ଲୁହର ହୋଲି
ଲୁହର ହୋଲି
ତିନି ଚାରି ବର୍ଷ ହେଲା ମାନସଙ୍କୁ ଅଫିସରୁ ଛୁଟି ନ ମିଳି ପାରିବା କାରଣରୁ ସିଏ ହୋଲି ରେ ନିଜ ଘରକୁ ଯାଇ ପାରୁ ନଥିଲେ। ହେଲେ ସେଇ ବର୍ଷ ହୋଲିରେ ତାଙ୍କୁ ନିଜ ଘରକୁ ଯିବାର ସୁଯୋଗ ମିଳି ଥିଲା। ସେଇ ବର୍ଷ ହୋଲି ମାନସ ଗୋଟିଏ ଘର ଭିତରେ ବନ୍ଦ ହୋଇ ଲାପଟପ୍ ସାମ୍ନାରେ ନୁହେଁ ବରଂ ନିଜ ଗାଆଁ ରେ ନିଜ ପ୍ରିୟଜନ ମାନଙ୍କ ସହିତ ମିଶି ଆନନ୍ଦ ଉଲ୍ଲାସରେ ପାଳିବାକୁ ଯାଉଥିଲେ। ସେଥି ପାଇଁ ମାନସଙ୍କ ଖୁସି କହିଲେ ନ ସରେ। ହେଲେ ସେଇ ବର୍ଷ ଯେ ମାନସଙ୍କୁ ହୋଲି ରେ ନିଜ ଘରକୁ ଯିବା ପାଇଁ ଛୁଟି ମଞ୍ଜୁର ହେଇ ଥିଲା। ସେଇଟା ସିଏ କାହାରିକୁ ହେଲେ ଜଣାଇ ନଥିଲେ। କାରଣ ସିଏ ହୋଲି ପୂର୍ବ ରାତି ହଠାତ୍ ଘରେ ପହଞ୍ଚି ସମସ୍ତଙ୍କୁ ଖୁସି କରିବେ ବୋଲି ଯୋଜନା କରି ଥିଲେ। ଗାଆଁକୁ ଯିବା ପାଇଁ ମାନସଙ୍କ ସବୁ ପ୍ରକାରର ବ୍ୟବସ୍ଥା ହୋଇ ସାରି ଥିଲା।
ହୋଲିକୁ ଆଉ ଦୁଇ ଦିନ ଖଣ୍ଡେ ବାକି ଥାଏ। ମାନସ ଗାଆଁକୁ ଯିବା ପାଇଁ ଏତେ ଉତ୍ସାହିତ ଥାନ୍ତି ଯେ ଟ୍ରେନ ଆସିବାର ଦୁଇ ଘଣ୍ଟା ଆଗରୁ ଯାଇ ଷ୍ଟେସନରେ ପହଞ୍ଚି ଯାଇ ଥିଲେ। ଟ୍ରେନ ନିର୍ଦ୍ଧାରିତ ସମୟରେ ଆସି ଷ୍ଟେସନରେ ପହଞ୍ଚି ଯାଏ। ବହୁତ୍ ଖୁସିର ସହିତ ଟ୍ରେନରେ ଚଢ଼ନ୍ତି ମାନସ। ଟ୍ରେନରେ ବସିଲା ବେଳୁ ଛୁଟି କେମିତି କାଟିବେ, ଗାଆଁ ରେ କଣ କଣ କରିବେ ବୋଲି ନାନାଦି ଯୋଜନା ସବୁ ବୁଣା ହେବା ଆରମ୍ଭ ହୋଇ ଯାଇ ଥାଏ ତାଙ୍କ ମନ ଅଗଣାରେ। ଆଉ ଏତିକି ଭିତରେ ଅନେକ ଗୁଡ଼ାଏ ବାଟ ମଧ୍ୟ ଅତିକ୍ରମ ହୋଇ ସାରି ଥାଏ। ଆଉ ଗୋଟିଏ ଛୋଟିଆ ଷ୍ଟେସନରେ ଆସି ଛିଡ଼ା ହୋଇ ଥାଏ ଟ୍ରେନଟି। ସେଇ ଷ୍ଟେସନରୁ ଜଣେ ୨୭-୨୮ ବୟସର ଯୁବକ ଟ୍ରେନରେ ଚଢ଼ନ୍ତି। ଆଉ ମାନସଙ୍କ ସାମ୍ନା ସିଟ୍ ରେ ଆସି ବସନ୍ତି। ବସିବାର କିଛି ମୁହୂର୍ତ୍ତ ଭିତରେ ଦୁହେଁଙ୍କ ବନ୍ଧୁତା ହୋଇ ଯାଏ।
“ତୁମ ନାମ କଣ ଭାଇ?” ପଚାରନ୍ତି ମାନସ
“ଭାଇ ମୋ ନାମ ସୁଦୀପ୍ତ। ଆପଣଙ୍କ ନାମ କଣ?”
“ମୋ ନାମ ମାନସ। ଆଉ କଣ କରୁଛ ତୁମେ?”
“ଭାଇ ମୁଁ ଏନ.ଆଇ.ଟି ରୁ ଇଞ୍ଜିନିୟରିଂ ସାରି ବର୍ତ୍ତମାନ ଗୋଟିଏ କମ୍ପାନୀରେ ସଫ୍ଟୱେର ଇଞ୍ଜିନିୟର ଅଛି। ଆଉ ଆପଣ କଣ କରୁଛନ୍ତି?”
“ମୁଁ ମଧ୍ୟ ଚେନ୍ନାଇରେ ଏକ ସଫ୍ଟୱେର କମ୍ପାନୀରେ କାମ କରେ। ତିନି ଚାରି ବର୍ଷ ହେଲା ହୋଲିରେ ଛୁଟି ମିଳୁ ନଥିବାରୁ ମୁଁ ଗାଆଁକୁ ଯାଇ ପାରୁ ନଥିଲି। କିନ୍ତୁ ଯାହା ହଉ ଭଗବାନଙ୍କ ଦୟାରୁ ଏଇ ବର୍ଷ ମୋତେ ଛୁଟି ମିଳିଛି। ସେଥି ପାଇଁ ଘରେ ମଧ୍ୟ କାହାକୁ କହି ନାହିଁ। ହଠାତ୍ ଯାଇ ଘରେ ପହଞ୍ଚିଲେ ମୋତେ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯିବେ ଆଉ ବହୁତ୍ ଖୁସି ମଧ୍ୟ ହେବେ। ଆଉ ତୁମେ କୁହ। ତୁମର ହୋଲି ପାଇଁ କଣ ଯୋଜନା ଅଛି?”
ଏତିକି ଶୁଣିଲା ପରେ ହାଠାତ୍ ସୁଦୀପ୍ତଙ୍କ ହସ ହସିଆ ମୁହଁରେ ଗ୍ରହଣ ଲାଗିଗଲା ଯେମିତି। ଆଖି ତଳେ ଥିବା ନଈ ରେ ସତେ ଯେମିତି ଜୁଆର ମାଡ଼ି ଆସିଲା। ଆଉ ସେଇ ଜୁଆରକୁ ଲୁଚାଇବା ପାଇଁ ନ ଜାଣିଲା ପରି ସେଇଠାରୁ ଉଠି ଚାଲି ଆସି ଟ୍ରେନ ଗେଟ୍ ପାଖରେ ଯାଇ ଛିଡ଼ା ହୁଅନ୍ତି ସୁଦୀପ୍ତ। ହଠାତ୍ ଏମିତି ଉଠି ଚାଲି ଯିବାର ଦେଖି ମାନସ କିଛି ବୁଝି ପାରିଲେ ନାହିଁ। ୧୫-୨୦ ମିନିଟ୍ ପରେ ମଧ୍ୟ ଯେତେ ବେଳେ ସୁଦୀପ୍ତ ନିଜ ଜାଗାକୁ ଫେରିଲେ ନାହିଁ। କୁଆଡ଼େ ଗଲେ କଣ ହେଲା ବୋଲି ମାନସ ଦେଖିବାକୁ ଯାଇ ପାଇଲେ ସୁଦୀପ୍ତ ଟ୍ରେନର ଗେଟ୍ ପାଖରେ ଛିଡ଼ା ହୋଇ ବାହାରକୁ ଚାହିଁ କାନ୍ଦୁଛନ୍ତି।
“କଣ ହେଲା ସୁଦୀପ୍ତ ତମେ ଏଇଠି ଛିଡ଼ା ହୋଇ କାନ୍ଦୁଛ କଣ ପାଇଁ? ମୁଁ ଭାବିଲି ତୁମେ ୱାସ ରୁମ୍ ଆସିଛ। ହେଲେ ଏତେ ସମୟ ପରେ ମଧ୍ୟ ସିଟକୁ ନ ଫେରିବାରୁ ମୁଁ ଆସି ଦେଖିଲା ବେଳକୁ ତୁମେ ଏଇଠି ଆସି କାନ୍ଦୁଛ। କଣ ହେଲା ତୁମର? ତୁମେ କାନ୍ଦିଲେ ଜମା ହେଲେ ଭଲ ଦେଖା ଯାଉନ। କାନ୍ଦନି ମୋ ଭାଇଟା ପରା।” ବ୍ୟସ୍ତ ହୋଇ ପଚାରନ୍ତି ମାନସ। ଆଉ ସୁଦୀପ୍ତଙ୍କ ଲୁହ ପୋଛି ଦେଇ ତାଙ୍କୁ ସିଟରେ ଆଣି ବସାନ୍ତି। ଆଉ ପିଇବା ପାଇଁ ପାଖରେ ଥିବା ଥଣ୍ଡା ମଧ୍ୟ ଦିୟନ୍ତି। ସୁଦୀପ୍ତ ଟିକେ ଶାନ୍ତ ହେଲା ପରେ ମାନସ ସୁଦୀପ୍ତ ପାଖରେ ଯାଇ ବସନ୍ତି ଓ ତାଙ୍କ କାନ୍ଧରେ ବଡ଼ ଭାଇ ଭଳି ହାତ ପକାଇ ପଚାରନ୍ତି
“କଣ ହେଲା ତୁମର ସୁଦୀପ୍ତ? ହଠାତ୍ ଏମିତି ଉଠିକି ଯାଇ କାନ୍ଦିଲ କଣ ପାଇଁ? କୁହ।”
ଗୋଟିଏ ଦୀର୍ଘ ନିଃଶ୍ୱାସ ମାରି ସୁଦୀପ୍ତ କହିବା ଆରମ୍ଭ କରନ୍ତି
“ଭାଇ ହୋଲି ଦିନ ହଉଛି ମୋ ଜନ୍ମ ଦିନ। ପାଞ୍ଚ ବର୍ଷ ତଳର କଥା। ସେଇ ବର୍ଷ ପରୀକ୍ଷା ଥିବା ଯୋଗୁଁ ହୋଲିରେ ମୁଁ ଘରକୁ ଯାଇ ପାରି ନଥିଲି। ସେଥି ପାଇଁ ମୋ ମନ ଦୁଃଖ ଥାଏ କାରଣ ହୋଲି ମୋର ସବୁ ଠାରୁ ପ୍ରିୟ ପର୍ବ। ସକାଳେ ବାବା ମାଆଙ୍କୁ ହୋଲି ମାରି ସରିଲା ପରେ ସାଙ୍ଗ ମାନଙ୍କ ସହ ମିଶି ହୋଲି ଖେଳେ ଆଉ ସେଇ ଦିନ ଏକା ଜନ୍ମ ଦିନ ହୋଇ ଥିବାରୁ ସନ୍ଧ୍ୟା ବେଳେ ନୂଆ ଡ୍ରେସ ପିନ୍ଧି ବାବା ଆଉ ମାଆ ସହିତ ମନ୍ଦିର ଯାଏ। ଆଉ ମନ୍ଦିରରୁ ଆସିଲା ପରେ ଘରେ କେକ୍ କଟା ହୁଏ ଆଉ ଭୋଜି ମଧ୍ୟ ହୁଏ। କିନ୍ତୁ ସେଇ ବର୍ଷ ପ୍ରଥମ ଥର ପାଇଁ ମୁଁ ଘର ଠାରୁ ଦୂରରେ ଥିଲି। କିନ୍ତୁ ମୋ ବାବା ଆଉ ମାଆ ମୋତେ ଖୁସି କରିବା ପାଇଁ ମୋତେ ନ ଜଣେଇ ହଷ୍ଟେଲକୁ ମୋ ପାଖକୁ ଆସୁ ଥିଲେ। ସେଇ ଦିନ ମୁଁ ରୁମରେ ଏକୁଟିଆ ମନ ମାରି ବସି ଥାଏ। ହୋଲି ଖେଳିବା ପାଇଁ ଯାଇ ନଥାଏ। ହେଲେ ସାଙ୍ଗ ମାନେ ବହୁତ ବାଧ୍ୟ କରିବାରୁ ତଳକୁ ଯାଇ ଟିକେ କଣ ହୋଲି ଖେଳି ଥିବି। ମୋ ଫୋନକୁ ଡାକ୍ତରଖାନାରୁ ଫୋନ ଆସିଲା ଯେ ତୁମ ବାବା ମାଆଙ୍କ ଗାଡ଼ିକୁ ପଛ ପଟୁ ଗୋଟିଏ ଟ୍ରକ ଆସି ପିଟି ଦେବାରୁ ସେମାନେ ଏକ ବହୁତ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଆଉ ବର୍ତ୍ତମାନ ଆମ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଯେତେ ଶୀଘ୍ର ହଉଛି ଡ଼ାକ୍ତରଖାନାରେ ଆସି ପହଞ୍ଚ। ଏତିକି ଶୁଣିଲା ପରେ ମୋ ପାଦ ତଳୁ ମାଟି ଖସି ଗଲା ଯେମିତି। କିନ୍ତୁ ନିଜକୁ ନିଜେ ସମ୍ଭାଳିଲି ଆଉ ଯଥା ଶୀଘ୍ର ଯାଇ ଡାକ୍ତରଖାନାରେ ପହଞ୍ଚିଲି। ଆଉ ଡାକ୍ତରଖାନା ରେ ପହଞ୍ଚିଲା ବେଳକୁ ଜାଣିବାକୁ ପାଇଲି ଯେ ଅତ୍ୟାଧିକ ରକ୍ତ ବୋହି ଯିବା କାରଣରୁ ଦୁହେଁ ମୋତେ ସବୁ ଦିନ ପାଇଁ ଏଇ ଦୁନିଆ ରେ ଏକୁଟିଆ କରି ଦେଇ ଯାଇ ସାରି ଥିଲେ। ତାଙ୍କୁ ରକ୍ତ ଯୁଡୁବୁଡୁ ଶରୀରକୁ ଦେଖି ଲାଗୁ ଥିଲା ସତେ ଯେମିତ ଦୁହେଁ ରକ୍ତର ହୋଲି ଖେଳି ଅତ୍ୟନ୍ତ ହାଲିଆ ହୋଇ ଶୋଇ ଯାଇଛନ୍ତି ଚିର ନିଦ୍ରାରେ। ଏତେ ହାଲିଆ ଯେ ଆଉ କେବେ ଉଠିବେନି। ସେବେ ଠାରୁ ମାଆ ବୋଲି ଡାକିଲେ ଆଉ "ହଁ ରେ ଧନ" ବୋଲି ଶୁଣିବାକୁ ମିଳୁନି। ଏବେ ସେଇ ମାଆ ଡାକଟି ଶୂନ୍ୟରେ ଫେରି ଆସୁଛି ମୋ ପାଖକୁ। ଆଉ ବାବା ଏଇଟା ଆଣି ଦେବ ସେଇଟା ଆଣି ଦେବ ବୋଲି ବରାତ କଲେ। ସେଇଟା ସେମିତି ବରାତ ହୋଇ ରହି ଯାଉଛି ସବୁ ଦିନ ପାଇଁ। ଆଉ ଲାଗୁଛି ସତେ ଯେମିତି ଏଇ ଦୁନିଆ ରେ ମୋର ଶୁଣିବା ପାଇଁ କେହି ନାହାଁନ୍ତି। ସେବେ ଠାରୁ ପ୍ରତିଟି ହୋଲି ରେ ମୁଁ ଘରକୁ ଯାଏ। ହେଲେ ଜନ୍ମ ଦିନ କି ହୋଲି ପାଳିବା ପାଇଁ ନୁହେଁ ବରଂ ମୋ ବାବା ମାଆଙ୍କ ଶ୍ରାଦ୍ଧ ବାର୍ଷିକୀ ରେ ଶ୍ରାଦ୍ଧ ଦେବା ପାଇଁ। ଆଉ ସେବେ ଠାରୁ ହୋଲି ରେ ଯେଉଁଠି ସବୁ ଲୋକ ରଙ୍ଗ ଅବିରରେ ହୋଲି ଖେଳନ୍ତି, ମୁଁ ମୋ ଲୁହରେ ହୋଲି ଖେଳେ।”
ଏତିକି ସବୁ କହିଲା ଭିତାରେ ସୁଦୀପ୍ତଙ୍କ ଅଜଣତା ରେ ତାଙ୍କ ଆଖିରୁ ଅମାନିଆ ଲୁହ ସବୁ ବୋହି ଚାଲି ଥାନ୍ତି ଧାର ଧାର ହୋଇ। ଆଉ ମାନସ, ସିଏ ମଧ୍ୟ ସୁଦୀପ୍ତଙ୍କ କଥା ଶୁଣି ପୁରାପୁରି ନୀରବ ପାଲଟି ଯାଇଥାନ୍ତି। କଣ କହି ଯେ ସିଏ ସୁଦୀପ୍ତଙ୍କୁ ଆଶ୍ଵାସନା ଦେବେ। ସିଏ ନିଜେ ମଧ୍ୟ ଜାଣି ପାରୁ ନଥାନ୍ତି। ସୁଦୀପ୍ତଙ୍କ ଷ୍ଟେସନ ପାଖେଇ ଆସି ଥାଏ। ସୁଦୀପ୍ତ ନିଜ ଆଖିରୁ ଲୁହ ପୋଛି ଦେଇ ମାନସଙ୍କୁ କୁହନ୍ତି
“କ୍ଷମା କରିବେ ଭାଇ ଆପଣ କେତେ ଖୁସି ଥିଲେ। ମୁଁ ଏତେ କଥା କହି ଆପଣଙ୍କୁ ଦୁଃଖୀ କରି ଦେଲି।”
“ଆରେ ନା ନା ସେମିତି କିଛି ନାହିଁ। ଏମିତି ବହୁତ୍ କମ୍ ଲୋକ ଥାନ୍ତି ଯିଏ ମନ ଖୋଲି ନିଜର ଦୁଃଖ ଗୋଟିଏ ଅଜଣା ଅଚିହ୍ନା ଲୋକ ପାଖରେ କୁହନ୍ତି। ଆଉ ତୁମେ ସେଇ ମଧ୍ୟରୁ ଜଣେ। ତୁମ ସହିତ କାଟି ଥିବା ଏଇ ସମୟ ସବୁ ମୋର ସବୁ ଦିନ ପାଇଁ ମନ ରହିବ। ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ତୁମକୁ ସିଏ ଦୁନିଆର ସମସ୍ତ ସୁଖ, ଶାନ୍ତି, ସଫଳତା ସହ ଜୀବନରେ ଆସିବାକୁ ଥିବା ପ୍ରତିଟି ପରିସ୍ଥିତିକୁ ସାମ୍ନା କରିବାର ଶକ୍ତି ପ୍ରଦାନ କରନ୍ତୁ।” ଏତିକି କହି ସୁଦୀପ୍ତଙ୍କୁ କୁଣ୍ଢେଇ ପକାନ୍ତି ମାନସ।
ଆଉ ଏତେ ସବୁ ଭିତରେ ସୁଦୀପ୍ତଙ୍କ ଗନ୍ତବ୍ୟ ସ୍ଥାନ ଆସି ସାରି ଥାଏ। ବର୍ତ୍ତମାନ ସୁଦୀପ୍ତଙ୍କୁ ଓହ୍ଲେଇ ବାକୁ ପଡ଼ିବ ଟ୍ରେନରୁ। ସେଥି ଲାଗି ଶେଷ ଥର ପାଇଁ ସୁଦୀପ୍ତ ମାନସଙ୍କୁ ପୁଣି ଥରେ କୁଣ୍ଢେଇ ତାଙ୍କ ପାଖରୁ ବିଦାୟ ନିଅନ୍ତି। ଆଉ କୁହନ୍ତି
“ହଉ ଭାଇ ଆସୁଛି। ଭଗବାନଙ୍କ ଇଚ୍ଛା ଥିଲେ ପୁଣି କେବେ ନା କେବେ ନିଶ୍ଚୟ ଦେଖା ହେବା।”
ସେବେ ଠାରୁ ଆଜି ଭିତରେ ଦ୍ୱିତୀୟ ଥର ପାଇଁ ମାନସ ସୁଦୀପ୍ତଙ୍କ ସହ ଆଉ କେବେ ହେଲେ ଦେଖା ହୋଇ ନାହାଁନ୍ତି। କିନ୍ତୁ ମାନସଙ୍କ ଜୀବନରେ ସୁଦୀପ୍ତ ଚିରଦିନ ପାଇଁ ରହି ଯାଇଛନ୍ତି ଗୋଟିଏ ଅଭୁଲା ସ୍ମୃତି ହୋଇ। ଯାହା ମନେ ପଡ଼େ ଅନେକ ସମୟରେ ବେଳ ଅବେଳରେ ହୋଲିର କଥା ପଡ଼ିଲା ମାତ୍ରେ।
