ଶେଷ ଶିକ୍ଷା
ଶେଷ ଶିକ୍ଷା
ସେ ଦିନ ମୋର ସ୍କୁଲ ପାଇଁ ବହୁତ୍ ବିଳମ୍ବ ହେଇ ଯାଇ ଥାଏ। ପୁଣି ଉପରୁ ସୁଦର୍ଶନ ସାର୍ ଆଉ ତାଙ୍କ ଲୁହା ସ୍କେଲର ଭୟ ମୋ ମନରେ ଦୋଳି ଖେଳୁ ଥାଏ। କାରଣ ସୁଦର୍ଶନ ସାର୍ ଶେଷଥର କହି ଥିଲେ ସମସ୍ତେ ଛନ୍ଦ ଓ ଅଳଙ୍କାର ପଢ଼ିକି ଆସିଥିବ। ମୁଁ ସମସ୍ତଙ୍କୁ ଗୋଟି ଗୋଟି କରି ଛିଡ଼ା କରେଇ ପଚାରିବି। ଆଉ ମୁଁ ସେଇ ଛନ୍ଦ ଓ ଅଳଙ୍କାର ବିଷୟରେ କିଛି ହେଲେ ପଢ଼ି ନଥାଏ। ମୁଁ ଭାବୁ ଥିଲି ସ୍କୁଲ୍ ନଯାଇ ବାହାରେ କୁଆଡ଼େ ବୁଲିବି। ଆଉ ସ୍କୁଲ୍ ଛୁଟି ହେବା ସମୟ ହେଲେ ଘରକୁ ଫେରି ଆସିବି। କାରଣ ସେଇ ଦିନ ପାଗ ବହୁତ୍ ବଢ଼ିଆ ଥିଲା। କଁଳିଆ ଖରା ଆଉ ତା ସାଙ୍ଗକୁ ଥଣ୍ଡା ସୁଲ୍ ସୁଲିଆ ପବନ ବେଶ୍ ମନ ମୋହୁଥିଲା। ଆଉ ପାଖ ଗାଁରେ ମେଳା ମଧ୍ୟ ପଡ଼ିଥିଲା। ଛନ୍ଦ ଓ ଅଳଙ୍କାରର ନିୟମ ପଢ଼ିବା ଠାରୁ ମେଳା ବୁଲିବା କାହିଁ କେତେ ଗୁଣାରେ ଭଲ ଥିଲା। ହେଲେ ସେଇ ସବୁ ଭାବନାକୁ ପ୍ରତିରୋଧ କରିବାର ଶକ୍ତି ଥିଲା ମୋ ପାଖରେ। ବାଟରେ ଗଲା ବେଳେ ହରି ଜଳଖିଆ ଦୋକାନୀ ମୋତେ ଦେଖି କହିଲା “କିରେ ଡାଙ୍ଗ ଧୀରେ ଧୀରେ ଯାଆ ନହେଲେ ଟିକେ ଯୋରିଆ ପବନ ହେଲେ କୁଆଡ଼େ ଉଡ଼ିଯିବୁ।” ମୁଁ ଜାଣି ପାରିଲି ସିଏ ମୋର ପରିହାସ କରୁଛି। ସେଥି ପାଇଁ ତା' କଥାକୁ ଖାତିର ନ କରି ମୁଁ ମୋର ଆଗେଇ ଚାଲିଲି।
ଶେଷରେ ପାଖାପାଖି ପନ୍ଦର କୋଡ଼ିଏ ମିନିଟ୍ ପରେ ଆସି ମୁଁ ସ୍କୁଲ୍ ଗେଟ୍ ସାମ୍ନାରେ ପହଞ୍ଚିଲି। ହେଲେ ସବୁ ଦିନ ଅପେକ୍ଷା ସେଦିନ କାହିଁ ସ୍କୁଲ ବାହାରେ ଟିକେ ଅଧିକ ଗହଳି ଚହଳି ଥାଏ। ଭିତରକୁ ଗଲାରୁ ଦେଖିଲି ଶ୍ରେଣୀ ବାହାରେ କେତେ ଗୁଡ଼ାଏ ଜୋତା ଚପଲ ଥୁଆ ହେଇଛି। ସ୍କୁଲ୍ ବାହାରେ ଏତେ ଲୋକ ପୁଣି ଶ୍ରେଣୀ ବାହାରେ ଏତେ ଗୁଡ଼ାଏ ଜୋତା ଚପଳ ଦେଖି ମୋତେ ଟିକେ ବିଚିତ୍ର ଲାଗିଲା। କିନ୍ତୁ ବେଶୀ କିଛି ବିଚାର ନ କରି ମୁଁ ଧିରେ ଧିରେ ଶ୍ରେଣୀ ଆଡ଼କୁ ବଢ଼ିଲି। ଝରକା ବାଟେ ଦେଖା ଯାଉ ଥିଲା। ମୋ ସବୁ ସାଙ୍ଗ ନିଜ ନିଜ ଯାଗାରେ ବସି ପରସ୍ପର ମଧ୍ୟରେ କଥା ହେଉଥାନ୍ତି ଆଉ ସୁଦର୍ଶନ ସାରଙ୍କ ସମେତ ସ୍କୁଲର ଅନ୍ୟ ଶିକ୍ଷକ ମଧ୍ୟ ସେଠି ଚୌକି ପକେଇ କଳା ପଟା ପାଖକୁ ବସିଥାନ୍ତି। ହେଲେ ସେ ଦିନ କାହିଁ ସୁଦର୍ଶନ ସାରଙ୍କ ହାତରୁ ତାଙ୍କ ଲୁହା ସ୍କେଲ ଆଉ ସବୁ ଦିନ ଭଳି ତାଙ୍କ ମୁହଁରେ ଥିବା ଗୋଟିଏ ଛୋଟିଆ ହସ କୁଆଡ଼େ ଉଭେଇ ଯାଇଥିଲା। ହେଲେ ସ୍କୁଲର ଅନ୍ୟ ଶିକ୍ଷକଙ୍କୁ ମଧ୍ୟ ଗୋଟିଏ ଯାଗାରେ ଦେଖି ମୁଁ ଆହୁରି ଅଧିକ ଚିନ୍ତା ରେ ପଡ଼ିଗଲି। ଏବେ ଭାବନ୍ତୁ ମୋତେ ସେତେ ବେଳକୁ କେତେ ଭୟ ଲାଗୁ ଥିବ। ପ୍ରଥମ କଥା ମୁଁ ଆସିଲା ବେଳକୁ ଡେରି କରିଥିଲି। ଆଉ ଦୁତ୍ୟରେ ମୋତେ ସମସ୍ତଙ୍କ ସାମ୍ନାରେ ଶ୍ରେଣୀ ଭିତରକୁ ପ୍ରବେଶ କରି , ମୋ ଯାଗାରେ ଯାଇ ବସିବାର ଥିଲା।
ବହୁତ୍ ସାହସ କରି ଶ୍ରେଣୀ ଭିତରକୁ ପ୍ରବେଶ କଲି। ସୁଦର୍ଶନ ସାର୍ ପାଖକୁ ଧାଇଁ ଆସି କହିଲେ ଆରେ ରାଜୁ ଯାହା ହଉ ତୁ ଆସିଲୁ ହେରି। ନହେଲେ ଆଜିର କାର୍ଯ୍ୟକ୍ରମ ଆମେ ତୋ ଅନୁପସ୍ଥିତିରେ ଆରମ୍ଭ କରି ଦେଇଥାନ୍ତୁ। ହଉ ହଉ ଯାଆ ତୋ ଜାଗାରେ ରେ ଯାଇ ବସି ପଡ଼େ। ମୁଁ ମୁଣ୍ଡ ହଲେଇ ମୋ ଜାଗାରେ ଯାଇ ବସି ପଡ଼ିବି ବୋଲି ହେଲା ବେଳକୁ ଦେଖିଲି ପଛରେ ଯୋଉ ଚୌକି ସବୁ ବେଳେ ଖାଲି ରୁହେ ଆଜି ସେଇ ଚୌକି ଗୁଡ଼ାକ ଖାଲି ନଥାଏ। ସେଥିରେ ବସିଥାନ୍ତି ଗାଁର କିଛି ଜଣାଶୁଣା ଚେହେରା। ଯେମିତି କି ଗାଁର ମୁଖ୍ୟା, ଅବସର ପ୍ରାପ୍ତ ପୋଷ୍ଟ ମାଷ୍ଟର, ଜମିଦାର ଆଉ ଗାଁର କିଛିଟା ବରିଷ୍ଠ ଲୋକ। ମୁଁ ପ୍ରଥମେ କିଛି ବୁଝି ପାରିଲି ନାହିଁ କି ଚାଲିଛି କଣ ? ସେତେ ବେଳକୁ ମୁଁ ଦେଖିଲି ସୁଦର୍ଶନ ସାର୍ ମଧ୍ୟ ପୁରାପୁରି ଅଲଗା ଦେଖା ଯାଉ ଥିଲେ। ସିଏ ସେଇ ଦିନ ତାଙ୍କ କଳା ରଙ୍ଗର କୋଟ ଓ ନାଲି ରଙ୍ଗର ଟାଇ ପିନ୍ଧି ଆସି ଥିଲେ। ଯୋଉଟା କି ସିଏ ବାସ୍ କୌଣସି ବିଶେଷ ଉତ୍ସବ ବା ପୁରସ୍କାର ବଣ୍ଟନ ବେଳେ ପିନ୍ଧନ୍ତି। ଏତିକି ଭିତରେ ଗୋଟିଏ ଦୀର୍ଘ ନିଃଶ୍ୱାସ ମାରି ସୁଦର୍ଶନ ସାର୍ ଆରମ୍ଭ କଲେ -
“ଏଠାରେ ଉପସ୍ଥିତ ଥିବା ମୋର ସମସ୍ତ ବନ୍ଧୁ ଓ ଗୁରୁଜନଙ୍କୁ ମୋର ଆନ୍ତରିକ ଶୁଭେଛା ଓ ମୋ ଜ୍ଞାନର ବାଗିଚାର ଟିକି ଟିକି ଫୁଲଙ୍କୁ ମୋର ଅଜସ୍ର ସ୍ନେହ ଶ୍ରଦ୍ଧା। ସମୟ ନଈ ରେ ଜୀବନ ନୌକା ମୋତେ ଭସେଇ ଭସେଇ ବହୁତ୍ ଆଗକୁ ଆଣି ଏବେ ଗୋଟିଏ ଏମିତି କୂଳରେ ଲଗେଇଛି। ଯେଉଁଠୁ ବୁଲି ଫେରି ଯିବାର ରାସ୍ତା ନାହିଁ। ଏଇ କୁଳରୁ ଜୀବନର ଗୋଟିଏ ନୂଆ ଅଧାୟର ଅୟମାରମ୍ଭ ସତ। ହେଲେ ପଛ ଅଧାୟର ସ୍ମୃତି ସବୁକୁ ମୁଁ ଶେଷ ନିଃଶ୍ୱାସ ତ୍ୟାଗ କଲା ପର୍ଯ୍ୟନ୍ତ ବେଳ ଅବେଳରେ ଖୁବ୍ ହେଜିବି। କାଲିଠାରୁ ନା ଆଉ ତରବର ହେଇ ମୋତେ ସ୍କୁଲ୍ ଆସିବାକୁ ପଡ଼ିବ ନା ଏଇଠି ଘଣ୍ଟା ଦେଖି ଆଉ ପାଠ ପଢ଼େଇ ବାକୁ ପଡ଼ିବ। କାଲିଠାରୁ ନା ମୋତେ ଆଉ ଏଇ ପିଲାମାନଙ୍କ ପାଟି ଶୁଣିବାକୁ ମିଳିବ ନା କେବେ ଶନିବାର ହେଲେ ଘରକୁ ଯିବି ବୋଲି ବାରମ୍ବାର କ୍ୟାଲେଣ୍ଡର ଦେଖିବାକୁ ପଡ଼ିବ। ଉପରୁ ନିର୍ଦ୍ଦେଶ ଆସି ସାରିଲାଣି। ବାସ ଆଉ ଅଳ୍ପ କିଛି ସମୟ ପାଇଁ ମୁଁ ଏଇ ସ୍କୁଲକୁ ମୋ ସ୍କୁଲ୍ ବୋଲି କହି ପାରିବି। ଯେମିତି ଗୋଟିଏ ଝିଅ ବାହା ହେଇ ତା' ଶାଶୁ ଘରକୁ ଚାଲି ଗଲା ପରେ। ସେ ବାପ ଘର ପାଇଁ ପର ହେଇ ଯାଏ। ଆଉ ବାପା ଘରକୁ ନିଜର ବୋଲି କହି ପାରେନି। ଠିକ୍ ସେମିତି କାଲିଠାରୁ ମୁଁ ଏଇ ସ୍କୁଲ୍ ପାଇଁ ପର ହେଇ ଯିବି। ଆଉ ଏଇ ସ୍କୁଲକୁ ମୋ ସ୍କୁଲ୍ ବୋଲି କହି ପାରିବି ନାହିଁ। ସତରେ କେତେ ଶୀଘ୍ର ସାଠିଏ ଛୁଇଁ ଗଲା ମୋଟେ ଜଣା ପଡ଼ିଲା ନାହିଁ। ଲାଗୁଛି ଯେମିତି କାଲି ଏକା ପାଠ ପଢ଼େଇବା ଆରମ୍ଭ କରି ଥିଲି। ହେଲେ ବିଧିର ବିଧାନକୁ କିଏ ବା ବଦଳେଇ ପାରିବ। ଯେ ପ୍ରତି ଆରମ୍ଭର ଅନ୍ତ ସୁନିଶ୍ଚିତ। ହେଲେ କିଛି ବ୍ୟସ୍ତ ହେବାର ନାହିଁ ଏଇ ଚାରି ପାଞ୍ଚ ଦିନ ଭିତରେ ତୁମ ନୂଆ ଶିକ୍ଷକ ଆସିବେ ହେରି।”
ଏତିକି ସବୁ କହିଲା ଭିତରେ ସୁଦର୍ଶନ ସାରଙ୍କ କଣ୍ଠ ବାସ୍ପରୁଧ ହେଇ ଯାଉଥାଏ। ତାଙ୍କ ମୁଁହରେ ଗୋଟିଏ ଛୋଟିଆ ହସଟିଏ ଥାଏ। ହେଲେ ତାଙ୍କ ଅନ୍ତରର କୋହ ସମସ୍ତଙ୍କ ସମ୍ମାନରେ ସେ ପ୍ରକାଶ କରିବାକୁ ଚାହୁଁ ନଥିଲେ ମଧ୍ୟ ତାଙ୍କ ମୁହଁରୁ ସ୍ପଷ୍ଟ ବାରି ହେଇ ପାରୁଥିଲା। ଆଉ ଏତିକି ବେଳେ ଯାଇ ମୁଁ ବୁଝି ପାରିଥିଲି କାହିଁକି ସୁଦର୍ଶନ ସାର୍ ନିଜ କଳା କୋଟ ଓ ନାଲି ଟାଇ ପିନ୍ଧି କରି ଆସିଥିଲେ। କାରଣ ସୁଦର୍ଶନ ସାର୍ ସେଦିନ ଅବସର ନେବାକୁ ଯାଉଥିଲେ। ଆଉ ଏଇଟା ମଧ୍ୟ ବୁଝି ପାରିଥିଲି ଯେ କାହିଁକି ଗାଁର ବରିଷ୍ଠ ଲୋକମାନେ ଆସି ପଛରେ ବସିଥିଲେ। କାରଣ ସେମାନେ ପନ୍ଦର ବର୍ଷର ବିଶ୍ଵସ୍ତ ସେବା ପ୍ରଦାନ କରିବା ସାଙ୍ଗେ ସାଙ୍ଗେ ପ୍ରତିଟି ସୁଖ ଦୁଃଖରେ ଗାଁ ଲୋକଙ୍କ ସାଥିରେ ନିଜ ଲୋକ ଭଳି ଛିଡ଼ା ହେଇଥିବା ପାଇଁ ସୁଦର୍ଶନ ସାରଙ୍କୁ ଧନ୍ୟବାଦ ଜ୍ଞାପନ କରିବାକୁ ଚାହୁଁ ଥିଲେ।
ସୁଦର୍ଶନ ସାର୍ ଆମ ଗାଁର ନଥିଲେ। ପନ୍ଦର ବର୍ଷ ପୂର୍ବେ ଯେତେ ବେଳେ ଏଇ ଗାଁର ସାହିତ୍ୟ ଶିକ୍ଷକଙ୍କ ହଠାତ୍ ଗୋଟିଏ ଦୁର୍ଘଟଣାରେ ମୃତ୍ୟୁ ହୋଇଗଲା। ସେତେ ବେଳେ ସୁଦର୍ଶନ ସାର୍ ବଦଳି ହେଇ ନୂଆ ସାହିତ୍ୟ ଶିକ୍ଷକ ରୂପେ ଆମ ଗାଁକୁ ଆସି ଥିଲେ। ଆଉ ଆସିବାର କିଛି ମାସ ଭିତରେ ସିଏ ଗାଁର ପ୍ରତିଟି ଲୋକକୁ ନିଜର କରି ସାରିଥିଲେ। ଆଉ ଗାଁ ଲୋକେ ମଧ୍ୟ ବହୁତ୍ ଅଳ୍ପ ସମୟ ଭିତରେ ତାଙ୍କୁ ଆପଣେଇ ନେଇ ଥିଲେ। ଠିକ୍ ଚୁମ୍ବକ ଭଳି ଅକର୍ଷଣ୍ୟ ବ୍ୟକ୍ତିତ୍ଵ ଥିଲା ସାରଙ୍କର। ଶିକ୍ଷକ ରୂପରେ ଟିକେ କୋଠର ଥିଲେ। ନେଲେ ଛୋଟାରୁ ନେଇ ବୟସ୍କ ଯାଏ ସମସ୍ତଙ୍କ ସାଙ୍ଗରେ ଖୁବ୍ ସହଜରେ ମିଶି ଯାଉଥିଲେ। ଲୋକଙ୍କ ଦୁଃଖରେ ତାଙ୍କ ସାଙ୍ଗରେ ମିଶି କାନ୍ଦନ୍ତି ଓ ଲୋକଙ୍କ ସୁଖରେ ତାଙ୍କର ସାଙ୍ଗରେ ମିଶି ଖୁସି ହୁଅନ୍ତି। କେତେ ବେଳେ ଗାଁରେ କାହାର କିଛି ଅସୁବିଧା ହେଲେ ସବୁ ବେଳେ ଯାଇ ଆଗରେ ଛିଡ଼ା ହେଇ ଯାଆନ୍ତି। ଆଉ ଗାଁରେ ମଧ୍ୟ କାହାର କଣ ଶୁଭ କାମ ହେଲେ ସିଏ ସାରଙ୍କୁ ଆଗେ ନିମନ୍ତ୍ରଣ ଦେଇ ଥାନ୍ତି। ପ୍ରତି ଶନିବାର ସାର୍ ତାଙ୍କ ଘରକୁ ଯାଆନ୍ତି। ରବିବାର ଦିନକ ରହି ଷୋମବାର ଦିନ ସକାଳୁ ପୁଣି ଫେରି ଆସନ୍ତି। ଏଇ ଗାଁର ପିଲାମାନଙ୍କ ଭବିଷ୍ୟତ ନିଜ ହତାରେ ଗଢ଼ିବା ପାଇଁ। ହେଲେ ଆଜି ଗଲେ ଆଉ ସାର୍ କେବେ ଫେରିବେ କି ନାଇଁ ତାର ଠିକଣା ନାହିଁ। ଜୀବନରେ ପ୍ରଥମ ଥର ପାଇଁ ମୋତେ ସାରଙ୍କୁ ଦେଖି ଭୟ ନୁହେଁ ଦୁଃଖ ଲାଗୁ ଥିଲା। ସବୁ ଦିନ ଦେଖୁ ଥିବା ଲୋକଟି ହଠାତ୍ ସବୁ ଦିନ ପାଇଁ କୁଆଡ଼େ ଚାଲି ଯିବ ମୋତେ କାହିଁ ବିଶ୍ୱାସ ହଉ ନଥାଏ। ବାସ୍ତବିକତା ମୋ ସମ୍ମାନରେ ଥିଲେ ମଧ୍ୟ ମୁଁ ତାକୁ ଆଦୌ ଗ୍ରହଣ କରି ପାରୁ ନଥିଲି।
ଏତେ ସବୁ ଜିନିଷ ମନେ ମନେ ଭାବିଲା ଭିତରେ ଶୁଣିଲି ମୋ ନାଆଁ ଡକା ହଉଛି। କଣ କରିବି କଣ ନାଇଁ କିଛି ବୁଝିପାରୁ ନଥାଏ। କିଛି ହେଲେ ପଢ଼ିକି ଆସି ନଥାଏ। ଯଦି ସାର୍ କଣ ପଚାରି ଦେବେ? ତେବେ କଣ ହେବ? ଭାବି ଭାରି ଭୟ ଲାଗୁଥାଏ। ତିନି ଚାରି ଥର ଖଣ୍ଡେ ମୋ ନାଆଁ ଡକା ହେଲାରୁ ବାଧ୍ୟ ହୋଇ ମୋ ଯାଗାରେ ଛିଡ଼ା ହେଲି। ସାରଙ୍କ ଆଖିକୁ ଆଖି ମିଶେଇ କଥା ହେବାର ସାହସ ମୋ ପାଖରେ ନଥାଏ। ସେଥି ପାଇଁ ତଳକୁ ମୁଣ୍ଡ ପୋତିି ଡରି ଡରି କହିଲି ଆ..ଆଜ୍ଞା ସାର୍। ସାର୍ ମୋ ପାଖକୁ ଆସି ମୋ ମୁଣ୍ଡକୁ ସ୍ନେହରେ ଆଉଁସି ଦେଇ କହିଲେ “ଆରେ ରାଜୁ ମୋଟେ ହେଲେ ଭୟ କରେନା। ଆଜି ମୁଁ ତୋତେ ମୋଟେ ଗାଳି କରିବି ନାହିଁ କି ବାଡ଼େଇବି ନାହିଁ। ଜାଣିଛୁ ତୁ ବହୁତ୍ ଭଲ ପିଲା ଟିଏ। ଖାଲି ଯଦି ପାଠ ଟିକିଏ ମନ ଦେଇ ପଢ଼ିବୁ ଭବିଷ୍ୟତରେ ବହୁତ୍ ବଡ଼ ମଣିଷ ଟିଏ ହେବୁ। ପିଲା ଦିନେ ମୁଁ ମଧ୍ୟ ଠିକ୍ ତୋ ପରି ଜମା ହେଲେ ପାଠ ପଢ଼ୁ ନଥିଲି। ସବୁ ବେଳେ ସାଙ୍ଗମାନଙ୍କ ସହ ମଜା ମସ୍ତି ଖେଳ କୁଦରେ ମସଗୁଲ ରହୁଥିଲି। ଦିନକର କଥା ମୁଁ ମୋର ଗୋଟିଏ ସାଙ୍ଗ ସାଥିରେ ତା' ଘାରକୁ ଯାଇ ଥାଏ। ଠିକ୍ ସେତିକି ବେଳକୁ ତା ବାପା କୁଆଡ଼େ ଯାଇଥିଲେ ଆସିଲେ। ମୋତେ ତାଙ୍କ ଘରେ ଦେଖି ସେ ଭାରି ରାଗି ଗଲେ। ଆଉ ମୋତେ ଧକା ମାରି ତାଙ୍କ ଘରୁ କାଢ଼ି ଦେଲେ। କହିଲେ ତୋ ଭଳିଆ ମୂଲିଆର ଛୁଆକୁ ଆମ ଘରେ ପ୍ରବେଶ ନିଷେଧ। ମୁଁ କାନ୍ଦି କାନ୍ଦି ଘରକୁ ଆସି ଯେତେ ବେଳେ ମୋ ବାପା ବୋଉଙ୍କୁ ଏଇ କଥା କହିଲି। ବାପା ମୋତେ ଖୁବ୍ ପିଟିଲେ କାହିଁ ତାଙ୍କ ଘରକୁ ଯାଇ ଥିଲି ବୋଲି। ହେଲେ ପରେ ମୋତେ ଗେଲ କରି ବୁଝେଇଲେ। ବାପରେ ମୁଁ ପାଠ ସାଠ ନପଢ଼ିବାରୁ ଆଜି ମୂଲିଆ କାମ କରୁଛି। ଯଦି ତୁ ମଧ୍ୟ ପାଠ ସାଠ ପଢ଼ିବୁନି ଭବିଷ୍ୟତରେ ତୁ ମଧ୍ୟ ଦିନେ ମୋ ଲାଖେ ମୂଲିଆ କାମ କରିବୁ। ଆଉ ଲୋକ ତୋତେ ବାର କଥା କହିବେ। କିନ୍ତୁ ତୁ ଯଦି ମନ ଦେଇ ପାଠ ପଢ଼ି ଚାକିରୀ ଖଣ୍ଡେ କରିବୁ। ସମସ୍ତେ ତୋତେ ବାବୁ ବୋଲି ଡାକିବେ। ଆଉ କେହି ତୋ ଦେହରେ ହାତ ମାରି ପାରିବେନି। ତୋତେ ପାଠ ପଢ଼ିବା ପାଇଁ ଯାହା ସବୁ ଦରକାର ହେବ ସେଇ ସବୁ ଆଣି ମୁଁ ତୋତେ ଦେବି। ଆଉ ଆଜି ଦେଖେ ମୁଁ କୋଉଠି ଅଛି। ସେଥି ପାଇଁ କହୁଛି ମନ ଦେଇ ପାଠ ପଢ଼େ ରାଜୁ। ବଡ଼ ହେଇ ଗୋଟିଏ ବହୁତ୍ ବଡ଼ ମଣିଷ ଟିଏ ହବୁ। ନିଜର, ବାପା ମାଆଙ୍କର ଆଉ ଏଇ ଗାଁର ନାଆ ରଖିବୁ।”
ସେତିକି ବେଳକୁ ବାହାରୁ ଗାଡ଼ି ହର୍ଣ୍ଣ ଶୁଭା ଗଲା। ସ୍କୁଲର ପିଅନ ଶ୍ୟାମ ଧାଇଁ ଆସି କହିଲା “ସୁଦର୍ଶନ ସାର୍ ଗାଡ଼ି ଆସିଲାଣି ହେରି। ଆପଣଙ୍କ ସବୁ ଜିନିଷ ଗାଡ଼ିରେ ରଖି ଦେଇଛି। ଚଞ୍ଚଳ ଆସନ୍ତୁ ନହେଲେ ଘରେ ପହଞ୍ଚିଲା ବେଳକୁ ସନ୍ଧ୍ୟା ହୋଇ ଯିବ।” ସାର୍ ଶେଷ ଥର ପାଇଁ ସମସ୍ତଙ୍କୁ ଗୋଟି ଗୋଟି କରି କୁଣ୍ଢେଇ ପକେଇଲେ। ଆଖିରୁ ବୋହି ଯାଉ ଥାଏ ଧାର ଧାର ଲୁହ। ବହୁତ୍ କିଛି କହିବାକୁ ଚାହୁଁ ଥିଲେ ମଧ୍ୟ ଗୋଟିଏ ହେଲେ ଶବ୍ଦ କହି ପାରୁନଥାନ୍ତି ସାର୍। ହେଲେ ତାଙ୍କ ପ୍ରତିଟି ଲୁହ ଟୋପା କହି ଯାଉ ଥାଏ ସଭିଙ୍କ ପାଇଁ ତାଙ୍କ ହୃଦୟରେ ଥିବା ଅନାବିଳ ସ୍ନେହ ଓ ଅନୁରାଗ। କ୍ଷଣିକ ଭିତର ଗାଁ ଲୋକଙ୍କ କାନ୍ଦ ବୋବାଳିରେ ଫାଟି ପଡ଼ିଲା ଚତୁଃପାର୍ଶ୍ଵ। ଲୁହର ବନିଆ ତାଣ୍ଡବ ରଚୁ ଥାଏ ସ୍କୁଲ୍ ପରିସରରେ। କେହି ହେଲେ ଏଇ ନିଷ୍ଠୁର ବାସ୍ତବତାକୁ ଗ୍ରହଣ କରି ପାରୁନଥାନ୍ତି। ସଂପୂର୍ଣ୍ଣ ଭାବେ ନିଜର ପାଲଟି ଯାଇଥିବା ପର ଲୋକଟିକୁ ବିଦାୟ ଦେବାକୁ କେହି ହେଲେ ଚାହୁଁ ନଥାନ୍ତି। ସମସ୍ତେ ସାରଙ୍କ ବହୁତ୍ ସ୍ନେହ ଓ ଆଦରରେ କୁଣ୍ଢେଇ ପକାଉଥାନ୍ତି। ଶେଷରେ ଆଖିରେ ଆଖିଏ ଲୁହ ଓ ଛାତିରେ ଛାତିଏ କୋହକୁ ନିଜ ଭିତରେ ଚାପି ଧରି ଗାଡ଼ିରେ ବସିଲେ ସୁଦର୍ଶନ ସାର୍। ଗାଡ଼ି ଭିତରେ ବସି ସାରି ସାର୍ ହାତ ଯୋଡ଼ି ସମସ୍ତଙ୍କୁ କହିଲେ ଆପଣ କେହି ହେଲେ କାନ୍ଦନ୍ତୁ ନାହିଁ। ମୋତେ ଜମା ହେଲେ ଭଲ ଲାଗିବନି। ମୁଁ ମଝିରେ ମଝିରେ ସମୟ କାଢ଼ି ଆପଣଙ୍କ ପାଖକୁ ଚାଲି ଆସିବି ବୁଲିବି ପାଇଁ। କେବେ କାହାର କିଛି ଆବଶ୍ୟକତା ପଡ଼ିଲେ ମୋତେ ନିଶ୍ଚୟ ଜଣେଇବେ। ମୁଁ ଶୁଣିଲା ମାତ୍ରେ ଆପଣ ମାନଙ୍କ ପାଖକୁ ଚାଲି ଆସିବି। ହେଲେ ଏବେ ପାଇଁ ରହୁଛି।
ବାସ୍ ସେବେଠାରୁ ଜୀବନରେ ଆଜି ଯାଏଁ ସୁଦର୍ଶନ ସାରଙ୍କୁ ଦ୍ୱିତୀୟ ଥର ପାଇଁ ଆଉ କେବେ ହେଲେ ଦେଖି ନାହିଁ। କିନ୍ତୁ ସେଦିନ ଗପ ଆକାରରେ ଦେଇଥିବା ସାରଙ୍କ ଶେଷ ଶିକ୍ଷାକୁ ମୁଁ ସଂପୂର୍ଣ୍ଣ ଭାବେ ମନେ ରଖିଛି। ଯାହା ମୋ ଜୀବନ ବଞ୍ଚିବାର ଚିନ୍ତାଧାରା ଓ ଶୈଳୀକୁ ସଂପୂର୍ଣ୍ଣ ଭାବେ ରୂପାନ୍ତରିତ କରି ଦେଇଥିଲା। ଆଜି ମଧ୍ୟ କେବେ କେବେ ଭାବେ ହୁଏତ ସେଇ ଦିନ ସ୍କୁଲ୍ ନ ଯାଇ ବାହାରେ କୁଆଡ଼େ ବୁଲି ଥିଲେ। ମୁଁ ଗୋଟିଏ ବହୁତ୍ ବଡ଼ ଶିକ୍ଷା ପାଇବାରୁ ଜୀବନ ସାରା ପାଇଁ ବଞ୍ଚିତ ହୋଇ ରହି ଯାଇଥାନ୍ତି। ପ୍ରକୃତରେ ଆଜିର ଦୁନିଆରେ ସଭୀଙ୍କ ପାଇଁ ଶିକ୍ଷ୍ୟା ଅତ୍ୟନ୍ତ ଜରୁରୀ। କାରଣ ଶିକ୍ଷା ହେଉଛି ଏକମାତ୍ର ଅସ୍ତ୍ର ଯାହା ମାଧ୍ୟମରେ ଆପଣ ସମଗ୍ର ବିଶ୍ୱକୁ ଜୟ କରିପାରିବେ ଓ ସମାଜରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିବେ।
