Tapaswini DashSarangi

Tragedy

4.0  

Tapaswini DashSarangi

Tragedy

ଅବ୍ୟକ୍ତ ଅଭିମାନ

ଅବ୍ୟକ୍ତ ଅଭିମାନ

4 mins
357


ଆଜି ସମୃଦ୍ଧିର ବାପା ବୋଉଙ୍କ ପଚିଶିତମ ବିବାହବାର୍ଷିକୀ l ସେଥିପାଇଁ ବହୁତ ବଡ଼ ଆୟୋଜନ କରିଛି ସେ l ହେଲେ ଏ ଯାଏଁ ତା ବୋଉ ମାନେ ଭାବନା ଦେବୀ ରୁମ୍ ଭିତରୁ ଦୁଆର ଦେଇକି ଅଛନ୍ତି ଆସିବାର ନାଁ ନେଉନାହାଁନ୍ତି l  


ଆରେ ବୋଉ ତୁ କୁଆଡ଼େ ଗଲୁ ଯେ ଏଇ ଦେଖେ ସୁନି ମାଉସୀ, ରୀତି ଆଣ୍ଟି ସମସ୍ତେ ଆସିଗଲେଣି l ଡ୍ରଇଁ ରୁମ୍ ରୁ ଡାକ ଛାଡୁଥିଲା ସମୃଦ୍ଧି l  


ଜୀବନରେ ପ୍ରଥମଥର ଏ ଆୟୋଜନ l ଯେଉଁଠି ଜୀବନସାଥୀ ସାଥୀରେ ଥାଇକି ବହୁତ ଦୂରରେ ଥାଏ l ଯେଉଁଠି ସମ୍ପର୍କରେ ମଧୁରତା ନଥାଏ କି ଯେଉଁଠି ସମ୍ପର୍କ ଗୋଟେ ଅଭିଶାପ ବନିଯାଏ ସେଠି ଏସବୁ ଆୟୋଜନ ଆଉ ସମାରୋହର ମାନେ କଣ ? ଯାହା ବି ହେଉ ଆଜି ସେ କରିଥିବା ଏକ ଶପଥ ପୁରା ହୋଇଯାଇଛି l ସେଇ ଝିଅ ପାଇଁ... ତା ଭବିଷ୍ୟତ ପାଇଁ ତ ସେ ସୁଶୀଲଙ୍କ ସହିତ ଏତେ ବର୍ଷ ରହିଛନ୍ତି l ସୁଶୀଲ୍ ନିଜ ବାପା ହେବା କର୍ତ୍ତବ୍ୟ ବହୁତ ଭଲ ଭାବେ ପାଳନ କରିଛନ୍ତି l ହଁ ପ୍ରକୃତିବଶତଃ କେବେ ଖେଳନା ଯଦି ସମୃଦ୍ଧି ହାତରେ ଭାଙ୍ଗିଯାଇଛି ପିଲା ଛଳରେ ଆକଟର ସୀମାକୁ ଟପି ଯାଇଛନ୍ତି l କେବଳ ଝିଅ ପାଇଁ ଭାବନା ଚୁପ୍ ରହି ସହି ଆସିଛନ୍ତି l ନହେଲେ ନିଜର ଆତ୍ମ ସ୍ଵାଭିମାନ ନିଜର ଇଜ୍ଜତ ଏଇ ପଚିଶି ବର୍ଷରେ ବିତିଥିବା ପ୍ରତିଟି ସେକେଣ୍ଡରେ ଅନ୍ୟମାନଙ୍କ ପାଦରେ ଦଳି ହେବା ସେ ଦେଖିଛନ୍ତି l ଝିଅ ବି ଏବେ ଏକ ଭଲ କମ୍ପାନୀରେ ଇଞ୍ଜିନିୟର l ଆଜି ଝିଅ ତା' ପ୍ରଥମ ମାସ ଦରମାରେ ଏ ବିବାହବାର୍ଷିକୀ ଉତ୍ସବର ଆୟୋଜନ କରୁଛି l ହେଲେ ଭାବନାଙ୍କୁ ଜଣା ଅଛି ଏ ସବୁ ସୁଶୀଲଙ୍କୁ ଭଲ ଲାଗିବନି l ଯିଏ ପ୍ରତ୍ୟେକ ଘଟଣା ଅବା ବସ୍ତୁର ହିସାବକୁ ଟଙ୍କାରେ ତଉଲନ୍ତି ସେ ପୁଣି ଆଜି ଏ ଆୟୋଜନକୁ ଭଲ ପାଇବେ କେମିତି ଯେ..! ଏମିତି ଅନେକ ପ୍ରଶ୍ନ ଓ ଉତ୍ତର ନିଜେ ନିଜକୁ ଦେଇ ଚାଲିଥିଲେ l 


ହଁ ରେ ମା' ଆସୁଛି... ଆସୁଛି କହି ନିଜ ଲୁହକୁ କାନି ପଣତରେ ପୋଛି ଦୁଆର ଖୋଲିଲେ ଭାବନା l 

 

ଆରେ ଏ କଣ...? କହି ପାଖକୁ ଦଉଡ଼ି ଆସିଲା ସମୃଦ୍ଧି 


ବୋଉ ତୁ ଏ କଣ ଏମିତି କଣ ଶାଢ଼ୀ ପିନ୍ଧିଛୁ ଯେ l ଏତେ ଅତିଥି ଆସିଛନ୍ତି ଆଉ ତୁ ଏମିତି ଯିବୁ ? ନାଇଁ ବୋଉ କେତେ ଲୋକ ଆସିଛନ୍ତି l ମୁଁ ତୋ ପାଇଁ ଏତେ ସୁନ୍ଦର ଶାଢ଼ୀ ଆଣିଛି ଚାଲ୍ ତୁ ସେଇଟା ପିନ୍ଧି ନେ ଆଉ ମୁଁ ତୋତେ ସଜେଇ ନେବି ନୂଆ ବିବାହିତା ପରି l 


ନା ରେ ମାଆ ..ମୁଁ ଭଲ ପିନ୍ଧିବା ଓ ଭଲ ଦିଶିବା ବହୁତ ବର୍ଷ ପୂର୍ବେ ଅତୀତରେ ଛାଡ଼ି ଆସିଛି l ଖାଲି ବଞ୍ଚିଥିଲି ତୋର ଭବିଷ୍ୟତ ପାଇଁ ଓ ତୋ ପାଇଁ l ଆଜି ବି ସେ ସ୍ଵପ୍ନ ବି ମୋର ପୁରା ହୋଇଗଲା l  


ବୋଉ ତୁ ସିନା ବାପାଙ୍କ ଉପରେ ଅଭମାନ କରି ଏ ସବୁ କହୁଛୁ ହେଲେ ମୁଁ ତ ଆଣିଛି ନା ଏ ଶାଢ଼ୀ..

ପ୍ଲିଜ୍ ବୋଉ...


ସମୃଦ୍ଧି ଭାବନାଙ୍କର ସବୁ ସମୟର ମୂକ ସାକ୍ଷୀ l ସେ ଦେଖିଛି କେମିତି ବାପା ପ୍ରତିଟି ଛୋଟିଆ ଭୁଲରେ ତାଗିଦ୍ କରନ୍ତି l ସେ ଅନୁଭବ କରିଛି ବୋଉ ପ୍ରତି ବାପାଙ୍କ ଅଶାଳୀନ ଆଚରଣକୁ l ସେ ବି କଷ୍ଟ ପାଇଛି ବାପା ଯେବେ ବୋଉକୁ ସ୍ତ୍ରୀର ମାନ୍ୟତା ନୁହେଁ ବରଂ ଚାକରାଣୀର ସ୍ଥାନ ଦେଇଛନ୍ତି l କପଟିଏ ଭାଙ୍ଗିଗଲେ ଔକାଦକୁ ନେଇ ପ୍ରଶ୍ନ ଉଠେଇଛନ୍ତି l ଏ ସବୁର କାରଣ ହେଉଛି ଭାବନା ଅପାଠୋଇ ଆଉ ଚାକିରୀ କରିନାହାଁନ୍ତି l ଟଙ୍କାଟିଏର ମୂଲ୍ୟ କଣ ଭାବନା ବୁଝନ୍ତି ନାହିଁ ବୋଲି ସୁଶୀଲ୍ ପ୍ରତି କଥାରେ କହି ହୁଅନ୍ତି l ଖାଲି ଭାବନାଙ୍କ ସୁନ୍ଦରତା ଓ ଚାଲିଚଳଣୀରେ ମୁଗ୍ଧ ହୋଇ ସୁଶୀଲଙ୍କର ବାପା ମାଆ ତାଙ୍କୁ ବୋହୂ କରିଥିଲେ l କିନ୍ତୁ ସେ ସବୁ କେବେ ସୁଶୀଲଙ୍କୁ ଆକୃଷ୍ଟ କରିନି l  


ବୋଧହୁଏ ଭାବନା ନିଜକୁ ଅଭିମାନର ରଙ୍ଗରେ ସଜେଇ ରଖିଛନ୍ତି l କେବେ ଗୋଟେ ସ୍ତ୍ରୀ ପରି ସ୍ଵାମୀଙ୍କ ଉପରେ ସ୍ତ୍ରୀତ୍ଵ ଜାହିର୍ କରି ନାହାଁନ୍ତି କି କେବେ କିଛି ଦରକାରୀ ସାମଗ୍ରୀର ଅଳି ବି କରି ନାହାଁନ୍ତି l ଖାଲି ନିଜ ମୁହଁକୁ ସଜେଇଛନ୍ତି ଯଦି ନିଲଠା ମିଛ ହସରେ l ତାଙ୍କ ମନର ବିଷାଦ ବୋଧେ ସମୃଦ୍ଧି ଛଡ଼ା ଆଉ କାହାକୁ ଜଣା ନାହିଁ l ଅନେକଥର ସେ ଭାବିଛନ୍ତି ସମୃଦ୍ଧିକୁ ନେଇ ସୁଶୀଲଙ୍କୁ ଛାଡ଼ି ଚାଲିଯିବେ ହେଲେ ନିଜର ଅପାରଗତା ଯୋଗୁଁ ଝିଅର ପାଠପଢ଼ା ଆଉ ଭବିଷ୍ୟତ କାଳେ ବାଜି ଲାଗିଯିବ ସେଥିପାଇଁ ସେ ନୀରବତାକୁ ନିଜ ଚିରସହଚର କରି ନେଇଥିଲେ l  

ଝିଅର ଗୋଟେ ଜିଦି ସେ ଆଣିଥିବା ନୂଆ ଶାଢ଼ୀ ବୋଉ ପିନ୍ଧିବ l ଝିଅର ଜିଦିକୁ ରକ୍ଷା କରି ପ୍ରାୟ ଅନେକ ବର୍ଷ ପରେ ସେ ନିଜ ଅଭିମାନକୁ ଭୁଲି ନୂଆ ଶାଢ଼ୀ ପିନ୍ଧିଲେ l ସମୃଦ୍ଧି ଅତି ଯତ୍ନରେ ଏକ ନବବିବାହିତା ସ୍ତ୍ରୀ ପରି ସଜେଇ ଦେଲା ଭାବନାଙ୍କୁ l ହାତ ଧରି ନେଇଗଲା ଡ୍ରଇଁ ରୁମକୁ l  

 

ବାପା .. ବୋଉ..ଆସ ଦୁହେଁ ମିଶି କେକ୍ କାଟିବ l ସମୃଦ୍ଧି ଜାଣିଥିଲା ବାପା ଏତେ ଲୋକଙ୍କ ଆଗରେ କିଛି କହିବେନି l 

  

ହଠାତ୍ ଭାବନାଙ୍କ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ ହେଲା l କେହି କିଛି ଭାବିବା ଆଗରୁ ସେ ସେଠାରେ ଟଳି ପଡିଲେ l  


ହେ ଭଗବାନ ! ମୋତେ ଯେଉଁ ଡର ସବୁବେଳେ ଥିଲା ସେଇଆ ହିଁ ହେଲା l ଏଇ ଧାଡିକ କଥା କହି ଭାବନାଙ୍କ ଅନ୍ତରଙ୍ଗ ବାନ୍ଧବୀ ରୀତି ମହାନ୍ତି ହୃଦରୋଗ ବିଶେଷଜ୍ଞା ସମୃଦ୍ଧିର ଅନୁରୋଧରେ ସେଠି ଉପସ୍ଥିତ ଥିଲେ ଭାବନାଙ୍କ ପାଖକୁ ଧାଇଁ ଆସିଲେ ଓ ସବୁ ପରଖିବା ପରେ ଭାବନାଙ୍କୁ ମୃତ ଘୋଷଣା କରିଦେଲେ l 

  

କଣ ହେଲା ଆଣ୍ଟି ? କାନ୍ଦି କାନ୍ଦି ସମୃଦ୍ଧି ପଚାରିଲା l  

 

ହଁ ରେ ମାଆ ଏଇ ବର୍ଷେ ପୂର୍ବରୁ ଭାବନାର ଛାତିରେ ଯନ୍ତ୍ରଣା ହେଉଥିଲା l ଏତେ ଅସହ୍ୟ ହେଲା ଯେ ସେ ମୋ କ୍ଲିନିକ୍ ଆସିଥିଲା l ମୁଁ ଦେଖି ଜାଣିଲି ଯେ ଦୁଇଥର ହୃଦଘାତ ତା'ର ହୋଇ ସାରିଲାଣି l ତା ପାଇଁ କିଛି ଔଷଧ ଲେଖି ଦେଇଥିଲି ସବୁଦିନ ଖାଇବା ପାଇଁ l କହିଥିଲି ଔଷଧ ନଖାଇଲେ କେତେବେଳେ କିଛି ବି ହେଇପାରେ l କେଜାଣି ସେ ଖାଉଥିଲା କି ନାହିଁ ?


ସମୃଦ୍ଧି କଣ ବା କହିବ ! ସେ ଜାଣିଛି ତା' ବୋଉ କେବେ ବି ଔଷଧ ଖାଉନଥିଲା l ଭାବନାଙ୍କ ମନର ଅଭିମାନ ଛାତିର କଷ୍ଟ ଠାରୁ ଯଥେଷ୍ଟ ଅଧିକ ବୋଲି ସେ ବୁଝୁଥିଲା l 


ସମୃଦ୍ଧି ଭାବନାଙ୍କୁ ଅହ୍ୟ ରାଣୀ କରି ସଜେଇ ଦେଲା l ଠିକ୍ ଯେମିତି ଆଜିକି ପଚିଶି ବର୍ଷ ପୂର୍ବେ ନବବଧୂ ସାଜି ଥିଲେ l  

କାନ୍ଦି କାନ୍ଦି ଅଥୟ ହୋଇ ଯାଉଥିଲା ସମୃଦ୍ଧି l କ୍ଷତି ଯଦି ହେଲା ସମୃଦ୍ଧିର l ମା'ଛେଉଣ୍ଡ ହୋଇଗଲା ସେ l ସମୃଦ୍ଧିର ସ୍ଵପ୍ନ ଅଧୁରା ରହିଗଲା l ସେ ଭାବିଥିଲା ତା' ବୋଉର ଜୀବନରେ ଏତେ ସୁଖ ଆଣି ଠୁଳ କରିବ ସେ ବିଗତ କିଛି ବର୍ଷର କଷ୍ଟକୁ ଭୁଲି ଯିବେ l ହେଲେ ନା ତା' ଭାବନାର ଖିଅ ଭାବନାଙ୍କର ମୃତ୍ୟୁକୁ ଅଟକାଇ ପାରିଲାନି l ଦୋଷ କାହାର ବାପା ସୁଶୀଲଙ୍କର ନା ଭାବନାଙ୍କ ଭାଗ୍ୟର l କଣ ଜୀବନରେ ସବୁ କିଛିର ହିସାବ ନିକାଶ କରିବା ନିହାତି ଜରୁରୀ l 


 ନିର୍ବାକ୍ ହୋଇପଡିଥିବା ସୁଶୀଲ୍ l ସ୍ପଷ୍ଟ ବୁଝି ପାରୁଥିଲେ ଭାବନା ନିଜର ଅସହ୍ୟ ଛାତିର ଯନ୍ତ୍ରଣାକୁ କେବେ ପରିପ୍ରକାଶ କରି ନଥିଲେ କାରଣ ସୁଶୀଲ୍ ଙ୍କର ସେହି ହିସାବି ମିଜାଜ ସକାଶେ l କ୍ଷମା ମାଗିବାର ସୁଯୋଗ ନଦେଇ କେମିତି ଭାବନା ତାଙ୍କୁ ଛାଡ଼ି ଚାଲିଗଲେ ସେଇକଥା ସେ କହି କହି ଫରୁଆ ଭର୍ତ୍ତି ସିନ୍ଦୁର ଆଣି ଭାବନାଙ୍କ ମଥାରେ ଭରି ଦେଇ ଭୋ ଭୋ ହୋଇ କାନ୍ଦିବା ଆରମ୍ଭ କଲେ l ଅନୁତାପର ଲୁହ ସବୁ ଓଠ ପିଇଯାଉଥିଲା l ପଚିଶି ବର୍ଷ ସିନ୍ଦୂରର ମର୍ଯ୍ୟାଦା ସେ ଭାବନାଙ୍କୁ ଦେଇନଥିଲେ ଖାଲି ଦେଇଥିଲେ ତ ଅଯାଚିତ ଯନ୍ତ୍ରଣା l ଶେଷରେ ନିଜ ମନର ଅଭିଯୋଗ ଅଭିମାନକୁ ନେଇ ଆରାମରେ ଶୋଇଗଲେ ଭାବନା l ଆଉ ରହିଗଲେ କାନ୍ଥରେ ଟଙ୍ଗା ହୋଇଥିବା ଫଟୋଟେ ହୋଇ l  



Rate this content
Log in

Similar oriya story from Tragedy