ବେଳକୁ ସୂର୍ଯ୍ୟ ଉଦୟ ହେଇ ନଥାଏ। ଚାରି ଆଡ଼େ ଖାଲି କୁହୁଡ଼ି ଓ ଘନ ଅନ୍ଧକାରର ରାଜୁତି ଚାଲିଥାଏ। କିଛି ହେଲେ ସ୍ପଷ୍ଟ ଭାବେ ଦିଶୁ ନଥାଏ। ରାସ୍ତା କଡ଼ରେ ଲାଗି ଥିବା ବିଜୁଳି ବତି,ନିଜର ଅସ୍ତିତ୍ବ ବଞ୍ଚେଇ ରଖିବା ନିମନ୍ତେ, ନିଜ ପ୍ରଚେଷ୍ଟା ଚାଲୁ ରଖି ଥାନ୍ତି। ନେହା ଜେଜେଙ୍କ କୋଳରେ ବସି ଚାହିଁ ରହି ଥାଏ ଗାଡ଼ିର ଝର୍କା ସେଇ ପଟକୁ। ଅନେକ ବର୍ଷ ପରେ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଯାଉଥିବାରୁ ସମସ୍ତଙ୍କ ମନ ସାଗରରେ ଉତ୍ସାହର ତରଙ୍ଗ ଦୋଳି ଖେଳୁ ଥାଏ। ସେତିକି ବେଳକୁ ନେହା କୁହେ “ଜେଜେ କଣ ଗୋଟିଏ ଗପ କହୁନ। ଏମିତି ଚୁପ୍ ହେଇ ବସିବାକୁ ଜମା ଭଲ ଲାଗୁନି।” ନେହାର ଜେଜେ ଟିକେ ହସି ଦେଇ ନେହାକୁ ଭକ୍ତ ସାଲବେଗ ଓ ଜଗନ୍ନାଥଙ୍କ କାହାଣୀ ସୁଣେଇଲେ। ଜଗନ୍ନାଥ ଓ ସାଲବେଗଙ୍କ ଅଲୌକିକ କାହାଣୀ ଶୁଣି ନେହା ଜଗନ୍ନାଥଙ୍କ ପ୍ରତି ଆହୁରି ବିମୋହିତ ହୋଇ ଗଲା। ନେହା ଜେଜେଙ୍କୁ ପଚାରେ “ଜେଜେ କଣ ମୁଁ ଡାକିଲେ ମୋ ପାଖକୁ ବି ଜଗନ୍ନାଥ ଆସିବେ ? ଆଉ ମୁଁ ଯାହା ମାଗିବି ମୋତେ ସବୁ ଦେବେ ?” ନେହାର ଜେଜେ କୁହନ୍ତି “ହଁ ରେ ମାଆ ତୁ ଯଦି ପୁରା ଭକ୍ତି ଓ ଶ୍ରଦ୍ଧାର ସହିତ ଜଗନ୍ନାଥଙ୍କୁ ଡାକିବୁ ସେ ତୋ କଥା ନିଶ୍ଚୟ ଶୁଣିବେ।”

ପାଖାପାଖି ସାଢ଼େ ପାଞ୍ଚ ଘଣ୍ଟାର ଯାତ୍ରା ପରେ ସେମାନେ ପହଞ୍ଚି ଗଲେ ପୁରୀ ରେ। ଛୁଟି ଯୋଗୁ ବଡ଼ ଦାଣ୍ଡରେ ପ୍ରବଳ ଭିଡ଼ ଥାଏ। ହେଲେ ଜଗନ୍ନାଥଙ୍କୁ ଦେଖିବାର ଇଚ୍ଛା ଆଗରେ ଭିଡ଼ କିଛି ନଥିଲା। ଯେମିତି ସେମିତି ଧାଡ଼ିରେ ଛିଡ଼ା ହୋଇ ସେମାନେ ମନ୍ଦିର ଭିତରକୁ ପ୍ରବେଶ କଲେ। ମନ୍ଦିର ବାହାର ଅପେକ୍ଷା ମନ୍ଦିର ଭିତରେ ଆହୁରି ଅଧିକ ଭିଡ଼ ଥାଏ। ହେଲେ ସମସ୍ତେ ଭଲରେ ଭଲରେ ଜଗନ୍ନାଥଙ୍କୁ ଦର୍ଶନ କଲେ। ଆଉ ଦର୍ଶନ କଲା ପରେ ଆନନ୍ଦ ବଜାର ରେ ଯାଇ ସମସ୍ତେ ଅବଢ଼ା ଖାଇଲେ। ନେହା କହୁ ଥାଏ “ଜେଜେ ଏତେ ଟେଷ୍ଟୀ ଖାଇବା ମୁଁ କେବେ ଖାଇ ନଥିଲି। ଏମିତି ହୁଅନ୍ତାନି ନୀତି ଅବଢ଼ା ଖାଇବାକୁ ମିଳନ୍ତା।” ପରେ ସେମାନେ ମନ୍ଦିରରେ ବୁଲାବୁଲି ସାରି ସମୁଦ୍ର କୂଳକୁ ଗଲେ। ସମୁଦ୍ରର ଘୋ ଘୋ ଗର୍ଜନ ସାଙ୍ଗକୁ ମଣିଷ ଉଁଚା ରେ ଆସୁଥିବା ଢେଉ ସମସ୍ତଙ୍କୁ ଖୁବ୍ ବିଭୋର କରିଦେଲା। ସମୁଦ୍ର ଦେଖି ନେହାର ଖୁସି ବହୁଗୁଣିତ ହେଇ ଗଲା। ସତେ ଯେମିତି ହାତ ପାହାନ୍ତରେ ସ୍ବର୍ଗ ମିଳିଗଲା ତାକୁ। ବେଶ୍ କିଛି ସମୟ ସମୁଦ୍ର କୂଳରେ କାଟିଲା ପରେ ସେମାନେ ବାହାରିଗଲେ କୋଣାର୍କ ମନ୍ଦିର ଦେଖିବା ପାଇଁ। ସେତେବେଳକୁ ପ୍ରାୟ ସନ୍ଧ୍ୟା ହୋଇ ଆସିଥାଏ। ହେଲେ ନେହାକୁ କୁହା ହେଇଥିଲା କୋଣାର୍କ ବୁଲି ଯିବା ବୋଲି। ନ ଗଲେ ଏବେ ସେ ପୁଣି ମୁଁହ ଫୁଲେଇ ବସିବ ଯେ। ସେଥି ପାଇଁ ଟିକେ ଡେରି ହଉ ପଛେ କୋଣାର୍କ ବୁଲି ଦେଇ ଆସିବା ପାଇଁ ବାହାରିଲେ ସମସ୍ତେ।

କୋଣାର୍କ ମନ୍ଦିରରେ ପହଞ୍ଚିଲାରୁ ନେହାକୁ ତା ଜେଜେ କୁହନ୍ତି “ଜାଣିଛୁ ମାଆ ଆଗରୁ ଏଇ ସବୁ ସମୁଦ୍ର ଥିଲା। ଆଉ ମନ୍ଦିର ସମୁଦ୍ର ମଝିରେ ଥିଲା। ଆଉ ସଂପୂର୍ଣ୍ଣ ମନ୍ଦିରଟି ପଥରରେ ତିଆରି। ଆମ ଓଡ଼ିଆ କାରିଗର ମାନେ ଏଇ ମନ୍ଦିରକୁ ଗଢ଼ିଛନ୍ତି।” କୋଣାର୍କ ମନ୍ଦିରର ନିଖୁଣ କାରୁ କାର୍ଯ୍ୟ ଦେଖି ପୁରାପୁରି ବିମୋହିତ ହୋଇଗଲା ନେହା। ପଥରକୁ କାଟି ଏତେ ସୁନ୍ଦର ମନ୍ଦିରଟିଏ ଗଢ଼ା ଯାଇ ପାରିବ ବୋଲି ସିଏ କେବେ ଭାବି ନଥିଲା। ବହୁତ୍ ସାରା ଫୋଟୋ ଉଠେଇଲା ସିଏ ସେଇଠାରେ। ଅନେକ ମଜା ମସ୍ତି ଆଉ ଫୋଟୋ ଉଠେଇବା ପରେ। ଏବେ ସମୟ ଥିଲା ଘରକୁ ଫେରିବାର। ହେଲେ ନେହା ଘରକୁ ଯିବାକୁ ମୋଟେ ରାଜି ହଉ ନଥାଏ। ବହୁତ୍ ବୁଝେଇଲା ପରେ ଯାଇ ଘରକୁ ଜୀବାକୁ ବାହାରିଲା। ଭୁବନେଶ୍ୱରରେ ପହଞ୍ଚିଲା ବେଳକୁ ରାତି ଆଠଟା ଖଣ୍ଡେ ହେଇ ଯାଇଥାଏ। ଭୁବେଶ୍ବରରେ ଟିକେ ସମୟ ପାଇଁ ରହି ସେଠାରେ ଖିଆ ପିଆ କଲେ। ସେତେ ବେଳକୁ ରୋଜି କୁହନ୍ତି “ରାତି ହେଇ ଗଲାଣି ନୟାଗ଼ରେ ପହଞ୍ଚିଲା ବେଳକୁ ଏଗାରଟା ବାରଟା ହେଇ ଯିବ। ଜଙ୍ଗଲ ରାସ୍ତା ଦେଇ ଯିବା। ପୁଣି ଶୀତ ଦିନ କେହି କୁଆଡ଼େ ନଥିବେ। ସାଙ୍ଗରେ ଛୋଟ ଛୁଆ ଅଛି। କାଳେ କଣ ଅସୁବିଧା ହେବ? ମୁଁ କହୁଥିଲି ନହେଲେ ଆଜି ରାତିଟା ଏଇଠି କୋଉ ହୋଟେଲ ରେ ରହି ଯାଆନ୍ତେ। ଆଉ ସକାଳ ପାହିଲେ ଯାଆନ୍ତେ।” “ହେଲେ, ଆଜ୍ଞା ମୋ ମାଆର ଦେହ ବହୁତ୍ ଖରାପ ଅଛି। ଦୁଇ ବର୍ଷ ତଳେ ବାପା ଆରପାରିକୁ ଚାଲିଗଲେ। ମୁଁ ଗୋଟିଏ ବୋଲି ପୁଅ। ଘରେ ଆଉ କେହି ନାହାଁନ୍ତି। ପଡ଼ିଶା ଘର ଜଣେ ଭାଇ ଫୋନ କରି ଥିଲେ। କହିଲେ ଦେହ ବେଶୀ ଖରାପ ହେବାରୁ ମାଆକୁ ଡାକ୍ତରଖାନା ନେଇଛନ୍ତି। ଯେତେ ଶୀଘ୍ର ସମ୍ଭବ ମୋତେ ଯିବାକୁ ପଡ଼ିବ। ଆପଣ ଆଦୌ ଚିନ୍ତା କରନ୍ତୁ ନାହିଁ। କାଳିଆ ସାଆନ୍ତ ଉପରେ ଭରସା ରଖନ୍ତୁ କିଛି ଅସୁବିଧା ହେବନି।” ଭାବ ବିହୋଳ କଣ୍ଠରେ କୁହେ ଡ୍ରାଇଭର।“ଆଚ୍ଛା ହଉ ଠିକ୍ ଅଛି। ତୁମେ ବ୍ୟସ୍ତ ହୁଅ ନାହିଁ। ଆମେ ରାତି ରାତି ପଳେଇ ଯିବା। ଯଦି କିଛି ଅସୁବିଧା ହୁଏ ଜଗନ୍ନାଥ ନାହାଁନ୍ତି ଆମକୁ ରକ୍ଷା କରିବା ପାଇଁ।” ଡ୍ରାଇଭର କାନ୍ଧରେ ହାତ ପକେଇ କୁହନ୍ତି ନବକିଶୋର ବାବୁ। ସମସ୍ତେ ଖିଆ ପିଆ ସାରି ଗାଡ଼ିରେ ବସନ୍ତି। ଦିନ ସାରା ବୁଲା ବୁଲି କରି ସମସ୍ତେ ବହୁତ୍ ହାଲିଆ ହୋଇ ଯାଇଥାନ୍ତି। ସେଥି ପାଇଁ ଗାଡ଼ି ଚାଲିବାର କିଛି ସମୟ ପରେ ଗୋଟି ଗୋଟି ହୋଇ ସମସ୍ତେ ସୋଇ ପଡ଼ିଲେ। ଖାଲି ନବକିଶୋର ବାବୁ ଯାହା ସୋଇ ନଥାନ୍ତି। ସିଏ ଡ୍ରାଇଭର ପାଖ ସିଟ୍ ରେ ବସି ଡ୍ରାଇଭର ସହ ବିଭିନ୍ନ ପ୍ରସଂଗରେ କଥା ହଉଥାନ୍ତି। ହେଲେ କିଛି ସମୟ ପରେ ନବକିଶୋର ବାବୁ ମଧ୍ୟ ଢୁଳେଇ ପଡ଼ିଲେ। କିନ୍ତୁ ଡ୍ରାଇଭର କାର୍ ଟିକୁ ସମ୍ପୂର୍ଣ୍ଣ ବେଗରେ ଚଳାଉ ଥାଏ। ପାଖାପାଖି ରାତି ଗୋଟେ ହେବ। ଦଶପଲ୍ଲା ଜଙ୍ଗଲ ମଝିରେ ହଠାତ୍ ଖୁବ୍ ଜୋରିଆ ବ୍ରେକ ମାରିଲା ଡ୍ରାଇଭର। ନବକିଶୋର ବାବୁଙ୍କ ନିଦ ଚାଉଁକି ଭାଙ୍ଗିଗଲା। 

“ଆରେ ଭାଇ କଣ ହେଲା ? ଏତେ ଜୋରିଆ ବ୍ରକେ କଣ ପାଇଁ ମାରିଲ ?” ଖୁବ୍ ବିବ୍ରତ ହୋଇ ଡ୍ରାଇଭରକୁ ପଚାରିଲେ ନବକିଶୋର ବାବୁ।

ହେଲେ ଡ୍ରାଇଭର ପାଟିରୁ କୌଣସି ହେଲେ ଶବ୍ଦ ବାହାରିଲା ନାହିଁ। ବାସ ଆଙ୍ଗୁଠିରେ ଠାରି ଆଗକୁ ଦେଖିବା ପାଇଁ କହିଲା। ଆଉ ଆଗକୁ ଦେଖିଲା ବେଳକୁ ଦେଖିଲେ ତାଙ୍କ ଗାଡ଼ି ଠାରୁ ପ୍ରାୟ ଶହେ ମିଟର ଦୂରରେ ତିନୋଟି ମୋଟର ସାଇକଲ ରେ ଛଅ ଜଣ ଲୋକ ମୁଁହରେ ଗାମୁଛା ବାନ୍ଧି, ହାତରେ ଛୁରୀ ଓ ଭୁଜାଲି ଧରି ରାସ୍ତା ଜଗି ଥାନ୍ତି। ନବକିଶୋର ବାବୁଙ୍କ ପାଦ ତଳୁ ମାଟି ଖସି ଗଲା। ଜଙ୍ଗଲ ମଝିରେ କେହି କୁଆଡ଼େ ନାହାଁନ୍ତି। କଣ କରିବେ କଣ ନାଇ କିଛି ବୁଦ୍ଧି ବାଟ ଦିଶିଲା ନାହିଁ ନବକିଶୋର ବାବୁଙ୍କୁ। ସାଙ୍ଗରେ ପୁଣି ବୁଢ଼ା ବାପା ମାଆ, ସ୍ତ୍ରୀ ଓ ସାନ ଝିଅ ଟିଏ ଅଛି। ଏତିକି ଭିତରେ ସମସ୍ତଙ୍କ ନିଦ ଭାଙ୍ଗି ଯାଇ ଥାଏ। ନବକିଶୋର ବାବୁଙ୍କ ବୋଉ ଓ ସ୍ତ୍ରୀ ପୁରାପୁରି ଆତଙ୍କିତ ହୋଇ ଯାଇଥାନ୍ତି। ରୋଜି ନେହାକୁ କୋଳରେ ଜାବୁଡ଼ି ଧରି ଭୟରେ କାନ୍ଦି ପକାଉ ଥାନ୍ତି। ନବକିଶୋର ବାବୁଙ୍କ ବାପା ବୋଉ ହାତ ଯୋଡ଼ି ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଥାନ୍ତି। ସମସ୍ତଙ୍କ ଉପରେ ଭୟର କଳା ବାଦଲ ଘୋଡ଼େଇ ହୋଇ ଯାଇଥାଏ। ଧିରେ ଧିରେ ମୋଟର ସାଇକେଲରେ ଥିବା ଡକାୟତ ମାନେ ଗାଡ଼ି ଆଡ଼କୁ ବଢ଼ିବା ଆରମ୍ଭ କଲେ। ସେତିକି ବେଳକୁ ଡ୍ରାଇଭର ଚତୁରତାର ସହିତ ସାଙ୍ଗେ ସାଙ୍ଗେ ଗାଡ଼ିକୁ ପଛକୁ ବୁଲେଇ ସେଠାରୁ ପାଲେଇଯିବାକୁ ଚେଷ୍ଟା କଲା। ହେଲେ ସେମାନେ ମଧ୍ୟ ନିଜ ମୋଟର ସାଇକେଲରେ ଗାଡ଼ିକୁ ପିଛା କରିବାକୁ ଲାଗିଲେ।କିଛି ବାଟ ଗଲା ପରେ ଗୋଟିଏ ଛୋଟିଆ ଗାଁ ଟିଏ ବାଟରେ ପଡ଼ିଲା। ଗାଁ ଭିତରକୁ ଗୋଟିଏ ବହୁତ ଛୋଟିଆ ରାସ୍ତା ଟିଏ ଥାଏ। ବଡ଼ ଗାଡ଼ି ପଶିଲେ ପୁରା ରାସ୍ତା ବନ୍ଦ ହୋଇ ଯିବ। ହେଲେ ସେଇ ସମୟ ରେ ଡ୍ରାଇଭର ବେଶୀ କିଛି ବିଚାର ନ କରି ସେଇ ଗାଁ ଭିତରକୁ ଗାଡ଼ି ପୁରେଇ ଦେଲା। ଅଳ୍ପ ବାଟ ଯାଇ ଥିବେ। ଦେଖିଲେ ସାମ୍ନାରୁ ଆଉ ଗୋଟିଏ ଚାରି ଚକିଆ ଗାଡ଼ି ଟିଏ ଆସୁଛି। ଆଗରେ ବଡ଼ ଗାଡ଼ି ଆଉ ପଛରେ ଡକାୟତ। ଡ୍ରାଇଭର କଣ କରିବ କିଛି ବୁଝି ପାରିଲା ନାହିଁ। କୁଆଡ଼େ ହେଲେ ଖସି ପକେଇବାର ବାଟ ନାହିଁ। ହେଲେ ନବକିଶୋର ବାବୁ ଦେଖନ୍ତି ସାମ୍ନାରେ ଥିବା ଗାଡ଼ିରୁ ବାହାରନ୍ତି ଜଣେ ଫରେଷ୍ଟ ଅଫିସର ଓ ତିନି ଜଣ ଫରେଷ୍ଟ ଗାର୍ଡ। ଫରେଷ୍ଟ ଅଫିସରଙ୍କୁ ଦେଖି ପଛରେ ପଡ଼ିଥିବା ଡକାୟତ ଗାଡ଼ି ବୁଲେଇ ଚାଲି ଯାଆନ୍ତି। ଲାଗିଲା ସତେ ଯେମିତି ହଠାତ ବିପଦର ଘନ କଳା ବାଦଲ କୁଆଡ଼େ ଉଭେଇ ଗଲା। ନବକିଶୋର ବାବୁ ଗାଡ଼ିରୁ ଓହ୍ଲେଇ ଆସି ଫରେଷ୍ଟ ଅଫିସରଙ୍କୁ ସବୁ କଥା କୁହନ୍ତି। 

“ଆପଣ ମାନେ ଜାଣିଛନ୍ତି ଏଇ ରାସ୍ତାରେ ପ୍ରାୟ ସବୁ ଦିନ ଡକାୟତି ହଉଛି। ହେଲେ ମଧ୍ୟ ଏତେ ରାତିରେ ଏଇ ରାସ୍ତା ଦେଇ ଯିବା କଣ ଦରକାର ଥିଲା ? ସାଙ୍ଗରେ ପୁଣି ସ୍ତ୍ରୀ, ଛୋଟ ପିଲା ଓ ବୟସ୍କ ବାପା ମାଆ ଅଛନ୍ତି। କୋଉଠି ହେଲେ ରାତି ଘଣ୍ଟାକ ରହି ଯାଇଥାନ୍ତେ। ପାହାନ୍ତିଆ ହେଇ ଥିଲେ ବାହାରି ଥାନ୍ତେ। ଭାବିଲେ ଆଜି ଯଦି ଆମେ ଏଇ ରାସ୍ତା ଦେଇ ନ ଆସି ଥାନ୍ତୁ। କଣ ହେଇ ଥାନ୍ତା? ଆଚ୍ଛା ହଉ ଚାଲନ୍ତୁ ଆମେ ଆପଣଙ୍କୁ ଜଙ୍ଗଲ ପାର କରେଇ ଦବୁ। ତା ପରେ ଆପଣ ସେଇଠୁ ଚାଲି ଯିବେ।” ଫରେଷ୍ଟ ଅଫିସର କୁହନ୍ତି।

“ହଁ ଆଜ୍ଞା, ଠିକ୍ ଅଛି” କହି ନବକିଶୋର ବାବୁ ଯାଇ ଗାଡ଼ିରେ ବସନ୍ତି। ଧିରେ ଧିରେ ଗାଡ଼ି ପଛକୁ କରି ଗାଁ ଭିତରୁ ଗାଡ଼ି ବାହାର କରି ଦିଏ ଡ୍ରାଇଭର। “ଆପଣ ଆଗରେ ଚାଲନ୍ତୁ ଆମେ ଆପଣଙ୍କ ପଛେ ପଛେ ଯାଉଛୁ।” କୁହନ୍ତୁ ଫରେଷ୍ଟ ଅଫିସର। ଗାଡ଼ି ଭିତରେ ସମସ୍ତେ ଚୁପ୍ ହୋଇ ବସିଥାନ୍ତି। କେହି କିଛି ହେଲେ କହୁ ନଥାନ୍ତି। ଘଣ୍ଟେ ଭିତରେ ଜଙ୍ଗଲ ପାର ହୋଇ ଗଲା। ନବକିଶୋର ବାବୁ ଗାଡ଼ିରୁ ଓହ୍ଲେଇ ଫରେଷ୍ଟ ଅଫିସରଙ୍କୁ ହାତ ଯୋଡ଼ି କୁହନ୍ତି “ଆପଣଙ୍କୁ କଣ କହି ଧନ୍ୟବାଦ କରିବି କିଛି ଜାଣି ପାରୁନି। ଆପଣ ଯଦି ଆଜି ସେଇ ଯାଗାରେ ନଥାନ୍ତେ, କେଜାଣି କଣ ଯେ ହେଇ ଥାନ୍ତା ଆମର ? ପୁଣି ଛାଡ଼ିବା ପାଇଁ ମଧ୍ୟ ଏତେ ବାଟ ଆସିଲେ ଆପଣ। ହୃଦୟରୁ ଅପାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଆଜ୍ଞା। ଏବେ ଆସୁଛି।” 

“ହଁ ହଁ ଆପଣ ଯାଆନ୍ତୁ। ଲୋକଙ୍କ ସେବା କରିବା ହେଉଛି କାମ। ଏଥିରେ ଧନ୍ୟବାଦ କରିବା କଣ ଦରକାର।” କୁହନ୍ତୁ ଫରେଷ୍ଟ ଅଫିସର। 

ନବକିଶୋର ବାବୁ ଆସି ଗାଡ଼ିରେ ବସି ଗୋଟିଏ ବହୁତ୍ ବଡ଼ ନିଃଶ୍ୱାସ ମାରନ୍ତି। ନବକିଶୋର ବାବୁଙ୍କ ବାପା କୁହନ୍ତି “ଶୀତରାତି କେହି କୁଆଡ଼େ ନଥିଲେ। ହଠାତ୍ ଫରେଷ୍ଟ ବାଲାଙ୍କ ଗାଡ଼ି ଆସି ଆମ ଗାଡ଼ି ଆଗରେ ଛିଡ଼ା ହେବା ଆଦୌ କୌଣସି ସଂଯୋଗ ନୁହଁ। ଏହା ହେଉଛି ସେଇ ଜଗତର ନାଥ ଜଗନ୍ନାଥଙ୍କ ଚମତ୍କାର। ନହେଲେ ଏମିତି ଶୀତ ରାତିରେ କିଏ କଣ ପାଇଁ ବାହାରେ ବୁଲୁଥାନ୍ତା।” “ହଁ ବାପା ଠିକ୍ କହିଲା ଏଇଟା ଜଗନ୍ନାଥଙ୍କ ଚମତ୍କାର ଛଡ଼ା ଆଉ କିଛି ନୁହେଁ।” କୁହନ୍ତି ନବକିଶୋର ବାବୁ। ତାପରେ ଆଉ ଅଳ୍ପ ସମୟର ଯାତ୍ରା ପରେ ଭଲରେ ଭଲରେ ଆସି ସମସ୍ତେ ଘରେ ପହଞ୍ଚି ଗଲେ।


Rate this content
Log in

Similar oriya story from Abstract