ଚୁଡ଼ି
ଚୁଡ଼ି


ଆରେ ମନସା ରେଡି ହେଲ କି ନାହିଁ ...ଟ୍ରେନ୍ ସମୟ ହୋଇଗଲାଣି ଯେ। ମିହିର ଡାକୁଥିଲେ ନିଜ ସହଧର୍ମିଣୀଙ୍କୁ।
ଆସୁଛି ବାବା,ତୁମେ ମର୍ଦ୍ଦ ଲୋକ କଣ ବୁଝିବ କହିଲ।ରାସ୍ତାରେ ଖାଇବା ମିଳିବ କି ନାହିଁ। ଆଉ କେତେ କିଣିବା ଯେ...। କହିଲେ ମନସା।
ବାହାଘରର ଚାରି ବର୍ଷ ପରେ ପ୍ରଥମ ଥର ଦୁହେଁ ବାହାରିଛନ୍ତି ବୁଲିବାକୁ ପୁଣି ମିହିରଙ୍କ ଅଫିସ୍ ଟୁର୍ ରେ।ସେ ପୁଣି ଚେନ୍ନାଇ।
ମିହିର ଗୋଟେ ସାଧାରଣ ଏଲ୍.ଆଇ.ସି ଏଜେଣ୍ଟ୍। ଘରେ ବାପା ମା ଆଉ ବିବାହ ଯୋଗ୍ୟା ଭଉଣୀ।ଦାୟିତ୍ଵ ଓ କର୍ତ୍ତବ୍ୟରେ ସବୁବେଳେ ବ୍ୟସ୍ତ। କେବେ ବି ସ୍ତ୍ରୀଙ୍କୁ ନେଇ କୁଆଡେ ବୁଲିବାକୁ ଯାଇ ନାହାନ୍ତି। କି ସ୍ତ୍ରୀଙ୍କୁ ଖୁସି କରିବାକୁ କିଛି ବି ଦେଇ ନାହାନ୍ତି।
ଟ୍ରେନ୍ ସମୟରେ ଯାଇ ଦୁହେଁ ନିଜ ପୁଅ ପୁପୁଲ୍ ସହିତ ଟ୍ରେନ୍ ରେ ବସିଲେ। ଟ୍ରେନ୍ ଚାଲିବା ସହ ମନରେ ଅଦମ୍ୟ ଉନ୍ମାଦନା ନୂଆ ଜାଗା ବୁଲିବାକୁ ଯାଉଛନ୍ତି। ଦୁଇ ତିନି ଦିନର ଯାତ୍ରା। ପ୍ରଥମ ଥର ଓଡିଶା ବାହାରକୁ ଯାଉଛନ୍ତି। ମନସାଙ୍କୁ ଓଡିଆ ଛଡା କିଛି ଜଣା ନାହିଁ । ଅଜବ ଲାଗୁଥାଏ ତାଙ୍କୁ।କେତେବେଳେ ଅନ୍ଧ୍ର ପ୍ରଦେଶ ଭିତରେ ଟ୍ରେନ୍ ଗଲା ତ ତେଲୁଗୁ ଭାଷା ଭାଷି ଲୋକ ତ ପୁଣି କର୍ଣ୍ଣାଟକ ଅତିକ୍ରମ କରୁ କରୁ କନ୍ନଡ଼ ଭାଷା। କାଲା ଆଗରେ ମୂଳା ଚୋବେଇବା ପରି ଲାଗୁଥିଲା। ଏମିତି ଦୁଇ ତିନି ଦିନ ଯାତ୍ରା ପରେ ଦୁହେଁ ପହଞ୍ଚିଲେ ଚେନ୍ନାଇରେ।
ଅଫିସ୍ ଦେଇଥିବା ହୋଟେଲ୍ ରେ ରହିଲେ। ମିହିର୍ ବି ସେଦିନ ତାଙ୍କ କାମ ସାରିଦେଲେ।
ମନସା ଶୁଣ ଆଜି ଯିବା ଏଇ ଚେନ୍ନାଇ ସହର ଟିକେ ବୁଲିଯିବା। ଆଉ ଦୁଇଦିନ ପରେ ଟ୍ରେନ୍ ଅଛି ।ତେଣୁ ଏଇ ଦୁଇଦିନ ବୁଲିବା ଆମେ।
ମିହିର୍ ଙ୍କ କଥା ଶୁଣି ମନସା କହିଲେ,
ଦେଖ...ଅଫିସ୍ ସିନା ରହିବାକୁ ଖାଇବାକୁ ଦେଇଛି।ହେଲେ ବୁଲାବୁଲି କେମିତି କରିବା କହୁନ। ଅଜଣା ଜାଗା ଗୁଡାଏ ଖର୍ଚ୍ଚ ହୋଇଯିବ।
ଆରେ ଏଇ ତ ଆମର ଛୋଟ ପଣତ।ସବୁ ବେଳେ ଛୋଟ ହିଁ ଥିବ। ଆଉ କଣ ଆସି ପାରିବା। କହି କାର୍ ବୁକ୍ କରି ଦୁଇଦିନ ଚେନ୍ନାଇ କିଛି ଦର୍ଶନୀୟ ସ୍ଥାନ ବୁଲିଲେ ଯେମିତି ମ୍ୟୁଜିୟମ୍, ସିମୋଜି ପୁଙ୍ଗା ଜାତୀୟ ପଶୁ ଉଦ୍ୟାନ ଶେଷରେ ମାରିନା ବିଚ୍। ବିଚ୍ ର ଥଣ୍ଡା ଆଉ ମୁକ୍ତ ପବନକୁ ଉପଭୋଗ କରି ହାତରେ ହାତ ମିଶେଇ ଚାଲି ଚାଲି ଫେରୁଥିଲେ ହୋଟେଲ୍ ଅଭିମୂଖେ। ମନସାଙ୍କର ନଜର ପଡିଲା ଏକ ଅଳଙ୍କାର ଦୋକାନ ଉପରେ। ମନସା କହିଲା ଜାଣିଛ ମୋ ସାଙ୍ଗ ସଞ୍ଜନା କହୁଥିଲା ଏଇଠି କୁଆଡେ ଭଲ ସୁନା ମିଳେ।ଦକ୍ଷିଣ ଭାରତର ସୁନା ପରା ପ୍ରସିଦ୍ଧ।
ହେଉ ହେଲା ମୋ ସୁନ୍ଦରୀ ରାଣୀ ଚାଲ ଘେରାଟେ ମାରି ଆସିବା ସେ ଦୋକାନରୁ। ଏମିତି କହି ଦୁହେଁ ଦୋକାନରେ ପଶିଲେ। ମନସାଙ୍କର ନଜର ପଡିଲା ସେ ଗହଣା ଦୋକାନର ଚୁଡି ଯୋଡା ଉପରେ। ଏତେ ଆକର୍ଷଣୀୟ ଥିଲା କହିବା ମୁସ୍କିଲ୍।ଚିକିମିକି ହୀରାର ପଥରରେ ଆଖି ଝଲସି ଯାଉଥିଲା। ମିହିର୍ ଙ୍କୁ କହିଲେ ଟିକେ ପଚାର ତ ଏଇଟାର ଦାମ୍ କେତେ।
ମିହିର୍ ପଚାରିବାରୁ ଜାଣିଲେ ତା'ର ମୂଲ୍ୟ ପାଖାପାଖି ପାଞ୍ଚ ଲକ୍ଷ ହେବ। ଦାମ୍ ଶୁଣି ମନସା ଦୁଇପାଦ ପଛକୁ ଆସିଗଲେ। ଚାଲ ଆମେ ଯିବା ଏଠାରୁ ସେଇଟା ଏତେ ଭଲ ନାହିଁ।
ମିହିର୍ ଜାଣି ପାରୁଥିଲେ ମନସାଙ୍କ ମନ କଥା।ସେ ଜାଣିଛନ୍ତି ତାଙ୍କ ସ୍ତ୍ରୀ କେବେ କିଛି ମନ ଖୋଲି ମାଗି ନାହାଁନ୍ତି। ପ୍ରଥମ ଥର କିଛି ମନ କଲେ ସିନା ଅସମ୍ଭବ ଜିନିଷଟେ।ଭିତରୁ ଭାଙ୍ଗି ପଡୁଥିଲେ ମିହିର୍। କଣ ବା କରିବେ ଦେଇ ତ ପାରିବେନି ସେ ଅମୂଲ୍ୟ ଦ୍ରବ୍ୟ।
ମନସାଙ୍କର ମନ ଓ ମସ୍ତିଷ୍କରେ ସେଇ ଚୁଡି ଦୁଇପଟର ପଟ୍ଟଚିତ୍ର ରହିଯାଇଥିଲା। ଆସିକି ଦୁହେଁ ହୋଟେଲ୍ ରେ ପହଞ୍ଚିଲେ।ପରଦିନ ଟ୍ରେନ୍ ରେ ବସି ଘର ଅଭିମୂଖେ ବାହାରିଲେ।
କିଛି ଦିନ ପରେ ଥାଏ ବିବାହ ବାର୍ଷିକୀ।ମିହିର ଆଣି ମନସାଙ୍କୁ ଉପହାରରେ ଦୁଇପଟ ଚୁଡି ଦେଲେ। ମନସା ଚୁଡି ଡବାଟି ଖୋଲି ଆଶ୍ଚର୍ଯ୍ୟ ଆରେ ଇଏ କଣ...ମୋ ପାଇଁ ସେଇ ଚୁଡି ଦୁଇପଟ ଆଣି ଦେଇଛନ୍ତି। ମନେ ମନେ ଆଶ୍ଚର୍ଯ୍ୟ ଏତେ କରଜ ଭିତରେ ଘରର ଦାୟିତ୍ଵର ବୋଝ ଭିତରେ ଏତେ ଟଙ୍କା ଆଣିଲେ କେଉଁଠୁ।
ଏମତି ଭାବିବା ଭିତରେ ମିହିର୍ କହିଲେ ଚମକି ଗଲ କି ମାନୁ। ଆରେ ଏଇଟା ଓ୍ଵାନ୍ ଗ୍ରାମ୍ ଗୋଲ୍ଡ ମାନେ ଆମ ଗରୀରବଙ୍କ ମୂଲ୍ୟବାନ ଅଳଙ୍କାର। ମୋତେ କ୍ଷମା କରିବ ମାନୁ।ମୁଁ ସ୍ଵାମୀ ହୋଇ ତୁମକୁ ଖୁସି ଦେଇ ପାରୁନି। ଚୁଡି ଦୁଇପଟ ତୁମକୁ ଦେବାକୁ ଅସମର୍ଥ। ମିହିର୍ ଙ୍କ ହାତକୁ ଧରି ମନସା କହିଲେ ହାତର ପାଣି ଚୁଡି ଦୁଇପଟ ମୋ ପାଇଁ ସବୁ କିଛି ଯାହା ତୁମ ନାଁରେ ପିନ୍ଧିଛି।