ସେଇ ଗୋଟିଏ ଭୂଲ୍
ସେଇ ଗୋଟିଏ ଭୂଲ୍
ବୃଦ୍ଧାଶ୍ରମର ଚାରି କାନ୍ଥ ଭିତରେ ବସି ବୁଲୁଥିବା ଫ୍ୟାନ୍ ର ଘୂର୍ଣ୍ଣୟମାନ ଅବସ୍ଥା ସହିତ ନିଜ ଜୀଵନକୁ ତୁଳନା କରି ଭାବି ଚାଲିଥିଲେ ଯେ ନିଜ ଜୀବନର ଗତି ଆଜି କେଉଁଠୁ କେଉଁଠି କି ଟାଣି ଆଣିଲା।ଅକୁହା ଲୁହରେ ଭିଜି ଶ୍ରୀଧର ବାବୁ ନିଜ ସହଧର୍ମିଣୀ ଅନ୍ନପୂର୍ଣ୍ଣାଙ୍କ ଫଟୋ ଧରି ମନ ପକାଉଥିଲେ।ସେଦିନର ସେ ଗୋଟିଏ ଭୂଲ୍ ଆଜି ଦୁଇ ଜଣଙ୍କ ସମ୍ପର୍କ ମଧ୍ୟରେ ଅନତି ଦୂରତା ସୃଷ୍ଟି କରିଛି।
ଠିକ୍ କୋଡିଏ ବର୍ଷ ତଳେ ଆଜିର ଦିନରେ ସେ ଛାଡ଼ପତ୍ର ଦେଇଥିଲେ ଅନ୍ନପୂର୍ଣ୍ଣାଙ୍କୁ।କାରଣ ଥିଲା ସନ୍ଦେହ।ଶ୍ରୀଧର ବାବୁ ପେଶାରେ ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ଆଉ ତାଙ୍କ ସ୍ତ୍ରୀ ଜଣେ ଅଧ୍ୟାପିକା ଥିଲେ।ଅନ୍ନପୂର୍ଣ୍ଣା ରୂପବତୀ ଗୁଣବତୀ ଆଉ କର୍ତ୍ତବ୍ୟନିଷ୍ଠା ମହିଳା।ଉଭୟଙ୍କ ଭଲପାଇବାରେ ଅତି ଘନିଷ୍ଠତା ଥିଲା।ଘର କାମ ସହ ବାହାର କାମରେ ଧୂରନ୍ଧର ଥିଲେ ଅନ୍ନପୂର୍ଣ୍ଣା। ଶ୍ରୀଧର ବାବୁ ପତି ହିସାବରେ ବହୁତ ଭଲ ପାଇବା ସହ ସମ୍ମାନ ବି ଦେଉଥିଲେ ତାଙ୍କୁ ଆଉ ଗେଲରେ ଡାକୁଥିଲେ ଅନି। କିନ୍ତୁ ମନ ର କେଉଁଠି ନା କେଉଁଠି ତାଙ୍କର ଡର ଥିଲା ତାଙ୍କ ଅନିଙ୍କ ରୂପ ଲାବଣ୍ୟକୁ ନେଇ।ଅନେକ ସମୟରେ ଶ୍ରୀଧର ବାବୁଙ୍କ ମା ଦମୟନ୍ତୀ ପୁଅକୁ ଆକଟ କରିଛନ୍ତି ଭୂଆସୁଣୀ ଟା କାହିଁକି ତାକୁ ବାହାରକୁ ଛାଡୁଛୁ।ଘରର ଲକ୍ଷ୍ମୀ ଘରକୁ ସୁନ୍ଦର। ତଥାପି ମା ଙ୍କ ରସେ ପୁରୁଣା କାଳିଆ କଥାକୁ ଭୃକ୍ଷେପ କରନ୍ତିନି ସେ।
ହଠାତ୍ ଦିନେ ଶ୍ରୀଧର ବାବୁ କହିଲେ ଅନି କାଲି ମୋ ବାଲ୍ୟବନ୍ଧୁ ଅବିନାଶ ଆସିବ ଆମେରିକାରୁ।ଟିକେ ଭଲ ରନ୍ଧା ରନ୍ଧି କରିକି ରଖିଥିବ।
ଆରେ ବାବା ମୁଁ କେବେ କିଏ ଆସିବା ଯିବାରେ କିଛି ଅବହେଳା କରିଛି ଯେ ତୁମ ସାଙ୍ଗଙ୍କ କଥା ବୁଝିବିନି।
ଅନି କଲେଜରୁ ଛୁଟି ନେଲେ ଦୁଇଦିନ ପାଇଁ। ଲାଗି ପଡିଲେ ରୋଷେଇ ଘରେ ଅନେକ ପ୍ରକାର ଖାଇବା ପ୍ରସ୍ତୁତିରେ। ରାତି ପାଖାପାଖି ଆଠ ଟା ହେବ କାର୍ ର ହର୍ଣ୍ଣ ଶୁଣି ପୁଅ ଲିଙ୍କନ୍ ଧାଇଁ ଆସି କହିଲା ମାମା ବାପା ଆଉ ଅଭି ଅଙ୍କଲ୍ ଆସିଲେ।ଅନି ବି ପାଛୋଟି ଆଣିବାକୁ ଦୁଆର ବନ୍ଧ ଆଡିକି ଗଲା ବେଳେ ଦମୟନ୍ତୀ ଦେବୀ କହିଲେ ଏ ବୋହୂ ତୁ ରହୁନୁ ସେମାନେ ମନକୁ ଆସିବେ ତୁ କିଆଁ ଯାଉଛୁ।ଦମୟନ୍ତୀଙ୍କ ଶାଶୁ ପଣିଆ ଟିକେ ଖଟକାଇଲା ତଥାପି ସେ ଚୁପ୍ ରହିଲେ ।
ହ୍ୟାଲୋ ଭାଉଜ ହାଓ ଆର୍ ୟୁ? ଆମେରିକା ଫେରନ୍ତା ଅବିନାଶ ପଚାରିଲେ।
ନମସ୍କାର ଆସନ୍ତୁ ବସନ୍ତୁ। ହଁ ମୁଁ ଭଲ ଅଛି ଖାଣ୍ଟି ଓଡିଅଣୀ ଭଙ୍ଗୀରେ କହିଲେ ଅନି।
ବାଲ୍ୟବନ୍ଧୁଙ୍କ ସହ ଥଟ୍ଟା ମଜାରେ ମଜ୍ଜି ଯାଇଥିଲେ ଶ୍ରୀଧର ବାବୁ।ଡାଇନିଙ୍ଗ୍ ଟେବୁଲ୍ ରେ ଖାଇବା ପରଶି ଦେଲେ ଅନ୍ନପୂର୍ଣ୍ଣା।
ବାଃ ବଢିଆ ହେଇଛି ସବୁ ଖାଦ୍ୟ।ମତେ କୁଆଡୁ ମିଳିବ ଏ ଖାଇବା ପରଦେଶରେ। କହିଲେ ଅବିନାଶ।
କାଇଁ ଜଲଦି ବାହା ହେଇଯା ସ୍ତ୍ରୀ ଆସିଲେ ଭଲ ଖାଇବା ବନେଇବ,କହିଲେ ଶ୍ରୀଧର ।
ଆରେ ବାବା ଭାଉଜଙ୍କ ପରି ସୁନ୍ଦରୀ ରୂପବତୀ ଝିଅ ଟେ ଦରକାର ମୋତେ କୁଆଡୁ ମିଳିବ ହସି ହସି କହିଲେ ଅଭି।
ଏଇ ପଦିଏ କଥା ଶ୍ରୀଧରଙ୍କ ମନରେ ସନ୍ଦେହର ବିନ୍ଦୁ ସୃଷ୍ଟି କଲା। ତାଙ୍କ ମୁହଁର ଅଙ୍ଗୀଭଙ୍ଗୀ ଅନି ବୁଝି ପାରୁଥିଲେ।ଯାହ
ା ହେଲେ ବି ସେ ସ୍ତ୍ରୀ।
ଆଛା ଭାଉଜ କାଲି ସନ୍ଧ୍ୟାରେ ମୋର ଟ୍ରେନ୍ ଅଛି ଗାଁ କୁ ବୋଉ ପାଇଁ କିଛି ଆଣିନି ସେଠି ତ ଶାଢୀ ମିଳେନି ଭାବୁଛି ଏଇ ଭୂବନେଶ୍ୱରରୁ କିଣିନେବି।ମୋତେ ଟିକେ ତୁମର ସାହାଯ୍ୟ ଦରକାର।
ହଁ ଯେ ମୁଁ କଣ କରିବି କହିଲେ ଅନି।
ମୋ ସହିତ କାଲି ସକାଳେ ଟିକେ ଯିବ ଆଉ ତୁମ ପସନ୍ଦର ଶାଢୀଟେ କିଣିବା ବୋଉ ପାଇଁ।
ଥଙ୍ଗମଙ୍ଗ ହୋଇ ହଁ ଭରିଲେ ଅନି ଏପଟେ ଶ୍ରୀଧର ବାବୁଙ୍କ ମନୋଭାବ ଏପଟେ ଅବିନାଶଙ୍କୁ ମନା କଲେ ଅସୁନ୍ଦର ହେବ।
କଣ କରିଲେ ଠିକ୍ ହେବ। ଯଦି ଆମେ ସମସ୍ତେ ଯିବୁ ବୋଧ ହୁଏ ଭଲ ହେବ।
ସକାଳ ଚା ପାଖରେ ବସିକି ଅଭି କହିଲେ ଆଛା ଭାଉଜ କେତେବେଳେ ଯିବା?
ହଁ ଯିବା ହେଇଟି ଆମେ ଚାଲ ସମସ୍ତେ ଯିବା ମାର୍କେଟ୍।ଆଉ ଲଞ୍ଚ୍ ବି କରି ଆସିବା।
ନାଇଁ ମୁଁ ଯାଇ ପାରିବିନି ମୋର ଅର୍ଜେଣ୍ଟ୍ ମିଟିଙ୍ଗ୍ ଅଛି ।ମିଛ ବାହନା ଦେଖାଇ କହିଲେ ।ତୁମେ ଦୁହେଁ ଯାଇକି ଆସ ମୁଁ ସନ୍ଧ୍ୟାରେ ଆସିଲେ ଅଭିକୁ ଷ୍ଟେସନ୍ ରେ ଛାଡି ଆସିବି। ଏହା କହି ସେ ଅଫିସ୍ ଗଲେ ଭାରି।
ଠିକ୍ ଅଛି ଚାଲ ଆମେ ବାହାରିବା ଭାଉଜ।କିନ୍ତୁ ର ମନୋଭାବ ନେଇ ବାହାରିଲେ ଅନି।ମନେ ମନେ ଭାବୁଥିଲେ ମୋର ମନ ତ ସ୍ୱଛ ଅଛି।
ସନ୍ଧ୍ୟାରେ ଅଭି ଗଲା ପରେ ଗାଁ କୁ, ଆରମ୍ଭ ହୋଇଗଲା ସ୍ଵାମୀଙ୍କ ଉପଦ୍ରବ ତା ସହ ଶାଶୁଙ୍କ ଚୁଡାକୁ ଦହି ପରି ତାଳ ଦେଇ ଚାଲିଲେ।ଦୀର୍ଘ ଦୁଇ ତିନି ମାସର ତୁ ତୁ ମେଁ ମେଁ ପରେ ଛାଡ଼ପତ୍ର ଯାଏଁ କଥା ଗଲା।ପୁଅ ଲିଙ୍କନ୍ କୁ ବି ଦମୟନ୍ତୀ ଦେବୀ ଛାଡିଲେନି।ଶେଷରେ ଚରିତ୍ରହୀନାର ଆଖ୍ୟା ନେଇ ଚାଲିଗଲେ ଅନ୍ନପୂର୍ଣ୍ଣା। କିଛି ବର୍ଷ ପରେ ଦମୟନ୍ତୀଙ୍କର ବି ଦେହାନ୍ତ ହୋଇଗଲା।ପୁଅକୁ ନେଇ ଏକା ଏକା ବାପା ମା ହୋଇ ବଡ଼ କରିଲେ ଶ୍ରୀଧର ବାବୁ।
୨୦ ବର୍ଷ ପରେ....
ଓହୋ ବାପା ଏମିତି ଖଁ ଖଁ ହୋଇକି କାଶିଲେ ବବଲୁକୁ ଇନ୍ଫେକ୍ସନ ହେବ।ଦେଖ ଲିଙ୍କନ୍ ତୁମ ବାପାଙ୍କୁ ବୁଝାଅ।
ଦେଖ ବାପା ସେଲୀ ଠିକ୍ କହୁଛନ୍ତି।ସବୁବେଳେ ଗୋଟେ ନାଟ ଚାଲିଛି।ରାଗ ଗର ଗର ହୋଇ କହିଲା ପୁଅ।
ବାଃ ରେ ପୁଅ ମୋ ସଂସ୍କାରର ଫଳ ମୋତେ ମିଳିଲା।କହିଲେ ଶ୍ରୀଧର ବାବୁ ।ଆଉ ତା ପରେ ନିଜେ ଆପଣାଇ ନେଲେ ଏଇ ବୃଦ୍ଧାଶ୍ରମକୁ।
ଏମିତି ପୁରୁଣା କଥାକୁ ଘାଣ୍ଟିଲା ବେଳେ ତାଙ୍କୁ ଶୁଭିଲା ହେଇଟି ଏପଟେ ଦେଖ ମୁଁ ଆସିଛି।ଚାଲ ସାଥୀ ହୋଇ ବାକି ଜୀବନ କାଟି ନେବା।
ଆରେ ଇଏ ତ ମୋ ଅନିର ସ୍ୱର।ପଛକୁ ବୁଲି ଦେଖନ୍ତି ତ ଅନି। ହସ ଆଉ ଲୁହ ମିଶା ଗଳାରେ କହିଲେ ତୁମର ଏ କଥା ଅନ୍ୟ ଠୁ ଶୁଣି ଧାଇଁ ଆସିଛି।କାଗଜ ପତ୍ରରେ ସମ୍ପର୍କର ଶେଷ ହୁଏନି ଆମ ସମ୍ପର୍କ ତ ଆତ୍ମାର ମନର।ସେଦିନ ସିନା ମୋତେ ଭୂଲ୍ ବୁଝିଲ ହେଲେ ଜୀବନ ସଙ୍ଗିନୀ ହେବାର ଯୁ ଶପଥ ମୁଁ ନେଇଥିଲି ଆମ ବିବାହ ଦିନ ତାହା ମୁଁ କାୟ ମନ ବାକ୍ୟରେ ସାବ୍ୟସ୍ତ କରିବାକୁ ଚେଷ୍ଟା କରିଥିଲି ହେଲେ ତମେ.....
ଆଉ ସେ ପୁରୁଣା କଥାକୁ ମନେ ପକାଅନି ମୋତେ କ୍ଷମା କରିଦିଅ କହିଲେ ଶ୍ରୀଧର ବାବୁ। ହେଉ ହେଲା ଚାଲ ଯିବା ଏବେ କହିଲେ ଅନି।