ପ୍ରେମଭିଜା ବସନ୍ତ
ପ୍ରେମଭିଜା ବସନ୍ତ
ହଠାତ୍ ଦୁଆର ମୁହଁରୁ କିଏ ଡାକିବାର ଶବ୍ଦ ଶୁଭିଲା।ଧାଇଁ ଯାଇ ସିତାଂଶୁ ଦେଖେ ତ ବିନିତା ମାନେ ତାଙ୍କ ବୋଉଙ୍କ ସାଙ୍ଗର ଝିଅ।
ଆରେବିନି ଆସେ ଆସେ ଭିତରକୁ ଆସେ।କେତେ ଦିନ ହେଲାଣି ତୋ ସହ ଭେଟ ହୋଇନଥିଲା କେମିତି ଅଛୁ?ଆଉ ମଉସା ମାଉସୀ କେମିତି ଅଛନ୍ତି।
ହଁ ସମସ୍ତେ ଭଲ। ଗୋଟିଏ ଶବ୍ଦରେ ଉତ୍ତର ଦେଲା ବିନି। ମାଉସୀ ନାହାଁନ୍ତି କି?
ବୋଉ ସେ ମାମୁଁ ଘରକୁ ଯାଇଛି ଆଜି ସନ୍ଧ୍ୟାରେ ଫେରିବ।କହିଲା ସିତାଂଶୁ।
ସିତାଂଶୁ ମନେ ମନେ ବିନିକୁ ପିଲାଟି ବେଳୁ ଭଲ ପାଉଥିଲା।ହେଲେ ଜାତିଗତ ସମସ୍ୟା ଯୋଗୁଁ କେବେ କିଛି କହିନି। ଆଜିକି ଏ ଭିତରେ ଅନେକ ବର୍ଷ ବି ବିତିଲାଣି।ସିତାଂଶୁ ବମ୍ବେରେ ମେଡିସିନ୍ ରିସର୍ଚ୍ଚର ଭାବେ କାମ କରେ। ବୟସ ଚାଳିଶି ବି ଛୁଇଁଲାଣି।ବାହା ଯୋଗ ଫିଟିନି କି କଣ କେଜାଣି ଅବା ବିନି ପାଇଁ ସେ ଜୀବନରେ ଆଉ କେଉଁ ଝିଅକୁ ମନ ଦେଇନି,ସେ କଥା ବି ସେ ବୁଝିନି।ହଁ ବିନି ଘରକୁ ଅନେକ ଥର ଯା'ଆସ କରେ କେବେ ବହି ପାଇଁ ତ କେବେ ତା' ବୋଉ ପଠେଇଥିବା ତରକାରୀ ଧରି। କେବେ କେବେ ସିତାଂଶୁର ସାନ ଭାଇ ସହିତ ଗୁଡି ଉଡେଇବାକୁ।
ତା'ର ସେ ଗୁଡି ଉଡାର ଇଚ୍ଛୁକତାକୁ ଦେଖି ତା'ମୁହଁର ସେ ହସକୁ ଦେଖି ସିତାଂଶୁ ବି ଖୁସି ହୁଏ।ସେ ବି ଭାବେ ମୁକ୍ତ ଆକାଶରେ ଆମେ ଦୁହେଁ ବି ଏମିତି ଦୁଇ ଗୁଡି ହୋଇ ଉଡ଼ନ୍ତେ ହେଲେ ପରସ୍ପରକୁ କାଟିବା ପାଇଁ ନୁହେଁ ପରସ୍ପରର ମଧୁର ସ୍ପର୍ଶ ପାଇଁ।
ସିତାଂଶୁ ବି ଚାକିରୀ ପାଇ ବମ୍ବେ ଯାଇକି ଏ ଭିତରେ ଚଉଦ ପନ୍ଦର ବର୍ଷ ହେଲାଣି।କାମ ଭିତରେ ସେ କେବେ ବିନି କଥା ଭାବିନି।ବାମନ ହୋଇ ଚାନ୍ଦକୁ କେମିତି ସେ ହାତ ବଢାଇ ଥାଆନ୍ତା।ବିନି ବହୁତ ସୁନ୍ଦର ।ସିତାଂଶୁ ଦେଖିବାକୁ କଳା ଆଉ ଏତେ ବି ଦେଖିବାକୁ ଭଲ ନୁହଁ।ଉପରେ ଜାତିଗତ ଅସମଞ୍ଜତା। ଯେବେ ସିତାଂଶୁ ଚାକିରୀ ପାଇ ବମ୍ବେ ବାହାରିଲା ବିନି ଦେଇଥିଲା ଏକ ଧଳା ଶାର୍ଟ।ଏବେ ବି ସେ ସାର୍ଟ ସେମିତି ଅଛି।କେବେ ବଡ଼ ବଡ଼ ପାର୍ଟି କୁ ଗଲେ ସେ ସାର୍ଟ ସେ ପିନ୍ଧେ।ତା' ପ୍ରଥମ ମାସ ଦରମାରେ ସେ ଗୋଟେ ନାଲି ଶାଢୀ ବି ଗିଫ୍ଟ ଦେଇଥିଲା ବିନିକୁ। ସେ ପିନ୍ଧିଲା କି ନାହିଁ କେଜାଣି ।
ଏମିତି ଭାବନା ଭିତରେ ବିନି କହିଲା ହଉ ତାହାଲେ ମୁଁ ଆସୁଛି ମାଉସୀଙ୍କୁ କହିଦେବ।
ଆରେ ବସେ ଚା' ଟିକେ ପିଇବା ତାପରେ ତୁ ଯିବୁ।
ଅସମଞ୍ଜ ହୋଇ ବିନି କହିଲା।ନାଇଁ ଥାଉ ମୁଁ ପରେ ଆସିବି ମାଉସୀ ଆସିଲେ ।
ଏ ଭିତରେ ସିତାଂଶୁ ଦେଖି ନେଇଥିଲା ବିନି ମଥାର ଶୂନ୍ୟତାକୁ। ଆରେ ବିନି କଣ ଏ ଯାଏଁ ବାହା ହୋଇନି ବୋଧେ।
ବିନିକି ବାଟେଇ ଆସିଲା ପରେ ସେ ପୁରୁଣା ଦୁନିଆରେ ହଜି ଯାଇଥିଲା।ଏତେ ଦିନ ପରେ ଜୀବନର ପ୍ରଥମ ଭଲ ପାଇବାକୁ ସାମ୍ନା ପାଇଥିଲା।କାମର ଚାପରେ ସେ ମୁଣ୍ଡରୁ ପାସୋରିଥିଲା ସିନା ବିନିକୁ ହେଲେ ହୃଦୟରୁ ନୁହେଁ।ସେଇ ଧଳା ସାର୍ଟ ତ ଏସବୁର ସାକ୍ଷୀ।
ସନ୍ଧ୍ୟାରେ ସିତାଂଶୁର ବୋଉ ଫେରିଲେ।ସିତାଂଶୁ ବୋଉଙ୍କୁ ବିନି ଆସିବା କଥା କହିଲା। ବୋଉ କହିଲେ ବିନି ଆସିଥିଲା। ବିଚାରି ସଂଘର୍ଷକୁ ବୋଝ କରି ଜୀବନରେ ଚାଲିଛି।
ହଁ ବୋଉ ତୁ ଜାଣିଛୁ ପୁରୁଣା ବିନି ଓ ନୂଆ ବିନି ଭିତରେ ବହୁତ ଫରକ।ତା'ମୁହଁରେ ସେ ହସ ଦେଖିଲିନି।ହସକୁରି ମୁହଁଟି ଏବେ ଗାମ୍ଭୀର୍ଯ୍ୟରେ ଭରା।କଣ ହେଲା କି ତା'ର?
ବୋଉ ସିତାଂଶୁ କୁ କହିଲେ। କହନା ଲତିକା ମାଉସୀ ମାନେ ବିନିର ବୋଉ ଏକ ବିରାଟ ଧନୀ ଘରେ ତା' ବିବାହ କରିଥିଲେ। ହେଲେ ଅଭାଗୀ ବିନି ଭଲ ମନଟିଏ ପାଇଲାନି ମାନେ ତା' ବର ମଦ୍ୟପ ଆଉ ଶହେ ନାରୀଙ୍କ ସହ ସମ୍ପର୍କ। ବିନିକୁ ବହୁତ ମାର ଧର କରେ।ବିନି ବା କେତେ ସହି ଥାଆନ୍ତା। ଦିନେ କୁଆଡେ ବିନିକୁ ତା' ସ୍ଵାମୀ ନିଜ ସାଙ୍ଗଙ୍ର ଶଯ୍ୟା ସଙ୍ଗିନୀ ହେବାକୁ ବାଧ୍ୟ କରିଥିଲେ। ସେଦିନ ହିଁ ବିନି ଶାଶୁ ଘର ଛାଡି ବାପ ଘରେ ନିଜେ ସ୍ଵାବଲମ୍ବୀ ହୋଇ ଚଳୁଛି। ଏବେ ସେ ପୁରୁଷ ଜାତି ବୋଲି ଘୃଣା କରୁଛି।ବିଚାରି ଏତେ ପାଠ ପଢିଛି ଆଉ ଦେଖିବାକୁ ଅତି ନିଖୁଣ। ତା' ଭାଗ୍ୟ ଦେଖ କେମିତି।
ସିତାଂଶୁ ସବୁ ଶୁଣିଲା ପରେ କାହାକୁ କିଛି ନ କହି ଆର ପଟ ବଖରାକୁ ଚାଲିଗଲା।ଆଉ କୋହକୁ ଲୁହ କରି ନିଗାଡି ଚାଲିଲା।
ବିନି ବୋଧେ ସେଥିପାଇଁ ତା'କୁ ଚା ପିଇବାକୁ ମନା କଲା।ବିନି ପ୍ରତି ଭଲପାଇବା ତା'ର ଆହୁରି ବଢି ଚାଲିଲା।
ସେଦିନ ଥାଏ ମକର ସଂକ୍ରାନ୍ତି ସିତାଂଶୁ ଯେହେତୁ ବମ୍ବେରେ ରୁହେ।ସେ ଗୁଡି ପାଡ୍ଵାକୁ ବହୁତ ଆଡ଼ମ୍ବରରେ ପାଳନ କରେ। ଏଥର ପୁଣି ଘରେ ଅଛି। ସେ ବୋଉକୁ ତା'ର କହିଲା।ବୋଉ ବିନିକୁ ଡାକେ ଆମେ ସମସ୍ତେ ମିଶି ଏ ପର୍ବଟି ପାଳନ କରିବା।
ବୋଉ ବି ବିନିକୁ ଡାକିଲେ।ବିନି ରାଜି ହେଲା।
ସିତାଂଶୁ ଭାବିଲା ଯଦି ବିନିକୁ କୁହନ୍ତି ତା'ର ସେ ନାଲି ଶାଢୀଟି ପିନ୍ଧି ଆସନ୍ତା କେତେ ଭଲ ହୁଅନ୍ତା।ମନ ଭରି ତା'କୁ ଦେଖନ୍ତି ସେ ନାଲି ଶାଢୀରେ କେମିତି ଲାଗୁଛି।
ଥ.ଥ.ମ.ମ ହୋଇ ସେ ବୋଉ ଫୋନ୍ ରୁ ବିନିକୁ ଫୋନ୍ କଲା।
ବିନି ଯଦି ତୁ ମୁଁ ଦେଇଥିବା ନାଲି ଶାଢୀ ପିନ୍ଧି ଆସନ୍ତୁ ବହୁତ ଭଲ ହୁଅନ୍ତା।ଦେଖେ ତୋ ଇଚ୍ଛା।
ହେଲେ ଏ କଣ ଏକ ବିରାଟ ଗର୍ଜନ ଶୁଭିଲା ସେପଟୁ।ତୁମେ କଣ ଭାବିଛ ନିଜକୁ।ଏ ଜୀବନ ରଙ୍ଗହୀନ ହେଲା ପରେ କହୁଛ ନାଲି ଶାଢୀ ପିନ୍ଧିବି।ତୁମେ କି ଅଧିକାରରେ କହୁଛ।କଣ ତୁମେ ସେ ଶାଢୀ ଦେଇଛ ବୋଲି ମୁଁ ପିନ୍ଧିବାକୁ ବାଧ୍ୟ।। ଦେଖ ସିତାଂଶୁ ମୁଁ ପୁରୁଷ ଜାତିକୁ ଘୃଣା କରେ।ସବୁ ପୁରୁଷ ସମାନ।ନାରୀ ସେମାନଙ୍କ ହାତରେ ଖେଳଣା। କହି ଫୋନ୍ କାଟି ଦେଲା।
ସିତାଂଶୁ ପୁରା ସ୍ତବ୍ଧ ।ଆରେ ଏ କଣ ? ଇଆର ଏ କି ଚଣ୍ଡୀ ରୂପ। ମୁଁ ତ ନମ୍ର ଭାବେ କହିଲି। ତଥାପି ମୁଁ ଜାଣିଛି ମୋ ବିନି ମୋ କଥାକୁ କାଟି ପାରିବନି।ସେ ନିଶ୍ଚୟ ଆଜି
ସିତାଂଶୁର ଫୋନ୍ ରଖି ସାରିଲା ପରେ ବିନି ଅନୁତାପ ବହୁତ କଲା।ସେ ବି ଦିନେ ସିତାଂଶୁକୁ ଭଲ ପାଇଥିଲା।ସେଥିପାଇଁ ତ ସେ ଧଳା ଶାର୍ଟ ତା’କୁ ମାନିବ ବୋଲି ସେଦିନ ସେ ସିତାଂଶୁକୁ ଦେଇଥିଲା।ଜାତି ପ୍ରଥାକୁ ଡରି ନିଜ ମନ କଥା ଖୋଲି କହିନି।ଘର ଲୋକଙ୍କ ଇଚ୍ଛାକୁ ସମ୍ମାନ ଦେଇ ବାହା ହେଇଛି। ହେଲେ କଣ କରିବ।କାହିଁକି କେଜାଣି ଏ ପୁରୁଷ ଜାତିକୁ ଦେଖିଲେ ରକ୍ତ ଗରମ ହୋଇ ଯାଉଛି। ଏମିତି ଅନେକ ଭାବି ଚିନ୍ତି,ସେ ଠିକ୍ କଲା ଶାଢୀର ଦୋଷ କେଉଁଠି।ଆଜି କେତେ କଥା କହିଗଲି ମୁଁ ସିତାଂଶୁକୁ।ତା’ର ପ୍ରାୟଶ୍ଚିତ ସ୍ଵରୂପ ମୋତେ ଆଜି ଏ ଶାଢୀଟି ପିନ୍ଧିବାକୁ ପଡିବ। ସେଇଆ ହିଁ କଲା।
ତା ପରଦିନ ସିତାଂଶୁ ଘରେ ଯାଇ ପହଞ୍ଚି ଦେଖେ ତ ସିତାଂଶୁ ବି ସେଇ ଧଳା ସାର୍ଟଟି ପିନ୍ଧିଛି ଆରେ ଇଏ କଣ ସିତାଂଶୁ ସେଦିନ ଯେମିତି ଦିଶୁଥିଲେ ଏ ସାର୍ଟରେ ଆଜି ବି ଠିକ୍ ସେମିତି।ସିତାଂଶୁ ବି ବିନିକୁ ଦେଖି ହତବାକ୍ ହୋଇ ଭାବିଲା ଆରେ ବିନି ଆଜି କେତେ ସୁନ୍ଦର ଲାଗୁଛି ସତରେ। ରକ୍ତଜବା ପରି ଦିଶୁଛି।
ଗୁଡି ଆଣି ସିତାଂଶୁ ବୋଉଙ୍କ ହାତରେ ବିନିକୁ ଦେଲା। ଗୁଡି ଉଡା କଥା ଜାଣି ବିନି ସେଇ ପୁରୁଣା ବିନି ପରି ଖୁସି ନଥିଲା କିନ୍ତୁ। ଗୁଡିକୁ ଦେଖି ସିତାଂଶୁ ଭାବୁଥିଲା ପ୍ରେମ ଆକାଶରେ ଆମେ ଦୁହେଁ ଏମିତି ଉଡ଼ନ୍ତେ କି? ତୋ ମନ ମୋ ମନ ଏକା ହୁଅନ୍ତା କି।ଏମିତି ଭାବନା ଭିତରେ ଗୁଡିର ମାଞ୍ଝାରେ ବିନିର ହାତ କଟିଗଲା। ବିନିର ଅନିଚ୍ଛା ସତ୍ଵେ ସିତାଂଶୁ ତାକୁ ନେଇ ଯାଇ ହାତରେ ବ୍ୟାଣ୍ଡେଜ୍ କରିନେଲା। ବୋଉଙ୍କର ଏକା ଜିଦ୍ ବିନି ଖାଇକି ଯିବ ରାତିରେ।ବିନି ବା କେମିତି କିଟିବ ସେ କଥା। ହଠାତ୍ ପ୍ରବଳ ମେଘ ଓ ବିଜୁଳିରେ ଲାଇଟ୍ ଚିଲିଗଲା।
ଆଲୋ ମା' ବିନି ସେଇ ରୁମ୍ ର ଟେବୁଲ ଡ୍ର ରେ ମହମବତୀଟିଏ ଅଛି।ଅନ୍ଧାରରେ ବସନା ।କହି ଡାକ ଛାଡିଲେ ସିତାଂଶୁର ବୋଉ ଉପର ମହଲାରୁ।
ହଁ ମାଉସୀ ଦେଖୁଛି କହି ବିନି ଉଠି ଖୋଜିବାକୂ ବାହାରେ ତ ।ସିତାଂଶୁ ଦଉଡି ଆସି କହିଲା ରହ ରହ ମୁଁ ଆସୁଛି।ତୋର ହାତ କଟି ଯାଇଛି ପରା।
ସେ ରୁମ୍ କୁ ଆସି ମହମବତୀ ଲଗାଇ ବିନିକୁ ଦେଖେ ତ,ହଠାତ୍ ତା' ଛାତିର ସ୍ପନ୍ଦନ ବଢିଗଲା। ମନ ଅସ୍ଥିର ହୋଇ ଉଠିଲା।ନାଲି ଶାଢୀରେ ବିନିର ସୁନ୍ଦରତା ଯେମିତି ତା ମନରେ ମେଘ ମହ୍ଲାରର କମ୍ପନ ଆଣି ଦେଇଛି।ତା ଭଲ ପାଇବା ହୃଦୟର ସୀମା ଲଙ୍ଘି ଓଠରେ ପହଞ୍ଚିଗଲା। ଅଜାଣତେ ବାହାରି ଆସିଲା,ବିନି ମୁଁ ତୁମକୁ ଭଲ ପାଏ।ତୁମ ପାଇଁ ମୁଁ ଆଜି ଯାଏଁ ଅପେକ୍ଷା କରିଛି।ଆଗକୁ ବି କରିବି ।ବାସ୍ ଏଇପଦକ କଥା ବିନି ବୋଧେ ଅଜାଣତରେ ପ୍ରତୀକ୍ଷା କରିଥିଲା।ବାହାରେ ବର୍ଷାର ତାଣ୍ଡବ ଓ ଭିତରେ ପ୍ରେମର ଦୁନ୍ଦୁଭି ଦୁଇଟି ହୃଦୟକୁ ପାଖକୁ ଟାଣି ନେଲା।ସିତାଂଶୁଙ୍କ କେୟାରିଂ ନେଚର୍ ଆଗରେ ଆଉ ବିଶାଳ ହୃଦୟ ଆଗରେ ତା'ର ସେ ଘୃଣା ନିମିଷକେ ଅପସରି ଗଲା। ଏବେ ନା ଜାତିଗତ ପାର୍ଥକ୍ୟ ପ୍ରାଚୀର ସାଜିଲା ନା ପୁରୁଷ ଜାତିକୁ ଘୃଣା କରୁଥିବା ସେ ମନ।ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ ସତ ମୁହଁ ଖୋଲି ନଥିଲେ।ଆଜି ଏଇ ବସନ୍ତ ଦୁଇଟି ମନକୁ ପ୍ରେମର ମଧୁର ଜଳରେ ଭିଜେଇ ଦେଲା। ସିତାଂଶୁକୁ ଆଲିଙ୍ଗନ କରି କହିଦେଲା ସେଇ ପଦକ କଥା ଯାହାର ଅପେକ୍ଷା ସିତାଂଶୁର ଥିଲା।"ଆଇ ଲଭ୍ୟୁ ସିତାଂଶୁ ।