Tapaswini DashSarangi

Drama Tragedy Inspirational

4.2  

Tapaswini DashSarangi

Drama Tragedy Inspirational

ଅନୁତାପ

ଅନୁତାପ

4 mins
238


ତୁମେ ବୁଝିଲ ନା ସୁଶୀଳା,ସବୁ ବେଳେ ୟାକୁ ତାକୁ ଡାକିକି ଖାଇବାକୁ ଦେଉଛ।ଆଜି କାଲି ଦରଦାମ ଯାହା ହେଲାଣି ତୁମକୁ କଣ ଜଣା ପଡୁଛି।କେତେ କଷ୍ଟ କରି ଟଙ୍କାଟେ ରୋଜଗାର ହୁଏ ତୁମେ ବୁଝି ପାରିବନି ଘରେ ବସିକରି। ଏମିତି ଗରଗର ହେଉଥିଲେ ମହେଶ ବାବୁ। 

ମହେଶ ବାବୁ ଜଣେ ଉଚ୍ଚ ପଦସ୍ଥ ସରକାରୀ କର୍ମଚାରୀ।ଧନରେ ଭଗବାନ କମ୍ କରି ନାହାନ୍ତି।କିନ୍ତୁ ମନରେ କୃପଣ।କେବେ କାହାକୁ ଦବାନବା କରିବା ତାଙ୍କୁ ପସନ୍ଦ ନୁହେଁ।ହେଲେ ସ୍ତ୍ରୀ ସୁଶୀଳା ତାଙ୍କ ପ୍ରକୃତିର ଯଥେଷ୍ଟ ଓଲଟା।ଭଗବାନ ବିଶ୍ଵାସୀ ଆଉ ଦାନ ଧର୍ମ ପ୍ରିୟା।ଭଗବାନ କୋଳରେ ପିଲାଟିଏ ଦେଇ ନାହାନ୍ତି।ବୈବାହିକ ଜୀବନ ପଚିଶି ବର୍ଷ ବିତିଗଲାଣି।କେତେ ଦିଅଁ ଦେବତା କରିଛନ୍ତି।ହେଲେ ସୁଫଳ ନାହିଁ।ସ୍ଵାମୀଙ୍କ ଠାରୁ ବହୁତ କଟୂ କଥା ବି ଶୁଣିବାକୁ ପଡେ ପୂଜାପୂଜିରେ ଖର୍ଚ୍ଚ କରିବାରୁ।ମହେଶ ବାବୁ ଦିଅଁ ଦେବତାଙ୍କୁ ଘୋର ବିରୋଧ କରନ୍ତି।ତାଙ୍କୁ ଏ ପୂଜା ପାର୍ବଣ ବି ଭଲ ଲାଗେନି।

   ଦିନେ ଦାଣ୍ଡ ପିଣ୍ଢାରେ ଗୋଟେ ଦଶ ବାର ବର୍ଷର ପିଲା ଡାକ ଛାଡିଲା।ବାବୁ ମା' କଣ ଗଣ୍ଡେ ଖାଇବାକୁ ଦିଅ।ଭାରି ଭୋକ ହେଉଛି ଦୁଇ ଦିନ ହେଲାଣି କିଛି ଖାଇନି ବାବୁ।ଛୋଟ ଛୁଆଟିର ଡାକ ଶୁଣି ସୁଶୀଳା ଘରୁ ଦଉଡି ଆସିଲେ।ହଁ ରେ ବାବୁ ବସ ମୁଁ ତୋ ପାଇଁ ଖାଇବାକୁ ଆଣୁଛି।ଏତିକି କହି ଭିତରକୁ ଗଲେ ରୋଷେଇ ଘରୁ ସଦ୍ୟ ରନ୍ଧା ଖାଦ୍ୟ ପରସି ଆଣୁ ଆଣୁ ଦେଖିଲେ ମହେଶ ବାବୁ ଏକ କାଠ ଫାଳିଆ ଧରି ସେ ପିଲାଟିକୁ ଘଉଡ଼ଉଛନ୍ତି।ପିଲାଟି ବିକଳରେ ଉଠି ଚାଲି ଯିବାକୁ ବାହାରେ ତ ସୁଶୀଳା ତା ହାତ ଧରି ଅଟକାଇ ଦେଲେ ଆଉ ପାଖରେ ବସାଇ ସେ ଖାଦ୍ୟ ସବୁ ତାକୁ ଖୋଇବାକୁ ଆରମ୍ଭ କରୁ କରୁ ମହେଶ ବାବୁ ସେ ଖାଦ୍ୟ ସବୁ ତାଙ୍କ ହାତରୁ ଭିଡି ନେଇ ଘର ଭିତରକୁ ପଳେଇଲେ।ସେଦିନ ସୁଶୀଳାଙ୍କୁ ବହୁତ ବାଧି ଥିଲା ଭୋକିଲା ମୁହଁରୁ ଖାଇବା ଭିଡି ନେବା ବହୁତ ବଡ଼ ପାପ।କଣ ବା କରିବେ ମୁହଁ ଶୁଖାଇ ଘରକୁ ଆସିଲେ ଆଉ ଖାଇବା ବାବଦକୁ କିଛି ଟଙ୍କା ଲୁଚେଇ ନେଇ ସେ ପିଲାଟିକୁ ଦେଲେ।କହିଲେ ବାବୁରେ ନେ ତୁ ନେ ଏ ଟଙ୍କା ବାହାରୁ କିଛି ଖାଇଦେବୁ।ଆଉ କିଛି ଟଙ୍କା ଦେଲେ ହଳେ ପୋଷାକ କିଣି ଦେବୁ ଏ ଚିରା ଫଡା ଜାମା ଭଲ ଦିଶୁନି।ପିଲାଟି ମାତୃହରା ହେଲେ ବି ସୁଶୀଳାଙ୍କ ହାବଭାବରୁ ଗୋଟେ ନିଛକ ମା'ର ଚରିତ୍ରକୁ ପଢି ପାରୁଥିଲା।ମନ ଶୁଖାଇ ସେଠାରୁ ଚାଲିଗଲା ପିଲାଟି।

ଘରକୁ ପଶିଲା ପରେ ଅନେକ କଟାକ୍ଷ ଭରା କଥା ଶୁଣିଲେ ସୁଶୀଳା।ଯେତେ ବୁଝେଇବାକୁ ଚେଷ୍ଟା କଲେ ସେ ସ୍ଵାମୀଙ୍କୁ ଦରିଦ୍ରଙ୍କୁ ଭୋଜନ ଦେଲେ ସ୍ଵୟଂ ନାରାୟଣ ଖୁସି ହୁଅନ୍ତି ସେ ଶୁଣିବାକୁ ନାରାଜ୍।ଓଲଟି କହିଲେ ହଁ ତୁମର ସେ ନାରାୟଣଙ୍କୁ ଖୁସି କରିବାକୁ ହେଲେ ନିଜ ଅର୍ଜିତ ଧନରୁ କର ,ମୁଁ ଏଇ ଅନ୍ଧବିଶ୍ଵାସ ପାଇଁ ମୋ ଅଣ୍ଟିରୁ ଖର୍ଚ୍ଚ କରିପାରିବିନି। ସେଦିନ ବହୁତ କଷ୍ଟ ହୋଇଥିଲା ସୁଶୀଳାଙ୍କୁ।ମନେ ମନେ ଭଗବାନଙ୍କ ପାଖେ କ୍ଷମା ବି ମାଗୁଥିଲେ।କଣ ବା କରିବେ?ଯେତେ ବୁଝାଇଲେ ସ୍ଵାମୀ କଣ ଶୁଣିବେ। ସେ ତ ଧନମୋହ ରେ ପାଗଳ।ହେଉ ଛାଡ଼ କହିକି ଭିତରକୁ ଚାଲିଗଲେ।

   ସେଦିନ ଶିବ ରାତ୍ରୀ ଥାଏ ସୁଶୀଳା ବଡ଼ ସରାଗରେ ଓ ଭକ୍ତି ସହକାରେ ବ୍ରତ ରଖିଥିଲେ।ଦିନ ବାରଟା ହେବ କଲିଂ ବେଲ୍ ଶବ୍ଦ ଶୁଣି ଦୁଆର ଖୋଲି ଦେଖନ୍ତି ତ ତିନି ଚାରି ଜଣ ବ୍ୟକ୍ତି ଭିତରକୁ ପଶି ଆସିଲେ।ସୁଶୀଳା ବୁଝୁ ବୁଝୁ ସେମାନେ ମହେଶଙ୍କୁ ଗିରଫ କରିବାକୁ ଆସିଛନ୍ତି ଆୟ ବହିର୍ଭୂତ ସମ୍ପତି ଅଭିଯୋଗରେ।ଏସବୁ ଶୁଣି ସୁଶୀଳାଙ୍କ ପାଦ ତଳୁ ମାଟି ଖସିଗଲା।ସେ କଣ କରିବେ ଜାଣି ପାରୁ ନଥିଲେ।ଅନେକ ଥର ସେ ସ୍ଵାମୀଙ୍କୁ ଏ ଲାଞ୍ଚ ନ'ନେବାକୁ କହିଛନ୍ତି,ଅସତ୍ ଧନ ଚିରସ୍ଥାୟୀ ନୁହେଁ ପୁଣି ଆମର ତ କେହି ପିଲାପିଲି ନାହାଁନ୍ତି କଣ ବା ହେବ ଏତେ ଧନ ଦରବ।ହେଲେ ମହେଶ ବାବୁ ତାଙ୍କ କଥା ଶୁଣି ନାହାଁନ୍ତି।ଯେଉଁ କଥାକୁ ଡର ଥିଲା ଆଜି ସେଇଆ ହିଁ ହେଲା।ମହେଶ ବାବୁଙ୍କୁ ଗିରଫ କରା ହେଲା ବେଳକୁ ଛାତିରେ ଯନ୍ତ୍ରଣା ଅନୁଭବ କରି ସେଇଠି ଟଳି ପଡିଲେ ସୁଶୀଳା।ସତରେ କେଡେ ଭାଗ୍ୟବତୀ ଅହ୍ୟରାଣୀ ହୋଇ ଶିବରାତ୍ରୀ ପରି ଦିନ ପାଇ ଇହଧାମ ତ୍ୟାଗ କଲେ। ମହେଶ ବାବୁଙ୍କୁ ସ୍ଥାଣୁ ଅବସ୍ଥାରେ ପୋଲିସ୍ ସୁଶୀଳାଙ୍କର କ୍ରିୟାକ୍ରମ ସରିଲା ପରେ ନେଇଗଲା ହାଜତକୁ। 

 

  କିଛି ବର୍ଷ କାରାଦଣ୍ଡ ଭୋଗି ଘରକୁ ଫେରିଲେ ମହେଶ ବାବୁ।ନା ତାଙ୍କ ପାଖରେ ଥିଲା ଧନ ବଳ ନା ଲୋକ ବଳ।ତାଙ୍କ ପ୍ରକୃତି ସକାଶେ ସାହି ପଡୋଶୀ ଭଲ ପାଉ ନଥିଲେ।ପଛରେ ଟୁପୁରୁଟାପର ହେଉଥିଲେ ଅଧମ ବିତ୍ତ ବଢେ ବହୁତ ଗଲା ବେଳେ ଯାଏ ମୂଳ ସହିତ।ଅନୁତାପର ନିଆଁରେ ପ୍ରତି ମୁହୂର୍ତ୍ତରେ ଜଳୁଥିଲେ ମହେଶ ବାବୁ।ସୁଶୀଳାଙ୍କ ପ୍ରତିଟି କଥା ତାଙ୍କ କାନରେ ପ୍ରତିଧ୍ଵନିତ ହେଉଥିଲା।

ମା' ମା' ଡାକ ଶୁଣି ଯାଇ ଦାଣ୍ଡରେ ଦେଖନ୍ତି ତ ଗୋଟେ ଉଣେଇଶି କୋଡିଏ ବର୍ଷର ଯୁବକ ଠିଆ ହୋଇଛି।

କିଏ ପୁଅ ମୁଁ ତୋତେ ଜାଣି ପାରୁନି।ଧୀର ସ୍ଵରରେ ପଚାରିଲେ ମହେଶ।

ବାବୁ ତୁମେ ମା'ଙ୍କୁ ଡାକ ମା ସାଆନ୍ତାଣୀ ମୋତେ ଜାଣି ପାରିବେ।ସତରେ ବାବୁ ଅନ୍ନପୂର୍ଣ୍ଣା ସେ ତାଙ୍କ ସକାଶେ ମୁଁ ଆଜି ମୋ ପେଟ ପାଇଁ ଦାନା ଅର୍ଜନ କରି ପାରୁଛି। ହଁ ବାବୁ ତୁମେ ଯଦି ମୋ ମୁହଁରୁ ସେଦିନ ଖାଇବା ଛଡାଇ ନଥାନ୍ତ ଆଉ ମା' ସାଆନ୍ତାଣୀ ଖାଇବା ପାଇଁ ଟଙ୍କା ନଦେଇ ଥାଆନ୍ତେ ତେବେ ଆଜି ମୁଁ ସେ ଦୋକାନରେ ରହି ପାରି ନଥାନ୍ତି।

କିଛି ବୁଝି ପାରୁନଥିଲେ ମହେଶ ।ମୋତେ ବୁଝାଇ କହ ପୁଅ କଣ କହୁଛୁ।ମହେଶ କହିଲେ।

ବାବୁ ଆଜିକି କିଛି ବର୍ଷ ପୂର୍ବେ ମୁଁ ତୁମ ଦୁଆରକୁ ଖାଇବା ମାଗିବାକୁ ଆସିଥିଲି।ତୁମର ବିରୋଧ ସତ୍ଵେ ମା ସାଆନ୍ତାଣି ମୋତେ ଖୁଆଉ ଖୁଆଉ ତୁମେ ଖାଇବା ଥାଳି ଭିଡି ନେଇଗଲ।ମା ସେଦିନ ମୋତେ ଖାଇବାକୁ ଆଉ ପିନ୍ଧିବାକୁ କିଛି ଟଙ୍କା ଦେଇଥିଲେ।ମୁଁ ସେ ଟଙ୍କା ନେଇ ଏକ ଜଳଖିଆ ଦୋକାନକୁ ଯାଇଥିଲି ଆଉ ମୋର ଅବସ୍ଥା ଦେଖି ସେ ଜଳଖିଆ ଦୋକାନୀ ଖାଇବାକୁ ଦେଲା ଆଉ ତା'ଦୋକାନରେ କାମ ଦେଲା।ଆଜି ମୁଁ ସେ ଦୋକାନରେ ଜଳଖିଆ କାରିଗର।ଆଜି ମା'ଙ୍କୁ ଧନ୍ୟବାଦ ଦେବା ସହ ତାଙ୍କ ଟଙ୍କା ଫେରାଇବାକୁ ଆସିଛି। ମା'ଙ୍କୁ ଟିକେ ଡାକିଦିଅ ବାବୁ।

ଲାଜରେ ମୁଣ୍ଡ ତଳକୁ କରି ମହେଶ କହିଲେ ସୁଶୀଳା ଏ ଦୁନିଆରେ ନାହିଁ। ସବୁଥି ପାଇଁ ମୁଁ ଦାୟୀ।ଆଜି ମୁଁ ଅନୁତପ୍ତ।ଯେଉଁ ଟଙ୍କାର ଲୋଭରେ ଅନ୍ଧ ହୋଇ ଦିଅଁ ଦେବତା ପୂଜା ପାର୍ବଣ ଭୂଲିଗଲି ସେ ଧନ ହିଁ ମୋ ପାଖେ ନାହିଁ।ଖାଲି ଏଇ ଖଣ୍ଡେ ଘର ଭୂତକୋଠି ପାଲଟି ଯାଇଛି ମୋ ପାଇଁ।ନିସ୍ତବ୍ଧତା ମୋତେ ପ୍ରତି ମୁହୂର୍ତ୍ତରେ ମାରି ଦେଉଛି।ହେଉ ପୁଅ ଶୁଣୁ ଏ ଘର ତୋ ନାଁରେ କରି ଦେବାକୁ ଚାହେଁ। ସେଦିନ ତୋତେ ଗଣ୍ଡେ ଖାଇବାକୁ ଦେଇନଥିଲି ଆଜି ସେଥିପାଇଁ ଅନୁତପ୍ତ ମୁଁ।ତୁ ଏ ଘରେ ରହ ।ସୁଖ ଶାନ୍ତିରେ ସଂସାର କର।ମୁଁ ମୋର ବାକି ଜୀବନ ବୃନ୍ଦାବନ ଯାଇ ଏ ମନ ଆଉ ଶରୀରର ପାପ ପଙ୍କକୁ ଧୋଇବି।ଏତିକି କହି ଓକିଲକୁ ଫୋନ୍ କରି ସବୁ ବ୍ୟବସ୍ଥା କଲେ ଏବଂ ବୃନ୍ଦାବନ ଚାଲିଗଲେ।।


Rate this content
Log in

Similar oriya story from Drama