Prasanta kumar Hota

Drama Crime Others

3  

Prasanta kumar Hota

Drama Crime Others

ସେଇ ଅଚି଼ହ୍ନା ମଣିଷ

ସେଇ ଅଚି଼ହ୍ନା ମଣିଷ

7 mins
164


 


ସୀମା ଅନେକ ସମୟରେ ଘରକାମରୁ ଫୁରସତ୍ ପାଇଲେ ଛାତ ଉପରକୁ ପଳାଏ। କେତେବେଳେ ଲୁଗା ଶୁଖେଇବା ବାହାନାରେ, କେତେବେଳେ ଲୁଗା ଆଣିବା ବାହାନାରେ। ଅନେକ ସମୟ ଚାହିଁ ରହେ ଯାତାୟତ କରୁଥିବା ଲୋକ ମାନଙ୍କୁ । କିନ୍ତୁ ଖୋଜି ପାଏ ନାହିଁ ସେଇ ଅତୀତର ଅଚିହ୍ନା ମୁହଁଟିକୁ। 

ଅନେକ ଦିନ ପରେ ଆଜି କିନ୍ତୁ ଛାତକୁ ନଯାଇ ବାଲକୋନୀରେ ଏକ ଚେୟାର ଉପରେ ବସି ରାସ୍ତାକୁ ଅନେଇ ଥିଲା ସୀମା । ସେଇ ଅଚି଼ହ୍ନା ଲୋକଟିକୁ ଖୋଜୁଥିଲା ଯେମିତି। ସତେ ଅବା ସେହି ରାସ୍ତାରେ ଯିବା ଆସିବା ଲୋକଙ୍କ ଭିତରୁ ମିଳିଯିବେ। 

ହଁ ଦୀର୍ଘ ବର୍ଷ ହେଲାଣି ତା ଆଖି ଯୋଡିକ ଜଣକୁ ଖୋଜି ବୁଲୁଛି । ଅତ୍ୟନ୍ତ ବିକଳ ହୋଇଉଠେ ହୃଦୟ ତାର ନିରାଶ ହେଲା ପରେ । ଯେତେବେଳେ ତାଙ୍କ ସହ ଦେଖା ହେଇଥିଲା, ସେ କହିଥିଲେ ଏଇ ପାଖରେ ତାଙ୍କ ଘର ବୋଲି । କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କ ଦେଖା ମିଳୁନି। ନାଁ ବି ଜାଣି ନାହାନ୍ତି ତେଣୁ କାହାକୁ ପଚାରି ବି ପାରୁ ନାହାନ୍ତି। ଏହା ତାର ନିତାନ୍ତ ବ୍ୟକ୍ତିଗତ ବୋଲି ସେ କାହାକୁ ମଧ୍ୟ କହି ପାରୁ ନାହିଁ । କୌଣସି ପର ପୁରୁଷ ବିଷୟରେ କୋଉ ଅଭିଳାଷା ନେଇ ବା ପଚାରିବେ! ହୄଦୟରେ ସାଇତା ହୋଇ ରହି ଯାଇଛି ସୀମାର ସେ ସ୍ମୃତି ଅତି ଗୋପନରେ ଯାହାକି ଆଜି ପର୍ଯ୍ୟନ୍ତ ଦ୍ଵିତୀୟ କେହି ଜାଣି ନାହାଁନ୍ତି । 

ନାରୀ ତାର ହୄଦୟରେ ଏମିତି ଅନେକ ଅକୁହା ସ୍ନେହ, ଶ୍ରଦ୍ଧା ରଖିଥାଏ ଭଲପାଇବାର କୋମଳ ପୁଷ୍ପାବରଣ ଭିତରେ ପୁଣି ଆଉ କିଛି ବି ରଖିଥାଏ ବିରକ୍ତି ଓ ଘୄଣାର କଫିନ୍ ଭିତରେ । 

ସାଗର ଗାମୁଛାଟା ଶୁଖାଉ ଶୁଖାଉ ପଚାରିଲେ - କଣ କାହାକୁ ଗୋଟେ ଅପେକ୍ଷା କଲା ପରି ଅନେଇ ରହିଛ! 

ସୀମା ନିରୁତ୍ତର ରହିଲା ।

ରାଗିଛ କି? ସାଗର ଆଉ ଥରେ ପ୍ରଶ୍ନ କଲା ।

ତମ ଉପରେ ରାଗି ଲାଭ କଣ! ତମକୁ କଣ କହିଲେ ତମେ ପୁଣି ମୋତେ ନେଇ ଆଉ କୋଉଠି ଛାଡି ଦେଇ ଚାଲି ଆସିବନି? ସେଥିରେ ତମର ଆନନ୍ଦ। ତମର ପୁରୁଷ ପଣିଆଟା ପରମ ତୃପ୍ତିରେ ନାଚି ଉଠିବ। 

ସେଦିନର ଘଟଣା ତାହେଲେ ମନରୁ ଯାଇନି। ସାଗର ଅନୁକମ୍ପା ଦେଖାଇ ପଚାରିଲେ। 

ସୀମା କିଛି କହିଲା ନାହିଁ। 


ସାତ ବର୍ଷ ତଳେ ସେ ସାଗରଙ୍କୁ ବିବାହ କରିଥିଲା । ସବୁକିଛି ପିତା ମାତାଙ୍କ ଇଛାରେ ହେଇଥିଲା। ବିବାହ ରେ ବୈବାହିକ ଆନନ୍ଦ ପାରସ୍ପରିକ ବାକ୍ୟ ଯୁଦ୍ଧ ରେ ନଷ୍ଟ ହେଇ ଯାଉଥିଲା। ସାଗର ଅନେକ ଥର ବାକ୍ୟ ଯୁଦ୍ଧରୁ ବିରତ ରହିବା ପାଇଁ ଚେଷ୍ଟା କରିଛି। କିନ୍ତୁ ବେଶି କ୍ଷଣ ରହି ପାରିନାହିଁ। ସୀମା ଏମିତି ଏକ ପ୍ରଶ୍ନ ପଚାରିବ ଯାହାର ଉତ୍ତର ଦେଉ ଦେଉ ବିବାଦ ସୃଷ୍ଟି ହେବ। ବିବାଦର ଭୟାବହତା ଦେଖିବା ପରେ ସାଗର ପଛଘୁଞ୍ଚା ଦେଇ ପଳାୟନ କରେ। ସୀମା ବିଜୟରେ ଉଲ୍ଲସିତ ହୁଏ। ତା ବିଜୟରେ କେହି ସାମିଲ ନହେଲେ ତା ଖୁସି କୁ କେହି ସହି ପାରୁ ନାହାନ୍ତି ବୋଲି ଆକ୍ଷେପ କରେ। 

ଆକ୍ଷେପ ପ୍ରତି ଆକ୍ଷେପରେ ଦିନ ସିନା ବିତିଯାଏ କିନ୍ତୁ ସାଗରର ପିତା ମାତାଙ୍କୁ ମାନସିକ ସ୍ତରରେ ଏସବୁ ଅସହ୍ୟ ହୁଏ। ଦିନେ ଏସବୁରୁ ମୁକ୍ତି ପାଇବାକୁ ଗାଁ ବାହାରିଲେ ପଳେଇ ଯିବେ। ସାଗର କିନ୍ତୁ ଅନୁରୋଧ କରି ଆଉ ପନ୍ଦର କୋଡ଼ିଏ ଦିନ ରହିବା ପାଇଁ କହିଲା ଓ ନିଜେ କିଛି ଉପାୟ ଚିନ୍ତା କରିବାକୁ ଲାଗିଲା। 

ଦିନେ ଶ୍ଵଶୁରଙ୍କ ଘରକୁ ବୁଲି ଯିବାର ବାହାନାରେ ସୀମାକୁ ନେଇ ବାହାରିଲା। ସୋର ପାଖରେ ଶଶୁରଙ୍କ ଘର। ବାଲେଶ୍ୱରରୁ ଅଧାବାଟ ଆସିଲା ପରେ ମିଠା କିଣିବା ପାଇଁ ମଟର ସାଇକେଲ ରଖି ଉଭୟେ ଗଲେ। ସୀମା ମିଠା କିଣୁଥିବା ଅବସ୍ଥାରେ ସାଗର ବାହାରି ପଳେଇ ଆସିଲା। 

ସୀମା ଅନେକ ସମୟ ଅପେକ୍ଷା କଲା। ବାରମ୍ବାର ଫୋନ ବି କଲା। କିନ୍ତୁ କୌଣସି ଉତ୍ତର ନାହିଁ। ରାଗ ତମ ତମ ହୋଇ ଏକୁଟିଆ ବାପଘରକୁ ଚାଲିଗଲା। ବାପା ନିଶିକାନ୍ତ ସୀମାକୁ ଛାଡି ଦେବେ ବୋଲି କହିଲେ। ସୀମାର କିନ୍ତୁ ଜିଦ୍ ଯୋଉ ସ୍ଵାମୀ ଛାଡି ଦେଇ ପଳାଉଛନ୍ତି ସେ ଆଉ ତାଙ୍କ ପାଖକୁ ଯିବ ନାହିଁ। 

ନିଶିକାନ୍ତ କହିଲେ ସେଥିପାଇଁ ବୋଧେ ସେ ତୋତେ ଏଠି ଅଧା ବାଟରେ ଛାଡିଦେଇ ଗଲେ ।

ସେଥିପାଇଁ ମାନେ - ସୀମା ପଚାରିଲା। 

ଯେମିତି ତୁ କହୁଛୁ ଅଧା ରାସ୍ତାରେ ଛାଡିଥିବା ସ୍ଵାମୀ ପାଖକୁ କିଏ ଯିବ ସେମିତି ସିଏ ବି କହୁଥିବେ ସବୁଦିନ କିଏ ନିଜ ପତ୍ନୀ ସହ ବକବକ୍ ହେଉଥିବ। 

- ବାପା ତମେ ବି ମୋ ବିରୁଦ୍ଧରେ କହୁଛ। 

- ବିରୁଦ୍ଧ ନୁହେଁ ମା। ତୁ ଯେମିତି ଭାବୁଛୁ ସେ ବି ସେମିତି ଭାବୁଥିବେ ବୋଲି କହୁଛି। ତୋର ଏଠି ଯେତେ ଦିନ ଇଛା ହେଉଛି ରହି ଯାଇପାରୁ। 

- ତାମାନେ କଣ ତମେ ଭାବୁଛ ସେ ଏସବୁ ଜାଣିଶୁଣି କରିଛନ୍ତି। 

- ନିଶ୍ଚିତ। ଏଥିରେ ସନ୍ଦେହ କଣ। ତୁ ବାକ୍ୟ ଯୁଦ୍ଧ କରିବା ବନ୍ଦ କରି ଦେ। ଦେଖିବୁ ସବୁ ଠିକ୍ ହେଇଯିବ। 

- ମୋ ସ୍ଵାଭିମାନକୁ କିଏ ଆଘାତ ଦେଲେ ମୁଁ ଚୁପ୍ ରହି ପାରିବି ନାହିଁ। 

ନିଶିକାନ୍ତ କହିଲେ - ତମେମାନେ ବଡ ହେଲଣି ଯାହା ଠିକ୍ ଭାବୁଛ କର। କିନ୍ତୁ ଏସବୁ ମୋତେ ଭଲ ଲାଗୁନି। 

-ତମକୁ ଯଦି ଭଲ ଲାଗୁନି ତାହେଲେ ମୋ ରହିବା ବି ତମୁକୁ ଭଲ ଲାଗୁ ନଥିବ। ମୁଁ ଆଜି ପଳାଉଛି। 

- ଆରେ ତୁ ମୋ ଝିଅ। ତୋର ଏ ଘରେ ପୁରା ଅଧିକାର ଅଛି। ତୁ ଚାହିଁଲେ ଏଠି ସବୁଦିନ ରହି ପାରିବୁ। 

- ଲାଭ କଣ ବାପା! ତମେ ତ ଖୁସି ନୁହଁ। ମୁଁ ଯାଉଛି କହି ସୀମା ବାହାରି ଆସିଲା। ନିଶିକାନ୍ତ ଅଟକାଇଲେ ନାହିଁ। 


 ନଅଟା ବାଜି ସାରିଥାଏ । ଶୀତ ଦିନ ହୋଇ ଥିବାରୁ ମାର୍କେଟ ମଧ୍ୟ ଜନଶୂନ୍ୟ ହୋଇ ଆସୁଥାଏ । ସୀମା ଶେଷଥର ସାଗରଙ୍କୁ ଫୋନ କରିବାକୁ ଚେଷ୍ଟା କଲା। ଫୋନ୍ ସୁଇଚ୍ ଅଫ୍ କହିଲା। ଅତି ଅସହାୟା ଭାବେ ରାସ୍ତାକୁ ଆସି ଅଟୋ ଖୋଜିବାକୁ ଲାଗିଲା। ଆଖିରୁ ତାର ଧାର ଧାର ଲୁହ ବହିଯାଉଥାଏ । କୁଆଡ଼େ ଯିବ କଣ କରିବ! ଏମିତି ଅନେକ ପ୍ରଶ୍ନ। ଯାହା ହେଉ କିଛି ବାଟ ଗଲାପରେ ଅଟୋ ମିଳିଗଲା। ଏକୁଟିଆ ଅନ୍ଧାର ରାସ୍ତାରେ ଡର ଲାଗୁଥାଏ। 

ସେ ଭାବି ଚାଲିଥିଲା ସାଗରଙ୍କ କଥା । ସେ ଏମିତି ଗଲେ କାହିଁକି । ଅନେକ ଦୁଶ୍ଚିନ୍ତା ମୁଣ୍ଡରେ ପଶୁଥାଏ। ତାର ବାଟରେ ଯଦି କିଛି ଦୁର୍ଘଟଣା ହୁଏ? ପୁଣି ଭାବୁଥାଏ ଜାଣିଶୁଣି କଣ ଏମିତି କରିପାରେ!! ଏତେ ନିର୍ଦ୍ଦୟ ହୋଇ ପାରନ୍ତି ମଣିଷ । ପୁଣି ନିଜର ସ୍ଵାମୀ । ସ୍ତ୍ରୀ କଥା ନ ଭାବିଲେ ନାହିଁ ଅତି କମ୍ ରେ ଦୁନିଆକୁ ଆସୁଥିବା ତାଙ୍କ ନିଜ ରକ୍ତ କଥାତ ଥରୁଟିଏ ଚିନ୍ତା କରିଥାନ୍ତେ । ସୀମାର ମନେ ପଡ଼ିଲା ବୋଧହୁଏ କିଛି ଦିନ ଆଗରୁ ହୋଇଥିବା ଝଗଡା ବେଳେ ସାଗର ଯେଉଁ ଚେତାବନୀ ଦେଇ କହିଥିଲେ ତମକୁ ପାନେ ଚଖେଇଲେ ତମ ମୁହଁ ଯୋର ଜଣାପଡିବ, ତାହା ବୋଧେ ସେ ଏବେ କାର୍ଯ୍ୟରେ କରି ଦେଖଉଛନ୍ତି । ଓଃ ତା ମୁଣ୍ଡ କଣ ହେଇ ଯାଉଥାଏ ଭାବିଲା ବେଳକୁ । ମଣିଷ ନିଜ ସ୍ତ୍ରୀ ପାଇଁ ଏତେ ହିଂସ୍ରକ ହେଇପାରେ। କାହାଘରେ ଝଗଡା ନାହିଁ!


 ତାର ଇଛା ହେଲା ଘରେ ବାପାଙ୍କୁ ଫୋନ କରି ଫେରି ଆସିବ। ପୁଣି ଭାବିଲା, ନା ଥାଉ, ତାକୁ ହିଁ ଉପଦେଶ ଶୁଣିବାକୁ ପଡିବ। କହିବେ କଣ ନା ତୁ ନିଜେ ନମ୍ର ହେଇ ଯା ସବୁ ଆପେ ଆପେ ଠିକ୍ ହେଇଯିବ। ସୀମା ତାର ସ୍ଵାଭିମାନକୁ ଆଘାତ କିଏ ଦେବ ଆଉ ସେ ସହିଯିବ ଭାବି ପାରିଲା ନାହିଁ। 

ହଠାତ୍ ଅଟୋଟା ଅଟକି ଗଲା। ଡ୍ରାଇଭର କହିଲା ଗାଡି ଖରାପ୍। ତିନିଜଣ ଟୋକା କୋଉଠି ଥିଲେ ମାଡି ଆସିଲେ। ଅଚାନକ ଏମିତି ଏସବୁ ଘଟିବା ଆରମ୍ଭ ହେଲା ଯେ ସୀମା ପୋଲିସକୁ ମଧ୍ୟ ଫୋନ୍ କରି ପାରିଲା ନାହିଁ। ଏତିକିବେଳେ ଜଣେ ସୀମାର ଫୋନ ଛଡାଇ ନେଇ ଟଣା ଓଟରା ଆରମ୍ଭ କରି ଦେଲା। ସୀମା ବିକଳ ହୋଇ ଯେତେବେଳେ ପାଟିକଲା ସମସ୍ତେ ଦୋଉଡି ପଳେଇଲେ। ଅଟୋବାଲା ମଧ୍ୟ ଦୋଉଡି ପଳାଇଲା। ଜଣେ ଯୁବକ ମଟର ସାଇକେଲରେ ଆସି ସୀମା ପାଖରେ ଅଟକି ଗଲେ। ସୀମା ଡରରେ ଥରୁଥାଏ। ହାତରେ ତାର ମୋବାଇଲ କି ଭାନିଟି କିଛି ନଥାଏ। 


ଠିଆ ହେଇଥିବା ଯାଗାଟା ଧିରେ ଧିରେ ଜନଶୂନ୍ୟ ଥିଲା। ନୀରବତାର ଚାଦର ଘୋଡେ଼ଇ ଧରଣୀ ବକ୍ଷ ଯେମିତି ଶୋଇ ଯିବାକୁ ବାହାରିଲାଣି । 

ସୀମାର ମନ ଭିତରେ ଅଜଣା ଡର ଉଙ୍କି ମାରିଲା। ଯଦି ସାଗର ଘରେ ନ ପୁରାନ୍ତି ସେ କଣ କରିବ! 

ଭୋକ ଶୋଷ ଯାହା ଲାଗୁଥିଲା ସେ କୁଆଡ଼େ ମିଳାଇ ଗଲାଣି । ପେଟ ଭିତରର ଶିଶୁଟି ବୋଧେ ମାଆର ପରିସ୍ଥିତି ବୁଝି ଆଉ ହଲଚଲ ହେଉ ନାହିଁ। ଯୁବକଟି ପାଖକୁ ଆସି ପ୍ରଶ୍ନ କଲେ "ଆପଣ ଏପରି ଅବସ୍ଥାରେ ଏଠି ଏକୁଟିଆ ? କୁଆଡେ ଯିବେ ? ମୁଁ କିଛି ସାହାଯ୍ୟ କରିବି କି ମାନେ କୋଉଠି ଛାଡି ଦେବିକି! 


..ନା । ଧନ୍ୟବାଦ । ଆପଣ ଯାଆନ୍ତୁ। ମନର ଭୟ ଯେମିତି ସୀମା ମୁହଁରୁ ଉତ୍ତର ଗୁଡାକ କାଢି ଯୁବକ ମୁହଁ ଉପରେ ଫୋପାଡ଼ି ଦେଲା।  ଯୁବକ କିନ୍ତୁ ଛାଡିବାର ନଥିଲେ। ସେ କହିଲେ .....ଦେଖନ୍ତୁ ଆପଣଙ୍କୁ ଆଉ କେହି ଏଠି ସାହାଯ୍ୟ ଯାଚି ନ ପାରନ୍ତି । ଏ ଯାଗାରେ ଆପଣଙ୍କୁ ଆଉ କେହି ମିଳିବେନି। ଅଟୋ ବି ପାଖରେ ଦିଶୁନାହିଁ। ଆଉ କାହାର ଭିନ୍ନ ଦୄଷ୍ଟିର ଶିକାର ବି ହୋଇ ପାରନ୍ତି । ତେଣୁ ଆପଣଙ୍କୁ ଏପରି ଅବସ୍ଥାରେ ଛାଡି ମୁଁ ବି ଯାଇ ପାରିବିନି। ଗଲେ ମୋ ବିବେକ ମୋତେ ବାଧା ଦେବ । 

ପୁଣି ଥରେ ଚାହିଁଲା ସୀମା ସେହି ଅଚିହ୍ନା ମଣିଷର ମୁହଁଟିକୁ । କଣ କରିବ କିଛି ଭାବି ପାରୁ ନଥାଏ । ବିଶ୍ୱାସ ଓ ଅବିଶ୍ୱାସର ଚଟାଣ ଉପରେ ଅଣନିଶ୍ଵାସୀ ହୋଇ ପଡୁଥିଲା ସେ । କାହାକୁ ବା ବିଶ୍ୱାସ କରିବ ? ଯାହାକୁ ହାତ ଧରି ବାହା ହୋଇଥିଲା, ଏହି ଏକ ବର୍ଷ ମଧ୍ୟରେ ଅନେକ ବାକ୍ୟ ଯୁଦ୍ଧ, ମାନସିକ ଯନ୍ତ୍ରଣା ପାଇଛି ତାଙ୍କଠାରୁ । ତଥାପି ସାହସ କରି ଆଉଥରେ ସ୍ଵାମୀଙ୍କୁ ଫୋନ କଲା । ସେହି ଅଚିହ୍ନା ଯୁବକ ସେମିତି ଠିଆ ହେଇଥାନ୍ତି । ଥରେ ନୁହେଁ ପାଞ୍ଚ ପାଞ୍ଚ ଥର ନମ୍ବର ଲଗେଇଲେ କିନ୍ତୁ ସବୁଥର ସେହି ସୁଇଚ୍ ଅଫ୍ । ଭୋ ଭୋ ହୋଇ କାନ୍ଦି ପକେଇଲା ସୀମା । ନୀରବରେ ଅନେଇ ଥିଲେ ଯୁବକ ଜଣକ ଯେପରି ତାର ତାଳୁରୁ ତଳିପା ଯାଏ ଗୋଟି ଗୋଟି କରି ପଢି ଯାଉଥିଲେ ସମସ୍ତ ଯନ୍ତ୍ରଣାକୁ । ପୁଣି ଥରେ ଅନୁରୋଧ କଲେ ତାଙ୍କ ସହ ଯିବାକୁ । 


ଏଥର ଆଉ ସୀମା ମନା କରି ପାରିଲା ନାହିଁ । ସମ୍ମତି ଜଣାଇଲା । ଡିକିରୁ ଗୋଟେ ସାଲ କାଢି ଯୁବକ ଜଣକ କହିଲେ ଗାଡିରେ ଗଲେ ପବନ ବାଜି ବୋହୁତ ଶୀତ ଲାଗିବ। ଏଇଟା ଘୋଡେଇ ହେଇ ପଡ । ଏତିକି କହି ସେ ତୁରନ୍ତ ଗାଡି ସ୍ଟାର୍ଟ କଲେ ଓ ସୀମାକୁ ଛାଡିଦେଲେ। ସୀମା କିଛି କହିବା ପୂର୍ବରୁ ଯୁବକ ଜଣକ ଗାଡି ଷ୍ଟାର୍ଟ କରି ଉଭାନ ହେଇଗଲେ। ସୀମା ବଲବଲ୍ ହେଇ ଅନେଇଥାଏ। 

ସୀମାର ହୄଦୟ କୄତଜ୍ଞତାରେ ପୁରି ଉଠୁଥିଲା ଅଥଚ ଟିକିଏ ଜଣେଇ ପାରିଲା ନାହିଁ। ନୀରବରେ କୃତଜ୍ଞତା ର ନୈବେଦ୍ୟ ଢାଳିଦେଇ ଘରକୁ ପଶୁ ପଶୁ ଦେଖିଲା ସ୍ଵାମୀ ବସି ଟିଭି ଦେଖୁଛନ୍ତି । ଘୃଣା ଓ ବିରକ୍ତି ତାକୁ ଯେପରି କ୍ଷତାକ୍ତ କରି ପକଉଥିଲା । ସ୍ଵାମୀଙ୍କର କୌଣସି ଅନୁଶୋଚନା ମଧ୍ୟ ଜଣା ପଡୁନଥିଲା । ବିଦୄପ ହସ ହସି ପଚାରିଲେ "ଚାଲି ଆସିଲ ବୋଧେ" । ନିଜ ବ୍ୟବହାରର ପରିଣାମ ପାଇଲ ତ ? ଏଇଟା ତମ ପାଇଁ ଏକ ଶାସ୍ତି ବୋଲି ଭାବ। ନିଜକୁ ସମ୍ଭାଳି ନୀରବରେ ସୀମା ଚାଲି ଯାଇଥିଲା ନିଜ ଶୋଇବା ଘରକୁ ।

ସେ ଦିନ ଠାରୁ ଆଉ କିଛି ଗଣ୍ଡଗୋଳ ହେଲେ ସେ ଆଉ ବାପାଙ୍କୁ କିଛି କହେ ନାହିଁ। କାହାକୁ ବି କିଛି କହେ ନାହିଁ। ତାକୁ ବି କେହି କିଛି କହନ୍ତି ନାହିଁ କି ତାର କୌଣସି କାମରେ ଦଖଲ ଦିଅନ୍ତି ନାହିଁ। 

  

ୟା ଭିତରେ ପାଞ୍ଚ ବର୍ଷ ବିତି ଯାଇଥିଲେ ମଧ୍ୟ ସୀମା ଭୁଲି ପାରିନି ସେହି ରାତ୍ରିକୁ, ସେହି ଯୁବକଙ୍କୁ । ବୋଧହୁଏ ତା ହୄଦୟ ପ୍ରାନ୍ତରରେ ଏକ ମନ୍ଦିରଟିଏ ତୋଳି ସେ ତାଙ୍କୁ ଦେବତାର ସ୍ଥାନରେ ସ୍ଥାନିତ କରି ରଖି ସାରିଛି । ଆଜିବି ସୀମାର ଆଖି ଦୁଇଟି ଖୋଜି ବୁଲେ ସେହି ଅଚିହ୍ନା ମଣିଷର ମୁହଁକୁ। 


ସାଗର ପୁଣି ଥରେ ସୀମାକୁ ଡାକିଲେ 

ସୀମାର ଇଛା ନଥିଲେ ବି ଅନାଇଲା। 

ସାଗର ପଚାରିଲେ - କଣ ସେଦିନର ରାଗ ମନରୁ ଆହୁରି ଯାଇନି। 

ସୀମା ନିରୁତ୍ସାହିତ ହେଇ ଉତ୍ତର ଦେଲା- କଣ କରିବି ଯାଉନି। 

ରାଗ ପଛେ ଥାଉ -ତମେ କିନ୍ତୁ ସେହି ଦିନଠାରୁ ବହୁତ ନମ୍ର ହେଇ ଯାଇଛ। 

ତମ ବାପାଙ୍କୁ ମୁଁ ସେଥିପାଇଁ ବହୁତ ଧନ୍ୟବାଦ ଦେବି ।

ସୀମା ସାଗରକୁ ପ୍ରଶ୍ନୀଳ ଦୃଷ୍ଟିରେ ଦେଖିଲା। 

ସାଗର କହିଲା - ତମେ ଯାହାକୁ ମନେ ମନେ ଖୋଜୁଛ ମାନେ ସେଦିନ ତମକୁ ଯୋଉ ଯୁବକ ଜଣକ ଆଣି ଘରେ ଛାଡିଥିଲେ ସେ ମୋର ବନ୍ଧୁ ରବି ସେତେବେଳେ ଦିଲ୍ଲୀରେ ଥିଲା । ମୋ ପାଇଁ ଏତିକି ନାଟକ ସେ କରିଥିଲା। ଏବେ ଆମେରିକାରୁ କାଲି ଆସି ପହଞ୍ଚିଛି କହିଲା ମୁଁ ଯାଇ ସବୁ ସତ କହିଦେବି। ଯାହା ବି ହେଇଛି ତମ ବାପାଙ୍କ ଅନୁମତିରେ ହେଇଛି। 

ତମ ଯୁକ୍ତି ତମ ଚିଡିଚିଡା ସ୍ଵଭାବ ତମର ଉଚ୍ଚ ସ୍ଵର ମୋ ବାପା ଜମାରୁ ସହି ପାରୁ ନଥିଲେ। କୌଣସି ପ୍ରକାରେ ତମର ପରିବର୍ତ୍ତନ ନହେବାରୁ ଏମିତି ଏକ ଆଘାତ ଦେବାକୁ ପଡିଲା। ତମର ମୋ ପ୍ରତି ସମ୍ମାନ କମିଗଲା ମୁଁ ଜାଣିଛି କିନ୍ତୁ ବାପା ତ ଶାନ୍ତିରେ ଶେଷ ନିଃଶ୍ୱାସ ନେଲେ। ତମ ପାଇଁ ଅଚିହ୍ନା ମଣିଷ ଓ ମୋ ପାଇଁ ଦେବଦୂତ ପରି ଥିଲା ମୋ ବନ୍ଧୁ। 

ମା'ର ଆଉ କେଇଟା ଦିନ ବା ଜୀବନ। 

ତମକୁ ସେଦିନ ଲିଫ୍ଟ ଦେଇଥିବା ଯୁବକ ଆଉ ତମ ବାପା ବି ଏବେ ଆସୁଛନ୍ତି ଏ ଘଟଣାରେ ଯବନିକା ପକାଇବା ପାଇଁ ।

ପଛ ପଟୁ ଶୁଭିଲା - ଏଇ ଆମେ ଆସି ଗଲୁଣି। 

ସୀମା ବାପାଙ୍କୁ ମୁଣ୍ଡିଆ ମାରୁ ମାରୁ ଭୋ ଭୋ ହେଇ କାନ୍ଦି ଉଠିଲା। 

ଅଚିହ୍ନା ମଣିଷ ସାଗରର ବନ୍ଧୁ ରବି ସୀମାକୁ ଅନେଇ ମୁରୁକି ମୁରୁକି ହସୁଥିଲା ।

ସୀମା ଏତେ ଦିନ ପରେ ଏମିତି ଭାବରେ ତାର ବହୁ ଅପେକ୍ଷିତ ଅଚିହ୍ନା ମଣିଷକୁ ଦେଖିବ ବୋଲି କେବେ ଭାବି ନଥିଲା। 

ସାଗର ନୀରବରେ ସ୍ମରଣ କରୁଥିଲା ତ୍ରୟୋଦଶ ଅଧ୍ୟାୟର ଶ୍ଳୋକ -

ପ୍ରକୃତ୍ୟୈବ ଚ କର୍ମାଣି କ୍ରିୟମାଣାନି ସର୍ବଶଃ

ଅର୍ଥାତ୍ ଯେତେ ବି କ୍ରିୟା ହେଉଛି ସବୁ ପ୍ରକୃତି ବିଭାଗରେ ହିଁ ହେଉଛି। ଏଥିରେ ଜୀବର ସମ୍ବନ୍ଧ ନାହିଁ। ସବୁ କର୍ମ ପ୍ରକୃତିର ଗୁଣମାନଙ୍କ ଦ୍ଵାରା କରାଯାଏ। ପ୍ରକୃତି ସମସ୍ତଙ୍କ କାରଣ। ଆମେ କେବଳ ଚେଷ୍ଟା କରିବା କଥା। 



Rate this content
Log in

Similar oriya story from Drama