STORYMIRROR

Shreeman Anshuman Priyadarshee

Abstract Drama Tragedy

4  

Shreeman Anshuman Priyadarshee

Abstract Drama Tragedy

ସ୍ମୃତି ରାଇଜରେ ଗାଁ

ସ୍ମୃତି ରାଇଜରେ ଗାଁ

12 mins
14

ବିକାଶକୁ ତା ବାପା ମାଆ ଚିର ଦିନ ପାଇଁ ଏକୁଟିଆ କରି ଏକା ସାଙ୍ଗରେ ଆରପାରିକୁ ଚାଲି ଯିବାର, ଆଜିକୁ ପ୍ରାୟ ୨୮ ବର୍ଷ ହେଇଗଲା। ବିକାଶ ଭୁବନେଶ୍ୱରରେ ଏକ ସରକାରୀ କାର୍ଯ୍ୟାଳୟରେ ଚାକିରୀ କରିଥାଏ। ସେଥି ପାଇଁ ନିଜ ବାପା ମାଆଙ୍କୁ ଗାଁରୁ ଆଣି, ଭୁବନେଶ୍ୱର ରେ ମିଳିଥିବା ସରକାରୀ ବାସଗୃହରେ ବାପା ମାଆଙ୍କ ସହିତ ରହୁ ଥାଏ। ଗୋଟିଏ ଭଲ ଚାକିରୀ କରି ବାପା ମାଆଙ୍କୁ ସାଙ୍ଗରେ ଧରି ରାଜଧାନୀରେ ରହିବାର ସ୍ବପ୍ନ ସିଏ ପିଲା ଦିନୁ ଦେଖି ଆସିଥିଲା। ଆଉ ତା ପିଲା ଦିନର ସ୍ବପ୍ନ ଯେତେ ବେଳେ ବାସ୍ତବରେ ପରିଣତ ହୋଇ ଥାଏ, ତା ଖୁସି କହିଲେ ନ ସରେ। ସବୁ କିଛି ବେଶ୍ ଭଲରେ ଚାଲି ଥିଲା। ବିକାଶ ଓ ତା ବାପା ମାଆ ହସ ଖୁସିରେ ନିଜ ଜୀବନ କାଟୁ ଥିଲେ। ହେଲେ କେଜାଣି କାହାର ନଜର ଲାଗି ଗଲା ତାଙ୍କ ହସ ଖୁସିର ସଂସାରରେ। ବିକାଶକୁ ଚାକିରୀ କରିବାର ପାଖାପାଖି ଦେଢ଼ ବର୍ଷ ଖଣ୍ଡେ ହୋଇ ଥାଏ। ଦିନେ ବିକାଶର ବାହାଘର ପାଇଁ ଝିଅ ଦେଖିବାକୁ, ତା ବାପା ମାଆ ଭୁବନେଶ୍ୱରରୁ ଏକ କାର ଯୋଗେ ପାରାଦୀପ ଯାଉଥାନ୍ତି। ଆଉ ବାଟରେ ଏକ ବିଶାଳ ମାଲବାହୀ ଟ୍ରକ୍ ସାମ୍ନାରୁ ଆସି ତାଙ୍କ କାରକୁ ପିଟି ଦେବାରୁ, ଦୁହେଁ ଅକାଳରେ ନିଜ ଏକୋଇର ବଳା ବିଶିକେଶନ, ବିକାଶକୁ ଛାଡ଼ି ଆରପାରିକୁ ଚାଲିଗଲେ। ଆଉ ସେବେଠୁ ଆଜି ଯାଏଁ ଅବିବାହିତ ରହିଛି ବିକାଶ। ତାକୁ ଲାଗେ ତା ବାପା ମାଆ ତାକୁ ଛାଡ଼ି ଚାଲି ଯିବାର ମୁଖ୍ୟ କାରଣ ହେଉଛି ତା ବାହାଘର। ଆଉ ସେଥି ପାଇଁ ଜୀବନ ତମାମ କେବେ ହାତକୁ ଦିହାତ ନହେବାର ନିଷ୍ପତି ନେଇ ଥାଏ ବିକାଶ।


ହାଇସ୍କୁଲ ସାରି କଲେଜରେ ପାଦ ଥାପିଲା ପରେ ନିଜ ଗାଁଠାରୁ ଧିରେ ଧିରେ ଦୁରେଇବାକୁ ଲାଗିଥିଲା ବିକାଶ। ସିଏ ଯାହା ବି ହେଉ ଯେତେ ବେଳେ କଲେଜ ଛୁଟି ହେଉ ଥିଲା, ଗାଁରେ ରହୁଥିବା ବାପା ମାଆଙ୍କ ପାଖକୁ ଛୁଟି ଆସୁଥିଲା ସିଏ। କିନ୍ତୁ ଭୁବନେଶ୍ଵର ରେ ପ୍ରଥମେ କଲେଜ ଓ ତା ପରେ ଚାକିରି କରିଲା ପରେ ଜଞ୍ଜାଳ ଓ ବ୍ୟସ୍ତତା ଯୋଗୁ ବହୁତ୍ କମ ଗାଁକୁ ଆସିବା ହୁଏ ତାର। ଆଉ ଯେବେଠୁ ତାକୁ ସ୍ନେହରେ ବିକୁ ବୋଲି ଡାକୁଥିବା, ତା ବାପ ମାଆଙ୍କ ସ୍ଵର ନୀରବି ଯାଇଛି, ସେବେଠୁ ଗାଁ ପ୍ରତି ତାର ଆକର୍ଷଣ ପୁରାପୁରି ଶୁନ ହେଇ ଯାଇଛି। ବାପା ମାଆଙ୍କ କ୍ରିୟା ସାରି ଗାଁରୁ ଗଲା ପରଠୁ, ଦ୍ୱିତୀୟ ଥର ପାଇଁ ଆଉ କେବେ ତାର ନିଜ ଗାଁ ମାଟିରେ ପାଦ ପଡ଼ି ନାହିଁ। ଯେଉଁଠି କଟିଛି ତା ସଂପୂର୍ଣ୍ଣ ପିଲାଦିନ। ଯେଉଁଠି ପାଠ ପଢ଼ି, ସେ ଦେଖିଥିଲା ଏତେ ବଡ଼ ମଣିଷ ହେବାର ସ୍ବପ୍ନ। ଯେଉଁଠି ଅଛନ୍ତି ତାର ପିଲାଦିନର ସାଙ୍ଗମାନେ ଓ ଅନେକ ଆତ୍ମୀୟ।


ଯେତେ ବେଳେବି ଗୁଆ ଅର୍ଚ୍ଚନା ଟିଏ ଆସେ ବାହା, ବ୍ରତ ପାଇଁ ତାକୁ ଅନୁଭବ ହୁଏ, ଏ ବୋଧେ ଅର୍ଚ୍ଚନା ନିଜ ଅତୀତ ସହ ଏକତ୍ମ ହେବା ପାଇଁ। ମନେ ମନେ ଭାବେ, ଯାଇ ଏବେ ପହଞ୍ଚି ଯିବ ଗାଁରେ, ଆଉ ବାଉଁଶ ବଣରେ ସୋଇଥିବା ତା ବାପା ମାଆ ଉଠି ଆସି କହିବେ କି ହେଇଟି ଆମ ବିକୁ ଆସିଲାଣି। ବାପା କୁଣ୍ଡେଇ ନେଇ ଆଦର କରି ପକାଇବେ ଓ ମାଆ ନିଜ ପଣତ କାନିରେ ତା ମୁହଁ ପୋଛି ଦେଇ ପଚାରିବ, କଣ ଖାଇଛୁ ଧନ? ଶୀଘ୍ର ଯାଇ ହାତ ମୁହଁ ଧୋଇ ହେଇଯା, ତୁ ଖାଇବାକୁ ଯାହା କହିବୁ, ମୁଁ ସାଙ୍ଗେ ସାଙ୍ଗେ ବନେଇ ଦେବି। ହେଲେ ସେମିତି କେବେ ହେବନି। ସେଥି ପାଇଁ ତ ସବୁ ଥର ଏଡ଼ାଇ ଯାଏ, ଏଇ ସବୁ ସମାଜର ନିୟମ ମାନଙ୍କୁ।


ହେଲେ ଏଇଥର କିନ୍ତୁ ଏଡ଼ାଇ ପାରିଲା ନାହିଁ। ଘରର ଶେଷ ବାହାଘର ଥିଲା। ସେଥି ପାଇଁ ଯେମିତି ହେଲେ ତାକୁ ଗାଁକୁ ଆସିବାକୁ ପଡ଼ିଲା। ଗାଁକୁ ଆସିବାରେ ବିଲକୁଲ ହେଲେ ଇଛା ନଥିଲେ ବି କର୍ତ୍ତବ୍ୟ ଦାୟ ରେ ସେ ଠିଆ ହୋଇଥାଏ ତା ଗାଁ ମାଟିରେ। ବାଉଁଶ ବଣରେ ସୋଇପଡିଥିବା ତା ବାପ ମାଆ ଓ ଅତୀତର ସ୍ମୃତି ସବୁ ଯେମିତି ତାକୁ ହାତ ଠାରି ନିଜ ପାଖକୁ ଡାକୁଥାନ୍ତି।


ହେଲେ ୨୮ ବର୍ଷ ପୂର୍ବେ ବିକାଶ ଗାଁକୁ ଯେମିତି ଛାଡ଼ିକି ଯାଇଥିଲା। ଆଜି ଫେରିଲା ବେଳକୁ ତାହା ଆଉ ସେମିତି ହୋଇ ରହି ନାହିଁ। ସମୟର ଗତି ଭାରି ପ୍ରଖର। ସମୟ ଗତିରେ ଆଜି ସବୁ ଜିନିଷ ପରିବର୍ତ୍ତନ ହୋଇ ଯାଇଛି। ନିଜ ଜନ୍ମ ମାଟିକୁ ଚିହ୍ନିବାରେ କଷ୍ଟ ହେଉଥାଏ ବିକାଶକୁ। ସବୁ ନୂଆ ନୂଆ ମନେ ହେଉ ଥାଏ ଯେମିତି। ଗାଁର ଗଳି କନ୍ଦି ଓ ରୂପ ରେଖା ସଂପୂର୍ଣ୍ଣ ବଦଳି ଯାଇଛି। ବିକାଶ ଦେଖେ ମୁଖ୍ୟ ରାସ୍ତା ସାଙ୍ଗେ ଗାଁକୁ ଯେଉଁ ମାଟି ରାସ୍ତାଟି ସଂଯୋଗ କରୁଥିଲା, ତାହା ଏବେ “ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ସଡ଼କ” ଯୋଜନାରେ କଂକ୍ରିଟ ହୋଇ ଯାଇଛି। ଆଉ ଯେଉଁ ସଡ଼କ ରେ ଦିନେ ଶଗଡ଼ ଓ ସାଇକେଲ ସାଙ୍ଗରେ ଗୋଟେ ଯୋଡ଼େ ମୋଟର ସାଇକେଲ ଚାଲୁଥିଲା। ଆଜି ସେଇ ସଡ଼କ ରେ ଭଳିକି ଭଳି ମୋଟର ସାଇକେଲ ଓ ଚାରି ଚାକିଆ ଚଳାଚଳ କରୁଛି। କିନ୍ତୁ ସଡ଼କ ରେ ଏବେ ଶଗଡ଼ ଆଉ ସାଇକେଲ ପୁରା ଅଦୃଶ୍ୟ ହୋଇ ଯାଇଛି। 


ଗାଁ ଭିତରକୁ ପ୍ରବେଶ କରୁକରୁ ଯେଉଁ ଛୋଟିଆ ଶିବ ମନ୍ଦିରଟି ଥିଲା। ଆଜି ତାହା ବିଶାଳ ଶିବ ମନ୍ଦିରରେ ପରିଣତ। ଆଗରୁ ମନ୍ଦିର ବାହାରେ ଯେଉଁଠି ଦୀପ ଦୋକାନ ଟିଏ ବି ନଥିଲା, ଆଜି ସେଇଠି ଗୁଡ଼ାଏ ଛୋଟ ବଡ଼ ଦୋକାନ ଓ ହୋଟେଲ ମଧ୍ୟ ତିଆରି ହୋଇ ଯାଇଛି। ବିକାଶ ମହାଦେବଙ୍କୁ ଦର୍ଶନ କରି ମୁଣ୍ଡିଆ ମାରି ସାରିଲା ପରେ, ଗାଁ ଭିତରକୁ ଚାଲିବା ଆରମ୍ଭ କରେ। ଭୁବନେଶ୍ୱରରୁ ଗାଁକୁ ଆସିଲା ବେଳେ ମନେ ମନେ ଭାବିଥାଏ, ବର୍ଷା ଋତୁ ଯାଇ ଏବେ ଶରତ ଋତୁ ଧରା ଅବତରଣ କରିଛି, ପ୍ରକୃତି ରାଣୀ ସବୁଜ ପାଟ ବସ୍ତ୍ର ପିନ୍ଧି ଭାରି ମନଲୋଭା ଦିଶୁଥିବ। ଗାଁର ରାସ୍ତା ଦୁଇ କଡ଼ରେ ଥିବା ମାଳ ମାଳ ଚାଷ ଜମିର ଅପୂର୍ବ ପ୍ରାକୃତିକ ସ୍ଵନ୍ଦର୍ଯ୍ୟ ରେ ହଜି ଯିବ ସିଏ କିଛି ସମୟ ପାଇଁ, ଆଉ ନିଜ କ୍ୟାମେରା ଲେନ୍ସ ରେ ସାଇତି ନେବ ଏହି ମଧୁର ମୁହୂର୍ତ୍ତ ସବୁକୁ, ନିଜ ଅବସିଷ୍ଟାଂଶ ଜୀବନ ପାଇଁ। ହେଲେ ସେମିତି କିଛି ହୁଏ ନାହିଁ। ରାସ୍ତା କଡ଼ର ଚାଷ ଜମିର ମାଟି ଫାଟି ଆକାଶକୁ ଆଁ କରି ଚାହିଁ ଥାନ୍ତି। ଗୋଟେ ଯୋଡ଼େ ଜମିକୁ ଛାଡ଼ି ଦେଲେ ଅଧାରୁ ଅଧିକ ଚାଷ ଜମି ପଡ଼ିଆ ପଡ଼ି ଥାନ୍ତି। ଚାଷ ବାସ ଆଉ ନାହିଁ କହିଲେ ଚଳେ। ରାସ୍ତା କଡ଼ରେ ସହର ଭଳି ମୁଣ୍ଡ ଟେକି ଛିଡ଼ା ହୋଇଥାନ୍ତି ବଡ଼ ବଡ଼ କୋଠା ଘର ଖାଲି। ଆଉ ସବୁ ଘର ବାହାରେ ଅତି କମ୍ ରେ ଠିଆ ହୋଇଥାଏ ଗୋଟିଏ ଲେଖାଏ ମୋଟର ସାଇକେଲ। ହେଲେ କୋଉଠି ହେଲେ ଗୋଟିଏ ଚାଳ ଘର ଦିଶୁ ନଥାଏ। ଆଗରୁ ଗାଁ ଛାଡ଼ି ରାସ୍ତା କଡ଼ରେ ଘର କଲେ ଲୋକ ଭାବୁଥିଲେ ଚୋରିଦାରି କରିଛି କି କଣ, ଗାଁ ଲୋକେ ଗାଁରୁ କାଢ଼ି ଦେଇଛନ୍ତି। ସେଥି ପାଇଁ ଆସି ରାସ୍ତା କଡ଼ରେ ଘର କରିଛି। ହେଲେ ଏବେ ସମସ୍ତଙ୍କୁ ରାସ୍ତା କଡ଼ ଜାଗା ପସନ୍ଦ, ଗାଁ ଭିତରେ କେହି ଆବଧ ହେବାକୁ ଚାହୁଁ ନାହାନ୍ତି।


ବିକାଶ ମନେ ମନେ ଭାବେ ତା ପିଲାଦିନର ଗାଁ ଯେତିକି ସୁନ୍ଦର ଥିଲା, ଏବେ କାହିଁ ଆଉ ସେତିକି ସୁନ୍ଦର ନାହିଁ। ମାଟି ସଡ଼କରେ ସାଙ୍ଗ ମାନଙ୍କ ସହ ଧୂଳି ଧୂସର ହୋଇ ଖେଳିବା, ଦୁଇଟା ଜମିକୁ ଅଲଗା କରୁଥିବା ସରୁ ହିଡ଼ ଉପରେ ଧାଇଁବା, ବର୍ଷା ଦିନେ ଚାଷ ଜମିରୁ ମାଛ କଙ୍କଡ଼ା ଧରିବା, ଖରା ଦିହିପହରେ ଆ ତା ବାଡ଼ିରେ ପସି ଆମ୍ବ ଚୋରି କରିବା, ବର ଗଛ ଓହଳରେ ଡାଳ ମାଙ୍କୁଡ଼ି ଖେଳିବା, ନଈ ପୋଖରୀ ରେ ଗାଧେଇବା, ବଣକୁ ଯାଇ ଭୋଜି କରିବା, ପାହାଡ଼ ଚଢ଼ିବା ଓ ଆହୁରି ଅନେକ କିଛି ପିଲା ଦିନର ସ୍ମୃତି ତା ଆଖି ଆଗରେ ଭାଷୀ ଗଲା ମୁହୂର୍ତ୍ତକେ ଭିତରେ। କିଛି ସମୟ ପାଇଁ ଆଖି ଦୁଇଟି ଓଦା ମଧ୍ୟ ହେଇ ଗଲା। 


ଯେଉଁ ଗାଁ ଦାଣ୍ଡରେ ଦିନେ ସିଏ ହସ ଖୁସିରେ ଖେଳୁ ଥିଲା। ଆଜି ସେଇ ଗାଁ ପାଇଁ ସିଏ ଅତିଥି। ସେତେ ବେଳର ସବୁ ଚିହ୍ନା ମୁହଁ ଆଜି ତା ପାଇଁ ଅଚିହ୍ନା। ନା କୌଣସି ପିଲା ତାକୁ ଚିହ୍ନି ପାରୁଥାନ୍ତି ନା ଇଏ ତାଙ୍କୁ। ଯେଉ ମାନଙ୍କୁ ଯୁବ ଅବସ୍ଥାରେ ଦେଖିଥିଲା ସେମାନେ ଆଜି ଆଶା ବାଡ଼ିର ପଥିକ। ଯିଏ ତା ପିଲା ଦିନେ ଉପରେ ପଡ଼ିକି ତା ସହ ଥଟା ପରିହାସ କରୁଥିଲେ, ଆଜି ସେମାନେ ନ ଚିହ୍ନିଲା ପରି ବାଟ କାଟି ଚାଲି ଯାଉଥାନ୍ତି। ଆଉ ଯେଉଁ ମାନଙ୍କୁ ବିକାଶ ଚିହ୍ନୁ ଥାଏ, ସେମାନଙ୍କୁ ଯାଇ ମୁଣ୍ଡିଆ ମାରୁ ଥାଏ ଓ ଭଲ ମନ୍ଦ ପଚାରୁ ଥାଏ। ସେମାନେ ମଧ୍ୟ ପଚାରୁ ଥାନ୍ତି। କେମିତି ଅଛୁ ରେ ବିକାଶ? ତୋର ଆଉ ଦେଖା ଦର୍ଶନ ମିଳୁନି, ଏତେ ଦିନି ପରେ ଗାଁକୁ ଆସିଛୁ, ଓ ଆହୁରି ଅନେକ କିଛି। କିଏ କିଏ ଖୁସି ହୋଇ ପାଖକୁ ଚାଲି ଆସୁଥାନ୍ତି। ତ କିଏ କିଏ ପାଖରେ ଆସି ନିଜ ଦୁଃଖ କହୁଥାନ୍ତି। କିଏ କହୁ ଥାଏ ଭାଇ ନମସ୍କାର, ତ କିଏ କହୁ ଥାଏ କିରେ ବିକୁ ଏତେ ଦିନ ପରେ। ସମସ୍ତଙ୍କ କଥା ଶୁଣୁଥାଏ ଆଉ ବଲବଲ ହୋଇ ଚାହୁଁ ଥାଏ। ତାକୁ ଲାଗୁ ଥାଏ ସତେ ଯେମିତି ସିଏ ଏକ ଅଜଣା ରାଇଜକୁ ଚାଲି ଆସିଛି। 


ଗାଁ ଭିତରକୁ ଯିବା ବାଟରେ ପଡ଼େ ତା ପିଲାଦିନର ସ୍କୁଲ। ତା ପିଲା ଦିନେ ଗାଁ ରେ ଖାଲି ପ୍ରାଇମେରୀ ସ୍କୁଲ ଥିଲା। ପଞ୍ଚମ ପରେ ଆଗକୁ ପଢ଼ିବାକୁ ହେଲେ, ପିଲାଙ୍କୁ ପାଖ ଗାଁକୁ ଯିବାକୁ ପଡୁଥିଲା। କିନ୍ତୁ ଯେଉଁ ସ୍କୁଲ ସେତେ ବେଳେ ଆଜବେଷ୍ଟ୍ ଘର ଥିଲା ଆଜି ତାହା ଫାଇଭ-ଟି ଯୋଜନାରେ ଦୁଇ ମହଲା କୋଠା ଘର ହୋଇ ଯାଇଛି। ଆଉ ଏବେ ଖାଲି ସେଇଠି ଗାଁର ପ୍ରାଇମେରୀ ସ୍କୁଲ ନାହିଁ, ତା ସାଙ୍ଗେ ସାଙ୍ଗେ ଏବେ ୟୁ.ପି ଓ ହାଇସ୍କୁଲ ମଧ୍ୟ ଛିଡ଼ା ହୋଇଛନ୍ତି। ଏବେ ଆଉ ଗାଁ ପିଲାଙ୍କୁ ପଞ୍ଚମ ଶ୍ରେଣୀ ପରେ ଅନ୍ୟ ଗାଁକୁ ଯିବାକୁ ପଡୁ ନାହିଁ। ଏବେ ବାପା ମାଆ ନିଜ ଛୁଆର ନାମ ପ୍ରଥମ ଶ୍ରେଣୀରେ ଲେଖାଇଲେ ସେମାନେ ଏକାବେଳେ ଦଶ ବର୍ଷ ପରେ ମାଟ୍ରିକ ପାସ ହୋଇ ସ୍କୁଲରୁ ବହାରୁଛନ୍ତି। ସ୍କୁଲ ଚତୁପାର୍ଶ୍ଵ ଥିବା ପାଚେରୀ ରେ ଅନେକ ପ୍ରକାର ସଦ ଉପଦେଶ ଓ ସୁନ୍ଦର ଚିତ୍ର ଆକୃତି ଶୋଭା ବର୍ଦ୍ଧନ କରୁଛି। ହେଲେ ଅତୀତ ଭଳି ଆଉ ସ୍କୁଲ୍ ଚାରି ପେଟ ଧାଡ଼ି ଧାଡ଼ି ହୋଇ ଦେବଦାରୁ ଓ ବଉଳ କୋଳି ଗଛ ନାହିଁ କି ସ୍କୁଲ ଗେଟ ଉପରେ ଆଉ ମଧୁ ମାଳତୀ ଗଛର ଲତା ମାଡ଼ିକି ନାହିଁ। ଆଉ ସ୍କୁଳ ସମ୍ମାନରେ ଯୋଉ ବିରାଟ ଆମ୍ବ ଗଛଟି ଥିଲା। ରାସ୍ତା ଚଉଡ଼ା କରିବା ପାଇଁ ସେ ଆମ୍ବ ଗଛଟିକୁ କାଟି ଦିଆ ଯାଇଛି। ବିକାଶ ସ୍କୁଲରେ ପଢ଼ିଲା ସମୟରେ ହରି ଭାଇ ବୋଲି ଜଣେ ଲୋକ ଗରମ ଗରମ ମୁଢ଼ି ଘୁଗୁନି, ପାମ୍ପଡ଼ ଓ ବୁଟ ଭଜା ବିକିବା ପାଇଁ ସେଇ ସ୍କୁଲ ସାମ୍ନା ଆମ୍ବ ଗଛ ମୂଳକୁ ଆସନ୍ତି। ସ୍କୁଲ ପିଲାଙ୍କ ସିଏ ଭାରି ପ୍ରିୟ। ଖେଳ ଛୁଟି ହେଲା ମାନେ ପିଲେ ଧାଇଁ ଆସନ୍ତି ହରି ଭାଇ ପାଖକୁ। ପଚିଶ ପଇସା ଦେଇ ଠୁଙ୍ଗେ ଖାଇଲେ ପେଟ ଫୁଲ୍। ଏବେ ତ ହରି ଭାଇ ଦୂର ଆକାଶର ତାରା କିନ୍ତୁ ସ୍କୁଲ୍ ସାମ୍ନାରେ ତାଙ୍କ ଛୁଆ ମାନେ ଗୋଟିଏ ଟିଫିନ୍ ସେଣ୍ଟର କରିଛନ୍ତି। ନାଆ ହରି ଭାଇ ଟିଫିନ୍ ସେଣ୍ଟର। ବିକାଶ ଘର ପାଇଁ ସେଇଠୁ କିଛି ମିଠା ଓ ଜଳଖିଆ କିଣି ସାରି ପୁଣି ବଢ଼େ ଆଗକୁ। 


ବିକାଶ ଦେଖେ ଯେଉଁ ଗୋଟେ ଅଧେ ଲୋକ ଚାଷ ବାସ କରୁଛନ୍ତି। ଆଗ ଭଳି ତାଙ୍କ ଘର ସାମ୍ନାରେ ଆଉ ମଇଁଷି ବନ୍ଧା ହୋଇ ନଥାଏ କି ହଳ ଲଙ୍ଗଳ ରଖା ହୋଇ ନଥାଏ। ଏବେ ସେଇ ଜାଗାରେ ଛିଡ଼ା ହୋଇ ଥାଏ ଟ୍ରାକ୍ଟର। ପୁଣି ଆଉ ଟିକେ ଆଗକୁ ଗଲାରୁ ପଡ଼େ ତା ପିଲା ଦିନର ସବୁଠୁ ବଡ଼ ଓ ଧନୀ ଅଭି ଗଉଡ଼ର ଘର, ଯିଏ ଏବେ ଆଦୌ ଧନୀ ହୋଇ ନାହିଁ। ଆଗ ଭଳି ଘରକୁ ଲାଗି ବଡ଼ ଗାଈ ଗୁହାଳ ଥାଏ, ହେଲେ ଆଗ ଭଳି ଆଉ ସେଇଠି ଗଣ୍ଡା ଗଣ୍ଡା ଗାଈ ନଥାନ୍ତି। ଏଇ ହାତ ଗଣତି ପାଞ୍ଚ ଛଅଟା ଗାଈ ଥାନ୍ତି। ଅଭି ଗଉଡ଼ର ତିନି ପୁଅ। ମଝିଆ ଓ ସାନ ପୁଅ ପାଠ ସାଠ ପଢ଼ି ଚାକିରୀ କରି ବାହାରେ ରହୁଛନ୍ତି। କେବେ କେମିତି ଗାଁକୁ ଆସୁଛନ୍ତି ନହେଲେ ନାହିଁ। ଆଉ ରହିଲା ବଡ଼ ପୁଅ। ସିଏ ହେଲା ଗୋଟିଏ ଘୋଡ଼ା ମଦୁଆ। କାମ ଦାମ କିଛି ନାହିଁ। ଆଉ କଥାରେ ନାଇ ବସି ଖାଇଲେ ନଈ ବାଲି ସରିବ। ସେଇ ଭଳି ଗୋଟେ ଗୋଟେ ଗାଈ ବିକି ଆଜିକୁ ଆଉ ଏତିକି ବଳିଛନ୍ତି। ଆଉ କେତେ ଦିନ ଗଲେ ଏଇତିକଙ୍କୁ ମଧ୍ୟ ଦେଖିବାକୁ ମିଳିବନି। ବିକାଶ ପୁଣି ଯେମିତି ଆଉ ଟିକେ ଆଗକୁ ଯାଏ ଦେଖେ ଯୋଉଠି ଆଗରୁ ଗାଁର ଭାଗବତ ଟୁଙ୍ଗି ଥିଲା। ଆଜି ସେଇଠି ଭାଗବତ ଟୁଙ୍ଗି ବଦଳରେ ଅଛି ଗାଁର ନୂଆ କ୍ଲବ ଘର। କିନ୍ତୁ ହଁ ଭାଗବତ ଟୁଙ୍ଗି ପାଖରେ ଥିବା ବୁଢ଼ା ବର ଗଛଟି ସେମିତି ମୁଣ୍ଡ ଟେକି ଛିଡ଼ା ହୋଇଛି ଗାଁ ମଝିରେ। ହେଲେ ବର ଗଛ ମୂଳେ ଥିବା ପିଣ୍ଡିଟି ପୁରା ଫାଙ୍କା ପଡ଼ିଥାଏ। ଯୋଉଠି ଦିନେ ଚବିଶ ଘଣ୍ଟା ଗାଁ ଲୋକଙ୍କ ଖଟି ଜମେ, ବିଭିନ୍ନ ବିଷୟରେ ଆଲୋଚନା ହୁଏ ଆଉ ତାସ୍ ଖେଳ ହୁଏ, ଆଜି ସେଇଠି ଗୋଟେ ହେଲେ ମଣିଷ ନାହାନ୍ତି। ହେଲେ ବର ଗଛ କାଳେ ଏକୁଟିଆ ହୋଇ ଯିବ ବୋଲି, ବାସ୍ ଯୋଡ଼ିଏ କୁକୁର ସୋଇଥାନ୍ତି ସେଇ ପିଣ୍ଡି ଉପରେ। 


ବିକାଶ ମନେ ମନେ ଭାବେ “ଆଜି ସବୁ ଲୋକ ନିଜ ନିଜ କାମରେ ଭାରି ବ୍ୟସ୍ତ। କାହାରି ପାଖରେ ହେଲେ ଟିକେ ସମୟ ନାହିଁ, ଗୋଟିଏ ଯାଗାରେ ବସି ପରସ୍ପର ସହ କଥା ହେବା ପାଇଁ ମଧ୍ୟ। ଆଉ ଏବେ ତ ପ୍ରତି ଘରେ ଟିଭି। ଟିଭି ଖୋଲିଲେ ଦୁନିଆ ଯାକର ଜିନିଷ ଆଖି ଆଗରେ। ବୁଢ଼ା ବୁଢ଼ୀ ସକାଳୁ ଉଠିବାରୁ ନେଇ ରାତିରେ ଶୋଇବା ଯାଏଁ ତାଙ୍କ ସମୟ ସେଇ ଟିଭି ସମ୍ମାନରେ କଟୁଛି। ସିଏ ଆଉ କାହିଁ କି ଭାଗବତ ଟୁଙ୍ଗି ଖୋଜିବେ? ଆଉ ବାକି ରହିଲେ ଯୁବ ପୀଢ଼ି, ତାଙ୍କର ତ ଏବେ ସ୍ମାର୍ଟ ଫୋନ୍ ସବୁ କିଛି। ଫୋନ ବାହାରେ ମଧ୍ୟ ଗୋଟିଏ ଦୁନିଆ ଅଛି ସେଥିରୁ ତାଙ୍କୁ କିଛି ଯାଏ ଆସେ ନାହିଁ। ସାଙ୍ଗ ସାଥି ସବୁ ଏବେ ସେଇ ଫୋନ ଭିତରେ। ଆଜି ବାପା ମାଆ ପିଲା ମୁହଁକୁ ମୁହଁ ଦେଇ ବସିଲେ ମଧ୍ୟ ସମସ୍ତଙ୍କ ହାତରେ ଗୋଟେ ଗୋଟେ ଫୋନ ରହୁଛି। ଏକାଠି ବସିଲେ ଉଠିଲେ ମଧ୍ୟ କେହି କାହା ସଙ୍ଗରେ କଥା ହଉ ନାହାଁନ୍ତି। ଆଗରୁ ଛୋଟ ଛୁଆ ଭାତ ନ ଖାଇଲେ ମାଆ ମାନେ ଜହ୍ନ ମାମୁକୁ ଦେଖେଇ ଭାତ ଖୁଆଇ ଦଉଥିଲେ। କିନ୍ତୁ ଆଜିର ଛୁଆ ମାନଙ୍କୁ ଫୋନ ନ ଦେଲେ କାନ୍ଦିକି ତଳେ ଗଡ଼ି ଯାଉଛନ୍ତି ସିନା ଭାତ ଖାଉ ନାହାନ୍ତି। ଆଗରୁ ଛୁଆମାନେ ବୁଢ଼ୀ ଆଈ ମାଆ ମାନଙ୍କ ପାଖରୁ ବୁଢ଼ୀ ଅସୁରୁଣୀ, ଟୁଆଁ ଟୁଇଁ, ରାଜା ରାଣୀ ଭଳି କାହିଁ କେତେ କଥା ଶୁଣୁ ଥିଲେ। ହେଲେ ଆଜିର ଛୁଆଙ୍କୁ ଗପ ଶୁଣିବାକୁ ହେଲେ ସାଙ୍ଗେ ସାଙ୍ଗେ ମାଆ ମାନେ ୟୁଟ୍ୟୁବ ଖୋଲି ଗପ ଶୁଣେଇ ଦଉଛନ୍ତି। ଆଉ ଆଜି ସହର ପିଲାଙ୍କ କଥା ଛାଡ଼, ଗାଁ ପିଲେ ମଧ୍ୟ ମାତୃ ଭାଷାକୁ ଭଲ ଭାବେ ପଢ଼ି ପାରୁ ନାହାଁନ୍ତି। ତାଙ୍କୁ କୁଆଡ଼େ ଓଡ଼ିଆରେ କଥା ହେଲେ ଲାଜ ଅନୁଭବ ହେଉଛି। ସେମାନେ କୋଉ ଜାଣିଛନ୍ତି ଏଇ ଭାଷା ପାଇଁ କାହିଁ କେତେ ସଂଗ୍ରାମ ହେଇଛି, କାହିଁ କେତେ ବୀର ଏଇ ଭାଷା ପାଇଁ ନିଜ ଜୀବନର ବଳିଦାନ ଦେଇଛନ୍ତି। ଆଉ ଆମ ଓଡ଼ିଆଙ୍କ ମୌଡ ମଣି ଜଗତର ନାଥ ଜଗନ୍ନାଥ ପଛେ ପ୍ରତି ଦିନ ଶାଗ ପଖାଳ ଖାଆନ୍ତୁ, ଆଜିକାର ପିଲାଙ୍କୁ ପଖାଳ କଥା କହିଲେ ଗନ୍ଧାଉଛି। ପୂଜା ପାର୍ବଣରେ ଘର ମାନକରେ ଆଉ ପିଠା ପଣା ହଉନି। ଏବେ ରୋଲ, ଚାଉମିନି, ମୋମୋ, ପିଜା, ବର୍ଗର ରେ ପିଲାଙ୍କ ଆଗ୍ରହ। କିନ୍ତୁ କଣ ବା କରି ହେବ? ଆମ ଉପଦେଶ କେବେ ଏ ପିଢ଼ିଙ୍କ ପାଇଁ ଗ୍ରହଣୀୟ ନୁହେଁ।”


ଆଉ ଏମିତି ଗୁଡ଼ାଏ କଥା ଭାବିଲା ଭିତରେ ବିକାଶ ଆସି ପହଞ୍ଚି ଯାଏ ନିଜ ଗାଁ ଘର ସମ୍ମାନରେ। ସେତେ ବେଳର ଚାଳ ଛପରର ଘର ଆଜି ବଡ଼ କୋଠା ଘର ରେ ରୂପାନ୍ତରିତ। ଆଉ ଘର ପାର୍ଶ୍ଵରେ ଥିବା ଗାଈ ଗୁହାଳ ଏବେ ଗ୍ୟାରେଜ ରେ ପରିଣତ। ବିକାଶ ଘରଟିକୁ ଏମିତି ଛିଡ଼ା ହୋଇ ତଳୁ ଉପର ଯାଏଁ ଦେଖିଲା ଭିତରେ, କୁଆଡ଼େ ଥିଲେ ତା ଦାଦା ଖୁସିରେ ମୋ “ବିକୁଟା କିରେ” କହି ଧାଇଁ ଆସି ଖୁଣ୍ଡେଇ ପକାନ୍ତି, ଆଉ ସ୍ନେହର ସହିତ ଘର ଭିତରକୁ ପାଛୋଟି ନିଅନ୍ତି। ଏତେ ବର୍ଷ ପରେ ଗାଁକୁ ଆସିଥିବାରୁ ପରିବାରର ସମସ୍ତେ ଖୁବ୍ ଆଦର କରୁଥାନ୍ତି ତାକୁ। କିନ୍ତୁ ବିକାଶ ମନେ ମନେ ଭାବେ “୨୮ ବର୍ଷ ଭିତରେ ପରିବାରର ସମସ୍ତେ କେବେ ନା କେବେ ଭୁବନେଶ୍ଵର ଯାଇଛନ୍ତି ଆଉ ଏହା ଜାଣିବା ସତ୍ୟେ ବିକାଶ ଭୁବନେଶ୍ୱରରେ ରୁହେ କେହି କେବେ ତାକୁ ଦେଖା କରିବା ପାଇଁ ଟିକେ ଯାଇ ନାହାଁନ୍ତି। ଅକାଳେ ସକାଳେ କେହି କେବେ ଫୋନ ଟିଏ ମଧ୍ୟ କରନ୍ତି ନାହିଁ। ଏମିତି କୋଉ ବାହା, ବ୍ରତ ବା ଭଲ ମନ୍ଦ କାର୍ଯ୍ୟ ହେଲେ ଲୋଡ଼ିବା ପାଇଁ ଫୋନ ଟିଏ କରନ୍ତି। ଆଉ ଆଜି ଏତେ ଭଲପାଇବା କୋଉଥି ପାଇଁ?” ହଁ ତା ଦାଦା କିନ୍ତୁ କେତେ ବେଳେ କେମିତି ପଳେଇ ଯାଆନ୍ତି ତାକୁ ଦେଖା କରିବା ପାଇଁ। ଆଉ ବେଶ୍ କିଛି ସମୟ ପରିବାର ଲୋକଙ୍କ ସହ କଟିଲା ପରେ ବିକାଶ ଚାଲି ଆସେ ତାଙ୍କ ବଡ଼ ବାରି ବୁଲିବା ପାଇଁ। ହେଲେ ବାରି ମଧ୍ୟ ସଂପୂର୍ଣ୍ଣ ବଦଳି ଯାଇ ଥାଏ। ଆଗ ଭଳି ସେଠି ଆଉ ଜାତି ଜାତିକା ଶାଗ ଓ ପନିପରିବା ଗଛ ଲାଗି ନଥାଏ। ସହ ସହ ଫୁଲ ଗଛ ଯାଗାରେ ଏବେ ଥାଏ ମାତ୍ର ଆଠ ଦଶଟି ଫୁଲ ଗଛ। ପଣସ ଓ ପିଜୁଳି ଗଛଟି କଟା ହୋଇ ସାରିଥାଏ। ବାସ୍ ଆମ୍ବ,ସଜନା ଓ ଦୁଇଟି ନଡ଼ିଆ ଗଛ ଥାଏ। ବାରି ଠାରୁ ଅନତି ଦୂରରେ ବହି ଯାଇ ଥାଏ ଗାଁର ନଈ। ବିକାଶ ଗହିର ଭିତରେ ଭିତରେ ପଳେଇ ଯାଏ ନଈ କୂଳକୁ। ନଈ ପାଣିରେ ଗୋଡ଼, ହାତ, ମୁହଁ ଟିକେ ଧୋଇ ହେଇ ଯାଏ। ଆଉ ନଈ ପାଣି ଟିକେ ପିଇ ଦେଇ, ଯାଇ ବସି ପଡ଼େ ନଈ କୁଳରେ ଥିବା ଏକ ଚଟାଣ ଉପରେ। ଆଉ ନଈର ସ୍ରୋତକୁ ଚାହିଁ ନିଜକୁ ନିଜେ କୁହେ “ସତରେ କେତେ ଭଲ ଓ ସୁନ୍ଦର ଥିଲା ସେଇ ପିଲା ଦିନ, ନା କୌଣସି ଜିନିଷର ଅଭାବ ଥିଲା ନା କୌଣସି ଜିନିଷର ଚିନ୍ତା। ସମୟ ନଈରେ ସେଇ ପିଲା ଦିନ କୁଆଡ଼େ ଭାଷୀ ଗଲା ଆଦୌ ଜଣା ପଡ଼ିଲା ନାହିଁ। ସବୁ କିଛି ବଦଳି ଯାଇଛି। ଅନେକ ସ୍ମୃତି ଓ ଅନେକ ଲୋକ ଜୀବନ ଖାତାରୁ ଲିଭି ଗଲେଣି। ଆଉ ଗାଁ ଏବେ ଗାଁ ହୋଇ ନାହିଁ। ପରିବେଶ, ସଂସ୍କୃତି, ପରମ୍ପରା ଓ ସଭ୍ୟତା ସବୁ କିଛି ହଜି ଗଲାଣି। ସହର ମାଡ଼ି ମାଡ଼ି ଆସି ଗାଁରେ ଘର କଲାଣି। କିଛି କିଛି ଆଧୁନିକତା କୁ ହଜମ କରି ହଉଛି ଆଉ କିଛି ଆଧୁନିକତା କୁ ବିଲକୁଲ ହଜମ କରି ହଉନି।”


କିନ୍ତୁ ସେଇଠୁ ମନକୁ କଣ ଆସେ କେଜାଣି? ଘରକୁ ଆସିଲା ପରେ ଭୋଜି ଗହଳି, ସାଜ ସଜା, ବାଜା ଗୀତ, ଚକଚକ ଲାଇଟକୁ ପଛ କରି ବିକାଶ ଚାଲିଲା ତାଙ୍କ ଆମ୍ବ ତୋଟା ଯୋଉଠି ଶେଷ ହେଇଛି ସେଇଠୁ ଆରମ୍ଭ ହେଇ ଥିବା ବାଉଁଶ ବଣ ଆଡ଼କୁ, ପଛରୁ କିଏ ଜଣେ ଡାକ ଦେଇ କହିଲା “ଆରେ ସିଆଡ଼େ କୁଆଡ଼େ ଏକୁଟିଆ ଯାଉଛୁ?”, “ମୁଁ ଏଇ ଆସୁଛି...” କହି ଆଗେଇ ଚାଲିଲା ବିକାଶ, ଏଇଟା ଭାବି ଯେ ବଞ୍ଚି ଥିବା ଲୋକଙ୍କ ଆନ୍ତରିକ ବିହୀନ ଚର୍ଚ୍ଚା ଆଉ କୃତ୍ରିମ ହସ ଠାରୁ କାହିଁ କେତେ ଗୁଣରେ ଭଲ ଥିବ ଲୋକଙ୍କ ନିରିବ ପ୍ରେମ ଓ ଖାଦବିହିନ ଆନ୍ତରିକତା।


ଆଉ ସତରେ ନିର୍ଭୟ ଭାବେ ସିଏ ଠିଆ ହୋଇ ଥାଏ ସେଇ ବାଉଁଶ ବଣକୁ ଚାହିଁ। ଶିଉଳି ଲଗା ଛୋଟ ଛୋଟ ଧଳା ସମାଧି ଭିତରେ ଦେଖା ଯାଉଥିଲା ତାକୁ ତା ମାଆର ସିନ୍ଦୂର ଲଗା ସୁନ୍ଦର ମୁହଁ ଓ ବାପାଙ୍କ ହସ ହସ ମୁହଁ। ତାକୁ ଅନୁଭବ ହୁଏ ଯେମିତି ଚିର ନିଦ୍ରାରେ ଶୋଇ ଯାଇଥିବା ତା ବାପ ମାଆ ଉଠି ପଡ଼ି, ହାତ ଠାରି ନିଜ ପାଖକୁ ଡାକୁଛନ୍ତି ତାକୁ, ପିଲା ଦିନ ଭଳି ଟିକେ କୋଳରେ ଧରି ଗେଲ କରି ଦେବାକୁ। ବିକାଶ ତା ବାପା ମାଆଙ୍କ ସମାଧି ପାଖରେ ଯାଇ ବସି ପଡ଼େ, ଆଉ ନିଜ ହାତରେ ଜାବୁଡ଼ି କୁଣ୍ଡେଇ ପକାଏ ସେଇ ସମାଧି ପଥର ଟିକୁ। ଠିକ୍ ଯେମିତି ସିଏ ଛୁଟିରେ ସହରରୁ ଗାଁକୁ ଆସିଲେ ଖୁସିରେ କୁଣ୍ଡେଇ ପକାଏ ତା ବାପା ମାଆଙ୍କୁ। ଆଖିରୁ ଆପେ ଆପେ ନିଗିଡ଼ି ଯାଏ ଅନେକ ଧାର ଧାର ଲୁହ। ସେ ଲୁହ ଯେମିତି ବିକଳ ହୋଇ ଅନୁରୋଧ କରୁଥାନ୍ତି ପୁଣି ଫେରି ଆସିବା ପାଇଁ ତା ବାପ ମାଆଙ୍କୁ ତା ପାଖକୁ। ସଞ୍ଜ ନଇଁ ଆସୁ ଥାଏ, ପଶ୍ଚିମ ଆକାଶ ରକ୍ତିମ ରଙ୍ଗରେ ସଜେଇ ହୋଇ ଦିନଠାରୁ ବିଦାୟ ମାଗୁ ଥାଏ ରାତ୍ରିର ଧବଳ ବେଶରେ ସଜେଇ ହେବା ପାଇଁ। ବିକାଶ ଯେମିତି ସେମିତି ତା ମନ ଭିତରେ ଚାପିବାକୁ ଚେଷ୍ଟା କରେ ତା କୋହ ଭରା ଆବେଗ ଓ ପ୍ରୀତି ଭରା ଲୁହକୁ। ସମାଧି ପାଖରୁ କିଛି ସନ୍ତସନ୍ତିଆ ଲାଗୁଥିବା ମାଟିକୁ ଆଣି ନିଜ ମୁଣ୍ଡରେ ମାରି ଦିଏ ଆଉ ପକେଟରୁ ଧଳା ରୁମାଲ୍ ଟିଏ କାଢ଼ି ବାନ୍ଧି ଦିଏ ଟିକେ ସେଇ ମାଟିରୁ। ଲାଗିଲା ମାଟି ନୁହେଁ ବରଂ ତା ବାପା ମାଆଙ୍କ ସ୍ମୃତି ଓ ଅସୀମ ଭଲ ପାଇବାକୁ ଗଣ୍ଠି ବାନ୍ଧି ସାଇତି ରଖିଲା ତା ହୃଦୟର ସାତ ତଳ ପୋଖରୀ ଭିତରେ।


ପରେ ପିଲା ଦିନର ସାଙ୍ଗସାଥି ଓ ପରିବାର ଲୋକଙ୍କ ମେଳରେ କେମିତି କଟି ଯାଏ ରାତିଟା ବିକାଶକୁ ମୋଟେ ଜଣା ପଡ଼େନି। ଆଉ ସକାଳ ପହିଲାରୁ ପୁଣି ବିକାଶ ବାହରି ପଡ଼େ ସହର ଅଭିମୁଖେ। ହେଲେ ଏଇଥର ଗାଁରୁ ସହରକୁ ଗଲା ବେଳେ ବିକାଶ ପାଇଁ ତା ମାଆ ଭଳି ତା ମନ ଜାଣି କେହି ବାନ୍ଧି ଦେଇ ନଥାନ୍ତି ଚୁଡ଼ା, ଛତୁଆ, ବୁଟ, ମଟର, ବଡ଼ି, ପାମ୍ପଡ଼, ମିଠା, ଖଜା, ପିଠା ଓ ଆହୁରି ଅନେକ ଜିନିଷ। କି କେହି ଦେଇ ନଥାନ୍ତି ଟିଫିନ୍ ରେ ପରଟା କୁ ଆଳୁ ଭଜା, ବାଟରେ ଭୋକ କରିଲେ ଖାଇବା ପାଇଁ। ଆଉ ବାପା ଆସି ନଥାନ୍ତି ତା ସାଙ୍ଗରେ, ତାକୁ ବସ୍ ରେ ବସାଇବା ପାଇଁ। ଗାଡ଼ିରେ ବସିବା ପୂର୍ବରୁ ବିକାଶ ପଛକୁ ବୁଲି ପୁଣି ଆଖି ବୁଲେଇ ଅଣେ ଗାଁ ଉପରୁ। ଅନୁଭବ ହୁଏ ଯେମିତି ତା ଜନ୍ମ ମାଟି ତା ମାଆଙ୍କ ପରି ଆଖିରେ ଅନାବିଳ ସ୍ନେହର ଲୁହ ସବୁକୁ ଲୁଚାଇବାର ବୃଥା ପ୍ରୟାସ କରିବା ସାଙ୍ଗେ ସାଙ୍ଗେ ପଚାରୁଛି “ପୁଣି କେବେ ଆସିବୁ ରେ ବିକୁ?”



Rate this content
Log in

Similar oriya story from Abstract