Tapaswini DashSarangi

Inspirational

4.5  

Tapaswini DashSarangi

Inspirational

ବାପା

ବାପା

4 mins
630


ସେଦିନ ପରୀକ୍ଷାର ଫଳ ନେଇ ବଡ଼ ଖୁସିରେ ମିକୁଲ୍ ଘରେ ପହଞ୍ଚିଲା ନବେ ପ୍ରତିଶତ ନମ୍ବର ଆଣିଛି। ଆଖିରେ ଆଖିଏ ସପନ ନିଜ ଭବିଷ୍ୟତକୁ ନେଇ। ତା ସ୍ଵପ୍ନ ଡାକ୍ତର ହେବ। ବିନା ଖର୍ଚ୍ଚରେ ଗରୀବ ରୋଗୀଙ୍କ ସେବା କରିବ।ଏସବୁ ଭାବେ ସିନା କିନ୍ତୁ ଏତେ ସବୁ ସପନ ପାଇଁ ରାତି କାହିଁ। ତା ବାପା ତ ଜଣେ ସାଧାରଣ ଜଳଖିଆ ଦୋକାନୀ।ଗାଁ ମୁଣ୍ଡରେ ଚାଳ ଛପର କୁଡିଆଟିରେ ତାଙ୍କ ଛୋଟିଆ ଦୋକାନ। କେବେ ବିକ୍ରିହୁଏ ତ କେବେ ନାହିଁ। ତଥାପି କେବେ ବି ନିଜ ପୁଅର ଅଳି ଅର୍ଦ୍ଦଳିକୁ ତଳେ ପକାଇ ନାହାଁନ୍ତି। ହେଲେ ଛୋଟିଆ ଖର୍ଚ୍ଚ କଥା ଅଲଗା କଥା ।ଡାକ୍ତରୀ ପଢିବାକୁ କେତେ ଟଙ୍କା ଖର୍ଚ୍ଚ ହେବ । ସେ ଆଣିବେ କୁଆଡୁ। ଏମିତି ଭାବୁଭାବୁ ପଛରୁ କିଏ ତା' ମୁଣ୍ଡକୁ ଆଉଁଶି ଦେଲେ। ବୁଲି ଦେଖେ ତ ତା ବାପା ।


ଆଉ ମିକୁଲ୍ ଆଜି ପରୀକ୍ଷା ଫଳ ବାହାରିଲା? ହସ ହସ ମୁହଁ ରେ ପଚାରିଲେ।


ହଁ ବାପା ବଡ଼ ଖୁସି ମନରେ କହିଲା ମିକୁଲ୍।

ଆଉ ତୁ ପରା ତୁମ କଲେଜ୍ ରେ ଟପ୍ପର୍ ହେଇଛୁ। ତୋ ସାର୍ ଫୋନ୍ କରିଥିଲେ। ଆଉ ଆଗକୁ କଣ ପଢିବୁ ଭାବୁଛୁ। ପଚାରିଲେ ମିକୁଲ୍ ର ବାପା ସନାତନ।

 

ମିକୁଲ୍ ଜାଣିଛି ବାପାଙ୍କ ପରିସ୍ଥିତି ସେ ତା' ସ୍ଵପ୍ନ ବିଷୟରେ ଅବଗତ ନକରାଇ କହିଲା ହଁ ବାପା ଆଗକୁ ବିଏସି ପଢିବି । ତା'ପରେ ଦେଖିବା।


ସନାତନ ବେଶୀ ପାଠ ପଢି ନଥିଲେ ବି ଯେତିକି ସ୍ଵଳ୍ପ ଜ୍ଞାନ ଭିତରେ ବାପାର ମନ ନେଇ ଜାଣି ପାରୁଥିଲେ ପୁଅର ମନ କଥା।

ସେଠାରେ କିଛି ପ୍ରକାଶ ନକରି ଦୋକାନକୁ ଚାଲିଗଲେ।

ମିକୁଲ୍ କହି ପାରିଲାନି ସିନା ମନରେ ଅଦମ୍ୟ ଇଚ୍ଛା ଆଉ ଉଚ୍ଚ ଆକାଂକ୍ଷା। ହେଲେ ଦେଖୁଛି ବାପାଙ୍କ ପରିସ୍ଥିତି ପୁଣି ତାଙ୍କ ମୁଣ୍ଡ ଉପରେ ବଡ଼ ଭଉଣୀ ବାହାଘର ପାଇଁ କରିଥିବା ଋଣ। ଭିଟାମାଟି ଖଣ୍ଡକ ବ୍ୟାଙ୍କ୍ ରେ ପଡିଛି। ତଥାପି ସେ ଡାକ୍ତରୀ ପଢିବା ପାଇଁ ପ୍ରସ୍ତୁତ ହେଉଥାଏ।କାଳେ ଭଗବାନ କେଉଁ ରାସ୍ତା ଖୋଲି ଦେବେ।

ବାପା କହିଛନ୍ତି ଯଦି ମନରେ ସତ୍ ଇଚ୍ଛା ଥାଏ ଭଗବାନ କେଉଁ ଉପାୟରେ ତାହା ପୂରଣ କରନ୍ତି।


 କିଛି ଦିନ ଗଲା ଦିନେ ସେ ତା ପଢା ବହି ପାଖରେ ଦେଖେ ତ ମେଡିକାଲ୍ ଏଣ୍ଟ୍ରାଂସ୍ ର ଫର୍ମ ଥୁଆ ହୋଇଛି।ସେ ଆଶ୍ଚର୍ଯ୍ୟ ହୋଇ ଯାଇ ତା' ବୋଉକୁ ଡାକ ଛାଡିଲା। ବୋଉ ବୋଉ ଏ ଫର୍ମ କିଏ ଆଣିଛନ୍ତି।


ସବିତା ମାନେ ମିକୁଲ୍ ର ବୋଉ କହିଲେ। ମୁଁ ତ ମୂରୁଖ ଲୋକ ମୋତେ ଜଣା ନାହିଁ ରେ ଧନ। ଆଜି ତୋର ସାର୍ ଆସିଥିଲେ ବାପାଙ୍କ ସହ ଦେଖା ହେବାକୁ ବୋଧେ ସେ ଦେଇ ଯାଇଥିବେ। ତୋ ବାପା ଦୋକାନରୁ ଆସନ୍ତୁ ପଚାରିବୁ।

ସତରେ ସେଦିନ ମିକୁଲ୍ ଏତେ ଖୁସିଥିଲା ଯେ କହି ହେବନି। ବୋଧେ ସରଗର ଚାନ୍ଦ ତାକୁ ମିଳିଯିବ। ମନେମନେ ଭାବୁଥିଲା ବାପା ମୋ ମନ କଥା ଜାଣିଲେ କେମିତି। ମୁଁ ତ କେବେ ତାଙ୍କୁ ମୋ ମନ କଥା କହିନି।


ମିକୁଲ୍ କୋଚିଂ ନେବାକୁ ଭୂବନେଶ୍ଵର ବାହାରିଲା। ମନରେ ଶଙ୍କା ଥାଏ କିନ୍ତୁ ସେ ଶଙ୍କା ହୁଏତ ଭବିଷ୍ୟତର ସ୍ଵପ୍ନ ଆଗରେ ଫିକା ପଡିଗଲା। ସେ ସଂକଳ୍ପବଦ୍ଧ ନିଜର ସ୍ଵପ୍ନ ସାକାର କରିବା ସହିତ ବାପା ବୋଉଙ୍କ ନାଁ କୁ ଉପରେ ରଖିବ।

  

ମିକୁଲ୍ ପାଠ ପଢା ପାଇଁ ତା ବାପା ବହୁତ ପରିଶ୍ରମ କଲେ । ପୁଅ ବାହାରେ ରହୁଛି ,ଅନ୍ୟ ପିଲାଙ୍କ ସହ ମିଶୁଛି ।ସେଥିପାଇଁ ତା'ର ସବୁ ଖର୍ଚ୍ଚ ଟିକିନିଖି କରି କରୁଥିଲେ। ମିକୁଲ୍ କୁ ହୁଏତ କିଛି ବୃତ୍ତି ବାବଦରେ ଟଙ୍କା ମିଳୁଥିଲା।କିନ୍ତୁ ସେତିକି ତ ଯଥେଷ୍ଟ ନୁହେଁ। ମିକୁଲ୍ ଏଣ୍ଟ୍ରାନ୍ସ୍ ରେ ଭଲ ରେଜଲ୍ଟ କଲା।ତାକୁ ଭଲ କଲେଜ୍ ରେ ପଢିବାର ସୁଯୋଗ ମିଳିଲା।  

 

ଦିନେ ମିକୁଲ୍ ଫୋନ୍ କରି ବାପାଙ୍କୁ କହିଲା ବାପା ମୋତେ ପ୍ରାକ୍ଟିସ୍ ପାଇଁ ବିଦେଶ ଯିବାର ଅଛି। ହେଲେ ବହୁତ ଟଙ୍କା ଦରକାର।

ବାପା ପଚାରିଲେ କେତେ ଟଙ୍କା କହୁନୁ।


ଏଇ ଲକ୍ଷେ ଦୁଇ ଲକ୍ଷ ଦରକାର ବାପା। ନାଇଁ ମୁଁ ଜାଣିଛି ଘରର ଆର୍ଥିକ ଅବସ୍ଥା। ତେଣୁ ମୁଁ ମନା କରି ଦେଇଛି , ମିକୁଲ୍ କହିଲା।

ତା ବାପା କହିଲେ ତୁ ଚିନ୍ତା କରନା ମୁଁ ଯୋଗାଡ଼ କରିବାକୁ ଚେଷ୍ଟା କରିବି।


ପୁଅକୁ ତ ବାପାର ହୃଦୟ ନେଇ ଆଶ୍ଵସ୍ତି କରାଇଦେଲେ ସନାତନ। ହେଲେ ଏତେ ଗୁଡାଏ ଟଙ୍କା କେଉଁଠୁ ଆଣିବେ।ଧାର କରଜରେ ମୁଣ୍ଡ ଯାଏଁ ବୁଡିକରି ଅଛନ୍ତି। କିନ୍ତୁ ପୁଅର ଭବିଷ୍ୟତ ଆଗେ ନିଜେ ନତମସ୍ତକ।


ଟଙ୍କା ଚିନ୍ତାରେ ଗାଁ ମୁଣ୍ଡ ବରଗଛ ପାଖେ ଉଦାସ୍ ହୋଇ ବସିଛନ୍ତି ସନାତନ। କେହି ଦୁଇଜଣ କିଛି କଥା ହେଉଥିବା ଶୁଣିଲେ। କାନରେ ପଡିଲା କିଡନି କାହାର ଦରକାର।ହଠାତ୍ ସେ ଉଠି ଯାଇ ବୁଝାବୁଝି କରି ନିଜେ କିଡନୀ ଦାନ କରିବେ ବୋଲି ସ୍ଥିର କଲେ। ଆଉ ତା ପ୍ରତି ବଦଳରେ ମିଳିବ ଦୁଇ ଲକ୍ଷ ଟଙ୍କା । ସେ ଘରେ ସବିତାଙ୍କୁ ବି କିଛି କହିଲେନି। ଖାଲି ଏତିକି କହି ବାହାରିଗଲେ ଯେ ପୁଅ ପାଇଁ ଟଙ୍କା ଯୋଗାଡ଼ କରିବାକୁ ଯାଉଛନ୍ତି ଆସିଲା ବେଳକୁ ଦଶ ଦିନ ଲାଗିବ।

କିଡନୀ ଦେଇ ହାତରେ ଦୁଇ ଲକ୍ଷ ଟଙ୍କାର ଚେକ୍ ଧରି ଦଶ ଦିନ ପରେ ଘରକୁ ଫେରିଲେ। ପେଟରେ ପଡିଥିବା ଷ୍ଟିଚ୍ ଦେଖି ସ୍ତ୍ରୀ ପଚାରିବାରୁ ସତ କଥା କହିଦେଲେ।ସବିତାଙ୍କ ଆଖିରୁ ଲୁହ ଧାର ଧାର ହୋଇ ବହି ଯାଉଥାଏ।କଣ ବା କରିବେ? ହୁଏତ ଆଗରୁ ଜାଣିଥିଲେ ଅଟକାଇ ଥାଆନ୍ତେ। 


ପୁଅ ବିଦେଶ ଗଲା । ଦୁଇ ବର୍ଷ ରହି ଫେରିଲା। ତାକୁ ବଡ଼ ଡାକ୍ତରଖାନାରେ ଚାକିରୀ ମିଳିଲା। ସେ ସେପର୍ଯ୍ୟନ୍ତ କିଛି ଜାଣିନି ବାପାଙ୍କର ଏଇ ବଦାନ୍ୟତାକୁ। ଭୂବନେଶ୍ଵରରେ ବଡ଼ ଘର ନେଇ ରହିଲା। ଆଉ ବାପା ବୋଉଙ୍କୁ ସାଙ୍ଗରେ ନେଇଗଲା।

ଦିନେ ତା ଡ୍ୟୁଟିରୁ ଫେରି ଦେଖେ ତ ବାପାଙ୍କ ଦେହ ବହୁତ ଖରାପ। ସେ ସବୁ ଚେକ୍ ଅପ୍ କରିବା ପରେ ଜାଣିବାକୁ ପାଏ ସନାତନଙ୍କ କିଡନୀ କାମ କରୁନି ପୁଣି ଗୋଟିଏ କିଡନୀ ମାତ୍ର। ସେ ତା'ବୋଉକୁ ପଚାରିବା ପରେ ସବୁ ସତ ଜାଣି ପାରିଲା। ତା ପାଦତଳୁ ମାଟି ଖସିବା ପରି ଲାଗିଲା।କଣ କରିବ ବୁଝିପାରୁ ନଥିଲା।ବାପାଙ୍କର ତ୍ୟାଗ ଆଗରେ ସେ ମୁଣ୍ଡ ଟେକି ଠିଆ ହୋଇ ପାରୁନଥିଲା।ସନାତନ ଙ୍କୁ ସେ ବିଦେଶ ନେଇ ସେଠାରେ ବଡ଼ ବିଶେଷଜ୍ଞ ମାନଙ୍କ ସହ ମିଶି ତାଙ୍କ ଦେହ ଭଲ କଲା।


ସତରେ ବାପା ଏମିତି ଗୋଟିଏ ଚରିତ୍ର କେବେ ବି ନିଜ ଦୁଃଖକୁ ସନ୍ତାନକୁ ନଜଣାଇ ସନ୍ତାନର ଖୁସିକୁ ଦୁଇଗୁଣା କରନ୍ତି। ସନାତନ ବାବୁ ଭାରି ଖୁସି ପୁଅ ତା ସ୍ଵପ୍ନ ପୁରା କରି ପାରିଲା ବୋଲି। କିନ୍ତୁ ମିକୁଲ୍ ଖାଲି ଏତିକି ଭାବୁଥିଲା ହୁଏତ ସେ ବାପାଙ୍କ ଦେହ ଭଲ କରିଦେଲା। କିନ୍ତୁ ବାପା ପାଇଥିବା ଅକଥନୀୟ ପୀଡା ଆଉ କରିଥିବା ଅକ୍ଳାନ୍ତ ପରିଶ୍ରମ କଣ ସେ ଫେରାଇ ପାରିବ ନା ବାପାଙ୍କ ତ୍ୟାଗର ମୂଲ ଦେଇ ପାରିବ।


Rate this content
Log in

Similar oriya story from Inspirational