ଅପାଠୁଆ ପୁଅ
ଅପାଠୁଆ ପୁଅ
“ହଇରେ ମୂର୍ଖ ବେଲଜିଆ ମୋ ଅନ୍ନ ଧ୍ଵଂସ କରିବା ଛାଡ଼ି ଦେଲେ ଆଉ ଅନ୍ୟ କୌଣସି କାମ ଆସୁଛି ତୋତେ? କେଜାଣି କୋଉ ଜନ୍ମରେ କୋଉ ପାପ କରିଥିଲି ଯେ ଏଇଟା ପରି ଗୋଟିଏ କୁଳାଙ୍ଗାର ପୁଅଟିଏ ପାଇଛି। ଛୋଟ ବେଳେ ଯେବେ ପାଣି କୁଣ୍ଡରେ ପଡ଼ି ଯାଇଥିଲୁ, ମରି ଯାଇଥାନ୍ତୁ ହେଲେ, ତୋ ପାଇଁ ଆଜି ମୋତେ ଏତେ କଥା ଶୁଣିବାକୁ ପଡ଼ନ୍ତାନି।” ରାଗ ଉତ୍ତପ୍ତ ହୋଇ ସାନ ପୁଅ କାଳୁକୁ ଗାଳି କରୁଥାନ୍ତି ନିରଞ୍ଜନ ବାବୁ।
ହେଲେ ଏତେ କଟୁ କଥା। ହଁ କହିବେନି ବା କଣ ପାଇଁ, କାଳୁ ସବୁ ବର୍ଷ ଭଳି ସେଇ ବର୍ଷ ମଧ୍ୟ ପରୀକ୍ଷାରେ ବିଫଳ ହେଇଥିଲା। ପୁଣି ଶିକ୍ଷକ ମଧ୍ୟ ନିରଞ୍ଜନ ବାବୁଙ୍କୁ ବିଦ୍ୟାଳୟକୁ ଡାକି ସମସ୍ତଙ୍କ ଆଗରେ କାଳୁର ପାଠ ପଢ଼ାକୁ ନେଇ ବାର କଥା ସୁଣେଇ ଥିଲେ। ଆଉ ନିରଞ୍ଜନ ବାବୁ ହେଲେ ଭାରି ପ୍ରତିଷ୍ଠା ପରାୟଣ ବ୍ୟକ୍ତି। ସିଏ ସର୍ବଦା ନିଜ ଖ୍ୟାତି, ସମ୍ମାନ ଓ ପ୍ରତିଷ୍ଠାକୁ ପ୍ରାଧାନ୍ୟ ଦେବା ଲୋକ। ଗାଁରେ ତାଙ୍କର ଭାରି ନାଁ। ପ୍ରତିଟି ଲୋକ ତାଙ୍କୁ ଖୁବ୍ ସମ୍ମାନ ଦିଅନ୍ତି। ଆଉ ଯେତେ ବେଳେ କାଳୁ ପାଇଁ ତାଙ୍କ ମାନ ସମ୍ମାନ ହାନି ହୋଇ ଥିଲା। ସେ କେମିତି ସେଇ କଥା ସହି ପାରିଥାନ୍ତେ! ସେଥି ପାଇଁ ଅନେକ ସମୟରେ କାଳୁକୁ ନାନା କଥା କହି ଗାଳି କରିବା ସଙ୍ଗେ ସଙ୍ଗେ ବହୁତ୍ ମାଡ଼ ମଧ୍ୟ ମାରନ୍ତି। କିନ୍ତୁ କାଳୁ ସବୁ ଥର ଭଳି ସେଇ ଥର ମଧ୍ୟ ଗୋଟିଏ ଜାଗାରେ ମୁଣ୍ଡ ନୁଆଇଁ ଚୁପ୍ ହୋଇ ଛିଡ଼ା ହୋଇ ବାପାଙ୍କ ସବୁ ଗାଳି ଶୁଣୁ ଥାଏ। କାରଣ ତାକୁ ତା ମାଆ ପରା ଶିଖେଇଚି, ଯେ “ବଡ଼ ବା ଗୁରୁଜନ କହିଲା ବେଳେ କେବେ ପାଟି ଖୋଲିବୁ ନାହିଁ। ବଡ଼ ଲୋକ ଯାହା କହିବେ ଭଲ ଲାଗୁ କି ନ ଲାଗୁ ସବୁ ଚୁପଚାପ୍ ଶୁଣି ନବୁ। କିନ୍ତୁ କେବେ ଜବାବ ଦବୁ ନାହିଁ କି ଯୁକ୍ତି କରିବୁ ନାହିଁ।” ଆଉ ଇଏ ତ ପୁଣି ବାପା। ସେ କେମିତି ତା ପାଟି ଖୋଲି ଥାନ୍ତା?
ନିରଞ୍ଜନ ବାବୁଙ୍କ ପରିବାର ବୋଇଲେ ସ୍ତ୍ରୀ ଉର୍ମିଳା, ବଡ଼ ପୁଅ ରାଜା ଓ ସାନ ପୁଅ କାଳୁକୁ ନେଇ ଚାରି ପ୍ରାଣୀଙ୍କ ସଂସାର। ତେଲ ଲୁଣର ସଂସାର ବେଶ୍ ଭଲରେ ଚାଲି ଥାଏ। ବଡ଼ ପୁଅ ରାଜା ପାଠ ପଢ଼ାରେ ଅତ୍ୟନ୍ତ ଉତ୍କୃଷ୍ଟ। ସବୁ ବେଳେ ଶ୍ରେଣୀରେ ପ୍ରଥମ ହୁଏ। ଦଶମ ଶ୍ରେଣୀରେ ମଧ୍ୟ ସର୍ବାଧିକ ଅଙ୍କ ରଖି ପୁରା ଗାଁରେ ପ୍ରଥମ ହୋଇ ଥିଲା। ସେଥି ପାଇଁ ନିରଞ୍ଜନ ବାବୁ ବଡ଼ ପୁଅ ରାଜାର ବୈଜ୍ଞାନକି ହେବାର ସ୍ବପ୍ନ ସାକାର କରିବା ପାଇଁ କୌଣସି ଦିଗରେ ଟିକେ ହେଲେ ଅବହେଳା କରୁ ନଥିଲେ। ରାଜା ଯେତେ ବେଳେ ଯାହା କହିଲା ନିରଞ୍ଜନ ବାବୁ ସବୁ ଆଣି ତା ହାତରେ ଧରେଇ ଦିଅନ୍ତି। ଆଉ ଖାଲି ପାଠ ପଢ଼ା ବୋଲି ନୁହେଁ, ସାଠ ରେ ମଧ୍ୟ ଭାରି ଭଲ ଥିଲା ରାଜା। ବିଭିନ୍ନ ବକୃତା ପ୍ରତିଯୋଗୀତାରେ ବିଜୟୀ ହୋଇ ଅନେକ ପୁରସ୍କାର ମଧ୍ୟ ପାଏ ସିଏ। ସେଥି ପାଇଁ ରାଜା ବାପାଙ୍କ ଭାରି ପ୍ରିୟ। ମାଆ ବାପାଙ୍କ ଛଡ଼ା ଶିକ୍ଷକ ଶିକ୍ଷୟତ୍ରୀ ଗାଁ ଲୋକ ସମସ୍ତେ ତା ଉପରେ ଭାରି ଖୁସି।
ହେଲେ ଅନ୍ୟ ପଟେ କାଳୁ ନା ପାଠରେ ଭଲ ନା ସାଠରେ ଭଲ। ପାଠ ସାଠ ସବୁ ଥିରେ ସିଏ ସୂନ୍। ପାଠ କଥା କହିଲା ମାତ୍ରେ ତାକୁ ଯେମିତି ଜ୍ଵର ମାଡ଼ି ଆସେ। ସେଥି ପାଇଁ ତିନି ବର୍ଷ ହେଲା ଗୋଟିଏ ଶ୍ରେଣୀରେ ଏକା ପଢ଼ୁ ଥାଏ। ବାପାଙ୍କ ଠାରୁ ନୀତି ଯାହା ମାଡ଼ ଗାଳି ଖାଏ। ପୁଣି ତା ସାଙ୍ଗକୁ ବିଦ୍ୟାଳୟ ରେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ମାଡ଼ ଗାଳି ମଧ୍ୟ ଖାଏ। ଆତ୍ମ ସମ୍ମାନ ବା ଇଜ୍ଜତ ବୋଲି ତାର କିଛି ନଥାଏ। ଏମିତି କି ଗାଁର ତାଠାରୁ ସାତ ସାନ ପିଲା ମଧ୍ୟ ତାକୁ ଗଧ, ମୂର୍ଖ, କୂପମଣ୍ଡୁକ ଆଦି ନାମରେ ଡାକି ବହୁତ୍ ଥଟା ପରିହାସ କରନ୍ତି। ହେଲେ କାଳୁ କେବେ ହେଲେ ଏତେ କଥା ଶୁଣିଲା ପରେ ମଧ୍ୟ ରାଗି ଯାଇ କୌଣସି ପ୍ରତିକ୍ରିୟା ରଖେ ନାହିଁ। ବାସ୍ ଟିକେ ହସି ଦେଇ ସେଠାରୁ ଚାଲି ଆସେ। କହିବାକୁ ଗଲେ ସେ ସମସ୍ତଙ୍କ ପାଇଁ ଅପ୍ରିୟ ଓ ଅଲୋଡ଼ା। କେବଳ ତା ମାଆକୁ ଛଡ଼ିକି। ତାର ଯଦି ଇଜ୍ଜତ ବୋଲି କୌଣସି ଜିନିଷ ଥିଲା। ସେଇଟା ତା ମାଆର ପଣତ ତଳେ ଏକା। କାରଣ ଗୋଟିଏ ମାଆ ପାଇଁ ତା ପିଲା ସବୁଠାରୁ ଶ୍ରେଷ୍ଠ। ତେଣିକି ସେ ପିଲା ଭଲ ହଉ ବା ଖରାପ। ସେମିତିରେ ବି କଥାରେ ନାହିଁ “ମାଆ ସେଇ ପିଲାକୁ ବେଶୀ ଭଲ ପାଏ, ବେଶୀ ଯତ୍ନ ନିଏ। ଯିଏ ଦୁଷ୍ଟ, ଚଗଲା ଓ ଅମାନିଆ।” କାରଣ ସେ ବେଶ୍ ଜାଣେ ତା ଛଡ଼ା ତା ପିଲାକୁ ଆଉ କେହି ସେତିକି ସ୍ନେହ ଆଦର କରିବେ ନାହିଁ।
ଏହା ସତ ଯେ ପାଠ ସାଠରେ କାଳୁ ଥିଲା କାଳିଦାସ। ହେଲେ ଏହା ମଧ୍ୟ ସତ ଯେ ସମାଜରେ ଗୋଟିଏ ଭଲ ମଣିଷ ହେବାର ସମସ୍ତ ଗୁଣ ଭରି ହୋଇ ରହି ଥିଲା କାଳୁ ଭିତରେ। ବହିରେ ପଢ଼ା ହଉଥିବା ଗଣିତ, ଇଂରାଜୀ, ଇତିହାସ, ଭୂଗୋଳ, ବିଜ୍ଞାନ ଆଦି ଜିନିଷ ସିନା ତା ମୁଣ୍ତ ଉପରୁ ପଳେଇ ଯାଏ। କିନ୍ତୁ ତାକୁ ତା ମାଆ ଉର୍ମିଳା ଦେଉଥିବା ନୀତି ଶିକ୍ଷା ତଥା ଗୋଟିଏ ଭଲ ମଣିଷ ଟିଏ ହେବାର ଶିକ୍ଷା ତା ମୁଣ୍ତରେ ଠିକ୍ ପଶୁଥିଲା ଓ ଚିରଦିନ ପାଇଁ ମନେ ମଧ୍ୟ ରହୁଥିଲା। କାଳୁ ଭବିଷ୍ୟତରେ ବଡ଼ ଚାକିରି ଟିଏ କରି ବଡ଼ ମଣିଷ ଟିଏ ହୋଇ ପାରିବ କି ନାହିଁ? ତା ମାଆଙ୍କୁ ତାହା ଜଣା ନଥିଲା। ହେଲେ କାଳୁ ଯେ ଭବିଷ୍ୟତରେ ବଡ଼ ହୋଇ ଗୋଟିଏ ବହୁତ୍ ଭଲ ମଣିଷଟିଏ ନିଶ୍ଚିତ ଭାବରେ ହେବ। ସେଇଟା ତା ମାଆଙ୍କ ସଂପୂର୍ଣ୍ଣ ବିଶ୍ୱାସ ଥିଲା। ସେଥି ପାଇଁ ଅନେକ ସମୟରେ ନିରଞ୍ଜନ ବାବୁ କାଳୁକୁ ଅନେକ ଅପଶବ୍ଦ କହି ଗାଳି କଲା ବେଳେ ବା ବାଡ଼େଇବା ବେଳେ, ଯେବେ କାଳୁ ଆଖିରୁ ଲୁହର ନଈ ବୋହି ଯାଏ। ଉର୍ମିଳା ସହି ନ ପାରି କାଳୁକୁ ନିଜ ପାଖକୁ ଭିଡ଼ି ଆଣି, ନିଜ ବୁକୁରେ ଜାବୁଡ଼ି ଧରି ବହୁତ୍ ଅଶ୍ରୁ ଝରାନ୍ତି ଓ ଆକଟ କରି କୁହନ୍ତି କାହିଁ ଏମିତି ନିର୍ଦ୍ଦୟ ହୋଇ ପିଲାଟିକୁ ମାରୁଚ ଓ ଏତେ କଥା କହୁଛ? ସିଏ ଏବେ ପିଲା ଅଛି। ଯେବେ ବଡ଼ ହେବ ଦେଖିବ ସିଏ ବଡ଼ ମଣିଷ ଟିଏ ହେଉ କି ନହେଉ, ଭଲ ମଣିଷ ଟିଏ ନିଶ୍ଚିତ ହେବ। ହେଲେ ନିରଞ୍ଜନ ବାବୁ ସବୁ ବେଳେ ପତ୍ନୀ ଉର୍ମିଳାଙ୍କ କଥାକୁ ଏଇଆ କହି ପ୍ରତ୍ୟାଖ୍ୟାନ କରି ଦିଅନ୍ତି ଯେ “ଏଇଟା ଯଦି ମଣିଷ ହେବ, ତେବେ ମଣିଷ ଗୁଡ଼ାକ ସବୁ ମଶାଣିକୁ ଯିବେ ହେରି।”
ନିରଞ୍ଜନ ବାବୁ ବଡ଼ ପୁଅ ରାଜାକୁ ଯେତିକି ପସନ୍ଦ କରୁଥିଲେ ଓ ଭଲ ପାଉଥିଲେ। ସେତିକି ସାନ ପୁଅ କାଳୁକୁ ଆଦୌ କରୁ ନଥିଲେ। ରାଜାକୁ ନିରଞ୍ଜନ ବାବୁ ଖୁବ୍ ସ୍ନେହରେ ଡାକନ୍ତି। ହେଲେ କାଳୁକୁ ସବୁ ବେଳେ ମୂର୍ଖ, ଆଲାଜୁକିଆ, ନିର୍ବୁଧିଆ ଆଦି ନାମ ଧରି ଡାକନ୍ତି। ନୀତି ଖାଇଲା ବେଳେ ରାଜାକୁ ପାଖରେ ଧରି ବସି ଖାଆନ୍ତି। ଆଉ ଥରେ ଥରେ ନିଜ ହାତରେ ଖୁଆଇ ମଧ୍ୟ ଦିଅନ୍ତି। ହେଲେ କାଳୁକୁ ନିଜ ହତାରେ ଖୁଆଇବା ତ ଦୂର କଥା ପାଖରେ ଧରି ମଧ୍ୟ ଟିକେ ବସନ୍ତି ନାହିଁ। ପୂଜା ପର୍ବାଣୀରେ ରାଜା ପାଇଁ ସବୁ ବେଳେ ନୂଆ ପୋଷାକ ଆଣନ୍ତି। ହେଲେ କାଳୁ ପାଇଁ କେବେ କେମିତି। ଉର୍ମିଳା କିଛି ପଚାରିଲେ ନିରଞ୍ଜନ ବାବୁ କୁହନ୍ତି “ରାଜାର ଥରେ ଅଧେ ପିନ୍ଧା ପୋଷାକ ବହୁତ୍ ଅଛି। ଯାହା ଏବେ ତାକୁ ଛୋଟ ହେଲାଣି। ସେଥିରୁ ଯାହା ହେଲେ ଗୋଟେ ପିନ୍ଧେଇ ଦିଅ। ସେମିତିରେ ବି ଇଏ ଏମିତି କଣ ତାଡ଼ି ପକାଉଛି ଯେ ଟଙ୍କା ଖର୍ଚ୍ଚ କରି ଏଇଟା ପାଇଁ ପ୍ରତ୍ୟେକ ଥର ନୂଆ ପୋଷାକ ଆଣିବି?”
ଥରଟିଏ ଦଶହରା ରେ ନିରଞ୍ଜନ ବାବୁ ଦୋକାନରୁ ସମସ୍ତଙ୍କ ପାଇଁ ନୂଆ ପୋଷାକ କିଣି ଆଣିଥାନ୍ତି। କାଳୁ ଖୁସି ହୋଇ ସେଇ ବ୍ୟାଗ୍ ରେ ତା ପାଇଁ ମଧ୍ୟ ନୂଆ ପୋଷାକ ଥିବ ବୋଲି ଭାବି ଅଣ୍ଡାଳିବାରୁ ଦେଖିଲା ବ୍ୟାଗ୍ ଭିତରେ ଥିଲା ଗୋଟିଏ ବଡ଼ ନୂଆ ସାର୍ଟ, ନୂଆ ଶାଢ଼ୀ ଓ ଗୋଟିଏ ଜିନ୍ସ ପ୍ୟାଣ୍ଟ୍ ଓ ଗଞ୍ଜି। ଜିନ୍ସ ଓ ଗଞ୍ଜି ତାର ନା ଭାଇର ବୋଲି ଭାବିଲା ଭିତରେ ନିରଞ୍ଜନ ବାବୁ ତା ହାତରୁ ଛଡ଼େଇ ନେଇ ରାଜା ହାତକୁ ବଢ଼େଇ ଦେଇ କୁହନ୍ତି “ଏଇଟା ତୋ ପାଇଁ ନୁହେଁ ରେ କୁଳାଙ୍ଗାର। ଏଇଟା ମୋ ଗେହ୍ଲା ରାଜା ପାଇଁ।” ଏତିକି ଶୁଣି ଗୋଟିଏ ମଉଳା ଫୁଲ ପରି କାଳୁର ମୁହଁ ମଉଳି ଯାଏ। ବାପା ପ୍ରାୟତଃ ଯୋଉ ଜିନିଷ ଆଣିଲେ ତାକୁ ନ ଦେଇ ଭାଇକୁ ସବୁ ଦିଅନ୍ତି ବୋଲି। ମାଆ କୋଳରେ ଯାଇ ବହୁତ୍ କାନ୍ଦେ। ହେଲେ ମାଆ ଯେମିତି ଟିକେ ବୁଝେଇ ଦେଇ ଗେଲ କରି ଦିଏ, ସିଏ ତୁନି ହେଇ ଯାଏ। କାଳୁ ମନରେ କଷ୍ଟ ନ ହେଉ ବୋଲି। ଉର୍ମିଳା ଲୁଚେଇ ଚୋରେଇ ପାଖରେ ରଖିଥିବା ପଇସା ରେ ସବୁ ବେଳେ କାଳୁ ପାଇଁ ପୋଷାକ ହଳେ କରି ଦିଅନ୍ତି। ମାଆ ହିଁ ତାର ଦୁନିଆ ଥିଲା କହିଲେ ଚଳେ। ଉର୍ମିଳା ଖାଲି କାଳୁ ବୋଲି ନୁହଁ, ରାଜାକୁ ମଧ୍ୟ ସେତିକି ଭଲ ପାଆନ୍ତି। ଦୁହିଁକୁ ସେ ସମାନ ଭାବରେ ତାଙ୍କ ପଣତ ତଳେ ଜାଗା ଦିଅନ୍ତି। ଦୁହିଁଙ୍କ ପାଇଁ ସମାନ ଭାବରେ ବାଢ଼ି ଦିଅନ୍ତି। ହେଲେ ବଡ଼ ଭାଇ ରାଜା ଠିକ୍ ବାପାଙ୍କ ଭଳି ତାକୁ ଉପେକ୍ଷା କରେ। ସତେ ଯେମିତି ତାକୁ ବାହାରୁ କୋଉଠୁ ଗୋଟେଇକି ଅଣା ହେଇଛି। ଆଉ ସିଏ ତା ଭାଇ ନୁହଁ।
ହେଲେ ଏତେ ସବୁ ପରେ ମଧ୍ୟ କାଳୁ ମନରେ କେବେ ହେଲେ ବାପା କି ବଡ଼ ଭାଇ ରାଜା ପ୍ରତି କେବେ କୌଣସି ଖରାପ ଭାବନା ଆସି ନଥାଏ। ଯେହେତୁ ମାଆ ତାକୁ ବୁଝେଇ ଦିଏ ଯେ ବାପା ତା ଭଲ ଚାହାନ୍ତି ବୋଲି ତାକୁ ଗାଳି କରନ୍ତି। ସିଏ ମାଆ ଭଳି ତା ବାପାଙ୍କୁ ମଧ୍ୟ ବହୁତ୍ ଭଲ ପାଏ। ହେଲେ ଡରରେ କେବେ ପାଖକୁ ଯାଏ ନାହିଁ। ସତରେ କାଳୁର ହୃଦୟଟି ଥିଲା ଧଳା କାଗଜଠାରୁ ମଧ୍ୟ ଅଧିକ ସଫା। ଛଳ, କପଟ, ହିଂସା ଭଳି ଜିନିଷ ତା ପାଖରେ ଆଦୌ ନଥାଏ। ଅଠର ଉଲାରୁ ପଟେ ହେଲେ ମଧ୍ୟ ମାଆ ଦେଇ ଥିବା ଶିକ୍ଷା ଅନୁଯାୟୀ ପିଲା ରୁ ନେଇ ବୁଢ଼ା ଯାଏଁ ସମସ୍ତଙ୍କୁ ଖୁବ୍ ସମ୍ମାନ ଦିଏ। ବାଟରେ କୌଣସି ବୟସ୍କ ବ୍ୟକ୍ତି କିଛି ବୋହିକି ନେବାର ଦେଖିଲେ, ହାତରୁ ଛଡ଼େଇ ନେଇ ନିଜେ ବୋହି ଘର ଯାଏଁ ଛାଡ଼ି ଆସେ। ଶିକ୍ଷକ ଶିକ୍ଷୟତ୍ରୀ ଯେତେ ଯାହା କହିଲେବି ମୋଟେ ପାଟି ଖୋଲେନି। ଆଉ ଯେଉଁଠି ରାସ୍ତା ଘାଟରେ ଦେଖିଲା ମାତ୍ରେ ଶ୍ରଦ୍ଧାର ସହିତ ଯାଇ ପାଦ ଛୁଇଁ ପ୍ରଣାମ କରେ। ହେଲେ ଏତେ ଭଲ ହେଲେ କଣ ହେବ? ତାକୁ କଣ ତା ବାପା ନିରଞ୍ଜନ ବାବୁ ଓ ଆମର ଏଇ ସମାଜ ଯିଏ ପାଠୁଆ ଅପାଠୁଆ କହି ରକ୍ତ ମାଂସରେ ଗଢ଼ା ମଣିଷଙ୍କୁ ଦୁଇଟି ଭିନ୍ନ ନଜର ରେ ଦେଖେ। ସିଏ କଣ ତାକୁ ଯୋଗ୍ୟ ବିବେଚିତ କରିବେ? ନା ତାକୁ ପଠୁଆଙ୍କ ଭଳି ଆପଣେଇ ନେଇ, ସେତିକି ମାନ ସମ୍ମାନ ଦେବେ?
ଏମିତି ଅହରହ ସୁଖ ଦୁଃଖର ନଇଁ ଭିତରେ ସମୟ ତାଳରେ ତାଳ ଦେଇ ଭାଷୀ ଚାଲେ ନିରଞ୍ଜନ ବାବୁଙ୍କ ଜୀବନ। ଦିନ ପରେ ଦିନ ବିତି ଚାଲେ। ଆଉ ବୟସର ଅପରାହ୍ନରେ ଆସି ପହଞ୍ଚି ଥାନ୍ତି ନିରଞ୍ଜନ ବାବୁ ଓ ତାଙ୍କ ପତ୍ନୀ ଉର୍ମିଳା। ପ୍ରାୟ ଷାଠିଏ ଟି ଶ୍ରାବଣ ଆସି ଫେରି ଯାଇ ଥାଏ ଦୁହିଁକୁ। ଆଉ ଅନେକ କିଛି ବଦଳିବା ସାଙ୍ଗେ ସାଙ୍ଗେ ନୂତନତାର ସ୍ପର୍ଶ ପାଇ ଯାଇ ଥାଏ ଏତିକି ଭିତରେ। ସେତେ ବେଳକୁ ଆମେରିକାରେ ପାଠ ପଢ଼ା ସାରି, ବଡ଼ ପୁଅ ରାଜା ନିଜ ସ୍ବପ୍ନର ଚାକିରି ଅର୍ଥାତ୍ ବୈଜ୍ଞାନିକ ଭାବେ କାର୍ଯ୍ୟରତ ଥାଏ। ବର୍ଷକୁ କୋଉ ଥରେ ଅଧେ ଗାଁକୁ ଆସେ। ଆଉ ଯେବେ ଗାଁକୁ ଆସେ ତାକୁ ଗାଁଟି ଦୁଇ ଦିନରୁ ଅଧିକ ହୋଇ ଗଲେ ଆଉ ମୋଟେ ଭଲ ଲାଗେ ନାହିଁ। ଗାଆଁରେ ଆମେରିକା ଭଳି ପିଜା, ବର୍ଗର, ପାସ୍ତା ଆଦି ଖାଇବା ଜିନିଷ ମିଲେନି ବୋଲି ଆମେରିକାକୁ ଭାରି ଟେକେ। ଆଉ କୁଆଡ଼େ ଗାଁକୁ ଆସିଲେ ତା ଦେହ ଖରାପ ହେଇ ଯାଏ। ଗାଁର ମାଟି ସଡ଼କ ରେ ଚାଲିଲେ, ପୋଖରୀ ରେ ଗଧୋଇଲେ, ପୋଡ଼ା ପୋଡ଼ି ଖାଇଲେ ତାକୁ ଇନ୍ଫେକ୍ସନ ହେଇ ଯାଏ ବୋଲି କୁହେ। ଗାଁକୁ ଆସିଲେ କାହାକୁ ମୁଣ୍ଡିଆ ଟିଏ ମାରେନି କି କୋଉ ବୁଢ଼ା,ବୁଢ଼ୀ, ଗୁରୁଜନଙ୍କ ସହ ପଦେ କଥା ହୁଏନି। ସେମିତି ଘରଟା ଭିତରେ ପଡ଼ି ରୁହେ। ହଁ ଏଇ ଗାଁର ମଳି ମୁଣ୍ଡିଆ ଲୋକଙ୍କୁ କାହିଁକି ବା ସେ ମୁଣ୍ଡିଆ ମରିବ? ଆମେରିକା ଭଳି ଏତେ ବଡ଼ ଦେଶରେ ବୈଜ୍ଞାନିକ ଅଛି ଯେତେ ବେଳେ, ଏଇ ଗାଁର ଶାଗ ପଖାଳ ଖିଆ ଲୋକ କଣ ତା ସମସ୍କନ୍ଦ ହେବେ? ବିଲକୁଲ୍ ନୁହଁ।
ମଝିରେ ନିରଞ୍ଜନ ବାବୁ ଓ ଉର୍ମିଳା ପୁଅ ପାଖକୁ ଆମେରିକା ବୁଲି ଯାଇ ଥିଲେ। ଯିବାର ଦୁଇ ଦିନିଠି ରାଜାର ସାଙ୍ଗ ସବୁ ଘରକୁ ଆସି ଥାନ୍ତି। ସେତିକି ବେଳେ ନିରଞ୍ଜନ ବାବୁ ଖାଲି ଦେହରେ ଲୁଙ୍ଗି ଟିଏ ପିନ୍ଧି ତା ସାଙ୍ଗ ମାନଙ୍କ ସାମ୍ନାକୁ ଚାଲି ଆସନ୍ତି। ଆଉ ତା ସାଙ୍ଗ ମାନଙ୍କ ସହିତ ଟିକେ ଖଣ୍ଡି ଇଂରାଜୀ ରେ କଥା ହେଇ ଯାଆନ୍ତି। ଯୋଉଥି ପାଇଁ ତାକୁ ଭାରି ଲାଜ ମାଡ଼ିଲା। ସେଥି ପାଇଁ ପାଞ୍ଚ ଦିନି ପୁଅ ପାଖରେ ଭଲରେ ରହି ଥିବେ କି ନାହିଁ, ଆଣି ବାପା ମାଆଙ୍କୁ ପୁଣି ଗାଁରେ ଛାଡ଼ି ଦେଲା। କହିଲା “ତମେ ମାନେ ନିପଟ ଗାଉଁଲି ଲୋକ। ଆମେରିକା ଭଳି ବଡ଼ ସହରରେ ତମେ ମାନେ ଚଳି ପାରିବନି। ତମେ ସେଇ ଗାଁରେ ଏକା ଚଳି ପାରିବ।” କଥାଟି ନିରଞ୍ଜନ ବାବୁଙ୍କୁ ବହୁତ୍ ବାଧିଲା। ହେଲେ କାହାକୁ କିଛି ନ କହି ମୋଡ଼ି ମକଚି ହୋଇ ରହି ଗଲେ।
ବେଶ୍ କିଛି ଦିନ ପରେ ରାଜା ଆମେରିକାରେ ଏକା ଗୋଟିଏ ବିଦେଶୀ ଝିଅକୁ ଭଲ ପାଇ ବାହା ହୋଇ ଗଲା। ବାପା ମାଆଙ୍କ ଆଶୀର୍ବାଦ ମଧ୍ୟ ଟିକେ ନେବା ପାଇଁ ଗାଁକୁ ଆସିଲା ନାହିଁ। ଖାଲି ଫୋନ କରି ଜଣେଇ ଦେଲା ଯେ “ବାପା ବୋଉ ମୁଁ ଏଇଠି ଗୋଟେ ଝିଅକୁ ଭଲ ପାଇ ବାହା ହୋଇ ଯାଇଛି। ଆଉ ଆମେରିକାର ସ୍ଥାୟୀ ବାସିନ୍ଦା ହୋଇ ରହିବି। କାରଣ ମୋ ସ୍ତ୍ରୀକୁ ଗାଉଁଲି ପରିବେଶ ଓ ଗାଉଁଲି ଲୋକ ଆଦୌ ପସନ୍ଦ ନୁହଁ। ସିଏ ସହରୀ ଝିଅ। ମୁଁ କିନ୍ତୁ ମଝିରେ ମଝିରେ ନିଶ୍ଚୟ ବୁଲିବାକୁ ଆସିବି। ବାକି ପ୍ରତି ମାସରେ ପଇସା ପଠେଇ ଦେବି। ତୁମେ ସେଇଠି ଖୁସିରେ ରହିବ। ମୁଁ ବି ଏଇଠି ଖୁସିରେ ଅଛି।” ହେଲେ ରାଜା କି ଜାଣିବ? ଯେ ବାପା ମାଆ ପିଲାକୁ ନ ଦେଖି କୋଉ ଖୁସିରେ ରହି ପାରିବେ। ନିରଞ୍ଜନ ବାବୁ ଓ ଉର୍ମିଳାଙ୍କୁ କଷ୍ଟ ହେଲେ ମଧ୍ୟ ପୁଅ ସର୍ବଦା ଖୁସିରେ ରହୁ ବୋଲି ନୀତି ଈଶ୍ୱରକୁ ଡାକନ୍ତି। ଆଉ ଚାତକ ଭଳି ଚାହିଁ ରୁହନ୍ତି ପୁଅର ଫେରିବା ବାଟକୁ।
ହେଲେ କାଳୁ କୁଆ ଗଲା? କୁଆ ନାହିଁ। ସେ ପରା ଗୋବର ଗଣେଶ। ସିଏ ଭଲା କୁଆଡ଼େ ଯିବ? ସିଏ ତ ମାଟ୍ରିକ ପରୀକ୍ଷା ରେ ମଧ୍ୟ ଉତ୍ତୀର୍ଣ୍ଣ ହେଇ ପାରିଲାନି। ତାକୁ କଣ କେହି ଚାକିରୀ ଦେଇଥାନ୍ତେ? ମୋଟେ ନୁହଁ। ସିଏ ସେଇ ଗାଁରେ ବାପା ମାଆଙ୍କ ପାଖରେ ରହୁ ଥିଲା। ଗାଁ ଛକରେ ଗୋଟିଏ ତେଜରାତି ଦୋକାନ ଟିଏ କରି ଥିଲା। ସେଥିରୁ ଯେତିକି ଉପାର୍ଜନ ହଉ ଥିଲା। ସେଥିରେ ସେ ବେଶ୍ ଖୁସି ଥିଲା। ବାପା ମାଆଙ୍କ ସୁଖ ଦୁଃଖ ସବୁ ବୁଝୁ ଥିଲା। ଗାଁର ସମସ୍ତ ଲୋକ ତାକୁ ଥଟା ପରିହାସ କରୁ ଥିଲେ ମଧ୍ୟ ତା ଶ୍ରିଷ୍ଠଚାର ଓ ଗୁଣ ପାଇଁ ତା ଉପରେ ସମସ୍ତେ ଖୁସି ଥିଲେ। ଓ ସର୍ବଦା ଆଶୀର୍ବାଦ ମଧ୍ୟ ଦଉଥିଲେ। ହେଲେ ସେତେ ବେଳେ ମଧ୍ୟ କାଳୁ ବାପାଙ୍କ ସ୍ନେହରୁ ବଞ୍ଚିତ ଥିଲା। ନିରଞ୍ଜନ ବାବୁ ହୁଏ ତ କାଳୁ କୁ ଆଉ ଗାଳି କରୁ ନଥିଲେ କି ମାଡ଼ ମାରୁ ନଥିଲେ। ଆଉ ମନେ ମନେ ଭଲ ମଧ୍ୟ ପାଉ ଥିଲେ। କିନ୍ତୁ ସେତେ ବେଳ ଯାଏଁ ସିଏ କେବେ ସ୍ନେହରେ ତା ମୁଣ୍ତରେ ଟିକେ ହାତ ବୁଲେଇ ନଥିଲେ କି ପାଖରେ ବସେଇ ଖୁଆଇ ନଥିଲେ। ହୁଏ ତ ସିଏ ଗୋଟିଏ ଭଲ ମୁହୂର୍ତ୍ତକୁ ଅପେକ୍ଷା କରି ଥିଲେ। ଯେଉଁଥି ପାଇଁ କାଳୁ ସେତେ ବେଳେ ମଧ୍ୟ ବାପାଙ୍କ ପାଖକୁ ଯିବାର ସାହସ କରୁ ନଥିଲା।
ଦିନକର କଥା, ରାତି ପାଖାପାଖି ସାଢ଼େ ଗୋଟେ ହେବ। ସମସ୍ତେ ସୋଇ ଥାନ୍ତି। ହଠାତ୍ ନିରଞ୍ଜନ ବାବୁ ପାଣି ପିଇବା ପାଇଁ ଉଠନ୍ତି। ଖଟରୁ ଓହ୍ଲେଇ ଦୁଇ ପାହୁଣ୍ଡ ଆଗକୁ ଆସିଥିବେ ହଠାତ୍ କଣ ହେଲା ଚେତା ଚପଟ ବୁଡ଼ି ଦାଲୁକିନା ବାଡ଼େଇ ହୋଇ ତଳେ ପଡ଼ିଗଲେ। କଣ ହେଲା ବୋଲି ଉର୍ମିଳା କାଳୁକୁ ଡାକ ପକାନ୍ତି। କାଳୁ ଧଡ଼ପଡ଼ ହୋଇ ଉଠିକି ଆସିଲାରୁ ଦେଖିଲା, ଚେତା ଚପଟ ବୁଡ଼ି ବାପା ତଳେ ପଡ଼ିଛନ୍ତି। ଯେତେ ଡାକିଲେ ଆଖି ଖୋଲୁ ନାହାନ୍ତି। ଏତେ ରାତିରେ କଣ କରିବେ? କାହାକୁ ଡାକିବେ? କିଛି ବୁଝି ପାରୁ ନଥାନ୍ତି କାଳୁ ଓ ତା ମାଆ। ଘର ଠାରୁ ଡାକ୍ତରଖାନା ମଧ୍ୟ ପାଖାପାଖି ୫-୬ କିଲୋମିଟର ଦୂରରେ। ପାଖରେ ପଡ଼ିଶା ଘରେ ଜଣଙ୍କର ଅଟୋ ଥାଏ। କାଳୁ ଧାଇଁ ଯାଇ ତାଙ୍କ ଘର କବାଟ ବାଡ଼େଇ, ବିକଳ କଣ୍ଠରେ ଡାକ ଛାଡ଼େ “ସପନି ଦାଦା ଟିକେ ବାହାରକୁ ଆସ। ହଠାତ୍ କାହିଁ ବାପା ଚେତା ଚପଟ ବୁଡ଼ି ପଡ଼ି ଗଲେ। ଆଉ ଏବେ ଯେତେ ଡାକିଲେ ବି ଆଖି ଖୋଲୁ ନାହାନ୍ତି। ଟିକେ ତମ ଅଟୋ ରେ ଡାକ୍ତରଖାନା ନେଇ ଯିବ?” କାଳୁର ବିକଳ ରଡ଼ି ଶୁଣି, ସପନି ସାଙ୍ଗେ ସାଙ୍ଗେ ନିଦରୁ ଉଠି, ତରବର ହୋଇ ଗଞ୍ଜୀ ଖଣ୍ଡେ ପିନ୍ଧି, ନିଜ ଅଟୋ ଧରି ଚାଲି ଆସେ ନିରଞ୍ଜନ ବାବୁଙ୍କ ଘର ସାମ୍ନାକୁ। କାଳୁ ବାପାଙ୍କୁ ଟେକି ଟେକି ଆଣି ଅଟୋ ରେ ବସାଏ ଆଉ ମାଆ ପୁଅ ମିଶିକି ନିରଞ୍ଜନ ବାବୁଙ୍କୁ ଧରି ଗାଁ ଡାକ୍ତରଖାନାକୁ ନେଇ ଯାଆନ୍ତି। ସେଇଠି ଡ଼ାକ୍ତର ଚିକିତ୍ସା କଲା ପରେ ମଧ୍ୟ ନିରଞ୍ଜନ ବାବୁଙ୍କ ଚେତା ଫେରି ଆସେ। ହେଲେ ବହୁତ ବାଉଳି ଚଉଳି ହେଉଥାନ୍ତି। ସେଥି ପାଇଁ ଡ଼ାକ୍ତର ନିରଞ୍ଜନ ବାବୁଙ୍କୁ ସେଇଠି ପକେଇ ନ ରଖି, କଟକ ବଡ଼ ଡ଼ାକ୍ତରଖାନାକୁ ନେଇଯିବାକୁ ପରାମର୍ଶ ଦିଅନ୍ତି।
ରାତି ରାତି କାଳୁ ଆଉ ତା ମାଆ ଗୋଟେ ଆମ୍ବୁଲାନ୍ସ ଭଡ଼ା କରି ନିରଞ୍ଜନ ବାବୁଙ୍କୁ କଟକ ବଡ଼ ଡାକ୍ତରଖାନାରେ ନେଇ ଭର୍ତ୍ତି କରନ୍ତି। ସେଇଠି ଡ଼ାକ୍ତର ସମସ୍ତ ପରୀକ୍ଷା ନିରୀକ୍ଷା କରି ସାରିଲା ପରେ କାଳୁ ଓ ତା ମାଆଙ୍କୁ କୁହନ୍ତି “ତୁମ ବାପାଙ୍କ Brain Haemorrhage ହେଇଛି। ଯାହା ଫଳରେ ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧି ରହିଛି। ଯଦି ତୁରନ୍ତ ଅସ୍ତ୍ରୋପଚାର କରା ନ ଯାଏ ତେବେ ତୁମ ବାପାଙ୍କୁ ବଞ୍ଚାଇବା କଷ୍ଟକର ହୋଇ ଯିବ। ଆଉ ସିଏ ନିଜ ସ୍ମରଣ ଶକ୍ତି ମଧ୍ୟ ହରେଇ ଦେଇ ପାରନ୍ତି। ତେବେ ଯାହା ନିଷ୍ପତି ନେବା କଥା ଶୀଘ୍ର ନେବେ।” ଡ଼ାକ୍ତରଙ୍କ ପାଟିରୁ ଏତିକି ଶୁଣିଲା ପରେ କାଳୁ ଓ ତା ମାଆ ପାଦ ତଳୁ ମାଟି ଖସି ଗଲା ଯେପରି। ଲାଗିଲା ହଠାତ୍ ଯେମିତି ଦୁଃଖର କଳା ବାଦଲରେ ଘୋଡ଼େଇ ହୋଇ ତାଙ୍କ ଚାରି ଦିଗ ଅନ୍ଧାର ହୋଇଗଲା। ଉର୍ମିଳା ସାଙ୍ଗେ ସାଙ୍ଗେ ବ୍ୟାଗରୁ ଫୋନ କାଢ଼ି ବଡ଼ ପୁଅ ରାଜାକୁ ଫୋନ କରନ୍ତି। ଏଇ ଆଶାରେ ଯେ ହୁଏତ ବାପାର ଦେହ ଏତେ ସାଂଘାତିକ ହୋଇଛି ବୋଲି ଶୁଣିଲେ ପୁଅ ଆମେରିକାରୁ ଧାଇଁ ଆସିବ। କାଳୁ ତ ମୂର୍ଖ। ସେ କଣ ଜାଣିବ ଡ଼ାକ୍ତର କଣ କହୁଛନ୍ତି କଣ ନାଇ? ହେଲେ ବଡ଼ ପୁଅ ରାଜା ଗୋଟେ ବୈଜ୍ଞାନିକ। ସିଏ ଡ଼ାକ୍ତରଙ୍କ ସବୁ କଥା ବୁଝି ପାରିବ ଓ ଜାଣି ପାରିବ। ହେଲେ ଦୁଇ ଥର ଲଗାତାର ଫୋନ କଲା ପରେ ମଧ୍ୟ ଉର୍ମିଳାଙ୍କ ରାଜା ସହିତ ସଂପର୍କ ହୋଇ ପାରୁ ନଥାଏ। ତୃତୀୟ ଚେଷ୍ଟାରେ ରାଜା ଫୋନ ଉଠାଏ। ଉର୍ମିଳା କିଛି କହିବା ଆଗରୁ ଏକା ରାଜା ବିରକ୍ତ ହୋଇ ମାଆକୁ କୁହେ “ଓହୋ ଟିକେ ଶାନ୍ତିରେ ଶୁଆଇ ଦବୁନି କି ବୋଉ ମୋତେ? ତୋତେ କେତେ ଥର କହିଛି ଭାରତରେ ଯେତେ ବେଳେ ଦିନ ଏଇଠି ଆମେରିକାରେ ସେତେ ବେଳେ ରାତି। ତଥାପି ତୁ ସବୁ ବେଳେ ମୋତେ ମୂର୍ଖଙ୍କ ଲାଖେ ରାତି ଅଧରେ ଏକା ଫୋନ କରିବୁ। ଏବେ କହ ବେଗେ କଣ ପାଇଁ ଫୋନ କରିଥିଲୁ।” ଉର୍ମିଳାଙ୍କୁ ପୁଅର କଥା ସବୁ ଖୁବ୍ ବାଧେ, ତଥାପି ବସ୍ପରୁଦ୍ଧ କଣ୍ଠରେ ସିଏ ରାଜାକୁ ସବୁ କଥା କୁହନ୍ତି। ଏଇଆ ଭାବି ଯେ ହୁଏ ତ ପୁଅ ଶୁଣିଲା ମାତ୍ରେ ପାଖକୁ ଧାଇଁ ଆସିବ। ହେଲେ ରାଜା ରୋକ୍ ଠୋକ୍ କହି ଦେଲା “ବୋଉ ତୁ ଭୁଲି ଯାଉଛୁ କି ମୁଁ ଗୋଟିଏ ବୈଜ୍ଞାନିକ ବୋଲି। ମୋର ଏଇଠି ଅନେକ କାମ। ତୁ ଡାକିଲା ମାତ୍ରେ ମୁଁ କେମିତି ଧାଇଁ ଯିବି? ଆଉ ଏବେ ସାଙ୍ଗେ ସାଙ୍ଗେ ମୋତେ ଛୁଟି ମଧ୍ୟ ମିଳିବନି। ତୁ ମାମୁଁଙ୍କୁ ତୋ ପାଖକୁ ଡାକି ବାପାଙ୍କ ଅପରେସନ କରେଇ ଦିଏ। ମାମୁ ଡାକ୍ତର ଯାହା କହିବ ସବୁ ବୁଝିବେ। ଆଉ ଯଦି ପଇସା ପତର ଦରକାର ହୁଏ କହିବୁ, ମୁଁ ସାଙ୍ଗେ ସାଙ୍ଗେ ପଠେଇ ଦେବି। ମୁଁ ଆର ମାସ ଆଡ଼କୁ ଯିବି, ହେଲା। ରହୁଛି।” ପୁଅ ରାଜାର କଥା ଶୁଣି ଉର୍ମିଳାଙ୍କ ଆଖିରୁ ବୋହି ଚାଲି ଥାଏ ଅସରନ୍ତି ଲୁହର ନଈ। ହେଲେ କାହାକୁ କହିବେ ନିଜ ଦୁଃଖ? ଯେ ଇଏ ସେଇ ପୁଅ ଯାହାକୁ ନିରଞ୍ଜନ ବାବୁ ନିଜ ଜମି ବାଡ଼ି ବିକି ପାଠ ପଢ଼େଇ ଏତେ ବଡ଼ ମଣିଷ ଟିଏ କରିଛନ୍ତି। ଇଏ ସେଇ ପୁଅ ଯାହା ପାଇଁ ନିରଞ୍ଜନ ବାବୁ ନିଜ ଭାଗର ମଧ୍ୟ ନ ଖାଇ ସାଇତି ରଖୁ ଥିଲେ ପୁଅ ଖାଇବ ବୋଲି। ହଁ ଏଇ ସେଇ ପୁଅ ଯାହାକୁ ନିରଞ୍ଜନ ବାବୁ ସବୁ ଠାରୁ ବେଶୀ ଆଦର କରୁ ଥିଲେ। ଆଉ ଭାବୁ ଥିଲେ ଇଏ ହେବ ବୃଦ୍ଧ କାଳରେ ତାଙ୍କ ଅନ୍ଧର ଲଉଡ଼ି। କଥାରେ ନାହିଁ “ଅଜାଗା ଘାଆ ଦେଖେଇ ହୁଏନି।”
ପରେ ପରେ ନିରଞ୍ଜନ ବାବୁଙ୍କ ସଫଳ ଅସ୍ତ୍ରପ୍ରଚର ହୋଇଥିଲା। ପ୍ରାୟ ସାତ ଦିନ ଖଣ୍ଡେ ନିରଞ୍ଜନ ବାବୁ ଡାକ୍ତରଖାନାରେ ରହିଲେ। କାଳୁ ବାପାଙ୍କ ସାମ୍ନାକୁ ଯାଉ ନ ଥାଏ ସତ। ହେଲେ ବାପାଙ୍କ ଦେହ କେମିତି ଅଛି ବୋଲି ଡାକ୍ତରଙ୍କୁ ଦିନକୁ ଚାରି ଥର ପଚାରୁ ଥାଏ। ବାପା କଣ ଖାଇବେ କଣ ନାଇ, ସବୁର ବରାବର ଖବର ରଖେ। ନୀତି ସକାଳେ ଗାଧେଇ ପାଧେଇ ମନ୍ଦିର ଯାଏ। ଭଗବାନଙ୍କ ପାଖରେ ବାପାଙ୍କ ଆସୁ ଆରୋଗ୍ୟ ପ୍ରାର୍ଥନା କରିବାକୁ। ଆଉ ସାତ ଦିନ ପରେ ନିରଞ୍ଜନ ବାବୁ ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରନ୍ତି। ଘରକୁ ଫେରିଲା ପରେ, ଦିନେ କାଳୁ ଘରେ ନଥିଲା ବେଳେ ଉର୍ମିଳା ବସି ନିରଞ୍ଜନ ବାବୁଙ୍କୁ ଦେହ ଖରାପ ହେବାରୁ ଭଲ ହେବା ଭିତରେ ଯାହା ହେଇ ଥାଏ ସବୁ କଥା ଗୋଟି ଗୋଟି କରି କୁହନ୍ତି। କେମିତି କାଳୁ ତାଙ୍କୁ ନିଜ ହାତରେ ଟେକିକି ନବା ଆଣିବା କରେ, କେମିତି ବାପା ଶୀଘ୍ର ଭଲ ହୋଇ ଯିବେ ବୋଲି ନୀତି ମନ୍ଦିର ଯାଏଁ, କେମିତି ରାତି ରାତି ମୁଣ୍ଡ ପାଖରେ ଅନିଦ୍ରା ହୋଇ ଜଗି ବସେ ଓ ଆହୁରି ଅନେକ କିଛି। ଆଉ ତା ସାଙ୍ଗେ ସାଙ୍ଗେ ରାଜା କହି ଥିବା କଥା ଗୁଡ଼ିକ ମଧ୍ୟ।
ପତ୍ନୀଙ୍କ ପାଖରୁ ସବୁ କଥା ଶୁଣି ନିରଞ୍ଜନ ବାବୁଙ୍କୁ ଆଖି ଛଳ ଛଳ ହୋଇ ଯାଏ। ମନେ ମନେ ନିଜକୁ ଖୁବ୍ ଗାଳି କରନ୍ତି। ଓ ପିଲା ଦିନୁ କାଳୁକୁ ବାର କଥା କହି ଗାଳି କରିବା ହଉ ବା ତାକୁ ରାଜା ଭଳି ସେତିକି ସ୍ନେହ ନ କରି ଥିବାରୁ ନିଜକୁ ବାପା ବୋଲି ଧିକାର କରୁଥାନ୍ତି। ଉର୍ମିଳାଙ୍କୁ କଣ କହିବେ କଣ ନାହିଁ କିଛି ବୁଝି ପାରୁ ନଥାନ୍ତି। କିଛି ମୁହୂର୍ତ୍ତ ଚୁପ୍ ହୋଇ ବସିଲା ପରେ ଗାମୁଛା ରେ ଲୁହ ପୋଛି ଦେଇ ଗୋଟିଏ ବଡ଼ ନିଃଶ୍ୱାସ ଟିଏ ମାରନ୍ତି, ଆଉ ପାଣି ଦୁଇ ଢୋକ ପିଇ କୁହନ୍ତି “ତୁମେ ଠିକ୍ କହି ଥିଲ ଉର୍ମିଳା। ମୋ କାଳୁ ବଡ଼ ମଣିଷ ଟିଏ ହେଇ ପାରିଲାନି ସତ କିନ୍ତୁ ବହୁତ୍ ଭଲ ମଣିଷ ଟିଏ ହୋଇ ନିଶ୍ଚିତ ଦେଖେଇଛି। ପିଲା ଦିନୁ ଭଲ ପଢୁନି ବୋଲି କେତେ ମାଡ଼ ଗାଳି ଦେଇଛି। ହେଲେ କେବେ ହେଲେ ଆଜି ଯାଏଁ କୋଳେଇ ନେଇ ସ୍ନେହ ଟିକେ କରିନି। ସବୁ ବେଳେ କାଳୁ ଅପେକ୍ଷା ରାଜାକୁ ବେଶୀ ଗୁରୁତ୍ବ ଦେଇଛି। କିନ୍ତୁ ତଥାପି ସିଏ ମୋତେ ବାପା ବୋଲି ଏତେ ଭଲ ପାଏ ମୁଁ ଜାଣି ନଥିଲି। ମୁଁ ଯାହାକୁ ନେଇ ଗର୍ବ କରୁଥିଲି, ନାନାଦି ସ୍ବପ୍ନ ଦେଖୁ ଥିଲି। ସିଏ ମୋତେ ଦେଖିବାକୁ ଟିକେ ଆସିଲାନି। ଅଥଚ ଯାହାକୁ ଆଜି ଭିତରେ କେବେ ହେଲେ କୋଳରେ ଟିକେ ଧରିନି, ସିଏ ରାତି ରାତି ଅନିଦ୍ରା ହୋଇ ଜଗି ବସୁଥିଲା। ମୁଁ ମାନୁଛି, ମୁଁ ଆଜି ଯାଏଁ ଗୋଟେ ଭଲ ବାପା ଟିଏ ହେଇ ପରିଲିନି ହେଲେ ମୋ କୁଳାଙ୍ଗାର ଦୁନିଆର ସବୁଠାରୁ ଶ୍ରେଷ୍ଠ ପୁଅ ହୋଇ ଦେଖେଇ ଦେଲା, ଆଉ ମୋତେ ଭୁଲ ସାବ୍ୟସ୍ତ କରେଇ ଦେଲା। ତୁମ ପାଖରେ ଓ କାଳୁ ପାଖରେ ହାରି ଯାଇ ଆଜି ମୁଁ ବହୁତ୍ ଖୁସି। ଆଜିଠାରୁ ଯେତିକି ଦିନ ଯାଏଁ ବଞ୍ଚିବି, ଚେଷ୍ଟା କରିବି ଗୋଟିଏ ଭଲ ବାପା ଟିଏ ହୋଇ ବଞ୍ଚିବା ପାଇଁ। ଆଜି ମୋ କାଳୁ ଘରକୁ ଆସିଲେ ତା ସହିତ କରିଥିବା ଅନ୍ୟାୟ ପାଇଁ ତାକୁ ଭୁଲ ମାଗିବି। ଯଦି ସିଏ ମୋତେ କ୍ଷମା କରି ଦିଏ ତାକୁ କୋଳେଇ ନେଇ ଖୁବ୍ ଆଦର କରିବି, ଆଉ ନିଜ ହାତରେ ଖୁଆଇ ମଧ୍ୟ ଦେବି। ସିଏ ପରା ତୁମ ପାଖରେ ସବୁ ବେଳେ ଅଭିଯୋଗ କରେ ବାପା ଭାଇକୁ ଖୁଆଇ ଦଉଛନ୍ତି ହେଲେ ତାକୁ ନୁହଁ? ହେଲେ ସିଏ ମୋତେ କ୍ଷମା କରିବ ନା ଉର୍ମିଳା?” ଉର୍ମିଳା ନିଜ ଆଖିରୁ ଲୁହ ପୋଛି ଦେଇ ମୁହଁରେ ଗୋଟିଏ ଛୋଟିଆ ହସ ରଖି କୁହନ୍ତି “ସିଏ କଣ ତମକୁ କ୍ଷମା କରିବ? ସିଏ କେବେ ତମ ଉପରେ ରାଗି ହିଁ ନାହିଁ। ବାସ୍ ତମ ମାଡ଼ ଗାଳିକୁ ଡରି, ତମ ଠାରୁ ଦୁରେଇକି ରୁହେ।”
ବେଳ ବୁଡ଼ି ହୋଇ ଯାଏ ସନ୍ଧ୍ୟା। ବାହାରେ ଝିପିରି ଝିପିରି ବର୍ଷା ଲାଗି ରହି ଥାଏ। ଆକାଶରେ ଜହ୍ନ ତାରା ମିଶି ବାଦଲ ସାଙ୍ଗେ ଲୁଚକାଳି ଖେଳୁ ଥାନ୍ତି। ଆଉ କାଳୁର ଫେରିବା ସମୟ ହୋଇ ଯାଇ ଥାଏ। କୌଣସି ହେଲେ ମୁହୂର୍ତ୍ତରେ କାଳୁ ଆସି ଘରେ ପହଞ୍ଚି ପାରେ। ସେଥି ପାଇଁ ଉର୍ମିଳା ବର୍ଷା ପାଗ ଦେଖିକି ଗରମ ଗରମ ପକୁଡ଼ି ପ୍ରସ୍ତୁତ କରି, ନିରଞ୍ଜନ ବାବୁଙ୍କ ସହ ଉତ୍କଣ୍ଠାର ସହିତ ଚାହିଁ ରହିଥାନ୍ତି, କାଳୁର ଫେରିବା ବାଟକୁ। କିନ୍ତୁ ମନକୁ ଆସୁଥିବା ନାନାଦି ମିସାଗୋଳା ଭାବନା ଓ ପ୍ରଶ୍ନ ଭିତରେ ସାମାନ୍ୟ ବ୍ୟସ୍ତ ଓ ବ୍ୟଗ୍ର ଜଣା ପଡ଼ୁଥାନ୍ତି ନିରଞ୍ଜନ ବାବୁ। ହେଲେ ସବୁ ବେଳେ ମଣିଷ ଯାହା ଚାହେଁ, ସେଇଟା ଏକା ଯେ ହେବ ବୋଲି କୌଣସି ମାନେ ନାହିଁ। ନିରଞ୍ଜନ ବାବୁ ସିନା ଚାହିଁ ରହିଥିଲେ କେମିତି କାଳୁ ଘରକୁ ଫେରିଲେ, ତା ସହ କରିଥିବା ପାତରଅନ୍ତର ପାଇଁ କ୍ଷମା ମାଗି, ତାକୁ କୋଳେଇ ନେବେ ଆଉ ବହୁତ୍ ସ୍ନେହ କରିବେ ବୋଲି। ହେଲେ ବିଧିର ବିଧାନ ଥିଲା ଭିନ୍ନ। ସେଇ ଦିନ କାଳୁ ଦୋକାନ ପାଇଁ କଣ ସବୁ ଜିନିଷ ଆଣିବା ପାଇଁ ମୋଟର ସାଇକେଲ ଧରି ପାଖ ସହରକୁ ଯାଇ ଥାଏ। ବର୍ଷା ଯୋଗୁ ରାସ୍ତା ଓଦା, ଖସଡ଼ା ଓ ଫାଙ୍କା ଥାଏ। ବେଶୀ ଜାନ ବାହନ ଚଳାଚଳ କରୁ ନଥାଏ। କାଳୁ ସାମାନ୍ୟ ବେଗରେ ଗାଡ଼ି ଚଲେଇ ଘରକୁ ଫେରୁ ଥାଏ। ହେଲେ ହଠାତ୍ ପଛ ପଟୁ ଗୋଟିଏ ମାଲବାହୀ ଟ୍ରକ୍ ଖୁବ୍ ବେଗରେ ଆସି କାଳୁକୁ ଧକା ଦେବାରୁ, କାଳୁ ନିଜ ଗାଡ଼ିରୁ ଛିଟିକି ଦଶ ମିଟର ଦୂରରେ ପଡ଼େ। ଆଉ ମୁଣ୍ଡରେ ଗଭୀର ଆଘାତ ପହଞ୍ଚି ଥିବାରୁ, ଘଟଣା ସ୍ଥଳରେ ଏକା କାଳୁ ଆର ପରିକୁ ଚାଲି ଯାଏ। ପାଖାପାଖି ଥିବା ଲୋକ କିଛି ବୁଝିଲା ଭିତରେ ରକ୍ତର ନଈ ବହି ଯାଇ ଥିଲା। ସମୟ ଓ ଜୀବନର ଯୁଦ୍ଧ ମଧ୍ୟରେ ସମୟ ପାଖରେ ହାରି ଯାଇ ଥିଲା ଜୀବନ।
କିଛି ସମୟ ମଧ୍ୟରେ ପୋଲିସ ଆସି ପହଞ୍ଚେ ଘଟଣା ସ୍ଥଳରେ। ମୃତ୍ୟୁ ହୋଇ ସାରିଥିବାରୁ ଆମ୍ବୁଲାନ୍ସ ଯୋଗେ ମୃତ ଶରୀରକୁ ସିଧା ଘରକୁ ପଠେଇ ଦିଆ ଯାଏ। ସନ୍ଧ୍ୟା ପାଖାପାଖି ସାଢ଼େ ସାତ ବେଳକୁ ନିରଞ୍ଜନ ବାବୁଙ୍କୁ ଘର ସାମ୍ନାରେ ଆସି ଆମ୍ବୁଲାନ୍ସ ଟି ଛିଡ଼ା ହୁଏ। ଗାଡ଼ିର ଶବ୍ଦ ଶୁଣି, ପୁଅ ଆସିଲା ଭାବି ଗେଟ୍ ଖୋଲି ଦେଲା ବେଳକୁ ଦେଖନ୍ତି କାଳୁ ନୁହେଁ ଆମ୍ବୁଲାନ୍ସ ଟିଏ ଛିଡ଼ା ହୋଇଛି। କିଛି ପଚାରିବା ପୂର୍ବରୁ ସାଙ୍ଗେ ସାଙ୍ଗେ ଆମ୍ବୁଲାନ୍ସରୁ ଜଣେ ବ୍ୟକ୍ତି ଓହ୍ଲେଇ ଆସି କାଳୁର ମୃତ୍ୟୁ ଖବର ଦିଅନ୍ତି। ଆଉ କାଳୁର ମୃତ ଶରୀରକୁ ଟେକି ଆଣି ନିରଞ୍ଜନ ବାବୁଙ୍କୁ ପିଣ୍ଡା ଉପରେ ରଖି ଦିଅନ୍ତି। କାଳୁର ମର ଶରୀର ଦେଖି ନିରଞ୍ଜନ ବାବୁ ଓ ଉର୍ମିଳା ପୁରାପୁରି ସ୍ତବ୍ଦ ରହିଗଲେ, ସତେ ଯେମିତି ସେମନେ କୌଣସି ମଣିଷ ନୁହଁନ୍ତି, ଖଣ୍ଡେ ଖଣ୍ଡେ ନିର୍ଜୀବ ପଥର।
କାନ୍ଦ ବୋବାଳି ରେ ଫାଟି ପଡ଼େ ନିରଞ୍ଜନ ବାବୁଙ୍କ ଘର। ଗରମ ପକୁଡ଼ି ସେମିତି ରୋଷେଇ ଘରେ ରହି ଥଣ୍ଡା ହେଇ ଯାଏ। ଆଉ ସବୁ ଦିନ ପାଇଁ ବାପା ମାଆଙ୍କ ଆଖିରେ ଲୁହ ଦେଇ, ସ୍ମୃତି ପାଲଟି ଯାଏ ଅପାଠୁଆ କାଳୁ। ଅପାଠୁଆ ବୋଲି ସବୁ ବେଳେ ସିନା ବାପାର ସ୍ନେହରୁ ସେ ବଞ୍ଚିତ, ସମସ୍ତଙ୍କ ପାଇଁ ସବୁବେଳେ ଅଲୋଡ଼ା ଆଉ ଏଇ ସମାଜ ପାଇଁ ଆଯୋଗ୍ୟ ହୋଇ ରହି ଯାଇଥିଲା। କିନ୍ତୁ ତା ମାଆ ପାଇଁ ସିଏ କୌଣସି ହୀରା ଠାରୁ କମ୍ ନ ଥିଲା। ହୁଏ ତ ଶେଷରେ ତା ଅନୁପସ୍ଥିତ, ତା ବାପା ଓ ପାଠୁଆ ସମାଜର ପ୍ରତିଷ୍ଠିତ ଓ ବୁଦ୍ଧିମାନ ବ୍ୟକ୍ତିଗଣଙ୍କୁ ହୃଦୟଙ୍ଗମ କରେଇ ପାରିଥିଲା, ଯେ “ଗୋଟିଏ ଅପାଠୁଆ ଜୀବନରେ ହୁଏ ତ ବଡ଼ ମଣିଷ ଟିଏ ନ ହୋଇ ପାରେ କିନ୍ତୁ ଭଲ ମଣିଷ ଟିଏ ନିଶ୍ଚିତ ଭାବେ ହୋଇ ପାରିବ। ସମାଜକୁ ଗୋଟିଏ ବଡ଼ ଲୋକର ଯେତିକି ଆବଶ୍ୟକ ତାଠାରୁ କାହିଁ ଅଧିକ ଆବଶ୍ୟକ ଗୋଟିଏ ଭଲ ଲୋକର।” ହେଲେ ସେତେ ବେଳକୁ ବହୁତ୍ ଡେରି ହେଇ ଯାଇ ଥିଲା। ଶେଷ ନିଃଶ୍ୱାସ ଯାଏଁ ନିରଞ୍ଜନ ବାବୁଙ୍କ ମନରେ କାଳୁକୁ କେବେ କୋଳେଇ ନେଇ ଗେଲ ନ କରିବାର, ତା ପାଖରେ ବସି ଟିକେ କଥା ନ ହେବାର, ରାଜା ଭଳି ତା ପାଇଁ ନାନା ଜିନିଷ ନ ଆଣିବାର ଓ ଆହୁରି ଅନେକ ଜିନିଷର ଅବଶୋଷ ରହି ଗଲା। ଯାହା ତାଙ୍କୁ ଅନେକ ସମୟରେ ବେଳ ଅବେଳରେ ବାଧ୍ୟ କରେଇ ଦିଏ କାନ୍ଦିବା ପାଇଁ, ଆଉ ମନେ ପକେଇ ଦିଏ ସେ କେବେ ହେଲେ ଗୋଟିଏ ଭଲ ବାପା ହେଇ ପାରିଲେନି ବୋଲି।
