STORYMIRROR

Shreeman Anshuman Priyadarshee

Tragedy Classics Others

3  

Shreeman Anshuman Priyadarshee

Tragedy Classics Others

ମୁକ୍ତିର ଦ୍ଵାର

ମୁକ୍ତିର ଦ୍ଵାର

4 mins
130


ବହୁ ପୁରାତନ ଯୁଗର କଥା। ହସ୍ତିନାପୁରର ଶାସକ ଥିଲେ ରାଜା ଶାନ୍ତୁନୁ। ଦିନେ ରାଜା ଶାନ୍ତୁନୁ ଶିକାର କରିବା ପାଇଁ ଅରଣ୍ୟକୁ ଯାଇଥିଲେ। ଅରଣ୍ୟ ରେ ବୁଲିବୁଲି କ୍ଳାନ୍ତ ହୋଇ ଯିବାରୁ ରାଜା ଶାନ୍ତୁନୁ ଗଙ୍ଗା ନଦୀ କୂଳରେ ଗୋଟିଏ ଗଛ ତଳେ ବିଶ୍ରାମ ନେଉଥିଲେ। ନଦୀ କୂଳର ଶୀତଳ ପବନ ଓ ଚଢ଼େଇଙ୍କ କିଚିରି ମିଚିରି ଶବ୍ଦ ଖୁବ୍ ଆନନ୍ଦ ଦେଉଥିଲା ରାଜା ଶାନ୍ତୁନୁୁୁଙ୍କ ମନକୁ। ଠିକ୍ ସେତିକି ବେଳେ ରାଜା ଶାନ୍ତୁନୁ ନଦୀରୁ ଗୋଟିଏ ରମଣୀ ବାହାରି ଆସିବାର ଦେଖନ୍ତି। ରମଣୀ ଜଣକ ଦେଖିବାକୁ ସ୍ବର୍ଗ ର ପରି ଠାରୁ ମଧ୍ୟ କାହିଁ ଅଧିକ ମନୋହର ଦେଖା ଯାଉ ଥିଲେ। ରାଜ ହଂସ ଭଳି ଚାଲି, ମୃଗୁଣୀ ଭଳି ନୟନ, ଅଣ୍ଟା ଯାଏ ଲମ୍ବା କଳା କେଶ ଆଉ ଧୋବ ଫର ଫର ଗୋରା ଦେହ ଦେଖି ରାଜା ଶାନ୍ତୁନୁ ସମ୍ପୂର୍ଣ୍ଣ ରୂପେ ମୁଗ୍ଧ ହୋଇ ଗଲେ। ଆଉ ସେଇ ରମଣୀଙ୍କ ନିକଟକୁ ଯିବାରୁ ନିଜକୁ ଅଟକେଇ ପାରିଲେ ନାହିଁ। ରମଣୀଙ୍କ ନିକଟକୁ ଯାଇ ରାଜା ଶାନ୍ତୁନୁ ବିବାହର ପ୍ରସ୍ତାବ ରଖିଲେ। ରମଣୀ ଜଣକ ଶାନ୍ତୁନୁୁଙ୍କ ଆଖିରେ ନିଜ ପ୍ରତି ଅନାବିଳ ପ୍ରେମ ଦେଖି ସାନ୍ତୁନୁଙ୍କ ବିବାହ ପ୍ରସ୍ତାବକୁ ସ୍ବୀକାର କରି ନେଲେ। ହେଲେ ରମଣୀ ଜଣକ ରାଜା ଶାନ୍ତୁନୁୁଙ୍କ ପାଖରେ ଗୋଟିଏ ସର୍ତ୍ତ ରଖିଲେ ଯେ ରାଜା ଶାନ୍ତୁନୁ କେବେ ହେଲେ ତାଙ୍କୁ କୌଣସି ପ୍ରସଙ୍ଗରେ ପ୍ରଶ୍ନ କରିବେ ନାହିଁ। ଆଉ ଯଦି ସେ କେବେ କିଛି ପ୍ରଶ୍ନ କରନ୍ତି ତେବେ ସିଏ ସବୁ ଦିନ ପାଇଁ ଶାନ୍ତୁନୁୁଙ୍କ ଜୀବନରୁ ଦୂରେଇ ଯିବେ। ରାଜା ଶାନ୍ତୁନୁ ଏଇ ସର୍ତ୍ତଟିକୁ ଶୁଣି ପ୍ରଥମେ କିଛି ମୁହୂର୍ତ୍ତ ପାଇଁ ପୁରାପୁରି ଚିନ୍ତା ରେ ପଡ଼ିଗଲେ। ହେଲେ ଶାନ୍ତୁନୁ ସେଇ ରମଣୀଙ୍କ ସୌନ୍ଦର୍ଯ୍ୟ ରେ ଏତେ ମୋହିତ ହୋଇ ଯାଇଥିଲେ ସେ ଆଉ ନିଜକୁ ବାନ୍ଧି ନ ରଖି ପାରି ତାଙ୍କ ସର୍ତ୍ତକୁ ଗ୍ରହଣ କରି ନେଲେ। 


ପରବର୍ତ୍ତୀ ସମୟରେ ବେଶ୍ ଧୁମ୍ ଧାମ ରେ ରାଜା ଶାନ୍ତୁନୁ ଓ ସେଇ ରମଣୀଙ୍କ ବିବାହ ସମ୍ପନ୍ନ ହେଲା। ଆଉ ଦୁହେଁ ଖୁବ୍ ପ୍ରେମର ସହିତ ନିଜ ଜୀବନ ଅତିବାହିତ କଲେ। କିନ୍ତୁ ଶେଷରେ ସେଇ ସକାଳ ଆସିଗଲା ଯେବେ ରାଜା ଶାନ୍ତୁନୁ ଓ ତାଙ୍କ ପତ୍ନୀଙ୍କୁ ପ୍ରଥମ ପୁତ୍ର ରତ୍ନ ପ୍ରାପ୍ତ ହେଲା। ପୁତ୍ର ରତ୍ନ ପ୍ରାପ୍ତ ହୋଇ ଥିବାରୁ ରାଜା ଶାନ୍ତୁନୁ ଅତ୍ୟନ୍ତ ଖୁସି ଥିଲେ। ସାରା ରାଜ୍ୟରେ ଆନନ୍ଦର ଲହରୀ ଦୋଳି ଖେଳୁ ଥାଏ। କିନ୍ତୁ ଠିକ୍ ପୁତ୍ର ରତ୍ନ ପ୍ରାପ୍ତ ହେବାର ପରଦିନ ରାଜା ଶାନ୍ତୁନୁଙ୍କ ପତ୍ନୀ ନିଜ ପୁତ୍ରକୁ କୋଳ ରେ ଧରି ରାଜ ମହଲରୁ ବାହାରି ଆସିଲେ। ନବଜାତ ଶିଶୁ ଟିକୁ ଧରି ରାଣୀ ରାଜ ମହଲରୁ ବାହାରକୁ ଯିବାର ଦେଖି ରାଜା ଶାନ୍ତୁନୁ ତାଙ୍କୁ ପିଛା କଲେ। ରାଜା ଶାନ୍ତୁନୁ ଦେଖିଲେ ରାଣୀ ନିଜ ଜନ୍ମ ଦେଇଥିବା ପୁତ୍ରଟିକୁ ନିଜ ହାତରେ ଗଙ୍ଗା ନଦୀରେ ଯାଇ ଭସେଇ ଦେଲେ। ଏଇ ଦୃଷ୍ୟ ଦେଖିଲା ପରେ ରାଜା ଶାନ୍ତୁନୁଙ୍କ ପାଦ ତଳୁ ମାଟି ଖସି ଗଲା। ବହୁତ୍ କିଛି ପଚାରିବାକୁ ଇଚ୍ଛା ହେଲେ ମଧ୍ୟ ନିଜ ପତ୍ନୀଙ୍କୁ ଦେଇ ଥିବା ସର୍ତ୍ତ ଅନୁଯାଇ କିଛି ହେଲେ ପଚାରି ପାରୁ ନଥିଲେ ରାଜା ଶାନ୍ତୁନୁ। ଅତ୍ୟନ୍ତ ଗଭୀର ଦୁଃଖରେ ଭାଙ୍ଗି ପଡ଼ିଲେ ସିଏ।


କିଛି ସମୟ ପରେ ରାଜା ଶାନ୍ତୁନୁ ଓ ତାଙ୍କ ପତ୍ନୀଙ୍କୁ ଆଉ ଏକ ପୁତ୍ର ରତ୍ନ ପ୍ରାପ୍ତ ହେଲା। ହେଲେ ଏଇଥର ମଧ୍ୟ ରାଜା ଶାନ୍ତୁନୁଙ୍କ ପତ୍ନୀ ନିଜ ପୁତ୍ରକୁ ନେଇ ଗଙ୍ଗା ନଦୀରେ ଭସେଇ ଦେଲେ। ଏହା ପରେ ପରେ ରାଜା ଶାନ୍ତୁନୁ ଓ ତାଙ୍କ ପତ୍ନୀଙ୍କ ଏମିତି ଆହୁରି ପାଞ୍ଚଟି ପୁତ୍ର ସନ୍ତାନ ପ୍ରାପ୍ତ ହେଲା। ହେଲେ ପ୍ରଥମ ଦୁଇ ପୁତ୍ରଙ୍କୁ ନଦୀରେ ଭସେଇଲା ଭଳି ଏଇ ପାଞ୍ଚଟି ପୁତ୍ରଙ୍କୁ ମଧ୍ୟ ରାଜା ଶାନ୍ତୁନୁଙ୍କ ପତ୍ନୀ ନଦୀରେ ଭସେଇ ଦେଲେ। ରାଜା ଶାନ୍ତୁନୁ ଆଖିର ଲୁହକୁ ଓଠରେ ପିଇ ସବୁ ଦେଖୁଥାନ୍ତି ହେଲେ ଦେଇ ଥିବା ସର୍ତ୍ତ ଯୋଗୁ କିଛି ପଚାରି ପାରୁ ନଥାନ୍ତି। କହିବାକୁ ଗଲେ ଗୋଟିଏ ଅବ୍ୟକ୍ତ ଯନ୍ତ୍ରଣାରେ ଛଟପଟ ହେଉଥାନ୍ତି ସିଏ। ଅନ୍ତର ମଧ୍ୟରୁ ପୁରାପୁରି ଭାଙ୍ଗି ପଡ଼ିଥିଲେ ରାଜା ଶାନ୍ତୁନୁ। ହେଲେ ଯେତେ ବେଳେ ପ୍ରଥମ ସାତଟି ପୁତ୍ରଙ୍କୁ ଭସେଇଲା ଭଳି ରାଜା ଶାନ୍ତୁନୁଙ୍କ ପତ୍ନୀ ଅଷ୍ଟମ ପୁତ୍ରକୁ ମଧ୍ୟ ଭସେଇବା ପାଇଁ ନେଉଥିଲେ। ଏଇଥର ରାଜା ଶାନ୍ତୁନୁ ଆଉ କଷ୍ଟ ସହି ନ ପାରି ନିଜ ପତ୍ନୀଙ୍କୁ ଦେଇଥିବା ସର୍ତ୍ତକୁ ଭାଙ୍ଗି, ପ୍ରଶ୍ନ କଲେ ତୁମେ ଗୋଟିଏ ମାଆ ହୋଇ ନିଜର ପ୍ରତିଟି ପୁତ୍ର ସନ୍ତାନକୁ କାହିଁ ଏମିତି ନଦୀରେ ଭସେଇ ଦଉଛ? ମୋତେ ଉତ୍ତର ଦିଅ।


ରାଜା ଶାନ୍ତୁନୁଙ୍କ ପତ୍ନୀ ପଛକୁ ବୁଲି ଉତ୍ତର ଦେଲେ, “ମୁଁ ହଉଛି ବ୍ରହ୍ମାଙ୍କ ପୁତ୍ରୀ ମାଆ ଗଙ୍ଗା। ବହୁତ୍ ପୂର୍ବର କଥା ଦେବଶ୍ରୀ ଇନ୍ଦ୍ରଙ୍କ ରକ୍ଷକ ତଥା ପ୍ରକୃତିର ରୂପ କୁହା ଯାଉଥିବା ଆଠ ଭାଇ ଯାହାକୁ ବସୁ କୁହା ଯାଉଥିଲା ଦିନେ ନିଜ ପତ୍ନୀଙ୍କ ସାଙ୍ଗରେ ଗୋଟିଏ ଘଞ୍ଚ ଅରଣ୍ୟ ଦେଇ ଯାଉଥିଲେ। ଅରଣ୍ୟ ଭିତରେ ବୁଲି ବୁଲି ସେମାନେ ଗୋଟିଏ ଆଶ୍ରମ ପାଖରେ ଯାଇ ପହଞ୍ଚିଲେ। ସିଏ ଦେଖିଲେ ଆଶ୍ରମ ବାହାରେ ଗୋଟିଏ ଅତ୍ୟନ୍ତ ସୁନ୍ଦର ଗାଈ ଟିଏ ବନ୍ଧା ହୋଇ ଥିଲା। ଗାଈଟିର ନାଆ ଥିଲା ନନ୍ଦିନୀ। ଆଠ ବସୁଙ୍କ ମଧ୍ୟରୁ ଜଣଙ୍କ ପତ୍ନୀଙ୍କୁ ଗାଈଟି ଅତ୍ୟନ୍ତ ପସନ୍ଦ ଆସିଲା। ଫଳରେ ସିଏ ସେଇ ଗାଈକୁ ସାଙ୍ଗରେ ନେବା ପାଇଁ ଜିଦ୍ ଧରି ବସିଲେ। ସେଥି ପାଇଁ ଜଣିଏ ବସୁ ଗାଈ ଟିକୁ ଖୋଲି ଦେଇ ନିଜ ସାଙ୍ଗରେ ନେଇ ଗଲେ। ହେଲେ ସେଇ ଗାଈଟି ମହାନ ଋଷି ବଶିଷ୍ଠଙ୍କ ଅଟେ ବୋଲି ତାଙ୍କର ଆଦୌ ଜ୍ଞାନ ନଥିଲା। ଆଉ ଋଷି ବଶିଷ୍ଠ ଯେତେ ବେଳେ ତାଙ୍କ ଗାଈ ଚୋରି ହେଇ ଥିବାର ଜାଣିବାକୁ ପାଇଲେ ସେ ଅତ୍ୟନ୍ତ କ୍ରୋଧିତ ହୋଇ ଉଠିଲେ। ଆଉ ବସୁଙ୍କୁ ପୃଥିବୀରେ ମାନବ ରୂପରେ ଜନ୍ମ ନେବାର ଶ୍ରାପ ଦେଲେ। କିନ୍ତୁ ଯେତେ ବେଳେ କିଛି ବାଟ ଗଲା ପରେ ବସୁ ନିଜ ଭୁଲ ବୁଝି ପାରିଲେ ଓ ନିଜକୁ ଦୋଷୀ ଅନୁଭବ କଲେ ସିଏ ଆଶ୍ରମକୁ ଫେରି ଆସି ଋଷୁ ବଶିଷ୍ଠଙ୍କ ନିକଟରେ କ୍ଷମା ପ୍ରାର୍ଥନା କଲେ। ଋଷି ବଶିଷ୍ଠ ନିଜ ଦେଇଥିବା ଶ୍ରାପକୁ ଫେରେଇ ନେଲେ ନାହିଁ। ହେଲେ ତାକୁ କମ୍ କରି ଦେଲେ ଏଇଆ କହି ଯେ ଯୋଉ ବସୁ ଜଣକ ଗାଈର ଚୋରି କରିଥିଲା ତାକୁ ହିଁ ପୃଥିବୀ ଲୋକରେ ସମ୍ପୂର୍ଣ୍ଣ ମାନବ ଜୀବନ ବଞ୍ଚିବାକୁ ପଡ଼ିବ। କିନ୍ତୁ ବାକି ସମସ୍ତ ବସୁଙ୍କୁ ବାସ୍ ନଅ ମାସ ମାଆର ଗର୍ଭ ଭିତରେ ପୃଥିବୀ ଲୋକରେ ରହିବାକୁ ପଡ଼ିବ। ଆଉ ଏହା ଶୁଣିଲା ପରେ ଆଠ ଭାଇ ଆସି ମୋ ପାଖରେ ସାହାଯ୍ୟ ମାଗିଲେ। ଆଉ ପ୍ରାର୍ଥନା କଲେ ପୃଥିବୀ ଲୋକରେ ମୁଁ ତାଙ୍କର ମାଆ ହେବା ପାଇଁ। ଆଉ ତାଙ୍କ ଜନ୍ମର ପରଦିନ ଏକା ତାଙ୍କୁ ନଦୀରେ ଭସେଇ ଦେବା ପାଇଁ। ଫଳରେ ସେମାନଙ୍କୁ ସର୍ବଦା ପାଇଁ ମାନବ ଜୀବନରୁ ମୁକ୍ତି ମିଳିଯିବ। ସେଥି ପାଇଁ ପୃଥିବୀ ଲୋକରେ ମୁଁ ଆପଣଙ୍କୁ ବିବାହ କରି ଆପଣଙ୍କ ପତ୍ନୀ ହେଲି। ଆଉ ଯେଉଁ ସାତଟି ପୁତ୍ର ରତ୍ନଙ୍କୁ ମୁଁ ନଦୀରେ ଭସେଇ ଦେଇଛି। ସିଏ ସମସ୍ତେ ଗୋଟିଏ ଗୋଟିଏ ବସୁ ଏକା ଥିଲେ।” ଆଉ ଏତିକି କହିଲା ପରେ ମାଆ ଗଙ୍ଗା ନିଜ କୋଳରେ ଥିବା ଅଷ୍ଟମ ପୁତ୍ର ରତ୍ନକୁ ରାଜା ଶାନ୍ତୁନୁଙ୍କ କୋଳକୁ ବଢ଼େଇ ଦେଇ କହିଲେ “ଇଏ ଅପଣଙ୍କ ଅଷ୍ଟମ ସନ୍ତାନ ସ୍ବାମୀ। ଆଉ ଇଏ ଏଇ ପୃଥିବୀ ଲୋକରେ ଜୀବିତ ରହିବ।” ଏତିକି କହି ସାରି ଗଙ୍ଗା ରାଜା ଶାନ୍ତୁନୁଙ୍କୁ ଦେଇଥିବା ସର୍ତ୍ତ ଅନୁଯାଇ ଚିର ଦିନ ପାଇଁ ତାଙ୍କ ଜୀବନରୁ ଦୂରେଇ ଗଲେ। ପରବର୍ତୀ ସମୟରେ ରାଜା ଶାନ୍ତୁନୁଙ୍କ ଅଷ୍ଟମ ପୁତ୍ର ଦେବରଥ ଅବା ଭୀଷ୍ମ ପିତାମହ ନାଆ ରେ ପରିଚିତ ହେଲା। 


ଏଇଥି ପାଇଁ ବହୁ ପୂର୍ବରୁ ସନାତନ ଧର୍ମରେ ମରି ଯାଇଥିବା ଲୋକର ଅସ୍ଥି ପବିତ୍ର ଗଙ୍ଗା ନଦୀରେ ବିସର୍ଜନ କରିବାର ମାନ୍ୟତା ରହି ଆସିଛି। ଫଳରେ ପବିତ୍ର ଗଙ୍ଗା ନଦୀ କୋଳରେ ବିସର୍ଜନ ହେଇଥିବା ଲୋକଟି ପୃଥିବୀ ଲୋକରୁ ମୁକ୍ତି ପାଇଯିବ ବୋଲି ଅନେକ ପୁରାଣରେ ବର୍ଣ୍ଣିତ। ସେଥି ପାଇଁ କୁହା ଯାଏ ମାଆ ଗଙ୍ଗାଙ୍କ କୋଳ ମୁକ୍ତିର ଦ୍ଵାର।


Rate this content
Log in

Similar oriya story from Tragedy