ଅନୁତାପ
ଅନୁତାପ
ଗୋଟିଏ ରାଜ୍ୟର ଶେଷ ମୁଣ୍ଡରେ କାଶିଆ ବୋଲି ଗୋଟିଏ ବହୁତ୍ ଭଲ କୁମ୍ଭାର ଟିଏ ରହୁଥିଲା। ସେଇ ରାଜ୍ୟରେ ତା ଭଳି ସୁନ୍ଦର୍ ମାଟି ପାତ୍ର ଗଢ଼ିବାର ଅଭିଜ୍ଞତା ଓ କଳା କାହାରି ପାଖରେ ନଥିଲା। ରାଜ୍ୟ ରେ ଅନ୍ୟ କୁମ୍ଭାର ଥିଲେ ମଧ୍ୟ ଇଏ ସମସ୍ତଙ୍କ ଭିତରୁ ଶ୍ରେଷ୍ଠ କହିଲେ ଅତ୍ୟୁକ୍ତି ହେବ ନାହିଁ। କାଶିଆର ପରିବାର ବୋଇଲେ ସ୍ତ୍ରୀ ଆଉ ପୁଅ ଝିଅଙ୍କୁ ନେଇ ଚାରି ପ୍ରାଣୀଙ୍କ ସଂସାର। କାଶିଆର ଚାଳ ଛପରର ଘର ଦୁଇ ବଖରା କୁ ଛାଡ଼ି ଦେଲେ ନିଜର ବୋଲି ଆଉ କିଛି ଜମିବାଡ଼ି ନଥାଏ। ଖାଲି ମାଟି କାମ କରି ତିନି ଓଳି ଚାରି ପ୍ରାଣୀଙ୍କ ପେଟ ପୋଷିବା ସମ୍ଭବ ହେଇ ପାରେନି। ସେଥି ପାଇଁ କାଶିଆ ମାଟି ପାତ୍ର ଗଢ଼ିବା ସାଙ୍ଗେ ସାଙ୍ଗେ ବଡ଼ ଜମିଦାର ମାନଙ୍କ ବିଲରେ ମୂଲିଆ ଭାବେ କାମ କରେ। କେତେ ବେଳେ କାମ ମିଳେ ତ ଆଉ କେତେ ବେଳେ କାମ ମିଲେନି। ସେଥି ପାଇଁ ଚାରି ପ୍ରାଣୀ ଚଳିଲା ବେଳକୁ ଭାରି କଷ୍ଟ ହୁଏ।
ଗୋଟିଏ ଦିନ ସେଇ ରାଜ୍ୟର ରାଜା ରାଜ୍ୟ ପରିକ୍ରମା କରି ଲୋକଙ୍କ ଭଲ ମନ୍ଦ ବୁଝିବା ପାଇଁ ବାହାରିଲେ। ଚାରି ଆଡେ଼ ବୁଲିବୁଲି ଯେତେ ବେଳେ ରାଜା ରାଜ୍ୟର ଶେଷ ମୁଣ୍ଡକୁ ଆସିଲେ ଦେଖିଲେ ଗୋଟିଏ ଛୋଟିଆ ଘର ବାହାରେ ବହୁତ୍ ସୁନ୍ଦର ସୁନ୍ଦର ଆଖି ଲାଖି ଗଲା ପରି ଭଳି କି ଭଳି ମାଟି ପାତ୍ର ସବୁ ଥୁଆ ହେଇଛି। ଏତେ ସୁନ୍ଦର କାରିଗରୀ ଦେଖି ରାଜା ବହୁତ୍ ଖୁସି ହୋଇ ଗଲେ। ନିକଟକୁ ଯାଇ ପଚାରି ବୁଝିବାରୁ ଜାଣିବାକୁ ପାଇଲେ ସେଇଟା ହେଉଛି କାଶିଆ କୁମ୍ଭାରର ଘର। ରାଜା କାଶିଆର ପରିସ୍ଥିତି ଜାଣିଲା ପରେ ଗଭୀର ଦୁଃଖ ପ୍ରକାଶ କଲେ। ହେଲେ ତା କାରିଗରୀ ଉପରେ ଅତ୍ୟନ୍ତ ସନ୍ତୁଷ୍ଟ ହୋଇ ରାଜା କାଶିଆକୁ ଗୋଟିଏ ଚନ୍ଦନର ବଗିଚା ଉପହାର ସ୍ବରୂପ ପ୍ରଦାନ କଲେ ଆଉ ଶୁଭ କାମନା ଜଣାଇ ସେଠାରୁ ଚାଲି ଆସିଲେ।
ହେଲେ କାଶିଆ ଥିଲା ନିପଟ ମୂର୍ଖ ଲୋକ। ଚନ୍ଦନ କାଠର ପ୍ରକୃତ ମୂଲ୍ୟ ଓ ତା ବ୍ୟବସାୟ ବିଷୟରେ କାଶିଆର ଆଦୌ କିଛି ଜ୍ଞାନ ନଥିଲା। ସେଥି ପାଇଁ କାଶିଆ ଗୋଟି ଗୋଟି କରି ସବୁ ଗଛ କାଟି ଚନ୍ଦନ କାଠ ଗୁଡ଼ିକୁ ଅଳ୍ପ ଦରରେ ବିକ୍ରି କରି ଦେଲା। ଫଳରେ ଧିରେ ଧିରେ ଚନ୍ଦନ ବଗିଚାଟି ପୁରାପୁରି ଖାଲି ହୋଇ ଗଲା। ହେଲେ କାଶିଆର ଆର୍ଥିକ ପରିସ୍ଥିତିରେ କୌଣସି ପ୍ରକାରର ବିକାଶ ହୋଇ ନଥାଏ। ପ୍ରଥମ କିଛି ମାସ ପାଇଁ କାଶିଆର ପରିସ୍ଥିତି ସୁଧୁରି ଥିଲା ହେଲେ ପରେ ପୁନର୍ବାର ତା ପରିସ୍ଥିତି ପ୍ରଥମ ପରି ହୋଇଗଲା। ଆଉ କାଶିଆ ପୂର୍ବ ପରି ପୁଣି ପେଟ ପୋଷିବା ପାଇଁ ଅନ୍ୟଙ୍କ ବିଲରେ ମୂଲିଆ ଭଳି ଖଟିଲା।
ଏତିକି ଭିତରେ ପ୍ରାୟ ଆଠ ନଅ ମାସ ବିତି ଯାଇଥାଏ। ଗୋଟିଏ ଦିନ ରାଜାଙ୍କ ପାଖକୁ ଅନ୍ୟ ରାଜ୍ୟରୁ ଗୋଟିଏ ନାଲି ଚନ୍ଦନ ବ୍ୟବସାୟୀ ଦେଖା କରିବା ପାଇଁ ଆସି ଥାଏ। ନାଲି ଚନ୍ଦନ ବ୍ୟବସାୟୀକୁ ଦେଖି ରାଜାଙ୍କୁ ହଠାତ୍ କାଶିଆ କୁମ୍ଭାର କଥା ମନେ ପଡ଼ିଲା। ସାଙ୍ଗେ ସାଙ୍ଗେ ମନ୍ତ୍ରୀଙ୍କୁ ଡାକି କାଶିଆର ପରିବାର, ବର୍ତ୍ତମାନ ପରିସ୍ଥିତି ଓ ଚନ୍ଦନ ବ୍ୟବସାୟ ବିଷୟରେ ବୁଝିବା ପାଇଁ ଆଦେଶ ଦେଲେ। ପରବର୍ତ୍ତୀ ସମୟରେ ଯେତେ ବେଳେ ରାଜା ମନ୍ତ୍ରୀଙ୍କ ପାଖରୁ ଶୁଣିବାକୁ ପାଇଲେ ଯେ କାଶିଆ କୁମ୍ଭାରର ପରିସ୍ଥିତିରେ କୌଣସି ପ୍ରକାରର ବିକାଶ ନ ହୋଇ ପ୍ରଥମ ପରି ଯେମିତି ସେମିତି ଅଛି ସେ ଆଶ୍ଚର୍ଯ୍ୟ ହୋଇଗଲେ। ରାଜା ଆଉ ବେଶୀ କିଛି ବିଚାର ନକରି ଯେତେ ବେଳେ ସ୍ଵୟଂ ନିଜେ ଯାଇ ବାସ୍ତବିକ ଅବଲୋକନ କଲେ ତାଙ୍କୁ ସତ୍ୟର ଜ୍ଞାନ ହେଲା। ଆଉ ସମ୍ପୂର୍ଣ୍ଣ ସତ୍ୟତା ଜାଣିଲା ପରେ ରାଜାଙ୍କ ପାଦ ତଳୁ ମାଟି ଖସିଲା ପରି ଅନୁଭବ ହେଲା। ରାଜା ଅତ୍ୟନ୍ତ ବ୍ୟାକୁଳ ହୋଇ କାଶିଆ କୁମ୍ଭାରକୁ ପଚାରିଲେ “କଣ ତୁମ ପାଖରେ ଆଉ ଚନ୍ଦନର ଛୋଟିଆ ଖଣ୍ଡ ଟିଏ ବି ଅଛି ?” କାଶିଆ “ହଁ ଆଜ୍ଞା ଅଛି” କହି ଘର ଭିତରୁ ଯାଇ ଗୋଟିଏ ଛିଟିଆ ଚନ୍ଦନ କାଠ ଟିଏ ଆଣି ରାଜାଙ୍କ ହାତରେ ଧରେଇ ଦେଲା। ରାଜା ଯେତେ ବେଳେ ସେଇ ଛୋଟିଆ କାଠ ଖଣ୍ଡାକ ଗୋଟିଏ ଚନ୍ଦନ ବ୍ୟବସାୟୀ ପାଖକୁ ପଠେଇଲେ ସିଏ ସେଇ ଛୋଟିଆ କାଠ ଖଣ୍ଡାକର ବହୁତ୍ ଅଧିକ ଅର୍ଥ ଦେବାକୁ ପ୍ରସ୍ତୁତ ଥିଲା। ଆଉ ଏହା ଦେଖିଲା ପରେ କାଶିଆ କୁମ୍ଭାର ନିଜର ଭୁଲ ସଠିକ୍ ଭାବେ ବୁଝି ପାରିଥିଲା। ଆଉ ରାଜାଙ୍କ ପାଖରେ ଲୁହର ନଈ ବୁହାଇ ବହୁତ୍ ଅନୁରୋଧ କଲା ଆଉ ଗୋଟିଏ ଚନ୍ଦନ ବଗିଚା ତାକୁ ପ୍ରଦାନ କରିବା ପାଇଁ। ହେଲେ ରାଜା ତା' ଅନୁରୋଧ କୁ ସମ୍ପୂର୍ଣ୍ଣ ଭାବେ ଖାରଜ୍ କରିଦେଲେ ଏଇୟା କହି ଯେ ଉପହାର ଓ ସୁଯୋଗ ବାରମ୍ବାର ବାରମ୍ବାର ମିଳେ ନାହିଁ। ତୁମକୁ ସୁଯୋଗ ମିଳି ଥିଲା ହେଲେ ତୁମେ ତାକୁ ସଠିକ୍ ଭାବରେ ବ୍ୟବହାର କରିଲ ନାହିଁ।
ଠିକ୍ ଏମିତି ମଣିଷ ମଧ୍ୟ ନିଜ ସମୟର ଓ ପାଖରେ ଥିବା ଲୋକର ମୂଲ୍ୟ ଓ ମହତ୍ତ୍ଵ ସେତିକି ବେଳେ ବୁଝିପାରେ ଯେତେ ବେଳେ ସିଏ ତା' ଠାରୁ ଦୂରେଇ ଯାଏ। ଆଉ ମଣିଷ ଯେତେ ବେଳେ ନିଜ ଶେଷ ନିଃଶ୍ୱାସ ତ୍ୟାଗ କରିବାକୁ ଥାଏ ସେତିକି ବେଳେ ସିଏ ଅନୁଭବ କରେ ତା' ଜୀବନର ମହତ୍ତ୍ୱ ଓ ଅନୁତାପ କରେ ଜୀବନରେ କରିଥିବା ଭୁଲ ଓ ପାପା ସବୁର।
