Shanti Mishra

Classics

3.0  

Shanti Mishra

Classics

ସେ ବି ଥିଲା ଏକ ରାକ୍ଷୀର କାହାଣୀ

ସେ ବି ଥିଲା ଏକ ରାକ୍ଷୀର କାହାଣୀ

8 mins
23



ଦଶ ବର୍ଷର ଭାଈ ଭଉଣୀ ସଂସାରରେ ପୂର୍ଣଛେଦ କାଲି ରାକ୍ଷୀ ପୂର୍ଣିମାରେ ହିଁ ଘଟିବ । ଆଦିତୀର ଜ୍ଞାନ ହେବା ଦିନରୁ ସେ ଭାଈ ହାତରେ ନିଜ ହାତ ତିଆରି ରାକ୍ଷୀ, ସୁତା ଓ ମାଳିରେ ତିଆରି କରି ବାନ୍ଧେ । ତେଇଶ ବର୍ଷର ଭାଈ ତାର କାଲି ଆର୍ମିରେ ଯୋଗ ଦେବା ପାଇଁ ଯିବ । ଆଦିତୀ ବି କାଲିଠୁ କଲେଜ ହଷ୍ଟେଲକୁ ଚାଲି ଯିବ । ପୈତୃକ ଘର ଟି ଭଡା ଲଗେଇ ଯାହା ମିଳିବ ସେତକ ମାଇଁ ନେବେ । ଅଭୟ ବାଧ୍ୟ ହୋଇ ଆର୍ମିରେ ଯୋଗ ଦେବାକୁ ଯାଉଛି । ଘରର ଆର୍ଥିକ ଅବସ୍ଥା ବହୁତ ଖରାପ ।


ବୋଉର ଦେହ ଖରାପ ବେଳେ ସେମାନେ ମାମୁଁଙ୍କ ଠାରୁ କିଛି ଟଙ୍କା ଧାର କରି ଆଣିଥିଲେ ଦଶ ବର୍ଷ ହୋଇ ଗଲାଣି ଶୁଝା ହୋଇ ପାରିନି । ମାମୁଁ ଦି ବର୍ଷ ତଳେ ଚାଲି ଗଲେ । ତା ପରଠୁ ମାଇଁ ଟଙ୍କା ପାଇଁ ଜିଦି କରି ଚାଲିଛନ୍ତି । ତାଙ୍କର ବି ଚଳିବାରେ ଅସୁବିଧା ହେଉଛି । ଭଲ ଚାକିରି ଖଣ୍ଡେ ଖୋଜି ଖୋଜି ଥକିଗଲା ପରେ ସେ ଆର୍ମିରେ ଯୋଗ ଦେବା ପାଇଁ ସ୍ଥିର କଲା । ଗଲା ବର୍ଷ ତାଙ୍କ କଲେଜକୁ କିଛି ଆର୍ମି ଅଫିସର ଆସିଥିଲେ । ବୁଝେଇଥିଲେ ଦେଶ ସେବା ସହିତ ଅନ୍ୟ କି କି ସୁବିଧା ସୁଯୋଗ ମିଳିବ ଆର୍ମିରେ ମିଶିଲେ । ସେତେବେଳେ ସେ ଆଦିତୀକୁ ଏକା ଛାଡି ଆର୍ମିରେ ଯୋଗ ଦେବା ପାଇଁ ଏତେ ଇଛୁକ ନଥିଲା ।


ଏବେ ପରିବେଶ ପରିସ୍ଥିତିର ବାଧ୍ୟ ବାଧ୍ୟକତାରେ ତାକୁ ଯିବାକୁ ହେବ । ଆଦିତୀର ଭବିଷ୍ୟତ, କଲେଜ ପଢା, ବିବାହ ସବୁ ତାର ଦାୟୁତ୍ଵ ବର୍ତ୍ତମାନ । ଦଶ ବର୍ଷ ଆର୍ମିରେ ରହି ଦେଶ ସେବା କରିବା ପାଇଁ ଚୁକ୍ତି ପତ୍ରରେ ଦସ୍ତଖତ କରି ଦେଇଛି ଅଭୟ । ତା ପରେ ଫେରିଲେ ତା ପାଖରେ କିଛି ଟଙ୍କା ବି ହୋଇ ଯାଇଥିବ ଦେଖିବ ସେ ଅନ୍ୟ କିଛି ଧନ୍ଦା କରିବ ।


ଅଭୟ ଓ ଆଦିତୀ ପରସ୍ପରକୁ କଥା ଦେଇଥିଲେ ବିଦାୟ ବେଳେ କେହି କାନ୍ଦିବେନି । ହସି ହସି ପରସ୍ପରକୁ ବିଦାୟ ଦେବେ । ଆଦିତୀ ସ୍ଥିର ନିଶ୍ଚିତ ସେ ହସି ହସି ଭାଈକୁ ବିଦାୟ ଦେବ । କିନ୍ତୁ ଆଜି ରାତି ପାହିଲେ ସିନା ! ରାତି ତ ଲୁହ ସମୁଦ୍ର ଭିତରେ ବୁଡ଼ି ଯାଇ ଥିବ । ସେ ଭଲ ଭାବରେ ଜାଣେ ଭାଇର ବି ସେଇ ଅବସ୍ଥା ହୋଇଥିବ। ବିଛଣାର ଗୋଟିଏ କଡରେ ହିଁ ରାତି ପାହିଥିବ ।


ତା ପର ଦିନ ଷ୍ଟେସନରେ ବିଦାୟ ବେଳେ ଦୁହେଁ ପିଲା ବେଳର କିଛି ପୁରୁଣା ସ୍ମୃତିକି ଦୋହରାଇ ଖୁବ୍ ହସିଥିଲେ । ନିଜେ ହସିବା ପାଇଁ କାହାଣୀର ଅବତାରଣା ଯେତେ କରା ଯାଉ ନଥିଲା ଅନ୍ୟକୁ ହସେଇବାର ପ୍ରଚେଷ୍ଠା ସେଥିରେ ବେଶୀ ଥିଲା । ହସୁ ହସୁ ଯଦି ଦୁଇଟୋପା ଲୁହ ଝରି ଯାଉଥିଲା ଅତି ସନ୍ତର୍ପଣରେ ପରସ୍ପରର ଅଲକ୍ଷରେ ଦୁହେଁ ପୋଛି ନେଉଥିଲେ । ଟ୍ରେନ ଛାଡିବା ପର୍ଯ୍ୟନ୍ତ ଦୁହିଁଙ୍କ ଓଠରେ ହସ ଥିଲା । ଟ୍ରେନ ଆଖିରୁ ଅଦୃଶ୍ୟ ହେଲା ପରେ ଆଦିତୀ ଆଖିରୁ ଲୁହ ଅନର୍ଗଳ ଝରି ଯାଇଥିଲା କିଛି ବନ୍ଧ ବାଡ ନମାନି । ସେ ଭଲ ଭାବରେ ଜାଣିଥିଲା ଭାଈର ଅବସ୍ଥା ବି ସେଇଆ ହୋଇଥିବ । ଖବର କାଗଜ ବା ବହି ଭିତରେ ଲୁହ ଭରା ମୁହଁକୁ ଲୁଚାଇ ସାରା ଟ୍ରେନ ଯାତ୍ରା ଶେଷ କରିଥିବ ।


ପ୍ରଥମ ସପ୍ତାହଟା କଷ୍ଟ ଦାଯକ, ଗୋଟାଏ ଦିନ ବିତେଇବା ଅର୍ଥ ଯୁଗ ଟାଏ ବିତେଇବା । ତା ପରର ଦିନ ଗୁଡିକ ବିତିବାରେ ଅସୁବିଧା ନାହିଁ । ଅଭ୍ୟାସରେ ପଡ଼ିଯାଏ ସବୁକିଛି । ଚିଠିର ଆଦାନ ପ୍ରଦାନକୁ ମାଧ୍ୟମ କରି ଏକା ଏକା ବଞ୍ଚିବା ସେମାନେ ଶିଖି ଗଲେଣି । ଅଭୟ ରୀତିମତ ଟଙ୍କା ପଠେଇ ଆଦିତୀର ପଢାରେ ବେଶ୍ ସାହାଯ୍ୟ କରି ଚାଲିଛି ।


ଏହା ଭିତରେ ଆଦିତୀର ଜୀବନରେ ଏକ ବହୁ ସୁନ୍ଦର ମୋଡ ଆସି ଯାଇଛି । ତା ଜୀବନ ଇଲାକା ଭିତରକୁ ଦେବଦତ୍ତ ଆସିଲା ଦିନ ଠାରୁ ତାର ବଞ୍ଚିବାର ଶୈଳୀ ସମ୍ପୂର୍ଣ ବଦଳି ଯାଇଛି । ଭାଈ ଅଭୟ ଆଜିକାଲି ଖୁବ କମ୍ ମନେ ପଡେ । କିନ୍ତୁ ସେ ସର୍ବଦା ତା ମନ ଭିତରେ ଥାଏ ।


ଗତ ଛଅ ବର୍ଷ ଭିତରେ ମାତ୍ର ଦୁଇଥର ଅଭୟ ଆସିଥିଲା ଘରକୁ ତା ବି ମାତ୍ର ଚାରି ଦିନ ପାଇଁ । କିନ୍ତୁ ଆଦିତୀର ବିବାହାକୁ ନିଶ୍ଚୟ ଆସିବାର ପ୍ରତିଶ୍ରୁତି ଦେଇ ଫେରେ । ଆଦିତୀ ଓ ଦେବଦତ୍ତ ବିଭାହର ଦିନ ଠିକ୍ କରି ଅଭୟ ପାଖକୁ ଖବର ଦେଇଥିଲେ । ସେ ଆସିବ ବୋଲି ନିଶ୍ଚୟ କହିଥିଲେ ବି ଶେଷ ମୁହୂର୍ତ୍ତରେ ଚାହିଁ ଚାହିଁ ଆସି ପାରି ନଥିଲା । କାରଣ ହଠାତ୍ କରି ସୀମାନ୍ତରେ ଶତ୍ରୁ ସୀମା ଲଙ୍ଘି ଦେଶ ଭିତରକୁ ପଶି ଆସିଥିଲେ । ସେମାନଙ୍କୁ ଠିକଣା ଜବାବ ଦେବା ପାଇଁ ଅନେକ ସୈନିକ ମାନଙ୍କୁ ସୀମା ପାଖକୁ ଯିବାକୁ ପଡିଥିଲା । ସେମାନଙ୍କ ଭିତରୁ ଅଭୟ ଜଣେ । ଶତ୍ରୁ ମାନଙ୍କୁ ଗୋଳା ବାରୁଦରେ ଜବାବ ଦବାକୁ ପଡୁଥିଲା । ଏକ ବିରାଟ ଅବଶୋଶ, ଦୁଃଖକୁ ସାଥିରେ ନେଇ ଆଦିତୀ ବିବାହ ବେଦୀରେ ବସିଥିଲା ଓ ନିଜର ନୂତନ ସଂସାର ଆରମ୍ଭ କରିଥିଲା ।


ମନର ବେଳା ଭୂମିରେ ଭାଈର ପଦ ଚିହ୍ନ ସବୁଆଡେ । ଲିଭେଇବା ସମ୍ଭବ ନୁହେଁ । ବୈବାହିକ ସୁଖର ସଂସାର ଭିତରେ ଭାଇର ସ୍ମୃତି ଏକ ଉତ୍ତପ୍ତ ଝଞ୍ଜା ପବନ ପରି ତା ମନ ଭିତରକୁ ପଶି ଆସି ତାକୁ ଘର୍ମାକ୍ତ କରି ପକାଏ ମଝିରେ ମଝିରେ । ଦିନ ଗଣୁଥାଏ ଦଶ ବର୍ଷ ପରେ ଭାଈ ଚୁକ୍ତିରୁ ମୁକ୍ତ ହୋଇ ଫେରି ଆସିବାକୁ କଥା ଦେଇଥିଲା । ସେଇଆ ହିଁ ହେବ । ଆହୁରି ଚାରି ବର୍ଷ । ହଁ ବିତିଯିବ। ଜୀବନ ସହିତ ସଂଘର୍ଷ କରି କରି ଏବେ ସେ ବେଶ୍ ଶକ୍ତ ।


ହଠାତ୍ ସୀମାନ୍ତରେ ଯୁଧ୍ୟ ଘୋଷଣା ଆଦିତୀର ସୁଖ ନିଦ୍ରାରେ ବ୍ୟାଘାତ ଆଣିଦେଲା । ପ୍ରଶାନ୍ତି ମନରେ ଅଶାନ୍ତ ଲହରୀର ମାଳା ଉତକ୍ଷିପ୍ତ ହେବାକୁ ଲାଗିଲା । ପ୍ରତ୍ୟେକ ଦିନ ଟିଭି ଖବର କାଗଜ ଉପରେ ଆଖି । ଛାତି ଭିତରେ ଅହେତୁକ କମ୍ପନ । ବେଳେ ବେଳେ ଲାଗେ ସେ ଭା ରସାମ୍ୟ ହରାଇ ଖସି ପଡ଼ିବକି ତଳେ ।


ଆଶଙ୍କା ଦୁର୍ଭାବନାକୁ ସତ କରି ଯେତେବେଳେ ଆର୍ମି ହସ୍ପିଟାଲରୁ ଫୋନ୍ ଆସିଲା, କାହିଁକି କଣପାଇଁ ? ମନରେ ହଜାର ପ୍ରଶ୍ନ ନେଇ ସେ ଯାଇଥିଲା ହସ୍ପିଟାଲକୁ । ଅଭୟର ଦୁଇ ଗୋଡରେ ଗୁଳି ବାଜି ଅକାମି ହୋଇ ଯାଇଛି । ଆଂଠୁ ତଳୁ ଦୁଇ ଗୋଡକୁ କାଟି ଦିଆ ଯାଇ ତାର ଅବଶିଷ୍ଟ ଅଙ୍ଗକୁ ରକ୍ଷା କରା ଯାଇଛି । ଡାକ୍ତର ମାନେ ପ୍ରାଣ ପଣେ ଚେଷ୍ଟା ଚଳେଇଛନ୍ତି । ଭାଈ ବଞ୍ଚି ଯାଇଛି ଦୁଇ ଗୋଡ ହରେଇ ।


ଏବେ !ଏବେ ଆଉ କଣ ! ଆଦିତୀ ବ୍ୟତୀତ ଅଭୟର ଆଉ ଏ ସଂସାରରେ କେହି ନାହାଁନ୍ତି ନିଜର ବୋଲି । ଆର୍ମିରେ ରହି କାମ କରି ସବୁଦିନ ଏପରି ଘଟଣା ସବୁ ଦେଖି ଦେଖି ଅଭୟ ବେଶ୍ ଶକ୍ତ ହୃଦୟ ହୋଇ ଯାଇଛି । ସେ ଆଦିତୀ ଉପରେ ବୋଝ ହେବାକୁ ଚାହୁଁ ନଥିଲେ ବି ଆଦିତୀର ଏକା ଜିଦି ସେ ତାକୁ ଘରେ ରଖି ସାରା ଜୀବନ ତାର ଦେଖା ଚାହାଁ କରିବ । କିନ୍ତୁ ଆଦିତୀର ସ୍ଵାମୀ ଦେବଦତ୍ତ ଏ ବୋଝ ଉଠେଇବାକୁ ଆଗ୍ରହୀ ନୁହଁନ୍ତିକି ତାଙ୍କ ଶାନ୍ତିର ନିଳୟରେ ଏ ଅଶାନ୍ତ ଝଡକୁ ଆଶ୍ରୟ ଦେବାକୁ ଇଛୁକ ନୁହଁନ୍ତି ।


ଏ ଏକ ବିରାଟ ସମସ୍ୟା । ସେଦିନ ଥିଲା ରାକ୍ଷୀ ପୁର୍ଣିମା । ଅଭୟ ଘର ଛାଡି ଆର୍ମିରେ ଯୋଗ ଦେଲା ଦିନରୁ ଡାକରେ ଭାଈ ପାଇଁ ରାକ୍ଷୀ ପଠାଏ ଆଦିତୀ । ତା ବଦଳରେ ବିଡା ବିଡା ନୋଟ୍ ଭାଈ ପଠାଏ ସେ ଭଲରେ ରହିବ ପାଠ ପଢିବ ବୋଲି । ସେ ଏତେ ଶୀଘ୍ର କିପରି ଭୁଲିଯିବ । ସେଦିନ ହସ୍ପିଟାଲରୁ ଡିଶ୍ଚାର୍ଜ ବେଳେ ଆଦିତୀ ଯାଇଥିଲା ଅଭୟକୁ ଆଣିବାକୁ । ଅଭୟକୁ ସସମ୍ମାନେ ଆର୍ମି ଗାଡିରେ ଆଣି ଆଦିତୀର ଘରେ ଛାଡି ଦିଆଗଲା । ଆଦିତୀ ଆଗରୁ ତାର ରହିବାର ସବୁ ବନ୍ଦୋବ୍ୟସ୍ତ କରି ଦେଇଥିଲା । କିନ୍ତୁ ଦେବଦତ୍ତ ଏକ ବିରାଟ ଅଭେଦ୍ୟ ପ୍ରାଚୀର ପରି ଆସି ଦୁହିଁଙ୍କ ମଝିରେ ଠିଆ ହୋଇଗଲେ ।


ସେ ସର୍ତ୍ତ ରଖିଦେଲେ ତମକୁ ଆମ ଦୁଇଜଣଙ୍କ ଭିତରୁ ଜଣକୁ ବାଛିବାକୁ ପଡିବ । ଆମେ ଦୁଇଜଣ ଗୋଟିଏ ଛାତ ତଳେ ରହିବା ଅସମ୍ଭବ । -“ନା ନା ଏତେ ନିର୍ଦ୍ଦୟ ହୁଅନା । ତାଙ୍କର କେହି ନାହାନ୍ତି ଏ ସଂସାରରେ ମୋ ବିନା”। ସେଦିନ ଥିଲା ରାକ୍ଷୀ ପୂର୍ଣିମା । ଦୀର୍ଘ ସାତ ବର୍ଷ ପରେ ସେ ଭାଈ ହାତରେ ରାକ୍ଷୀ ବାନ୍ଧିବାର ସୁଯୋଗ ପାଇଛି । ଦେବଦତ୍ତଙ୍କ ଏ ନିଷ୍ଠୁର ପୂର୍ଣ କଥା ଶୁଣି ସେ ଅଶ୍ରୁସିକ୍ତ । ଦେବଦତ୍ତଂକ ଭଲ ପାଇବା ଉପରେ ତାର ପୂରା ବିଶ୍ଵାସ ଥିଲା ସେ ଦୃଷ୍ଟିରୁ ସେ ଭାଈକୁ ଘରକୁ ନେଇ ଆସିଥିଲା । ଅଭୟ କହିଥିଲା ଆର୍ମି ତରଫରୁ ତା ପରି ଅପାରଗ ଲୋକ ମାନଙ୍କ ରହିବାର ସରକାରଙ୍କ ତରଫରୁ ସୁବିଧା ଅଛି ସେ ସେଠାକୁ ଚାଲିଯିବ । ଏଥିରେ ଏତେ ବ୍ୟସ୍ତ ହେବାର କିଛି କାରଣ ନାହିଁ ।


ନା ନା ନା ଆଦିତୀ ବଞ୍ଚି ଥାଉ ଥାଉ ତା ଭାଈ ଯାଇ ସେଠାରେ ମୃତ୍ୟୁକୁ ଅପେକ୍ଷା କରି ପଡି ରହିବ ! ନା ତା କଦାପି ହବନି । ଆଦିତୀ ତଥାପି ଯୁକ୍ତି ବାଢିଥିଲା ଭାଈ ତାଙ୍କ ଉପରେ ବୋଝ ହେବନି । ଭାଇର ଏ ଅପାରଗତା ପରିସ୍ଥିତି ପାଇଁ ସରକାରଙ୍କ ତରଫରୁ ତାକୁ ଯଥେଷ୍ଟ ଟଙ୍କା ମିଳିବ ଖାଇ ପି ଭଲରେ ବଞ୍ଚିବା ପାଇଁ । ତା ପାଇଁ ଅଲଗା ଗୋଟେ ରୁମ ତିଆରି କରି ଦେଲେ ସେ ଏଠି ମୋ ଅଖି ଆଗରେ ରହିବ । ଦେଖା ରଖା ଭଲ ମନ୍ଦ ବୁଝିବା କାମ ଆଦିତୀର । ଉତ୍ୟକ୍ତ ଦେବଦତ୍ତ କିଛି ଶୁଣିବା ମୁଡରେ ନଥିଲେ । ତାକୁ ଜଣକୁ ବାଛିବାକୁ ବାଧ୍ୟ କହିଥିଲେ ।


-“ତମେ ଜଣେ ଅଧ୍ୟାପକ ଏପରି ହୃଦୟହୀନ ମନ୍ତବ୍ୟ କିପରି ଦେଇ ପାରୁଛ ! ପିଲା ମାନଙ୍କୁ କି ଶିକ୍ଷା ଦେବ ତୁମେ । ଏଇ ତୁମ ଆଦର୍ଶ ଉଚ୍ଚ ସଂସ୍କାର । ଶତଧିକ୍ ତୁମ ବିଚାର ବୁଦ୍ଧିକି, ସ୍ଵାର୍ଥପରତାକୁ” । ଦେବଦତ୍ତ ତଥାପି ନିରବ । ନିଜ ସିଦ୍ଧାନ୍ତରେ ଅଟଳ । ଆଦିତୀ କାଳ ବିଳମ୍ବ ନକରି ଯାଇ ଅଭୟ ହାତରେ ରାକ୍ଷୀ ବାନ୍ଧିଦେଲା । ଭାଈର ହୁଇଲ୍ ଚେୟାରକୁ ପଛରୁ ଠେଲି ଧରି ଘରୁ ବାହାରି ଆସିବାକୁ ଉଦ୍ୟତ ହେଲାବେଳେ ଦେବଦତ୍ତ ଆସି ତାର ପଥ ରୋଧ କରିନେଲେ ।


ଆଦିତୀ କ୍ରୋଧରେ କିଛି ଶୁଣିବା ମୁଡରେ ନଥିଲା । ସେତିକିବେଳେ ଦୁହେଁ ଦେବଦତ୍ତ ଓ ଅଭୟ ହସି ଉଠିଲେ । ଆଶ୍ଚର୍ଯ୍ୟରେ ଚାହିଁ ରହିଲା ଆଦିତୀ ! ଏ ହସ କଣ ପାଇଁ । ଦେବଦତ୍ତ କଥା ଆରମ୍ଭ କରିଥିଲେ -“ଏହା ଏକ ତୁମ ପାଇଁ ପରୀକ୍ଷା ଥିଲା ଆମ ଦୁଇଜଣଙ୍କ ଭିତରୁ ଜଣକୁ ବାଛିବାକୁ ପଡିଲେ ତମେ କାହାକୁ ବାଛିବ ବୋଲି ଆମ ଦୁଇ ଜଣଙ୍କ ଭିତରେ ଏକ ସର୍ତ୍ତ ଲାଗିଥିଲା । ଅଭୟ ଜିତିଯିବ ବୋଲି ତା ମନରେ ବଡ ଦମ୍ଭ ଥିଲା । ମୋ ମନରେ ସେତିକି ନଥିଲା ସତ ତା ଠୁ ଅଳ୍ପ ପରିମାଣରେ ବିଶ୍ଵାସ ଥିଲା କି ମୁଁ ଜିତିଯିବି । ତମେ କଣ ଭାବୁଛ ମୁଁ ଏତେ ଅମଣିଷ ନିର୍ଦୟ ଜଣେ ଦେଶସେବୀ କର୍ମୀଙ୍କୁ ଏପରି ଅସହାୟ ଅବସ୍ଥାରେ ଘରୁ ବାହାର କରିଦେବି ବୋଲି । ଏବେ ଭାବୁଛି ତମେ ମତେ ଠିକ୍ ଭାବେ ବୁଝି ନପାରି ଭୁଲରେ ବିବାହ କରି ନେଇଛ । ଯେତେବେଳେ ସବୁ ସୁଖ ଦୁଃଖ, ସବୁ ଝଡଝଞ୍ଜାକୁ ଏକାଠି ବାଣ୍ଟିବାର ଶପଥ କରିଥିଲେ ତେବେ ଏହା କିପରି ମୁଁ ଟାଳି ଯିବି ତୁମକୁ ଏକା ସମ୍ମୁଖୀନ ହବାକୁ ଦେଇ” । ଆଦିତୀ ଅବାକ୍ ହୋଇ ଦୁଇ ଜଣଙ୍କ ମୁହଁକୁ କେବଳ ଚାହିଁ ରହିଲା । ଏପରି ପରିସ୍ଥିତିରେ କେହି କଣ ଏପରି ଖେଳେ ।


ଦେବଦତ୍ତଙ୍କ ତତ୍ୱାବଧାନରେ ଅଭୟଙ୍କ ପାଇଁ ଆଉ ଗୋଟିଏ ଅତ୍ୟାଧୁନିକ ପ୍ରକୋଷ୍ଠ ଘରର ଉତ୍ତର ପଟେ, ଯୋଉଠି କେବଳ ଏକ ପାଚେରି ଥିଲା, ସେଇଟାକୁ ଭଙ୍ଗା ଯାଇ ରୁମ୍ ତିଆରି କରାଗଲା । ଅଭୟର ସବୁ ସେବା ଯତ୍ନର ଦାୟିତ୍ଵ ଆଦିତୀ ନେଲା । ସବୁ ସମସ୍ୟାର ସୁନ୍ଦର ସମାଧାନ ଅଛି । କ୍ରୋଧ କିନ୍ତୁ ତା ଭିତରୁ ଗୋଟିଏ ନୁହଁ । ତା ପର ବର୍ଷ ରାକ୍ଷୀ ପୁର୍ଣିମାକୁ ଆଦିତୀ ବଡ ଧୂମ୍ ଧାମ୍ ରେ ସାଙ୍ଗ ସାଥୀଙ୍କୁ ନିମନ୍ତ୍ରଣ କରି ଭୋଜି ଭାତରେ ଆପ୍ୟାୟିତ କରିଥିଲା । ଭାଈ ଯେ ବଞ୍ଚିଛି ତା ସ୍ନେହ ଶ୍ରଦ୍ଧାର ହାତ ତା ମୁଣ୍ଡରେ ଅଛି ତା ପାଇଁ ସେତିକି ଯଥେଷ୍ଟ । ଗୋଡ ନଥିଲେ କଣ ହେଲା ତା ଆତ୍ମାର ସଦିଚ୍ଛା ତ ତା ପାଇଁ ଅଛି । ସବୁ ବର୍ଷ ସେ ମନେଇବ ଏଇ ଭାତ୍ରୁ ଭାଗ୍ନିଙ୍କର ଅମର ପର୍ବ ଟିକୁ ମନେ ମନେ ଭାବିନେଲା ।


ତା ପର ବର୍ଷର ରାକ୍ଷୀକୁ କୁନା ଯେତେବେଳେ ସେମାନଙ୍କ କୋଳକୁ ଚାଲି ଆସିଥିଲା ସେମାନଙ୍କ ଖୁସି ଦେଖେ କିଏ । ଦୁଃଖ ପରେ ସୁଖ, ସୁଖ ପରେ ଦୁଃଖ, ପୁଣି ଦୁଃଖ ପରେ ସୁଖ ବି । ଭାଈର ସିନା ଗୋଡ ନଥିଲା କିନ୍ତୁ ହାତ ତ ଥିଲା, ଆଖି, ନାକ, କାନ ପାଟି ତ ଥିଲା । ତା ସାହାଯ୍ୟରେ ସେ ବଞ୍ଚିବ କାହାରି ଉପରେ ବୋଝ ନହୋଇ । ସେ ଯେପରି ନିଜକୁ ବୋଝ ଭାବି ଆତ୍ମଗ୍ଳାନିରେ ନବଞ୍ଚେ । ସେଥି ପାଇଁ ତା ପାଇଁ ଦେବଦତ୍ତ ଏକ କମ୍ପ୍ୟୁଟର କିଣି ଆଣିଲେ । କିଛି ଅନ୍ ଲାଇନ୍ କ୍ଳାସ ନେଲା ପରେ ତାକୁ କାମରେ ଲଗେଇଦେଲେ । ଅର୍ଥାଗମ ସାଙ୍ଗକୁ ସମୟ ପାସ୍ ।


ଦେବଦତ୍ତ ଭାବୁଥିଲେ ଗୋଟାଏ ନାରୀକୁ କେବେ ଗୋଟାଏ ସମ୍ପର୍କକୁ ବାଛିବାକୁ କହିବନି । ସେ ସେଥିରେ ସଫଳ ହେବନାହିଁ । ତେଣୁ ସେ ନିଜ ଇଛାକୁ ନିଜ ଭିତରେ ଚାପି ନେଇଥିଲେ । ସୁଖି ଜୀବନ ପାଇଁ ଅନେକ ଛୋଟ ବଡ ଇଚ୍ଛାକୁ ଏପରି ବଳି ଚଢେଇବାକୁ ପଡେ । ସେ ଯଦିଓ ପୁରା ଅନ୍ତରରୁ ଚାହୁଁ ନଥିଲେ ଅଭୟ ଆସି ସେମାନଙ୍କ ପାଖରେ ରହୁ ବୋଲି । ଏବେ ତ ବହୁତ ପ୍ରକାର ସୁବିଧା ହୋଇ ଗଲାଣି ଏପରି ଲୋକ ମାନଙ୍କ ରହିବା ପାଇଁ ସେ କିଛି ବ୍ୟବସ୍ଥା କରି ପାରି ଥାନ୍ତେ ।


କିନ୍ତୁ ଆଦିତୀର ମନୋଭାବ ଜାଣିବା ପାଇଁ ସେ ଅଭୟ ସଙ୍ଗେ ପରାମର୍ଶ କରି ଏପରି ଏକ କୁତ୍ରିମ ଡ୍ରାମାର ଅବତାରଣା କରିଥିଲେ । ଦେଖିବାକୁ ଚାହୁଁଥିଲେ ଆଦିତୀ ତା ଜୀବନରେ କାହାକୁ ପ୍ରଥମ ସ୍ଥାନ ଦେଉଛି । ତା ମନ କଥା ଜାଣି ସାରିଲା ପରେ ତାଙ୍କ ନିଜର ମନୋବୃତ୍ତିକୁ ସେ ପରିବର୍ତ୍ତନ କରି ଦେଇଥିଲେ ।


ଭଲ ପାଇବାଟା ପ୍ରଥମେ ତାଙ୍କ ତରଫରୁ ଆରମ୍ଭ ହୋଇଥିଲା । ସେତେବେଳେ ଆଦିତୀ ସବୁ ସତ କଥା କହି ଦେଇଥିଲା ଭବିଷ୍ୟତରେ ଯଦି ତା ବଡ ଭାଈ ତା ଠାରୁ କୌଣସି ପ୍ରକାର ସାହାଯ୍ୟର ଆଶା କରିବେ ସେ ତାଙ୍କୁ ନିରାଶ କରିବନି । ତାଙ୍କ ଦୟାରେ ଏ ଜୀବନ । ସେତେବେଳେ ସେ ହଁ କରିଦେଇଥିଲେ । କିନ୍ତୁ ଏପରି ଭାବେ ସାହାଯ୍ୟ କରିବାକୁ ହେବ ସେ ସ୍ଵପ୍ନରେ ଭାବି ନଥିଲେ । ହଉ ହେଲା ସେ ହା ରିଗଲେ; ପୁଣି ମନକୁ ବୁଝେଇଦେଲେ, ସ୍ଵାର୍ଥ ତ୍ୟାଗ କରିବା ଯୋଉ ଭଲ ପାଇବାରେ ନାହିଁ ସେ ବା କୋଉ ଭଲ ପାଇବାରେ ଲେଖା ।



Rate this content
Log in

Similar oriya story from Classics