ଶବ୍ଦଭେଦୀ
ଶବ୍ଦଭେଦୀ
ପ୍ରତ୍ୟାଞ୍ଚା ଚଢ଼େଇ, ଶବ୍ଦକୁ ଅନୁସରି ଯେବେ ତୀର ମୁକ୍ତ ହେଇଯାଏ, ଭେଦୀ ପାରେ ଶବ୍ଦଉତ୍ସକୁ। ବିଚିତ୍ର ନୁହେଁ, ଅଦୃଶ୍ୟକୁ ତୀରଭେଦୀ କ୍ଷତାକ୍ତ କରିବାର ଶକ୍ତି ! ଜାଣିନି ପୁରାଣ ବର୍ଣ୍ଣିତ ଏଇ ଶବ୍ଦଭେଦୀ ବାଣ ଚାଳନର ଗୁଢ଼ ରହସ୍ୟ ଆଜିର ମଣିଷ । କିନ୍ତୁ ବିଶ୍ୱାସ କରେ ଶ୍ରବଣ କୁମାରଙ୍କ ପ୍ରସଙ୍ଗକୁ । ସତରେ ଶବ୍ଦ ସବୁ କେତେ ଭୟଙ୍କର ନ ହୁଅନ୍ତି ପୁରାଣ ଯୁଗଠୁ ବର୍ତ୍ତମାନ ଯାଏଁ ।
ଅଲିଭାକୁ ବେଳେବେଳେ ଅନୁଭବ ହୁଏ ସେ ସୃଷ୍ଟିର ପ୍ରଥମ ଓ ଅନ୍ତିମ ନିରୂପଦ୍ରବ ମଣିଷ ସହ ସହଯାତ୍ରୀ ହେବାର ଅକ୍ଷମଣୀୟ ଅପରାଧରେ ଆଜୀବନ କାରାଦଣ୍ଡ
ଭୋଗୁଛି । ଜଣେ ମଣିଷ ଏତେ ଶିଥିଳ ହେଇପାରେ ନ ଭୋଗିଲାଯାଏଁ ବିଶ୍ୱାସ କରିବା ଅସମ୍ଭବ । ଯେମିତି ଜଡ ଭରତ ।
ପଦୁଟିଏ ମଧ୍ୟ କଥା କୁହନ୍ତି ନାହିଁ ତାରକାନ୍ତ । ନିଜେ ନିଜର ସମସ୍ତ କାମ କରିନିଅନ୍ତି । ସକାଳୁ ଉଠି ଚା' ବନେଇ ଖବରକାଗଜ ଧରି ବସି ଯାଆନ୍ତି । ଅଲିଭା କଞ୍ଚା , ପୋଡା , ଲୁଣିଆ ,ଅଲଣା ଯାହା ରାନ୍ଧିଦେଲେ ବି ନିଶବ୍ଦରେ ଖାଇ ଅଫିସ ବାହାରି ପଡ଼ନ୍ତି । ନିର୍ଦ୍ଦିଷ୍ଟ ସମୟରେ ଘରକୁ ଫେରି ସନ୍ଧ୍ୟା ପୂଜାରେ ଘଂଟାଏ ବିତାନ୍ତି ଆଉ ପରେ ଅଧଘଣ୍ଟା ଟିଭି ଦେଖନ୍ତି । ଠିକ ରାତି ନ' ଟା ରେ ରୁଟି ସନ୍ତୁଳା ନୋହିଲେ ରୁଟି କ୍ଷୀର ଖାଇ ଶୋଇ ପଡ଼ନ୍ତି । ବାସ ଘରେ ଆଉ ଗୋଟେ ମଣିଷ ରହୁଛି ଯେମିତି ଜମା ଦେଖିପାରନ୍ତି ନାହିଁ ।
ହୃଦୟରେ ସ୍ୱପ୍ନ ରଙ୍ଗ ଭରି ଚିତ୍ରିତ ଜୀବନ ଚିତ୍ର ଆଙ୍କିବାର ପ୍ରତିଶ୍ରୁତି କେବଳ ଲୋଭନୀୟ ସାହିତ୍ୟ ଭିତରେ ସମ୍ଭବ । ନିଜ ସ୍ୱପ୍ନ ବିଳାସୀ ଅନୁଢା ଜୀବନରେ ଢେର ପ୍ରେମ କବିତାସହ ସମୟ ବିତେଇଥିବା ସୁକୁମାରୀ ଝିଅଟି ଯେବେ ଏଡ଼େ ନିର୍ଜୀବ ମଣିଷଟି କବଳରେ ପଡିଯିବ ତେବେ ଏମିତିହିଁ ଅନୁଭବ ହେବା ସ୍ବାଭାବିକ ।
ତାରକାନ୍ତ ମହାକୁଡ଼ ଜଣେ ସମ୍ପନ୍ନ ମଣିଷ ଓ ଅଲିଭା ଗୋଟିଏ ନିସ୍ୱ ଝିଅ । ଦ୍ଵିତୀୟା ହେବାର ଦୁର୍ଭାଗ୍ୟ ନେଇ ଧରାକୁ ଅବତରି ଆସିଥିବା ଅଭିଶପ୍ତା ଅପ୍ସରୀ । କିନ୍ତୁ ଏଥିରେ ମହାକୁଡ଼ଙ୍କୁ ଦୋଷ ଦେବାର ଯୁ ନାହିଁ । ଦୁର୍ଭାଗ୍ୟ ସେଇଦିନ ଲେଖାହେଇଥିଲା ଯେଉଁ ଦିନ ସେ ମେଘବିଧୁର ସନ୍ଧ୍ୟାରେ କାଙ୍ଗାଳିନୀ ହେଇଯାଇଥିଲା ନୀୟତିର ନିଷ୍ଠୁର
ହାତରେ । ନିଜର ନିଜତ୍ବ ହରେଇଥିବା ନିସ୍ୱ ଲଳନାର ଉଜୁଡା ସୀମନ୍ତରେ ନାଲି ରଙ୍ଗ ମଖାହେବାର ସୌଭାଗ୍ୟ କେତେଜଣ ପାଇପରନ୍ତି ଭଲା ?
ସେଇ ସୌଭାଗ୍ୟ ସିନ୍ଦୁର ପିନ୍ଧେଇଥିବା ଦେବୋପମ ମଣିଷ ତାରାକାନ୍ତ । ସାତଜନ୍ମକୁ ପୂଜା ପାଇବାକୁ ଯୋଗ୍ୟ । ସୌଭାଗିନୀ ଅଲିଭା ସତରେ । ଏଡ଼େ ବିପତ୍ତି ପରେ ମଧ୍ୟ କୂଳବଧୁର ପରିଚୟ କାହା ଭାଗ୍ୟରେ ଭଲା । ଅବଶ୍ୟ ସେଇ ଅଭାବନୀୟ ଘଟଣା କଥା କେହି ଜାଣନ୍ତି ନାହିଁ । ଏସବୁ ସର୍ବସାଧାରଣ କରି କି ନ୍ୟାୟ ମିଳେ ଭଲା । ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରିବା ସାର ହୁଏ ଖାଲି । କିଛି ଦିନ ତୁମ୍ବି ତୋଫାନ , ରାଜନୀତିର ପଶା ପାଲି ଆଉ ସାମ୍ବାଦିକଙ୍କ ଟି .ଆର. ପି ବ୍ୟତୀତ ଆଉ ଅଧିକ କିଛି ଉପଲବ୍ଧୀ କାହିଁ ?...
ଏଡ଼େ ସୌଭାଗ୍ୟ ଦେଇଥିବା ମଣିଷକୁ ପଦୁଟିଏ କହିବା ଅର୍ଥ ମହାପାପ କରିବା । ନର୍କଗତି ହେବ ନିଶ୍ଚିତ । ବୋଉ ଆଗରେ କେବେ ଅତିଶୟ ଅସହାୟ ହେଇ ନିଜ ଲୁହ
ଗଡେଇଲେ ଏମିତି ପ୍ରବୋଧନା ଦିଏ ସେ ।
ନିଶବ୍ଦ ହେଇଯାଏ ଅଲିଭାର କୋହତକ , ଓଠ ପିଇ ନିଏ ଆଉ ଟିକେ ଲୁଣି ପାଣି । ଏଇ ଘରର ଚାରିକାନ୍ଥ ଭିତରେ ସେ ଯେ ଶବ୍ଦଶୁନ୍ୟ ହେଇଯାଉଛି ଧୀରେଧୀରେ ବୁଝେଇ ହୁଏନି କାହାରିକୁ ।
ମନେ ପଡେ ତା' ଚଳଚଂଚଳ ଅତୀତ । କେବେ ଚୁପ ରହୁନଥିବା ଝିଅଟେ ଥିଲା ସେ । ଜେଜୀ କହୁଥିଲା , '' ବାଜ, ଲୋ ବେଦୀରେ ଆଉ ମୁହଁ ଖୋଲି ପକେଇବୁନି ବୁଝିଲୁ ନୋହିଲେ ବର ତୋର ପଳେଇ
ଯିବ ।'' ସାରା ଦିନ ଗପୁଥିବା ଗପୁଡି ଝିଅ ପାଇଁ ଏଇ ନୀରବତା ଯେ କେତେ ଯନ୍ତ୍ରଣା ଦାୟକ କେହି ବୁଝିବେ ନାହିଁ କେବେ ।
କାଶ ସେଇ ଦୁର୍ଘଟଣା ଘଟି ନଥାନ୍ତା କି ସେ ଏଇ ଜତୁ ଘରେ ଜଳୁ ନଥାନ୍ତା । ହଜାରେ ଥର ସେ ପ୍ରଶ୍ନ କରେ ନିଜକୁ ....ତା'ର ଦୋଷ କ'ଣ । ସୁନ୍ଦରୀ ହେବା କି ତା' ନିଜସ୍ୱ ଆୟତ୍ତ । ଅନିନ୍ଦ୍ୟ ସୁନ୍ଦରୀ ହେବାର ସୌଭାଗ୍ୟ ମିଳିଛି ତାକୁ ନା' ଅଭିଶାପ ? ମଧ୍ୟସ୍ଥି ଦୁଇ ତିନିଟା ବାନ୍ଧିଥିଲେ ବାପା ଝିଅକୁ ହାତକୁ ଦୁଇହାତ କରିବାକୁ । କିନ୍ତୁ ଝିଅଟି ମାରା ହେଇଗଲା ପରେ ଆଉ ସୁଖ ଶାହାନାଇ ବାଜିବାର ନଥିଲା । ଉଜୁଡି ଯାଇଥିଲା ସବୁ ଆଶା । କିନ୍ତୁ ସେଇ ମୁହୂର୍ତ୍ତରେ ତାରକାନ୍ତଙ୍କ ପ୍ରସ୍ତାବ ଆସିଥିଲା ବୁଡ଼ିଗଲା ମଣିଷକୁ କୁଟାଖିଅ ଭଳି ।
ଶବ୍ଦଟିଏ ମଧ୍ୟ କାହିନଥିଲେ ବାପା । ବରର ବୟସ , ଦ୍ଵିତୀୟ ପକ୍ଷ ବିବାହ , ଝିଅର ସ୍ୱପ୍ନ , ଭବିଷ୍ୟତ । କିଛି ମଧ୍ୟ ଭାବିବାର ନଥିଲା । ଏକମାତ୍ର ଲକ୍ଷ୍ୟ ଥିଲା ଝିଅ କୂଳରେ ଲାଗିଯିବ । ମୁହଁରେ ମଖା ହେଇଥିବା କାଳିମାର କୁତ୍ସିତ ରଙ୍ଗ ଧୋଇ ସିନ୍ଦୁରର ସୌଭାଗ୍ୟ ବୋଳି ହେଇଯିବ । କିଏ ଜାଣେ ଯଦି କିଛି ଅଘଟଣ ଘଟେ ( ସତ ଲୁଚି ରୁହେନି ଏଠି )।
ଆଃ! ......କେତେ ମିଥ୍ୟା ପ୍ରଲୋଭନ ସତରେ ସୌଭାଗିନୀ ହେବାର ।........
ଆଉ ଅଲିଭା; ସେ ନିସ୍ତୁପ ହେଇଯାଇଥିଲା କାହିଁ କେତେକାଳୁ । ନା' କୌଣସି ପ୍ରତିକ୍ରିୟା ଥିଲା ନା' କୌଣସି ପ୍ରତିବାଦ । ସତେ ଯେମିତି କଂସେଇ ଗୋଠର ଛେଳି । କେବଳ ହାଣ ମୁହଁକୁ ଯିବାର ଇପ୍ସା । ସମାଜର ଠିକାଦାର ତକ ବଡ଼ ସୁହାଗରେ ଭସେଇ ଦେଲେ ଗୋଟେ ନାଉରୀ ବିହୀନ ନୌକା ଅଥଳ ସମୁଦ୍ର ଭିତରେ । ତେଣିକି ନୌକାର ଭାଗ୍ୟ !....
ଅଲିଭା ଜାଣି ମଧ୍ୟ ପାରିଲା ନାହିଁ କେତେ ଯୁକ୍ତିଯୁକ୍ତ ଏଇ ନିଷ୍ପତ୍ତି । କେତେ ସମୀଚିନ ଏଇ ସମ୍ପର୍କ । ତାରକାନ୍ତ ହୁଏତ କେବଳ ସ୍ୱାମୀ ନାମଧାରୀ ଗୋଟେ ବସ୍ତୁ ଯାହା ଦୃଶ୍ୟମାନ କିନ୍ତୁ ଅପହଞ୍ଚ ।
ତଳ ମହଲାରେ ତାଙ୍କର ପୃଥିବୀ ଆଉ ଉପରେ ଅଲିଭା । ବିଶାଳ ଘର ଭିତରେ ଦୁଇଟା ମଣିଷ । କଥା ଦୁଇପଦ ହେବାକୁ ମଧ୍ୟ କେହି ଜଣେ ନାହିଁ । ଚାକର , ପୁଝାରୀ, ମାଳି ,ଦରୁଆନ ଭଳି ଆଭିଯାତ୍ଯ ଚିହ୍ନବର୍ଣ୍ଣ ନାହିଁ କେଉଁଠି । ଅନ୍ତତଃ ଏମାନେ ଥିଲେ କଥା ପଦେ ହେବାର ଆଶା ଟିକକ ଥାନ୍ତା । ତରାକାନ୍ତ ସତର୍କ ଭାବେ ସଭିଙ୍କୁ ଦୁରେଇ ଦେଇଥିଲେ । ବୟସର ଯେଉଁ ବ୍ୟବଧାନ ସେଥିରେ ସନ୍ଦେହର ବୀଜ ବେଶ ବଢି ପାରେ !
ଅଲିଭା କେବଳ କାମ କରୁଥାଏ ସକାଳୁ ସଞ୍ଜ ମେସିନ ଭଳି ନିଶବ୍ଦରେ । ତାରକାନ୍ତଙ୍କ ନିରୂପଦ୍ରତାକୁ ପ୍ରତିହତ କରିବା ପାଇଁ ସେ ଖୋଜେ କାମର ବାହାନା । କିନ୍ତୁ ସରେନି ସମୟ କି ବୁଝେନି ମନ । ତାକୁ ଲାଗେ ତାରକାନ୍ତ ତା' ପ୍ରତି ଉଦାସୀନ ହେବାର କାରଣ ତାଙ୍କ ଭିତରର ବୟସର ତାରତମ୍ୟ । ଓଃ!ଏତେ ସଂଶୟ ଯଦି ତେବେ ବାହା ହେଉଥିଲେ କାହିଁକି ନିଜ ବୟସର ଅର୍ଦ୍ଧେକ ବୟସର ଝିଅ ସହ ? ମୁଣ୍ଡ କୋଡ଼ି ଦେବାକୁ ଇଚ୍ଛା ହୁଏ ଅଲିଭାର । ସେ ଭାଗ୍ୟକୁ ନିନ୍ଦେ ଆଉ ସେଇ କାଳ ରାତ୍ରିକୁ କୋଷେ ।
ହଷ୍ଟେଲରେ ରହି ଇଞ୍ଜିନିୟରିଂ ପଢ଼ୁଥିବା ପୁଅ ଫୋନ୍ କରେ ବେଳେବେଳେ। ତାରକାନ୍ତ ତା' ସହ ମଧ୍ୟ ମାପି ଚୁପି ଦୁଇପଦ କଥା ହୁଅନ୍ତି । ପିଲାଟା କିନ୍ତୁ ହୁଏତ ମା' ଭଳି, ବେଶ ଗପେ । କଲେଜ କଥା , ପାଠ କଥା କୁହେ ।ତାରକାନ୍ତ ସବୁବେଳେ ଫୋନର ମାଇକ୍ ଅନ୍ କରି କଥା ହୁଅନ୍ତି ତେଣୁ ଶୁଣିପାରେ ଅଲିଭା । ଭାରି ଇଚ୍ଛା ହୁଏ ସେ ବି କଥା ହୁଅନ୍ତା 'ବିଭୁ 'ସହ । କୁହନ୍ତା ଆସ ବିଭୁ ମୁଁ ଏବେ ତୁମର ମା' ତୁମ ପାଇଁ ଛ' ଭଜା ନ' ତିଅଣ କରିଦେବି , ତୁମ ପ୍ରାକ୍ଟିକାଲ ରେକର୍ଡ ଲେଖିଦେବି , ତୁମ ସହ କଲେଜ ସ୍ମୃତି ବାଣ୍ଟିବି । କାରଣ ତୁମ ପାପା ତ ନିଜ ଭିତରେ ମଗ୍ନ । ତୁମେ ହିଁ ମୋ ପୁଅ ଆଉ ମୁଁ ତୁମ ସ୍ନେହୀ ମା' ହେବାର
ଚେଷ୍ଟାରେ।
କିନ୍ତୁ କେବେ କଥା ହେବାର ସୁଯୋଗ ଜୁଟେନା । ତାରକାନ୍ତ କେବେ ଦିଅନ୍ତି ନାହିଁ ଫୋନ୍ । ପିଲାଟି କେବଳ କଳ୍ପନାରେ ରହିଯାଏ । କିଛି ଅଦୃଶ୍ୟ ଭାବନା ଯୋଡି ହେଇଯାଏ ତା' ସହ । ବହାହେଇ ବିଦେଶରେ ରହୁଥିବା ଝିଅ ଫୋନ୍ କରନା କେବେ , ହୁଏତ ଉତ୍ତର ବୟସର ଏ ନିଷ୍ପତ୍ତିର ବିରୋଧରେ ସେ ? ଜାଣି ପାରେନି ଅଲିଭା । କେହି କହିଲେ ସିନା ଜାଣିବ ।
ଶରତର କାଶତଣ୍ଡୀ ଶୋଭା ସହ ଭାରି ଖୁସି ହୁଏ ଅଲିଭା । ଦୁର୍ଗା ପୂଜା ତା'ର ସବୁଠାରୁ ଅଧିକ ପସନ୍ଦ । ପାର୍ବଣର ପ୍ରଭାବରେ ସାରା ସହର ହର୍ଷ ମୁଖର ହେଇଯାଏ ବେଶ କିଛିଦିନ ଯାଏଁ । ଏତେ ଦୀର୍ଘ ଉତ୍ସବ ଆଉ କେବେ ପାଳିତ ହୁଏନି ।
ଛୁଟିରେ ଆସିବେ ବିଭୁ । ତାରକାନ୍ତ ଅମଙ୍ଗ ହେଉଥିଲେ ଭାରି , କିନ୍ତୁ ହଷ୍ଟେଲ ଛୁଟି ସଭିଏଁ ଘରକୁ ଚାଲିଯିବେ ତେଣୁ ବିଭୁ ଆସିବାକୁ ଜିଦରେ ।
ଅଲିଭା ମୁହଁ ଖୋଲି କହିଲା , '' ଆସନ୍ତୁ ବିଭୁ ଏଇଟା ତାଙ୍କ ଘର । ନୂଆ ମା' ଆସିବା ପରେ ଘର ତାଙ୍କ ପାଇଁ ବନ୍ଦ ହେଇଯିବା ଅନୁଚିତ । ''
ତାରକାନ୍ତ ହୁଏତ ବୁଝିଲେ ଆକ୍ଷେପ । ବିଭୁଙ୍କୁ ଆସିବାକୁ କହିଲେ ଆଉ ଘରେ ଛୋଟ ହଲଚଲ ଟିକେ ଖେଳିବାର ସୁଯୋଗଟେ ଦେଇଦେଲେ । ଭାରି ଖୁସିଥିଲା ଅଲିଭା । ଅନ୍ତତଃ କଥା ପଦେ ହେବାକୁ କେହି ମିଳିବେ । ନିଶବ୍ଦ କାରାବାସ ରୁ ସାମୟିକ ମୁକ୍ତି ମିଳିବ । ବୋଉ ତାକୁ ଘରକୁ ଆସିବାକୁ କହୁଥିଲା । ଭାଇ ଯାଇ ନେଇଆସିଥାନ୍ତା । ପ୍ରଥମ ଦଶହରାରେ ଝିଅକୁ ଲୋଡ଼ିବା ବିଧି । ସେ କିନ୍ତୁ ନିଜଆଡୁ ମନା କଲା । ବିଭୁଙ୍କ କଥା କହି । ବୋଉ ଖୁସି ହେଲା , '' ଯା ହେଉ ଝିଅର ମନ ଘର ଧରିଲାଣି ।'' ଏଇ ଆଶା ବାନ୍ଧି ।
ସଠିକ ସମୟରେ ଆସିଲେ ବିଭୁ ଆଉ ତାଙ୍କ ଦୁଇଟି ବନ୍ଧୁ । ଫୋନ୍ କରି ଜଣେଇ ଥିଲେ ଲଞ୍ଚ କରିବେ ସଭିଏଁ ଏଇଠି । ଅଲିଭା ପ୍ରଥମ ଥର ତିଆରି କରିଥିଲା କାନିକା , ଛେନା ତରକାରୀ , ମିଠା ଡାଲି , ପୋଟଳ ପାଚେଡ଼ି ତା' ମନଦେଇ । ଘରେ ପହଞ୍ଚି ସେମାନେ ବେଶ ଚଳଚଞ୍ଚଳ କରିଦେଲେ ପରିବେଶ । ଭଲ ଲାଗୁଥିଲା ଅଲିଭାକୁ । ଜଳଖିଆ ଧରି ଆସିଲା ସେ ସଭିଙ୍କ ପାଇଁ । କିନ୍ତୁ ଦେଇପାରିଲା ନାହିଁ କାହାକୁ ।
ହାତ ଶିଥିଳ ହେଇଗଲା ଅଦ୍ଭୁତ ଭାବେ । ସୁଦୃଶ୍ୟ ଟ୍ରେ ଖସିପିଡ଼ିଲା ଆଉ ବିଛାଡି ହେଇଗଲା ସମସ୍ତ ଖାଦ୍ୟ ସାରା
ଚଟାଣରେ । ସେ ପଡିଗଲା ଗଛ କାଟିଲା ଭଳି । ସେଇ ବର୍ଷଣମୂଖର ସନ୍ଧ୍ୟାର ଶବ୍ଦ ତକ ପୁଣି ଥରେ ଭେଦୀ ଯାଉଥିଲେ ତା' ସମଗ୍ର ସତ୍ତା ।
