ଶାହାଜାଦ
ଶାହାଜାଦ
“ଆରେ ବାବୁ ତୁମେ କାହିଁ ଏଇ କାମ କରୁଛ ? ତୁମକୁ କଣ ଏଇ କାମ କରିବାକୁ ଭଲ ଲାଗୁଛି ?” ଦିନେ ଅଶ୍ଵିନୀ ପଚାରନ୍ତି ଶାହାଜାଦ ବୋଲି ଗୋଟିଏ ଛୋଟ ପିଲାକୁ। ଯାହାକୁ ସେ ନୀତି ସକାଳେ ଚାଲିବାକୁ ଗଲା ବେଳେ ଦେଖନ୍ତି ଅନ୍ୟ କିଛି ଛୋଟ ପିଲାଙ୍କ ସାଙ୍ଗରେ ମିଶି କାନ୍ଧରେ ଗୋଟିଏ ବସ୍ତା ପକେଇ ତାଙ୍କ ଘର ପାଖରେ ଥିବା ଅଳିଆ ଗଦା ଭିତରୁ ବହୁତ୍ ଆଶାର ସହିତ ସୁନା ରୂପା ଖୋଜିବାର। ଶାହାଜାଦର ଘର ହେଉଛି ବାର୍ଗୁନା, ବାଂଲାଦେଶ। ଯେଉଁଠୁ ସେ ବହୁତ୍ ଛୋଟ ବେଳୁ ତା' ପରିବାର ସହିତ ଚାଲି ଆସିଛି। ଯାହା କି ଏବେ ତା'ର ଆଦୌ ମନ ନାହିଁ। କାରଣ ବାର୍ଗୁନା ହେଉଛି ଗୋଟିଏ ବନ୍ୟା ଓ ବାତ୍ୟା ପ୍ରବଣ ଅଞ୍ଚଳ। ଅନେକ ସମୟରେ ସେଠାରେ ରେ ଝଡ଼ ବାତ୍ୟା ଚାଷ ଜମି ଓ ଘର ଦ୍ବାର ନିଜ ସାଙ୍ଗରେ ଧୋଇ ନେଇ ବହୁତ୍ କ୍ଷୟ କ୍ଷତି କରିଥାଏ। ଆଉ ବାର୍ଗୁନା ଅଞ୍ଚଳର ଜନ ଜୀବନକୁ ବହୁତ୍ ଖରାପ ଭାବେ ପ୍ରଭାବିତ କରିଥାଏ। ସେଥି ପାଇଁ ସେଠିକାର ଲୋକମାନେ ନିଜ ଘର ଦ୍ଵାର ଛାଡ଼ି ନିଜ ପରିବାର ସମେତ ଅନ୍ୟ ଜାଗାକୁ ଚାଲି ଆସନ୍ତି ଭଲ ଓ ସୁନ୍ଦର ଜୀବନ ବଞ୍ଚିବା ଆଶାରେ।
“ମୋ ପାଖରେ ଆଉ କିଛି କରିବାକୁ ନାହିଁ।” ବହୁତ୍ ଧୀର କଣ୍ଠରେ ଅଶ୍ଵିନୀଙ୍କ ପ୍ରଶ୍ନର ଉତ୍ତର ଦେଲା ଶାହାଜାଦ।
“ସ୍କୁଲ୍ ଯାଇ ପାଠ ପଢ଼।” ଖୁବ୍ ସରଳତାର ସହିତ କହିଲେ ଅଶ୍ଵିନୀ। ଆଉ କହିବାର କିଛି କ୍ଷଣ ପରେ ମନେ ମନେ ଭାବିଲେ “ଦେଇ ଥିବା ଉପଦେଶଟି ସତରେ ନିହାତି ମୂଲ୍ୟ ହୀନ।”
“ମୋ ଘର ପାଖାପାଖି କୌଣସି ସ୍କୁଲ୍ ନାହିଁ। ଯେବେ ଖୋଲା ହେବ ମୁଁ ନିଶ୍ଚୟ ଯିବି।” ତଳକୁ ମୁହଁ ପୋତି ଉତ୍ତର ଦେଲା ଶାହାଜାଦ।
“ଆଚ୍ଛା ମୁଁ ଯଦି ଗୋଟେ ସ୍କୁଲ୍ ଖୋଲେ, ତେବେ କଣ ତୁମେ ସେଇଠିକି ଆସିବ ?” ଏମିତି ଥଟ୍ଟାରେ ପଚାରିଲେ ଅଶ୍ଵିନୀ।
“ହଁ, ମୁଁ ନିଶ୍ଚୟ ଆସିବି।” ଗୋଟିଏ ବହୁତ୍ ବଡ଼ ହସର ସହିତ ଉତ୍ତର ଦେଲା ଶାହାଜାଦ।
ଏମିତି କିଛି ଦିନ ବିତି ଗଲା ପରେ। ହଠାତ୍ ଗୋଟିଏ ଦିନ ଅଶ୍ଵିନୀଙ୍କ ପାଖକୁ ଧାଇଁ ଆସି ଶାହାଜାଦ ପଚାରିଲା “ ଆପଣଙ୍କ ସ୍କୁଲ୍ ତିଆରି ହେଇ ଗଲା ?”
“ସ୍କୁଲ୍ ତିଆରି ହେବକୁ ବହୁତ୍ ଦିନ ଲାଗେ ବାବା।” ବହୁତ୍ ଲଜ୍ଜିତ ଅନୁଭବ କରି ଉତ୍ତର ଦେଲେ ଅଶ୍ଵିନୀ। ଭାବିଲେ ତାଙ୍କ ଭଳି ନୀତି ଏମିତି ଅନେକ ଲୋକ ଆସି ଏଇ ଛୋଟ ପିଲାଙ୍କୁ ନାନାଦି ମିଛ ପ୍ରତିଶ୍ରୁତି ଦେଇ ଯାଉ ଥିବେ। ଯାହା ତାଙ୍କ ଭାଗ୍ୟ ହୀନ ଅନ୍ଧାର ଜୀବନରେ ବାସ୍ କିଛି ମୁହୂର୍ତ୍ତ ପାଇଁ ଏକା ଗୋଟିଏ ଆଶାର ଦୀପ ଶିଖା ହୋଇ ଜଳି ଉଠୁଥିବ। ଆଉ ଅଳ୍ପ କିଛି ଦିନ ଭିତରେ ଆଶାର ତେଲ ସରି ଯିବା ମାତ୍ରେ ଲିଭି ଯାଉଥିବ।
ଅଳ୍ପ କଛି ମାସ ଭିତରେ ବହୁତ୍ ଭଲ ଭାବେ ଅଶ୍ଵିନୀ ଚିହ୍ନି ଯାଇ ଥିଲେ ଶାହାଜାଦକୁ ଓ ତା' ନଗ୍ନ ପାଦ ସେନାକୁ। ଯିଏ ସକାଳୁ ଚଢ଼େଇ ଦାନା ଖୋଜିଲା ଭଳି ବାହାରି ପଡ଼ନ୍ତି ଅଳିଆ ଗଦାରୁ ସୁନା ଖୋଜିବା ପାଇଁ। ଆଉ କୁଆଡ଼େ ହଜି ଯାଆନ୍ତି ଦ୍ୱିପ୍ରହର ହେଲା ବେଳକୁ। ଅନେକ ସମୟରେ ସକାଳେ ଚାଲିବାକୁ ଗଲା ବେଳେ ଅଶ୍ଵିନୀ ସେମାନଙ୍କୁ ପାଉଁରୁଟି ଓ ବିସ୍କୁଟ ଖାଇବାକୁ ଦିଅନ୍ତି। ଆଉ ବେଳେ ବେଳେ ଦଶ କୋଡ଼ିଏ ଟଙ୍କା ମଧ୍ୟ ସମସ୍ତଙ୍କ ହାତରେ ଗୁଞ୍ଜି ଦିଅନ୍ତି।
“ତୁମେ ଚପଲ କାହିଁ ପିନ୍ଧୁ ନାହଁ ? ଗୋଡ଼ ରେ ଯଦି କଣ୍ଟା କି କାଚ ଗଳି ଯିବ ?” ଏମିତି ଦିନେ ସେମାନଙ୍କ ଭିତରୁ ଗୋଟିଏ ପିଲାକୁ ପଚାରନ୍ତି ଅଶ୍ଵିନୀ।
“ଆଜି ମାଆ ତାଜା ଉପରୁ ମୋ ଚପଲ କାଢ଼ି ନଥିଲେ। ସେଥି ପାଇଁ ଖାଲି ପାଦରେ ଚାଲି ଆସିଛି।” ଉତ୍ତର ଦିଏ ସେଇ ପିଲାଟି।
“କାଢ଼ି ଥିଲେ ମଧ୍ୟ ଇଏ ସେଇ ଚପଲକୁ ପିନ୍ଧି ନଥାନ୍ତା” ମେଳରେ ଥିବା ଆଉ ଗୋଟିଏ ପିଲା ନିଜ ବାକ୍ୟ ରଖିଲା। ଯିଏ ଦୁଇ ଗୋଡ଼ରେ ଦୁଇଟି ଅଲଗା ଅଲଗା ଚପଲ ପିନ୍ଧି ଥାଏ।
“ତୁମେ ଏମିତି କଣ ଦୁଇ ଗୋଡ଼ରେ ଦୁଇଟା ଅଲଗା ଅଲଗା ଚପଲ ପିନ୍ଧିଛ ?” ଅଶ୍ୱିନୀ ପଚାରିବାରୁ ସେଇ ପିଲାଟି ଲାଜେଇ ଯାଇ ଗୋଟିଏ ଗୋଡ଼ ପଛରେ ଆଉ ଗୋଟିଏ ଗୋଡ଼ ଲୁଚାଇବାକୁ ଚେଷ୍ଟା କଲା। ଯିଏ କି ନିଜ ଜୀବନରେ କେବେ ହେଲେ ନୂଆ ଚପଲ ହଳେ ଦେଖି ନାହିଁ। ଖାଲି ସିଏ ବୋଲି ନୁହେଁ ଦୁନିଆରେ ଏମିତି ଆହୁରି ଅନେକ ପିଲା ମିଳିବେ ଯିଏ ଖାଲି ପାଦରେ ନିଜ ଜୀବନ କାଟନ୍ତି। ସେମାନଙ୍କୁ ପଚାରିଲେ କିଛି ଜଣ ଟିକେ ହସି ଦେଇ ଆଡ଼େଇ ହୋଇ ରହି ଯାଆନ୍ତି ଆଉ କିଛି ଜଣ କହିବେ “ଚପଲ ପିନ୍ଧିବା ଆମକୁ ପସନ୍ଦ ନୁହେଁ।” ଯାହା ତାଙ୍କ ଦାରିଦ୍ର୍ୟକୁ ବେଶ୍ ଭଲ ଭାବେ ସ୍ପଷ୍ଟ କରେ।
ଅଶ୍ୱିନୀଙ୍କ ଏଇ ଅଳିଆ ସଂଗ୍ରହକାରିଙ୍କ ସହ ସମ୍ପର୍କ ଦିନେ ତାଙ୍କୁ ଟାଣି ନେଇଗଲା ଦିଲ୍ଲୀର ପାରିପାର୍ଶ୍ୱରେ ଅବସ୍ଥିତ ସିମାପୁରୀ ଅଞ୍ଚଳକୁ। ଯେଉଁଠାରେ ରହୁଥିଲେ ମାଟି କାଦୁଅର କାନ୍ଥ ସାଙ୍ଗକୁ ଟିଣ ଓ ଜରି ପାଲର ଛାତ ତଳେ, ସମସ୍ତ ପ୍ରକାରର ସରକାରୀ ସୁବିଧାରୁ ବଞ୍ଚିତ ପ୍ରାୟ ଦଶ ହଜାର ଅଳିଆ ସଂଗ୍ରହକାରି। ଯେଉଁ ମାନେ ଗୋଟିଏ ଭଲ ଓ ସୁନ୍ଦର ଜୀବନ ବଞ୍ଚିବାର ଆଶା ନେଇ ଚାଲି ଆସିଥାନ୍ତି ଏମିତି ସବୁ ବଡ଼ ସହର ମାନକୁ। ଆଉ ସେମାନଙ୍କ ମଧ୍ୟରୁ ଶାହାଜାଦର ପରିବାର ଥିଲା ଅନ୍ୟତମ। ବିନା କୌଣସି ପରିଚୟ ଓ ସରକାରୀ ଅନୁମତିରେ ପାଖାପାଖି ୩୦-୩୫ ବର୍ଷ ହେଲା ସେମାନେ ରହି ଆସୁଥିଲେ ସେଠାରେ। ବାସ୍ ସମସ୍ତଙ୍କ ପାଖରେ ଗୋଟିଏ ଲାଖେ ରାସନ୍ କାର୍ଡ ଥାଏ। ଯାହା ଫଳରେ ସେମାନଙ୍କର ନାଆ ଭୋଟର ତାଲିକାରେ ଥାଏ। ଆଉ ତାଙ୍କୁ ମାଗଣା ଗହମ, ଚାଉଳ, କିରୋସିନ ଆଦି ଜିନିଷ ମିଳି ପାରୁଥିଲା। ଆଉ ଏଇଟା ସତ ଯେ ବଞ୍ଚିବା ପାଇଁ ପରିଚୟ ଠାରୁ ଖାଦ୍ୟ ବହୁତ୍ ଅଧିକ ଜରୁରୀ। କଣ ପାଇଁ ନିଜ ଘରଦ୍ବାର ଜମିବାଡ଼ି ଛାଡ଼ି ଏଇଠି ଆସି ପଡ଼ି ରହିଛ ବୋଲି ଅଶ୍ଵିନୀ ସେଇଠି ଛିଣ୍ଡା ଓ ରଙ୍ଗ ଛଡ଼ା ଲୁଗା ପିନ୍ଧି ଉପସ୍ଥିତ ଥିବା କିଛି ମହିଳାଙ୍କୁ ପଚାରିବାରୁ ଉତ୍ତର ମିଳିଲା “ଦିନର ଶେଷରେ ଯଦି ଆମେ ଆମ ପରିବାରର ପେଟ ପୋଷି ପାରୁଛୁ, ଆଉ ଆମକୁ ରାତିରେ ଭୋକରେ ଶୋଇବାକୁ ପଡୁ ନାହିଁ। ତେବେ ଆମେ ବିନା କୌଣସି ଦ୍ବିଧାରେ ଏଇଠି ରହିବାକୁ ପସନ୍ଦ କରିବୁ।” ଯେଉଁଠାରେ ବି ସେ ନିଜ ପରିବାରର ପେଟ ପୋଷିବାକୁ ମୁଠାଏ ଦାନା ପାଆନ୍ତି। ସେଠାର ସେମାନେ ନିଜ ବସ୍ତି ସ୍ଥାପନ କରନ୍ତି। ସେଠାରେ ଏକା ଛୁଆ ଜନ୍ମ ହୁଅନ୍ତି ଆଉ ବଡ଼ ମଧ୍ଯ ହୁଅନ୍ତି। ସିମାପୁରୀ ରେ ବଞ୍ଚିବାର ଗୋଟିଏ ଏକା ରାହା ଅଛି। ତାହା ହଉଛି ଅଳିଆ ସଂଗ୍ରହ କରିବା। ସିମାପୁରୀରେ ରହୁ ଥିବା ଲୋକଙ୍କ ପାଇଁ ଅଳିଆ ସଂଗ୍ରହ କରିବା କୌଣସି କଳା ଠାରୁ କମ୍ ନୁହେଁ। ଅଳିଆ ତାଙ୍କ ପାଇଁ ସୁନା ଅଟେ। ଅଳିଆ ତାଙ୍କ ପେଟର ଦାନା ତ ପୁଣି ମୁଣ୍ଡ ଉପରର ଛାତ।
“ଜାଣିଛନ୍ତି ମୁଁ ଥରେ ଥରେ ଅଳିଆ ଗଦାରୁ ଟଙ୍କେ କି ଦିଟଙ୍କା ପାଏ। ଆଉ କେବେ କେବେ ଦଶ କୋଡ଼ିଏ ଟଙ୍କିଆ ନୋଟ୍ ମଧ୍ୟ ପାଏ।” ବହୁତ୍ ଖୁସି ହୋଇ ଅଶ୍ୱିନୀଙ୍କୁ କହିଲା ଶାହାଜାଦ। ଆଉ ଯେତେ ବେଳେ ଅଳିଆ ଗଦାରେ ଛୋଟ ପିଲାଙ୍କୁ ଟଙ୍କେ ଦିଟଙ୍କା ଅବା ଦଶ କୋଡ଼ିଏ ଟଙ୍କା ମିଳେ। ସେମାନଙ୍କ ମନରେ ଅହୁରୀ ଅଧିକ ପାଇବାର ଲାଳସା ତାଙ୍କୁ ବାଧ୍ୟ କରେଇ ଦିଏ ଅଳିଆ ଗଦାକୁ ଆହୁରି ଭଲସେ ଖୋଜିବାକୁ। ଅଳିଆ ସଂଗ୍ରହ କରିବାର ଅର୍ଥ ପିଲା ଓ ବଡ଼ଙ୍କ ପାଇଁ ସଂପୂର୍ଣ୍ଣ ରୂପେ ଭିନ୍ନ। ପିଲାଙ୍କ ପାଇଁ ଅଳିଆ ଗଦା ହଉଛି ଗୋଟିଏ ଲଟେରୀ ଆଉ ବଡ଼ଙ୍କ ପାଇଁ ଜୀବନଧାରଣର ମାଧ୍ୟମ।
ଦିନକର କଥା ସେଇ ଦିନ ଅଶ୍ଵିନୀ ସେମିତି ସକାଳେ ଚାଲିବାକୁ ଗଲା ବେଳେ ବାଟରେ ଶାହାଜାଦକୁ ଦେଖିଲେ। ହେଲେ ସବୁ ଦିନ ଭଳି ସେଇ ଦିନ କାହିଁ ତା କାନ୍ଧରେ ବସ୍ତା ଓ ତା' ମୁହଁର ହସ କୁଆଡ଼େ ଉଭେଇ ଯାଇ ଥିଲା। ହେଲେ ସେଇଦିନ ତା' ହାତରେ ଥାଏ ଗୋଟିଏ ଚାଆ କେଟଲି ଆଉ କାନ୍ଧରେ ଖଣ୍ଡେ ଗାମୁଛା। “ମୁଁ ଏବେ କିଛି ଦିନ ହେଲା ସେଇ ଚାଆ ଦୋକାନରେ କାମ କରିବା ଆରମ୍ଭ କରିଛି। ମାଲିକ ତିନି ଓଳିର ଖାଇବା ଓ ମାସକୁ ୧୫୦୦ ଟଙ୍କା ଦରମା ଦଉଛି।” ଅଳ୍ପ ଦୂରରେ ଥିବା ଗୋଟିଏ ଚାଆ ଦୋକାନକୁ ଦେଖେଇ ଅଶ୍ଵିନୀଙ୍କୁ କହିଲା ଶାହାଜାଦ।
“ତୁମକୁ ଏଇ କାମ ଭଲ ଲାଗୁଛି ?” ପଚାରିଲେ ଅଶ୍ୱିନୀ।
କିଛି ନ କହି ତଳକୁ ମୁହଁ ପୋତି ଚୁପଚାପ୍ ଛିଡ଼ା ହୋଇ ରହିଲା ଶାହାଜାଦ। ସେଦିନ କାହିଁ ତା ମୁହଁରୁ ଦୁଶ୍ଚିନ୍ତା ମୁକ୍ତ ଚାହାଣି କୁଆଡ଼େ ହଜି ଯାଇ ଥିଲା। ମନେ ହଉଥିଲା ଯେମିତି କାନ୍ଧରେ ପକାଉଥିବା ବସ୍ତା ଠାରୁ ଚାଆ କେଟଲିର ଭାର ବେଶୀ ଅନୁଭବ ହଉଥିଲା ତାକୁ। ପରିସ୍ଥିତି ଓ ଦାୟିତ୍ଵର ବୋଝ ତାକୁ ନିଜ ପିଲାଦିନକୁ ମନଖୋଲି ଉପଭୋଗ କରିବାରୁ ବିରହିତ କରି ଦେଇଥିଲା। ଆଉ ଦୁନିଆରେ ଏମିତି ଅନେକ ଶାହାଜାଦ ଅଛନ୍ତି। ଯିଏ ପିଲାଦିନ କଣ ଜାଣନ୍ତି ନାହିଁ। ଯଦି କିଛି ଜାଣନ୍ତି ତେବେ ସେଇଟା ହଉଛି ନିଜର ଆଉ ନିଜ ପରିବାରର ପେଟ ପୋଷିବାର ସହଜ ଉପାୟ।
