ଶାନ୍ତି ବାର୍ତ୍ତା
ଶାନ୍ତି ବାର୍ତ୍ତା
ପବିତ୍ର ଅଁଳା ନବମୀ ପାଇଁ ମୁନା ତା ମାମୁଁଘର ସାକ୍ଷୀଗୋପାଳ ଆସିଥାଏ. ଭୋରରୁ ଉଠି ଅଜା ଓ ଆଈ ଦୁହେଁ ସ୍ନାନ ଶୌଚ ଆଦି ସମାପନ କରି ମୁନାକୁ ନିତ୍ୟକର୍ମ ସାରି ଶୀଘ୍ର ବାହାରେ କହିବାରୁ ବାହାରି ପଡିଲା ମୁନା. କି ସୁନ୍ଦର ବେଶ ଶ୍ରୀକୃଷ୍ଣ ଓ ମାଆ ରାଧା ରାଣୀଙ୍କର!ମୁନା ମନରେ ଅପୂର୍ବ ଶାନ୍ତି ଖେଳିଗଲା. ପାଦ ଦର୍ଶନ କଲାବେଳେ ଆଈ ଙ୍କୁ କହୁଥିଲା ଗୋଟେ ଗପ କହିବ ଆଈ ଆଜି ଯୋଉଥିରେ ଏଇ ଅଁଳା ନବମୀ କଥା କିଛି ଥିବ. ଆଈ ହଁ ହଁ କହିବି କହୁ କହୁ ଅଜା କହୁଥିଲେ ଆଜି ତୁ ତିନିଟା ବେଳେ ଉଠିପଡ଼ିବୁ ଯେ ଆମ ଘରେ ଆଜି ସାହିତ୍ୟ ଆସରରେ ଅନେକ ଲୋକ ଆସି ବହୁତ ଶିକ୍ଷଣୀୟ କଥା କହିବେ ଶୁଣିବୁ ଓ ଅଁଳାନବମୀ ବିଷୟରେ କିଛି ଜାଣିପାରିବୁ. ମୁନା କହିଲା ମୁଁ ଛୋଟ ପିଲା ଅଜା. ତୁମ ବଡ଼ ଲୋକମାନଙ୍କ ମଧ୍ୟରେ ମୁଁ ବସିବା ଉଚିତ ନୁଁହଁ ବରଂ ତୁମେ ମତେ କହିବ. ଅଜା ଆଈ ଓ ମୁନା ଘରକୁ ଆସିବା ପରେ ଚା ଜଳଖିଆ ଖାଇ ଅଜା ପେପେର ଖୋଜିବସିଲେ. ଯୋଉ ପେପେରରେ ତାଙ୍କର ସବୁ ଲେଖା ବାହାରିଥାଏ ସେଇଥିରେ ତାଙ୍କ ଲେଖା ନଦେଖି ମନ ଦୁଃଖ କରି ଆଈଙ୍କୁ କହିଲେ ଦେଖିଲଣି ଜଣେ ଲେଖକଙ୍କର ଦୁଇ ଦୁଇ ଥର ଲେଖାଟି ଗୋଟିଏ ଦିନରେ ପ୍ରକାଶ ପାଇଥିବା ବେଳେ ମୋ ପ୍ରବନ୍ଧଟି ନାହିଁ. ଆଈ ବୁଝେଇ କହିଲେ ଭୁଲ ହୁଏ. ଭୁଲରେ ହୋଇଯାଇଛି. ତୁମେ ବରଂ ମୁନା ଆଗେ ତୁମ ଲେଖାଟି ପଢିବା ଅପେକ୍ଷା କୁହ ଯେ ଦୁହେଁ ଉପକୃତ ହେବ. ସେ ଶିଖିବ ଆଉ ତୁମର ଆଜି ସନ୍ଧ୍ୟା ସାହିତ୍ୟ ଆସର ରେ କାମ ଦେବ. ଅଜା ଖୁବ ଶାନ୍ତିରେ କହି ଚାଲିଲେ ମୁନା ଆଗେ ତାଙ୍କ ଲିଖିତ ପ୍ରବନ୍ଧଟିକୁ
ଉତ୍କଳର ସଂସ୍କୃତି ଓ ସାହିତ୍ୟ ଜଗନ୍ନାଥ ସଂସ୍କୃତି ଓ ଜଗନ୍ନାଥଙ୍କ ମାନବୀୟ ଲୀଳା ରୂପକ ସାହିତ୍ୟ ଆଧାରିତ ଭାବ ଭକ୍ତିର ରସ. ବଡ଼ଦେଉଳରେ ଜଗନ୍ନାଥ ତାଙ୍କ ଭାଇ ଭଉଣୀଙ୍କ ସହ ରତ୍ନବେଦୀରେ ବସି ଯେଉଁ ବାର୍ତ୍ତା ଦିଅନ୍ତି ତାହା ଶିକ୍ଷଣୀୟ. ଲଷ୍ମୀମାଆଙ୍କ ଅବଢ଼ା ଅନ୍ନ ରାନ୍ଧଣା, ପ୍ରଭୁନଦିନବ୍ୟାପୀ ମାଉସୀ ଘର ଗଲେ ତାଙ୍କୁ ନନେବା ଫଳରେ ମାଆଙ୍କ କାନ୍ଦଣା, ପୁଣି ବଡଦେଉଳକୁ ପ୍ରତ୍ୟାବର୍ତ୍ତନ ପରେ ରସଗୋଲା ଜରିଆରେ ବୁଝାମଣା ତ ସାହିତ୍ୟ ଓ ସଂକୃତି ଆମ ଓଡ଼ିଆଙ୍କର. ଏହିଭଳି ଅନେକ ଘଟଣା ଓ କିମ୍ବଦନ୍ତୀରୁ ଜଗନ୍ନାଥଙ୍କ ମାନବୀୟ ଲୀଳା ସମସ୍ତଙ୍କୁ ଜଣା. ପୁରୀ ଠାରୁ କୋଡିଏ କିଲୋମିଟର ଭୁବନେଶ୍ୱର ଆଡକୁ ଯିବା ରାସ୍ତାରେ ସାକ୍ଷିଗୋପାଳ ଓ ଗୋପୀନାଥଦେବଙ୍କ ମନ୍ଦିର. ଗୋପୀନାଥ ଅବା ସାହିତ୍ୟ ସଂସ୍କୃତିରୁ ବାଦ ଯିବେ କିପରି!ବଡ଼ ନାଆଟି ଯୁଆଡେ ସାନ ନାଆଟି ସିଆଡେ ଉକ୍ତିଟିର ପ୍ରମାଣ ରଖିବାକୁ ଯାଇ ବା ପ୍ରଭୁଙ୍କ ମାନବୀୟ ଆଚ୍ଚରଣ ଓ ଉଚ୍ଚାରଣ କରୁ କରୁ ଗୋପୀନାଥଦେବଙ୍କ ପାର୍ଶ୍ୱରେ ଅବସ୍ଥିତ ମାଆ ରାଧାରାଣୀଙ୍କର ଅନେକ ମାନବୀୟ ଲୀଳା ଭିତରୁ ଅଁଳାନବମୀ ଏକ ଚମତ୍କାର ତିଥି. ମାଆ ରାଧାରାଣୀ ସେଦିନ ଓଡ଼ିଆଣୀ ବେଶରେ ପାଦରେ ଅଳତା, ପାଉଁଜି ଓ ଝୁଣ୍ଟିଆ ପିନ୍ଧି ଓଡ଼ିଆଣୀ ବେଶରେ ଭକ୍ତ ଦର୍ଶନାର୍ଥି ଙ୍କୁ ଦର୍ଶନ ଦେବା ଏକ ଚମତ୍କାର ସାହିତ୍ୟ ଓ ସଂସ୍କୃତିର ଭକ୍ତି ଭାବଧାରା ଛଡା ଆଉ କଣ ହୋଇପାରେ!
କାର୍ତ୍ତିକ ମାସ ଏକ ମହାପୂଣ୍ୟର ମାସ. ଏ ମାସର ମାହାତ୍ମ୍ୟ କୁ ସ୍କନ୍ଦ ପୁରାଣରେ ସୁନ୍ଦର ବର୍ଣ୍ଣନା କରାଯାଇଛି ଯାହାର ଅର୍ଥ ଦ୍ଵେତା ମାନଙ୍କ ମଧ୍ୟରେ ମଧୁସୂଦନ ଅର୍ଥାତ ଶ୍ରୀହରୀ, ତୀର୍ଥମାନଙ୍କ ମଧ୍ୟରେ ଗଙ୍ଗା, ଯୁଗମାନଙ୍କ ମଧ୍ୟରେ ସତ୍ୟଯୁଗ ଓ ଶାସ୍ତ୍ରମାନଙ୍କ ମଧ୍ୟରେ ବେଦ ପରି ମାସ ମାନଙ୍କ ମଧ୍ୟରେ କାର୍ତ୍ତିକ ସାର ଅଟେ. ଅଁଳା ଓ ତୁଳସୀ ବୃକ୍ଷ ଅତୀବ ପବିତ୍ର ବୋଲି ମଧ୍ୟ ସ୍କନ୍ଦ ଓ ପଦ୍ମ ପୁରାଣରେ ବର୍ଣ୍ଣିତ. ତୁଳସୀ ମୂଳରେ ସର୍ବ ଦେବଦେବୀଙ୍କ ବାସସ୍ଥଳ ବୋଲି ମନାଯାଏ. ସେହିପରି ମାଆ ମହାଲଷ୍ମୀଙ୍କ ବାସସ୍ଥାନ ଅଁଳା ବୃକ୍ଷ ଅଟେ ବୋଲି ସାଧାରଣରେ ବିଶ୍ୱାସ ରହିଛି.କାର୍ତ୍ତିକ ମାସର ଶୁକ୍ଳ ପକ୍ଷ ନବମୀ ତିଥିରେ ଅଁଳାନବମୀ ପାଳନ କରି ଅଁଳା ବୃକ୍ଷକୁ ପୂଜା କରିବା ଵିଧି ରହିଅଛି. ଶ୍ରୀମନ୍ଦିରରେ ଜଗନ୍ନାଥ ଏହି ଅଁଳାନବମୀ ଦିନ ରାଇ ଦାମୋଦର ବେଶରେ ସଜ୍ଜିତ ହୋଇ ଦର୍ଶନାର୍ଥିଙ୍କୁ ଦର୍ଶନ ଦେଲାବେଳେ ସାକ୍ଷିଗୋପୀନାଥ ଠାରେ ଗୋପୀନାଥଙ୍କ ପାର୍ଶ୍ୱରେ ଅବସ୍ଥିତ ମାଆ ରାଧା ଠାକୁରାଣୀଙ୍କ ଓଡ଼ିଆଣୀ ବେଶ ସହ ପାଦ ଦର୍ଶନର ଭକ୍ତି ଭାବ ବଡ଼ ନିଆରା. ଶ୍ରଦ୍ଧାଳୁ ସେହି ବେଶ ଓ ମାଆଙ୍କ ପାଦ ପଦ୍ମ ସହ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରି ନିଜକୁ କତାର୍ଥ ଓ ଭାଗ୍ୟବାନ ମଣିଥାଆନ୍ତି
କିମ୍ବଦନ୍ତୀ ଅନୁଯାୟୀ ଯେତେବେଳେ ସମଗ୍ର ବିଶ୍ୱ ପ୍ରଳୟ ଜଳରେ ନିମଗ୍ନ ହୋଇଥିଲା ସେତେବେଳେ ସ୍ୱୟଂ ବ୍ରହ୍ମା ତପସ୍ୟା କରିବା ସମୟରେ ତାଙ୍କ ଆଖି ଲୁହ ଭୁପୃଷ୍ଠରେ ପଡିବା ଦ୍ୱାରା ଅଁଳା ବୃକ୍ଷର ସୃଷ୍ଟି ହୋଇଛି ବୋଲି ବିଶ୍ୱାସ ରହିଛି. ଦ୍ୱିତୀୟତଃ ମାଆ ମହାଲଷ୍ମୀ ଓ ମାଆ ମହା ସରସ୍ବତୀ ଦୁହେଁ ଏକଦା ଏକ ନୂତନ ଜିନିଷର ପୂଜା କରିବାକୁ କାମନା କରି ଶ୍ରୀହରୀଙ୍କୁ ଜଣାଇବାରେ ଯେଉଁ ଆନନ୍ଦାଶ୍ରୁ ଦୁହିଁଙ୍କ ଚକ୍ଷୁ ଦ୍ବୟରୁ ନିର୍ଗତ ହୋଇ ଭୂପତିତ ହୋଇଥିଲା ସେହିଠାରେ ଉତ୍ପତ୍ତି ହେଲା ଅଁଳା ବୃକ୍ଷ. ହବିଷିଆଳିଙ୍କ ସହ ସମସ୍ତ ଭକ୍ତବର୍ଗ ଅଁଳାନବମୀ ଦିନ ଏହି ବୃକ୍ଷକୁ ପୂଜା କରି ଏହି ଅଁଳା ବୃକ୍ଷମୂଳେ ହବିଷ ରା଼ନ୍ଧି ଖାଇଲେ ବୈକୁଣ୍ଠ ପ୍ରାପ୍ତିର ସୁଲଭ୍ୟ ଯୋଗ ବନିଥାଏ ବୋଲି ବିଶ୍ୱାସ ରହିଛି. ବିଶ୍ୱାସରେ ଏହିଦିନ ସମସ୍ତେ ପ୍ରାତଃ ସ୍ନାନ ପରେ ଅଁଳା କୋଳି ଓ ପତ୍ର ବିଷ୍ଣୁଙ୍କ ଚରଣରେ ସମର୍ପଣ କରି ଅଁଳା ଜଳ ସିଞ୍ଚନ ଓ ସେବନ ଦ୍ୱାରା ମଣିଷର ସକଳ କଳୁଷ ନାଶ ହେବା ସହ ନିରୋଗ ଓ ସ୍ବାସ୍ଥ୍ୟବାନ ରହିଥାଆନ୍ତି. ତେଣୁ ସହସ୍ର ଶ୍ରଦ୍ଧାଳୁ ଙ୍କ ସହ ହବିଷିଆଳିମାନେ ଏକତ୍ରିତ ହୋଇ ଅଁଳା ବୃକ୍ଷ ପୂଜନ, ହବିଷ ରନ୍ଧନ ଓ ଭୋଜନ କରିଥାନ୍ତି. ଅଁଳା ବୃକ୍ଷ ସହ ତୁଳସୀ, ମାଳତୀ, ବଦରି, ବେଲ, ବର, ଅଶ୍ଵସ୍ତ ଆଦି ବୃକ୍ଷକୁ ପବିତ୍ର ବୃକ୍ଷର ମାନ୍ୟତା ଦିଆଯାଇଛି.
ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଚାର କଲେ ପ୍ରକୃତରେ ଧର୍ମ ନାମରେ ଏହା ଏକ ପ୍ରକୃତି ପୂଜା. ଆୟୁର୍ବେଦ ମତରେ ଅଁଳା ପୃଥିବୀର ଏକ ଶ୍ରେଷ୍ଠ ମହୋଷଧି. ଏହା ଅକାଳ ବାର୍ଦ୍ଧକ୍ୟ, ଅମ୍ଳ ରସ କ୍ଷରିତ ବାୟୁ ଦୋଷ, ମଧୁର ରସ, ପିତ୍ତ ଓ କଷାୟ ରସ ସହ କଫ କାଶ ନାଶକ ଅଟେ.ଶରୀରରେ ଏସବୁର ସନ୍ତୁଳନ ପାଇଁ ଅଁଳା ସେବନ ଏକ ଅମୋଘ ଅସ୍ତ୍ର ତଥା ଅମୋଘ ଔଷଧ. ହରିଡ଼ା ବାହାଡା ଏବଂ ଅଁଳାରୁ ପ୍ରସ୍ତୁତ ତ୍ରିଫଳା ଏକ ବହୁ ଗୁଣ ବହନ କରୁଥିବା ମହୋଷଧି କହିଲେ ଆତ୍ୱ୍ୟୁକ୍ତି ହେବ ନାହିଁ. ଅଁଳା ରସରେ ଖାଦ୍ୟସାର ଭରପୁର ଥାଏ.. ଏହି ଖାଦ୍ୟସାରକୁ ବିନିଯୋଗ କରିବାକୁ ଯାଇ ମହର୍ଷି ଚ୍ୟବନ ଅଁଳା ପ୍ରସ୍ତୁତ ଚ୍ୟବନପ୍ରାଶ ସେବନ କରି ବାର୍ଦ୍ଧକ୍ୟ ଦୂରେଇବା ସହ ଅନେକ ରୋଗରୁ ମୁକ୍ତି ଦେଇ ମନୁଷ୍ୟ ଶରୀର ଓ ମସ୍ତିଷ୍କ ସୁସ୍ଥ ରହିବାକୁ ଅଁଳାର ଆବଶ୍ୟକତା ସୁଦୂରପ୍ରସାରୀ ବୋଲି ଜଣେଇଥିଲେ. ଏହି ଅଁଳାନବମୀ ଦିନ ମାଆ ରାଧାଙ୍କ ପାଦ ଦର୍ଶନ ପରି ଧର୍ମୀୟ ମନୋଭାବ ସହିତ ଓଡ଼ିଆଣୀ ବେଶ ଦର୍ଶନରେ ସଂକୃତି ସାହିତ୍ୟ ଓ ମନ ଆନନ୍ଦପୂର୍ଣ୍ଣ ରହିବାରୁ ସୁସ୍ଥ ଶରୀର ଓ ମସ୍ତିଷ୍କ ଉଭୟ ସକ୍ରିୟ ରହିବା ଭଳି ବୈଜ୍ଞାନିକ ଓ ଧାର୍ମିକ ଦୃଷ୍ଟିକୋଣ ସୁଦୂରପ୍ରସାରୀ ଅଟେ. ଅଜା ଏକ ନିଶ୍ଵାସରେ ଏସବୁ କହି ଯେତିକି ଶାନ୍ତି ପାଉଥିଲେ ନାତି ମୁନା ମଧ୍ୟ ଅଁଳାନବମୀ ବିଷୟ ର ସଂସ୍କୃତି, ସାହିତ୍ୟ ଓ ବୈଜ୍ଞାନିକ ଭାବ ଧାରା ବିଷୟରେ କିଛି କିଛି ଜ୍ଞାନ ଆହରଣ କରି ଶାନ୍ତି ପାଇଥିଲେ ମଧ୍ୟ ଆଈଙ୍କ ଗପ ନଶୁଣି ଶୋଇପାରୁନଥିଲା. ଆଈ ବାଧ୍ୟ ହୋଇ ଗପ ଟିଏ କହିଥିଲେ ଓ ମୁନାକୁ ମଝିରେ ମଝିରେ କିଛି ପ୍ରଶ୍ନ ପଚାରିବାକୁ ବାରଣ କରିଥିଲେ ଆଈ ତ ମୁନା ଶାନ୍ତିରେ ଶୁଣିଚାଲିଥିଲା.
ଗୋଟିଏ ଗାଁରେ ସୁଦାମା ନାମରେ ବାଳକଟିଏ ରହୁଥାଏ. ତାର ବାପା ନଥିବାରୁ ପାଠ ପଢ଼ାରେ ଡୋରି ବାନ୍ଧି ପାଖ ମନ୍ଦିରରେ ଫୁଲ ମାଳ ବିକି ଯେତିକି ପଇସା ପାଏ ସେଇଥିରେ ମାଆ ପୁଅ ଦୁଃଖେ କଷ୍ଟେ ଚଳୁଥାଆନ୍ତି. ସେଦିନ ଭାରି ଖରା. ସୂର୍ଯ୍ୟ ଚାଇଁ ଚାଇଁ ମାରୁଥାଆନ୍ତି. କାର୍ତ୍ତିକ ମାସ. ଫୁଲ ମାଳ ବିକ୍ରୀ ହେଲେ ଦୁଇପଇସା ପାଇବା ଆଶାରେ ବାହାରିଗଲା ଘରୁ ସୁଦାମା. ଜଳଖିଆ ନଥିଲା. ମୁଢି ଖାଇ ପାଣି ପିଇ ବାହାରିଗଲା ବେଳକୁ ମାଆ ପାଣି ବୋତଲ ଟିଏ ସବୁଦିନ ପରି ବଢ଼େଇଦେଲେ ମୁନା ହାତକୁ.ମନ୍ଦିର ବାହାରେ ଖରାରେ ଠିଆ ହୋଇ ଫୁଲ ମାଳ ବିକୁଥିଲା ସୁଦାମା. ଗୋଡ଼ ପୋଡ଼ିଯାଉଥାଏ. କେତେବେଳେ ଗୋଟେ ଗୋଡ଼ ଆଉଗୋଟିଏ ଗୋଡ଼ ର ପାଦ ଉପରେ ରଖୁଥାଏ ତ କେତେବେଳେ ବାମ ଡାହାଣ କରି ପାଦ ବଦଳାଉଥାଏ. ଏହି ସମୟରେ ବହୁତ ଭକ୍ତ ଓ ଦର୍ଶନାର୍ଥି ତଥା ଶ୍ରଦ୍ଧାଳୁ ମନ୍ଦିରକୁ ଆସୁଥିଲେ ବି ପିଲାଟି ଠାରୁ କେହି ଫୁଲମାଳ କିଣୁନଥିଲେ. ପିଲାଟି ସୁଦାମା ଦେଖିଲା ଅଦୂରରେ କୁକୁରଟିଏ ଖରାରେ ଜିଭ କାଢି ଶୋଷରେ ଆଉଟୁ ପାଉଟୁ ହୋଇ ବିକଳରେ ଏଣେ ତେଣେ ଚାଁହୁଛି. ପିଲାଟି ଦଉଡି ଯାଇ ତା ପାଇଁ ମାଆ ଦେଇଥିବା ନିଜ ବୋତଲର ପାଣି ନେଇ କୁକୁରକୁ ପିଆଉ ଥିଲା. ତାର ଏହି ଜୀବେ ଦୟା କାର୍ଯ୍ୟକୁ କେହି ପ୍ରଶଂସା ନକରି ବରଂ ଏ ଅପରିସ୍କାର ପିଲା ଠାରୁ କିଏ ଫୁଲ କିଣିବ କହି ପାଖ ଷ୍ଟଲ ମାନଙ୍କରୁ ଫୁଲମାଳ ଓ ଦୀପ ସବୁ କିଣି ନେବା ସହ ବାଳକଟିକୁ ଘୃଣା ନଜରରେ ଚାହିଁ ପଳେଇ ଯାଉ ଯାଉ ତାତ୍ସଲ୍ୟ ଭରା କଥା କହିବା ସହ ହସୁଥିଲେ. ବାଳକଟି ମନଦୁଃଖରେ ଫୁଲ ମାଳ ଧରି ଠିଆ ହୋଇଥାଏ.ସେହି ସମୟରେ ଜଣେ ଯୁବକ ହାତରେ ଚପଲ ଦୁଇଟି ଧରି ଆସି ବାଳକ ଆଗରେ ଉପସ୍ଥିତ ହେଲେ ଓ ତା ଗୋଡ଼ରେ ପିନ୍ଧେଇଦେଲେ. ବାଳକ ଚପଲ ଦୁଇଟି ପିନ୍ଧି ଏଥର ଡହ ଡହ ତାତିରେ ସିଧା ଛିଡା ହେବା ସହ ଯୁବକଙ୍କୁ ଜାବୁଡି ଧରିଥିଲା.
ତୁମେ ଶ୍ରୀକୃଷ୍ଣ ନା ଆଜ୍ଞା ପଚାରୁଥିଲା ବାଳକ ଟି ସେହି ଦାତାଙ୍କୁ. ସେ କହିଲେ ନା ବାଳକ ମୁଁ ଶ୍ରୀକୃଷ୍ଣ ନୁଁହଁ. ବାଳକ କହୁଥିଲା ଆପଣ ଅନ୍ତର୍ଯ୍ୟାମୀ ପ୍ରଭୁ ଶ୍ରୀକୃଷ୍ଣ ହୋଇନଥିଲେ କେମିତି ମୋ ପାଇଁ ଚପଲ ଆଣିଥାଆନ୍ତେ!ମୋ ମାଆ କହେ ଆପଣ ଙ୍କୁ ଯିଏ ଯାହା ମାଗେ ଆପଣ ଦିଅନ୍ତି. ମାଆ କହେ ଆପଣ ସମସ୍ତଙ୍କ ଦୁଃଖ ହରଣ କରନ୍ତି. ମୁଁ କାଲି ମାଆ କଥା ଅନୁଯାୟୀ ଚପଲ ଦୁଇଟି ମତେ ଦେଇପାରିବ ମାଧବ ବୋଲି ତାଙ୍କ ଫୋଟୋ ଆଗରେ ଠିଆ ହୋଇ କାନ୍ଦି କାନ୍ଦି କହିଥିଲି. କାରଣ ଡହ ଡହ ଖରାରେ ଠିଆ ହୋଇ ଫୁଲମାଳ ବିକିବା ମୋ ପାଇଁ ଭାରି କଷ୍ଟ ହେଉଛି. ନାହିଁ ବାଳକ ମୁଁ ଶ୍ରୀକୃଷ୍ଣ ନୁଁହଁ. ତୁମେ ନିଜେ ଖରାରେ ଠିଆ ହୋଇ ନପାରି କେତେବେଳେ ଡାହାଣ ପାଦ ଉପରେ ବାମ ପାଦ ରଖୁଛ ତ କେତେବେଳେ ବାମ ପାଦ ଉପରେ ଡାହାଣ ପାଦ ରଖୁଛ. ସେଥିରେ ମଧ୍ୟ ତୁମର ତୁଷାର୍ତ୍ତ କୁକୁରକୁ ପାଣି ପିଆଇବା ପରି ସ୍ବର୍ଗୀୟ ଜୀବେ ଦୟା ଗୁଣ ଦେଖି ମୁଁ ତୁମ ପାଇଁ ଖୁସିରେ ଚପଲ ଆଣିଦେଇଛି ମାତ୍ର. ଏହା କହିବା ସହିତ ସେହି ଆଗନ୍ତୁକ ଦାତା ଯୁବକ ଜଣକ, ବାଳକଟିର ସମସ୍ତ ଫୁଲ ମାଳ କିଣିନେଇ ଚାଲିଯାଉଥିବା ବେଳେ ବାଳକ କହୁଥିଲା ଆପଣ ନିଶ୍ଚୟ ଶ୍ରୀକୃଷ୍ଣ ନଚେତ ମୋର ଫୁଲ ମାଳ ବିକ୍ରୀ ହେଉନି କହି ମୁଁ ମନେ ମନେ ତାଙ୍କୁ ଗୁହାରି କରୁ ନକରୁଣୁ ଆପଣ ସବୁ ଫୁଲ ମାଳ କିଣି ନେଇ ମତେ ସଖା ସୁଦାମଙ୍କୁ ପ୍ରଭୁ ଶ୍ରୀକୃଷ୍ଣ ସବୁ ଦେଲା ପରି ବନ୍ଧୁ କରିଦେଲେ ପ୍ରଭୁ. ଯୁବକ ଏଥର କିଛି ନକହି ଆଗେଇ ଯାଉଥିଲେ.
ସେ ବର୍ଷ ସାକ୍ଷିଗୋପାଳ ମନ୍ଦିର ସାମ୍ନାରେ ଖୁବ ଭିଡ଼. ଅଁଳାନବମୀ ରେ ସମସ୍ତେ ମାଆ ରାଧାଙ୍କ ଓଡ଼ିଆଣୀ ବେଶ ସହ ମାଆ ରାଧା ଦେବୀଙ୍କ ମଣିଷ ପରି ପାଦ ଦ୍ବୟ ଦେଖିବେ.ଯୋଉ ପାଦରେ ମାଆ ରାଧା ଦେବୀ ଅଳତା ନାଇଥିବେ, ଝୁଣ୍ଟିଆ ସହ ପାଉଁଜି ପିନ୍ଧିଥିବେ. ସେଇ ପାଦ ଦୁଇ ଦର୍ଶନ କରିବାକୁ ଧାଡ଼ିରେ ଠିଆ ହୋଇଥିବା ପିଲା, ବୁଢା, ବୁଢ଼ୀ ଆଦି ସମସ୍ତ ଶ୍ରଦ୍ଧାଳୁ ଙ୍କୁ ରେଡ଼କ୍ରସ ତରଫରୁ ପାଣି ଯୋଗାଇ ଦିଆଯାଉଛି. ସ୍କୁଲ ପିଲାମାନେ ମଧ୍ୟ ଧଳା ପୋଷାକ ପିନ୍ଧି କାହାକୁ ପାଣି ତ କାହାକୁ ପଙ୍ଖା କରି ବିସ୍କୁଟ ବାଣ୍ଟି ଚାଲିଛନ୍ତି. ମଣିଷମାନଙ୍କ ଭିଡ଼ ଦେଖି କୁକୁର ଗାଈ ଓ ଛେଳି ମେଣ୍ଢା ମଧ୍ୟ ଖୁବ ଖୁସି ହେଉଥିଲେ ମଧ୍ୟ ସେମାନେ ଯେ ତୃଷିତ ଓ ଭୋକିଲା କେହି ବୁଝିପାରୁନଥିଲେ. ଏତିକି ବେଳେ ବାଳକ ସୁଦାମା ଦେଖିଲା ସେହି ଗହଳି ଭିତରେ ସେଦିନର ସେହି ଯୁବକ ବେଶରେ ତାକୁ ଚପଲ ଦେଇଥିବା ଵ୍ୟକ୍ତି ଯିଏକି ନିଜ ପରିଚୟ ଲୁଚେଇ ରଖି ନିଜକୁ ଶ୍ରୀକୃଷ୍ଣ ବୋଲି ନମାନି କହିଥିଲେ ସେ ଜଣେ ସାଧାରଣ ମଣିଷ ମାତ୍ର,ସେ ଠିଆ ହୋଇଥିବା ଜାଗାକୁ ଦଉଡି ଯାଇ ସୁଦାମା ପ୍ରଭୁ ଶ୍ରୀକୃଷ୍ଣ ଶ୍ରୀକୃଷ୍ଣ ଡାକୁଥିଲା ତ ତା ନିଜ ଆଖିରେ ଦେଖିଥିବା ସେହି ଵ୍ୟକ୍ତି ଆଉ ସେଠାରେ ନଥିଲେ. ଗୋଟେ ଖାଲି ବାଲ୍ଟି ଦେଖି ସୁଦାମା ଟିୟୁବୱେଲ ରୁ ପାଣି ଆଣି ପଶୁ ମାନଙ୍କୁ ପିଆଉ ପିଆଉ ଭୁଲି ଯାଇଥିଲା ତାର ଫୁଲମାଳ ବିକିବା କଥା. ପୁଣି କୋଉଠି ଛୋଟ ପିଲା ତ କୋଉଠି ଯୁବକ ତ କୋଉଠି ବୃଦ୍ଧ ବୃଦ୍ଧା କେହି ଖରା ଗରମରେ ପାଣି ପାଣି ବୋଲି ଡାକ ପକାଉଥିଲେ ତ ସୁଦାମା ଦୌଡୁଥିଲା ବାଲ୍ଟି ଧରି. ପାଣି ଆଣି ପିଆଉଥିଲା ତୃଷିତ ଜନତା ଓ ପଶୁ ମାନଙ୍କୁ. ପୁଣି ଅଁଳା ଗଛମୂଳେ ଢାଳୁଥିଲା ପାଣି. ଏଥର ଜଣେ ରେଡ଼କ୍ରସ ସାର ତା ପାଖକୁ ଆଗେଇ ଆସୁଥିଲେ ଓ ସେ ଫୁଲମାଳ କିଣିବେ ଭାବି ସୁଦାମା ବଢ଼େଇ ଦେଉ ଦେଉ ସାର କହିଥିଲେ ତୁମର ଆଧାର କାର୍ଡ ଧରି ଆସନ୍ତା ସୋମବାର ଆସିବ ସ୍କୁଲକୁ.ନାମ ଲେଖାଇ ପାଠ ପଢିବ. ମୋ ବାପା ନାଁହାଁନ୍ତି ସାର. ମୁଁ କେମିତି ପାଠ ପଢ଼ିବି!ମୋର ସମସ୍ତ ଆବଶ୍ୟକୀୟ ପାଠ୍ୟ ଉପକରଣ ମୁଁ କୋଉଠୁ ପାଇବି? ମୁଁ ସ୍କୁଲ ଗଲେ ଆମ ଘର କେମିତି ଚଳିବ! ମୋଠୁ ଫୁଲ ମାଳ କିଣି ମତେ ଦୟା କରନ୍ତୁ. ତୁମ ଫୁଲମାଳ ସବୁ ହେଇ ସେଇ ଵ୍ୟକ୍ତି କିଣିନେଇ ମତେ ଏ ପଇସା ଦେଇଯାଇଛନ୍ତି ନିଅ ଓ ସେ ତୁମ ପାଠ ପଢିବା କଥା ସବୁ ବୁଝିବା ସହ ପ୍ରତିଦିନ ସବୁ ଫୁଲମାଳ କିଣିନେବେ କହିଛନ୍ତି. ସୁଦାମା ଚାହିଁଲା. ହଁ ଇଏ ସେଇ. ସେଦିନ ଚପଲ ଦେଇ ମାଳ ସବୁ କିଣି ନେଇଥିଲେ ଆଜି ପୁଣି ତା ପାଠ ପଢିବା ବନ୍ଦୋବସ୍ତ କରିଦେଇଛନ୍ତି!ସେ ମଣିଷ ନୁଁହଁନ୍ତି. ସେ ହିଁ ସ୍ୱୟଂ ଶ୍ରୀକୃଷ୍ଣ କହି ରହିଯାଅ ପ୍ରଭୂ ଶ୍ରୀକୃଷ୍ଣ ରହିଯାଅ ପ୍ରଭୁ ଶ୍ରୀକୃଷ୍ଣ କହି ଆଗକୁ ବଢିଲା ବେଳେ ସୁଦାମା କାନରେ ପ୍ରତିଧ୍ୱନିତ ହେଉଥିଲା ତୁମର ଜୀବେ ଦୟା ଗୁଣ ତୁମକୁ ଦିନେ ଭଲ ମଣିଷ କରିଦେବ. ସନ୍ଧ୍ୟାରେ ମାଆ ସବୁ କଥା ଶୁଣି ଏତେ କାନ୍ଦିଥିଲା ଯେ ସୁଦାମାକୁ ମାଆ ଲୁହ ଭିତରେ ଖାଲି ସେଇ ଶ୍ରୀକୃଷ୍ଣ ରୂପୀ ଯୁବକ ଦେଖାଯାଉଥିଲେ. ଅଁଳା ଗଛ ମୂଳରୁ ଭୋଗ କରି ଆଣିଥିବା ଭୋଗ ଭିତରେ ମଧ୍ୟ ମାଆ ରାଧା ଓ କୃଷ୍ଣଙ୍କ ପ୍ରତିଛବି ଦିଶୁଥିଲା ତ ସୁଦାମା ମଧ୍ୟ ମାଆ ସହ କାହିଁକି କେଜାଣି କାନ୍ଦିଥିଲା ଖୁବ.ଗପଟି ଶେଷରେ ମୁନା କହିଲା ସିଏ କଣ ପ୍ରକୃତରେ ଶ୍ରୀକୃଷ୍ଣ ଆଈ? ଆଈ କିଛି ନକହି କାନ୍ଦ ଭିତରେ କହୁଥିଲେ ଭଲ ପିଲାଙ୍କ ଭଲ ଗୁଣ ଦେଖି ଶ୍ରୀକୃଷ୍ଣ ନିଜେ ଆସି କେତେବେଳେ କୋଉ ରୂପରେ ତାଙ୍କୁ ଦେଖାଦିଅନ୍ତି ପରା. ମୁନା କହୁଥିଲା ମୁଁ ମଧ୍ୟ ଖୁବ ଭଲ ପିଲା ହେବି ଆଈ.ପରମ ଶାନ୍ତି ରେ ଆଈ ନାତି ଶୋଇଯାଇଥିଲେ.
