କୁହୁଳା ଅଭିମାନ
କୁହୁଳା ଅଭିମାନ
ଟିଂ ଟଙ୍ଗ୍! ଟିଂ ଟଙ୍ଗ୍! କଲିଂ ବେଲ୍ ଟା ବାଜିବାକୁ ଲାଗିଲ।
ଆରେ ଏ ମୋହନ ଦେଖିଲୁ କିଏ ଡାକୁଛି?
ଆଜ୍ଞା! ମନି ଅପା ଦେଖୁଛି ରୁହ କହି ଧାଇଁଗଲା ଚାକର ମୋହନ।
ଅପା...ଡାକବାଲା ଆସିଛି।କ'ଣ ଗୋଟେ ପାର୍ସଲ୍ ଦେଇଗଲା।
କହି ପାର୍ସଲ୍ ଟିକୁ ମନି ଅପା ହାତକୁ ବଢେଇ ଦେଇ ଭିତରକୁ ଚାଲିଗଲା ସେ।
ପାର୍ସଲ୍ ଖୋଲିଲା ବେଳକୁ ମନି ଆଖିରେ ଲୁହର ବନ୍ୟା ସୃଷ୍ଟି ହୋଇଯାଇଥିଲା।ପିଲାବେଳର ସ୍ମୃତିକୁ ସାଉଁଟି ଚାଲିଛି ମନି ସେଇ କିଛି ପୁରଣା ମଳିନ ପଡିଥିବା ଫଟୋ ଗୁଡିକ ଦେଖି।ବଡ଼ ଭାଇ ଆଉ ନାନୀ ସହିତ ସେ କେତେ ମଜାରେ ଦିନ କାଟିଥିଲା।କେବେ ପଡିଗଲେ ଗୋଡ଼ରେ ରାଞ୍ଚୁଡି ହୋଇଗଲେ ବୋଉ ବାପା ଭାଇ ଓ ନାନୀ କେତେ ବ୍ୟସ୍ତ ହୋଇଯାଉଥିଲେ।ବୋଉର ହାତ ତିଆରି ସେ ମହୁରାଳି ମାଛର ବେସର ଦିଆ ଠୁକୁଠୁକା ତରକାରୀ ଆଉ ସୁନୁସୁନିଆ ଶାଗ ମୁଗ ନଡିଆ ଦେଇ ବୋଉ କରିଦେଲେ ଯେଉଁ ବାସନା ଥାଏ ହୁଏତ ଏଇ ତିରିଶି ବର୍ଷ ହେଲା ସେ କେଉଁଠୁ ପାଇନି।ବାପାଙ୍କ ସହିତ ମେଳଣ ପଡିଆ ବୁଲିବାର ମଜା ବି ନିଆରା। ଏମିତି ଅନେକ କଥା ମନି ମନକୁ ଡହଳବିକଳ କରୁଛି। ସେ ପାର୍ସଲ ଭିତରୁ ପାଇଲା ଏକ ଚିଠି।
ଆରେ,ଇଏ ତ ବୋଉର ଅକ୍ଷର।ବୋଉ ବେଶୀ ପାଠ ନପଢିଲେ ବି ତା ଅକ୍ଷର ବହୁତ ସୁନ୍ଦର। ଚିଠିରେ ଦୁଇଧାଡି ଲେଖାଥିଲା।"ଜାଣି ଖୁସି ଲାଗିଲା ତୁ ତୋ ଜୀବନକୁ ଭଲ ଭାବରେ ଗଢି ତୋଳିଲୁ।ମୁଁ ଆଜି ମୋ ଭୂଲ୍ ପାଇଁ ଅନୁତପ୍ତ।ତୁ ମୋତେ କ୍ଷମା କରିଦେବୁ।
ଏସବୁ କଥାକୁ କେମିତି ଗ୍ରହଣ କରିବ ମନି ବୁଝି ପାରୁନଥିଲା।ପୁରୁଣା ବହିର ସେ ଅପଢା ପୃଷ୍ଠା ପରି ଛାଡି ଆସିଥିଲା ନିଜ ଅତୀତକୁ।ପୁଣି ଯେବେ ସେସବୁ କଥାକୁ ମନେ ମନେ ଭାବି ଦର୍ପଣ ସାମନାରେ କହି ଚାଲିଥିଲା..
ବାପା..... ବୋଉ.... ମୋ ଭିତରେ ଥିବା ଅଜବ ଜୀବ ସତ୍ତାକୁ ଅନୁଭବ କଲ,ସେତେବେଳକୁ ମୋତେ ଦଶ ବର୍ଷ ବୟସ।
ନିଜ ସମ୍ମାନ ପାଇଁ ରାତି ରାତି ମୋତେ ଗାଁରୁ ବିଦା କରିଦିଲ।
ଆଉ ମୁଁ ସେଦିନ କାଳ ରାତିରେ କି ଅବସ୍ଥାରେ ଥିଲି କେମିତି କୁଆଡେ ଗଲି ଗୋଟେ ଥର ହେଲେ ଭାବିଲନି।ତୁମେ ମାନେ ମୋ ନାଁ ଦେଇଥିଲ ମନୀଷ୍।ହେଲେ ମୁଁ ପରେ ମନି ନାଁରେ ନାମିତ ହେଲି।କିଏ ଛେକା କହିଲା ତ କିଏ ହିଞ୍ଜଡା କିଏ ପୁଣି କହିଲା ମାଇଚିଆ।ମୋତେ ଧୀରେ ଧୀରେ ଝିଅ ପରି ରହିବାକୁ ଭଲ ଲାଗିଲା।ଜଳଖିଆ ଦୋକାନରେ ବାସନ ମାଜି ମୋ ଗୋଟିଏ ପେଟ ପୋଷିବାକୁ ସଂଘର୍ଷ କଲି।ପୁରା ପରିବାର ଥାଇକି ମୁଁ ଆଜି ଏକା।ଜୀବନ ସଂଗ୍ରାମରେ ଏକା ସାରଥୀ ସାଜିଲି ମୁଁ।ଯଦି ସେଦିନ ହେମନ୍ତ ବାବୁ ତାଙ୍କ ସହିତ ତାଙ୍କ ଘରକୁ ନଆଣିଥାଆନ୍ତେ। ତାହେଲେ ଆଜି ମୁଁ ବୋଧେ ତାଳି ବଜେଇ ଭିକ ମାଗୁଥାଆନ୍ତି ବୋଉ....। ମୋ ପରି ହେମନ୍ତ ବାବୁ ବି ଏକା ଥିଲେ, ତେଣୁ ମୋତେ ନିଜର ଭାବି ପାଠ ପଢେଇ ବଡ଼ କଲେ।ଏବେ ସେ ବି ମୋତେ ଏକା କରି ଆର ପାରିକି ଚାଲିଗଲେ...।ଏ ପୋଡା ଭାଗ୍ୟରେ କିଏ ବା ସାଥ୍ ଦେବ।ଏ ଦୁନିଆ କଥା ଛାଡ଼ ନିଜ
ପରିବାର ବି ଦୂରେଇ ଦେଲା।ଆଜି ମୁଁ ନିଜ ହାତରେ ନିଜ ଭାଗ୍ୟ ଲେଖିଲି।ସମାଜ ସେବାକୁ ଆପଣେଇ ଲୋକଙ୍କ ସେବାରେ ଲାଗିଛି। ହେମନ୍ତ ବାବୁ ତାଙ୍କର ସବୁ ସ୍ଥାବର ଅସ୍ଥାବର ସମ୍ପତ୍ତି ମୋ ନାମରେ କରି ଦେଇଛନ୍ତି ବୋଲି ଆଜି ମୁଁ ସମାଜ ପାଇଁ କିଛି କରି ପାରୁଛି।ଏମିତି କହୁ କହୁ ସେ ଚିଠିଟି ଲୁହରେ ଓଦା ହୋଇ ସାରିଥିଲା।
ଚିଠିଟିକୁ ବଡ଼ ଯତ୍ନରେ ସାଇତି ରଖିଲା ସେ। ମନରେ ଅନେକ ପ୍ରଶ୍ନ ନିଜ ପରିଚୟକୁ ନେଇ ନିଜ ବାପା ମା'ଙ୍କୁ ନେଇ।କଣ କରିବ କେମିତି ସେ ତା' ବାପା ମା' କରିଥିବା ଅନ୍ୟାୟକୁ ଭୂଲିବ।
ଓଃ!ଛାଡ଼ ମୁଁ କେତେ ଭାବୁଛି ଯାଏ ଘର ଆଡେ ଟିକେ ବୁଲି ଆସିଲେ ହୁଅନ୍ତା। ଏତେ ବର୍ଷ ପରେ ଟିକେ ବାପା ମା ଭାଇ ଭଉଣୀ ସମସ୍ତଙ୍କୁ ଦେଖି ଆସେ କହି ଡ୍ରାଇଭର୍ କୁ କହି ଗାଡି କାଢି ବସିବା ଯାଗାରୁ ଉଠି ବାହାରିଲା ସେ।
ନିଜ ଗାଁ ଭିତରେ ସେ ପଶିଲା ବେଳକୁ ପିଲାବେଳର କବାଡି ଖେଳ, ଗାଁ ତୋଟାରେ ଜାମୁକୋଳି ଚୋରି କରି ଖାଇବା କଥା ଦୋଳ ମେଳଣରେ ଫଗୁ ଖେଳ ଏମତି କିଛି କଥା ତା'ଆଖିରେ ନାଚି ଉଠୁଥିଲା।ଆହାଃ ଗାଁ ମାଟିର ମୋହ ମିଶା ବାସ୍ନା ତା ମନ ଓ ପ୍ରାଣରେ ଅଜବ ଶିହରଣ ଖେଳଉଥିଲା।
ଆରେ ଏଠି ଗାଡି ରଖ ମୋ ଘର ଆସିଗଲା।ଗାଡିରୁ ଓହ୍ଲେଇ ଦେଖେ ଚାଳ ଛପର ଉଡିଯାଇଛି। ଘର କାନ୍ଥରେ ବରଓସ୍ତ ଗଛ ଚେର ମାଡିଲାଣି।ଦିନେ ଏ ଘରେ ହସ ଖୁସିର ଶବ୍ଦ ଶୁଭୁଥିଲା। ହେଲେ ଆଜି ଏତେ ଗମ୍ଭୀର କାହିଁକି?
ବୋଉ.... ବାପା.... କୁଆଡେ ଗଲ।ମୁଁ ଆସିଛି କହି ଭିତରକୁ ଗଲା ବେଳକୁ ବୋଉର ପାକେଳା କେଶର ସିନ୍ଥି ଶୂନ୍ୟ ହାତରେ ସେ ଚୁଡିର ଶବ୍ଦ ମାନ ନିଶବ୍ଦ ହୋଇ ଯାଇଛନ୍ତି।ହାତରେ ଧରିଥିବା ଉପହାର ସବୁ ହାତରୁ ଖସିଗଲା।ତା'ର ଝାପସା ମନେ ଅଛି ତା' ବୋଉ ହାତରେ ଡର୍ଜନେ ଲେଖାଏଁ ଚୁଡି ପିନ୍ଧେ ସେଥିପାଇଁ ତ ସମ୍ବଲପୁରୀ ଶାଢୀ ସାଙ୍ଗକୁ କେତେ ରକମର ପାଣି ଚୁଡି ନେଇ ଆସିଥିଲା। ହେଲେ ସେ ଆଣିଥିବା ପ୍ରୀତି ଉପହାର ସବୁ....।
ବୋଉ..ଇଏ କଣ ବୋଉ? ବାପା..
ହଁ ତୋ ବାପା ଆଉ ଏ ଦୁନିଆଁରେ ନାହାଁନ୍ତି ମୃତ୍ୟୁ ସହିତ ସଂଗ୍ରାମ କରି ତୋତେ ଝୁରି ଝୁରି ସେ ତାଙ୍କ ବାଟରେ ଚାଲିଗଲେ। କହି ଭୋ ଭୋ କାନ୍ଦିଲେ ତା' ବୋଉ।
ଆଉ ଭାଇ କୁଆଡେ ଗଲା,ଦେଈ କୁଆଡେ ଗଲା ଯେ। କହି ପଛ ବଖରା ଯାଏଁ ଖୋଜି ଆସିଲା ମନି।
ଭାଇ କଥା କହନା ତୁ..ସେ ଜୁଆ ଖେଳି ଏ ଘର ଡିହ ଖଣ୍ଡକ ବନ୍ଧା ପକେଇଛି । ମୁଁ ଏ ଯିବା ବୟସରେ ଅନ୍ୟ ଦୁଆରେ ପାଇଟି କରି ଚଳୁଛି।କେବେ ଏ ଘର ନିଲାମ ବି ହୋଇଯିବ। ସେ ପୋଡା ମୁହାଁ କଥା କଣ କହିବି? ସେ ଗାଁ ଜମିଦାରଙ୍କ ଘରୁ ଚୋରି କରି ସେ ଏବେ ଜେଲ୍ ରେ।
ବୋଉଠୁ ଏମିତି କଥା କହି ପଚାରିଲା ଦେଈ କୁଆଡେ ଗଲା ବୋଉ।
ଭୋ ଭୋ କାନ୍ଦି ଉଠିଲେ ବୋଉ କହିଲେ ଯୌତକ ଲୋଭରେ ତା' ଶାଶୁଘର ଲୋକ ତା'କୁ ଜିଅନ୍ତା ଜାଳି ଦେଲେ.....!
ଏସବୁ କଥା ଶୁଣି ଠପ୍ ହୋଇ ବସିଗଲା ଅଗଣା ଉପରେ ମନି।କହିଲା
ବୋଉ ଲୋ.. ଆଜିକି ତିରିଶି ବର୍ଷ ତଳେ ମୋତେ ତୁମ ମାନଙ୍କ ଠାରୁ ଅଲଗା କରିଥିଲ।ମୁଁ ମଲି ଗଲି କି ହଜିଲି କେହି କେବେ ଖୋଜିଲନି।ଆଉ ଆଜି? ଯେତେବେଳେ ମୁଁ ଏ ସମାଜରେ ପ୍ରତିଷ୍ଠା ପାଇଲି ଆଜି ତୋର ମୋ କଥା ମନେ ପଡିଲା?କାହିଁ ଏବେ ତୋତେ ଲାଜ ଲାଗୁନି ମୋର ଏ ରୂପ ଦେଖି। ଏ ଅଲୋଡା ଜନ୍ମ ପାଇଁ କଣ ମୁଁ ଦାୟୀ? ତିଳ ତିଳ ହୋଇ ଜଳିଛି ମୁଁ ପ୍ରତିଦିନ ଲୋକଙ୍କର ଟାହି ଟାପରାରେ ଲୋ ବୋଉ।ନିଜର ଭାବି ଏ ଦୁଃଖ କାହା ସହ କେବେ ବାଣ୍ଟିନି।ଆଉ ଯେଉଁ ମାନେ ମୋତେ ଦେଖେଇ ଶିଖେଇ କହୁଥିଲେ ଆଜି ସେମାନଙ୍କ ଅସୁବିଧାରେ ମୁଁ ଠିଆ ହୋଇଛି।ଭିତରେ ଥିବା ଅଭିମାନ ଗୁଡିକ କୁହୁଳି କୁହୁଳି ଯେମିତି ଅନ୍ତରକୁ ଜାଳି ଦେଉଥିଲେ।
ବୋଉ ବି ନିଜ ଛାତିରେ ଜାବୁଡି ଧରିଲେ ମନିକୁ।ଆଉ ମନ ଦୁଃଖ କରି ମୋତେ ଲଜ୍ଜିତ କରନା।ମୁଁ ଆଜି ଅନୁତାପର ନିଆଁରେ ପାଉଁଶ ହୋଇଗଲିଣି।ଭଗବାନ ମୋତେ ମୋ କଲା କର୍ମର ଶାସ୍ତି ଦେଇ ସାରିଛନ୍ତି।ମୁଁ ଯେଉଁ ଲୋକହସା କଥାକୁ ଡରୁଥିଲି ତୋ ବଡ଼ ଭାଇ ମୋତେ ସେତକ ଦେଇ ସାରିଛି।ଭଗବାନଙ୍କ ଲୀଳା ଅଦ୍ଭୂତ ଯଦି ତୁ ଆମ ପାଖେ ଥାଆନ୍ତୁ ତେବେ ହୁଏତ ତୋ ଜୀବନ କିଛି ଅଲଗା ପ୍ରକାର ହୋଇଥାଆନ୍ତା।
ହେଉ ବୋଉ ଚାଲେ ତୁ ଆଜି ଠୁ ମୋ ସହିତ ରହିବୁ।କହି ମନି ବୋଉକୁ ସାଙ୍ଗରେ ଧରି ନିଜ ଘରକୁ ନେଇଗଲା।